Unknown

 

 

 

 

 

 

ମହାଭାରତ ବିରାଟ ପର୍ବ

ଭାଷାନ୍ତର

ଗୋବିନ୍ଦଚନ୍ଦ୍ର ମହାପାତ୍ର

 

 

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୭୫୧୦୧୪

 

ପ୍ରଥମ ଅଧ୍ୟାୟ

 

ନାରାୟଣ, ନରୋତ୍ତମ ନର ଓ ସରସ୍ୱତୀ ଦେବୀଙ୍କୁ ପ୍ରଣାମ କରି ଜୟକୀର୍ତ୍ତନ କରିବ-।୧।

 

ଜନ୍ମେଜୟ ପଚାରିଲେ- ହେ ବ୍ରହ୍ମବାଦୀ ! ତୁମ୍ଭର ପୂର୍ବ ପିତାମହମାନେ ଦୁର୍ଯ୍ୟୋଧନଙ୍କ ସମୟରେ ବ୍ୟାକୁଳିତ ହୋଇ କିରୂପେ ବିରାଟ ନଗରରେ ଅଜ୍ଞାତବାସ କରିଥିଲେ ।୨। ସତତ ପତିପରାୟଣା ମହାଭାଗା ବ୍ରହ୍ମବାଦିନୀ ଦ୍ରୁପଦନନ୍ଦିନୀ ମଧ୍ୟ କିପରି ଅଜ୍ଞାତରେ ରହି ଦୁଃସହ ଦୁଃଖମାନ ଅନୁଭବ କରି କାଳକ୍ଷେପଣ କଲେ ।୩। ବୈଶମ୍ପାୟନ କହିଲେ, ହେ ନରାଧିପ ! ଆପଣଙ୍କ ପୂର୍ବ ପିତାମହମାନେ ଯେପରି ଅଜ୍ଞାତବାସ କରିଥିଲେ, ତାହା କହୁଅଛୁଁ ଶ୍ରବଣ କରନ୍ତୁ ।୪।

 

ଧାର୍ମିକମାନଙ୍କ ଶ୍ରେଷ୍ଠ ଧର୍ମାତ୍ମା ଯୁଧିଷ୍ଠିର ଆଶ୍ରମକୁ ଗମନ କରି ବ୍ରାହ୍ମଣମାନଙ୍କୁ ତ ସବୁ ନିବେଦନ କଲେ ।୫। ତତ୍ପରେ ଅରଣୀ ସହିତ ମନ୍ଥନଦଣ୍ଡ ଓ ସବୁ ଯଜ୍ଞସାମଗ୍ରୀ ସେହି ବ୍ରାହ୍ମଣକୁ ସମର୍ପଣ କଲେ ।୬। ତତ୍ପରେ ମହାମନା ଧର୍ମଙ୍କ ପୁତ୍ର ରାଜା ଯୁଧିଷ୍ଠିର ଅନୁଜମାନଙ୍କୁ ଏକତ୍ର କରି କହିଲେ ।

 

ଆମ୍ଭେମାନେ ରାଜ୍ୟଚ୍ୟୁତ ହୋଇ ଦ୍ୱାଦଶ ବର୍ଷକାଳ ଅରଣ୍ୟରେ ଅତିବାହିତ କଲୁଁ । ଏବେ ତ୍ରୟୋଦଶ ବର୍ଷ ଉପସ୍ଥିତ ହେଲା । ଏହି ବର୍ଷକୁ ଅତିକ୍ରମ କରିବା ଅତି କଠିନ । ଅତଏବ, ଅର୍ଜୁନ ! ତୁମ୍ଭେ ଏତାଦୃଶ କୌଣସି ବାସକୁ ମନୋନୀତ କର, ଯେଉଁଠାରେ ଏହି ବର୍ଷକ ରହିଲେ ଆମ୍ଭମାନଙ୍କୁ କେହି ଚିହ୍ନି ନ ପାରିବେ । ଅର୍ଜ୍ଜୁନ କହିଲେ, ହେ ମନୁଜାଧିପ ! ଧର୍ମ ଆମ୍ଭମାନଙ୍କୁ ଯେଉଁ ବର ପ୍ରଦାନ କରିଅଛନ୍ତି ସେହି ବର ପ୍ରଭାବରୁ ଆମ୍ଭେମାନେ ମନୁଷ୍ୟର ଅଜ୍ଞାତରେ ବିଚରଣ କରି ପାରିବୁଁ, ଏଥିରେ ସନ୍ଦେହ ନାହିଁ ।୧୦।

 

ସମ୍ପ୍ରତି, ଆମ୍ଭେ କେବଳ ରମଣୀୟ ଓ ଗୁପ୍ତ ରାଷ୍ଟ୍ରମାନଙ୍କର ନାମୋଲ୍ଲେଖ କରୁଅଛୁଁ । ତନ୍ମଧ୍ୟରୁ ଆପଣ କୌଣସି ଗୋଟିଏ ସ୍ଥାନ ସ୍ଥିର କରନ୍ତୁ ।୧୧। ହେ ରାଜନ୍‌ ! କୁରୁମଣ୍ଡଳୀର ଚତୁଃପାଶ୍ୱର୍ରେ ପଞ୍ଚାଳ, ଚେଦି, ମତ୍ସ୍ୟ, ଶୂରସେନ, ପଟ୍ଟଚର, ଦଶାର୍ଣ୍ଣ, ନବରାଷ୍ଟ୍ର, ମଲ୍ଲ, ଶାଲ୍ୱ, ଯୁଗନ୍ଧର, କୁନ୍ତୀରାଷ୍ଟ୍ର, ସୁରାଷ୍ଟ୍ର ଓ ଅବନ୍ତୀ ଏହି ସବୁ ଅତି ବିସ୍ତୀର୍ଣ୍ଣ ଓ ରମଣୀୟ ଜନପଦମାନ ବିଦ୍ୟମାନ ଅଛନ୍ତି । ସେହି ରାଜ୍ୟ ମଧ୍ୟରେ ବିପୁଳ ଶସ୍ୟମାନ ଉତ୍ପନ୍ନ ହୁଅନ୍ତି । ଏତନ୍ମଧ୍ୟରେ କେଉଁଠାରେ ଆପଣଙ୍କର ରହିବାର ଅଭିରୁଚି ହେଉଅଛି ବୋଲିବା ହେଉନ୍ତୁ । ଆମ୍ଭେମାନେ ସେହିଠାରେ ଏହି ବର୍ଷକାଳ ରହିବୁଁ ।୧୪।

 

ଯୁଧିଷ୍ଠିର କହିଲେ, ହେ ମହାବାହୋ ! ତୁମ୍ଭେ ଯାହା କହିଲ, ସମୁଦାୟ ଶ୍ରବଣ କଲୁଁ । ସର୍ବଭୂତନିୟନ୍ତା ପ୍ରଭୁ ଧର୍ମ ଯାହା କହିଅଛନ୍ତି, ତାହା ଅବଶ୍ୟ ହେବ । ତହିଁର ଅନ୍ୟଥା ହେବନାହିଁ ।୧୫। ପରନ୍ତୁ, ଆମ୍ଭମାନଙ୍କ ବାସ ନିମିତ୍ତ ଏପରି ଗୋଟିଏ ସ୍ଥାନକୁ ମନ୍ତ୍ରଣା କରି ସ୍ଥିର କରିବାକୁ ହେବ ଯହିଁରେ ଆମ୍ଭେମାନେ ସୁଖରେ ରହିପାରିବା, ଆମ୍ଭମାନଙ୍କର ଯେଉଁଠାରେ ମଙ୍ଗଳ ହେବ, ଓ ଯେଉଁ ସ୍ଥାନଟି ରମଣୀୟ ହୋଇଥିବ ଓ ଯେଉଁଠାରେ ଆମ୍ଭେମାନେ ସମସ୍ତେ ମିଳିତ ହୋଇ ନିର୍ଭୟରେ ବାସ କରିପାରିବା ।୧୬। ହେ ବତ୍ସ ! ମତ୍ସ୍ୟଦେଶୀୟ ନରପତି ବିରାଟ ପାଣ୍ଡବମାନଙ୍କ ପ୍ରତି ସ୍ନେହ କରନ୍ତି । ସେ ଧର୍ମଶୀଳ, ବଦାନ୍ୟ, ପ୍ରାରମ୍ଭେନ ବଳବାନ ଓ ଆମ୍ଭମାନଙ୍କର ସତତ ପ୍ରୀତିପାତ୍ର ଅଟନ୍ତି । ଅତଏବ ଆମ୍ଭେମାନେ ତାହାଙ୍କର କର୍ମଚାଷୀ ହୋଇ ଏହି ବର୍ଷକ ବିରାଟ ନଗରରେ ଅତିବାହିତ କରିବା ।୧୮। ହେ କୁରୁନନ୍ଦନଗଣ ! ବିରାଟ ରାଜାଙ୍କ ନିକଟକୁ ଗମନ କରି ଆମ୍ଭେମାନେ ତାହାଙ୍କର ଯେ ଯେଉଁ କର୍ମ କରିବା, ତାହା ନିଶ୍ଚୟ କରି କହ ।୧୯।

 

ଅର୍ଜ୍ଜୁନ ବୋଇଲେ, ହେ ସଚ୍ଚରିତ୍ର ! ନରଦେବ ! ଆପଣ ତାହାଙ୍କ ରାଜ୍ୟରେ କିରୂପ କର୍ମ କରିବେ ? କେଉଁ କର୍ମାବଲମ୍ବନ କରି ଆପଣ ସ୍ୱଚ୍ଛନ୍ଦଭାବରେ ବିରାଟ ନଗରରେ ବିହରଣ କରିପାରିବେ ।୨୦। ହେ ରାଜନ୍‌ ! ଆପଣ ମୃଦୁ, ଆପଣ ବଦାନ୍ୟ, ଲଜ୍ଜାଶୀଳ, ଧାର୍ମିକ ଓ ସତ୍ୟପ୍ରତିଜ୍ଞ । ଅତଏବ ଏହି ଆପଦକାଳରେ କେଉଁ କର୍ମ ଅବଲମ୍ବନ କରିବା ହେବେ ? ହେ ପାଣ୍ଡବ ! ଆପଣ ମହୀନ୍ଦ୍ର, ସାମାନ୍ୟ ମନୁଷ୍ୟପ୍ରାୟ ଦୁଃଖାନୁଭବ କରିବାର ଆପଣଙ୍କର ଅଭ୍ୟାସ ନାହିଁ । ସମ୍ପ୍ରତି, ଏହି ଘୋର ବିପତ୍‌ପ୍ରାପ୍ତ ହୋଇଅଛନ୍ତି । ଏହାକୁ କି ପ୍ରକାରେ ଉତ୍ତୀର୍ଣ୍ଣ ହେବେ ?୨୨।

 

ଯୁଧିଷ୍ଠିର କହିଲେ, ହେ ପୁରୁଷଶ୍ରେଷ୍ଠ କୁରୁନନ୍ଦନମାନେ ! ଆମ୍ଭେ ବିରାଟରାଜାଙ୍କ ସନ୍ନିଧାନକୁ ଯାଇ ଯେଉଁ କର୍ମରେ ନିଯୁକ୍ତ ହେବୁଁ, ତାହା କହୁଅଛି ଶ୍ରବଣ କରନ୍ତୁ ।୨୩। ଆମ୍ଭେ ଅକ୍ଷତତ୍ତ୍ୱବିଶାରଦ ଓ ଦ୍ୟୁତପ୍ରିୟ କଙ୍କନାମା ଦ୍ୱିଜାତି । ଏହିରୂପେ ପରିଚୟ ଦେଇ ସେହି ମହାତ୍ମା ନରପତିଙ୍କର ସଭାରେ ରହିବୁଁ ।୨୪। ବୈଦୁର୍ଯ୍ୟ ଓ କାଞ୍ଚନମୟ ହସ୍ତୀଦନ୍ତର କୃଷ୍ଣବର୍ଣ୍ଣ ଓ ଲୋହିତ ବର୍ଣ୍ଣରେ ସୁରଞ୍ଜିତ ମନୋହର ଦଶା ସାରମାନଙ୍କୁ ନେଇ ଅକ୍ଷପାଲିରେ ସନ୍ନିବେଶିତ କରିବୁଁ । ତଦ୍ଦ୍ୱାରା ଅମାତ୍ୟ ଓ ବନ୍ଧୁବର୍ଗ ସହିତ ନୃପତିଙ୍କୁ ଏପରି ଭାବରେ ପରିତୃଷ୍ଟ କରି ବାସ କରିବୁ ଯେ ଆମ୍ଭଙ୍କୁ କେହି ଚିହ୍ନିପାରିବେ ନାହିଁ ।୨୬। ଯଦି ସେ ଆମ୍ଭଙ୍କୁ ବିଶେଷରୂପେ ପଚାରନ୍ତି, ତେବେ ଆମ୍ଭେ କହିବୁଁ ଯେ ଆମ୍ଭେ ଏଥିପୂର୍ବେ ଯୁଧିଷ୍ଠିରଙ୍କ ସଭାରେ ଥିଲୁ ଓ ଆମ୍ଭେ ତାହାଙ୍କର ପ୍ରାଣର ସଖା ।୨୭। ଆମ୍ଭେ ଯେପରି ରହି ଚଳିବୁଁ ତାହା ଆମ୍ଭେ ତୁମ୍ଭମାନଙ୍କୁ କହିଲୁଁ । ହେ ବୃକୋଦର ! ତୁମ୍ଭେ କହ ତ କିପରି ଭାବରେ ତୁମ୍ଭେ ଉଇଁବ ?୨୮।

 

ଦ୍ୱିତୀୟ ଅଧ୍ୟାୟ

 

ଭୀମସେନ କହିଲେ- ହେ ଭାରତ ! ଆମ୍ଭେ ନିଶ୍ଚୟ କରିଅଛୁଁ ଯେ ଆମ୍ଭେ ବିରାଟ ରାଜାଙ୍କ ସମୀପରେ ଉପସ୍ଥିତ ହୋଇ କହିବୁଁ, ‘ଆମ୍ଭେ ପୌରଗବ, ଆମ୍ଭର ନାମ ବଲ୍ଲବ । ଏହିପରି ପରିଚୟ ଦେଇ ଅବସ୍ଥାନ କରିବୁ । ପାକକର୍ମରେ ଆମ୍ଭର ନିପୁଣତା ଅଛି । ଅତଏବ ରାଜାଙ୍କର ସୁଶିକ୍ଷିତ ପାଚକମାନେ ଯେପରି ଅନ୍ନବ୍ୟଞ୍ଜନ ପ୍ରଭୃତି ପ୍ରସ୍ତୁତ କରନ୍ତି, ଆମ୍ଭେ ତାହା ଅପେକ୍ଷା ଭଲ ପାକ କରିବୁ । ଆହୁରି ଆମ୍ଭେ ବୃହତ୍ ବୃହତ୍ କାଷ୍ଠଖଣ୍ଡ ସବୁ ଆହରଣ କରିବୁଁ । ତାହାଦେଖି ନରପତି ଆମ୍ଭପ୍ରତି ସନ୍ତୁଷ୍ଟ ହେବେ । ଆମ୍ଭେ ସେହି ସବୁ ଅଲୌକିକ କର୍ମ କରିବୁଁ ଓ ଅନ୍ନପାନାଦି ବିଷୟରେ ପ୍ରଭୁ ହେବୁ । ସୁତରାଂ, ରାଜଭୃତ୍ୟମାନେ ଆମ୍ଭଙ୍କୁ ରାଜାପ୍ରାୟ ମାନ୍ୟ କରିବେ’ ।୫।

 

ହେ ରାଜନ୍‌ ! ମତ୍ସ୍ୟ ରାଜା ଯେବେ ବଳିଷ୍ଠ ମାତଙ୍ଗମାନଙ୍କୁ ଅଥବା ବୃଷଭପଲକୁ ଦଳନ କରିବାକୁ ଇଚ୍ଛା କରିବେ, ତେବେ ତାହା ମଧ୍ୟ କରିବୁ । ରଙ୍ଗଭୂମିରେ ଆମ୍ଭ ସହିତ ବାହୁଯୁଦ୍ଧ କରିବା ନିମିତ୍ତ ଯଦି ମଲ୍ଲମାନଙ୍କୁ ନିଯୋଜିତ କରିବେ, ତେବେ ସେମାନଙ୍କ ସଙ୍ଗେ ଯୁଦ୍ଧ କରି ରାଜାଙ୍କର ଉଲ୍ଲାସ ବର୍ଦ୍ଧନ କରିବୁ । ପରନ୍ତୁ, ଯୁଦ୍ଧରେ ପ୍ରବୃତ୍ତ ସେହି ମଲ୍ଲମାନଙ୍କୁ କଦାପି ସଂହାର କରିବୁ ନାହିଁ-। ଯେପରି ପ୍ରାଣରେ ନଷ୍ଟ ନ ହୁଅନ୍ତି, ସେହିପରି ଭାବରେ ଧରାତଳରେ ପତିତ କରିବୁଁ ।୮। ରାଜା ଯଦି ଆମ୍ଭଙ୍କୁ ପରିଚୟ ମାଗିବେ, ତେବେ ଆମ୍ଭେ କହିବୁ ଯେ ଆମ୍ଭେ ଯୁଧିଷ୍ଠିରଙ୍କ ଆରାଳିକ ।୯। ଗୋବିକର୍ତ୍ତାଙ୍କୁ ସୁପକର୍ତ୍ତାର ନିଯୋଜକ ଥିଲୁ । ହେ ରାଜନ୍‌ ! ଏହିରୂପେ ଆମ୍ଭେ ଆତ୍ମଗୋପନ କରି ବିଚରଣ କରିବୁ । ଯେଉଁପରି ଆମ୍ଭେ ରହି କାଳକ୍ଷେପ କରିବୁ ବୋଲି ବିଚାରିଅଛୁ ତାହା ଆପଣଙ୍କୁ କହିଲୁ ।୧୦। ଯୁଧିଷ୍ଠିର ପଚାରିଲେ, ହେ ବୃକୋଦର ! ତୁମ୍ଭେ ଏବେ କହ, ଯେଉଁ ଅର୍ଜୁନ ଖାଣ୍ଡବଦହନବେଳେ ଅଗ୍ନିକୁ ସାହାଯ୍ୟ ଦେଇଥିଲେ ଓ ବ୍ରାହ୍ମଣ ରୂପ ଧରି ଅଗ୍ନି ଯାହାଙ୍କୁ ଭିକ୍ଷା ମାଗିଥିଲେ, ସେହି ମହାବାହୁ କୃଷ୍ଣଙ୍କର ସହଚର, ସର୍ବବିଜୟୀ ଧନଞ୍ଜୟ କି କାର୍ଯ୍ୟ କରିବେ-।୧୨। ଖାଣ୍ଡବାରଣ୍ୟରେ ଯେ ଏକାକୀ ରଥାରୋହଣଦ୍ୱାରା ପନ୍ନଗ ଓ ରାକ୍ଷସମାନଙ୍କୁ ଜୟ କରି ଅଗ୍ନିଙ୍କର ତୃପ୍ତି ସମ୍ପାଦନ କରିଥିଲେ ।୧୩। ଯେ ଭୁଜଙ୍ଗମରାଜ ବାସୁକିଙ୍କ ଭଗ୍ନୀଙ୍କୁ ହରଣ କରି ଆଣିଥିଲେ, ପ୍ରତିଯୋଦ୍ଧୃଗଣଙ୍କ ମଧ୍ୟରେ ଯେ ପ୍ରଧାନ, ସେହି ଧନଞ୍ଜୟ କି କର୍ମ କରିବେ କହ-।୧୪।

 

ପ୍ରତାପଶାଳୀଙ୍କ ମଧ୍ୟରେ ଯେପରି ସୂର୍ଯ୍ୟ, ଦ୍ୱିଜଙ୍କ ମଧ୍ୟରେ ବ୍ରାହ୍ମଣ, ସର୍ପ ମଧ୍ୟରେ ଆଶୀବିଷ, ତେଜସ୍ୱୀଙ୍କ ମଧ୍ୟରେ ଅଗ୍ନି, ଆୟୁଧ ମଧ୍ୟରେ ବଜ୍ର ଗୋରୁଙ୍କ ମଧ୍ୟରେ ବୃଷଭ, ଅରାଳର ଅର୍ଥ ମତ୍ତଗଜ, ଯେଉଁମାନେ ମତ୍ତଗଜଙ୍କ ସହିତ କ୍ରୀଡ଼ା କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରନ୍ତି ଅଥବା ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରନ୍ତି, ତାହାଙ୍କୁ ଆରାଳିକ ବୋଲାଯାଏ । ବଡ଼ ବଡ଼ ବଳଦ ଅଥବା ଷଣ୍ଢମାନଙ୍କୁ ଯେ ଦମନ କରିପାରନ୍ତି, ସେ ଗୋବିକର୍ତ୍ତା ଦମନ କରିବାରୁ ସେମାନଙ୍କର ବିକୃତି ଜାତ ହୁଏ । ସୂପକର୍ତ୍ତାର ଉତ୍କଳ ଭାଷା ସୁଆର ଶ୍ରୀକ୍ଷେତ୍ରରେ ଓ ଗଡ଼ଜାତରେ ପ୍ରସିଦ୍ଧ ।

 

ଜଳାଶୟ ମଧ୍ୟରେ ସମୁଦ୍ର, ଗଙ୍ଗାଙ୍କ ମଧ୍ୟରେ ପର୍ଜନ୍ୟ, ନାଗଙ୍କ ମଧ୍ୟରେ ଧୃତରାଷ୍ଟ୍ର, ହସ୍ତୀଙ୍କ ମଧ୍ୟରେ ଐରାବତ, ପ୍ରିୟମଧ୍ୟରେ ପୁତ୍ର ଓ ସୁହୃଦ ମଧ୍ୟରେ ଯେପରି ଭାର୍ଯ୍ୟା ପ୍ରିୟତମା ହୁଏ, ସେହିପରି ଯାବତୀୟ ଧନୁର୍ଦ୍ଧାରୀଙ୍କ ମଧ୍ୟରେ ଯୁବା ଗୁଡ଼ାକେଶ ପ୍ରଧାନ ଅଟନ୍ତି । ହେ ଭାରତ ! ବାସବ ଓ ବାସୁଦେବଙ୍କ ସଦୃଶ୍ୟ ଏହି ଗାଣ୍ଡୀବଧନ୍ୱା, ଶ୍ୱେତାଶ୍ୱ, ବିଭତ୍ସୁ କି କର୍ମ କରିବେ କହ ।୧୯। ଯେ ପୁରନ୍ଦରଙ୍କ ପୁରରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ରହି ଭା-ସମାନ ଦେବରୂପ ଧରି ନିଜ ପରାକ୍ରମରେ ମନୁଷ୍ୟଙ୍କର ଅସାଧ୍ୟ ଅସ୍ତ୍ରଶିକ୍ଷା କରି ଦିବ୍ୟାସ୍ତ୍ର ଲାଭ କରିଅଛନ୍ତି ।୨୦। ଆମ୍ଭେ ଯେଉଁ ଅର୍ଜୁନଙ୍କୁ ରୁଦ୍ର ମଧ୍ୟରେ ଦ୍ୱାଦଶ, ଆଦିତ୍ୟଙ୍କ ମଧ୍ୟରେ ତ୍ରୟୋଦଶ, ବସୁଙ୍କ ମଧ୍ୟରେ ନବମ ଓ ଗ୍ରହଙ୍କ ମଧ୍ୟରେ ଦଶମ ବୋଲି ମନେ କରୁଁ ।୨୧। ଯାହାଙ୍କର ଦୀର୍ଘ ବାହୁଦ୍ୱୟ ସମାନ ଭାବରେ କାର୍ଯ୍ୟକାରୀ ହେବାରୁ ନିରନ୍ତର କୋଦଣ୍ଡଗୁଣ ଆଘାତଦ୍ୱାରା ଭାରବାହୀ ବୃଷଭର ସ୍କନ୍ଧପ୍ରାୟ କଠିନ ଚର୍ମ ହୋଇଅଛି ।୨୨। ଅଚଳଙ୍କ ମଧ୍ୟରେ ହିମାଳୟ ପର୍ବତ ପ୍ରାୟ, ସରିତଙ୍କ ମଧ୍ୟରେ ସମୁଦ୍ର, ଦେବଙ୍କର ମଧ୍ୟରେ ଯେପରି ଇନ୍ଦ୍ର, ବସୁଗଣଙ୍କରେ ହବ୍ୟବାହ ଯେପରି, ମୃଗଯୂଥରେ ଯେପରି ଶାର୍ଦ୍ଦୁଳ, ବିହଗକୁଳରେ ଗରୁଡ଼ ଯେପରି, ଯୋଦ୍ଧାମାନଙ୍କ ମଧ୍ୟରେ ଶ୍ରେଷ୍ଠ ସେହି ମହାବୀର ଅର୍ଜୁନ କି କର୍ମ କରିବେ ?୨୪।

 

ଅର୍ଜୁନ ଉତ୍ତର ଦେଲେ, ହେ ନରେଶ୍ୱର ! ଆମ୍ଭେ ବିରାଟ ରାଜାଙ୍କ ନିକଟରେ ଭଣ୍ଡ ପରିଚୟ ଦେବୁ । ଆମ୍ଭର ବାହୁ ଯୁଗଳରେ ଯେଉଁ ବ୍ୟାଘାତ ଚିହ୍ନ ଅଛି, ତାହାକୁ ଗୋପନ କରିବା ଅସାଧ୍ୟ, ପରନ୍ତୁ ତାହାର ଗୋଟିଏ ଉପାୟ ଆମ୍ଭେ ସ୍ଥିର କରିଅଛୁ ଯେ ବଳୟଦ୍ୱାରା ସେହି କଳଙ୍କ ଚିହ୍ନକୁ ଆବୃତ କରିବୁ । କର୍ଣ୍ଣଦ୍ୱୟରେ ଅନଳପ୍ରାୟ ଉଜ୍ଜ୍ୱଳ କୁଣ୍ଡଳଦ୍ୱୟ ପରିଧାନ କରିବୁ । ପାଣିଯୁଗଳରେ ଶଙ୍ଖା ପିନ୍ଧିବୁ । ମସ୍ତକରେ ବେଣୀବନ୍ଧନ କରି କ୍ଳୀବ ବେଶ ଧରି ବୃହନ୍ନଳା ନାମରେ ବିଖ୍ୟାତ ହୋଇ ମତ୍ସ୍ୟରାଜାଙ୍କ ଭବନରେ ଅବସ୍ଥାନ କରିବୁ । ଏହିରୂପେ ସ୍ତ୍ରୀ ବେଶରେ ରହି କେତେବେଳେ କାହାଣୀ କହି ରାଜାଙ୍କୁ ଓ ରାଜପୁରବାସୀ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ଆପ୍ୟାୟିତ କରିବୁ ।୨୮। ବିରାଟ ଭୂପତିଙ୍କର ପୁରନାରୀମାନଙ୍କୁ ବିଚିତ୍ର ନୃତ୍ୟ, ଗୀତ ଓ ବାଦିତ୍ର ବିଦ୍ୟା ଶିକ୍ଷା ଦେବୁ ।୨୯। ପ୍ରଜାମାନେ କିଏ କର୍ମ କଲେ, କିଏ ଦାନ ଦେଲେ, କିଏ ପୁଣ୍ୟ କର୍ମ କଲେ ଅଥବା କିଏ ବ୍ରାହ୍ମଣଭୋଜନ କରାଇଲେ, ଇତ୍ୟାଦି ବାର୍ତ୍ତା କହି ଯତ୍ନପୂର୍ବକ ଆପଣାକୁ ଗୋପ୍ୟକରିବୁ ।୩୦। ହେ ପାଣ୍ଡବ ! ରାଜା ଯେବେ ପଚାରିବା ହେବେ, କହିବୁ ଯେ ଆମ୍ଭେ ପୂର୍ବେ ରାଜା ଯୁଧିଷ୍ଠିରଙ୍କର ଅନ୍ତଃପୁରରେ ଦ୍ରୌପଦୀଙ୍କର ପରିଚାରିକା ଥିଲୁ ।୩୧। ହେ ରାଜେନ୍ଦ୍ର ! ଆମ୍ଭେ ଏହିପରି କହି ଭସ୍ମାଚ୍ଛନ୍ନ ଅନଳପ୍ରାୟ ଆପଣାକୁ ଗୋପନ କରି ବିରାଟଙ୍କ ସଦନରେ ସୁଖରେ ବିଚରଣ କରିବୁ ।୩୨।

 

ତୃତୀୟ ଅଧ୍ୟାୟ

 

ବୈଶମ୍ପାୟନ କହିଲେ- ପୁରୁଷଶ୍ରେଷ୍ଠ ଅର୍ଜୁନ ଉକ୍ତ ପ୍ରକାର କହି ନିରସ୍ତ ହୁଅନ୍ତେ, ରାଜା ଯୁଧିଷ୍ଠିର ଆଉ ଗୋଟିଏ ଭାଇଙ୍କୁ ପଚାରିଲେ ।୧। ଯୁଧିଷ୍ଠିର କହିଲେ, ବତ୍ସ ନକୁଳ ! ବିରାଟ ରାଜାଙ୍କ ଗୃହରେ ତୁମ୍ଭେ କି କର୍ମ ଅବଲମ୍ବନ କରି କାଳକ୍ଷେପଣ କରିବ କହ । ତୁମ୍ଭେ ଅତିଶୟ ସୁକୁମାର ବୀର ଓ ପରମ ସୁନ୍ଦର । ଅତଏବ, ଯେଉଁ କର୍ମ ତୁମ୍ଭର ଯୋଗ୍ୟ ହେବ, ବ୍ୟକ୍ତ କର ।୨।

 

ନକୁଳ ଭାଷିଲେ, ହେ କୁରୁରାଜ ! ଆମ୍ଭେ ମନରେ ବିଚାରିଅଛୁଁ ଯେ ବିରାଟ ରାଜାଙ୍କର ନିକଟରେ ଆମ୍ଭେ ଗ୍ରନ୍ଥିକ ବୋଲି ପରିଚୟ ଦେବୁ । ତାହାଙ୍କର ଅଶ୍ୱପାଳନ-କର୍ମର ଭାର ନେବୁ । ଏହି କାର୍ଯ୍ୟଟି ଆମ୍ଭର ଅତିଶୟ ପ୍ରିୟ । ଏଥିରେ ମଧ୍ୟ ଆମ୍ଭର ବିଚକ୍ଷଣତା ଅଛି । ଅଶ୍ୱମାନଙ୍କ ଚିକିତ୍ସାରେ ଓ ଶିକ୍ଷାରେ ଆମ୍ଭେ ନିପୁଣ । ହେ ମହୀଶ୍ୱର ! ବିରାଟ ନଗରରେ ଯେଉଁମାନେ ଆମ୍ଭର ପରିଚୟ ମାଗିବେ, ଆମ୍ଭେ ସେମାନଙ୍କୁ କହିବୁ ଯେ ଆମ୍ଭେ ପାଣ୍ଡବମାନଙ୍କର ଅଶ୍ୱାଧିକାରରେ ନିଯୁକ୍ତ ଥିଲୁ । ହେ ନରେନ୍ଦ୍ର ! ଏହିରୂପ ପ୍ରଚ୍ଛନ୍ନ ରୂପରେ ବିରାଟ ନଗରରେ ଆମ୍ଭେ ବିଚରଣ କରିବୁ-।୬।

 

ଅନନ୍ତର ଯୁଧିଷ୍ଠିର ସହଦେବଙ୍କୁ ସମ୍ବୋଧନ କରି କହିଲେ, ସହଦେବ ! ତୁମ୍ଭେ ନୃପତି ବିରାଟଙ୍କ ସନ୍ନିଧାନରେ ଚିହ୍ନାହେବ ? କି କର୍ମ ନିର୍ବାହ କରି ବିରାଟ ନଗରରେ କାଳକ୍ଷେପଣ କରିବ-? ସହଦେବ ଉତ୍ତର ଦେଲେ, ମହାରାଜ ! ଆମ୍ଭ ନିମନ୍ତେ ଆପଣ ଭାବନା କରନ୍ତୁ ନାହିଁ । ଆମ୍ଭେ ତନ୍ତ୍ରୀପାଳ ନାମରେ ଗୋପରୀକ୍ଷା କର୍ମରେ ନିଯୁକ୍ତ ହୋଇ ରହିବାର ମାନସ କରିଅଛୁଁ-। ଗାଭୀମାନଙ୍କର ପାଳନ, ଦୋହନଦୁଷ୍ଟତାନିବାରଣ ପ୍ରଭୃତି କର୍ମରେ ଆମ୍ଭର ନିପୁଣତା ଅଛି-। ସେମାନଙ୍କର ଶୁଭାଶୁଭ ଲକ୍ଷଣ, ସ୍ୱଭାବ ଓ ବ୍ୟାପାରମାନ ଆମ୍ଭଙ୍କୁ ସୁବିଦିତ ଥିବାର ଆପଣଙ୍କୁ ଜଣା ନ ଥିଲେ ହେଁ ଆପଣ ସର୍ବଦା ଆମ୍ଭଙ୍କୁ ଗୋରୁଙ୍କର ତତ୍ତ୍ୱାବଧାନ କରିବା ନିମିତ୍ତ ପ୍ରେରଣ କରନ୍ତି ।

 

ହେ ରାଜନ୍‌ ! ଯେଉଁମାନଙ୍କର ମୂତ୍ରକୁ ଆଘ୍ରାଣ କଲେ ବନ୍ଧ୍ୟାନାରୀ ପୁତ୍ରବତୀ ହୁଅନ୍ତି, ଏପରି ସୁଲକ୍ଷଣଯୁକ୍ତ ବୃଷଭମାନଙ୍କୁ ମଧ୍ୟ ନିର୍ବାଚନ କରିପାରୁ । ଅତଏବ, ଆମ୍ଭର ଏହି କାର୍ଯ୍ୟରେ ଦକ୍ଷତା ଓ ଅନୁରାଗ ହେତୁ ତହିଁରେ ନିଯୁକ୍ତ ହେବା କର୍ତ୍ତବ୍ୟ । ଏହାଦ୍ୱାରା ନରପତିଙ୍କୁ ଆମ୍ଭେ ଅବଶ୍ୟ ତୁଷ୍ଟ କରିପାରିବୁ, ଅନ୍ୟ କେହି ସୁଦ୍ଧା ଆମ୍ଭଙ୍କୁ ଚିହ୍ନି ନ ପାରିବେ । ଏ ବିଷୟରେ ସାବଧାନ ହୋଇ ବିହରଣ କରିପାରିବୁ ।୧୩।

 

ଯୁଧିଷ୍ଠିର କହିଲେ, ଯାହାଙ୍କୁ ଆମ୍ଭେ ପ୍ରାଣ ଅପେକ୍ଷା ଅଧିକ ଶ୍ରଦ୍ଧା କରୁ, ମାତାଙ୍କୁ ଯେପରି ପ୍ରତିପାଳନ କରିବାକୁ ହୁଏ, ତାହାଙ୍କୁ ମଧ୍ୟ ସେହିପରି ପ୍ରତିପାଳନ କରିଥାଉ, ବଡ଼ ଭଉଣୀକୁ ମାନ୍ୟ କଲା ପ୍ରାୟ ଯାହାଙ୍କୁ ମାନ୍ୟ କରୁଁ, ସେହି ଦ୍ରୁପଦନନ୍ଦିନୀ-କୃଷ୍ଣା କି କର୍ମ କରିବେ ? ଅନ୍ୟ ସ୍ତ୍ରୀମାନଙ୍କ ପ୍ରାୟ ସେ କୌଣସି କର୍ମ କରିବା ଜାଣନ୍ତି ନାହିଁ । ସେହି ସୁକୁମାରୀ ବାଳା, ରାଜପୁତ୍ରୀ, ଯଶସ୍ୱିନୀ, ପତିବ୍ରତା ଓ ମହାଭାଗା କିପରି ବିଚରଣ କରିବେ ?୧୬। ଜନ୍ମହେଲା ବେଳୁଁ ସେହି ଭାବିନୀ ମାଲ୍ୟ, ଚନ୍ଦନ, ଅଳଙ୍କାର ଓ ବସନ ବ୍ୟତିରେକେ ଆଉ କିଛି ଜାଣନ୍ତି ନାହିଁ ।୧୭।

 

ଦ୍ରୌପଦୀ କହିଲେ, ହେ ଭରତବଂଶାବତଂସ ! ଆପଣ ଆମ୍ଭ ନିମିତ୍ତ ମନସ୍ତାପ କରନ୍ତୁ ନାହିଁ । ଆପଣ ଦେଖନ୍ତୁ, ଏହି ସଂସାରରେ ଲୋକାଳୟରେ ସାଧ୍ୱୀ ସ୍ତ୍ରୀମାନେ ଅନ୍ୟର ଆଶ୍ରୟରେ ରହିଲେ ସୈରିନ୍ଧ୍ରୀ ହୋଇ ରହନ୍ତି । ଏକ ପ୍ରକାର ପରିଚାରିକାର ବୃତ୍ତି ଅବଲମ୍ବନ କରି ସେମାନେ ପ୍ରତିପାଳିତା ହୋଇ କାଳକ୍ଷେପଣ କରନ୍ତି । ଅତଏବ, ଆମ୍ଭେ ମଧ୍ୟ ସେହିପରି ମତ୍ସ୍ୟରାଜାଙ୍କ ଅନ୍ତଃପୁରରେ ସୈରିନ୍ଧ୍ରୀ ହୋଇ ରହିବୁ । ରାଜା ପଚାରିଲେ ଆମ୍ଭେ କହିବୁ ଯେ ପୂର୍ବେ ଆମ୍ଭେ ରାଜା ଯୁଧିଷ୍ଠିରଙ୍କର ପାଟରାଣୀ ଦ୍ରୌପଦୀଙ୍କର ସୈରିନ୍ଧ୍ରୀ ଥିଲୁ । କେଶସଂସ୍କାର ଓ ବେଣୀବନ୍ଧନ ପ୍ରଭୃତି କର୍ମରେ ଆମ୍ଭର ବିଶେଷ ପାରଦର୍ଶିତା ଅଛି । ଏହିପରି ଛଳନା କରି ବିରାଟ ରାଜାଙ୍କ ସହଧର୍ମିଣୀ ସୁଦେଷ୍ଣାଙ୍କ ସେବା କରି ରହିବୁ । ସେ ଅବଶ୍ୟ ଆମ୍ଭଙ୍କୁ ଆଦର କରି ରଖିବେ ।୨୧। ଯୁଧିଷ୍ଠିର କହିଲେ, ହେ କଲ୍ୟାଣୀ ! ତୁମ୍ଭେ ଯେପରି ମନ୍ତ୍ରଣା କରି ସ୍ଥିର କରିଅଛ, ତାହା ଉତ୍ତମ । କିନ୍ତୁ ହେ ଭାବିନୀ ! ତୁମ୍ଭେ କୁଳକାମିନୀ, ପତି ତୁମ୍ଭର ପ୍ରାଣ, ଚିରକାଳ ତୁମ୍ଭେ ସାଧୁ ବ୍ରତାଚାର କରୁଥାଅ, ପାପ ଯେ କଣ ତାହା ତୁମ୍ଭେ ଜାଣ ନାହିଁ; ଅତଏବ ଯହିଁରେ ଦୁର୍ବୃତ୍ତ ପାପପୁରୁଷମାନଙ୍କ କୁଦୃଷ୍ଟିରେ ନ ପଡ଼ିବ, ସର୍ବଦା ତୁମ୍ଭଙ୍କୁ ସେହିପରି ସାବଧାନ ହୋଇ ବିରାଟ ରାଜାଙ୍କ ଅନ୍ତଃପୁରରେ ରହିବାକୁ ହେବ ।୨୩।

 

ଚତୁର୍ଥ ଅଧ୍ୟାୟ

 

ଯୁଧିଷ୍ଠିର କହିଲେ- ଭାଇମାନେ ! ଦୈବଦୁର୍ବିପାକ ହେତୁରୁ ତୁମ୍ଭେମାନେ ଯେ ଯେଉଁ କର୍ମ କରିବ ତାହା କହିଲ । ଆମ୍ଭର ମଧ୍ୟ ଯାହା କର୍ତ୍ତବ୍ୟ ତାହା ଆମ୍ଭେ କହିଲୁ ।୧। ସମ୍ପ୍ରତି ଆମ୍ଭମାନଙ୍କର ପୁରୋହିତ ବୈଶ୍ୟ ସହ ଓ ପୌରୋଷମାନଙ୍କୁ ସଙ୍ଗରେ ଘେନି ଦ୍ରୁପଦ ରାଜାଙ୍କ ଗୃହକୁ ଗମନ କରି ସେଠାରେ ଅଗ୍ନିହୋତ୍ର ରକ୍ଷା କରନ୍ତୁ ।୨। ଇନ୍ଦ୍ରସେନ ପ୍ରଭୃତି ସାରଥିମାନେ ଶୂନ୍ୟରଥକୁ ଘେନି ଦ୍ୱାରିକାକୁ ସତ୍ୱର ଗମନ କରନ୍ତୁ ।୩। ଦ୍ରୋପଦୀଙ୍କର ପରିଚାରିକା ଏହି ନାରୀମାନେ ସମସ୍ତେ ସୂପକାର ଓ ପୌରୋଷଙ୍କ ସହିତ ପାଞ୍ଚାଳ ଦେଶକୁ ଗମନ କରନ୍ତୁ ।୪। ସେମାନେ ସମସ୍ତେ କହିବେ ଯେ ଦ୍ୱୈତବନରେ ପାଣ୍ଡବମାନେ ସମସ୍ତେ ତାହାଙ୍କୁ ବିଦାୟ କରିଦେଇ କାହିଁ ଗଲେ, ତାହା ସେମାନଙ୍କୁ ଜଣାନାହିଁ ।୫। ବୈଶମ୍ପାୟନ ବୋଇଲେ, ଏହି ପ୍ରକାରେ ସେମାନେ ପରସ୍ପର ମନ୍ତ୍ରଣା କରି ତାହା ସ୍ଥିର କରି ଧୌମ୍ୟଙ୍କର ପରାମର୍ଶ ପଚାରିଲେ ।

 

ଧୌମ୍ୟ ସେମାନଙ୍କୁ କହିଲେ ।୬। ହେ ପାଣ୍ଡୁନନ୍ଦନ ! ବ୍ରାହ୍ମଣ, ସୁହୃତ୍‌, ରଥ, ଅସ୍ତ୍ରଶସ୍ତ୍ର ଓ ଅଗ୍ନି ପ୍ରଭୃତିଙ୍କ ରକ୍ଷା ବିଷୟରେ ଉତ୍ତମ ଧୌମ୍ୟ ସେମାନଙ୍କୁ କହିଲେ ।୭।, ହେ ପାଣ୍ଡୁନନ୍ଦନ ! ବ୍ରାହ୍ମଣ, ସୁହୃତ, ରଥ, ଅସ୍ତ୍ର ଶସ୍ତ୍ର ଓ ଅଗ୍ନି ପ୍ରଭୃତିଙ୍କ ରକ୍ଷା ବିଷୟରେ ଉତ୍ତମ ପରାମର୍ଶ ହୋଇଅଛି । ହେ ଭାରତ ! ଯୁଧିଷ୍ଠିର ! ସମ୍ପ୍ରତି ପାଞ୍ଚାଳୀଙ୍କୁ ରକ୍ଷା କରିବା ଆପଣଙ୍କର ଓ ଅର୍ଜ୍ଜୁନଙ୍କର କର୍ତ୍ତବ୍ୟ ଅଟେ । ହେ ନୃପନନ୍ଦନମାନେ ! ଆପଣମାନଙ୍କୁ ଲୋକବୃତ୍ତାନ୍ତ ସବୁ ଜଣାଅଛି । ତଥାପି ସ୍ନେହବଶରୁ ସୁହୃଦ୍‌ବର୍ଗଙ୍କର ଉପଦେଶ ଦେବା ବିଧେୟ ଅଟେ । ତଦ୍ଦ୍ୱାରା ସନାତନ ଧର୍ମ, ଅର୍ଥ ଓ କାମର ରକ୍ଷା କରିବାକୁ ହୁଏ ।୯। ଅତଏବ ଆମ୍ଭେ କିଞ୍ଚିତ୍ କହୁଅଛୁଁ, ଶ୍ରବଣ କରିବା ହେଉନ୍ତୁ । ରାଜସଦନରେ ବାସ କରିବା ପ୍ରାଜ୍ଞ ବ୍ୟକ୍ତିମାନଙ୍କ ପକ୍ଷରେ ସୁଦ୍ଧା ସୁକଠିଣ । ଅତଏବ ଏ ବିଷୟରେ ଆମ୍ଭେ ଯେପରି କହୁଅଛୁ, ସେହି ଅନୁସାରେ କାର୍ଯ୍ୟ କଲେ ଆପଣମାନେ ରାଜଭବନବାସର ସମଗ୍ର ଦୋଷରୁ ଉତ୍ତୀର୍ଣ୍ଣ ହୋଇପାରିବେ । ସମ୍ମାନ ପାଅ ଅଥବା ଅସମ୍ମାନ ପାଅ, ଏହି ବର୍ଷକ ଆପଣମାନଙ୍କୁ ଅଜ୍ଞାତବାସ କରିବାକୁହେବ, ଯେପରି କେହି ଆପଣମାନଙ୍କୁ ଚିହ୍ନି ନ ପାରନ୍ତି । ତତ୍ପରେ ଚତୁର୍ଦ୍ଦଶ ବର୍ଷ ଉପସ୍ଥିତ ହେଲେ ଆପଣମାନେ ଯଥାସୁଖରେ ଯେଉଁଠାରେ ଇଚ୍ଛା, ସେଠାରେ ବିଚରଣ କରିପାରିବେ ।୧୨।

 

ପ୍ରତିହାରୀଙ୍କଦ୍ୱାରା ଜଣାଇ ନରପତିଙ୍କର ଅନୁମତି ନେଇ ତାହାଙ୍କ ସହିତ ସାକ୍ଷାତ୍ କରିବାକୁ ଗମନ କରିବ । ଗୋପନୀୟ ବିଷୟରେ କାହାରିକୁ ହେଲେ ବିଶ୍ୱାସ କରିବ ନାହିଁ । ଯେଉଁ ଆସନରେ ଅନ୍ୟ କେହି ନ ବସିବାର ଥିବ, ସେହି ଆସନରେ ବସିବ । ଯେଉଁ ବ୍ୟକ୍ତି ମନରେ କରିବେ ‘ମୁଁ ରାଜାଙ୍କର ପ୍ରିୟ’, ଏହା ବିଚାରି ଯେ ରାଜାଙ୍କ ଯାନ, ପର୍ଯ୍ୟଙ୍କ, ପୀଠ, ଗଜ ଓ ରଥାଦିରେ ନ ବସନ୍ତି ବା ଆରୋହଣ ନ କରନ୍ତି, ସେ ରାଜଗୃହରେ ବାସ କରି ପାରନ୍ତି ।୧୫। ରାଜା ନ ପଚାରିଲେ ତାହାଙ୍କୁ କୌଣସି ବିଷୟରେ ଉପଦେଶ ଦେବନାହିଁ । ସମୟ ବୁଝି ନମସ୍କାରାଦି ଯଥାଯୋଗ୍ୟ ସତ୍କାର କରି ମୌନ ଭାବରେ ରାଜସେବା କରିବାକୁ ହୁଏ । ଯେଉଁମାନେ ଅନୃତବାଦୀ, ରାଜା ସେମାନଙ୍କୁ ସୁଖ ପାନ୍ତି ନାହିଁ । ମନ୍ତ୍ରୀ ହେଉ ପଛେ, ସେ ଯେବେ ମିଥ୍ୟାବାଦୀ ହୁଅନ୍ତି, ତେବେ ରାଜା ତାହାଙ୍କୁ ଅବମାନନା କରନ୍ତି ।୧୭। ରାଜାଙ୍କର ପ୍ରଣୟିନୀଙ୍କ ସହିତ ବୁଦ୍ଧିମାନ ବ୍ୟକ୍ତି କଦାପି ମିତ୍ରପଣ କରନ୍ତି ନାହିଁ ।

 

ଯେଉଁମାନେ ରାଜାଙ୍କର ବିଦ୍ୱେଷପାତ୍ର, ଯେଉଁମାନେ ରାଜାଙ୍କର ଅହିତାଚାରୀ, ଏମାନଙ୍କ ସଙ୍ଗେ କଦାପି ମିତ୍ରତା କରିବ ନାହିଁ । ଅତି ସାନ କଥାଟିଏ ହେଉ ପଛେ, ରାଜାଙ୍କ ଜାଣତରେ କରିବ । ଯେଉଁମାନେ ରାଜାଙ୍କ ନିକଟରେ ଏହିରୂପ ବ୍ୟବହାର କରନ୍ତି, ସେମାନଙ୍କର କଦାପି କୌଣସି ହାନିହୁଏ ନାହିଁ ।୧୯। ଅତି ଉଚ୍ଚ ପଦ ପ୍ରାପ୍ତ ହେଲେ ହେଁ ରାଜା ନ ପଚାରିଲେ ଅଥବା ନ କହିଲେ କି ନିଯୋଜିତ ନ କଲେ ରାଜମର୍ଯ୍ୟାଦାକୁ ସ୍ମରଣ କରି ଆପଣାକୁ ଜନ୍ମାନ୍ଧ ପ୍ରାୟ ଜ୍ଞାନ କରିବ । ସବୁ ଦେଖୁଥିବ, କିନ୍ତୁ ଅନ୍ଧପ୍ରାୟ ହୋଇଥିବ; ସବୁ ଶୁଣୁଥିବ, କିନ୍ତୁ ବଧିରପ୍ରାୟ ହୋଇଥିବ । ଆପଣାର ଉଚ୍ଚ ପଦକୁ ମନେ କରି ରାଜାଙ୍କ ପ୍ରଶ୍ନ ବ୍ୟତିରେକେ ଉତ୍ତର ଦେବ ନାହିଁ, ଅଥବା ରାଜାଙ୍କର ନିଯୋଗ ବ୍ୟତିରେକେ କୌଣସି କାର୍ଯ୍ୟର ଅନୁଷ୍ଠାନ କରିବ ନାହିଁ । ତଦ୍ଦ୍ୱାରା ମର୍ଯ୍ୟାଦା ରକ୍ଷା ହୁଏ, ନତୁବା ଉଚ୍ଚ ପଦର ମର୍ଯ୍ୟାଦା ଭଙ୍ଗ ହୁଏ, କାରଣ ପୁତ୍ର, ନାତି ବା ଭ୍ରାତାମାନେ ସୁଦ୍ଧା ଯେବେ ମର୍ଯ୍ୟାଦା ଭଙ୍ଗ କରନ୍ତି, ତେବେ ଅରିନ୍ଦମ ନରପତିମାନେ ସେମାନଙ୍କୁ କ୍ଷମା କରନ୍ତି ନାହିଁ ।୨୧। ନୃପତିଙ୍କୁ ଦେବତା ଓ ଅଗ୍ନିପ୍ରାୟ ମାନ୍ୟ କରି ସେବା କରିବ । ଯେଉଁ ବ୍ୟକ୍ତି ମିଥ୍ୟାରେ ଉପଚାର ବଚନଦ୍ୱାରା ନରପତିମାନଙ୍କୁ ସେବା କରନ୍ତି, ସେମାନେ ଅବଶ୍ୟ ଦିନେ ବିନଷ୍ଟ ହୁଅନ୍ତି, ଏଥିରେ ସନ୍ଦେହ ନାହିଁ ।୨୨। ପ୍ରଭୁ ଯେଉଁ କର୍ମରେ ନିଯୁକ୍ତ, ସେହି କର୍ମକୁ କ୍ରୋଧ, ଗର୍ବ, ପ୍ରମାଦ ବର୍ଜିତ କରି ସମ୍ପାଦନ କରିବା ବିଧେୟ ।୨୩।

 

କାର୍ଯ୍ୟାକାର୍ଯ୍ୟ ନିର୍ଣ୍ଣୟ କଲାବେଳେ ଯାହା ରାଜାଙ୍କର ପ୍ରିୟ ହେବ ଓ ଯହିଁରେ ତାହାଙ୍କର ହିତ ହେବ, ସେହି କାର୍ଯ୍ୟ ପ୍ରଭୁଙ୍କ ନିକଟରେ ବର୍ଣ୍ଣନ କରିବ । ପ୍ରିୟ ଓ ହିତକର ଏହି ଦୁଇ କଥା ଯେବେ ଘଟଣା ନ ହୁଏ, ତେବେ ଯେଉଁ କାର୍ଯ୍ୟ କେବଳ ହିତକର ହେବ ତାହା କହିବ ଓ କରିବ ।୨୪। ଯେଉଁ କାର୍ଯ୍ୟ ରାଜାଙ୍କର ଅନୁକୂଳ ହେବ, ତହିଁରେ ଯତ୍ନ କରିବ ଓ ଯେ ତାହାଙ୍କର ଅହିତ ଓ ଅପ୍ରିୟ, ଏପରି କାର୍ଯ୍ୟ କଦାପି କରିବ ନାହିଁ କି କହିବ ନାହିଁ ।୨୫। ଯେଉଁ ବ୍ୟକ୍ତି ପଣ୍ଡିତ ହୋଇଥାନ୍ତି, ସେ ଆପଣାକୁ ରାଜାଙ୍କର ଅପ୍ରିୟ ମନେ କରି ତାହାଙ୍କର ସେବା କରନ୍ତି ଓ ସର୍ବଦା ପ୍ରମାଦଶୂନ୍ୟ ହୋଇ ତାହାଙ୍କର ହିତ ଅଥଚ ପ୍ରିୟ କାର୍ଯ୍ୟ ସାଧନରେ ରତ ହୁଅନ୍ତି । ରାଜାଙ୍କର ଅହିତାଚାରୀ ମାନବ ସହିତ ଯେଉଁ ପ୍ରାଜ୍ଞ ଜନ ମିତ୍ରତା ନ କରନ୍ତି ଓ ରାଜପ୍ରଦତ୍ତ ସ୍ଥାନରୁ ଯେ ବିଚଳିତ ନ ହୁଅନ୍ତି, ସେହି ବ୍ୟକ୍ତି ରାଜସେବା କରିବାକୁ ସମର୍ଥ ହୁଅନ୍ତି । ବୁଦ୍ଧିମାନ ବ୍ୟକ୍ତି ରାଜାଙ୍କର ବାମ ପାଶ୍ୱର୍ରେ ଅଥବା ଦକ୍ଷିଣ ଭାଗରେ ବସନ୍ତି ।

 

ନୀତିଜ୍ଞ ବ୍ୟକ୍ତିମାନେ କହିଅଛନ୍ତି ଯେ ରାଜାଙ୍କର ପଶ୍ଚାତ୍ ଭାଗରେ ରକ୍ଷକମାନେ ଶସ୍ତ୍ରଧାରୀ ହୋଇଥାନ୍ତି । ସମ୍ମୁଖରେ ବିସ୍ତୀର୍ଣ୍ଣ ଆସନ ଆସ୍ତୃତ ହୋଇଥିଲେ ହେଁ ତହିଁରେ ବସିବାର ଉଚିତ ନୁହେଁ । ନୀତିଜ୍ଞମାନେ ଏହି ପ୍ରକାର କହିଅଛନ୍ତି । କୌଣସି ଗୋପନୀୟ ବିଷୟ ନିଜର ସାକ୍ଷାତରେ ହୋଇଥିଲେ, ସେ କଥା ଅପର ବ୍ୟକ୍ତିଙ୍କୁ କହିବ ନାହିଁ ।୨୯। ଦରିଦ୍ର ବ୍ୟକ୍ତିମାନେ ମଧ୍ୟ ଗୋପନୀୟ ବିଷୟକୁ ପ୍ରକାଶ କଲେ ସୁଖ ପାଆନ୍ତିନାହିଁ । ନୃପତି ଯେବେ ମିଥ୍ୟା କଥା କହନ୍ତି, ଅନ୍ୟ ଲୋକଙ୍କ ସାକ୍ଷାତରେ ସେ କଥା ପ୍ରକାଶ କରିବ ନାହିଁ । ଯେ ରାଜାଙ୍କର ମିଥ୍ୟା କଥାକୁ ପ୍ରଚାର କରନ୍ତି, ସେମାନଙ୍କୁ ରାଜା କଦାପି ସୁଖ ପାଆନ୍ତି ନାହିଁ । ଯେ ନିଜକୁ ପଣ୍ଡିତ ବୋଲି ଅଭିମାନ କରନ୍ତି, ରାଜା ତାଙ୍କୁ ଅବଜ୍ଞା କରନ୍ତି ।୩୧। ପୁନଶ୍ଚ ଯେ ଶୂର ହୋଇଥାନ୍ତି ଓ ଆପଣାର ଗର୍ବ କରନ୍ତି ନାହିଁ, ସେହିମାନେ ଏକା ବୁଦ୍ଧିମାନ । ଯେଉଁ ପୁରୁଷ ଭାଗ୍ୟବାନ୍‌, ସେ ରାଜାଙ୍କର ପ୍ରିୟ କାର୍ଯ୍ୟ ସାଧନ କରି ତାହାଙ୍କର ପ୍ରିୟ ହୁଅନ୍ତି ଓ ଐଶ୍ୱର୍ଯ୍ୟ, ସୁଖ ଭୋଗ କରିବାକୁ ସମର୍ଥ ହୁଅନ୍ତି । ରାଜାଙ୍କଠାରୁ ଦୁର୍ଲ୍ଳଭ ଲାଭ କରି ତାହାଙ୍କର ପ୍ରିୟ ଓ ହିତକର କାର୍ଯ୍ୟରେ ନିଯୁକ୍ତ ଥିବ ।୩୩।

 

ଯେ କୋପ କଲେ ଅଶେଷ କ୍ଲେଶ ହୁଏ ଓ ଯେ ପ୍ରସନ୍ନ ହେଲେ ସୌଭାଗ୍ୟ ମିଳେ, ସେହି ନରପତିମାନଙ୍କ ଅନିଷ୍ଟ କରିବାରେ କେଉଁ ବୁଦ୍ଧିମାନ ବ୍ୟକ୍ତି ମନରେ ସୁଦ୍ଧା ଚିନ୍ତା କରିବାକୁ ଉଚିତ ଜ୍ଞାନ କରନ୍ତି ?୩୪। ରାଜାମାନଙ୍କ ସନ୍ନିଧାନରେ ବାହୁ ଅଥବା ପାଦ ହଲାଇବ ନାହିଁ । ଜାନୁଦ୍ୱୟ ଓ ଓଷ୍ଠଦୁହିଁଙ୍କୁ ସଂଚାଳିତ କରିବ ନାହିଁ କିମ୍ବା ବଚନବ୍ୟୟ ଦ୍ୱାରା ଚାପଲ୍ୟ ପ୍ରକାଶ କରିବ ନାହିଁ । ବାତ, ବାକ୍ୟ ଓ ଷ୍ଠୀବନ କାର୍ଯ୍ୟମାନଙ୍କୁ ଅଜ୍ଞାତ ଭାବରେ ନିଷ୍ପନ୍ନ କରିବା କର୍ତ୍ତବ୍ୟ ।୩୫। ରାଜାଙ୍କ ସାକ୍ଷାତରେ ପାଟି କରି ହସିବ ନାହିଁ କିମ୍ବା ଏକାବେଳକେ ନ ହସି ରହିବ ନାହିଁ, ଯେ ହେତୁରୁ ହାସ୍ୟ ସମ୍ବରଣକଲେ, ନିଜର ଗୌରବ ପ୍ରକାଶ ହୁଏ; ଅତଏବ ହାସ୍ୟ କଥାରେ ପ୍ରମାଦଶୂନ୍ୟ ହୋଇ ମୃଦୁ ଭାବରେ ହାସ୍ୟ ପ୍ରଦର୍ଶନ କରିବା ବିଧେୟ ।୩୭। ଯେଉଁ ବୁଦ୍ଧିମାନ ବ୍ୟକ୍ତି ଲାଭରେ ହୃଷ୍ଟ ହୁଅନ୍ତି ନାହିଁ କି ଅପମାନ ପାଇଲେ ବ୍ୟଥିତ ହୁଅନ୍ତି ନାହିଁ, ସର୍ବଦା ଅପ୍ରମତ୍ତ ଭାବରେ ବାସ କରନ୍ତି, ସେହି ଏକା ରାଜଭବନରେ ରହିବାର ଯୋଗ୍ୟ ।୩୮। ଯେଉଁ ବିଜ୍ଞ ଅମାତ୍ୟ ରାଜାଙ୍କୁ ଓ ଯୁବରାଜଙ୍କୁ ସ୍ତୁତିବାକ୍ୟ ଦ୍ୱାରା ପରିତୁଷ୍ଟ କରନ୍ତି, ସେ ଚିରକାଳ ନୃପତିଙ୍କର ପ୍ରିୟପାତ୍ର ହୋଇଥାନ୍ତି ।୩୯। ଯେଉଁ ମନ୍ତ୍ରୀ ପୂର୍ବେ ଅନୁଗୃହୀତ ହୋଇଥାନ୍ତି, ସେ ଯେବେ ରାଜାଙ୍କର ନିନ୍ଦାବାଦ ନ କରନ୍ତି, ତେବେ ସେ ପୁନର୍ବାର ସମ୍ପଦ ଲାଭ କରନ୍ତି ।୪୦।

 

ଯେଉଁ ବ୍ୟକ୍ତି ରାଜାଙ୍କର ଅଧିକାରରେ ବାସ କରନ୍ତି, ଅଥବା ରାଜାଙ୍କୁ ଅବଲମ୍ବନ କରି ନିଜର ଜୀବିକା ନିର୍ବାହ କରନ୍ତି, ସେ ଯେବେ ରାଜାଙ୍କ ସାକ୍ଷାତରେ ଅଥବା ପରୋକ୍ଷରେ ରାଜଗୁଣାବଳୀର ପ୍ରଶଂସା କରନ୍ତି, ତେବେ ସେମାନଙ୍କୁ ବୁଦ୍ଧିମାନ କୁହାଯାଏ ।୪୧। ମନ୍ତ୍ରୀ ହୋଇ ସୁଦ୍ଧା ଯେଉଁ ବ୍ୟକ୍ତି ନିଜର ଭୋଗ ଐଶ୍ୱର୍ଯ୍ୟ ନିମିତ୍ତ ରାଜାଙ୍କୁ ବାରମ୍ବାର ପ୍ରାର୍ଥନା କରନ୍ତି, ସେ ବ୍ୟକ୍ତି ସ୍ୱକୀୟ ପଦରେ ଚିରକାଳ ସ୍ଥାୟୀ ହୋଇ ନ ପାରନ୍ତି । ହୁଏତ ତାହାଙ୍କର ପ୍ରାଣସଂଶୟ ଉପସ୍ଥିତ ହୁଏ ।୪୨। ଆପଣାର ଶ୍ରେୟଃ ଅର୍ଥାତ୍ ଲାଭ ହେବାର ଦେଖି ରାଜାଙ୍କ ସହିତ ଅପର ବ୍ୟକ୍ତିଙ୍କର କଳି ଲଗାଇ ଦେବ ନାହିଁ । ଯୋଗ୍ୟମଣ୍ଡଳୀରେ ଆପଣା ରାଜାଙ୍କର ସର୍ବଦା ପ୍ରଶଂସା କରିବ ।୪୩। ଯେଉଁ ବ୍ୟକ୍ତି ଉତ୍ସାହୀ, ବୁଦ୍ଧିମାନ ଓ ବଳଶାଳୀ, ପରାକ୍ରମୀ, ସତ୍ୟବାଦୀ, ଶାନ୍ତ, ଜିତେନ୍ଦ୍ରୀୟ, ଛାୟାପ୍ରାୟ ରାଜାଙ୍କର ସତତ ଅନୁଗତ, ସେହି ବ୍ୟକ୍ତି ରାଜସ୍ଥଳରେ ବାସ କରିବାର ଯୋଗ୍ୟ ।୪୪।

 

ଅନ୍ୟ ଜଣକୁ ରାଜା କୌଣସିଠାରୁ ପ୍ରେରଣ କଲେ, ଯେଉଁ ବ୍ୟକ୍ତିସ୍ୱୟଂ ଆସି କହେ, ‘ମୋଦ୍ୱାରା କି ଏହି କାର୍ଯ୍ୟ ହେବନାହିଁ ?’ ସେପରି ବ୍ୟକ୍ତି ରାଜସଦନରେ ବାସ କରିବାର ଯୋଗ୍ୟପାତ୍ର ।୪୫। ଗୃହାଭ୍ୟନ୍ତରରେ, ଧନଦାରା ପ୍ରଭୃତିଙ୍କ ରକ୍ଷଣରେ ଅଥବା ବାହ୍ୟରେ ଅର୍ଥାତ୍ ସୀମାନିବାସୀ ସାମନ୍ତ ଭୂପଙ୍କ ବିଜୟ ନିମିତ୍ତ ଯେବେ କୌଣସି କାର୍ଯ୍ୟ କରିବାକୁ ରାଜା ଆଦେଶ ଦିଅନ୍ତି, ସେହି ଆଦେଶରେ ଯେଉଁ ବ୍ୟକ୍ତି ଭୀତ ନୁହନ୍ତି, ସେହି ଏକା ରାଜଗୃହରେ ରହିବାର ଉପଯୁକ୍ତ ପାତ୍ର ।୪୬। ରାଜା କୌଣସିଠାରୁ ପ୍ରେରଣ କଲେ, ଯେଉଁ ବ୍ୟକ୍ତି ପ୍ରବାସରେ ରହି ନିଜର ପ୍ରିୟ ଜନଙ୍କୁ ସ୍ମରଣ ନ କରେ, ଦୁଃଖ ଉପସ୍ଥିତ ହେଲେ ତାହାକୁ ସୁଖପ୍ରାପ୍ତ ଜ୍ଞାନ କରେ, ସେହି ବ୍ୟକ୍ତି ରାଜବସତିରେ ନିବାସ କରିବାର ଯୋଗ୍ୟ ।୪୭। ରାଜା ଯେପରି ବସ୍ତ୍ର ପିନ୍ଧିଥାଆନ୍ତି, ସେହିପରି ଯେ ପରିଧାନ ନ କରେ, ରାଜାଙ୍କ ନିକଟରେ ଉଚ୍ଚସ୍ଥାନରେ ଯେ ନ ବସେ ଓ ଅପର ଜଣକ ସହିତ ଯେ ନାନା ପ୍ରକାର ମନ୍ତ୍ରଣା ନ କରେ ଓ ବିବେଚନାପୂର୍ବକ ବ୍ୟବହାର କରେ, ସେହି ବ୍ୟକ୍ତି ରାଜାଙ୍କର ପ୍ରିୟ ହୁଏ ।୪୮। କୌଣସି କର୍ମରେ ନିଯୁକ୍ତ ହୋଇ ଉତ୍କୋଚ ସ୍ୱରୂପ କିଞ୍ଚିନ୍ମାତ୍ର ଧନ ଅଥବା ଅନ୍ୟ ଦ୍ରବ୍ୟ ଗ୍ରହଣ କରିବ ନାହିଁ । ଏପରି କାର୍ଯ୍ୟ କଲେ ବନ୍ଧନ ଅଥବା ବଧଦଣ୍ଡ ପ୍ରାପ୍ତି ହୁଏ ।୪୯। ରାଜା ପ୍ରସନ୍ନ ହୋଇ ଯାନ, ଭୂଷଣ ଅଥବା ଅନ୍ୟ ଯେଉଁ ଦ୍ରବ୍ୟ ଦାନ କରନ୍ତି, ତାହାକୁ ସର୍ବଦା ଧାରଣ କରିବ ଅଥବା ବ୍ୟବହାର କରିବ । ଏହିପରି କାର୍ଯ୍ୟଦ୍ୱାରା ରାଜାଙ୍କର ଅଧିକ ପ୍ରିୟପାତ୍ର ହୁଅନ୍ତି ।୫୦। ହେ ବତ୍ସ ! ପାଣ୍ଡୁନନ୍ଦନମାନେ ! ତୁମ୍ଭେମାନେ ମନସଂଯମ କରି ଉକ୍ତ ପ୍ରକାର ଆଚରଣଦ୍ୱାରା ଏହି ବର୍ଷେ କାଳ ଅତିକ୍ରାନ୍ତ କର । ତହିଁପରେ ସ୍ୱରାଜ୍ୟ ପ୍ରାପ୍ତ ହୋଇ ସ୍ୱେଚ୍ଛାନୁସାରେ ବିଚରଣ କରିବାକୁ ସମର୍ଥ ହେବ ।୫୧। ଯୁଧିଷ୍ଠିର କହିଲେ- ହେ ସତ୍ତମ ! ଆପଣ ଯେପରି ସଦୁପଦେଶ ଦେବା ହେଲେ, ଆମ୍ଭର ଜନନୀ କୁନ୍ତୀଦେବୀ ଓ ମହାମହିମ ବିଦୂର ବ୍ୟତିରେକେ ଆଉ କେହି ଏତାଦୃଶ୍ୟ ଶୁଭ ଉପଦେଶ ଦେବାର ବ୍ୟକ୍ତି ଆମ୍ଭମାନଙ୍କର ନାହାନ୍ତି ।୫୨। ଏଥି ଉତ୍ତାରୁ ଆମ୍ଭମାନଙ୍କର ଯାହା ଯାହା କର୍ତ୍ତବ୍ୟ, ଏହି ଦୁଃଖରୁ ଉଦ୍ଧାର ପାଇଁ ଯେଉଁଠାକୁ ଯିବୁଁ ଓ ଯେପରି ଜୟ କରିବୁଁ ତଦ୍‌ବିଷୟରେ ଉପଦେଶ ଦେବାକୁ ଆଜ୍ଞା କରନ୍ତୁ ।୫୩। ବୈଶମ୍ପାୟନ ବୋଇଲେ, ଦ୍ୱିଜବର ଧୌମ୍ୟଙ୍କୁ ରାଜା ଯୁଧିଷ୍ଠିର ଏହିପରି ଭାଷନ୍ତେ ପ୍ରସ୍ଥାନ ବିଷୟରେ ଯାହା ଯାହା କରଣୀୟ, ତାହା ସବୁ ବିଧିପୂର୍ବକ ଧୌମ୍ୟ ନିଷ୍ପନ୍ନ କଲେ, ଏବଂ ପାଣ୍ଡବମାନଙ୍କର ସ୍ଥାପିତ ଅଗ୍ନିକୁ ପ୍ରଜ୍ଜ୍ୱଳିତ କରି ସେମାନଙ୍କର ସମୃଦ୍ଧି, ବୃଦ୍ଧି ଓ ପୃଥିବୀବିଜୟ ନିମିତ୍ତ ମନ୍ତ୍ରପାଠ ଓ ଆହୁତି ଦାନ କଲେ ।୫୫।

 

ତଦନନ୍ତର ପାଣ୍ଡବମାନେ ଦ୍ରୌପଦୀଙ୍କୁ ଆଗରେ କରି ତପୋଧନ, ବ୍ରାହ୍ମଣ ଓ ଅଗ୍ନିଙ୍କୁ ପ୍ରଦକ୍ଷିଣ କରି କେବଳ ଛଅ ଜଣ ମାତ୍ର ଯାତ୍ରା କଲେ ।୫୭। ସେହିସବୁ ବୀରପୁରୁଷମାନେ ଗମନ କରନ୍ତେ, ଜାପକପ୍ରଧାନ ଧୌମ୍ୟ ସେମାନଙ୍କର ଅଗ୍ନିହୋତ୍ର ଉପକରଣମାନଙ୍କୁ ଘେନି ପାଞ୍ଚାଳ ନଗରରେ ଉପନୀତ ହେଲେ ।୫୭। ଇନ୍ଦ୍ରସେନ ପ୍ରଭୃତି ସାରଥିମାନେ ଯାଦବପୁରକୁ ଗମନ କରି ରଥ ଓ ଅଶ୍ୱମାନଙ୍କୁ ରକ୍ଷା କଲେ । ସେମାନେ ସେଠାରେ ସୁଖରେ ନିବାସ କଲେ ।୫୮।

 

ପଞ୍ଚମ ଅଧ୍ୟାୟ

 

ବୈଶମ୍ପାୟନ କହିଲେ- ତଦନନ୍ତର ସେହି ବୀରମାନେ କବଚ ପିନ୍ଧି, ଆୟୁଧମାନଙ୍କୁ ଘେନି ଗୋଧିକା ଚର୍ମନିର୍ମିତ ଅଂଗୁଳିତ୍ରାଣକୁ ପାଣିରେ ବାନ୍ଧି ଯମୁନା ନଦୀ ଆଡ଼କୁ ପ୍ରସ୍ଥାନ କଲେ ।୧। ଏହିପରି ସେମାନେ ବନବାସରୁ ନିବୃତ୍ତ ହୋଇ ସ୍ୱକୀୟ ରାଜ୍ୟ ପାଇବା ଅଭିଳାଷରେ ସେହି ନଦୀର ଦକ୍ଷିଣ ତୀରକୁ ଅନୁସରି ପାଦଚାରୀ ହୋଇ ଗମନ କଲେ ।୨। ତତ୍ପରେ କାଳିନ୍ଦୀର ଦକ୍ଷିଣକୂଳକୁ ପଛକରି ଉତ୍ତର ଭାଗରେ ଦଶାର୍ଣ୍ଣ ଦେଶ ଓ ଦକ୍ଷିଣରେ ପାଞ୍ଚାଳ ଦେଶମାନଙ୍କୁ ରଖି ଯକୃଲ୍ଲୋମ ଓ ଶୂରସେନ ଦେଶ ମଧ୍ୟ ଦେଇ କେତେବେଳେ ଦୁର୍ଗମ ଗିରି ଗୁହାରେ ଓ କେତେବେଳେ ଅବା କାନନ ମଧ୍ୟରେ ବାସ କରି ଓ ମୃଗୟାଦ୍ୱାରା ଜୀବନଧାରଣ କରି ଗମନ କଲେ । ପଥ ଚାଲିବାରୁ ସେମାନେ ବିବର୍ଣ୍ଣ ହୋଇଥିଲେ । ତତ୍ପରେ ସେମାନଙ୍କର ଆସ୍ୟ ଶ୍ମଶ୍ରୁଯୁକ୍ତ ଥିଲା । ହସ୍ତରେ କୋଦଣ୍ଡ ଧରି ଓ କଟିରେ କରବାଳ ବାନ୍ଧି ଲୁବ୍‌ଧ ବୋଲି ପରିଚୟ ଦେଇ ସେମାନେ ଯାଉଥିଲେ । ଏହିପରି କହି କହି ବନ୍ୟଭୂମିକୁ ଉତ୍ତୀର୍ଣ୍ଣ ହୋଇ ମତ୍ସ୍ୟ ଦେଶରେ ଉପସ୍ଥିତ ହେଲେ । ସେଠାରେ ରାଜାଙ୍କୁ କୃଷ୍ଣା କହିଲେ ।୫। ଆମ୍ଭର ଅତ୍ୟନ୍ତ ପରିଶ୍ରମ ହୋଇଅଛି । ଦେଖନ୍ତୁ, ଏହି କ୍ଷୁଦ୍ରପଥ ଓ ବିବିଧ ଶସ୍ୟ କ୍ଷେତ୍ରମାନ ଦୃଶ୍ୟ ହେଉଅଛି । ଏଥିରୁ ଜଣାଯାଏ ଯେ ବିରାଟ ଦେଶର ରାଜଧାନୀ ଅତି ଦୂରବର୍ତ୍ତିନୀ ହେବ । ଅତଏବ ଅଦ୍ୟ ଆମ୍ଭେମାନେ ଏହି ସ୍ଥାନରେ ରାତ୍ରି ଯାପନ କରିବା ।୬। ଏହା ଶୁଣି ଯୁଧିଷ୍ଠିର ଅର୍ଜ୍ଜୁନଙ୍କୁ କହିଲେ, ହେ ଭାରତ ଧନଞ୍ଜୟ ! ଆମ୍ଭେମାନେ ଅଦ୍ୟ ବନସ୍ଥଳୀରୁ ବାହାର ହୋଇ ରାଜଧାନୀରେ ବାସ କରିବା । ଅତଏବ ତୁମ୍ଭେ ଯତ୍ନପୂର୍ବକ ପାଞ୍ଚାଳୀଙ୍କୁ ବହନ କର ।୭।

 

ବୈଶମ୍ପାୟନ କହିଲେ, ଯୁଧିଷ୍ଠିରଙ୍କ ଆଜ୍ଞା ପ୍ରମାଣେ ଅର୍ଜ୍ଜୁନ ଗଜରାଜପ୍ରାୟ ଦ୍ରୌପଦୀଙ୍କୁ ଗ୍ରହଣ କରି ଅବିଳମ୍ବରେ ନଗର ନିକଟରେ ଉପସ୍ଥିତ ହୋଇ ତାହାଙ୍କୁ ଓହ୍ଲାଇ ଦେଲେ ।୮। କୁନ୍ତୀନନ୍ଦନ ଯୁଧିଷ୍ଠିର ରାଜଧାନୀର ନିକଟବର୍ତ୍ତୀ ହୋଇ ଅର୍ଜ୍ଜୁନଙ୍କୁ କହିଲେ, ବତ୍ସ ! ଆମ୍ଭେମାନେ ଆୟୁଧସବୁ କେଉଁ ସ୍ଥାନରେ ରଖି ନଗର ମଧ୍ୟରେ ପ୍ରବେଶ କରିବା ? ଯଦି ଆୟୁଧ ସହିତ ପୁର ମଧ୍ୟରେ ପ୍ରବିଷ୍ଟ ହେବା, ତାହାହେଲେ ଜନମାନଙ୍କର ଉଦ୍‌ବେଗ ହେବ, ଏଥିରେ ସନ୍ଦେହ ନାହିଁ ।୧୦। ବିଶେଷରେ ତୁମ୍ଭର ଏହି ବୃହତ୍ ଗାଣ୍ଡୀବଧନୁ ଲୋକଙ୍କ ମଧ୍ୟରେ ଜଣାଅଛି । ଏହାକୁ ଘେନି ଆମ୍ଭେମାନେ ନଗର ମଧ୍ୟକୁ ଗମନ କଲେ ଲୋକେ ଆମ୍ଭମାନଙ୍କୁ ହଠାତ୍ ଚିହ୍ନି ପାରିବେ, ଏଥିରେ ସନ୍ଦେହ ନାହିଁ ।୧୧। ଆମ୍ଭମାନଙ୍କ ମଧ୍ୟରୁ ଜଣକୁ ଯଦି କେହି ଚିହ୍ନେ, ତେବେ ପ୍ରତିଜ୍ଞାନୁସାରେ ଆମ୍ଭମାନଙ୍କୁ ସମସ୍ତଙ୍କୁ ପୁନର୍ବାର ଦ୍ୱାଦଶବର୍ଷ ବନବାସ କରିବାକୁ ହେବ ।୧୨।

 

ଅର୍ଜ୍ଜୁନ କହିଲେ, ହେ ମନୁଜେଶ୍ୱର ! ଏହି ଶୈଳଶୃଙ୍ଗ ନିକଟରେ ଶ୍ମଶାନଭୂମି ପାଖରେ ଗୋଟାଏ ବୃହତ୍ ଶମୀ ବୃକ୍ଷ ଦେଖାଯାଉଅଛି । ଆମ୍ଭର ବୋଧ ହେଉଅଛି, ଏଠାରେ କେହି ମନୁଷ୍ୟ ନାହିଁ ଯେ, ଆମ୍ଭେମାନେ ଯଦି ସେଠାରେ ଆୟୁଧ ରଖିବା, ତେବେ ସେ ଦେଖି ଲୋକଙ୍କ ନିକଟରେ କହି ଦେବ ।୧୪। ହେ ଭାରତ ! ଏକେ ସେ ସ୍ଥାନ ଉଚ୍ଚ, ତହିଁରେ ପୁଣି ହିଂସ୍ରପଶୁ ଓ ସର୍ପାଦି ସମାକୀର୍ଣ୍ଣ ଗହନ ଅରଣ୍ୟ, ପ୍ରେତଭୂମିର ନିକଟ । ଅତଏବ ଏତାଦୃଶ ପ୍ରଦେଶରେ ଜାତ ସେହି ଶମୀବୃକ୍ଷରେ ଆୟୁଧମାନଙ୍କୁ ରକ୍ଷା କରି ନଗର ମଧ୍ୟରେ ପ୍ରବେଶ କଲେ ଆମ୍ଭେମାନେ ସ୍ୱଚ୍ଛନ୍ଦ ଚିତ୍ତରେ ବିହରଣ କରିପାରିବା ।୧୬। ବୈଶମ୍ପାୟନ କହିଲେ, ହେ ଭରତକୁଳପ୍ରଦୀପ ! ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହିପରି କହି ଅର୍ଜ୍ଜୁନ ସେଠାରେ ଶସ୍ତ୍ର ରଖିବାର ଉଦ୍ୟମ କଲେ ।୧୭। ଯେଉଁ କୁରୁପୁଙ୍ଗବ ପାର୍ଥ ଏକ ରଥରେ ଆରୋହଣ କରି ଗାଣ୍ଡୀବ ଧନୁଦ୍ୱାରା ଦେବ, ନାଗ ଓ ମନୁଷ୍ୟମାନଙ୍କୁ ପରାଜିତ କରିଥିଲେ ଓ ବୃହତ୍ ବୃହତ୍ ଜନପଦମାନଙ୍କୁ ହସ୍ତଗତ କରିଥିଲେ, ସେହି ଭୟଙ୍କର ଓ ଶତ୍ରୁଦଳନାଶନକାରୀ ଶରାସନ ଗାଣ୍ଡୀବର ଗୁଣ ମୋଚନ କଲେ ।୧୯।

 

ଶତ୍ରୁତାପନ ଯୁଧିଷ୍ଠିର ଯେଉଁ ଧନୁଦ୍ୱାରା କୁରୁକ୍ଷେତ୍ରକୁ ରକ୍ଷା କଲେ, ସେହି ଧନୁର ଅକ୍ଷୟ ଗୁଣକୁ ସେ ମୋଚନ କଲେ ।୨୦। ବିଶୁଦ୍ଧସ୍ୱଭାବ ଭୀମସେନ ଦିଗ୍‌ବିଜୟ କରି ଗଲାବେଳେ ଯେଉଁ ଶରାସନ ଦ୍ୱାରା ଏକାକୀ ଅସଂଖ୍ୟ ଶତ୍ରୁମାନଙ୍କୁ ଜୟ କରିଥିଲେ, ଯାହାଦ୍ୱାରା ପାଞ୍ଚାଳବାସୀଙ୍କୁ ଓ ସିନ୍ଧୁଦେଶାଧିପତି ଜୟଦ୍ରଥଙ୍କୁ ସମରରେ ପରାଜିତ କରିଥିଲେ, ପର୍ବତ ବିଦରାଣ ଶବ୍ଦପ୍ରାୟ ଓ ବଜ୍ର ସଦୃଶ ଯାହାର ବିସ୍ଫୋଟ ଶବ୍ଦକୁ ଶ୍ରବଣ କରି ବିପକ୍ଷ ଦଳ ରଣଭୂମିକୁ ପରିତ୍ୟାଗ କରି ପଳାୟନ କରନ୍ତି, ସେହି ଧନୁର ଜ୍ୟାପାଶକୁ ସେ ବିମୋଚନ କଲେ ।୨୩।

 

ଚତୁର୍ଥ ପାଣ୍ଡବ ମାଦ୍ରୀପୁତ୍ର, ଯାହାଙ୍କ ସମ ସୁନ୍ଦରାକୃତି ଆଉ କେହି ସେ ବଂଶ ମଧ୍ୟରେ ନ ଥିଲେ ବୋଲି ଯାହାଙ୍କର ନାମ ନକୁଳ ଦିଆ ହୋଇଥିଲା, ସେହି ଅପରିମିତ ପରାକ୍ରମଶାଳୀ ମହାବାହୁ ବୀର ପୁରୁଷ, ପଶ୍ଚିମ ଦିଗକୁ ବିଜୟ କଲାବେଳେ ଆତାମ୍ରମୁଖରେ ଶତ୍ରୁମାନଙ୍କୁ ଆହ୍ୱାନ କରି ଯେଉଁ ଶରାସନଦ୍ୱାରା ସେମାନଙ୍କୁ ପରାଜିତ କରିଥିଲେ, ତାହାର ମୌର୍ବୀ ଗୁଣକୁ ସେ ମୋଚନ କଲେ ।୨୫। ପ୍ରଭାବଶାଳୀ, ବୀର୍ଯ୍ୟସମ୍ପନ୍ନ ଓ ଶାନ୍ତସ୍ୱଭାବ ସହଦେବ ମଧ୍ୟ ଯେଉଁ କୋଦଣ୍ଡ ଧରି ଦକ୍ଷିଣ ଦିଗକୁ ବିଜିତ କରିଥିଲେ, ସେ ତାହାଙ୍କର ଧନୁର ଗୁଣକୁ ଅବତାରିତ କଲେ । ଏହିରୂପେ ସେମାନେ ସମସ୍ତେ ନିଜ ନିଜ ଶରାସନକୁ ଗୁଣମୁକ୍ତ କରି ତାହା ସହିତ ମହାମୂଲ୍ୟ, ଉଜ୍ଜ୍ୱଳ, ଦୀପ୍ତିମାନ, ସୁଦୀର୍ଘ ଖଡ଼୍‍ଗ, ତୁଣ ଓ କ୍ଷୁରଧାର ସାୟକମାନଙ୍କୁ ଏକତ୍ର ସଂକଳିତ କଲେ ।୨୭। ବୈଶମ୍ପାୟନ କହିଲେ, ତଦନନ୍ତର କୁନ୍ତୀନନ୍ଦନ ଯୁଧିଷ୍ଠିର ନକୁଳକୁ କହିଲେ, ହେ ବୀର ! ତୁମ୍ଭେ ଏହି ଶମୀ ବୃକ୍ଷ ଉପରେ ଆରୋହଣ କରି ସମସ୍ତଙ୍କର ସବୁ ଆୟୁଧମାନଙ୍କୁ ତହିଁରେ ସୁରକ୍ଷିତ କର । ସେହି ବୃହତ୍ ବୃକ୍ଷରେ ଯେଉଁଠାରେ ବର୍ଷା ନ ପଡ଼େ, ଏହିପରି ସ୍ଥାନ ଦେଖି ତହିଁରେ ସେହି ଆୟୁଧମାନଙ୍କୁ ଭଲ କରି ବାନ୍ଧିଦିଅ । ଏପରି ଦୃଢ଼ ବନ୍ଧନ କଲେ, ସେ ଫିଟିବ ନାହିଁ କି ଆୟୁଧମାନ ଖସିପଡ଼ିବ ନାହିଁ ।୩୦।

 

ସେହି ଶମୀବୃକ୍ଷରେ ପାଣ୍ଡବମାନେ ଗୋଟିଏ ମୃତ ଦେହକୁ ନେଇ ମଧ୍ୟ ବନ୍ଧନ କରି ରଖିଲେ । ତାହାର କାରଣ ଏହି ଯେ ସେମାନେ ବିଚାରିଲେ, ମୃତ ଶରୀର ଦୁର୍ଗନ୍ଧ ହେତୁରୁ ମନୁଷ୍ୟମାନେ କେହି ସେହି ବୃକ୍ଷ ନିକଟକୁ ଯିବେ ନାହିଁ । ତଦନନ୍ତର ପରନ୍ତପ ପାଣ୍ଡବମାନେ ଗୋପାଳ ଓ ମେଷପାଳକ ପ୍ରଭୃତି ଯାହାଙ୍କୁ ନିକଟରେ ଦେଖିଲେ, ତାହାଙ୍କୁ କହି ଦେଲେ ଯେ ସେମାନଙ୍କର ଏହି ଏକଶତ ଅଶୀ ବର୍ଷର ବୃଦ୍ଧା ମାତାଙ୍କ ଶରୀରକୁ କୁଳ ପ୍ରଥାନୁସାରେ ସେହି ବୃକ୍ଷରେ ରଖିଦେଲେ । ଏହି କଥା କହି କହି ସେମାନେ ନଗର ନିକଟକୁ ଆଗମନ କଲେ ।୩୪। ଯୁଧିଷ୍ଠିର ଆପଣା ଆପଣାମାନଙ୍କର ଜୟ, ଜୟନ୍ତ, ବିଜୟ, ଜୟସେନ ଓ ଜୟଦ୍‌ବଳ ବୋଲି ପାଞ୍ଚଗୋଟି ନାମ ରଖିଲେ । ତଦନନ୍ତର ସମୟାନୁସାରେ ତ୍ରୟୋଦଶ ବର୍ଷଟି ବିରାଟ ରାଜ୍ୟରେ ଅଜ୍ଞାତ ବାସ କରିବା ଉଦ୍ଦେଶ୍ୟରେ ସେଠାରେ ମହାନଗର ମଧ୍ୟରେ ପ୍ରବିଷ୍ଟ ହେଲେ ।

 

ଷଷ୍ଠ ଅଧ୍ୟାୟ

 

ବୈଶମ୍ପାୟନ କହିଲେ- ରମଣୀୟ ବିରାଟ ନଗରକୁ ଗମନୋଦ୍ୟତ ଧର୍ମରାଜ ଯୁଧିଷ୍ଠିର ମନେ ମନେ ତ୍ରିଭୁବନେଶ୍ୱରୀ ଦୁର୍ଗାଦେବୀଙ୍କର ସ୍ତବ କଲେ ।୧। ହେ ଯଶୋଦାନନ୍ଦିନୀ, ନାରାୟଣପ୍ରଣୟିନି, କୁଳବିବର୍ଦ୍ଧିନି, ଅଶୁଭନାଶିନି ! ତୁମ୍ଭେ ନନ୍ଦ ଗୋପଙ୍କ କୋଳରେ ଜନ୍ମଗ୍ରହଣ କରିଅଛ ।୨। ହେ କଂସଧ୍ୱଂସକାରିଣୀ, ଅସୁରବିନାଶିନି ! ଦୁଷ୍ଟ ଓ ଦୁର୍ଦ୍ଦାନ୍ତ କଂସ ଯେତେବେଳେ ତୁମ୍ଭଙ୍କୁ ଶିଳା ଉପରେ ନିକ୍ଷେପ କରିବାକୁ ଉଦ୍ୟତ ହେଲା, ସେତେବେଳେ ତୁମ୍ଭେ ଅନାୟାସରେ ତାହା ହସ୍ତରୁ ଖସିଯାଇ ଆକାଶ ପଥକୁ ଗମନ କରିଥିଲ । ଆପଣ ବସୁଦେବଙ୍କ ଭଗିନୀ ହୋଇ ଦିବ୍ୟ ବସ୍ତ୍ର ଓ ମାଳାରେ ବିଭୂଷିତ ହୋଇଥିଲେ । ଆପଣଙ୍କ କରତଳରେ ସୁତୀକ୍ଷ୍‌ଣ ଖଡ଼୍‍ଗ ଓ ଖେଟକ ଶୋଭା ପାଉଅଛି ।୪। ଯେଉଁମାନେ ଭାରାବତରଣ କରିବା ନିମିତ୍ତ ଆପଣଙ୍କୁ କାୟମନୋବାକ୍ୟରେ ସ୍ମରଣ କରନ୍ତି, ଆପଣ ପଙ୍କନିମଗ୍ନ ଦୁର୍ବଳ ଗୋପ୍ରାୟ ତାହାକୁ ପାପଭାରରୁ ଉଦ୍ଧାର କରନ୍ତି ।୫।

 

ଏହି ପ୍ରକାର ସ୍ତବ କରି ଭ୍ରାତୃଗଣଙ୍କ ସହ ରାଜା ଯୁଧିଷ୍ଠିର ଦେବୀଙ୍କର ଦର୍ଶନାଭିଳାଷୀ ହୋଇ ପୁନର୍ବାର ବିବିଧ ସ୍ତୋତ୍ରାର୍ଥଉଦ୍ଭବ ନାମ ଦ୍ୱାରା ଭଗବତୀଙ୍କର ସ୍ତବ କରିବାରେ ପ୍ରବୃତ୍ତ ହେଲେ ।୬। ହେ ବରଦେ ! କୃଷ୍ଣେ ! କୁମାରି ! ବ୍ରହ୍ମଚାରିଣୀ ! ଆପଣ ତରୁଣ, ଅରୁଣବର୍ଣ୍ଣ କଳେବରକୁ ବରଣ କରିଅଛନ୍ତି ଓ ପୂର୍ଣ୍ଣଚନ୍ଦ୍ର ପ୍ରାୟ ଆପଣଙ୍କ ମୁଖମଣ୍ଡଳ ଶୋଭା ପାଉଅଛି । ଆପଣଙ୍କୁ ନମସ୍କାର ।୭। ହେ ଚତୁର୍ଭୁଜେ ! ଚତୁର୍ବକ୍ରେ ! ପୀନପୟୋଧରେ ! ପୃଥୁନିତମ୍ବିନୀ ! ଚନ୍ଦ୍ରନୀଳାଦି ମଣିଦ୍ୱାରା ତୁମ୍ଭର କଙ୍କଣ ଖଚିତ ହୋଇଅଛି । ମସ୍ତକରେ ତୁମ୍ଭେ କେୟୁର ଧାରଣ କରିଅଛ । ହେ ଦେବୀ ! ଆପଣ ନାରାୟଣଙ୍କଠାରେ ଲକ୍ଷ୍ମୀଙ୍କ ପ୍ରାୟ ଶୋଭା ପାଉଅଛନ୍ତି ।୮।

 

ଆପଣ ବ୍ରହ୍ମରୂପିଣୀ, ବ୍ରହ୍ମଚର୍ଯ୍ୟାବଲମ୍ବିନୀ, ଅମ୍ବରବିହାରିଣୀ, ପତିବ୍ରତାରୂପଧାରିଣୀ । ଆପଣ ନୀଳ ମେଘସଦୃଶ ରୂପକୁ ଧାରଣ କରିଅଛନ୍ତି, ଇନ୍ଦ୍ରଧ୍ୱଜପ୍ରାୟ ଆପଣଙ୍କ ବାହୁଯୁଗଳରେ ବିବିଧ ଆୟୁଧ ଧାରଣ କରିଅଛନ୍ତି । ଆପଣଙ୍କର ଶ୍ରବଣଯୁଗଳ କନକ କୁଣ୍ଡଳରେ ଶୋଭା ପାଉଅଛି । ଆପଣଙ୍କର ଆନନ ସଂକର୍ଷଣଙ୍କ ଆନନପ୍ରାୟ । ଅଷ୍ଟଭୁଜରେ ଆପଣ ପାତ୍ର, ପଙ୍କଜ, ଘଣ୍ଟା, ପାଶ, ଧନୁ, ମହାଚକ୍ର ପ୍ରଭୃତି ଅଷ୍ଟାୟୁଧ ଧାରଣ କରିଅଛନ୍ତି । ପୃଥିବୀରେ ଆପଣ ବିଶୁଦ୍ଧାଚାରା ସ୍ତ୍ରୀପ୍ରାୟ ବିରାଜିତ ଅଛନ୍ତି । ମସ୍ତକରେ ମୁକୁଟ ପଛକୁ କେଶବନ୍ଧ ଶୋଭା ପାଉଅଛି ।୧୨। ଆପଣଙ୍କର ଶ୍ରୋଣିବାସ ଭୁଜଙ୍ଗ ଦେହ ସଦୃଶ୍ୟ ରୌପ୍ୟସୂତ୍ରରେ ବିରାଜିତ ହୋଇଅଛି । ଅମୃତମନ୍ଥନ କାଳରେ ମନ୍ଦର ପର୍ବତର ଚତୁଃପାଶ୍ୱର୍ରେ ବାସୁକୀଙ୍କର ପରିବର୍ତ୍ତନ ପ୍ରାୟ ଏହି ଶ୍ରୋଣି ଶୋଭା ପାଉଅଛି ।

 

ତୁମ୍ଭେ କୌମାରବ୍ରତ ଧାରଣ କରି ସ୍ୱର୍ଗକୁ ପବିତ୍ର କରିଅଛ ।୧୪। ଏହି ହେତୁରୁ ହେ ଦେବୀ ! ଦେବତାମାନେ ତୁମ୍ଭଙ୍କୁ ସ୍ତବ କରୁଅଛନ୍ତି ଓ ପୂଜା କରୁଅଛନ୍ତି । ହେ ମହିଷାସୁରମର୍ଦ୍ଦିନି ! ତୁମ୍ଭେ ତ୍ରୈଲୋକ୍ୟ ରକ୍ଷା କରିଅଛ । ସୁର ମଧ୍ୟରେ ତୁମ୍ଭେ ଶ୍ରେଷ୍ଠା । ମୋ ଠାରେ ପ୍ରସନ୍ନ ହୁଅ, ଦୟା କର । ମୋର ମଙ୍ଗଳକାରିଣୀ ହୁଅ ।୧୫। ତୁମ୍ଭେ ଜୟା ଓ ବିଜୟା; ସଂଗ୍ରାମରେ ତୁମ୍ଭେ ଜୟ ପ୍ରଦାନ କର । ଯେ ହେତୁରୁ ତୁମ୍ଭେ ବର ଦାନ କର, ଅତଏବ ସମ୍ପ୍ରତି ତୁମ୍ଭେ ମତେ ବିଜୟ ଦିଅ ।୧୬। ବିନ୍ଧ୍ୟ ପର୍ବତରେ ସର୍ବଦା ତୁମ୍ଭେ ଅବସ୍ଥାନ କର । ହେ କାଳି ! କାଳି ! ମହାକାଳି ! ତୁମ୍ଭେ ମଧୁମାଂସ ଓ ପଶୁପ୍ରିୟା ଅଟ ।୧୭। ଭୂତମାନେ ତୁମ୍ଭର ଅନୁଚରବର୍ଗ । ହେ କାମଚାରିଣୀ ! ତୁମ୍ଭେ ବରଦା ହୁଅ । ଯେଉଁ ମନୁଷ୍ୟମାନେ ଦୁଃଖଭାରରୁ ଉଦ୍ଧାର ପାଇବା ନିମିତ୍ତ ତୁମ୍ଭର ସ୍ମରଣ କରିବେ, ଯେଉଁମାନେ ତୁମ୍ଭଙ୍କୁ ପ୍ରଭାତରେ ନମସ୍କାର କରନ୍ତି, ସେମାନଙ୍କର କୌଣସି କଥା ଦୁର୍ଲ୍ଲଭ ହୁଏ ନାହିଁ, ପୁତ୍ର ଓ ଧନ ସବୁ ଲାଭ ହୁଏ ।୧୯।

 

ଦୁର୍ଗମରୁ ତାରଣ କରିବାରୁ ତୁମ୍ଭେ ଦୁର୍ଗା ବୋଲାଅ । ଯେଉଁମାନେ କାନ୍ତାରରେ ଅବସନ୍ନ ହୋଇଥାଆନ୍ତି, ମହାସମୁଦ୍ରରେ ମଗ୍ନ ହେଉଥାନ୍ତି ।୨୦।, ଦସ୍ୟୁମାନଙ୍କଦ୍ୱାରା ଯେ ନିରୁଦ୍ଧ ହୋଇଥାନ୍ତି, ସେମାନଙ୍କର ଆପଣ ଗତିସ୍ୱରୂପ, ଜଳ ପାରି ହେଲାବେଳେ, ଦୁର୍ଗମ ପଥରେ, ଅରଣ୍ୟରେ ।୨୧। ଯେ ତୁମ୍ଭଙ୍କୁ ସ୍ମରଣ କରନ୍ତି, ସେହି ମାନବମାନେ କଦାପି ଅବସନ୍ନ ହୁଅନ୍ତି ନାହିଁ-। ତୁମ୍ଭେ କୀର୍ତ୍ତି, ଶ୍ରୀ, ଧୃତି, ସିଦ୍ଧି, ହ୍ରୀ, ବିଦ୍ୟା, ସନ୍ତତି, ମତି, ସନ୍ଧ୍ୟା, ରାତ୍ରି, ପ୍ରଭା, ନିଦ୍ରା, ଜ୍ୟୋତ୍ସ୍ନାକାନ୍ତି, କ୍ଷମା ଓ ଦୟା ଅଟ । ତୁମ୍ଭଙ୍କୁ ପୂଜା କଲେ ତୁମ୍ଭେ ମନୁଷ୍ୟମାନଙ୍କର ବନ୍ଧନ, ମୋହ, ପୁତ୍ରନାଶ, ଧନକ୍ଷୟ, ବ୍ୟାଧି, ମୃତ୍ୟୁ, ଭୟକୁ ବିନାଶ କର ।୨୨-୨୩। ଅତଏବ ରାଜ୍ୟରୁ ପରିଭ୍ରଷ୍ଟ ହୋଇ ଆପଣଙ୍କ ଶରଣାପନ୍ନ ହୋଇ ପ୍ରଣାମ କରୁଅଛୁଁ । ହେ କମଳଦଳଲୋଚନେ-! ଆମ୍ଭମାନଙ୍କର ସତ୍ୟବଚନରେ ଆପଣ ସତ୍ୟା ହୋଇ ଆମ୍ଭମାନଙ୍କୁ ରକ୍ଷା କରନ୍ତୁ । ୨୪-୨୫। ଆପଣ ଭକ୍ତବତ୍ସଳା, ଶରଣାଗତ ଜନଙ୍କର ପାଳିକା । ହେ ଦୁର୍ଗେ ! ଆପଣ ଆମ୍ଭମାନଙ୍କର ରକ୍ଷାକର୍ତ୍ତୀ ।

 

ଏହିପରି ସ୍ତବ କରନ୍ତେ, ପାଣ୍ଡୁନନ୍ଦନ ଯୁଧିଷ୍ଠିରଙ୍କୁ ଦୁର୍ଗା ଦେବୀ ଦର୍ଶନ ଦେଇ, ତାହାଙ୍କ ସମୀପକୁ ଆଗମନ କରି କହିଲେ, ହେ ରାଜନ୍‌ ! ହେ ମହାବାହୋ ! ଆମ୍ଭର ଏହି ବାକ୍ୟ ଶ୍ରବଣ କରନ୍ତୁ ।୨୬-୨୭। ତୁମ୍ଭେ ଆମ୍ଭ ପ୍ରସାଦରୁ ଅଚିରକାଳ ମଧ୍ୟରେ କୌରବବାହିନୀକୁ ନାଶ କରି ଶତ୍ରୁମାନଙ୍କୁ ସମରରେ ଜୟ କରିବ ।୨୮। ହେ ରାଜନ୍‌ ! ତୁମ୍ଭେ ପୁନର୍ବାର ନିଷ୍କଣ୍ଟକ ରାଜ୍ୟ ପ୍ରାପ୍ତ ହୋଇ ଭ୍ରାତୃମାନଙ୍କୁ ଘେନି ଅଖିଳ ଭୂମଣ୍ଡଳକୁ ଭୋଗକରିବ । ପରମା ପ୍ରୀତି, ସୁଖ ଓ ଆରୋଗ୍ୟ ଲାଭ କରିବ । ହେ ରାଜନ୍‌ ! ଇହଲୋକରେ ଯେଉଁମାନେ ପାପଶୂନ୍ୟ ହୋଇଥାନ୍ତି, ସେହିମାନେ ଆମ୍ଭର ସ୍ତବ କରନ୍ତି ଓ ଆମ୍ଭେ ସେମାନଙ୍କ ପ୍ରତି ପ୍ରୀତ ହୋଇ ସେମାନଙ୍କୁ ପୁତ୍ର, ରାଜ୍ୟ, ଅପୂର୍ବ ଦେହ ଓ ପରମାୟୁ ପ୍ରଦାନ କରୁ ।

 

ହେ ଧର୍ମରାଜ ! ଯେଉଁମାନେ ପ୍ରବାହରେ, ନଗରରେ, ଶତ୍ରୁଙ୍କ ନିକଟରେ, ସଂଗ୍ରାମରେ, କାନ୍ତାରରେ, ଅରଣ୍ୟରେ, ସାଗର ମଧ୍ୟରେ, ଗହନରେ, ପର୍ବତ ଉପରେ, ସମୁଦାୟ ସଂକଟ ସ୍ଥଳରେ ବିପନ୍ନ ଅବସ୍ଥାରେ ଆମ୍ଭଙ୍କୁ ସ୍ମରଣ କରନ୍ତି ।୩୨।, ସେମାନଙ୍କର କୌଣସି କଥା ଦୁର୍ଲଭ ହୁଏନାହିଁ । ଯେଉଁ ମନୁଷ୍ୟମାନେ ଭକ୍ତିପୂର୍ବକ ଏହି ଉତ୍କୃଷ୍ଟ ସ୍ତବକୁ ଶ୍ରବଣ କରନ୍ତି ଅଥବା ପାଠ କରନ୍ତି, ସେମାନଙ୍କର ସମୁଦାୟ ସିଦ୍ଧ ହୁଏ । ହେ ପାଣ୍ଡବଗଣ ! ତୁମ୍ଭେ ବିରାଟ ନଗରରେ ବାସ କଲେ ଆମ୍ଭ ପ୍ରସାଦରୁ କୌରବଗଣ ଅଥବା ସେହି ନଗରବାସୀ କେହି ତୁମ୍ଭମାନଙ୍କୁ ଚିହ୍ନିପାରିବେ ନାହିଁ ।

 

ବରପ୍ରଦା ଦେବୀ ଭଗବତୀ ଅମିତ୍ରଘାତୀ ରାଜା ଯୁଧିଷ୍ଠିରଙ୍କୁ ଏହି କଥା କହି ପାଣ୍ଡବଗଣକୁ ରକ୍ଷା କରି ସେହି ସ୍ଥାନରେ ଅନ୍ତର୍ହିତ ହେଲେ ।

 

ସପ୍ତମ ଅଧ୍ୟାୟ

 

ବୈଶମ୍ପାୟନ କହିଲେ- ତଦନନ୍ତର ରାଜା ଯୁଧିଷ୍ଠିର ନୀଳ, ପୀତ, ରକ୍ତ ଓ ହରିଦ୍ ବର୍ଣ୍ଣର ସାର ପଶାକାଠି ଓ ପାଲିକୁ ଲୁଗାକାନିରେ ବାନ୍ଧି କାଖରେ ରଖି ବିରାଟ ରାଜା ସଭାରେ ବସିଥିବା ବେଳେ ତାହାଙ୍କ ସନ୍ନିଧାନରେ ଉପସ୍ଥିତ ହେଲେ । ଅନୁଚରବର୍ଗଙ୍କଦ୍ୱାରା ପରିବୃତ ମତ୍ସ୍ୟରାଜ ଯୁଧିଷ୍ଠିରଙ୍କୁ ଚାହିଁ ମନରେ ବିଚାରିଲେ, ତୀକ୍ଷ୍‌ଣବିଷ ସର୍ପସଦୃଶ୍ୟ ଦୁରାସଦ, ମେଘାବୃତ ସୂର୍ଯ୍ୟଙ୍କ ସଦୃଶ୍ୟ ତେଜସ୍ୱୀ, ଭସ୍ମାଚ୍ଛନ୍ନ ଅଗ୍ନିସମ ଉଜ୍ଜ୍ୱଳ, ପୂର୍ଣ୍ଣଚନ୍ଦ୍ରସମ ପ୍ରସନ୍ନବଦନ, ସ୍ୱରୂପ ଓ ମହାବଳସମ୍ପନ୍ନ, ଅମର ସଦୃଶ୍ୟ ଏହି ବ୍ୟକ୍ତି କିଏ ? ଏହିପରି ବିଚାର କରି କୁରୁବଂଶବର୍ଦ୍ଧନ ଯଶସ୍ୱୀ, ମହାନୁଭବ, ନରେନ୍ଦ୍ରଗଣ ପୂଜିତ ନରବର ଯୁଧିଷ୍ଠିରଙ୍କୁ ଉଦ୍ଦେଶ୍ୟ କରି ସଭାରେ ଯେତେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ସୂତ ଓ ମନ୍ତ୍ରୀ ପ୍ରଭୃତି ଉପସ୍ଥିତ ଥିଲେ, ସମସ୍ତଙ୍କୁ ପଚାରିଲେ ।

 

ରାଜଲକ୍ଷଣଯୁକ୍ତ ଏହି ବ୍ୟକ୍ତି କିଏ ? ସେ ଅଦ୍ୟ ପ୍ରଥମେ ଏହି ସଭାକୁ ଆଗମନ କରି ସଭା ଦେଖୁଅଛନ୍ତି ।୫। ଆମ୍ଭର ବୋଧହୁଏ, ଏହି ନରବର କଦାପି ବ୍ରାହ୍ମଣ ନୁହନ୍ତି । କୌଣସି ରାଜା ହେବେ । ତାହାଙ୍କ ସଙ୍ଗେ ରଥ, ମାତଙ୍ଗ, ତୁରଙ୍ଗ, ଦାସ ପ୍ରଭୃତି କେହି ନାହାନ୍ତି, ତଥାପି ସେ ସ୍ୱକୀୟ ପ୍ରଭାଦ୍ୱାରା ଇନ୍ଦ୍ରଙ୍କ ସମ ତେଜସ୍ୱୀ ଦିଶୁଅଛନ୍ତି ।୬। ଏହାଙ୍କର ଆକାର ଓ ଭାବରୁ ବୋଧ ହେଉଅଛି ଯେ, ସେ କେହି ଜଣେ ମୁର୍ଦ୍ଧାଭିଷିକ୍ତ ନରନାଥ ହେବେ । ମଦମତ୍ତ ମାତଙ୍ଗ ଯେପରି ନଳିନୀ ନିକଟରେ ଉପସ୍ଥିତ ହୁଏ, ସେହିପରି ନିଃଶଙ୍କ ଚିତ୍ତରେ ସେ ଆମ୍ଭ ନିକଟକୁ ଆଗମନ କରୁଅଛନ୍ତି ।୭। ବିରାଟ ନରପତି ମନମଧ୍ୟରେ ଏହିପରି ବିଚାରୁ ଅଛନ୍ତି, ଏମନ୍ତ ସମୟରେ ଯୁଧିଷ୍ଠିର ତାହାଙ୍କ ସନ୍ନିଧାନରେ ଉପସ୍ଥିତ ହୋଇ କହିଲେ, ମହାରାଜ ! ଆମ୍ଭେ ଦ୍ୱିଜାତି, ଦୁର୍ଭାଗ୍ୟ କ୍ରମେ ଆମ୍ଭର ସର୍ବସ୍ୱ ବିନଷ୍ଟ ହୋଇଅଛି । ଏହି ହେତୁରୁ ଜୀବିକା ପ୍ରତ୍ୟାଶରେ ଆପଣଙ୍କ ସମୀପକୁ ଆଗମନ କରିଅଛୁଁ ।୮।

 

ହେ ବିଭୋ ! ହେ ଅନଘ ! ଆପଣଙ୍କ ଗହଣରେ କାମଚାରୀ ସଦୃଶ୍ୟ ହୋଇ ରହିବାକୁ ଆମ୍ଭେ ଅଭିଳାଷ କରୁଅଛୁଁ । ବିରାଟ ଦେଶର ଅଧିପତି ତାହାଙ୍କର ପ୍ରାର୍ଥନା ଶୁଣି ହୃଷ୍ଟ ହୋଇ କହିଲେ, ତୁମ୍ଭର ସ୍ୱାଗମନ ହେଉ । ତୁମ୍ଭେ ଆମ୍ଭଙ୍କୁ ଗ୍ରହଣ କର ।୯। ମତ୍ସ୍ୟରାଜ ଆହ୍ଲାଦିତ ଚିତ୍ତରେ ଏହିପରି କହି ଯୁଧିଷ୍ଠିରଙ୍କୁ ଗ୍ରହଣ କଲେ । ତତ୍ପରେ କହିଲେ, ହେ ତାତ ! ତୁମ୍ଭଠାରେ ଅନୁରାଗବଶତଃ ପଚାରୁଅଛୁ, ଆପଣ କେଉଁ ଦେଶରୁ ଆଗମନ କରିବା ହେଲେ ?୧୦। ତୁମ୍ଭର ଗୋତ୍ର କଣ, ନାମ କଣ ଓ ତୁମ୍ଭେ କେଉଁ ଶିଳ୍ପକର୍ମ୍ମ ଶିକ୍ଷା କରିଅଛ ? ଏହିସବୁ ପ୍ରଶ୍ନର ଯଥାର୍ଥ ରୂପ ଉତ୍ତର ପ୍ରଦାନ କର ।୧୧। ଯୁଧିଷ୍ଠିର କହିଲେ, ହେ ମତ୍ସ୍ୟନାଥ ! ଆମ୍ଭେ ବୈୟାଘ୍ର ପଦ ଗୋତ୍ର ଦ୍ୱିଜାତି, ଆମ୍ଭର ନାମ କଙ୍କ, ପୂର୍ବେ ଆମ୍ଭେ ରାଜା ଯୁଧିଷ୍ଠିରଙ୍କର ସଖା ଥିଲୁ । ପଶା ଖେଳିବାରେ ଆମ୍ଭର ପାରଦର୍ଶିତା ଅଛି ।୧୨।

 

ମତ୍ସ୍ୟାଧିପତି ପ୍ରସନ୍ନ ଚିତ୍ତରେ କହିଲେ, ତୁମ୍ଭେ ଯେଉଁ ଯେଉଁ ବର ପ୍ରାର୍ଥନା କରିବ, ଆମ୍ଭେ ତାହାସବୁ ପ୍ରଦାନ କରିବୁଁ । ଅଧିକ କି କହିବୁ, ଆମ୍ଭେ ତୁମ୍ଭର ବଶମ୍ବଦ ହେଲୁ ବୋଲି ଜାଣିବ-। ଏହି ମତ୍ସ୍ୟ ରାଜ୍ୟକୁ ତୁମ୍ଭେ ଶାସନ କର । ସେ ହେତୁରୁ ଦ୍ୟୁତକାରୀ ଦ୍ୟୁତମାନେ ସର୍ବଦା ଆମ୍ଭର ପ୍ରୀତିଭାଜନ ହୁଅନ୍ତି, ତୁମ୍ଭେ ଦେବସଦୃଶ୍ୟ, ରାଜ୍ୟଲାଭର ଉପଯୁକ୍ତ ପାତ୍ର ଅଟ ।୧୩। ଯୁଧିଷ୍ଠିର ବୋଇଲେ, ଭୋ ମହାରାଜ ! ପ୍ରଥମତଃ ଆମ୍ଭର ଏହି ପ୍ରାର୍ଥନା ଯେ ନୀଚ ବ୍ୟକ୍ତିଙ୍କ ସଙ୍ଗେ ଆମ୍ଭର ବିବାଦ ନ ହେଉ । ଦ୍ୱିତୀୟ, କୌଣସି ବ୍ୟକ୍ତି ଦ୍ୟୁତକ୍ରୀଡ଼ାରେ ଆମ୍ଭଦ୍ୱାରା ପରାଜିତ ହୋଇ ଯଦି ନିଜର ଅର୍ଜିତ ଧନକୁ ଆମ୍ଭଙ୍କୁ ନ ଦେଇ ହରଣ କରେ, ଯାହା ସତ୍ୟ ଆପଣ ତାହା ଜାଣି ଆମ୍ଭଙ୍କୁ ଆମ୍ଭର ଧନ ଦିଆ କରାଇବା ହେବେ । ଆମ୍ଭର ଏହି ବର ପ୍ରାର୍ଥନା । ଆପଣ ପ୍ରସନ୍ନ ହୋଇ ଏହି ବର ପ୍ରଦାନ କରନ୍ତୁ ।୧୪।

 

କିରାତାଧିପତି ବୋଇଲେ, କୌଣସି ବ୍ୟକ୍ତି ଯେବେ ତୁମ୍ଭର ଅପ୍ରିୟାଚରଣ କରେ, ତେବେ ଆମ୍ଭେ ତାହାର ପ୍ରାଣନାଶ କରିବୁ । ଯଦି ସେ ବ୍ରାହ୍ମଣ ହୋଇଥାଏ, ତେବେ ତାହାଙ୍କୁ ଆମ୍ଭ ରାଜ୍ୟରୁ ବାହାର କରିଦେବୁଁ । ଏଠାରେ ପୁରବାସୀ ଯେତେ ସମାଗତ ହୋଇଅଛନ୍ତି, ସେମାନେ ସମସ୍ତେ ଶ୍ରବଣ କରନ୍ତୁ । ଏହି ମତ୍ସ୍ୟରାଜ୍ୟରେ ଆମ୍ଭର ଯେପରି ଅଧିକାର ଅଛି, ଏହି କଙ୍କଙ୍କର ମଧ୍ୟ ସେହିପରି ପ୍ରଭୁତ୍ୱ ଅଛି । ହେ କଙ୍କ ! ତୁମ୍ଭେ ଆମ୍ଭର ସଖା ହେଲ । ଯେପରି ଯାନ ଓ ବାହନ ପ୍ରଭୃତି ଆମ୍ଭେ ଭୋଗ କରୁଁ, ତୁମ୍ଭେ ମଧ୍ୟ ତାଦୃଶ୍ୟ ବାହନ, ଅନ୍ନ, ପାନୀୟ, ବସନ ସମଗ୍ର ଉପଭୋଗ ସାମଗ୍ରୀକୁ ଅଭିଳାଷାନୁରୂପ ଭୋଗ କରିବ । ଆମ୍ଭର ଅଧିକୃତ କି ଆଭ୍ୟନ୍ତରିକ ଅଥବା ବାହ୍ୟିକ ସର୍ବପ୍ରକାର କାର୍ଯ୍ୟକୁ ସର୍ବଦା ପର୍ଯ୍ୟବେକ୍ଷଣ କରିବ । ତୁମ୍ଭପାଇଁ ଅମ୍ଭର ସବୁ ଦ୍ୱାର ଅପାବୃତ ରହିଲା ।୧୬। ଯେଉଁସବୁ ବୃତ୍ତିହୀନ ଦରିଦ୍ରମାନେ ସମାଗତ ହୋଇ ତୁମ୍ଭଙ୍କୁ ଅର୍ଥ ପ୍ରାର୍ଥନା କରିବେ, ତୁମ୍ଭଙ୍କୁ କହି ରଖିଲୁ ଯେ ତୁମ୍ଭେ ଯେଉଁ ସମୟରେ ପାର, ସେହି ସମୟରେ ହେଉ ଆମ୍ଭଙ୍କୁ ସେମାନଙ୍କ ଗୂହାରି ଜଣାଇବ । ଆମ୍ଭେ ସେମାନଙ୍କର ପ୍ରାର୍ଥନା ପୂରଣ କରିବୁଁ, ଏଥିରେ ସଂଶୟ ନାହିଁ । ଆମ୍ଭ ନିକଟରେ ତୁମ୍ଭର କୌଣସି ଶଙ୍କା ନାହିଁ ।୧୭। ବୈଶମ୍ପାୟନ କହିଲେ, ଧୈର୍ଯ୍ୟସମ୍ପନ୍ନ ନରଶ୍ରେଷ୍ଠ ଯୁଧିଷ୍ଠିର ସେହି ସମୟରେ ମତ୍ସ୍ୟରାଜଙ୍କ ସଙ୍ଗେ ସମାଗମ ଲାଭ କରି ତାହାଙ୍କର ପ୍ରୀତିଭାଜନ ଓ ଆଦରର ପାତ୍ର ହୋଇ ସୁଖରେ ବାସ କଲେ । ତାହାଙ୍କର ଅଜ୍ଞାତବାସ କେହି ଅବଗତ ହୋଇ ପାରିଲେ ନାହିଁ ।

 

ଅଷ୍ଟମ ଅଧ୍ୟାୟ

 

ବୈଶମ୍ପାୟନ କହିଲେ- ତତ୍ପରେ ଭୀମପରାକ୍ରମ ଭୀମ ଆସିଲେ । ସିଂହପ୍ରାୟ ଝୁଲି ଝୁଲି, ହସ୍ତରେ କୃଷ୍ଣ ଲୌହ ନିର୍ମିତ ଖଣ୍ଡିଏ ନିଷ୍କୋଷିତ ଖଡ଼୍‍ଗ ଓ ପାକ କରିବାର ସାଧନ ଦର୍ବୀ ଓ ଖଜା ଘେନି କୃଷ୍ଣ ବସନ ପରିଧାନ କରି ଉପସ୍ଥିତ ହେଲେ । ସୁମେରୁସାର ସଦୃଶ୍ୟ କଠିନକଳେବର ବୃକୋଦର ସୂପକାର ବେଶରେ ମତ୍ସ୍ୟ ରାଜାଙ୍କ ସମୀପକୁ ଅପସରି ଜଗତ୍ ପ୍ରକାଶକାରୀ ସୂର୍ଯ୍ୟଦେବଙ୍କ ସଦୃଶ୍ୟ ନିଜ ତେଜଦ୍ୱାରା ସଭାସ୍ଥଳକୁ ଦୀପିତ କରି ଉଭା ହେଲେ ।୨। ଭୂପତିସଦୃଶ୍ୟ ସମୀପାଗତ କୁନ୍ତୀକୁମାରଙ୍କୁ ମତ୍ସ୍ୟରାଜ ଚାହିଁ ନିକଟବର୍ତ୍ତୀ ସଭ୍ୟମାନଙ୍କୁ କହିଲେ, ସିଂହସମ ଉନ୍ନତସ୍କନ୍ଧ, ସୂର୍ଯ୍ୟସଦୃଶ୍ୟ ପ୍ରଭାଶାଳୀ ଓ ରୂପବାନ୍ ଏହି ଜଣକ କିଏ ? ଆମ୍ଭେ ଏହାଙ୍କୁ ଚିହ୍ନିପାରୁ ନାହୁଁ । ପୂର୍ବେ ଆମ୍ଭେ କଦାପି ଏହାଙ୍କୁ ଦେଖିନାହୁଁ । ଏଠାକୁ ସେ କି କାରଣରେ ଆଗମନ କରିଛନ୍ତି, ଆମ୍ଭେ ସ୍ଥିର କରି ପାରୁନାହୁଁ । ସେ କି ଗନ୍ଧର୍ବରାଜ, ନା ଦେବରାଜ, କିଏ ସେ ଆମ୍ଭଙ୍କୁ ବର୍ତ୍ତମାନ ଦେଖା ଦେଲେ ? ତୁମ୍ଭେମାନେ ତାହାଙ୍କୁ ପଚାରି ବୁଝ ? ତାହାଙ୍କର ଯାହା ଅଭିଳାଷ ଥାଏ, ତାହା ସେ କହନ୍ତୁ, ଆମ୍ଭେ ତତ୍‌କ୍ଷଣାତ ତାହା ସମ୍ପନ୍ନ କରିବୁ ।୫।

 

ରାଜାଙ୍କ ଆଜ୍ଞା ପ୍ରମାଣେ ସଭାସ୍ଥିତ ଜନମାନେ ଯୁଧିଷ୍ଠିରଙ୍କ ଅନୁଜ ଭୀମସେନଙ୍କ ନିକଟକୁ ଶୀଘ୍ର ଗମନ କରି ରାଜାଙ୍କ ଆଦେଶାନୁରୂପ ପ୍ରଶ୍ନ କଲେ ।୬। ତାହା ଶୁଣି ମହାମନା ପାଣ୍ଡୁନନ୍ଦନ ଅତି ଦୀନ ଭାବରେ ବିନୟାବନତ ହୋଇ ଏକାବେଳକେ ବିରାଟ ନରପତିଙ୍କ ସନ୍ନିଧାନକୁ ଗମନ କଲେ ଓ କହିଲେ, ମହାରାଜ ! ଆମ୍ଭେ ଉତ୍ତମ ବ୍ୟଞ୍ଜନ ପ୍ରସ୍ତୁତକାରୀ ସୂପକାର ଅଟୁଁ । ଆମ୍ଭର ନାମ ବଲ୍ଲବ । ମହାନସର କାର୍ଯ୍ୟ କରିବା ନିମିତ୍ତ ଆପଣ ଆମ୍ଭଙ୍କୁ ଗ୍ରହଣ କରନ୍ତୁ । ବିରାଟ କହିଲେ ! ହେ ମାନବ ! ତୁମ୍ଭେ ଯେ ପାଚକ, ଏହା ଆମ୍ଭର ବିଶ୍ୱାସ ହେଉନାହିଁ । ତୁମ୍ଭେ ଇନ୍ଦ୍ରଙ୍କ ସଦୃଶ୍ୟ ଦିଶୁଅଛ । ଏହି ସଭା ମଧ୍ୟରେ ଯେତେ ଜନ ଅଛନ୍ତି, ତନ୍ମଧ୍ୟରେ ଶୋଭାରେ, ରୂପରେ ଓ ବିକ୍ରମରେ ତୁମ୍ଭଙ୍କୁ ବଳି କେହି ଦିଶୁ ନାହାନ୍ତି । ତୁମ୍ଭେ ରାଜାଙ୍କ ସଦୃଶ୍ୟ ପ୍ରକାଶ ପାଉଅଛ-।୮।

 

ଭୀମ କହିଲେ, ହେ ନରେନ୍ଦ୍ର ! ଆମ୍ଭେ ଆପଣଙ୍କ ପରିଚାରକ ସୂପକାର । ଆମ୍ଭେ ନାନାବିଧ ଉତ୍ତମ ବ୍ୟଞ୍ଜନ ପ୍ରସ୍ତୁତ କରିପାରୁ । ହେ ନୃପତେ ! ପୂର୍ବେ ରାଜା ଯୁଧିଷ୍ଠିର ମଧ୍ୟ ସର୍ବଦା ଆମ୍ଭର ପ୍ରସ୍ତୁତ ବ୍ୟଞ୍ଜନାଦିର ସ୍ୱାଦ ଗ୍ରହଣ କରୁଥିଲେ ।୯। ହେ ପାର୍ଥିବ ! ସୁପକାର କର୍ମରେ ଯେ ଆମ୍ଭେ ନିପୁଣ, ଏହା ନୁହେଁ । ବାହୁଯୁଦ୍ଧରେ ଆମ୍ଭେ ସୁଶିକ୍ଷିତ । ଆମ୍ଭ ସଦୃଶ୍ୟ ବଳବାନ ଓ ଯୁଦ୍ଧକାରୀ ଅତି ବିରଳ । ଅତଏବ ହେ ଅନଘ ! ଆମ୍ଭେ ହସ୍ତୀ ସହିତ ଓ କେଶରୀ ସହିତ ଯୁଦ୍ଧ କରି ସର୍ବଦା ଆପଣଙ୍କର ପ୍ରୀତି ସମ୍ପାଦନ କରିବୁ ।୧୦। ନରପତି ବିରାଟ କହିଲେ, ଆମ୍ଭେ ଅତି ଦୁଃଖିତ ହୋଇ ତୁମ୍ଭର ପ୍ରାର୍ଥନା ପୂରଣ କଲୁଁ । ତୁମ୍ଭେ କହିଲ ଯେ ମହାନସ କର୍ମରେ ତୁମ୍ଭେ ନିପୁଣ, ଏହି ହେତୁରୁ ଆମ୍ଭେ ତୁମ୍ଭଙ୍କୁ ସେହି କର୍ମରେ ନିଯୁକ୍ତ କଲୁଁ । କିନ୍ତୁ ଆମ୍ଭ ଜାଣିବାରେ ସେ କାର୍ଯ୍ୟ ତୁମ୍ଭର ଉପଯୁକ୍ତ ନୁହେଁ । ସାଗରମେଖଳା ଧରଣୀର ଅଧିପତି ହେବାର ତୁମ୍ଭେ ଯୋଗ୍ୟ ପାତ୍ର ଅଟ ।୧୧। କିନ୍ତୁ ତୁମ୍ଭର ଯେପରି ଅଭିଳାଷ, ଆମ୍ଭେ ତଦନୁରୂପେ କାର୍ଯ୍ୟ କଲୁଁ । ଆମ୍ଭ ମହାନସରେ ତୁମ୍ଭେ ସମ୍ପୂର୍ଣ୍ଣ ଅଧିକାର ପ୍ରାପ୍ତ ହେଲ । ସେଠାରେ ପୂର୍ବରୁ ଯେଉଁ ବ୍ୟକ୍ତି ନିଯୁକ୍ତ ହୋଇଅଛନ୍ତି, ସେମାନଙ୍କ ଉପରେ ତୁମ୍ଭେ ଅଧିପତି ସ୍ୱରୂପ ନିଯୁକ୍ତ ହେଲ ।୧୨।

 

ବୈଶମ୍ପାୟନ କହିଲେ, ହେ ରାଜନ୍‌ ! ଭୀମସେନ ଏହି ପ୍ରକାରେ ବିରାଟ ରାଜାଙ୍କ ରନ୍ଧନଶାଳାରେ ନିଯୁକ୍ତ ହୋଇ ତାହାଙ୍କର ଅତି ପ୍ରିୟପାତ୍ର ହୋଇ ବାସ କରିଥିଲେ । ରାଜାଙ୍କର ଯେଉଁ ଅନୁଚର ଥିଲେ, କେହି ତାହାଙ୍କୁ ଚିହ୍ନି ପାରିଲେ ନାହିଁ ।୧୩।

 

ନବମ ଅଧ୍ୟାୟ

 

ବୈଶମ୍ପାୟନ କହିଲେ- ତହିଁ ଉତ୍ତାରୁ ମନ୍ଦହାସିନୀ ଅସିତଲୋଚନା ଦ୍ରୌପଦୀ ଆପଣାର କୁଞ୍ଚିତାଗ୍ର ଦୀର୍ଘ ଓ କୃଷ୍ଣବର୍ଣ୍ଣ, ସୂକ୍ଷ୍ମ ଓ ସୁକୋମଳ କେଶରେ ବେଣୀ ମଡ଼ାଇ ମସ୍ତକର ଦକ୍ଷିଣପାଶକୁ ସେ କେଶକୁ ଉତକ୍ଷେପଣଦ୍ୱାରା ସମ୍ବରଣକଲେ । ତତ୍ପରେ କୃଷ୍ଣବର୍ଣ୍ଣ, ଅତି ମଳିନ କିନ୍ତୁ ବହୁମୂଲ୍ୟ ଖଣ୍ଡିଏ ମାତ୍ର ବସନ ପିନ୍ଧି ନବର ନିକଟରେ ଇତସ୍ତତଃ ସଞ୍ଚରଣ କଲେ ଓ କେହି ପଚାରିଲେ ସେ କହିଲେ ଯେ ସୈରନ୍ଧ୍ରୀ କାର୍ଯ୍ୟ କରିବେ; କିନ୍ତୁ ଲୋକେ ତାହାଙ୍କୁ ଦେଖି ଓ ତାହାଙ୍କର ମଧୁର ବଚନ ଶୁଣି କେହି ବିଶ୍ୱାସ କଲେ ନାହିଁ ଯେ ସେ ଅନାଥିନୀ ହୋଇ ଦାସୀ କାର୍ଯ୍ୟ କରିବେ ।୫। ଦୈବଯୋଗେ ତତ୍କାଳରେ ବିରାଟ ନରପତିଙ୍କ ପାଟରାଣୀ ପ୍ରାସାଦଉପରେ ଭ୍ରମଣ କରୁଥିଲେ । ତାହାଙ୍କର ଚକ୍ଷୁ ଦ୍ରୌପଦୀଙ୍କ ଉପରେ ପଡ଼ିଲା ।୬। ରାଣୀ ଦେଖିଲେ ଯେ ସେ ତାଦୃଶ୍ୟ ରୂପବତୀ, ଅନାଥା ଓ ଏକବସ୍ତ୍ରା ହୋଇ ବୁଲୁଅଛନ୍ତି । ତହୁଁ ତାହାଙ୍କୁ ହକରା କରାଇ କହିଲେ, ଆଗୋ ମା, ତୁମ୍ଭେ କିଏ ? କି କାର୍ଯ୍ୟ କରିବାକୁ ଅଭିଳାଷ କରୁଅଛ ? ହେ ରାଜେନ୍ଦ୍ର ! ଦ୍ରୌପଦୀ ତାହାଙ୍କୁ କହିଲେ, ମୁଁ ସୈରନ୍ଧ୍ରୀ । ମତେ ଯେ ପ୍ରତିପାଳନ କରିବେ, ମୁଁ ତାହାଙ୍କର କାର୍ଯ୍ୟ କରିବି; ଏହି ନିମିତ୍ତ ମୁଁ ଏଠାକୁ ଆଗମନ କରିଅଛି ।

 

ସୁଦେଷ୍ଣା କହିଲେ, ହେ ଭାବିନି ! ତୁମ୍ଭେ ଯେପରି କହୁଅଛ, ତୁମ୍ଭ ସଦୃଶ୍ୟ ରୂପବତୀ ରମଣୀ କଦାପି ସେପରି କାର୍ଯ୍ୟ କରିବାର ଯୋଗ୍ୟା ନୁହେଁ । ତେବେ ବହୁସଂଖ୍ୟକ ଦାସଦାସୀଗଣଙ୍କର ନିଯୋଗକାରିଣୀ ପ୍ରାୟ ତୁମ୍ଭେ ଦୃଶ୍ୟ ହେଉଅଛ ।୯। ତୁମ୍ଭର ଗୃଳ୍‌ଫ(ଗୋଇଠି) ଉନ୍ନତ, ତୁମ୍ଭର ଉରୁଦ୍ୱୟ ପରସ୍ପର ସଂଶ୍ଲିଷ୍ଟ । ତୁମ୍ଭର ବୁଦ୍ଧି, ବାକ୍ୟ ଓ ନାଭି ଗମ୍ଭୀର, ତୁମ୍ଭର ଅଙ୍ଗୁଷ୍ଠ, ନିତମ୍ବ, ସ୍ତନ, ପାଦପୃଷ୍ଠ, ପଦନଖ ଓ ପାଣିତଳ ଏହି ଛଅ ଅବୟବ ଉନ୍ନତ; କରତଳଦ୍ୱୟ, ପାଦତଳଦ୍ୱୟ ଓ ବଦନ ଏହି ପଞ୍ଚାଙ୍ଗ ରକ୍ତବର୍ଣ୍ଣ ଦିଶୁଅଛି । ବାକ୍ୟ ହଂସପ୍ରାୟ ଗୁରୁମଧୁର ।୧୦। କେଶ ଓ ସ୍ତନ ପ୍ରଶଂସନୀୟ, ନିତମ୍ବ ଓ ସ୍ତନଦ୍ୱୟ ସ୍ଥୁଳ, ନେତ୍ରର କେଶ କୁଟିଳ ପ୍ରାୟ, ଓଷ୍ଠଦ୍ୱୟ ବିମ୍ବଫଳପ୍ରାୟ ଶୋଭନୀୟ, କଟିପ୍ରଦେଶ କ୍ଷୀଣ, ଗ୍ରୀବାରେ ତ୍ରିରେଖା ଅଛି । ଅଙ୍ଗ ଶ୍ୟାମଳବର୍ଣ୍ଣ, ଶିରାସବୁ ଅଦୃଶ୍ୟ ଓ ମୁଖ ପୂର୍ଣ୍ଣଚନ୍ଦ୍ର ପ୍ରାୟ ରମଣୀୟ ।

 

କାଶ୍ମୀର ଦେଶୀୟ ତୁରଙ୍ଗମ ପ୍ରାୟ ତୁମ୍ଭେ ବହୁବିଧ ସୁଲକ୍ଷଣସମ୍ପନ୍ନା ଓ ଶୋଭମାନା ହୋଇଅଛ । ଶାରଦୀୟ ପଦ୍ମ ପଲାଶ ପ୍ରାୟ ତୁମ୍ଭର ଲୋଚନ ସୁନ୍ଦର ଦିଶୁଅଛି, ଶାରଦୀୟ ପଦ୍ମଫୁଲର ବାସପ୍ରାୟ ତୁମ୍ଭର ଦେହ ବାସୁଅଛି, ଶରତ୍କାଳର ପଦ୍ମପ୍ରିୟା ଲକ୍ଷ୍ମୀଙ୍କ ସଦୃଶ୍ୟ ତୁମ୍ଭେ ସୁନ୍ଦର ଦିଶୁଅଛ ।୧୩। ଅତଏବ ଗୋ ଭଦ୍ରେ ! ତୁମ୍ଭେ କିଏ କହ କି ? ତୁମ୍ଭେ କୌଣସି ପ୍ରକାରେ ଦାସୀ ହେବାର ଯୋଗ୍ୟା ନୁହ । ତୁମ୍ଭେ ଯକ୍ଷସ୍ତ୍ରୀ, କି ଦେବ-କାମିନୀ, କି ଗନ୍ଧର୍ବୀ, ଅପ୍‌ସରା, ଦେବକନ୍ୟା, ନାଗକନ୍ୟା, କି କୌଣସି ନଗରୀର ଅଧିଷ୍ଠାତ୍ରୀ ଦେବତା ବିଦ୍ୟାଧରୀ, ବା କିନ୍ନରୀ, ଅଥବା ତୁମ୍ଭେ ସ୍ୱୟଂ ରୋହିଣୀ, ତାହା କହ ।୧୫। ତୁମ୍ଭେ କି ଅଳମ୍ବୁଷା, ମିଶ୍ରକେଶୀ, ପୂର୍ଣ୍ଣରୀକା, ମାଳିନୀ, ଇନ୍ଦ୍ରାଣୀ, ବାରୁଣୀ, ବିଶ୍ୱକର୍ମାଙ୍କ ପତ୍ନୀ ଅଥବା ତୁମ୍ଭେ ବ୍ରହ୍ମାଣୀ ? ହେ ଶୁଭେ ! ଦେବଲୋକରେ ଯେଉଁ ସବୁ ଦେବୀ ପ୍ରସିଦ୍ଧ ଅଛନ୍ତି, ତନ୍ମଧ୍ୟରେ ତୁମ୍ଭେ କିଏ ? ସତ୍ୟ କରି କହ ।୧୬।

 

ଦ୍ରୌପଦୀ କହିଲେ, ହେ ଶୁଭ୍ରେ ! ମୁଁ ଦେବୀ କି ଗନ୍ଧର୍ବୀ, ଯକ୍ଷୀ କି ରାକ୍ଷସୀ କେହି ନୁହେଁ; ମୁଁ ସୈରନ୍ଦ୍ରୀ, ଜଣେ ପରିଚାରିକା ଏହି ମାତ୍ର, ଏ କଥା ମୁଁ ସତ୍ୟ ଆପଣଙ୍କୁ କହୁଅଛି ।୧୭। କେଶପାଶରଚନାରେ, ସୁଗନ୍ଧଲେପନରେ ଓ ସୁଗନ୍ଧ ଦ୍ରବ୍ୟ ପେଷଣ କାର୍ଯ୍ୟରେ ମୋର ଅଭିଜ୍ଞତା ଅଛି । ମଲ୍ଲୀ, ଉତ୍ପୋଳ, କମଳ ଓ ଚମ୍ପକ ପ୍ରଭୃତି କୁସୁମମାନଙ୍କ ଦ୍ୱାରା ବିଚିତ୍ର ଶୋଭାନ୍ୱିତ ମାଳାମାନଙ୍କୁ ମୁଁ ପ୍ରସ୍ତୁତ କରିପାରେ । ତହିଁରେ ମୋର ନିପୁଣତା ଅଛି । ପୂର୍ବେ ମୁଁ କୃଷ୍ଣଙ୍କର ପ୍ରେୟସୀ ରାଣୀ ସତ୍ୟଭାମାଙ୍କର ପରିଚାରିକା ଥିଲି । ତତ୍ପରେ କୁରୁବଂଶର ଏକା ଗୋଟିଏ ସୁନ୍ଦରୀ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀଙ୍କର ପରିଚର୍ଯ୍ୟା କରୁଥିଲି । ଉତ୍ତମ ବସନ ଓ ଅଶନଲାଭ ଦ୍ୱାରା ମୁଁ ସର୍ବତ୍ର ଏକାକିନୀ ବିଚରଣ କରେ । ଯେଉଁ ସ୍ଥାନରେ ଯେଉଁ କାଳ ପର୍ଯ୍ୟନ୍ତ ମତେ ଅଶନବସନ ମିଳେ, ତେତେ ଦିନ ମୁଁ ସେଠାରେ ବାସ କରେ ଓ ମୋର ମନ ସେହିଠାରେ ଥାଏ । ତତ୍ପରେ ସ୍ଥାନାନ୍ତର ଗମନ କରେ । ଏହି ହେତୁରୁ ସେ ଦେବୀ ମତେ ମାନିନୀ ନାମ ଦେଇଅଛନ୍ତି । ଗୋ ରାଜମହିଷି ! ସୁଦେଷ୍ଣେ ! ସମ୍ପ୍ରତି ମୁଁ ଆପଣଙ୍କ ଗୃହରେ ରହିବା ନିମିତ୍ତ ଆଗମନ କରିଅଛି ।୨୧।

 

ସୁଦେଷ୍ଣା କହିଲେ, ଯଦି ବିରାଟ ରାଜା ସମ୍ପୂର୍ଣ୍ଣ ପ୍ରଣୟୀ ହୋଇ ତୁମ୍ଭଠାରେ ଆସକ୍ତ ନ ହୁଅନ୍ତି, ତେବେ ମୁଁ କହୁଅଛି ଯେ ତୁମ୍ଭଙ୍କୁ ମଥାରେ ରଖିବି, ଏଥିରେ ସଂଶୟ ନାହିଁ ।୨୨। ରାଜକୁଳକାମିନୀମାନେ ଓ ଆମ୍ଭର ଗୃହଚାରିଣୀ ଏହି ପରିଚାରିକାମାନେ ସୁଦ୍ଧା ଯେଉଁ ସ୍ଥଳେ ତୁମ୍ଭଙ୍କୁ ନିରୀକ୍ଷଣ କରୁଅଛନ୍ତି, ସେତେବେଳେ କେଉଁ ପୁରୁଷ ତୁମ୍ଭଙ୍କୁ ଦେଖି ମୋହିତ ନ ହେବ, ବା ତୁମ୍ଭେ କାହାକୁ ମୋହିତ ନ କରିବ ?୨୩। ଦେଖ, ଆମ୍ଭ ଗୃହରେ ଯେଉଁ ସବୁ ବୃକ୍ଷ ଅଛନ୍ତି, ସେମାନେ ମଧ୍ୟ ତୁମ୍ଭଙ୍କୁ ନମସ୍କାର କଲାପ୍ରାୟ ଜଣାଯାଉଅଛି । ଉଦ୍ଭିଦମାନଙ୍କର ତ ଏପରି ଦଶା, କେଉଁ ପୁରୁଷମାନଙ୍କୁ ଅବା ତୁମ୍ଭେ ମୋହିତ ନ କରିବ ?୨୪। ହେ ନାରୀ ! ରତ୍ନସୁଶ୍ରୋଣି ! ବିରାଟ ନରପତି ତୁମ୍ଭର ଏହି ଅମାନୁଷ ରୂପଲାବଣ୍ୟ ଦେଖି ମତେ ପରିତ୍ୟାଗ କରି ସମ୍ପୂର୍ଣ୍ଣ ଶ୍ରଦ୍ଧାପୂର୍ବକ ତୁମ୍ଭ ପ୍ରତି ଆସକ୍ତ ହୋଇ ପାରନ୍ତି ।୨୫। ହେ ତରଳାୟତ ନୟନେ ! ଅନିନ୍ଦିତାଙ୍ଗି ! ତୁମ୍ଭେ ଆସକ୍ତ ଚିତ୍ତରେ ଯେଉଁ ପୁରୁଷକୁ ଥରେ ଚାହିଁଦେବ, ସେ ଅବଶ୍ୟ କୁସୁମଶରର ବଶୀଭୂତ ହେବ ।୨୬। ହେ ସର୍ବାଙ୍ଗସୁନ୍ଦରୀ ! ଚାରୁହାସିନି ! ଯେଉଁ ବ୍ୟକ୍ତି ସର୍ବଦା ତୁମ୍ଭଙ୍କୁ ନିରୀକ୍ଷଣ କରିବେ, ତାହାଙ୍କ କଥା ଅବା କି କହିବା ? ଅତଏବ ହେ ଶୁଚିସ୍ମିତେ ! ମନୁଷ୍ୟ ଯେପରି ନିଜେ ମରିବ ବୋଲି ଗଛରେ ଚଢ଼େ, କାକୁଡ଼ି ଯେପରି ଫାଟିବ ବୋଲି ମଞ୍ଜି ଧରେ ସେହିପରି ତୁମ୍ଭଙ୍କୁ ଏହି ରାଜଭବନରେ ଆଶ୍ରୟ ଦେଲେ ମୋର ନିଜର ବିନାଶ ଘଟିବ ।୨୯।

 

ଦ୍ରୌପଦୀ କହିଲେ, ହେ ଭାବନି ! ମତେ ନେବାକୁ ବିରାଟ ରାଜାଙ୍କର ସାଧ୍ୟ ନାହିଁ, କି ଅନ୍ୟ କାହାରି ସାଧ୍ୟ ନାହିଁ । ଯେ ହେତୁରୁ ମହାବଳୀ ଗନ୍ଧର୍ବରାଜଙ୍କର ପଞ୍ଚଯୁବା ପୁତ୍ର ମୋର ସ୍ୱାମୀ ଅଟନ୍ତି, ସେମାନେ ମତେ ସର୍ବଦା ରକ୍ଷା କରିଥାନ୍ତି ସୁତରାଂ ମୋ ପ୍ରତି କେହି ମନ୍ଦାଚରଣ କରି ନ ପାରନ୍ତି ।୩୧। ଯେ ଆମ୍ଭଙ୍କୁ ଉଚ୍ଛିଷ୍ଟ ଖାଇବାକୁ ନ ଦିଅନ୍ତି ଓ ଆମ୍ଭଦ୍ୱାରା ପାଦ ପ୍ରକ୍ଷାଳନ ନ କରାନ୍ତି, ସେମାନଙ୍କ ନିକଟରେ ମୁଁ ରହିଲେ ମୋର ପତିମାନେ ସନ୍ତୁଷ୍ଟ ଥାନ୍ତି ।୩୨। ଯେଉଁ ପୁରୁଷ ମତେ ଅପରାପର ସାମାନ୍ୟ ନାୟିକା ପ୍ରାୟ ଜ୍ଞାନ କରି ମତେ ଲାଭ କରିବାର ବାଞ୍ଛା କରନ୍ତି, ସେ ସେହି ରାତ୍ରିରେ ଯମାଳୟକୁ ଗମନ କରନ୍ତି ।୩୩। ହେ ଶୁଚିସ୍ମିତେ ! ଅଙ୍ଗନେ ! ଆମ୍ଭର ପ୍ରିୟତମ ଗନ୍ଧର୍ବମାନେ ଅତିଶୟ ବଳବନ୍ତ, ସମସ୍ତେ ଅତିଶୟ ଦୁଃଖ ସହି ପାରନ୍ତି । ସେମାନେ ପ୍ରଚ୍ଛନ୍ନ ଭାବରେ ଥାଇ ଆମ୍ଭଙ୍କୁ ସର୍ବଦା ରକ୍ଷା କରୁଥାନ୍ତି । ଅତଏବ କୌଣସି ବ୍ୟକ୍ତି ଆମ୍ଭପ୍ରତି ଆସକ୍ତ ହୋଇପାରିବ ନାହିଁ କି ଆମ୍ଭଙ୍କୁ ଦେଖି ଲୋଭ କରିପାରିବ ନାହିଁ ।

 

ସୁଦେଷ୍ଣା କହିଲେ, ତୁମ୍ଭ କଥା ଶୁଣି ଆମ୍ଭର ଆନନ୍ଦ ହେଉଅଛି । ତୁମ୍ଭେ ଯାହା କହିଲ, ସେପରି ହେଲେ ଆମ୍ଭେ ତୁମ୍ଭଙ୍କୁ ଇଚ୍ଛାନୁସାରେ ରଖିପାରିବୁଁ । ଆମ୍ଭ ନିକଟରେ ରହିବ, କାହାରି ଉଚ୍ଛିଷ୍ଟ ସ୍ପର୍ଶ କରିବ ନାହିଁ କି କାହାରି ଗୋଡ଼ ଧୋଇ ଦେବ ନାହିଁ । ବୈଶମ୍ପାୟନ କହିଲେ, ହେ ଜନ୍ମେଜୟ ! ପତିଧର୍ମପରାୟଣା କୃଷ୍ଣା ବିରାଟ ମହିଷୀଙ୍କ ଆଶ୍ୱାସନା ପାଇ ସେହି ନଗରରେ ବାସ କରିଥିଲେ । କୌଣସି ବ୍ୟକ୍ତି ତାହାଙ୍କୁ କିଏ ବୋଲି ଚିହ୍ନିପାରିଲେ ନାହିଁ ।୩୫।

 

ଦଶମ ଅଧ୍ୟାୟ

 

ବୈଶମ୍ପାୟନ କହିଲେ- ତଦନନ୍ତର ସହଦେବ ଅତି ଉତ୍ତମ ଗଉଡ଼ ବେଶ ଧରି ଗଉଡ଼ଙ୍କ ପ୍ରାୟ କଥା କହି, ରାଜଭବନ ନିକଟବର୍ତ୍ତୀ ଗୋଷ୍ଠପାଖରେ ପ୍ରବିଷ୍ଟ ହେଲେ । ମତ୍ସ୍ୟରାଜ ସେହି ତେଜସ୍ୱୀ ବ୍ୟକ୍ତିଙ୍କୁ ସୁଖରେ ଛିଡ଼ା ହେବାର ଦେଖି ବିସ୍ମୟାପନ୍ନ ହୋଇ ରାଜପୁରୁଷମାନଙ୍କଦ୍ୱାରା ପାଖକୁ ଡକରା କରାଇ ତାହାଙ୍କୁ ପଚାରିଲେ ।୩।, ହେ ନରବର ! ପୂର୍ବେ ଆମ୍ଭେ ତୁମ୍ଭଙ୍କୁ କଦାପି ଦେଖିନାହୁଁ । ଅତଏବ ତୁମ୍ଭଙ୍କୁ ପଚାରୁଅଛୁ, ତୁମ୍ଭେ କାହାର ଲୋକ, କେଉଁଠାରୁ ଆସିଲ ? କି କର୍ମ କରିବାକୁ ତୁମ୍ଭର ମନ ହେଉଅଛି ? ଏହା ଶୁଣି ଶତ୍ରୁତାପନ ବିରାଟ ରାଜାଙ୍କର ନିକଟବର୍ତ୍ତୀ ହୋଇ ସହଦେବ ଗମ୍ଭୀର ସ୍ୱରରେ କହିଲେ, ମହାରାଜ ! ଆମ୍ଭେ ବୈଶ୍ୟ ଜାତି ! ଆମ୍ଭର ନାମ ଅରିଷ୍ଟନେମି; ପୂର୍ବେ ଆମ୍ଭେ କୁରୁବର ପାଣ୍ଡବଗଣଙ୍କର ଗୋରକ୍ଷକ ଥିଲୁ । ସମ୍ପ୍ରତି ସେହି ରାଜସିଂହ ପାଣ୍ଡବମାନେ କାହିଁ ଗଲେ, ଆମ୍ଭଙ୍କୁ ଜଣାନାହିଁ । ବିନା କର୍ମରେ ଆମ୍ଭର ଜୀବିକା ନିର୍ବାହ ହେବା କଠିନ ବୋଧ କରି ମହାରାଜାଙ୍କ ଛଡ଼ା ଆଉ କାହାରି ପ୍ରତି ଆମ୍ଭର ରୁଚି ନ ହେବାରୁ ଆପଣଙ୍କ ନିକଟରେ ବାସ କରିବାକୁ ଆମ୍ଭର ଅଭିଳାଷ ହୋଇଅଛି ।୬।

 

ବିରାଟ କହିଲେ, ତୁମ୍ଭେ ଶତ୍ରୁହନ୍ତା ପ୍ରାୟ ଜଣାଯାଉଅଛ । ବୈଶ୍ୟ କର୍ମ କରିବା ପ୍ରାୟ ତୁମ୍ଭଙ୍କୁ ବୋଧ ହେଉନାହିଁ । ହୁଏତ ତୁମ୍ଭେ ବ୍ରାହ୍ମଣ, ନ ହେଲେ କ୍ଷତ୍ରିୟ ହେବ । ତୁମ୍ଭର ଆକୃତିରୁ ବୋଧ ହେଉଅଛି ଯେ, ତୁମ୍ଭେ ସସାଗରା ପୃଥ୍ୱୀର ଅଧିପତି ହେବାର ଯୋଗ୍ୟ । ଅତଏବ ଯଥାର୍ଥରୂପେ ପରିଚୟ ପ୍ରଦାନ କର । ତୁମ୍ଭେ କେଉଁ ରାଜାଙ୍କ ରାଜ୍ୟରୁ ଏଠାକୁ ଆଗମନ କରିଅଛ-? କେଉଁ ଶିଳ୍ପ କର୍ମରେ ତୁମ୍ଭର ଅଭିଜ୍ଞତା ଅଛି ? ଆମ୍ଭ ନିକଟରେ ରହି ତୁମ୍ଭେ କି କର୍ମ କରିବ-? ତୁମ୍ଭେ କେତେ ବେତନ ନେବ ? ସମୁଦାୟ କଥା କହିବ । ସହଦେବ କହିଲେ, ହେ ମନୁଜେନ୍ଦ୍ର-! ପାଣ୍ଡୁରାଜାଙ୍କର ପଞ୍ଚପୁତ୍ର ମଧ୍ୟରେ ଜ୍ୟେଷ୍ଠ ଯୁଧିଷ୍ଠିରଙ୍କର ଆଠଲକ୍ଷ ଗୋଯୁଥ ଥିଲେ । ତନ୍ମଧ୍ୟରେ କୌଣସି ଯୁଥରେ ଏକ ଲକ୍ଷ, କାହିଁରେ ଅବା ଦୁଇଲକ୍ଷ ଗୋଧନ ଥା’ନ୍ତି । ଆମ୍ଭେ ସେହି ସମୁଦାୟ ଯୁଥର ରକ୍ଷକ ଥିଲୁ । ଲୋକେ ଆମ୍ଭଙ୍କୁ ‘ତନ୍ତ୍ରୀପାଳ’ ବୋଲି ଡାକୁଥିଲେ ।୧୦।

 

ହେ ରାଜନ୍‌ ! ଦଶଯୋଜନ ମଧ୍ୟରେ ଯେତେ, ଗୋରୁ ଆସିଲେ, ଯେତେ ନ ଆସିଲେ, ସେମାନଙ୍କର ସଂଖ୍ୟା ମତେ ଅଜଣା ନ ଥାଏ ।୧୧। ସେହି ମହାତ୍ମା ଯୁଧିଷ୍ଠିର ଆମ୍ଭର ଗୁଣସବୁ ଜାଣି ଆମ୍ଭ ପ୍ରତି ସନ୍ତୁଷ୍ଟ ଥିଲେ । ଯେଉଁ ଉପାୟ ଦ୍ୱାରା ଅଳ୍ପ ସମୟରେ ଗୋରୁଙ୍କ ସଂଖ୍ୟା ଅଧିକ ହୁଏ, ତାହା ଆମ୍ଭଙ୍କୁ ଜଣାଅଛି । ଯେଉଁ ଉପାୟରେ ସେମାନଙ୍କର ରୋଗ ନ ହୁଏ, ତାହା ମଧ୍ୟ ଆମ୍ଭଙ୍କୁ ଜଣାଅଛି । ଆହୁରି ବୃଷଭମାନଙ୍କ ମଧ୍ୟରୁ କେତେକ ସୁଲକ୍ଷଣ ବୃଷଭ ଅଛନ୍ତି, ଯେ ତାହାଙ୍କର ମୂତ୍ର ଆଘ୍ରାଣ କଲେ ବନ୍ଧ୍ୟା ନାରୀଙ୍କର ମଧ୍ୟ ସନ୍ତାନ ଉତ୍ପତ୍ତି ହୁଏ । ସେହି ବୃଷଭଙ୍କୁ ଆମ୍ଭେ ଚିହ୍ନିପାରୁ । ହେ ରାଜନ୍ ! ଏହି ସବୁ ଶିଳ୍ପ କାର୍ଯ୍ୟ ଆମ୍ଭଙ୍କୁ ଜଣାଅଛି ।୧୪।

 

ବିରାଟ କହିଲେ, ଆମ୍ଭର ପଶୁଶାଳାରେ ଭିନ୍ନ ଭିନ୍ନ ବର୍ଗର ନିର୍ଦ୍ଧାରିତ ଲକ୍ଷେ ଗୋଧନ ଅଛନ୍ତି । ସେମାନଙ୍କର ରକ୍ଷକ ସହିତ ସମଗ୍ର ପଶୁଙ୍କୁ ଅଦ୍ୟାବଧି ତୁମ୍ଭେ ପାଳନ କରିବ ।୧୫। ବୈଶମ୍ପାୟନ କହିଲେ, ଏହିପରି ଆଦରପୂର୍ବକ ବିରାଟ ରାଜାଙ୍କ ଅଧିକାରରେ ନିଯୋଜିତ ହୋଇ ସହଦେବ ଇଚ୍ଛାନୁସାରେ ବସନଭୂଷଣ ପିନ୍ଧି ଅନ୍ନପାନାଦି ଲାଭ କରି ଗୋପନ ଭାବରେ ସ୍ୱଚ୍ଛନ୍ଦରେ କାଳାତିପାତ କରିଥିଲେ ।୧୬।

 

ଅଧ୍ୟାୟ – ୧୧

 

ବୈଶମ୍ପାୟନ କହିଲେ- ତଦନନ୍ତର ସ୍ତ୍ରୀମାନଙ୍କ ଭୂଷଣ ପିନ୍ଧି ପରମ ରୂପସମ୍ପନ୍ନ ଆଉ ଗୋଟିଏ ମହାକାୟ ଦୀର୍ଘବାହୁ ପୁରୁଷ କୁଣ୍ଡଳଯୁଗଳ, ଶଙ୍ଖବଳୟ ଓ ଉତ୍କୃଷ୍ଟ ବାଜୁବନ୍ଧ୍ୱାରା ବିଭୂଷିତ ହୋଇ ରାଜଭବନ ପ୍ରାଚୀର ନିକଟରେ ଦେଖାଦେଲେ । ତାହାଙ୍କର ଦୀର୍ଘ କେଶ ମସ୍ତକର ଚତୁଃପାର୍ଶ୍ୱରେ ଲମ୍ବିତ ହେଉଥାଏ । ଅଥଚ ବୋଧ ହେଉଥାଏ ଯେ ସେ ମତ୍ତମାତଙ୍ଗ ପ୍ରାୟ ବିକ୍ରମବତୀ । ଏହିପରି ଭାବରେ ସେ ବିରାଟ ରାଜାଙ୍କ ସନ୍ନିହିତ ହୋଇ ସଭା ସମୀପରେ ଦଣ୍ଡାୟମାନ ହେଲେ ।୨। ଏହି ତେଜସ୍ୱୀ, ଶତ୍ରୁତାପନ, ଗଜେନ୍ଦ୍ରବିକ୍ରମ, ଇନ୍ଦ୍ରଙ୍କ ପୁତ୍ରଙ୍କୁ ସଭାତଳେ ସମାଗତ ହୋଇଥିବାର ଦେଖି ମତ୍ସ୍ୟାଧିପତି ପାରିଷଦବର୍ଗଙ୍କୁ ପଚାରିଲେ, ଏହି ଅଶ୍ରୁତପୂର୍ବ ପୁରୁଷଟି କେଉଁଠାରୁ ଆସିଅଛନ୍ତି ? ସଭାସ୍ଥିତ ଜନମାନେ ଉତ୍ତର ଦେଲେ ଯେ ସେମାନେ ତାହାଙ୍କୁ ଚିହ୍ନନ୍ତି ନାହିଁ । ତହୁଁ ସେ ରାଜା ବିସ୍ମିତ ହୋଇ କହିଲେ ।୪।, ତୁମ୍ଭେ ସତ୍ତ୍ୱସମ୍ପନ୍ନ ଅମର ସଦୃଶ୍ୟ ଶ୍ୟାମବର୍ଣ୍ଣ ଯୁବାପୁରୁଷ, ସୁନ୍ଦର ଶଙ୍ଖର ବଳୟ, ସୁବର୍ଣ୍ଣର ଅଙ୍ଗଦ ଓ କୁଣ୍ଡଳ ପରିଧାନ କରିଅଛ; ମସ୍ତକରେ ବେଣୀ ଖୋଲି ଦେଇଅଛ ।୫। ତଥାପି ତୁମ୍ଭେ ମାଳାଧାରୀ, ସୁକେଶୀ, ବସ୍ତ୍ରଦ୍ୱୟ ପରିଧାନକାରୀ, ଶର ଓ ଧନୁର୍ଦ୍ଧାରୀ କବଚୀପ୍ରାୟ ଦୃଶ୍ୟ ହେଉଅଛ । ଆମ୍ଭେ ବୃଦ୍ଧ ହେବାରୁ ରାଜ୍ୟ ପରିତ୍ୟାଗ କରିବାର ଅଭିଳାଷ କରୁଅଛୁଁ । ଅତଏବ ତୁମ୍ଭେ ଆମ୍ଭର ପୁତ୍ରସମ ହୋଇ ଯାନାରୋହଣ କରି ବିଚରଣ କର ଓ ଏହି ମତ୍ସ୍ୟରାଜ୍ୟକୁ ପରିପାଳନ କର । ଏପରି ପୁରୁଷ କଦାପି କ୍ଳୀବ ହୁଅନ୍ତି ନାହିଁ । ମନ ମଧ୍ୟରେ ଆମ୍ଭେ ଏହି ପ୍ରାୟ ବୋଧ କରୁଅଛୁ ।୭।

 

ଅର୍ଜ୍ଜୁନ ବୋଇଲେ, ମହାରାଜ ! ମୁଁ ଗାୟନ କରିପାରେ, ନୃତ୍ୟ କରିବା ଓ ବାଦ୍ୟ ବଜାଇ ଜାଣେ । ନୃତ୍ୟ କରିବାରେ ଓ ଗୀତରେ ମୁଁ କୁଶଳୀ । ଅତଏବ ଆପଣ ମତେ ରାଜକନ୍ୟାଙ୍କଠାରୁ ସମର୍ପଣ କରନ୍ତୁ, ମୁଁ ସେ ଦେବୀଙ୍କର ନର୍ତ୍ତକ ହେବି ।୮। ଯେଉଁ କର୍ମ କରିବାରୁ ମୋର ଏପରି ଦଶା ହୋଇଅଛି, ତାହା କହିବାର ପ୍ରୟୋଜନ ନାହିଁ । କହିଲେ ଆମ୍ଭର କେବଳ ଶୋକବୃଦ୍ଧି ହେବ । ଅତଏବ ହେ ନରଦେବ ! ତୁମ୍ଭର ଯେପରି ଇଚ୍ଛା ହୁଏ, ମତେ ସୁତ ଅଥବା ସୁତା ବୋଲି ଜାଣନ୍ତୁ । ମୋର ପିତାମାତା କେହି ନାହାନ୍ତି ।୯। ତାହା ଶୁଣି ବିରାଟ ରାଜା କହିଲେ, ହେ ବୃହନ୍ନଳେ ! ତୁମ୍ଭେ ଯେଉଁ ବର ମାଗିଲ, ମୁଁ ତୁମ୍ଭଙ୍କୁ ତାହା ଦେଲି । ଆମ୍ଭର କନ୍ୟା ଉତ୍ତରା ଓ ଅନ୍ୟାନ୍ୟ କୁମାରୀମାନଙ୍କୁ ତୁମ୍ଭେ ନୃତ୍ୟ ଶିଖାଅ । ଆମ୍ଭ ବିଚାରରେ ଏ କର୍ମ ତୁମ୍ଭର ଉପଯୁକ୍ତ ନୁହେଁ । ବାସ୍ତବରେ ତୁମ୍ଭେ ଏହି ସସାଗରା ପୃଥିବୀର ରାଜା ହେବାର ଯୋଗ୍ୟ ଅଟ ।୧୦।

 

ବୈଶମ୍ପାୟନ ବୋଇଲେ, ବିରାଟ ରାଜା ଦେଖିଲେ ଯେ ବୃହନ୍ନଳାଙ୍କର ନୃତ୍ୟଗୀତ ଓ ବାଦ୍ୟ ପ୍ରଭୃତି କଳାରେ ବିଶେଷ ନିପୁଣତା ଅଛି । ତହୁଁ ସେ ମନ୍ତ୍ରୀବର୍ଗଙ୍କ ସହିତ ପରାମର୍ଶ କରି, ଅପରାପର ନାରୀମାନଙ୍କ ଦ୍ୱାରା ପରୀକ୍ଷା କରାଇ ତାହାଙ୍କୁ ନିଶ୍ଚୟ ନପୁଂସକ ବୋଲି ସ୍ଥିର କରି ଉତ୍ତରାଙ୍କ ପୁରକୁ ପ୍ରେରଣ କଲେ । ମହାପ୍ରଭାବଶାଳି ପାଣ୍ଡୁନନ୍ଦନ ଧନଞ୍ଜୟ ଏହିପରି ବିରାଟତନୟା ଉତ୍ତରାଙ୍କୁ ଓ ତାହାଙ୍କର ସଙ୍ଗିନୀ ପରିଚାରିକାଗଣଙ୍କୁ ଗୀତ ଓ ବାଦ୍ୟ ଶିକ୍ଷା ପ୍ରଦାନ କଲେ ଓ ଅଳ୍ପକାଳ ମଧ୍ୟରେ ସେମାନଙ୍କର ପ୍ରିୟପାତ୍ର ହେଲେ ।୧୩। ଏହି ପ୍ରକାର ଛଦ୍ମବେଶରେ ଅର୍ଜ୍ଜୁନ ସେହି କୁମାରୀମାନଙ୍କର ପ୍ରିୟପାତ୍ର ଓ ଜିତେନ୍ଦ୍ରିୟ ହୋଇ ସେମାନଙ୍କ ସହିତ ବାସ କରିଥିଲେ । ଅର୍ଜ୍ଜୁନ ଯେ ଏପରି ହୋଇ ରହିଥିଲେ, ଏ କଥା ଅନ୍ତଃପୁରସ୍ଥ ଅଥବା ବହିଃସ୍ଥ ଜନ କେହି ଜାଣିପାରି ନ ଥିଲେ ।୧୪।

 

ଅଧ୍ୟାୟ – ୧୨

 

ବୈଶମ୍ପାୟନ କହିଲେ- ତଦନନ୍ତର ପ୍ରଭାବସମ୍ପନ୍ନ ଅପର ପାଣ୍ଡୁନନ୍ଦନ ବିରାଟ ନରପତିଙ୍କ ସମ୍ମୁଖକୁ ସତ୍ୱର ଆଗମନ କରିବାର ଦେଖାହେଲା । ଆଗମନବେଳେ ଲୋକେ ତାହାଙ୍କୁ ମେଘ ନିର୍ମୁକ୍ତ ସୂର୍ଯ୍ୟଙ୍କ ସଦୃଶ୍ୟ ବୋଧ କଲେ ।୧। ସେ ଯାଇ ଇତସ୍ତତଃ ଅଶ୍ୱମାନଙ୍କୁ ନିରୀକ୍ଷଣ କରୁଥିଲେ । ତାହାଙ୍କୁ ଦେଖି ନରେଶ୍ୱର ମତ୍ସ୍ୟରାଜ ଅନୁଚରଗଣଙ୍କୁ ଚାହିଁ କହିଲେ, ଆଉ ଗୋଟିଏ ଦେବସମ ପୁରୁଷ କେଉଁଠାରୁ ଆସି ଆମ୍ଭର ଘୋଟକମାନଙ୍କୁ ନିରୀକ୍ଷଣ କରୁଅଛନ୍ତି ? ବୋଧହୁଏ, ଏ ଅଶ୍ୱତତ୍ତ୍ୱଜ୍ଞ ଅଟନ୍ତି । ଯାହା ହେଉ ତାହାଙ୍କୁ ଆମ୍ଭ ନିକଟକୁ ଆଣ, ଯେହେତୁ ସେହି ବୀର ପୁରୁଷ ଦେବଙ୍କ ପ୍ରାୟ ଶୋଭା ପାଉଅଛନ୍ତି ।୩। ଶତ୍ରୁହନ୍ତା ନକୁଳ ରାଜାଙ୍କ ନିକଟକୁ ଗମନ କରି କହିଲେ, ମହାରାଜ ! ଆପଣଙ୍କର ଜୟ ଓ ମଙ୍ଗଳ ହେଉ । ମୁଁ ଜଣେ ରାଜସମ୍ମତ ଅଶ୍ୱତତ୍ତ୍ୱଜ୍ଞାତା; ଆପଣଙ୍କର ଅଶ୍ୱସୂତ ହେବାକୁ ଇଚ୍ଛା କରେ ।୪। ନୃପତି ବିରାଟ କହିଲେ, ଆମ୍ଭେ ତୁମ୍ଭଙ୍କୁ ଯାନ, ଧନ ଓ ବାସୋପଯୋଗୀ ସ୍ଥାନ ପ୍ରଦାନ କରୁଅଛୁ । ତୁମ୍ଭେ ଆମ୍ଭର ଅଶ୍ୱସୂତ ହୋଇ ରହ, ତୁମ୍ଭେ ତହିଁର ଯୋଗ୍ୟ ପାତ୍ର । କିନ୍ତୁ ତୁମ୍ଭେ କହ, କେଉଁଠାରୁ ଆଗମନ କଲ । କାହା ଅଧିକାରରେ ଥିଲ ? କେଉଁ ଶିଳ୍ପକର୍ମରେ ତୁମ୍ଭର ନିପୁଣତା ଅଛି ? ସମୁଦାୟ ଯଥାର୍ଥ କରି କହ ।୫।

 

ନକୁଳ କହିଲେ, ହେ ଶତ୍ରୁକର୍ଷଣ ! ପୂର୍ବେ ଆମ୍ଭେ ପାଣ୍ଡବଜ୍ୟେଷ୍ଠ ଯୁଧିଷ୍ଠିରଙ୍କର ଅଶ୍ୱାଧ୍ୟକ୍ଷ ଥିଲୁଁ ।୬। ତୁରଙ୍ଗମାନଙ୍କର ସ୍ୱଭାବପରୀକ୍ଷା, ଶିକ୍ଷା, ଚିକିତ୍ସା ଓ ଦୁଷ୍ଟ ଅଶ୍ୱମାନଙ୍କର ଦୋଷନିରାକରଣ କରିବାରେ ଆମ୍ଭର ବିଶେଷ ନିପୁଣତା ଅଛି ।୭। ବାହନମାନଙ୍କୁ ଆମ୍ଭେ ଏପରି କୌଶଳରେ ଚାଳିତ କରିପାରୁଁ ଯେ ସେମାନେ କଦାପି କାତର ହୁଅନ୍ତି ନାହିଁ । ଅଶ୍ୱଙ୍କର କଥା ତେଣିକି ଥାଉ, ଆମ୍ଭ ସାକ୍ଷାତରେ ଗୋଟିଏ ଘୋଟକୀ ସୁଦ୍ଧା ଦୁଷ୍ଟପଣ କରି ନ ପାରେ । ରାଜା ଯୁଧିଷ୍ଠିର ଓ ଅନ୍ୟାନ୍ୟ ସମସ୍ତେ ଆମ୍ଭଙ୍କୁ ଗ୍ରନ୍ଥିକ ବୋଲି ସମ୍ବୋଧନ କରୁଥିଲେ ।୮। ମତ୍ସ୍ୟରାଜ କହିଲେ, ଆମ୍ଭର ଯେତେ ଅଶ୍ୱ, ଅଶ୍ୱଯୋଜକ ଓ ସାରଥିମାନେ ଅଛନ୍ତି, ଅଦ୍ୟାବଧି ସେମାନେ ସମସ୍ତେ ତୁମ୍ଭ ଅଧୀନରେ ନିଯୁକ୍ତ ହେଲେ ।୯। କିନ୍ତୁ ହେ ଅମରୋପମ ! ତୁମ୍ଭେ ସର୍ବଦା ନରେନ୍ଦ୍ର ପ୍ରାୟ ଦୃଶ୍ୟ ହେଉଅଛ । ଅତଏବ ଆମ୍ଭ ବିବେଚନାରେ ଈଦୃଶ ହୀନ କର୍ମ ତୁମ୍ଭର ଉପଯୁକ୍ତ ନୁହେଁ । ଯଦି ତୁମ୍ଭର ଏପରି କାର୍ଯ୍ୟରେ ଅଭିଳାଷ ଥାଏ, ତେବେ କି ବେତନ ନେବ କହ ।୧୦। ଯୁଧିଷ୍ଠିରଙ୍କୁ ଦେଖି ଆମ୍ଭର ଯାଦୃଶ୍ୟ ହର୍ଷ ଜାତ ହେଉଥିଲା, ତୁମ୍ଭଙ୍କୁ ଦେଖି ମଧ୍ୟ ସେହିପରି ଆନନ୍ଦ ଜାତ ହେଉଅଛି । ହାୟ ! କି ଦୁଃଖର ବିଷୟ, ସମ୍ପ୍ରତି ଭୃତ୍ୟାଦିବିହୀନ ହୋଇ ସେହି ଯୁଧିଷ୍ଠିର କିପରି ଅରଣ୍ୟ ମଧ୍ୟରେ ବାସ କରୁଥିବେ ଟି ! କିପରି ତାହାଙ୍କର ମନ ସେଠାରେ ରତ ହେଉଥିବଟି ।

 

ବୈଶମ୍ପାୟନ କହିଲେ, ଗନ୍ଧର୍ବରାଜସଦୃଶୀ ସେହି ଯୁବାପୁରୁଷ ନକୁଳ ତାଦୃଶ୍ୟ ସମାଦୃତ ହୋଇ ବିରାଟ ରାଜ୍ୟରେ ଆହ୍ଲାଦପୂର୍ବକ ମତ୍ସ୍ୟରାଜବଂଶଦ୍ୱାରା ଗୃହୀତ ହୋଇ ଛଦ୍ମବେଶରେ ସ୍ୱଚ୍ଛନ୍ଦରେ ବସତି କଲେ । ସେହି ଅଜ୍ଞାତବାସ ମଧ୍ୟରେ କେହି ତାହାଙ୍କୁ ଚିହ୍ନି ପାରିଲେ ନାହିଁ ।୧୨। ହେ ଜନ୍ମେଜୟ ! ସସାଗରା ବସୁନ୍ଧରାର ପତି ହୋଇ ସୁଦ୍ଧା ପାଣ୍ଡୁନନ୍ଦନମାନେ ସ୍ୱକୃତ ପ୍ରତିଜ୍ଞାନୁସାରେ ବିଷମ ଦୁଃଖରେ ପତିତ ହୋଇ ଏହି ପ୍ରାୟ ପ୍ରଚ୍ଛନ୍ନ ବେଶରେ ମତ୍ସ୍ୟଦେଶରେ ଅବସ୍ଥାନ କଲେ ଓ କଥଞ୍ଚିତ୍ କାଳାତିପାତ କଲେ ।୧୩।

 

ଅଧ୍ୟାୟ – ୧୩

 

ଜନ୍ମେଜୟ ପଚାରିଲେ- ହେ ଦ୍ୱିଜ ! ମହାବୀର୍ଯ୍ୟ ପାଣ୍ଡୁନନ୍ଦନମାନେ ମତ୍ସ୍ୟ ନଗରରେ ଏହିରୂପେ ପ୍ରଚ୍ଛନ୍ନ ଭାବରେ ରହିବା ପରେ କି କର୍ମ କଲେ ତାହା କହିବା ହେଉନ୍ତୁ ।୧। ବୈଶମ୍ପାୟନ କହିଲେ, କୁରୁନନ୍ଦନମାନେ ଗୋପନ ବେଶରେ ମତ୍ସ୍ୟରାଜଙ୍କର ସେବା କରି ମହର୍ଷି ତୃଣବିନ୍ଦୁ ଧର୍ମରାଜଙ୍କ ପ୍ରସାଦରୁ ବିରାଟ ନଗରରେ ଯେପରି ଅଜ୍ଞାତବାସରେ ଥିଲେ ଓ ଯେଉଁ ଯେଉଁ କର୍ମ କରିଥିଲେ, ତାହା କହୁଅଛୁ ଶ୍ରବଣ କରନ୍ତୁ ।୩।

 

ପୁରୁଷପ୍ରଧାନ ଧର୍ମରାଜ ଯୁଧିଷ୍ଠିର ସଭାସଦ ହୋଇ ସପୁତ୍ର ବିରାଟରାଜ ଓ ବିରାଟଦେଶୀୟ ଜନମାନଙ୍କର ମଧ୍ୟ ପ୍ରିୟପାତ୍ର ହୋଇଥିଲେ ।୪। ତାହାଙ୍କର ବିଦ୍ୟାରେ ଅସାଧାରଣ ନିପୁଣତା ଥିବାରୁ ଚଢ଼େଇ ଗୋଡ଼ରେ ଦଉଡ଼ି ବାନ୍ଧି ଖେଳାଇଲା ପ୍ରାୟ ବିରାଟ ରାଜା ଓ ତାହାଙ୍କର ସଭ୍ୟମାନଙ୍କୁ ସମସ୍ତଙ୍କୁ ଇଚ୍ଛାନୁସାରେ କ୍ରୀଡ଼ା କରାନ୍ତି ।୫। କ୍ରୀଡ଼ା କରି ସେ ଯାହା ଅର୍ଥ ଲାଭ କରନ୍ତି, ତାହା ସେ ରାଜାଙ୍କ ଅଗୋଚରରେ ନିଜର ଭ୍ରାତାମାନଙ୍କୁ ଯାହାଙ୍କୁ ଯେପରି ଦେଖନ୍ତି, ସେହିପରି ଦାନ କରନ୍ତି । ମତ୍ସ୍ୟରାଜ ଯେଉଁସବୁ ମାଂସ ଓ ଖାଦ୍ୟଦ୍ରବ୍ୟ ଭୀମସେନଙ୍କୁ ଦେଇଥାନ୍ତି, ତାହାର କିୟଦଂଶ ସେ ଯୁଧିଷ୍ଠିରଙ୍କଠାରୁ ମୂଲ୍ୟ ନେଇ ତାହାଙ୍କୁ ବିକ୍ରୟ କରନ୍ତି ।୭। ଅନ୍ତଃପୁରରୁ ଅର୍ଜ୍ଜୁନ ଯେବେ ଜୀର୍ଣ୍ଣ ବସ୍ତ୍ର ପାଇଥାନ୍ତି, ତାହା ସେ ବିକ୍ରୟ କରି ଆଉ ଭ୍ରାତାମାନଙ୍କୁ ପ୍ରଦାନ କରନ୍ତି ।୮। ସହଦେବ ଗଉଡ଼ ବେଶରେ ଭାଇମାନଙ୍କୁ ଦହିଦୁଧଘିଅ ବିକ୍ରୟ କରନ୍ତି ।୯। ନକୁଳ ମଧ୍ୟ ଅଶ୍ୱଚିକିତ୍ସାଦ୍ୱାରା ରାଜାଙ୍କୁ ସନ୍ତୁଷ୍ଟ କରି ଯାହା କିଛି ଅର୍ଥଲାଭ କରନ୍ତି, ତାହା ସେ ଆଉ ଭାଇମାନଙ୍କୁ ପ୍ରଦାନ କରନ୍ତି ।୧୦। ତପସ୍ୱିନୀ ପତିବ୍ରତା ଦ୍ରୁପଦନନ୍ଦିନୀ ଲୋକଙ୍କ ଅଜ୍ଞାତରେ ସ୍ୱାମୀମାନଙ୍କୁ ଦେଖାସାକ୍ଷାତ୍ କରୁଥାନ୍ତି ।୧୧।

 

ହେ ଜନ୍ମେଜୟ ! ମହାରଥ ପାଣ୍ଡବମାନେ ତତ୍କାଳରେ ଦୁର୍ଯ୍ୟୋଧନଙ୍କ ଭୟରେ ଶଙ୍କିତ ହୋଇ ବିରାଟ ନଗରରେ ଏହିରୂପେ ଆପଣା ଆପଣା ଧନଦ୍ୱାରା ପରସ୍ପର ସାହାଯ୍ୟ କରି ଓ ଦ୍ରୁପଦନନ୍ଦିନୀଙ୍କୁ ପର୍ଯ୍ୟବେକ୍ଷଣ କରି ପୁନର୍ବାର ଗର୍ତ୍ତସ୍ଥ ହେଲା ପ୍ରାୟ ଅତି ଦୁଃଖରେ ଗୋପନରେ କାଳାତିପାତ କଲେ ।୧୩। ତଦନନ୍ତର ଚତୁର୍ଥ ମାସରେ ମତ୍ସ୍ୟ ଦେଶ ମହୋତ୍ସବ ବୋଲି ଲୋକଙ୍କର ଗୋଟାଏ ଉତ୍ସବ ଆରବ୍ଧ ହେଲା ।୧୪। ହେ ରାଜନ୍‌ ! ସେହି ମହୋତ୍ସବକୁ ନାନା ଦେଶରୁ ସହସ୍ର ସହସ୍ର ମଲ୍ଲମାନେ ସମାଗତ ହୋଇ ବ୍ରହ୍ମା ଓ ପଶୁପତିଙ୍କ ସଭାସଦୃଶ ବିରାଟରାଜାଙ୍କ ରଙ୍ଗସଭାକୁ ପରିପୂର୍ଣ୍ଣ କଲେ । ମୃଗେନ୍ଦ୍ରସମ କଟିସ୍କନ୍ଧ ଓ ଗ୍ରୀବାବିଶିଷ୍ଟ, ମହାକାୟ, ମହାବଳ ସେହି ମଲ୍ଲମାନଙ୍କୁ ବିରାଟ ନରପତି ଯଥାଯୋଗ୍ୟ ସମାଦର କଲେ । ରଙ୍ଗସ୍ଥଳରେ ସେମାନେ ନରପତିଙ୍କ ସମ୍ମୁଖରେ ବାରମ୍ବାର ସ୍ୱ ସ୍ୱ କ୍ଷମତାର ପରିଚୟ ପ୍ରଦାନ କଲେ । ଜଣେ ପ୍ରଧାନ ମଲ୍ଲ ସମସ୍ତଙ୍କୁ ଆହ୍ୱାନ କରି ନିଜ କ୍ଷମତାର ବଡ଼ାଇ ପ୍ରଦର୍ଶନ କଲେ । ସେହି ମଲ୍ଲଙ୍କ ସମ୍ମୁଖକୁ ଅଗ୍ରସର ହେବା ନିମିତ୍ତ କେହି ସାହସୀ ହେଲେ ନାହିଁ ।୧୮।

 

ସମସ୍ତଙ୍କୁ ଭଗ୍ନଚିତ୍ତ ଓ ହତୋଦ୍ୟମ ଦେଖି ମତ୍ସ୍ୟରାଜ ସୂପକାରବେଶଧାରୀ ଭୀମସେନଙ୍କୁ ସେହି ମଲ୍ଲ ସହିତ ଯୁଦ୍ଧ କରିବାକୁ ଆଜ୍ଞା ପ୍ରଦାନ କଲେ ।୧୯। ସମରପ୍ରିୟ ବୃକୋଦର ନିଜେ ଚିହ୍ନା ପଡ଼ିବାର ଶଙ୍କା କଲେହେଁ ରାଜାଙ୍କ ଆଜ୍ଞା ଲଙ୍ଘନ କରିବା ଅନୁଚିତ ବୋଧକରି ତହିଁରେ ସମ୍ମତ ହେଲେ ।୨୦। ଭୀମସେନ ତତ୍‌କ୍ଷଣାତ ମଲ୍ଲବେଶ ଧାରଣ କରି ଦର୍ଶକମାନଙ୍କର ହର୍ଷବର୍ଦ୍ଧନପୂର୍ବକ ରାଜାଙ୍କୁ ଅଭିବାଦନାନନ୍ତର ମହାରଙ୍ଗସ୍ଥଳରେ ପ୍ରବିଷ୍ଟ ହେଲେ । ଅଥଚ ଶାର୍ଦୁଳପ୍ରାୟ ନିର୍ଭୟରେ ବିଚରଣ କରି ବୃତ୍ରାସୁରସମ ଜୀମୁତନାମଧାରୀ ସେହି ମଲ୍ଲକୁ ଆହ୍ୱାନ କଲେ । ତଦନନ୍ତର ଷାଠିଏ ବର୍ଷବୟସ୍କ ମଦମତ୍ତ ମାତଙ୍ଗସମ ମହାକାୟ ଓ ବଳଶାଳୀ ଭୀମପରାକ୍ରମ ଭୀମ ମହାନ୍ ଉତ୍ସାହ ସହିତ ଦ୍ୱିତୀୟ ମଦଜଳସ୍ରାବୀ ଜୀମୁତନାମା ମଲ୍ଲଙ୍କ ସଙ୍ଗେ ଯୁଦ୍ଧରେ ପ୍ରବୃତ୍ତ ହେଲେ । ପରସ୍ପର ଜୟାକାଂକ୍ଷାରେ ସେମାନେ ବାହୁଯୁଦ୍ଧ ଆରମ୍ଭ କଲେ । ସମରରସରେ ଦୁହିଁଙ୍କର ସମାନ ପ୍ରୀତି ହେତୁରୁ ଦୁହେଁ ଦୁହିଁଙ୍କ ପ୍ରତି ହୃଷ୍ଟ ହେଲେ । ଦୁହିଁଙ୍କର ସମାନ ବଳ ଓ ବିକ୍ରମ ହେବାର ଦେଖି ରଙ୍ଗଦର୍ଶକ ମାନବଗଣ ବୋଧକଲେ ଯେ ଦୁଇଟି ମତ୍ତ ମାତଙ୍ଗ କିମ୍ବା ବଜ୍ର ଓ ପର୍ବତର ସଂଘର୍ଷ ଅଥବା ଇନ୍ଦ୍ର ଓ ବୃତ୍ରାସୁରଙ୍କ ଯୁଦ୍ଧ ହେଉଅଛି ।

 

ପରସ୍ପର ଛିଦ୍ରାନ୍ୱେଷଣକାରୀ ଦୁଇ ମଲ୍ଲଙ୍କର ଘୋରତର ସଂଗ୍ରାମ ହେଲା । ଜଣେ ଯେବେ ଅନ୍ୟର କୌଣସି ଅଙ୍ଗକୁ ନିଷ୍ପୀଡ଼ନ କରେ, ତେବେ ସେହି ଅଙ୍ଗକୁ ସେ ଉନ୍ମୋଚନ କରେ; ମୁଷ୍ଟିଗ୍ରହଣ ଦ୍ୱାରା ହସ୍ତକୁ ମୋଡ଼ିଦିଏ । ଜଣେ ଆପଣାର କୌଣସି ଅଙ୍ଗଦ୍ୱାରା ଅପରର ଅଙ୍ଗରେ ପ୍ରହାର କରେ, ଜଣେ କୌଶଳଦ୍ୱାରା ଅପରକୁ ନିକ୍ଷିପ୍ତ କରେ; ଦୁଇହସ୍ତର ମୁଷ୍ଟିଦ୍ୱାରା ବକ୍ଷସ୍ଥଳର ମଧ୍ୟଭାଗରେ କେହି କାହାକୁ ପ୍ରହାର କରେ । ଜଣେ ଆଉ ଜଣକୁ ସ୍କନ୍ଧରେ ରଖି, ତାହାର ମୁଖକୁ ତଳକୁ କରି ବୁଲାଇ ଫିଙ୍ଗିଦିଏ । ପତିତ ହୋଇ କେହି ଭୟଙ୍କର ଗର୍ଜନ କରେ । ଜଣେ ଆଉ ଜଣକ ପ୍ରତି ବଜ୍ରସମ ଚପେଟାଘାତ କରେ, ଅଙ୍ଗୁଳି ପ୍ରସାରିତ କରି ନଖଦ୍ୱାରା ଆମ୍ପୁଡ଼ିଦିଏ । କେହି ଅବା କହୁଣୀଦ୍ୱାରା ଅନ୍ୟକୁ ଆଘାତ କରେ । ପଦାଘାତ ଜାନୁ ମଧ୍ୟରେ ମସ୍ତକ ରଖିବା, ଅବଘଣ୍ଟନ, ପ୍ରକର୍ଷଣ, ଆକର୍ଷଣ, ଅଭ୍ୟକର୍ଷଣ, ବିକର୍ଷଣ ପ୍ରବୃତି ଯେତେ ପ୍ରକାର ମଲ୍ଲଯୁଦ୍ଧର ବିଧାନ ଅଛି, ତେତେ ଭଙ୍ଗୀରେ ଦୁହେଁ ଦୁହିଁଙ୍କୁ ଜୟ କରିବାକୁ ଚେଷ୍ଟା କଲେ ।

 

ଉତ୍ସବସମାଜ ସମୀପରେ ବିନା ଅସ୍ତ୍ରରେ ଦୁଇ ବୀରଙ୍କ ମଧ୍ୟରେ ଭୟାନକ ଯୁଦ୍ଧ ଉପସ୍ଥିତ ହେଲା ।୩୦। ହେ ରାଜନ୍‌ ! ବୃତ୍ର ଓ ବାସବଙ୍କର ଯୁଦ୍ଧ ହେଲା ପ୍ରାୟ ସେହି ଦୁଇ ବଳିଷ୍ଠ ମଲ୍ଲଙ୍କର ଜୟାର୍ଥ ଉତ୍ସାହବର୍ଦ୍ଧନ ବାକ୍ୟ କହିବାରେ ଦର୍ଶକମାନେ କ୍ଲାନ୍ତ ହୋଇଗଲେ । ପରସ୍ପର ଆକର୍ଷଣ ବିକର୍ଷଣ, ଜାନୁଘାତ ପ୍ରଭୃତି ଘୋର ସମର କଲା ଉତ୍ତାରୁ ସେହି ବିଶାଳ ବକ୍ଷଃସ୍ଥଳ, ଯୁଦ୍ଧକୁଶଳ, ମହାବଳ ବୀରଦ୍ୱୟ ମହାଶବ୍ଦରେ ପରସ୍ପର ଭର୍ତ୍ସନା କରି ଲୌହପରିଘ ସଦୃଶ୍ୟ ନିଜର ବାହୁଦ୍ୱାରା ପରସ୍ପରକୁ ବେଷ୍ଟନ କରି ଧଇଲେ । ପରିଶେଷରେ ଶାର୍ଦୁଳ ଯେପରି ମତ୍ତ ହସ୍ତୀକୁ ଆକ୍ରମଣ କରେ, ସେହିପରି ଅପରିସୀମ ବଳଶାଳି ମହାବାହୁ ବୈରୀବିନାଶକାରୀ ଭୀମସେନ ଭୁଜଯୁଗଳଦ୍ୱାରା ପ୍ରତିଯୁଦ୍ଧକାରୀ ମଲ୍ଲକୁ ଧରି ହଠାତ୍ ଅନ୍ତରୀକ୍ଷକୁ ଉତକ୍ଷେପଣ କରି ସେଠାରେ ତାହାକୁ ଅତି ବେଗରେ ଭ୍ରମଣ କରିବାରେ ପ୍ରବୃତ୍ତ ହେଲେ । ତଦ୍ଦର୍ଶନରେ ଯେତେ ମଲ୍ଲ ସମାଗତ ହୋଇଥିଲେ, ମତ୍ସ୍ୟଦେଶବାସୀ ଯେତେ ଦର୍ଶକ ଥିଲେ, ସେମାନେ ସମସ୍ତେ ବିସ୍ମୟାନ୍ୱିତ ହେଲେ ।୩୫। ମହାବାହୁ ବୃକୋଦର ସେହି ମଲକୁ ଶହେଥର ଘୁର୍ଣ୍ଣନ କରି ଯେତେବେଳେ ଦେଖିଲେ ଯେ ସେ ନିଜେ ଅଚେତନପ୍ରାୟ ହେଲା, ସେତେବେଳେ ସେ ତାହାକୁ ଭୂତଳକୁ କ୍ଷିପ୍ତ କରି ଦୃଢ଼ ପରିମର୍ଦନଦ୍ୱାରା ତାହାର ପ୍ରାଣନାଶ କଲେ ।୩୬।

 

ଲୋକବିଖ୍ୟାତ ମହାବୀର ଜୀମୁତନାମା ମଲ୍ଲ ଏହିପରି ନିହତ ହୁଅନ୍ତେ ବନ୍ଧୁବାନ୍ଧବଙ୍କ ସହ ମତ୍ସ୍ୟରାଜ ବଲ୍ଲବ ପ୍ରତି ପ୍ରୀତ ହୋଇ ମୁକ୍ତହସ୍ତରେ ତାହାଙ୍କର ଯଥୋଚିତ ପୁରସ୍କାର କଲେ ।୩୮। ସମୟ ସମୟରେ ବୃକୋଦର ଏହିରୂପେ ବଳଶାଳୀ ମଲ୍ଲମାନଙ୍କୁ ଦମନ କରି ମତ୍ସ୍ୟରାଜଙ୍କର ଅତିଶୟ ପ୍ରିୟ ହେଲେ ।୩୯। ତାହାଙ୍କ ସହିତ ଯୁଦ୍ଧ କରିବା ନିମିତ୍ତ ସମବଳ ମଲ୍ଲ କେହି ଯେବେ ନ ଆସିଥାନ୍ତି, ତେବେ ସିଂହ ଅଥବା ଶାର୍ଦୁଳଙ୍କୁ ଘେନି ଭୀମସେନ ଯୁଦ୍ଧ କରି ସମସ୍ତଙ୍କର କୌତୁକ ଜାତ କରନ୍ତି ।୪୦। ଏଣେ ସୁକୌଶଳସମ୍ପନ୍ନ ନୃତ୍ୟ ଗୀତ ଓ ବାଦ୍ୟଦ୍ୱାରା ବିରାଟ ରାଜାଙ୍କର ଓ ତଦୀୟ ଅନ୍ତଃପୁରଚାରିଣୀ ନାରୀମାନଙ୍କର ଚିତ୍ତକୁ ଧନଞ୍ଜୟ ରଞ୍ଜନ କରୁଥିଲେ ।୪୨। ସୁଶିକ୍ଷିତ ତୁରଙ୍ଗଗଣଙ୍କ ବେଗ ଓ ବିବିଧ ଗତି ପ୍ରଦର୍ଶନଦ୍ୱାରା ନକୁଳ ସମଗ୍ର ପୁରବାସୀଙ୍କର ମନକୁ ହରଣ କରୁଥିଲେ ଓ ବିରାଟ ନରପତିଙ୍କୁ ପରିତୁଷ୍ଟ କରି ତାହାଙ୍କଠାରୁ ବହୁତର ପାରିତୋଷିକ ପାଉଥିଲେ । ହେ ବିଭୋ ! ସହଦେବଙ୍କ ଦ୍ୱାରା ବୃଷଭମାନେ ଶାନ୍ତ ହୋଇଥିବାର ଦେଖି ବିରାଟ ମହୀପତି ତାହାଙ୍କୁ ବହୁବିଧ ବିତ୍ତ ପ୍ରଦାନକଲେ ।୪୪। ଏହିପରି ମହାରଥ ପଣ୍ଡୁନନ୍ଦନମାନଙ୍କର କ୍ଲେଶ ଦେଖି ଦ୍ରୁପଦନନ୍ଦିନୀ ବିଷର୍ଣ୍ଣ ହୋଇ ଦୀର୍ଘନିଃଶ୍ୱାସ ପରିତ୍ୟାଗ କରୁଥିଲେ ।୪୫। ହେ ରାଜନ୍‌ ! ପୁରୁଷଶ୍ରେଷ୍ଠ ପାଣ୍ଡବମାନେ ତତ୍କାଳରେ ଏହିପରି ପ୍ରଚ୍ଛନ୍ନ ବେଶରେ ବିରାଟ ରାଜାଙ୍କର କର୍ମକର ହୋଇ ସେଠାରେ ଦିନାତିପାତ କରୁଥିଲେ ।୪୬।

 

ଅଧ୍ୟାୟ – ୧୪

 

ବୈଶମ୍ପାୟନ କହିଲେ- ମହାରଥ ପାଣ୍ଡୁପୁତ୍ରମାନେ ଉକ୍ତ ପ୍ରକାରେ ଗୋପନୀୟ ବେଶରେ ଦଶ ମାସ ପର୍ଯ୍ୟନ୍ତ ବିରାଟ ପୁରୀରେ ଥିଲେ ।୧। ହେ ଜନ୍ମେଜୟ ! ଦ୍ରୁପଦରାଜନନ୍ଦିନୀ ପାଞ୍ଚାଳୀ, ଯାହାଙ୍କୁ ଶତ ଶତ ପରିଚାରିକା ଖଟୁଥିଲେ, ସେ ପୁଣି ବିରାଟ ରାଜାଙ୍କ ମହିଷୀ ସୁଦେଷ୍ଣାଙ୍କର ସେବା କରି ଅତି ଦୁଃଖରେ କାଳଯାପନ କଲେ ।୨। ଦ୍ରୁପଦରାଜାଙ୍କ ଦୁଲଣୀ ମଧ୍ୟ ସୁଦେଷ୍ଣାଙ୍କ ଭବନରେ ରହି ତାହାଙ୍କୁ ଓ ଅନ୍ତଃପୁରବାସିନୀ ଅନ୍ୟାନ୍ୟ କାମିନୀମାନଙ୍କୁ ସନ୍ତୁଷ୍ଟ କରିଥିଲେ ।୩। ଅନନ୍ତର ସେହି ଅଜ୍ଞାତବାସର ବର୍ଷଟି ଅତୀତ ହେଲା ପ୍ରାୟ ହୁଅନ୍ତେ ବିରାଟ ମହୀପତିଙ୍କର ସେନାଧ୍ୟକ୍ଷ କୀଚକ ଦିନେ ଦ୍ରୌପଦୀଙ୍କୁ ଦେଖିବାକୁ ପାଇଲେ । ଦେବତାଙ୍କ ପ୍ରାୟ ବିଚରଣକାରିଣୀ, ଦେବକନ୍ୟା ସଦୃଶୀ ଦ୍ରୌପଦୀଙ୍କୁ ଦେଖି କୀଚକ ଅନଙ୍ଗବାଣରେ ପୀଡ଼ିତ ହୋଇ ମନେ ମନେ ତାହାଙ୍କୁ କାମନା କଲେ ।୫।

 

କାମାନଳରେ ସନ୍ତପ୍ତ ହୋଇ ସେହି ସେନାପତି ଆପଣାର ଭଗ୍ନୀ ସୁଦେଷ୍ଣାଙ୍କ ନିକଟକୁ ଗମନ କରି ସହାସ୍ୟ ବଦନରେ ପଚାରିଲେ ।୬।, ଅଲୌକିକ ରୂପଲାବଣ୍ୟବତୀ ସୁଜାତ ମଦିରାସଦୃଶ୍ୟ ପ୍ରଲୋଭନକାରିଣୀ ଏହି କାମିନୀଟି କିଏ ? ବିରାଟରାଜଙ୍କ ଭବନରେ ମୁଁ ଏହାଙ୍କୁ କଦାପି ପୂର୍ବେ ଦେଖି ନ ଥିଲି । ମୋର ଉଦ୍ଦେଶ୍ୟ ଏହି ଯେ ସେହି ମନୋହାରିଣୀ କାମିନୀଙ୍କୁ ଦେଖିଲା ବେଳକୁ ମୁଁ ସୁତୀକ୍ଷ୍‌ଣ ମଦନ ଶରରେ ପୀଡ଼ିତ ହେଉଅଛି । ଏବେ ତାହାର ସଙ୍ଗଲାଭ ବ୍ୟତିରେକେ ମୋର ସ୍ୱାସ୍ଥ୍ୟ ଲାଭ କରିବାର ଅନ୍ୟ ଔଷଧ ନାହିଁ । ହେ ଶୋଭନେ ! ଦେବାଙ୍ଗନାସଦୃଶୀ ଏହି ସର୍ବାଙ୍ଗସୁନ୍ଦରୀ କାମିନୀ ତୁମ୍ଭର ପରିଚାରିକା ହୋଇ ବଡ଼ ଅଯୁକ୍ତ କର୍ମ କରିଅଛି । ଏହା ନ କରିଲେ ମୋ ଉପରେ ଓ ମୋର ଅଧିକାରସ୍ଥିତ ସମୁଦାୟ ପଦାର୍ଥ ଉପରେ ପ୍ରଭୁତ୍ୱ କରୁ । ମୋର ପ୍ରଭୁତ ଯାନବାହନ, ବହୁମୂଲ୍ୟ ଭୋଜନପାତ୍ର, ସୁସ୍ୱାଦୁ ଭୋଜ୍ୟ ପେୟ ଓ ଆଉ ଯାହା କିଛି ସମ୍ପତ୍ତି ଅଛି, ସବୁକୁ ସେ ସୁଶୋଭିତ କରୁ ।୧୦।

 

ସୁଦେଷ୍ଣାଙ୍କୁ କୀଚକ ଏହିପରି ଆମନ୍ତ୍ରଣ କରି ଅରଣ୍ୟଚାରୀ ଜମ୍ବୁକ ଯେପରି ମୃଗେନ୍ଦ୍ରନନ୍ଦିନୀର ପ୍ରଣୟୀ ହେବାକୁ ବାଞ୍ଛା କରେ, ସେହିପରି ସେ ଦ୍ରୁପଦନନ୍ଦିନୀଙ୍କ ସମୀପବର୍ତ୍ତୀ ହୋଇ ତାହାଙ୍କ ପ୍ରତି ସାନ୍ତ୍ୱନା ବଚନ ପ୍ରୟୋଗ କରିବାକୁ ଆରମ୍ଭ କଲେ । କହିଲେ, ହେ କଲ୍ୟାଣୀ-! ତୁମ୍ଭେ କିଏ ? କାହାର ରମଣୀ ? କେଉଁଠାରୁ ଏହି ବିରାଟ ନଗରକୁ ଆଗମନ କଲ-? ଯଥାର୍ଥ କରି କହ । ଆହା ! ତୁମ୍ଭର କୀଦୃଶ୍ୟ ରୂପମାଧୁରୀ ! କୀଦୃଶ୍ୟ ଲାବଣ୍ୟ ଓ ମନୋହର ସୁକୁମାର ପଣ ! ନିର୍ମଳ ଚନ୍ଦ୍ରମଣ୍ଡଳପ୍ରାୟ ତୁମ୍ଭର ମୁଖମଣ୍ଡଳ ଶୋଭାନ୍ୱିତ ହୋଇଅଛି ।୧୩। ହେ ସୁଭ୍ରୁ-! ତୁମ୍ଭର ବିଶାଳ ନୟନଯୁଗଳ କମଳଦଳପ୍ରାୟ ବିରାଜୁଅଛି । ହେ ସର୍ବାଙ୍ଗସୁନ୍ଦରୀ ! ତୁମ୍ଭର ବାଣୀ ମଧ୍ୟ କୋକିଳ କଳକୂଜିତ ସଦୃଶ୍ୟ ମନୋହର ହୋଇଅଛି ।୧୪। ହେ ସୁଶ୍ରୋଣି ! ହେ ଅନିନ୍ଦିତେ-! ଏହି ପୃଥିବୀରେ ତୁମ୍ଭ ସଦୃଶ୍ୟ ଅପୂର୍ବ ରୂପଲାବଣ୍ୟବତୀ କାମିନୀ କୌଣସିଠାରେ ସୁଦ୍ଧା ଦେଖି ନ ଥିଲି ।୧୫। ହେ ସୁମଧ୍ୟମେ ! ତୁମ୍ଭେ କ’ଣ ପଦ୍ମାଳୟା, ଲକ୍ଷ୍ମୀ, କିମ୍ବା ଭୂତି, ଅଥବା ହ୍ରୀ, ଶ୍ରୀ, କାନ୍ତି କି କୀର୍ତ୍ତି, କିଏ ତୁମ୍ଭେ ଆମ୍ଭଙ୍କୁ ସତ୍ୟ କରି କହ ।

 

ହେ ବରାନନେ ! ଜଣାଯାଉଅଛି ଯେ କନ୍ଦର୍ପ ଦେବଙ୍କର କଳେବରରେ ଯେଉଁ ରତି ବିହାର କରନ୍ତି, ତୁମ୍ଭେ ସେହି ରତି । ହେ ସୁଭ୍ରୁ ! ଚନ୍ଦ୍ରମାଙ୍କର ଉତ୍କୃଷ୍ଟ କିରଣ ସଦୃଶ୍ୟ ତୁମ୍ଭେ ଅତିଶୟ ଦୀପ୍ତିମତୀ ହୋଇଅଛି । ତୁମ୍ଭର ଏହି ବଦନଚନ୍ଦ୍ରକୁ ବିଲୋକନ କରି କିଏ ସଂସାରରେ ମଦନର ବଶୀଭୂତ ନୋହିବଟି ? ଚକ୍ଷୁର ପକ୍ଷ୍ମ, ମନ୍ଦ ମନ୍ଦ ହସ ଓ ଲାବଣ୍ୟରାଶି କାହା ଚିତ୍ତକୁ ବ୍ୟଥିତ ନ କରିବ ?୧୯। ହେ ଚାରୁହାସିନି ! ପରମ ଶୋଭାସମ୍ପନ୍ନ, ରତ୍ନହାରର ଯୋଗ୍ୟା, ସୁଜାତ, କମଳ କଳିପ୍ରାୟ ବର୍ତ୍ତୁଳ, ନିରନ୍ତର ପୀନ ତୁମ୍ଭର ଏହି ପୟୋଧରଦ୍ୱୟ ରତିପତିଙ୍କର ପ୍ରତୋଦସ୍ୱରୂପ ହୋଇ ଆମ୍ଭଙ୍କୁ ବ୍ୟଥା ଦେଉଅଛି ।୨୧। ହେ ଭାବିନି ! ତ୍ରିବଳିଶୋଭିତ ଓ ସ୍ତନଦ୍ୱୟର ଭାରରେ ଅଳ୍ପ ଅବନତ, ମୁଷ୍ଟି ପରିମିତ ତୁମ୍ଭର କଟୀପ୍ରଦେଶ ଓ ଶରତ୍କାଳୀନ ପୁଳିନସମ ମନୋହର ଜଘନ ସଂଦର୍ଶନ କରିବାରୁ ଅସାଧ୍ୟ ମଦନବ୍ୟାଧି ଆମ୍ଭଙ୍କୁ ଅତିଶୟ ବାଧା ଦେଉଅଛି ।୨୩। ତୁମ୍ଭର ସଂଗମକାମନା ଆହୂତି ହୋଇ ମଦନାନଳକୁ ପ୍ରବଳ କରୁଅଛି । ପୁନଶ୍ଚ ସେହି ମଦନ ଅସହନୀୟ ଦାବାନଳ ସଦୃଶ୍ୟ ହୋଇ ଶିଖାରାଶି ବିସ୍ତାର ଦ୍ୱାରା ଆମ୍ଭଙ୍କୁ ଦଗ୍ଧ କରୁଅଛି । ଅତଏବ ହେ ବରାନନେ ! ତୁମ୍ଭେ ଆତ୍ମପ୍ରଦାନଦ୍ୱାରା ସଙ୍ଗମ-ମେଘ ବର୍ଷଣ କରି ପ୍ରଜ୍ଜ୍ୱଳିତ କାମାନଳକୁ ନିର୍ବାଣ କର ।୨୫।

 

ହେ ଚନ୍ଦ୍ରମୁଖି ! ମନ୍ମଥ ଦେବଙ୍କର ପ୍ରଚଣ୍ଡ ଓ ଅତି ଦାରୁଣ ବାଣସମୂହ ଆମ୍ଭର ହୃଦୟ ବିଦାରଣପୂର୍ବକ ତନ୍ମଧ୍ୟରେ ତୀବ୍ରବେଗରେ ପ୍ରବେଶ କରିଅଛି ଓ ଚିତ୍ତର ଉନ୍ମାଦସାଧନ କରି ପ୍ରାଣହରଣ ବିଷୟରେ କୃତସଂକଳ୍ପ ହୋଇଅଛି । ଅତଏବ ହେ ଅସିତାପାଙ୍ଗି ! ତୁମ୍ଭେ ଆତ୍ମପ୍ରଦାନ ଓ ସମ୍ଭୋଗଦ୍ୱାରା ଆମ୍ଭଙ୍କୁ ପରିତ୍ରାଣ କର ! ହେ ବିଳାସିନି ! ତୁମ୍ଭେ ସର୍ବବିଧ ଅଳଙ୍କାରସମୂହରେ ଅଳଂକୃତା ହୋଇ ବିବିଧ ବିଚିତ୍ର ଦୁକୂଳ ଓ ମାଲ୍ୟାଦି ଧାରଣପୂର୍ବକ ସ୍ୱେଚ୍ଛାନୁସାରେ ଆମ୍ଭ ସହିତ କାମଦେବଙ୍କର ସେବା କର ।୨୮। ହେ ମତ୍ତବାରଣଗାମିନି ! ଅଶେଷ ସୁଖସମ୍ଭୋଗର ଯୋଗ୍ୟପାତ୍ରୀ ହୋଇ ସାମାନ୍ୟ ପରିଚାରିକା ବେଶରେ ଏତାଦୃଶ୍ୟ ଅସୁଖରେ କାଳହରଣ କରିବା ତୁମ୍ଭ ପକ୍ଷରେ କଦାପି ଉଚିତ ନୁହେଁ । ଅତଏବ ହେ ମହାଭାଗେ ! ତୁମ୍ଭେ ସମ୍ପ୍ରତି ଆମ୍ଭ ନିକଟରେ ସର୍ବବିଧ ସୁଖର ଅଧିକାରିଣୀ ହୁଅ । ଅମୃତ ସଦୃଶ୍ୟ ବହୁତର ସୁରୁଚିର ସୁସ୍ୱାଦୁ ପାନୀୟ, ବିବିଧ ଭୋଜ୍ୟ ସାଧନ ସାମଗ୍ରୀ ଓ ଅତ୍ୟୁତ୍କୃଷ୍ଟ ସୌଭାଗ୍ୟ ସମ୍ଭୋଗ କରି ଯଥେଚ୍ଛା ସୁଖରେ ରମଣ କର ।୩୧। ହେ ଭାମିନି ! ପାପରହିତେ ! ତୁମ୍ଭର ଏତାଦୃଶ୍ୟ ରୂପସୌନ୍ଦର୍ଯ୍ୟ ଓ ଯୌବନ ସମ୍ପ୍ରତି ନିରର୍ଥକ ହେଉଅଛି ।

 

ହେ ସୁନ୍ଦରୀ ! ଅତି ଉତ୍ତମ ରମଣୀୟ ମାଳାକୁ କେହି ପରିଧାନ ନ କଲେ ତାହା ଯେପରି ଶୋଭାପ୍ରାପ୍ତ ହୁଏ ନାହିଁ, ତଦ୍ରୂପ ତୁମ୍ଭେ ସ୍ୱଭାବରେ ସୁନ୍ଦରୀ ହେଲେ ସୁଦ୍ଧା ସମ୍ଭୋଗରସର ଆସ୍ୱାଦ ବିରହରୁ ତୁମ୍ଭର ଯଥାର୍ଥ ଶୋଭା ହେଉନାହିଁ ।୩୨। ହେ ଚାରୁହାସିନି ! ବରାନନେ ! ଆମ୍ଭର ଯେଉଁ ସମସ୍ତ ପୁରାତନ ପତ୍ନୀମାନେ ଅଛନ୍ତି, ସେହି ପ୍ରଣୟିନୀମାନଙ୍କୁ ଆମ୍ଭେ ତୁମ୍ଭ ନିମିତ୍ତ ପରିତ୍ୟାଗ କରୁଅଛୁଁ । ସେ ସମସ୍ତେ ତୁମ୍ଭର ଦାସୀ ହୋଇ ରହିବେ । ହେ ସୁନ୍ଦରୀ ! ଆମ୍ଭେ ମଧ୍ୟ ଭୃତ୍ୟବତ ତୁମ୍ଭର ଆଜ୍ଞାକାରୀ ହୋଇ ରହିବୁ ।୩୩। ଦ୍ରୌପଦୀ କହିଲେ, ହେ ସୂତପୁତ୍ର ! ତୁମ୍ଭେ ଆମ୍ଭକୁ କାମନା କରୁଅଛ ସତ୍ୟ, କିନ୍ତୁ ଆମ୍ଭେ ହୀନ ଜାତିସମ୍ଭବା କେଶସଂସ୍କାରିଣୀ ସୈରନ୍ଧ୍ରୀ, ସୁତରାଂ ଏତାଦୃଶ୍ୟ ଘୃଣାସ୍ପଦ ହୋଇ କଦାପି ତୁମ୍ଭ ପ୍ରାର୍ଥନାର ଯୋଗ୍ୟ ହେବୁନାହିଁ । ବିଶେଷରେ ଆମ୍ଭେ ପରପତ୍ନୀ; ଅତଏବ ତୁମ୍ଭର ମଙ୍ଗଳ ହେଉ । ପରପତ୍ନୀଠାରେ ଅଭିଳାଷ କରିବାର ତୁମ୍ଭର କଦାପି ଉଚିତ ନୁହେଁ । ମନୁଷ୍ୟମାନଙ୍କର କେବଳ ପରିଣୀତା ପତ୍ନୀ ଯଥାର୍ଥ ପ୍ରୀତି ଓ ଅନୁରାଗର ସ୍ଥଳ । ଏହି ସନାତନ ଧର୍ମକୁ ତୁମ୍ଭେ ସ୍ମରଣ କର । ଦେଖ, ଯେଉଁ କର୍ମ କରଣୀୟ ନୁହେଁ ବୋଲି ନିଶ୍ଚୟ କରାଯାଇଥାଏ, ତାହାର ପରିତ୍ୟାଗ କେବଳ ସାଧୁପୁରୁଷମାନଙ୍କର ନିତ୍ୟକର୍ମ ଅଟେ । ପାପାଶୟ ମନୁଷ୍ୟମାନେ କେବଳ ମାୟାମୋହରେ ଅନ୍ଧ ହୋଇ ଅନୁଚିତ ଅଭିଳାଷରେ ମନୋଯୋଗୀ ହୁଅନ୍ତି ଓ ସେହି କାରଣରୁ ଘୋରତର ଅକୀର୍ତ୍ତି ଅଥବା ମାରାତ୍ମକ ଦଶାକୁ ପ୍ରାପ୍ତ ହୁଅନ୍ତି ।୩୭।

 

ବୈଶମ୍ପାୟନ କହିଲେ, ସୈରନ୍ଧ୍ରୀ ଏହି ପ୍ରକାର ଉକ୍ତି କରନ୍ତେ କାମମୋହିତ ଅତି ଦୁର୍ବୁଦ୍ଧି କୀଚକ ପରସ୍ତ୍ରୀ ସଂସର୍ଗରେ ସର୍ବଲୋକବିଗର୍ହିତ ସାଂଘାତିକ ଦୋଷମାନଙ୍କୁ ଜାଣି ସୁଦ୍ଧା ଦୁର୍ବାର ଇନ୍ଦ୍ରିୟର ଅଧୀନତା ହେତୁରୁ ପୁନଶ୍ଚ ତାହାଙ୍କୁ ଏହିପରି କହିବାକୁ ଆରମ୍ଭ କଲା ।୩୯। ହେ ବରାରୋହେ ! ହେ ବରାନନେ ! ହେ ଚାରୁହାସିନି ! ତୁମ୍ଭ ନିମିତ୍ତ ଆମ୍ଭେ ମନ୍ମଥଦେବଙ୍କର ନିତାନ୍ତ ବଶୀଭୂତ ହୋଇଅଛୁଁ । ଅତଏବ ଏହି ଅବସ୍ଥାରେ ଆମ୍ଭଙ୍କୁ ପ୍ରତ୍ୟାଖ୍ୟାନ କରିବାର ତୁମ୍ଭର କଦାପି ଉଚିତ ନୁହେଁ । ହେ ଭୀରୁ ! ହେ ଅସିତାପାଙ୍ଗି ! ଏତାଦୃଶ୍ୟ ପ୍ରିୟବାଦୀ ଓ ଅଧିନ ବ୍ୟକ୍ତିର ପ୍ରାର୍ଥନାକୁ ଅସ୍ୱୀକାର କଲେ ଅବଶ୍ୟ ତୁମ୍ଭଙ୍କୁ ପଶ୍ଚାତ୍ତାପ କରିବାକୁ ହେବ ।୪୧। ହେ ସୁମଧ୍ୟମେ ! ଆମ୍ଭେ ଏହି ସମୁଦାୟ ମତ୍ସ୍ୟରାଜ୍ୟର ଅଧୀଶ୍ୱର; କେବଳ ଆମ୍ଭର ପ୍ରତାପରେ ପ୍ରଜାମାନେ ରାଜ୍ୟ ମଧ୍ୟରେ ସୁଖରେ ବାସ କରିଅଛନ୍ତି । ଅଧିକ କଣ କହିବା, ସମଗ୍ର ଭୂମଣ୍ଡଳରେ ବୀର୍ଯ୍ୟ, ରୂପ, ଯୌବନ, ସୌଭାଗ୍ୟ ଓ ଅତ୍ୟୁତ୍କୃଷ୍ଟ ସୁଖଭୋଗ ସମସ୍ତ ଏକତ୍ର ସମ୍ଭୋଗ କରିବାକୁ ଆମ୍ଭର ସମକକ୍ଷ ବ୍ୟକ୍ତି କୌଣସିଠାରେ ସୁଦ୍ଧା ନାହାନ୍ତି ।୪୩। ଅତଏବ ହେ କଲ୍ୟାଣୀ ! ଆମ୍ଭର ହସ୍ତଗତ ସର୍ବକାମସମୃଦ୍ଧ ଅନୁପମ ଭୋଗ୍ୟ ଦ୍ରବ୍ୟ ସମୁଦାୟ ସମ୍ଭୋଗ କରିବାର ଉପାୟ ଥାଉଁ ଥାଉଁ ତୁମ୍ଭେ ଦାସୀକର୍ମରେ କି ନିମିତ୍ତ ପ୍ରବୃତ୍ତି ଜନ୍ମାଇଅଛ ? ହେ ବରାନନେ ! ଆମ୍ଭର ମନୋରଥ ପରିପୂର୍ଣ୍ଣ କର । ଆମ୍ଭେ ଏହି ରାଜ୍ୟ ତୁମ୍ଭଙ୍କୁ ସମର୍ପଣ କରୁଅଛୁଁ । ତୁମ୍ଭେ ଏହାର ସ୍ୱାମୀନୀ ହୋଇ ଅନୁପମ ଭୋଗ ଓ ଐଶ୍ୱର୍ଯ୍ୟର ଆସ୍ୱାଦନ କର ।୪୫।

 

ପତିପରାୟଣା ଦ୍ରୌପଦୀ କୀଚକର ଏବଂବିଧ ଅଶୁଭ ବାକ୍ୟ ଶ୍ରବଣ କରି ତାହା ପ୍ରତି ଭୁରି ଭୁରି ନିନ୍ଦାବାକ୍ୟ ପ୍ରୟୋଗପୂର୍ବକ ପ୍ରତ୍ୟୁତ୍ତର କଲେ-ରେ ସୂତପୁତ୍ର ! ତୁ ମୋହାବିଷ୍ଟ ହୋଇ ଅଦ୍ୟ ପ୍ରାଣତ୍ୟାଗ କର ନା ! ତୋହର ଏହି କଥା ଉତ୍ତମରୂପେ ଜାଣିବାର ଉଚିତ ଯେ, ଭୀଷଣ ମୂର୍ତ୍ତି ପାଞ୍ଚଗୋଟି ଗନ୍ଧର୍ବ ଆମ୍ଭର ସ୍ୱାମୀ ଅଛନ୍ତି । ସେହି ବୀର ପୁରୁଷମାନେ ସର୍ବଦା ଆମ୍ଭର ରକ୍ଷଣାବେକ୍ଷଣ କରନ୍ତି; ସେହିମାନଙ୍କ ହସ୍ତରୁ ଆମ୍ଭଙ୍କୁ ଲାଭ କରିବାକୁ ତୋହର କଦାପି ଶକ୍ତି ହେବନାହିଁ । ଗନ୍ଧର୍ବଗଣ କୋପାବିଷ୍ଟ ହେଲେ ନିଶ୍ଚୟ ତୋହର ପ୍ରାଣ ସଂହାର କରିବେ । ଅତଏବ ତୁ ବୃଥାରେ ମରଣ କାମନା କର ନା ।୪୮। ତୁ ପୁରୁଷଙ୍କର ଅଗମ୍ୟ ମାର୍ଗରେ ଗମନ କରିବାକୁ ଇଚ୍ଛା କରୁଅଛୁ । ଯେପରି କୌଣସି ଅଜ୍ଞାନ ବାଳକ ସମୁଦ୍ରର ଏକ କୂଳସ୍ଥ ଥାଇ ଅପର କୂଳକୁ ଉତ୍ତୀର୍ଣ୍ଣ ହେବାର ଅଭିଳାଷ କରେ, ତୋହର ମଧ୍ୟ ସେହି ପ୍ରକାର ଅସମ୍ଭବ ବାସନା ଜନ୍ମିଅଛି ।୪୯। ଆମ୍ଭଙ୍କୁ କାମନା କରି ତୁ ଯଦି ପୃଥିବୀର ଗର୍ଭକୁ, ଊର୍ଦ୍ଧ୍ୱମାର୍ଗକୁ କିମ୍ବା ସମୁଦ୍ର ପାର ହୋଇ ପଳାୟନ କରିବୁ, ତଥାପି ସେହି ବୈରୀଦଳଗଞ୍ଜନଦକ୍ଷ, ଅନ୍ତରୀକ୍ଷ ଗମନକ୍ଷମ ଦେବପୁତ୍ରମାନଙ୍କ ହସ୍ତରୁ କଦାପି ପରିତ୍ରାଣ ପାଇବୁ ନାହିଁ ।୫୦।

 

ରେ କୀଚକ ! ଯେପରି କୌଣସି ଅନିର୍ବଚନୀୟ ଆତୁର ବ୍ୟକ୍ତି ଆଗ୍ରହପୂର୍ବକ ମୃତ୍ୟୁକୁ ଅଭିଳାଷ କରେ, ତୁ ସେହିପରି କାହିଁକି ଆମ୍ଭଙ୍କୁ ଏତାଦୃଶ୍ୟ ସମ୍ବନ୍ଧ ସହିତରେ ଗ୍ରହଣ କରିବାକୁ ପ୍ରାର୍ଥୀ ହେଉଅଛୁ ? ମାତୃ କ୍ରୋଡ଼ଶାୟୀ ବାଳକ ଚନ୍ଦ୍ର ଦରିବା ଆଶୟରେ କର ବଢ଼ାଇଲା ପ୍ରାୟ ତୁ ଆମ୍ଭଙ୍କୁ ଲାଭ କରିବାକୁ କାହିଁକି ବୃଥା କାମନା କରୁଅଛୁ ?୫୧। ଆମ୍ଭ ବିଷୟରେ ପ୍ରାର୍ଥୀ ହୋଇ ତୁ ଭୂଗର୍ଭରେ ପ୍ରବେଶ କରି କିମ୍ବା ଆକାଶ ମାର୍ଗଗାମୀ ହୋଇ ସୁଦ୍ଧା ପରିତ୍ରାଣ ପାଇବୁ ନାହିଁ । ଅତଏବ ରେ କୀଚକ ! ସତ୍‌ପଥ ଅବଲମ୍ବନପୂର୍ବକ ଜୀବନ ରକ୍ଷା କର ।୫୨।

 

ଅଧ୍ୟାୟ – ୧୫

 

ବୈଶମ୍ପାୟନ କହିଲେ- ଏଥି ଉତ୍ତାରୁ କାମମୋହିତ ନୀଚାଶୟ କୀଚକ ରାଜକୁମାରୀ ଯାଜ୍ଞସେନୀଙ୍କଠାରୁ ନିରାଶ ହୋଇ କେକୟ-ରାଜକନ୍ୟା ସୁଦେଷ୍ଣାଙ୍କୁ କହିଲେ ।୧।, ହେ ସୁଦେଷ୍ଣେ-! ମାତଙ୍ଗଗାମିନୀ ସୈରନ୍ଧ୍ରୀ ଯେଉଁ ଉପାୟରେ ଅଧୀନା ହୋଇ ଆମ୍ଭଙ୍କୁ ସେବା କରିବ, ତୁମ୍ଭେ ଯୁକ୍ତିଦ୍ୱାରା ସେହି ଉପାୟ ବିଧାନ କର, ନଚେତ୍ ଆମ୍ଭେ ମୋହବଶବର୍ତ୍ତୀ ହୋଇ ଅଗତ୍ୟା ପ୍ରାଣତ୍ୟାଗ କରିବୁଁ ।୨। ବୈଶମ୍ପାୟନ କହିଲେ, ସେହି ସମୟରେ ମନସ୍ୱିନୀ ବିରାଟ ମହିଷୀ ଦେବୀ ସୁଦେଷ୍ଣା କୀଚକର ବହୁତର ବିଳାପବାକ୍ୟ ଶ୍ରବଣ କରିବାରୁ କୃପା ପ୍ରକାଶ କଲେ ।୩। ଯହିଁରେ ଆପଣାର ଓ କୀଚକର ପ୍ରୟୋଜନ ଓ ଦ୍ରୌପଦୀଲାଭ ବିଷୟକ ଉଦଯୋଗ ହେବ, ଏହିସବୁ ବିଚାର କରି ସୁଦେଷ୍ଣା ସୂତପୁତ୍ରଙ୍କୁ କହିଲେ ।୪।, ତୁମ୍ଭେ କୌଣସି ପର୍ବ ଉପଲକ୍ଷରେ ମଦିରା ଓ ଭୋଜ୍ୟ ସାମଗ୍ରୀ ସମସ୍ତ ପ୍ରସ୍ତୁତ କରାଇ ରଖିବ । ସୁରାପାନ ଛଳରେ ଆମ୍ଭେ ସେହି ଦିବସ ଦ୍ରୌପଦୀଙ୍କୁ ତୁମ୍ଭ ନିକଟକୁ ପଠାଇବୁ ।୫। ପ୍ରତିବନ୍ଧକଶୂନ୍ୟ ନିର୍ଜନ ସ୍ଥାନକୁ ପ୍ରେରଣ କଲାରୁ ତୁମ୍ଭେ ତାହାଙ୍କୁ ବିବିଧ ସାନ୍ତ୍ୱନା ବାକ୍ୟ ପ୍ରୟୋଗ କରିବ । ଉକ୍ତ ସାନ୍ତ୍ୱନାରେ ତାହାଙ୍କର ମନ ବଶୀଭୂତ ହେଲେ ତୁମ୍ଭେ ସହଜରେ ସ୍ୱେଚ୍ଛାନୁସାରେ ତାହାଙ୍କ ସହିତ କ୍ରୀଡ଼ା କରିବ ।୬।

 

ବୈଶମ୍ପାୟନ କହିଲେ, କୀଚକ ଏହି କଥା ଶ୍ରବଣ କରି ଭଗିନୀଙ୍କ ଗୃହରୁ ବହିର୍ଗତ ହୋଇ ସ୍ୱକୀୟ ଭବନରେ ପ୍ରବେଶ କଲେ । ସୁଦେଷ୍ଣାଙ୍କ କହିବା ଅନୁସାରେ ରାଜଯୋଗ୍ୟ ସୁପରିଷ୍କୃତ ସୁରା ଆନୟନ କରାଇଲେ ।୭। ଆହୁରି ମଧ୍ୟ ଉତ୍ତମରୂପେ ପାକକର୍ମ ଜାଣିଥିବା ପାଚକମାନଙ୍କଦ୍ୱାରା ବହୁଳ ମୃଗମାଂସ ପ୍ରଭୃତି ଉତ୍କୃଷ୍ଟ ନିକୃଷ୍ଟ ନାନାବିଧ ପ୍ରଭୂତ ଭକ୍ଷ୍ୟ ଓ ସୁସ୍ୱାଦୁ ଅନ୍ନପାନାଦି ପ୍ରସ୍ତୁତ କରାଇଲେ ।୮। ଏହି ଅବସର ମଧ୍ୟରେ କୀଚକର ପ୍ରାର୍ଥନାରେ ବଶ ହୋଇଥିବା ରାଜ୍ଞୀ ସୁଦେଷ୍ଣା ସୈରନ୍ଧ୍ରୀଙ୍କୁ କୀଚକାଳୟକୁ ପ୍ରେରଣ କରିବା ଇଚ୍ଛାରେ କହିଲେ ।୯।, ହେ କଲ୍ୟାଣୀ ! ସୈରନ୍ଧ୍ରୀ ! ଆମ୍ଭେ ତୃଷାତୁର ହୋଇଅଛୁ; ତୁମ୍ଭେ ସମ୍ପ୍ରତି କୀଚକାଳୟକୁ ଗମନ କରି କିଛି ପାନୀୟ ଆଣ ।୧୦। ସୈରନ୍ଧ୍ରୀ କହିଲେ, ହେ ରାଜକୁମାରି ! ରାଜ୍ଞି ! କୀଚକ ଯେପରି ନିର୍ଲ୍ଲଜ, ତାହା ତ ଆପଣ ଜାଣନ୍ତି; ଅତଏବ ମୁଁ ତାହାର ଗୃହକୁ ଯିବିନାହିଁ ।୧୧। ପୂର୍ବେ ତୁମ୍ଭ ଗୃହରେ ପରିଚାରିଣୀରୂପେ ପ୍ରବେଶ କରିବା ସମୟରେ ମୁଁ ଯେଉଁ ନିୟମରେ ଆବଦ୍ଧ ତାହାସବୁ ତୁମ୍ଭଙ୍କୁ ଜଣାଅଛି । ହେ ସୁକୁନ୍ତଳେ ! ସୁନ୍ଦରୀ ! ଅବିବେଚକ ମଦନମଦାନ୍ଧ କୀଚକ ମୋତେ ଦେଖିଲାମାତ୍ରେ ଅବମାନନା କରିବ, ଅତଏବ ମୁଁ ତାହାର ଗୃହକୁ ଯିବିନାହିଁ ।୧୪। ହେ ରାଜକୁମାରି ! ଆପଣଙ୍କର ବହୁତ ଅଧୀନ ପରିଚାରିଣି ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍ୟ ଏକଜଣକୁ ପାନୀୟ ଆଣିବା ନିମିତ୍ତ ପଠାଇବା ହୁଅନ୍ତୁ ।୧୫।

 

ସୁଦେଷ୍ଣା କହିଲେ, ହେ ସୈରନ୍ଧ୍ରି ! ତୁମ୍ଭଙ୍କୁ ମୁଁ ପଠାଉଅଛି । ଅତଏବ ସେ ତୁମ୍ଭଙ୍କୁ କଦାପି ହିଂସା କରିବ ନାହିଁ । ଏହା କହି ସୈରନ୍ଧ୍ରୀଙ୍କ ହସ୍ତରେ ଗୋଟିଏ ଆବରଣଯୁକ୍ତ ସ୍ୱର୍ଣ୍ଣପାତ୍ର ଦେଲେ ।୧୬। ଦ୍ରୌପଦୀ ସୁବିଖ୍ୟାତ ମଦ୍ୟପାୟୀ କୀଚକ ଗୃହକୁ ଯିବାପାଇଁ ଭୟକରି ଭଗବାନଙ୍କୁ ଶରଣ ଜାଣି କ୍ରନ୍ଦନ କଲେ ଓ କହିଲେ, ହେ ଭଗବନ୍‌ ! ମୁଁ ଯେଉଁ ସତ୍ୟବ୍ରତରେ ପାଣ୍ଡବମାନଙ୍କ ବ୍ୟତୀତ ଅନ୍ୟକୌଣସି ପୁରୁଷକୁ ସ୍ୱାମୀ ବୋଲି ଜାଣଇ ନାହିଁ, ସେହି ସତ୍ୟବ୍ରତ ପ୍ରଭାବରେ ଆଜି କୀଚକ ମୋତେ ନିକଟରେ ପାଇଲେ ସୁଦ୍ଧା ଯେପରି ବଶ କରି ରଖିପାରିବ ନାହିଁ । ଏହି କଥା କହି କହି ଓ କ୍ରନ୍ଦନ କରି କରି କୀଚକର ଗୃହକୁ ଗଲେ ।୧୮।

 

ବୈଶମ୍ପାୟନ କହିଲେ, କୃଶୋଦରୀ ଦ୍ରୌପଦୀ କୀଚକ ଗୃହକୁ ଯିବା ସମୟରେ ମାର୍ଗ ମଧ୍ୟରେ ଦଣ୍ଡାୟମାନ ହୋଇ ମୁହୂର୍ତ୍ତକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟଦେବଙ୍କୁ ସ୍ତବ କଲେ । ଗ୍ରହରାଜ ରବି ପାଞ୍ଚାଳୀଙ୍କର ମାନସିକ ଦୁଃଖ ଜାଣି ତାହାଙ୍କର ରକ୍ଷା ନିମିତ୍ତ ଗୋଟିଏ ରାକ୍ଷସକୁ ରକ୍ଷକରୂପେ ନିଯୁକ୍ତ କଲେ । ସେହି ରାକ୍ଷସ ତଦନୁସାରେ ସର୍ବଦା ଦ୍ରୌପଦୀଙ୍କ ପାଖେ ପଖେ ଛାୟାରୂପେ ରହି ସାବଧାନରେ ତାହାଙ୍କୁ ରକ୍ଷା କଲା ।୨୦। ଦ୍ରୌପଦୀ ଭୟବିହ୍ୱଳା ହରିଣୀ ପ୍ରାୟ କୀଚକ ନିକଟରେ ପ୍ରବେଶ କଲେ । ନଦୀ ପାର ହେବା ନିମିତ୍ତ ଯେଉଁ ବ୍ୟକ୍ତି ତରତର ହେଉଥାଏ, ସେ ନୌକା ପାଇଲେ ଯେପରି ହୃଷ୍ଟ ହୁଏ, ସେହିପରି ଦ୍ରୌପଦୀଙ୍କୁ ଦେଖି କୀଚକ ଅତିଶୟ ହୃଷ୍ଟ ହୋଇ ଦଣ୍ଡାୟମାନ ହେଲା ।୨୧।

 

ଅଧ୍ୟାୟ – ୧୬

 

କୀଚକ କହିଲା ! ହେ ସୁକୁନ୍ତଳେ ! ଅଦ୍ୟ ମୋହର ଶୁଭ ସମୟରେ ନିଶାବସାନ ହୋଇଥିଲା ବୋଲି ତୁମ୍ଭେ ଏଠାକୁ ଶୁଭାଗମନ କରିଅଛ । ମୁଁ ତୁମ୍ଭଙ୍କୁ ମଦୀୟ ସର୍ବାଧିକାରିଣୀରୂପେ ପ୍ରାପ୍ତ ହେଲି । ଏବେ ସୁବର୍ଣ୍ଣ ନିର୍ମିତ ହାର, କରମଣ୍ଡନ ଶଙ୍ଖ, ନାନା ଜନପଦଜାତ ବିଶୁଦ୍ଧ ସୁବର୍ଣ୍ଣ ନିର୍ମିତ କୁଣ୍ଡଳ, ମନୋହର ମଣିରତ୍ନ, ସୁଦିବ୍ୟ କୌଶେୟ ବସ୍ତ୍ର ଓ ଅଜିନମାନ ଗ୍ରହଣପୂର୍ବକ ଆମ୍ଭର ଅଭୀଷ୍ଟ ସାଧନ କର । ତୁମ୍ଭ ନିମିତ୍ତ ଆମ୍ଭେ ସୁଦିବ୍ୟ ଶଯ୍ୟା ରଖିଅଛୁ । ଆସ, ତହିଁରେ ଉପବିଷ୍ଟ ହୋଇ ଆମ୍ଭ ସଙ୍ଗରେ ବସନ୍ତ କାଳର ମଧୁମୟ ସୁରାପାନ କର ।୩। ଦ୍ରୌପଦୀ କହିଲେ, ରାଜକୁମାରୀ ସୁଦେଷ୍ଣା ଆମ୍ଭଙ୍କୁ ପ୍ରେରଣ କରିଅଛନ୍ତି । ସେ କହିଲେ, ତାହାଙ୍କର ଅତିଶୟ ତୃଷ୍ଣା ହୋଇଅଛି । ଏହି ହେତୁରୁ ପାନୀୟ ଘେନିଯିବା ନିମିତ୍ତ ମୋତେ ତୁମ୍ଭ ନିକଟକୁ ପଠାଇ ଅଛନ୍ତି ।୪। କୀଚକ କହିଲା, ହେ ଭଦ୍ରେ ! ଆମ୍ଭର ଅନ୍ୟ ପରିଚାରିଣୀମାନେ ରାଜକୁମାରୀଙ୍କ ନିକଟକୁ ସୁରା ନେଇ ଯିବେ । ଏହା କହି ପାଞ୍ଚାଳୀଙ୍କର ଦକ୍ଷିଣ ହସ୍ତ ଧାରଣ କଲା ।୫। ଦ୍ରୌପଦୀ କହିଲେ, ରେ ଅନିଷ୍ଟକାରକ ! ମୁଁ ଯେଉଁ ସତୀତ୍ୱ ଧର୍ମରେ ନିର୍ଭର କରି ପତିମାନଙ୍କ ନିକଟରେ କୌଣସି ସମୟରେ ସୁଦ୍ଧା କଳଙ୍କିନୀ ହୋଇନାହିଁ, ସେହି ଧର୍ମର ପ୍ରତାପରେ ତୁ ବିନାଶପ୍ରାପ୍ତ ହେବୁ ମୁଁ ଦେଖିବି ।୬।

 

ବୈଶମ୍ପାୟନ କହିଲେ, କୀଚକ ଦ୍ରୌପଦୀଙ୍କୁ ସମ୍ଭୋଗ କରିବା ନିମିତ୍ତ ଇଚ୍ଛୁକ ହେବାରୁ ସେ ତାହାକୁ ଭର୍ତ୍ସନା କଲେ । ତହିଁ ଉତ୍ତାରୁ କୀଚକ ଦ୍ରୌପଦୀଙ୍କୁ ବଳପୂର୍ବକ ସମ୍ଭୋଗ କରିବା ଇଚ୍ଛାରେ ତଦୀୟ ଉତ୍ତରୀୟ ବସ୍ତ୍ରର ଅଞ୍ଚଳକୁ ଧରିଲା । କୀଚକ ବଳପୂର୍ବକ ଧରିବାରୁ ରାଜକୁମାରୀ ଦ୍ରୌପଦୀ ବାରମ୍ବାର ଅତି ବେଗରେ ଦୀର୍ଘ ନିଃଶ୍ୱାସ ପରିତ୍ୟାଗପୂର୍ବକ ତାହାକୁ ନିକ୍ଷେପଣ କଲେ । ପାପାତ୍ମା କୀଚକ ମଧ୍ୟ ତାହାଙ୍କର ସେହି କ୍ଷେପଣ ଶକ୍ତିରେ ଛିନ୍ନମୂଳ ପାଦପ ସଦୃଶ୍ୟ ଭୂତଳରେ ନିପତିତ ହେଲା ।୮। କୀଚକ ସ୍ପର୍ଶ କରିବାରୁ ଦ୍ରୌପଦୀ କୋପରେ କମ୍ପମାନ ହୋଇ ତାହାକୁ ଭୂତଳରେ ପକାଇ ଯେଉଁ ସଭାରେ ଯୁଧିଷ୍ଠିର ରାଜା ଥିଲେ, ସେହି ସଭାକୁ ଆଶ୍ରୟ ନେବା ନିମିତ୍ତ ଶୀଘ୍ର ଗମନ କଲେ ।୯। ଦ୍ରୌପଦୀ ପଳାୟନ କରିବାରୁ କୀଚକ ତାହାଙ୍କର ପଶ୍ଚାତ୍ ଧାବିତ ହୋଇ କେଶାକର୍ଷଣ ଦ୍ୱାରା ତାହାଙ୍କୁ ଭୂତଳରେ ନିକ୍ଷେପ କରି ରାଜାଙ୍କ ସମକ୍ଷରେ ପଦାଘାତ କଲା ।୧୦।

 

ହେ ଭାରତ ! ତତ୍‌ପୂର୍ବେ ତାହାଙ୍କର ରକ୍ଷଣକାରୀ ସ୍ୱରୂପ ଯେଉଁ ରାକ୍ଷସ ସୂର୍ଯ୍ୟଦେବଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲା, ସେ ସେହି ସମୟରେ ବାତାଧିକ ପ୍ରବଳ ବେଗରେ ଧାବମାନ ହୋଇ କୀଚକକୁ ଆଘାତ କଲା ।୧୧। ରାକ୍ଷସର ବଳରେ ଆଘାତପ୍ରାପ୍ତ ଦୂରନ୍ତ କୀଚକ ବିଶେଷରୂପେ ଘୂର୍ଣ୍ଣାୟମାନ ହୋଇ ବିଚ୍ଛେଦିତ ପାଦପବତ୍ ଅଚୈତନ୍ୟ ଅବସ୍ଥାରେ ଭୂମିରେ ପତିତ ହେଲା ।୧୨। ସେହି ସଭାରେ ଭୀମ ଓ ଯୁଧିଷ୍ଠିର ଉପବିଷ୍ଟ ଥିଲେ । କୀଚକ ଦ୍ୱାରା କୃଷ୍ଣା ପଦାହତ ହେବାର ଦେଖି ସେମାନେ ସହ୍ୟ କରିପାରିଲେ ନାହିଁ ।୧୩। ମହାମନା ଭୀମସେନ ଦୁରନ୍ତ କୀଚକର ବଧ କାମନା କରି କ୍ରୋଦାନ୍ଧ ହୋଇ ଦନ୍ତାବଳୀ ଚର୍ବଣ କଲେ ।୧୪। ସେହି ସମୟରେ ଭୀମସେନଙ୍କ ନୟନର ଉନ୍ନତ ପକ୍ଷ୍ମଲୋମସମୂହ କ୍ରୋଧାନଳର ଶିଖାସ୍ୱରୂପ ପ୍ରତୀୟମାନ ହେଲା ଓ ସ୍ୱେଦପରିପୂର୍ଣ୍ଣ ଲଲାଟପଟରେ ଭୟଙ୍କର ଭ୍ରୂକୁଟି ଜାତ ହେଲା ।୧୫। ପ୍ରବଳ ବୈରୀବୀରମାନଙ୍କର ବିନାଶକାରକ ଭୀମସେନ କ୍ରୋଧଯୁକ୍ତ ହୋଇ ବାରମ୍ବାର ଲଲାଟପଟକୁ ମର୍ଦନ କଲେ ଓ ଶୀଘ୍ର କୀଚକକୁ ସଂହାର କରିବା ମାନସରେ ହଠାତ୍ ଉତ୍‌ଥିତ ହେବାକୁ ଇଚ୍ଛା କଲେ ।୧୫।

 

ହେ ରାଜନ୍‌ ! ମତ୍ତମାତଙ୍ଗ ସଦୃଶ୍ୟ ଭୀମସେନ କୀଚକକୁ ବନସ୍ପତି ତୁଲ୍ୟ ଜାଣି ତାହାକୁ ବାରମ୍ବାର ନିରୀକ୍ଷଣ କରୁଥିବାର ଦେଖି ଧର୍ମରାଜ ଯୁଧିଷ୍ଠିର ଆତ୍ମପ୍ରକାଶଶଙ୍କାରେ ନିଜର ପଦାଙ୍ଗୁଷ୍ଠକୁ କରାଙ୍ଗୁଷ୍ଠରେ ମର୍ଦନ କରି ନିଷେଧ ଉଦ୍ଦେଶ୍ୟରେ କହିଲେ ।୧୮।, ପାକକ୍ରିୟା ସମ୍ପାଦନାର୍ଥ କାଷ୍ଠ ନିମିତ୍ତ ତୁମ୍ଭେ କାହିଁକି ବୃକ୍ଷକୁ ନିରୀକ୍ଷଣ କରୁଅଛ ? ଯଦି ତୁମ୍ଭର କାଷ୍ଠରେ କାର୍ଯ୍ୟ ଅଛି, ତେବେ ବହିଃସ୍ଥ ବୃକ୍ଷରୁ ଗ୍ରହଣ କର ।୧୯। ସୁଶ୍ରୋଣୀ ଦ୍ରୂପଦରାଜନନ୍ଦିନୀ ସଭାଦ୍ୱାରରେ ଅବସ୍ଥିତ ହୋଇ ପ୍ରତିଜ୍ଞା ଓ ଧର୍ମାଶ୍ରୟ ହେତୁରୁ ବସ୍ତ୍ରାଚ୍ଛାଦନରେ ସର୍ବାଙ୍ଗ ରକ୍ଷା କରି ଅବିରଳ ବିଗଳିତ ଅଶ୍ରୁଧାରଲୋଚନରେ ଦୁଃଖିତମନା ସ୍ୱାମୀଙ୍କୁ ନିରୀକ୍ଷଣପୂର୍ବକ କୀଚକକୁ ଦଗ୍ଧ କରି ଦେଲା ପ୍ରାୟ କହିଲେ ।୨୧।

 

ଯେଉଁ ପାଣ୍ଡବମାନଙ୍କର ଶତ୍ରୁ ଇନ୍ଦ୍ରିୟ ବିଷୟାତିରିକ୍ତ କୌଣସି ଅନିର୍ଦ୍ଦିଷ୍ଟ ସ୍ଥାନରେ ବାସ କଲେ ସୁଦ୍ଧା ସୁଖଶାୟୀ ହେଉନାହିଁ, ସେହିମାନଙ୍କର ମାନବତୀ ପତ୍ନୀକୁ କୀଚକ ଆଜି ପଦାଘାତ କଲା ।୨୨। ଯେଉଁ ବ୍ରହ୍ମନିଷ୍ଠ ଦାନପରୟଣ ସତ୍ୟବାଦୀ ପାଣ୍ଡବମାନେ କୌଣସି କାଳରେ ସୁଦ୍ଧା ପ୍ରାର୍ଥନା କରନ୍ତି ନାହିଁ, ସେହିମାନଙ୍କର ମାନବତୀ ପତ୍ନୀକୁ କୀଚକ ପଦାଘାତ କଲା ।୨୩। ଯୁଦ୍ଧବାଦ୍ୟ ନିନାଦିତ ହେଲେ ଯେଉଁମାନଙ୍କ ଗୁଣର ଟଙ୍କାର ଧ୍ୱନି ସର୍ବଦା ଶ୍ରୁତିଗୋଚର ହେଉଅଛି, ସେହି ପାଣ୍ଡବମାନଙ୍କର ମାନବତୀ ପତ୍ନୀକୁ କୀଚକ ପଦାଘାତ କଲା ।୨୪। ଯେଉଁମାନେ ତେଜୀୟାନ, ଶତ୍ରୁଦମନଶୀଳ ଓ ଅଭିମାନୀ ବୋଲି ସୁଖ୍ୟାତି ଲାଭ କରିଅଛନ୍ତି, ସେହି ପାଣ୍ଡବମାନଙ୍କର ମାନବତୀ ପତ୍ନୀକୁ କୀଚକ ପଦାଘାତ କଲା ।୨୫। ଯେଉଁ ବୀରମାନେ ଧର୍ମରଶ୍ମିରେ ଆବଦ୍ଧ ନ ଥିଲେ ସମୁଦାୟ ସଂସାରର ବିନାଶସାଧନ କରି ପାରନ୍ତେ, ସେହି ମହାପୁରୁଷ ପାଣ୍ଡବମାନଙ୍କର ମାନବତୀ ପତ୍ନୀକୁ କୀଚକ ପଦାଘାତ କଲା ।୨୬। ଯେଉଁ ମହାରଥମାନେ ପ୍ରସନ୍ନ ଶରଣାର୍ଥୀ ଲୋକମାନଙ୍କର ରକ୍ଷାକାରୀ, ଯେଉଁମାନେ ଲୋକ ମଧ୍ୟରେ ଗୁପ୍ତ ଭାବରେ ବିଚରଣ କରୁଅଛନ୍ତି, ଅଦ୍ୟ ସେହି ପାଣ୍ଡବ ବୀରମାନେ କେଉଁଠାକୁ ଗଲେ ?୨୭। ସେହି ଅପରିମିତ ତେଜସ୍ୱୀ ଓ ବିପୁଳ ବଳଶାଳୀ ପାଣ୍ଡବମାନେ ପ୍ରିୟ ପତିବ୍ରତାର କୀଚକ ପ୍ରଦତ୍ତ ଅପମାନକୁ ନପୁଂସକ ସଦୃଶ୍ୟ କିପରି ସହ୍ୟ କରୁଅଛନ୍ତି ?୨୮। ଯେଉଁମାନେ ଦୁରାତ୍ମା କୀଚକର ହିଂସାରୁ ଆପଣାର ପତ୍ନୀକୁ ପରିତ୍ରାଣ କରିନପାରିଲେ, ସେହି ପାଣ୍ଡବମାନଙ୍କର କ୍ରୋଧ, ବୀର୍ଯ୍ୟ ଓ ତେଜ କେଉଁଠାରେ ଅଛି ?୨୯।

 

ଯେଉଁ ସ୍ଥାନରେ ବିରାଟ ରାଜା ନିରପରାଧିନୀ ଅବଳାର ଅପମାନ ଦୁଃଖ ଦେଖି ସୁଦ୍ଧା ନୀରବ ହୋଇ ସ୍ୱକୀୟ ଧର୍ମଦୁର୍ଷକତାର ପରିଚୟ ଦେଉଅଛନ୍ତି, ସେଠାରେ ମୁଁ କଣ କରିବି ?୩୦। ହେ ରାଜନ୍‌ ! ଆପଣ କୀଚକର ଦୌରାତ୍ମ୍ୟ ପରିଦର୍ଶନ କରି ସୁଦ୍ଧା ତାହାକୁ ଯାହା କିଞ୍ଚିତ୍ ପରିମାଣରେ ସୁଦ୍ଧା ରାଜଦଣ୍ଡ ଦେଲେ ନାହିଁ; ଅତଏବ ଏହି ସଭାରେ ଆପଣଙ୍କର ରାଜଧର୍ମ ଦସ୍ୟୁଧର୍ମ ପରି ଶୋଭା ପାଉନାହିଁ ?୩୧। ହେ ମତ୍ସ୍ୟ ମହୀପାଳ ! ଆପଣଙ୍କ ନିକଟରେ ଯେ ମତେ ଆଘାତ ମିଳିଲା, ଏହା କଦାପି ଯୁକ୍ତିସଙ୍ଗତ ନୁହେଁ; ଏ ବିଷୟରେ କୀଚକର ଅନ୍ୟାୟ କାର୍ଯ୍ୟକୁ ସଭାସଦ୍‌ମାନେ ବିଚାର କରନ୍ତୁ ।୩୨। ପ୍ରଥମରେ କୀଚକ ଧର୍ମଶାସ୍ତ୍ର ଜାଣେ ନାହିଁ, ଦ୍ୱିତୀୟରେ ମତ୍ସ୍ୟରାଜା ମଧ୍ୟ ଧର୍ମଜ୍ଞାନରେ ନିତାନ୍ତ ଅପଟୁ; ଅତଏବ ମତ୍ସ୍ୟଦେଶର ରାଜା ଓ କୀଚକର ଉପାସନାକାରକ ସମସ୍ତ ସଭ୍ୟବୃନ୍ଦ ମଧ୍ୟ ଧର୍ମ କି ପ୍ରକାର ପଦାର୍ଥ, ତାହା କିଛିମାତ୍ର ଜାଣନ୍ତି ନାହିଁ ।୩୩। ବୈଶମ୍ପାୟନ କହିଲେ, ବରବର୍ଣ୍ଣିନୀ ଦ୍ରୌପଦୀ ଏହିପରି ନାନା ପ୍ରକାର ବାଗ୍‌ଜାଲ ପ୍ରୟୋଗପୂର୍ବକ ବାଷ୍ପାକୁଳିତ ଲୋଚନରେ ମତ୍ସ୍ୟରାଜାଙ୍କୁ ତିରସ୍କାର କଲେ ।୩୪।

 

ବିରାଟ କହିଲେ, ଆମ୍ଭ ପରୋକ୍ଷରେ ତୁମ୍ଭ ଦୁଇଜଣଙ୍କର କେଉଁ କାରଣରୁ କଳହ ଉପସ୍ଥିତ ହୋଇଅଛି, ତାହା ଆମ୍ଭେ କିଛିମାତ୍ର ଜାଣୁନାହିଁ; ଅର୍ଥାତ୍ ଏହାର ଯଥାର୍ଥ ମର୍ମ ନ ଜାଣି କି ପ୍ରକାର ଦଣ୍ଡବିଧାନ କରିବୁଁ ?୩୫। ବୈଶମ୍ପାୟନ କହିଲେ, ତଦନନ୍ତର ସ୍ୟମାନେ ସମସ୍ତ ସମ୍ବାଦ ଶ୍ରବଣ କଲାରୁ କୀଚକକୁ ବହୁତ ତିରସ୍କାର କରି ଦ୍ରୌପଦୀଙ୍କୁ ବାରମ୍ବାର ସମ୍ମାନ ଦେଇ ଧନ୍ୟ ଧନ୍ୟ ବୋଲି ପ୍ରଶଂସା କଲେ ।୩୬। ସଭ୍ୟମାନେ କହିଲେ, ସୁଦୀର୍ଘଲୋଚନା ସର୍ବାଙ୍ଗସୁନ୍ଦରୀ ଏହି ରମଣୀ ଯାହାଙ୍କର ପତ୍ନୀ ଅଟନ୍ତି, ତାହାଙ୍କର ବିଶେଷ ଲାଭ ହେବାର ସମ୍ଭବ । ସେ ଏ ସମ୍ବନ୍ଧରେ କଦାପି ଶୋକ କରିବେ ନାହିଁ ।୩୭। ମନୁଷ୍ୟ ମଧ୍ୟରେ ଏପରି ବରବର୍ଣ୍ଣିନୀ ସୁନ୍ଦରୀ ଦେଖାଯାଆନ୍ତି ନାହିଁ; ଅତଏବ ଏହାଙ୍କୁ ଆମ୍ଭେ କୌଣସି ଦେବକନ୍ୟା ବୋଲି ଜାଣୁଅଛୁଁ ।୩୮। ବୈଶମ୍ପାୟନ କହିଲେ, ସଭ୍ୟମଣ୍ଡଳୀ କୃଷ୍ଣାଙ୍କୁ ଅବଲୋକନ କରି ଏପରି ନାନା ପ୍ରକାର ସୁମିଷ୍ଟ ବାକ୍ୟ କହି ବିଶେଷ ସତ୍କାର କଲେ । କିନ୍ତୁ ଯୁଧିଷ୍ଠିରଙ୍କର ଲଲାଟପଟରେ ଜନ୍ମିଥିବା କ୍ରୋଧାଦ୍ଭବ ସ୍ୱେଦରାଶିକୁ କେହି ଦୂର କରିପାରିଲେ ନାହିଁ ।୩୯।

 

ଏଥି ଉତ୍ତାରୁ ରାଜା ଯୁଧିଷ୍ଠିର ରାଜକୁମାରୀ ପ୍ରେୟସୀ ମହିୟସୀଙ୍କୁ ସମ୍ବୋଧନ କରି କହିଲେ, ହେ ପାଞ୍ଚାଳି ! ଆଉ ଏଠାରେ ଅଧିକ ସମୟ ରହିବା ତୁମ୍ଭର ପ୍ରୟୋଜନ ନାହିଁ, ଅତଏବ ସୁଦେଷ୍ଣା ମନ୍ଦିରକୁ ଗମନ କର ।୪୦। ବୀରପତ୍ନୀମାନେ ପତିଙ୍କ ଅନୁରୋଧରେ ଅସହନୀୟ କ୍ଲେଶ ସହ୍ୟ କରନ୍ତି । ନିଜ ନିଜ ପତିଙ୍କୁ ଜୟ କରିବା କାମନାରେ ଅନବରତ ସ୍ୱାମୀଙ୍କ ସେବାରେ ରତ ହୋଇ ତଜ୍ଜନ୍ନିତ କଷ୍ଟସମୂହକୁ ଉତ୍କୃଷ୍ଟ ଲାଭ ବୋଲି ଜ୍ଞାନ କରନ୍ତି ।୪୧। ମୁଁ ଜାଣୁଅଛି, ସୂର୍ଯ୍ୟସଦୃଶ୍ୟ ତେଜୀୟାନ୍ ତୁମ୍ଭର ଗନ୍ଧର୍ବ ପତିମାନେ ସମ୍ପ୍ରତି କ୍ରୋଧପ୍ରକାଶ କରିବା ସମୁଚିତ ବିବେଚନା ନ କରିବାରୁ ତୁମ୍ଭଙ୍କୁ ସାହାଯ୍ୟ ଦେବା ବିଷୟରେ ପଶ୍ଚାତ୍‌ପଦ ହୋଇଅଛନ୍ତି ।୪୨। ହେଇ ସୈରନ୍ଧ୍ରି ! ତୁମ୍ଭେ ସମୟ ଜାଣିପାର ନାହିଁ; ସେହି ହେତୁରୁ ରାଜସଭାରେ ନର୍ତ୍ତକୀ ସଦୃଶ୍ୟ ଦଣ୍ଡାୟମାନ ହୋଇ କ୍ରନ୍ଦନ କରୁଅଛ । ତୁମ୍ଭେ ଏପରି କ୍ରନ୍ଦନ କରିବାରୁ ମତ୍ସ୍ୟମହୀପତିଙ୍କର କ୍ରୀଡ଼ା ସମ୍ବନ୍ଧରେ ବିଶେଷ ବିଘ୍ନ ଘଟୁଅଛି ।୪୩। ଅତଏବ ହେ ଦ୍ରୌପଦୀ ! ତୁମ୍ଭେ ଏହିକ୍ଷଣି ଯାଅ । ଯେଉଁ ବ୍ୟକ୍ତି ତୁମ୍ଭଙ୍କୁ ଅସହ୍ୟ ଦୁଃଖ ଦେଇଅଛି, ସେହି ଦୁରନ୍ତ ଦୁଃଖଦାୟକକୁ ଗନ୍ଧର୍ବ ପୁରୁଷମାନେ ଯାତନା ପ୍ରଦାନପୂର୍ବକ ତୁମ୍ଭର ଆନନ୍ଦ ବର୍ଦ୍ଧନ କରିବେ ।୪୪।

 

ଦ୍ରୌପଦୀ କହିଲେ, ବୋଧହୁଏ ମୁଁ ଯେଉଁ ଦୟାଳୁ ବୀର ପୁରୁଷମାନଙ୍କର ସହଧର୍ମିଣୀ, ସେହିମାନଙ୍କ ମଧ୍ୟରେ ଜ୍ୟେଷ୍ଠ ସ୍ୱାମୀ ନିରନ୍ତର ଅକ୍ଷକ୍ରୀଡ଼ାରେ ଆସକ୍ତ; ସୁତରାଂ ଅପର ପତିମାନେ ତାହାର ଅନିଷ୍ଟ କରିବେ ।୪୫। ସୁଶ୍ରୋଣୀ ଦ୍ରୌପଦୀ ଏହା କହି ସୁଦେଷ୍ଣାଙ୍କ ମନ୍ଦିରକୁ ଗମନ କଲେ-। ସେହି ସମୟରେ କ୍ରୋଧ ହେତୁରୁ ତାହାଙ୍କର ନୟନଯୁଗଳ ଆରକ୍ତ ବର୍ଣ୍ଣ ଦିଶୁଥିଲା ଓ କୁନ୍ତଳ ମୁକୁଳିତ ହୋଇଥିଲା ।୪୬। ବହୁକ୍ଷଣ ରୋଦନ କରିବାରୁ ତାହାଙ୍କର ବଦନଚନ୍ଦ୍ରମା ଜୀମୂତପଟଳୀବିନିର୍ମୁକ୍ତ ଆକାଶସ୍ଥିତ ଚନ୍ଦ୍ରମଣ୍ଡଳ ସଦୃଶ୍ୟ ଶୋଭା ପାଉଥିଲା ।୪୭। ସେହି ସମୟରେ ସୁଦେଷ୍ଣା କହିଲେ, ହେ ଭଦ୍ରେ ! ସୁନ୍ଦରୀ ! ବରାରୋହେ ! କିଏ ତୁମ୍ଭଙ୍କୁ ମାଇଲା-? କି ହେତୁରୁ ତୁମ୍ଭେ ରୋଦନ କରୁଅଛ ? କିଏ ତୁମ୍ଭର ଅନିଷ୍ଟ କରିଅଛି ? କିଏ ତୁମ୍ଭଙ୍କୁ ଦୁଃଖ ଦେଲା-?୪୮।

 

ଦ୍ରୌପଦୀ କହିଲେ, ଆପଣଙ୍କ ସୁରା ଆଣିବା ପାଇଁ କୀଚକ ଗୃହକୁ ଯାଇଥିଲି; କୀଚକ ସଭାସ୍ଥାନକୁ ନିର୍ଜନ ଅରଣ୍ୟାନି ମନେକରି ରାଜାଙ୍କ ସମକ୍ଷରେ ମୋତେ ଅସହାୟ ପ୍ରାଣୀପ୍ରାୟ ପଦାଘାତ କଲା ।୪୯। ସୁଦେଷ୍ଣା କହିଲେ, ହେ ସୁକୁନ୍ତଳେ ! ତୁମ୍ଭେ ଦୁର୍ଲ୍ଲଭ ସ୍ତ୍ରୀ ଅଟ । ଯେଉଁ କୀଚକ ମଦନୋନ୍ମତ୍ତ ହୋଇ ତୁମ୍ଭଙ୍କୁ ଅବମାନନା କରିଅଛି, ତୁମ୍ଭେ ଇଚ୍ଛା କଲେ ଆମ୍ଭେ ତାହାର ପ୍ରାଣ ସଂହାର କରାଇବୁ ।୫୦। ଦ୍ରୌପଦୀ କହିଲେ, ସେ ଯେଉଁମାନଙ୍କଠାରେ ଅପରାଧ କରିଅଛି, ସେହିମାନେ ତାହାକୁ ବଧ କରିବେ । ମୁଁ ସ୍ପଷ୍ଟରୂପେ ଜାଣି ପାରୁଅଛି ଯେ ସେ ନିଶ୍ଚୟ ଅଦ୍ୟ କରାଳ କାଳର କବଳରେ ନିପତିତ ହେବ ।୫୧।

 

ଅଧ୍ୟାୟ – ୧୭

 

ଯଶସ୍ୱିନୀ ଭାମିନୀ ରାଜକୁମାରୀ କୃଷ୍ଣାଙ୍କୁ କୀଚକ ପଦାଘାତ କରିଥିବାରୁ ସେ ତାହାର ମୃତ୍ୟୁ ଇଚ୍ଛା କରି ଆପଣାର ବାସସ୍ଥାନକୁ ଗଲେ । କିଛିକ୍ଷଣ ପରେ କୃଶୋଦରୀ ଦ୍ରୁପଦକୁମାରୀ କୃଷ୍ଣା ଜଳରେ ସର୍ବାଙ୍ଗ ଓ ବସ୍ତ୍ରଦ୍ୱୟ ଧୌତ କରି ଶୁଚି ହେଲେ ଓ କାନ୍ଦି କାନ୍ଦି ଉପସ୍ଥିତ ଦୁଃଖନିବାରଣାର୍ଥ ଭାବନା କଲେ ।୩। ଦ୍ରୌପଦୀ ବିଚାରିଲେ, ମୁଁ କ’ଣ କରିବି ? କେଉଁ ଆଡ଼କୁ ଯିବି ? କୀଚକର ମୃତ୍ୟୁ କିପରି ହେବ ? ଏହି ପ୍ରକାର ଭାବନା କରୁ କରୁ ତାହାଙ୍କ ହୃଦୟରେ ଭୀମସେନ ଉଦିତ ହେଲେ । ସେହି ସମୟରେ ସେ ବିଚାର କଲେ ଯେ ତାହାଙ୍କର ସନ୍ତୋଷ ଜନ୍ମାଇବାକୁ ଭୀମଙ୍କ ବ୍ୟତୀତ ଅନ୍ୟ କେହି ସମର୍ଥ ନାହାନ୍ତି । ସେହି କାରଣରୁ ସୁଦୀର୍ଘନେତ୍ରା, ସତୀ ଦ୍ରୌପଦୀ, ଅନାଥା ରମଣୀ ପ୍ରାୟ ହୋଇ ନିର୍ଜନ ରଜନୀରେ ଶଯ୍ୟାରୁ ଉଠି ଶୀଘ୍ର ଭୀମଙ୍କ ଗୃହକୁ ଗଲେ ।୬। ବୈଶମ୍ପାୟନ କହିଲେ, ଭୀମ ମୃଗରାଜ ସଦୃଶ୍ୟ ଦୀର୍ଘନିଃଶ୍ୱାସ ତ୍ୟାଗ କରି ଯେଉଁ ଗୃହରେ ଶୟନ କରିଥିଲେ, ଦ୍ରୌପଦୀ ଦୁଃଖିତ ମନରେ ସେହି ଗୃହରେ ପ୍ରବେଶ କରି କହିଲେ, ମୋହର ଅନିଷ୍ଟକାରକ କୀଚକ ଶତ୍ରୁ ଅଦ୍ୟ ଜୀବିତ ଥାଉଁ ଥାଉଁ ଆପଣ କି ସୁଖରେ ଶୟନ କରିଅଛନ୍ତି ?

 

ହେ କୌରବ୍ୟ ! ସେହି ଗୃହ ଦ୍ରୌପଦୀଙ୍କ ଲାବଣ୍ୟ ତେଜରେ ଓ ମହାତ୍ମା ଭୀମଙ୍କ ମହାତେଜରେ ଅତ୍ୟନ୍ତ ଦେଦୀପ୍ୟମାନ ହେଲା । ଅରଣ୍ୟଜନ୍ମା ତ୍ରିବର୍ଷ ବୟସ୍କା ଅଜାତରଜସ୍କା ଧେନୁ ଯେପରି ମହାକଳେବର ବୃଷଭ ପାର୍ଶ୍ୱରେ ପ୍ରବେଶ କରି ଉନ୍ମତ୍ତାହ ହେଲା ପ୍ରାୟ ଜଣାଯାଉଥାଏ, ଦ୍ରୌପଦୀ ସେହିପରି କାମାତୁର ହେଲା ପ୍ରାୟ ଭୀମଙ୍କ ପାର୍ଶ୍ୱରେ ଉପସ୍ଥିତ ହେଲେ ଓ ସେହି ସମୟରେ ଦ୍ରୌପଦୀ ଭୀମସେନଙ୍କୁ ବାହୁଦ୍ୱୟରେ ଆଲିଙ୍ଗନ କରି ଜାଗ୍ରତ କରିବାକୁ ଚେଷ୍ଟା କରୁଥିବାରୁ ବୋଧ ହେଲା, ଭୀମ ଯେପରି କି ଗୋମତୀ ନଦୀତୀରଜାତ ପୁଷ୍ପିତ ମହାଶାଳ ବୃକ୍ଷ, ଲତାବେଷ୍ଟିତ ହେଲା ପ୍ରାୟ ମନୋହର ଦିଶିଲେ । ଦୁର୍ଗମ ବନରେ ସିଂହୀ ସୁପ୍ତ ସିଂହକୁ ଉଠାଇବା ପରି ଦ୍ରୌପଦୀ ବୀରସିଂହ ଭୀମଙ୍କୁ ଜାଗରିତ କରାଇବାକୁ ଚେଷ୍ଟା କରୁଥିଲେ । ହସ୍ତିନୀ ମହାଗଜକୁ ଆଲିଙ୍ଗନ କଲା ପ୍ରାୟ ଦ୍ରୌପଦୀ ଭୀମଙ୍କୁ ଆଲିଙ୍ଗନ କରି ବୀଣାର ଗାନ୍ଧାର ସ୍ୱର ତୁଲ୍ୟ ସୁମଧୁର ସ୍ୱରରେ କହିଲେ, ହେ ଭୀମସେନ ! ଆପଣ ଉଠିବା ହେଉନ୍ତୁ; ମୃତବ୍ୟକ୍ତି ସଦୃଶ୍ୟ କାହିଁକି ଶୟନ କରିଅଛନ୍ତି ? ଆପଣ ଜୀବିତ ଥାଉଁ ଥାଉଁ ଦୁରାତ୍ମା କୀଚକ ମୋତେ ଅପମାନ ଦେଇ ପ୍ରାଣ ଧରିଅଛି, ଏହା ବଡ଼ ଆଶ୍ଚର୍ଯ୍ୟର ବିଷୟ ।୧୫। ନିରଦସୁନ୍ଦର ଭୀମ ରାଜକୁମାରୀ ଦ୍ରୌପଦୀଙ୍କ ଯତ୍ନରେ ନିଦ୍ରା ତ୍ୟାଗକରି ଉଠି ସୁବର୍ଣ୍ଣମୟ ସୁସଜ୍ଜିତ ପର୍ଯ୍ୟଙ୍କରେ ବସିଲେ ।୧୬।

 

ଏଥି ଉତ୍ତାରୁ ଦ୍ରୁପଦ ରାଜକୁମାରୀ ପ୍ରେୟସୀ ମହିଷୀଙ୍କୁ ଭୀମ କହିଲେ, ହେ ପ୍ରିୟେ ! ତୁମ୍ଭେ ଏପରି ଅସ୍ଥିର ହୋଇ ଏତେବେଳେ ଆମ୍ଭ ନିକଟକୁ କାହିଁକି ଆସିଅଛ ? ତୁମ୍ଭେ ବିବର୍ଣ୍ଣ, କ୍ଷୀଣ ଆଉ ପାଣ୍ଡୁବର୍ଣ୍ଣ କାହିଁକି ଦିଶୁଅଛି ? ଏହାର କାରଣ ମତେ ବିସ୍ତାରିତରୂପେ କହ ।୧୮। ତୁମ୍ଭର ପ୍ରିୟ ଅଥବା ଅପ୍ରିୟ ବ୍ୟାପାର ସୁଖଜନକ ଅଥବା ଦୁଃଖଜନକ ଘଟଣା ଯାହା ଘଟିଅଛି, ତାହା ସବୁ ବ୍ୟକ୍ତକରି ମତେ କହ । ମୁଁ ତାହା ଜାଣିଲେ ସମୁଚିତ ବିଚାର କରିବି ।୧୯। ହେ କୃଷ୍ଣେ ! ତୁମ୍ଭର ସବୁ ବିଷୟରେ ମୁଁ ବିଶ୍ୱାସଭୂମି ଅଟେ । ତୁମ୍ଭଙ୍କୁ ଆପଦ ପଡ଼ିଲେ ମୁଁ ବାରମ୍ବାର ରକ୍ଷା କରୁଅଛି ।୨୦। ତୁମ୍ଭର ଯେଉଁ କାର୍ଯ୍ୟ ଅଛି ଓ ଯେଉଁ କଥା କହିବାର ଅଛି, ତାହାସବୁ ମତେ କହି ଶୀଘ୍ର ତୁମ୍ଭର ଶୟନ ମନ୍ଦିରକୁ ଚାଲିଯାଅ । ତୁମ୍ଭେ ଏଠାକୁ ଆସିଅଛ ବୋଲି କେହି ନ ଜାଣନ୍ତୁ ।୨୧।

 

Unknown

ଅଧ୍ୟାୟ – ୧୮

 

ଦ୍ରୌପଦୀ କହିଲେ- ଯାହାର ଯୁଧିଷ୍ଠିର ସ୍ୱାମୀ, ସେ କି ଅଶୋକ ଭାବରେ ରହିପାରିବ-? ଆପଣ ତ ମୋହର ସମୁଦାୟ ଦୁଃଖ ବୃତ୍ତାନ୍ତ ଜାଣି ଅଛନ୍ତି ? ତେବେ କାହିଁକି ପଚାରୁ ଅଛନ୍ତି-?୧। ହେ ଭାରତ ! ଅଦ୍ୟ ଦ୍ୟୂତକ୍ରୀଡ଼ା ସମୟରେ ଯେତେବେଳେ କୀଚକ ମତେ ଦାସୀପ୍ରାୟ ମନେକରି ସଭା ମଧ୍ୟରେ ଅପମାନ ଦେଇଥିଲା, ସେହି ସମୟରୁ ଏତେବେଳଯାଏ ମୋହର ହୃଦୟ ଦଗ୍ଧ ହେଉଅଛି । ।୨। ମୋ ବ୍ୟତିରେକେ ଅନ୍ୟ କୌଣସି ରାଜକୁମାରୀ ସେହିପରି ଅତିଶୟ ଅସହନୀୟ ଦୁଃଖାନୁଭବ କରି କଦାପି ପ୍ରାଣଧନ ଧରି ରହି ନ ପାରେ ।୩। ବନବାସ ସମୟରେ ସିନ୍ଧୁ ରାଜାଙ୍କର ପୁତ୍ର ଦୁରାତ୍ମା ଜୟଦ୍ରଥ ମତେ ଯେଉଁ ଦ୍ୱିତୀୟ ଅପମାନ ଦେଇଥିଲା, ତାହା ଅନ୍ୟ କୌଣସି ରାଜକୁମାରୀ ସହ୍ୟକରି ପାରନ୍ତା କି ?୪। ଅଦ୍ୟ ମତ୍ସ୍ୟରାଜାଙ୍କ ସମକ୍ଷରେ କୀଚକ ମତେ ଯେଉଁ ଅପମାନ ଦେଲା, ତାହା ସହ୍ୟ କରି ଅନ୍ୟ କୌଣସି ରାଜକୁମାରୀ ପ୍ରାଣ ଧରି ରହିପାରନ୍ତା କି ?୫। ହେ କୁନ୍ତୀନନ୍ଦନ ! ଭାରତ ! ଏହିପରି ବହୁ ପ୍ରକାର କ୍ଳେଶ ସହ୍ୟକରି ମୁଁ ପ୍ରାଣ ଧରିଅଛି-। ଏହି କଥା ଯଦି ଆପଣ ଜାଣିପାରୁ ନାହାନ୍ତି, ତେବେ ମୋହର ଜୀବନରେ କେଉଁ ଫଳ ଅଛି-?୬।

 

ହେ ପୁରୁଷବ୍ୟାଘ୍ର ! ଭାରତ ! ବିରାଟ ରାଜାଙ୍କ ସେନାପତି ଅତି ମନ୍ଦବୁଦ୍ଧି କୀଚକ ମତେ ରାଜାଙ୍କ ଗୃହରେ ଦେଖି ‘ଆମ୍ଭର ପତ୍ନୀ ହୁଅ, ପତ୍ନୀ ହୁଅ” ଏହି କଥା ପ୍ରତିଦିନ କହୁଥାଏ ।୮। ହେ ଅରିଦମନଶୀଳ ! ମରିବାର ଯୋଗ୍ୟ ଦୁରାତ୍ମା ସେହି କୀଚକ ମତେ ବଶ କରିବା ନିମିତ୍ତ ଯେତେବେଳେ ଚାଟୁ ବଚନ କହେ, ସେହି ସମୟରେ ମୋହର ହୃଦୟ ଅତି ଉଚ୍ଚ ବୃକ୍ଷରୁ ନିପତିତ ପକ୍ୱ ଫଳ ସଦୃଶ୍ୟ ବିଦୀର୍ଣ୍ଣ ହୋଇଯାଏ ।୯। ଅତିନିନ୍ଦିତ ଦ୍ୟୂତକ୍ରୀଡ଼ାରେ ଆସକ୍ତ ଆପଣଙ୍କ ଜ୍ୟେଷ୍ଠ ଭ୍ରାତା ଯେଉଁ ଯୁଧିଷ୍ଠିରଙ୍କର କର୍ତ୍ତବ୍ୟ କର୍ମଦୋଷରେ ମୁଁ ଅସଂଖ୍ୟ କ୍ଳେଶ ସହ୍ୟ କରୁଅଛି, ତାହାଙ୍କୁ ଧିକ୍‌କାର କରିବା ହେଉନ୍ତୁ ।୧୦। ସେ ଅତିଶୟ ମନ୍ଦକ୍ରୀଡ଼ାସକ୍ତ ହୋଇନଥିଲେ ରାଜ୍ୟ ଆପଣା ସହିତ ସମସ୍ତ ସମ୍ପତ୍ତି ପରିତ୍ୟାଗ କରି ସୁଦ୍ଧା ସନ୍ନ୍ୟାସ ଧର୍ମନିମିତ୍ତ କ୍ରୀଡ଼ା କରି ସହସ୍ର ସହସ୍ର ପଳପରିମିତ ସୁବର୍ଣ୍ଣ ଓ ଅନ୍ୟପ୍ରକାର ସାର ସାର ପଦାର୍ଥ ପଣ କରି ଥାଆନ୍ତେ ? ତେବେ ରୌପ୍ୟ, ସୁବର୍ଣ୍ଣ, ବସ୍ତ୍ର, ଯାନ, ବାହନ, ଓ ଛାଗ, ମେଷ, ଗୋ, ଅଶ୍ୱ ଓ ଅଶ୍ୱତର ଏହିସବୁ କଦାପି ନଷ୍ଟ ହୋଇ ନଥାନ୍ତା । ।୧୩। ସେ ଅକ୍ଷକ୍ରୀଡ଼ା କରିବା ଦୋଷରୁ ଲକ୍ଷ୍ମୀହୀନ ହୋଇ ସମ୍ପ୍ରତି କୃତକର୍ମମାନଙ୍କୁ ସ୍ମରଣ କରି କେଉଁ କଥା କରିବାର ଉଚିତ ନୁହେଁ- ଏହା ଜାଣିନପାରି ମୂକ ହୋଇ ରହିଅଛନ୍ତି ।୧୪।

 

ଆହା ! କି ଦୁଃଖର ବିଷୟ, ଇନ୍ଦ୍ରପ୍ରସ୍ଥ ନଗରରେ ଯାହାଙ୍କର ଦଶ ସହସ୍ର ହସ୍ତୀ ଓ ଦଶ ସହସ୍ର ସୁବର୍ଣ୍ଣ ହାର ମଣ୍ଡିତ ଘୋଟକ ପଶ୍ଚାତ୍ ପଶ୍ଚାତ୍ ଗମନ କରୁଥିଲେ, ଯାହାଙ୍କୁ ଶତ ସହସ୍ର ରଥାରୋହୀ ଅତି ବଳିଷ୍ଠ ରାଜାମାନେ ଅଧୀନତା ସ୍ୱୀକାରପୂର୍ବକ ଆରାଧନା କରୁଥିଲେ ଓ ଯାହାଙ୍କର ପାକଶାଳାରେ ଥିବା ସହସ୍ର ସହସ୍ର ଦାସୀମାନେ ଅହୋରାତ୍ର ଅବିଶ୍ରାନ୍ତଭାବରେ ସ୍ୱର୍ଣ୍ଣପାତ୍ର ଧରି ଅସଂଖ୍ୟ ଅସଂଖ୍ୟ ଅତିଥିମାନଙ୍କୁ ମିଷ୍ଟାନ୍ନ ପରିବେଷଣ କରୁଥିଲେ, ସେହି ମହାରାଜ ଯୁଧିଷ୍ଠିର ଅଦ୍ୟ ଅକ୍ଷକ୍ରୀଡ଼ାକୁ ଆଶ୍ରୟ କରି ଜୀବିତ ଅଛନ୍ତି ।୧୭। ଯେଉଁ ବଦାନ୍ୟବର ମହାତ୍ମା ପ୍ରତିଦିନ ସହସ୍ର ପଳପରିମିତ ସୁବର୍ଣ୍ଣ ବ୍ରାହ୍ମଣମାନଙ୍କୁ ଦାନ କରୁଥିଲେ, ସେହି ମହାରାଜ ଯୁଧିଷ୍ଠିର ଅକ୍ଷକ୍ରୀଡ଼ାରେ ସମସ୍ତ ସମ୍ପତ୍ତି ହରାଇ ପରକୁ ଆଶ୍ରୟ କରିଅଛନ୍ତି ।୧୮।

 

ଉତ୍ତମ ରତ୍ନଖଚିତ କୁଣ୍ଡଳଧାରୀ ସୂତ ଓ ମାଗଧମାନେ ଦୁଇ ସନ୍ଧ୍ୟାରେ ଉତ୍ତମ ସ୍ୱରରେ ସ୍ତୁତିପାଠ କରି ଯାହାଙ୍କର ସନ୍ତୋଷ ଜନ୍ମାଉଥିଲେ, ଯାହାଙ୍କ ସଭାରେ ଉତ୍ତମ ଶାସ୍ତ୍ରଜ୍ଞ ସହସ୍ରସଂଖ୍ୟକ ତପୋଧନ ମୁନିମାନେ ସଭାସଦ୍‌ରୂପେ ରହି ସମସ୍ତ ପ୍ରକାର ଅଭୀଷ୍ଟ ଦ୍ରବ୍ୟ ଲାଭକରି ଉତ୍ତମରୂପେ ପୂଜିତ ହେଉଥିଲେ, ଯେଉଁ ମହାତ୍ମା ମହାବ୍ରତ ସ୍ନାତକ ଅଠାଅଶୀ ସହସ୍ରସଂଖ୍ୟକ ଗୃହମେଧୀ ବ୍ରାହ୍ମଣମାନଙ୍କୁ ଓ ଦଶ ସହସ୍ର ସଂଖ୍ୟକ ଅପ୍ରତିଗ୍ରାହୀ ଯତିମାନଙ୍କୁ ପ୍ରତ୍ୟେକଙ୍କ ନିମିତ୍ତ ତ୍ରିଂଶତ୍ ପରିମିତ ଦାସୀ ନିଯୁକ୍ତ କରି ପ୍ରତିପାଳନ କରୁଥିଲେ, ସେହି ମହାରାଜ ଯୁଧିଷ୍ଠିର ଅଦ୍ୟ ପରର ଆଶ୍ରୟରେ ପ୍ରତିପାଳିତ ହେଉଅଛନ୍ତି ।୨୨। ଅହିଂସା, ଦୟା ଓ କ୍ଷମା ଏହି ସତ୍ତ୍ୱ ଗୁଣମାନଙ୍କର ଆଧାର ସ୍ୱରୂପ ସେହି ମହାରାଜା ଯୁଧିଷ୍ଠିର ଏତାଦୃଶ୍ୟ ଦୁର୍ଦଶାଗ୍ରସ୍ତ ହେଲେ ।୨୩। ଯେଉଁ କ୍ଷମାସାଗର, ସତ୍ୟପରାକ୍ରମ ମହାତ୍ମା ନିଜ ରାଜ୍ୟର ବୃଦ୍ଧ, ବାଳକ, ଅନ୍ଧ ଓ ଅନାଥ ପ୍ରଭୃତି ସର୍ବପ୍ରକାର ଦୁର୍ଦଶାପୀଡ଼ିତ ଲୋକମାନଙ୍କୁ ପୋଷଣ କରୁଥିଲେ, ଯେଉଁ ଦୟାଳୁମଣି ମହାତ୍ମା ସମସ୍ତ ପ୍ରାଣୀଙ୍କୁ ଆତ୍ମସଦୃଶ୍ୟ ଜ୍ଞାନ କରନ୍ତି, ସେହି ମହାରାଜ ଯୁଧିଷ୍ଠିର କପଟରେ ବ୍ରାହ୍ମଣ ବେଶ ଧରି ମତ୍ସ୍ୟରାଜାଙ୍କର ପରିଚାରକରୂପେ ରହି ଦ୍ୟୁତକ୍ରୀଡ଼କ ‘କଙ୍କ’ ନାମରେ ପରିଚିତ ହେଲେ ।୨୫।

 

ଇନ୍ଦ୍ରପ୍ରସ୍ଥ ନଗରରେ ଅବସ୍ଥିତି କରୁଥିବା ସମୟରେ ଅଧୀନସ୍ଥ ରାଜାମାନେ ବିବିଧ ଉପହାର ଦ୍ରବ୍ୟ ସମର୍ପଣପୂର୍ବକ ଯାହାଙ୍କର ପଦାନତ ହେଉଥିଲେ, ସେହି ମହାରାଜ ଯୁଧିଷ୍ଠିର ଜୀବିକାନିର୍ବାହ ନିମିତ୍ତ ଅନ୍ୟକୁ ଆଶ୍ରୟ କଲେ ।୨୬। ପୃଥିବୀପାଳ ରାଜାମାନେ ଯାହାଙ୍କର ନିକଟରେ ଅଧୀନତା ରଜ୍ଜୁରେ ଆବଦ୍ଧ ଥିଲେ, ସେହି ମହାରାଜ ଯୁଧିଷ୍ଠିର ଅଦ୍ୟ ସ୍ୱାଧୀନତା ହରାଇ ପରାଧୀନ ହେଲେ ।୨୭। ଯେଉଁ ମହାମନା ସ୍ୱକୀୟ ତେଜଃପୁଞ୍ଜରେ ସୂର୍ଯ୍ୟ ସଦୃଶ୍ୟ ବିରାଜିତ ହୋଇ ପୃଥିବୀକୁ ତାପ ଦେଉଥିଲେ, ସେହି ମହାରାଜ ଯୁଧିଷ୍ଠିର ଅଦ୍ୟ ବିରାଟ ରାଜାଙ୍କର ସଭାସଦ୍ ବୋଲି ପରିଗଣିତ ହେଲେ ।୨୮। ହେ ପାଣ୍ଡବ ! ଯାହାଙ୍କୁ ଋଷିମାନେ ଓ ରାଜାମାନେ ସଭା ମଧ୍ୟରେ ଦେବତାପ୍ରାୟ ଉପାସନା କରୁଥିଲେ, ଦେଖିବା ହେଉନ୍ତୁ, ସେ ପୁଣି ଅଦ୍ୟ ଅନ୍ୟକୁ ଉପାସନା କଲେ ।୨୯। ଯୁଧିଷ୍ଠିର ବିରାଟ ରାଜାଙ୍କର ପରିଚାରକରୂପେ ରହି ସଭା ମଧ୍ୟରେ ତାହାଙ୍କୁ ଚାଟୁବଚନ କହୁଅଛନ୍ତି, ଏହା ଦେଖିଲେ କାହାର ହୃଦୟ ଶୋକାନଳରେ ଦଗ୍ଧ ନହେବ ! ମହାପ୍ରାଜ୍ଞ ଧର୍ମପରାୟଣ ଯୁଧିଷ୍ଠିର ରାଜ୍ୟସମ୍ପତ୍ତି ହରାଇ ଜୀବିକା ନିର୍ବାହ ନିମିତ୍ତ ଅନ୍ୟର ପରିଚାଳକ ହୋଇଥିବାର ଦେଖିଲେ କାହାର ହୃଦୟ ଦଗ୍ଧ ନ ହେବ ।୩୧।

 

ହେ ବୀର ! ଭାରତ ! ସମସ୍ତ ପୃଥିବୀର ଲୋକମାନେ ସଭା ମଧ୍ୟରେ ଯାହାଙ୍କୁ ସ୍ତବ ବାକ୍ୟ ପ୍ରୟୋଗପୂର୍ବକ ପୂଜା କରୁଥିଲେ, ସେହି ଯୁଧିଷ୍ଠିର ଆପଣାର ଜୀବିକା ନିର୍ବାହ ନିମିତ୍ତ ଅନ୍ୟକୁ ସ୍ତବ କରୁଅଛନ୍ତି ।୩୨। ହେ ଭୀମ ! ଏହି କାରଣରୁ ମୁଁ ନାନା ପ୍ରକାର କ୍ଳେଶରାଶିରେ ପୀଡ଼ିତ ହୋଇ ଅନାଥ ପ୍ରାଣୀ ପ୍ରାୟ ଶୋକାସାଗରରେ ମଗ୍ନ ହେଉଥିବାର ଦେଖି ଆପଣଙ୍କ ହୃଦୟରେ କାହିଁକି ଦୟାର ସଂଚାର ହେଉନାହିଁ ?୩୩।

 

ଅଧ୍ୟାୟ – ୧୯

 

ଦ୍ରୌପଦୀ କହିଲେ- ହେ ଭୀମ ! ମୁଁ ଅତଶୟ କଷ୍ଟ ସହ୍ୟ କରିନପାରିବାରୁ ଆପଣଙ୍କୁ ଗୋଟିଏ ଦୁଃଖର ବିଷୟ ଜଣାଇବି । ଆପଣ ତାହା ଶ୍ରବଣ କରି ମୋଠାରେ କୋପାବିଷ୍ଟ ହେବେ ନାହିଁ ।୧। ହେ ଭାରତଶ୍ରେଷ୍ଠ ! ଭୀମ ! ଆପଣ ବିରାଟ ରାଜାଙ୍କର ନିକୃଷ୍ଟ ପାଚକ କର୍ମରେ ରହି ‘ବଲ୍ଲବ’ ଜାତୀୟ ବୋଲି ପରିଚୟ ଦେଉଥିବାର ଦେଖିଲେ କାହାର ହୃଦୟରେ ଶୋକର ସାଗର ଉଚ୍ଛ୍ୱସିତ ନ ହେବ ? ଯଦି ଲୋକମାନେ ଆପଣଙ୍କୁ ବିରାଟ ରାଜାଙ୍କ ବଲ୍ଲବ ନାମକ ସୂପକାର ଭୃତ୍ୟୁ ବୋଲି ଜାଣନ୍ତି, ତେବେ କହିବା ହେଉନ୍ତୁ, ଏହା ଅପେକ୍ଷା ଆଉ ଅଧିକ କି ଦୁଃଖର ବିଷୟ ଅଛି ?୩। ଆପଣ ବିରାଟ ରାଜାଙ୍କର ପାପକର୍ମ ନିର୍ବାହ କରି ଭୃତ୍ୟ ବୋଲି ପରିଚୟ ଦେଉଥିବାରୁ ଆପଣଙ୍କୁ ଯେତେବେଳେ ଲୋକମାନେ ‘ବଲ୍ଲବ’ ବୋଲି ଆହ୍ୱାନ କରନ୍ତି, ସେହି ସମୟରେ ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଏ । ଯେତେବେଳେ ସମ୍ରାଟ ସନ୍ତୁଷ୍ଟ ହୋଇ ଆପଣଙ୍କୁ ହସ୍ତୀମାନଙ୍କ ସଙ୍ଗରେ ଯୁଦ୍ଧ କରାଉଥାନ୍ତି, ସେହି ସମୟରେ ମୋର ଅନ୍ତଃକରଣରେ ମହାନ୍ ଉଦବେଗ ଜନ୍ମୁଥାଏ-। କିନ୍ତୁ ଅନ୍ତଃପୁରର ସ୍ତ୍ରୀମାନେ ଅତିଶୟ ଆନନ୍ଦିତ ହେଉଥାଆନ୍ତି ।୫।

 

ସୁଦେଷ୍ଣାଙ୍କ ଅନ୍ତଃପୁରରେ ଯେଉଁ ସମୟରେ ତାହାଙ୍କ ସମ୍ମୁଖରେ ସିଂହ, ଶାର୍ଦୁଳ ଓ ମହିଷମାନଙ୍କ ସଙ୍ଗରେ ଆପଣ ଯୁଦ୍ଧ କରୁଥାଆନ୍ତି, ତେତେବେଳେ ମୋର ଦୁଃଖସାଗର ବାରମ୍ବାର ବର୍ଦ୍ଧିତ ହେଉଥାଏ ଓ ପରିଶେଷରେ ମୂର୍ଚ୍ଛିତ ହୋଇ ମୁଁ ମହୀରେ ପଡ଼ିଯାଏ ।୬। ସୁଦେଷ୍ଣା ମୋର ମୂର୍ଚ୍ଛାଭଙ୍ଗ କରାଇ ମତେ ଭୂମିରୁ ଉଠାଇ ସେହି ଅନ୍ତଃପୁରର ସ୍ତ୍ରୀମାନଙ୍କୁ କହନ୍ତି, ସୂପକାର ବଲ୍ଲବ ଅତିଶୟ ବଳବନ୍ତ ଜନ୍ତୁମାନଙ୍କ ସଙ୍ଗରେ ଯୁଦ୍ଧ କରୁଥିବାର ଦେଖିଲେ ସୈରନ୍ଧ୍ରୀ ଏପରି ମୂର୍ଚ୍ଛିତ ହୁଏ କାହିଁକି ? ବୋଧହୁଏ ବଲ୍ଲବ ସଙ୍ଗରେ ଏହାର ସହବାସ ସୁଖର ସମ୍ବନ୍ଧ ଥିବାରୁ ସେ ଅତିଶୟ ଶୋକରେ ଆକୁଳ ହୋଇପଡ଼େ । ଦେଖ, ସୈରନ୍ଧ୍ରୀ ଯେପରି ସୁନ୍ଦର ସ୍ତ୍ରୀ, ବଲ୍ଲବ ମଧ୍ୟ ସେହିପରି ସୁନ୍ଦର ପୁରୁଷ ଅଟେ । ସ୍ତ୍ରୀମାନଙ୍କ ମନର କଥାତ ସହଜରେ ଜଣାଯାଏ ନାହିଁ । ଯାହାହେଉ, ଏ ଦୁହେଁ ପରସ୍ପର ପ୍ରଣୟସୂତ୍ରରେ ଆବଦ୍ଧ ହେବାକୁ ଉପଯୁକ୍ତ ଅଟନ୍ତି ବୋଲି ଜଣାଯାଉଅଛି ।

 

ଆହୁରି ମଧ୍ୟ ଦେଖ, ଏହି ଦୁହେଁ ଆମ୍ଭ ଗୃହରେ ଏକ ସମୟରେ ଆଶ୍ରିତ ହୋଇ ରହିଅଛନ୍ତି । ଅତଏବ ସୈରନ୍ଧ୍ରୀର ବଲ୍ଲବ ସଙ୍ଗରେ ପ୍ରଣୟ ଥିବାର ସମ୍ପୂର୍ଣ୍ଣ ସମ୍ଭବ । ଏହି ପ୍ରକାର କହି ବିରାଟ ରାଜମହିଷୀ ସୁଦେଷ୍ଣା ମତେ ଅନେକ ତର୍ଜ୍ଜନା କରନ୍ତି । ମୁଁ ତାହାଙ୍କର ତର୍ଜ୍ଜନା ବାକ୍ୟଶୁଣି କ୍ରୋଧାବିଷ୍ଟ ହେବାରୁ ଆପଣଙ୍କ ସହିତ ମୋର ପ୍ରଣୟ ଥିବାର ଅନୁମାନ କରନ୍ତି । ସୁଦେଷ୍ଣା ମତେ ସେହି ପ୍ରକାର କଥା ବାରମ୍ବାର କହୁଥିବା ସମୟରେ ମୋ ମନରେ ବଡ଼ ଦୁଃଖ ଜାତ ହେଉଥାଏ ।୧୨। ହେ ନାଥ ! ପ୍ରଥମରେ ମୁଁ ଯୁଧିଷ୍ଠିରଙ୍କ ଶୋକରେ ନିମଗ୍ନ, ପୁଣି ଦ୍ୱିତୀୟରେ ଆପଣ ଅତି ବଳିଷ୍ଠ ହେଇ ଏପରି ଦୁଃଖଗ୍ରସ୍ତ ଥିବରୁ ମୋର ପ୍ରାଣ ଧରିବାକୁ ଇଚ୍ଛା ହେଉନାହିଁ ।୧୫।

 

ଆହୁରି ଗୋଟିଏ ଦୁଃଖ ଏହି ଯେ ଯେଉଁ ମହାତ୍ମା ଦେବତା ଓ ମନୁଷ୍ୟ ପ୍ରଭୃତି ସମସ୍ତ ପ୍ରାଣୀଙ୍କୁ ଜୟ କରିଥିଲେ, ସେହି ମହାରଥ ଯୁବକ ଅର୍ଜ୍ଜୁନ ଏତେବେଳେ ବିରାଟ ରଜାଙ୍କର କନ୍ୟାମାନଙ୍କୁ ନୃତ୍ୟଶିକ୍ଷା ଦେଉଅଛନ୍ତି ।୧୪। ଯେଉଁ ଅତି ବୁଦ୍ଧିଶାଳୀ ବୀରଶ୍ରେଷ୍ଠ ଅର୍ଜ୍ଜୁନ ଖାଣ୍ଡବବନରେ ଅଗ୍ନିଦେବଙ୍କୁ ସନ୍ତୁଷ୍ଟ କରାଇଥିଲେ, ସେହି ମହାତ୍ମା ବିରାଟ ନଗରରେ, ସେହି ମହାତ୍ମା ବିରାଟ ରାଜାଙ୍କର ଅନ୍ତଃପୁରରେ କୁପର ମଧ୍ୟସ୍ଥିତ ଅଗ୍ନିପ୍ରାୟ ଆବଦ୍ଧ ହୋଇ ରହିଅଛନ୍ତି ।୧୫। ଯେଉଁ ପୁରୁଷଶ୍ରେଷ୍ଠ ଧନଞ୍ଜୟଙ୍କଠାରୁ ସର୍ବଦା ଶତ୍ରୁମାନେ ଭୟପ୍ରାପ୍ତ ହେଉଥିଲେ, ସେହି ବୀରବର ଅତି ନିନ୍ଦିତ ଓ ନପୁଂସକ ବେଶରେ କାଳହରଣ କରୁଅଛନ୍ତି ।୧୬। ଯାହାଙ୍କର ବାହୁଦ୍ୱୟ ଧନୁର୍ଗୁଣର ଆଘାତଯୋଗରେ ପରିଘର ସାଦୃଶ୍ୟ ଧରିଅଛନ୍ତି, ସେହି ଧନଞ୍ଜୟ ବୀର ସେହି ବାହୁଯୁଗଳରେ ଶଙ୍ଖାଳଙ୍କାର ପରିଧାନପୂର୍ବକ ଶୋକ କରୁଅଛନ୍ତି ।୧୭। ପୂର୍ବେ ଯାହାଙ୍କ ଧନୁର୍ଗୁଣର ନିର୍ଘୋଷ ଶ୍ରବଣ କରି ଶତ୍ରୁମାନେ କମ୍ପିତ ହେଉଥିଲେ, ସମ୍ପ୍ରତି ସେହି ଅର୍ଜ୍ଜୁନଙ୍କର ଗୀତ ଓ ଧ୍ୱନି ଶ୍ରବଣ କରି ବିରାଟ ରାଜାଙ୍କର ସ୍ତ୍ରୀମାନେ ଆନନ୍ଦିତ ହେଉଅଛନ୍ତି ।୧୮। ଯାହାଙ୍କର ସୂର୍ଯ୍ୟ ସଦୃଶ୍ୟ ଉଜ୍ଜ୍ୱଳ ମକୁଟ ମସ୍ତକରେ ଶୋଭା ପାଉଥିଲା, ସେ ଏବେ କେଶ ମଧ୍ୟରେ ଲୁକ୍‌କାୟିତ ହେଇ ରହିଲା ।୧୯।

 

ହେ ଭୀମ ! ଭୟଙ୍କର ଧନୁର୍ଦ୍ଧାରୀ ଅର୍ଜ୍ଜୁନ ସମ୍ପ୍ରତି ବେଣୀଧାରୀ ହୋଇ ରାଜକନ୍ୟାମାନଙ୍କ ସଙ୍ଗରେ ବାସ କରୁଥିବାରୁ ଅନ୍ତଃପୁର ମଧ୍ୟରେ ମୁଁ ତାହାଙ୍କୁ ଦେଖି ଅତିଶୟ ଦୁଃଖିତ ହେଉଥାଏ ।୨୦। ଯେଉଁ ମହାତ୍ମା ଦେବଦତ୍ତ ବିବିଧ ଅସ୍ତ୍ରମାନଙ୍କର ଓ ସକଳ ବିଦ୍ୟାର ଆଧାରସ୍ଥଳ, ସେହି ଅର୍ଜ୍ଜୁନ ସମ୍ପ୍ରତି ଯୋଡ଼ିଏ ମାତ୍ର କୁଣ୍ଡଳ ଧରିଅଛନ୍ତି ।୨୧। ମହାସାଗର କୂଳକୁ ଲଂଘି ନ ପାରିଲା ପ୍ରାୟ ମହାତେଜସ୍ୱୀ ସହସ୍ର ସହସ୍ର ରାଜାମାନେ ଯାହାଙ୍କୁ ଯୁଦ୍ଧରେ ପରାଜୟ କରି ପାରୁ ନଥିଲେ ଓ ଯାହାଙ୍କର ରଥ ନିର୍ଘୋଷରେ ପୃଥିବୀର ସ୍ଥାବର, ଜଙ୍ଗମ, ବନ ଓ ପର୍ବତସମୂହ ବିଶେଷରୂପେ କମ୍ପିତ ହେଉଥିଲା, ସେହି ଯୁବାପୁରୁଷ ସମ୍ପ୍ରତି ବିରାଟ ରାଜାଙ୍କର କନ୍ୟାମାନଙ୍କୁ ନୃତ୍ୟ ଶିକ୍ଷା ଦେଇ ଗୋପନୀୟ ବେଶରେ ଭୃତ୍ୟର କାର୍ଯ୍ୟ କରୁଅଛନ୍ତି ।୨୪। ହେ ଭୀମସେନ ! ତୁମ୍ଭର ଅନୁଜ ଯେଉଁ ମହାଭାଗ ଅର୍ଜ୍ଜୁନ ଜାତ ହେଇ ଆର୍ଯ୍ୟା କୁନ୍ତୀ ଦେବୀଙ୍କର ସମସ୍ତ ଶୋକ ନାଶ କରିଥିଲେ, ସେହି ମହାତ୍ମା ଅଦ୍ୟ ମତେ ଶୋକରେ ଆକୁଳ କରୁଅଛନ୍ତି ।୨୫।

 

ଯେତେବେଳେ ଅର୍ଜ୍ଜୁନ ସୁବର୍ଣ୍ଣମୟ କୁଣ୍ଡଳ କରମଣ୍ଡନ ଶଙ୍ଖ ପ୍ରଭୃତି ସ୍ତ୍ରୀଭୂଷଣମାନ ପରିଧାନପୂର୍ବକ ଗମନାଗମନ କରୁଥାନ୍ତି, ତାହାଙ୍କୁ ସେହି ସମୟରେ ଦେଖି ମୁଁ ଅତିଶୟ ଦୁଃଖିତ ହେଉଥାଏ ।୨୬। ପୃଥିବୀ ମଧ୍ୟରେ ଯାହାଙ୍କ ସଦୃଶ୍ୟ ପରାକ୍ରମଶାଳୀ ପୁରୁଷ ନାହାନ୍ତି, ସେହି ମହାମନା ଧନୁର୍ଦ୍ଧର ଧନଞ୍ଜୟ ଅଦ୍ୟ ବିରାଟ ରାଜାଙ୍କ ଅନ୍ତଃପୁରରେ ନୃତ୍ୟଗୀତ ଶିକ୍ଷକ ହେଇଅଛନ୍ତି-।୨୭। ଶୂରତା, ସତ୍ୟନିଷ୍ଠା ଓ ଧର୍ମପରାୟଣତା ଗୁଣରେ ଯାହାଙ୍କୁ ପୃଥିବୀର ସମସ୍ତ ଲୋକ ମାନ୍ୟ କରନ୍ତି, ସେହି ପାର୍ଥ ସ୍ତ୍ରୀ-ବେଶରେ ବିକୃତାକାର ହୋଇଥିବାର ଦେଖି ମୋର ମନ ଅତିଶୟ ଦୁଃଖଗ୍ରସ୍ତ ହୁଏ ।୨୮। ହସ୍ତିନୀ-ବଳବେଷ୍ଟିତ ମତ୍ତହସ୍ତୀ ସଦୃଶ୍ୟ ଅର୍ଜ୍ଜୁନ ଯେଉଁ ସମୟରେ ରାଜକନ୍ୟାମାନଙ୍କ ସହିତରେ ଗୀତନୃତ୍ୟାଦି କରି ବିରାଟ ରାଜାଙ୍କର ସନ୍ତୋଷ ଜନ୍ମାଉଥାଆନ୍ତି, ସେହି ସମୟରେ ତାହାଙ୍କୁ ଦେଖିଲେ ମତେ ଦିଗସବୁ ଅନ୍ଧକାରମୟ ହେଲା ପ୍ରାୟ ଜଣାଯାଏ-।୩୦। ଆହା ! ଧନଞ୍ଜୟ ଏତାଦୃଶ୍ୟ କଷ୍ଟ ପାଉଅଛନ୍ତି ଓ ଅଜାତଶତ୍ରୁ ଦ୍ୟୂତକ୍ରୀଡ଼ାସକ୍ତ ଯୁଧିଷ୍ଠିର ଦୁଃଖରେ ନିମଗ୍ନ ଅଛନ୍ତି ଇତ୍ୟାଦି ବିଷୟମାନ ଆର୍ଯ୍ୟା କୁନ୍ତୀ ଦେବୀଙ୍କୁ କିଛି ମାତ୍ର ଜଣାନାହିଁ-।୩୧।

 

ହେ ବୀର ! ଆପଣମାନଙ୍କର କନିଷ୍ଠ ସହଦେବ ଯେତେବେଳେ ଗୋପାଳ ବେଶରେ ଗୋରୂପଲ ଘେନି ଗମନାଗମନ କରୁଥାଆନ୍ତି, ମୁଁ ସେହି ସମୟରେ ତାହାଙ୍କୁ ଦେଖିଲେ ମୋର ଦେହ ପାଣ୍ଡୁବର୍ଣ୍ଣ ଦିଶିଯାଏ ।୩୨। ହେ ଭୀମସେନ ! ସହଦେବଙ୍କ ଚରିତ୍ର ବାରମ୍ବାର ଚିନ୍ତା କରିବାରୁ ମତେ ରାତ୍ରିରେ ନିଦ୍ରା ହୁଏ ନାହିଁ । ସେହି କାରଣରୁ ମୁଁ ବିଶେଷ କଷ୍ଟ ଭୋଗ କରୁଅଛି ।୩୩। ହେ ମହାବାହୋ ! ସତ୍ୟପରାକ୍ରମ ସହଦେବ, କେଉଁ ପାପକର୍ମ କରିଥିବାରୁ ଏତାଦୃଶ୍ୟ ବିବିଧ ଅସହ୍ୟ ଦୁଃଖ ଅନୁଭବ କରୁଅଛନ୍ତି, ମୁଁ ତାହା ଜାଣିପାରୁନାହିଁ ।୩୪। ହେ ଭାରତଶ୍ରେଷ୍ଠ ! ଆପଣଙ୍କର ପ୍ରିୟ ଭ୍ରାତା ସହଦେବ ବିରାଟ ରଜାଙ୍କର ଗୋପାଳକ କାର୍ଯ୍ୟରେ ନିଯୁକ୍ତ ହୋଇଥିବାରୁ ଯେତେବେଳେ ଗୋରୂପଲ ନେଇ ଗମନାଗମନ କରୁଥାଆନ୍ତି, ମୁଁ ସେହି ସମୟରେ ତାହାଙ୍କୁ ଦେଖି ଅତିଶୟ ଦୁଃଖିତ ହୁଏ ।୩୫। ରକ୍ତବର୍ଣ୍ଣ ବସ୍ତ୍ର ଓ ଅଳଙ୍କାର ପରିଧାନପୂର୍ବକ ଗୋପାଳମାନଙ୍କର ଅଗ୍ରରେ ଗମନ କରୁଥିବା ସମୟରେ ତାହାଙ୍କୁ ବିରାଟ ରାଜା ଦେଖି ଆନନ୍ଦିତ ହେଉଥାଆନ୍ତି, କିନ୍ତୁ ମୋର ହୃଦୟ ଦୁଃଖରେ ବିଦୀର୍ଣ୍ଣ ହୋଇଯାଏ ।୩୬।

 

ହେ ଭୀମ ! ବୀର ସହଦେବ ସକଳ ଗୁଣସମ୍ପନ୍ନ, ସୁଶୀଳ ଓ ସଚ୍ଚରିତ୍ର ଅଟନ୍ତି ବୋଲି ଆର୍ଯ୍ୟା କୁନ୍ତୀଦେବୀ ପ୍ରତିଦିନ ମୋ ଆଗରେ ତାହାଙ୍କୁ ପ୍ରଶଂସା କରନ୍ତି ।୩୭। ବନକୁ ଆସିବା ସମୟରେ ମଧ୍ୟ ପୁତ୍ରବତ୍ସଳା କୁନ୍ତୀଦେବୀ ତାହାଙ୍କୁ କ୍ରୋଡ଼ରେ ଧରି ଦଣ୍ଡାୟମାନ ହୋଇ ଅଶ୍ରୁ ବିସର୍ଜନପୂର୍ବକ ମତେ ସମ୍ବୋଧନ କରି କହିଥିଲେ, ହେ ପାଞ୍ଚାଳି ! ସୁକୁମାର ସହଦେବ ଧାର୍ମିକ, ମିଷ୍ଟଭାଷୀ,ଲଜ୍ଜାଶୀଳ, ଜ୍ୟେଷ୍ଠ ସେବାକାରୀ, ରାଜାର ଅନୁଗତ ଓ ମୋର ପ୍ରିୟ ପୁତ୍ର ଅଟନ୍ତି । ଅତଏବ ତୁମ୍ଭେ ଏହାଙ୍କର ସମୁଦାୟ ଭାର ଗ୍ରହଣପୂର୍ବକ ରାତ୍ରିଦିବସରେ ସ୍ୱୟଂ ଭୋଜନ କରାଉଥିବ । ହେ ପାଣ୍ଡବ ! ସେହି ବୀରବର ସହଦେବ ଗୋରକ୍ଷଣ କାର୍ଯ୍ୟରେ ନିଯୁକ୍ତ ହୋଇ ରାତ୍ରିରେ ବତ୍ସଚର୍ମରେ ଶୟନ କରୁଅଛନ୍ତି । ଅତଏବ ତାହାଙ୍କର ଏପରି ଅବସ୍ଥା ଦେଖି ମୋର ପ୍ରାଣ ଧରବାକୁ ଇଚ୍ଛା ହେଉନାହିଁ ।୪୧।

 

ହେ ଭୀମ ! କାଳର ବିପରୀତ ଗତିକି ଦେଖ, ଯେଉଁ ନକୁଳ ରୂପ, ବୁଦ୍ଧି ଓ ଅସ୍ତ୍ରବିଦ୍ୟାରେ ମହିମଣ୍ଡଳରେ ବିଖ୍ୟାତ, ସେ ସମ୍ପ୍ରତି ବିରାଟ ରାଜାଙ୍କର ଅଶ୍ୱବନ୍ଧନ କାର୍ଯ୍ୟରେ ନିଯୁକ୍ତ ହୋଇଅଛନ୍ତି । ଯେଉଁ ନକୁଳଙ୍କୁ ଦେଖି ଶତ୍ରୁମାନେ ଭୟଗ୍ରସ୍ତ ହେଉଥିଲେ, ସେହି ବୀର ବିରାଟ ରାଜାଙ୍କ ସମକ୍ଷରେ ବିନୟ ପ୍ରକାଶପୂର୍ବକ ଘୋଟକମାନଙ୍କୁ ନୃତ୍ୟ କରାଇ ତାହାଙ୍କର ସନ୍ତୋଷ ଜନ୍ମାଉଥିବାର ମୁଁ ଦେଖିଅଛି ।୪୪। ହେ କୌନ୍ତେୟ ପରନ୍ତପ ! ପୁନଶ୍ଚ ଯୁଧିଷ୍ଠିରଙ୍କ ନିମିତ୍ତ ଅସଂଖ୍ୟ ପ୍ରକାର ଦୁଃଖ ଅନୁଭବ କରୁଅଛି । ଏ ପ୍ରକାର ଅବସ୍ଥାରେ ମତେ କେଉଁ ସୁଖର ଅବସ୍ଥା ପଚାରିବା ହେଉଅଛନ୍ତି ? ୪୫। ହେ ଭାରତ ! ଏହା ଅପେକ୍ଷା ଅଧିକତର ଯେଉଁ ଦୁଃଖମାନ ଅଛି, ତାହା ସବୁ କହିବି; ଶ୍ରବଣ କରିବା ହେଉନ୍ତୁ ।୪୬। ଆପଣମାନେ ଜୀବିତ ଥାଉ ଥାଉ ବିବିଧ ଦୁଃଖରେ ମୋର ଶରୀର ଶୁଷ୍କ ହେଉଅଛି । ଏଥିରୁ ଅଧିକ ଦୁଃଖର ବିଷୟ କିଛି ନାହିଁ-।୪୭।

 

ଅଧ୍ୟାୟ – ୨୦

 

ଦ୍ରୌପଦୀ କହିଲେ-ହେ ପରନ୍ତପ ! ମୁଁ ରାଜକୁମାରୀ ହୋଇ କି ପ୍ରକାର ମନ୍ଦ ଅବସ୍ଥା ଭୋଗ କରୁଅଛି, ତାହା ଦେଖିବା ହେଉନ୍ତୁ । ଅକ୍ଷକ୍ରୀଡ଼ାସକ୍ତ ରାଜା ଯୁଧିଷ୍ଠିରଙ୍କ ହେତୁରୁ ମୁଁ ବିରାଟ ରାଜାଙ୍କ ଗୃହରେ ରାଜମହିଷୀ ସୁଦେଷ୍ଣାଙ୍କର ପରିଚାରିଣୀ ହୋଇଅଛି । ଅବଶ୍ୟ ସର୍ବପ୍ରକାର ଦୁଃଖର ଧ୍ୱଂସ ହୁଏ । ଏହି କଥା ବିବେଚନାପୂର୍ବକ ଆପଣାର ଶୁଭ ସମୟ ଉପସ୍ଥିତ ହେବ ବୋଲି ତାହାକୁ ପ୍ରତୀକ୍ଷା କରି ରହିଅଛି ।୨। ମନୁଷ୍ୟମାନଙ୍କର ଅର୍ଥସିଦ୍ଧି ହେଉ, ଅଥବା ଜୟ କିମ୍ବା ପରାଜୟ ହେଉ, ସମସ୍ତ ଅନିତ୍ୟ ଅଟେ, ଏହି କଥା ବିଚାରି ସ୍ୱାମୀମାନଙ୍କର ଉଦୟ ସମୟକୁ ପ୍ରତୀକ୍ଷା କରୁଅଛି ।୩। ମନୁଷ୍ୟମାନଙ୍କର ସୁଖ ଓ ଦୁଃଖ ଚକ୍ରସଦୃଶ୍ୟ ଭ୍ରମଣ କରୁଅଛି । ଏହି କଥା ବିଚାରି ସ୍ୱାମୀମାନଙ୍କର ଉଦୟ ସମୟକୁ ପୁନଶ୍ଚ ପ୍ରତୀକ୍ଷା କରୁଅଛି ।୪। ଯେଉଁ ଅଦୃଷ୍ଟ ଯେଉଁ ମନୁଷ୍ୟମାନଙ୍କୁ ଦୁଃଖଜନକ ପରାଜୟ ଦେଇଥାଏ, କାଳକ୍ରମରେ ସେହି ଅଦୃଷ୍ଟ ପୁଣି ସେହି ମନୁଷ୍ୟମାନଙ୍କର ନାନାବିଧ ସୁଖଜନକ ଓ ଜୟର କାରଣ ହୁଏ । ଏହି କଥା ବିଚାର କରି ସ୍ୱାମୀମାନଙ୍କ ମଙ୍ଗଳର ପୁନରାଗମନକୁ ପ୍ରତୀକ୍ଷା କରି ଜୀବିତ ଅଛି । ଅତଏବ ହେ ଭୀମ ! ମୁଁ ଏପରି କଷ୍ଟ ସହ୍ୟ କରି ଜୀବିତ ଥିବାରୁ ମତେ ମୃତ ତୁଲ୍ୟ ଜାଣିବା ହେଉନ୍ତୁ ।୫।

 

ମୁଁ ଶୁଣିଅଛି, ଯେଉଁମାନେ ପ୍ରାର୍ଥୀମାନଙ୍କୁ ନାନାବିଧ ଅଭୀଷ୍ଟ ଦ୍ରବ୍ୟ ଦାନ କରିଥାଆନ୍ତି, ସେମାନେ କାଳର ଭିକ୍ଷା ଦ୍ୱାରା ଜୀବିକା ନିର୍ବାହ କରନ୍ତି । ଯେଉଁମାନେ ଅସଂଖ୍ୟ ଶତ୍ରୁମାନଙ୍କୁ ବିନାଶ କରିଥାଆନ୍ତି, କାଳକ୍ରମରେ ସେମାନେ ଅନ୍ୟ ଲୋକ ହସ୍ତରେ ବିନାଶ ପ୍ରାପ୍ତ ହୁଅନ୍ତି ଓ ଯେଉଁମାନେ ଅନ୍ୟ ଲୋକମାନଙ୍କୁ ବିପତ୍ତିଖାତରେ ପକାଇ ଥାଆନ୍ତି, ବିଧାତାଙ୍କ ବଶରେ ସେମାନେ ମଧ୍ୟ ଅନ୍ୟ ଲୋକ ହେତୁରୁ ବିପତ୍ତି ଖାତରେ ପଡ଼ନ୍ତି ।୬। ଅତଏବ ସମୁଦାୟ ବିଷୟକୁ ଦୈବ ସାଧ୍ୟ କରିପାରନ୍ତି । ତାହାଙ୍କୁ ପରାଜୟ ଦେବ, ଏତାଦୃଶ୍ୟ ବ୍ୟକ୍ତି କେହି ସଂସାରରେ ନାହିଁ । ଏହି କଥା ବିଚାରି ଦୈବଙ୍କ ଅନୁଗ୍ରହକୁ ପ୍ରତୀକ୍ଷା କରି ଜୀବିତ ଅଛି ।୭। ପ୍ରଥମରେ ଯେଉଁ ସ୍ଥାନରୁ ଜଳ ଆସିଥାଏ, ତା କାଳବଶରେ ନାନା ସ୍ଥାନରେ ପରିଭ୍ରମଣ କରି ପୁନଶ୍ଚ ସେହି ସ୍ଥାନକୁ ଯାଏ । ଏହି କଥା ଦେଖି କାଳର ପରିବର୍ତ୍ତନ ଆଶାରେ ଉଦୟକୁ ପ୍ରତୀକ୍ଷା କରୁଅଛି ।୮। ବିଧାତାଙ୍କ ବଳରେ ଯେଉଁ ବ୍ୟକ୍ତି ସମ୍ପତ୍ତି ହରାଇ ବିପତି ପ୍ରାପ୍ତ ହୋଇଥାଏ, ସେ ବିଧାତାଙ୍କର ଅନୁଗ୍ରହ ପାଇବାକୁ ଯତ୍ନଶୀଳ ହୁଏ ।୯। ହେ ଭାରତ ! ଯେଉଁ ପ୍ରୟୋଜନ ନିମିତ୍ତ ଦୁଃଖ ପ୍ରକାଶ କରି ମୁଁ ଏହି ସବୁକଥା କହିଲି, ତାହା ଜାଣିବାକୁ ଯଦି ଆପଣଙ୍କର ଇଚ୍ଛା ହୁଏ, ତେବେ ପଚାରିବା ହେଉନ୍ତୁ, ଅଥବା ନ ପଚାରିଲେ ସୁଦ୍ଧା ମୁଁ ସମୁଦାୟ ବିଷୟ ଆପଣଙ୍କ ନିକଟରେ ଜଣାଉଅଛି ।୧୦।

 

ଦ୍ରୁପଦ ରାଜାଙ୍କର ଦୁହିତା ଓ ପାଣ୍ଡବମାନଙ୍କର ମହିଷୀ ଏତାଦୃଶ୍ୟ ଦୁଃଖରେ ପ୍ରାଣ ଧରିବାକୁ ମୋ ବ୍ୟତୀତ ଅନ୍ୟ କୌରସି ସ୍ତ୍ରୀଙ୍କର ଇଚ୍ଛା ହେବ କି ?୧୧। ହେ ଶତ୍ରୁତାପନ ! ମୋ ଦୁଃଖରେ କୌରବ, ପାଣ୍ଡବ ଓ ପାଞ୍ଚାଳ ସମସ୍ତେ ଦୁଃଖିତ ଅଛନ୍ତି ।୧୨। ଆହା ! ଶ୍ୱଶୁର, ପୁତ୍ର ଓ ଭ୍ରାତୃ ପ୍ରଭୃତି ପରିବାର ସହିତରେ ଭାଗ୍ୟବତୀ ହୋଇ ଅନ୍ୟ କୌଣସି ସ୍ତ୍ରୀ ଏପରି ଦୁଃଖ ପାଇବ କି-?୧୩। ହେ ଭାରତଶ୍ରେଷ୍ଠ ! ବାଲ୍ୟକାଳରେ ବିଧାତାଙ୍କ ନିକଟରେ ମୁଁ କୌଣସି ଅପରାଧ କରିଥିଲି ବୋଲି ସମ୍ପ୍ରତି ଅତି ଅସହ୍ୟ ଦୁଃଖ ଭୋଗ କରୁଅଛି ।୧୪। ହେ ପାଣ୍ଡବ ! ଦେଖିବା ହେଉନ୍ତୁ, ସମ୍ପ୍ରତି ମୋ ଦେହର କାନ୍ତି ଯେପରି ଅତିଶୟ ମଳିନ ହୋଇଅଛି, ପୂର୍ବେ ବନବାସ ସମୟରେ ଅତ୍ୟନ୍ତ ଦୁଃଖରେ ଥିଲେ ସୁଦ୍ଧା ସେପରି ହୋଇନଥିଲା ।୧୫। ହେ ଭୀମ ! ପୂର୍ବେ ମୁଁ ଯେଉଁ ସୁଖ ଅନୁଭବ କରୁଥିଲି, ତାହା ସବୁ ଆପଣ ଜାଣନ୍ତି । ସମ୍ପ୍ରତି ଦାସୀତ୍ୱ ଗ୍ରହଣପୂର୍ବକ ପରର ଅଧୀନ ହେବାରୁ କିଛି ମାତ୍ର ଶାନ୍ତି ଲାଭ କରିପାରୁନାହିଁ ।୧୬। ଭୟଙ୍କର ଧର୍ନୁଦ୍ଧାରୀ ମହାବାହୁ ଧନଞ୍ଜୟ ପାର୍ଥ ଭସ୍ମାଚ୍ଛନ୍ନ ଅନଳ ସଦୃଶ୍ୟ ପ୍ରଭାଶୂନ୍ୟ ହୋଇଥିବାରୁ ବୋଧହୁଏ ବିଧାତା ପ୍ରତିକୂଳ ହୋଇଛନ୍ତି-।୧୭।

 

ଜୀବଲୋକ ମଧ୍ୟରେ କେଉଁ ପ୍ରାଣୀ କେତେବେଳେ କେଉଁ ଅବସ୍ଥା ଭୋଗ କରିବ, ତାହା ସହଜରେ ଜଣାଯାଏ ନାହିଁ । ଅତଏବ ଆପଣମାନଙ୍କର ଉପସ୍ଥିତ ଆପଦ ବିଷୟରେ ଭାବନା କଲେ କୌଣସି ଫଳ, ହେବ ନାହିଁ ।୧୮। ହେ ପାଣ୍ଡବ । କାଳର ବିପରୀତ ଗତିକି ଦେଖିବା ହେଉନ୍ତୁ ! ଆପଣମାନେ କେଉଁପରି ସୁଖ ଭୋଗ କରୁଥିଲେ, ତାହା ଦେଖିଥିଲି । ସମ୍ପ୍ରତି ଅନ୍ୟ ନିକୃଷ୍ଟ ବ୍ୟକ୍ତିମାନଙ୍କର ସୁଖ ଦେଖୁଅଛି ଓ ଆପଣମାନେ ଜୀବିତ ଥିଲେ ମୋର ଯେଉଁ ଦୁଃଖଅବସ୍ଥା ସହ୍ୟ କରିବାର କଦାପି ଉଚିତ ନୁହେଁ, ତାହା ସହ୍ୟ କରୁଅଛି ।୨୦। ପୂର୍ବେ ସାଗର ସହିତ ସମୁଦାୟ ପୃଥିବୀର ଲୋକମାନେ ମୋର ଅଧୀନ ଥିଲେ; ସମ୍ପ୍ରତି ମୁଁ ସୁଦେଷ୍ଣାଙ୍କର ଅଧୀନତା ସ୍ୱୀକାରପୂର୍ବକ ସର୍ବଦା ଭୟଗ୍ରସ୍ତ ହେଉଅଛି ।୨୧। ପୂର୍ବେ ମୋର ଅଗ୍ରରେ ଓ ପଶ୍ଚାତ୍‌ଭାଗରେ ଅସଂଖ୍ୟ ଅନୁଚରମାନେ ଗମନ କରୁଥିଲେ; ସମ୍ପ୍ରତି ମୁଁ ସୁଦେଷ୍ଣାଙ୍କର ଅଗ୍ରରେ ଓ ପଶ୍ଚାତ୍‌ଭାଗରେ ଗମନ କରୁଅଛି ।୨୨।

 

ହେ କୌଦଣ୍ଡେୟ ! ଆପଣଙ୍କର ମଙ୍ଗଳ ହେଉ । ମୋର ଆଉ ଗୋଟିଏ ଯେଉଁ ଅସହ୍ୟ ଦୁଃଖ ଅଛି, ତାହା ଶୁଣିବା ହେଉନ୍ତୁ । ପୂର୍ବେ କୁନ୍ତୀଙ୍କ ପ୍ରୟୋଜନ ବ୍ୟତୀତ ଆପଣଙ୍କ ପାଇଁ ସୁଦ୍ଧା କୌଣସି ଦିନ ଅଙ୍ଗବିଲେପନ, ଚନ୍ଦନ ଘର୍ଷଣ କରି ନଥିଲି; ସମ୍ପ୍ରତି ବିରାଟ ରାଜାଙ୍କ ମନ୍ଦିରରେ ଚନ୍ଦନ ଘର୍ଷଣ କରୁଅଛି ।୨୩। କୌନ୍ତେୟ ! ଦେଖିବା ହେଉନ୍ତୁ, ପୂର୍ବେ ମୋର ଏହି କରତଳଦ୍ୱୟ ଏତାଦୃଶ୍ୟ ଘନିଷ୍ଠ କିଣବନ୍ତ ହୋଇଥିଲେ କି ?୨୪। ପୂର୍ବେ ଆର୍ଯ୍ୟା କୁନ୍ତୀଦେବୀଙ୍କ ନିକଟରେ ଅଥବା ଆପଣମାନଙ୍କ ନିକଟରେ ମୁଁ କଦାପି ଭୟ କରୁନଥିଲି । କିନ୍ତୁ ସମ୍ପ୍ରତି ବିରାଟ ରାଜାଙ୍କର କିଙ୍କରୀ ହେବାରୁ ସର୍ବଦା ଭୟରେ ବ୍ୟସ୍ତ ଅଛି ।୨୫। ବିରାଟରାଜା ମୋର ଗୋଳାଚନ୍ଦନ ବ୍ୟତୀତ ଅନ୍ୟର ଚନ୍ଦନକୁ ଆଦର କରନ୍ତି ନାର୍ହିଁ; ସେହି କାରଣରୁ ଚନ୍ଦନ ଭଲରୂପେ ଘର୍ଷଣ ହୋଇଅଛି କି ନାହିଁ, ଭଲରୂପେ ଘର୍ଷଣ ହୋଇନଥିଲେ ରାଜା କାଳେ ଅସନ୍ତୁଷ୍ଟ ହେବେ, ଏହି କଥା ଭାବି ଭାବି ସର୍ବଦା ଭୟରେ ଆକୁଳ ହେଉଥାଏ ।୨୬।

 

ବୈଶମ୍ପାୟନ କହିଲେ, ଭାମିନୀ କୃଷ୍ଣା ଭୀମସେନଙ୍କ ସମକ୍ଷରେ ସମୁଦାୟ ଦୁଃଖର ବିଷୟ କୀର୍ତ୍ତନ କରି ତାହାଙ୍କୁ ଅବଲୋକନପୂର୍ବକ ଧୀରେ ଧୀରେ ରୋଦନ କଲେ ।୨୭। ବାରମ୍ବାର ଦୀର୍ଘ ନିଃଶ୍ୱାସ ପରିତ୍ୟାଗ କରି ବାଷ୍ପାକୁଳ ବଚନରେ ଭୀମସେନଙ୍କୁ ଏପରି କଥା କହିଲେ ଯେ ଯେଉଁ କଥା ଶ୍ରବଣ କରି ତାହାଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା ।୨୮। ଦ୍ରୌପଦୀ କହିଲେ, ହେ ଭୀମ ! ପାଣ୍ଡବ ! ପୂର୍ବ ଜନ୍ମରେ ଦେବତାମାନଙ୍କ ନିକଟରେ ମୁଁ କୌଣସି ଗୁରୁତର ଅପରାଧ କରିଥିଲି ବୋଲି ଏହି ଜନ୍ମରେ ହତଭାଗ୍ୟ ହୋଇ ମରଣର ଉପଯୁକ୍ତ ସମୟରେ ପ୍ରାଣ ଧରିଅଛି ।୨୯। ବୈଶମ୍ପାୟନ କହିଲେ- ବୀର, ଶତ୍ରୁହନ୍ତା, ମହାପରାକ୍ରମଶାଳୀ, କୁନ୍ତୀନନ୍ଦନ, ବୃକୋଦର, ପ୍ରିୟପତ୍ନୀ ଦ୍ରୌପଦୀଙ୍କର କ୍ଷୀଣ ଓ କିଙ୍କିଣିତ କରଦ୍ୱୟ ଧରି ଓ ତାହାଙ୍କୁ ମୁୁଖନିକଟକୁ ଆଣି ଲୋଚକ ବିସର୍ଜନପୂର୍ବକ ରୋଦନ କଲେ ଓ କିଛିକ୍ଷଣ ପରେ ଅତିଶୟ ଦୁଃଖାର୍ତ୍ତ ହୋଇ କହିଲେ ।୩୧।

 

ଅଧ୍ୟାୟ – ୨୧

 

ଭୀମସେନ କହିଲେ– ହେ ପ୍ରିୟେ ! ତୁମ୍ଭର ଏହି ଲୋହିତ କରଦ୍ୱୟ ଯଦି ଏତାଦୃଶ୍ୟ ଘନିଷ୍ଠ କିଣଚିହ୍ନକୁ ଧରିଲା, ତେବେ ଆମ୍ଭର ବାହୁବଳକୁ ଓ ଅର୍ଜ୍ଜୁନଙ୍କର ଗାଣ୍ଡୀବ ଧନୁକୁ ଧିକ୍କାର କରୁଅଛୁ ।୧। ବିରାଟ ରାଜାଙ୍କ ସଭାରେ କୀଚକକୁ ମୁଁ ବଧ କରିବା ନିମିତ୍ତ ଉଦ୍ୟମ କରିଥିଲି, କିନ୍ତୁ ଆତ୍ମପ୍ରକାଶ ଶଙ୍କାରେ ଶଙ୍କିତ ଯୁଧିଷ୍ଠିର ସଙ୍କେତ ବାକ୍ୟ କହି ମୋତେ ନିଷେଧ କରିବାରୁ ନିବୃତ୍ତ ହେଲି । ସେ ନିଷେଧ କରିନଥିଲେ ଖେଳିଲା ମତ୍ତହସ୍ତୀ ପ୍ରାୟ ମୁଁ ପଦାଘାତରେ ଐଶ୍ୱର୍ଯ୍ୟ ମଦମତ୍ତ କୀଚକର ମସ୍ତକକୁ ଚୂର୍ଣ୍ଣ କରିଥାଆନ୍ତି ।୩। ହେ ଭାବିନି ! କୃଷ୍ଣେ ! ଯେତେବେଳେ ତୁମ୍ଭଙ୍କୁ କୀଚକ ପଦାଘାତ କଲା, ସେହି ସମୟରେ ମୁଁ ମତ୍ସ୍ୟରାଜାଙ୍କର ମହାଘୋର ଅନିଷ୍ଟ କରିବାକୁ ଉଦ୍ୟତ ଥିଲି; କିନ୍ତୁ ଯୁଧିଷ୍ଠିରଙ୍କ ସଙ୍କେତ ବୁଝିପାରି ଅଗତ୍ୟା ନିବୃତ୍ତ ହେଲି ।୫।

 

ହେ ସୁଶ୍ରୋଣି ! କଲ୍ୟାଣୀ ! ପ୍ରଥମରେ ଆମ୍ଭେମାନେ ରାଜ୍ୟଭ୍ରଷ୍ଟ ହୋଇଥାଇ, ଦ୍ୱିତୀୟରେ କୁରୁମାନଙ୍କର ଧ୍ୱଂସାଭାବ, ତୃତୀୟରେ ଦୁର୍ଯୋଧନ, କର୍ଣ୍ଣ, ସୁବଳନନ୍ଦନ ଶକୁନି ଓ ଅନିଷ୍ଟକାରକ ଦୁଃଶାସନ ଏହିମାନଙ୍କର ମସ୍ତକ ଛେଦନ କରାଯାଇ ନାହିଁ ଏହିସବୁ ଦୁଃଖ ଶଲ୍ୟ ସଦୃଶ୍ୟ ହୋଇ ମୋର ହୃଦୟକୁ ବିଦୀର୍ଣ୍ଣ କରୁଅଛି ଓ ଅଗ୍ନି ସଦୃଶ୍ୟ ହୋଇ ସର୍ବାଙ୍ଗ ଦଗ୍ଧ କରୁଅଛି । ହେ ବୁଦ୍ଧିମତି ! ତୁମ୍ଭେ କ୍ରୋଧ ତ୍ୟାଗ କର, ଧର୍ମକୁ ତ୍ୟାଗ କରନାହିଁ । ରାଜା ଯୁଧିଷ୍ଠିର ତୁମ୍ଭଠାରୁ ଶ୍ଳେଷପୂର୍ଣ୍ଣ ଏହି ତିରସ୍କାର ବଚନକୁ ଯଦି ଶୁଣିବେ, ତେବେ କଦାପି ପ୍ରାଣ ଧରି ପାରିବେ ନାହିଁ ।୮। ହେ ସୁଶ୍ରୋଣି ! କୃଶୋଦରି ! ଯୁଧିଷ୍ଠିର ପରଲୋକଗାମୀ ହେଲେ ଅର୍ଜ୍ଜୁନ, ନକୁଳ ଓ ସହଦେବ ଏମାନେ ପ୍ରାଣ ବିସର୍ଜନ କରିବେ । ଏପରି ଘଟଣା ଘଟିଲେ ମୁଁ ମଧ୍ୟ ଜୀବିତ ହୋଇ ରହିପାରିବି ନାହିଁ ।୯। ହେ ଭାବିନି ! ପୂର୍ବକାଳରେ ଭୃଗୁନନ୍ଦନ ଚ୍ୟବନ ଋଷି ଅରଣ୍ୟରେ ତପସ୍ୟା କରି ବଲ୍ମୀକ ହେଲେ ସୁଦ୍ଧା ତାହାଙ୍କର ସହଧର୍ମିଣୀ ସୁକନ୍ୟା ନାମ୍ନୀ ରାଜକୁମାରୀ ତାଙ୍କର ଅନୁଗାମିନୀ ହୋଇଥିଲେ ।୧୦।

 

ତୁମ୍ଭେ ଶୁଣିଥିବ, ପୂର୍ବକାଳରେ ନାରାୟଣୀ ଚନ୍ଦ୍ରସେନା ନାମରେ ଜଣେ ରୂପବତୀ ରମଣୀ ସହସ୍ର ବର୍ଷୀୟ ସ୍ଥବିର ପତିଙ୍କୁ ଅନୁସରି ଥିଲେ, ବିଦେହ ରାଜକୁମାରୀ ସୀତା ରାମଚନ୍ଦ୍ରଙ୍କ ଅନୁଗାମିନୀ ହୋଇ ଚତୁର୍ଦ୍ଦଶ ବର୍ଷ ପର୍ଯ୍ୟନ୍ତ ଅରଣ୍ୟରେ ଭ୍ରମଣ କରିଥିଲେ ।୧୨। ରାମଚନ୍ଦ୍ରଙ୍କର ପ୍ରିୟ ମହିଷୀ ସୀତା ଅରଣ୍ୟ ମଧ୍ୟରେ ଭୟଙ୍କର ରାକ୍ଷସମାନଙ୍କ ପ୍ରତାପରେ ଅତି ଦୁଃସହ କ୍ଳେଶ ରାଶି ସହ୍ୟ କରି ସୁଦ୍ଧା ସ୍ୱାମୀଙ୍କ ସେବାରେ ନିଯୁକ୍ତ ଥିଲେ ।୧୩। ରୂପଯୌବନସମ୍ପନ୍ନା ଭୀରୁ ଲୋପାମୁଦ୍ରା ଅଲୌକିକ ସୁଖ ଓ ସର୍ବପ୍ରକାର କାମନା ପରିତ୍ୟାଗ କରି ଅଗସ୍ତ୍ୟ ରୁଷିଙ୍କର ଅନୁଗତ ଥିଲେ ।୧୪। ଆହୁରି ମଧ୍ୟ ଦ୍ୟୁମତ୍ସେନଙ୍କ ପୁତ୍ର ବୀର ସତ୍ୟବାନ ମୃତ ହେଲାରୁ ସର୍ବାଙ୍ଗସୁନ୍ଦରୀ ମନସ୍ୱିନୀ ସାବିତ୍ରୀ ତାହାଙ୍କ ପଶ୍ଚାତ୍ କୃତାନ୍ତ ଭବନକୁ ଗମନ କରିଥିଲେ ।୧୫। ହେ କଲ୍ୟାଣୀ ! ଯେଉଁ ସୁନ୍ଦରୀ ପତିବ୍ରତା ରମଣୀମାନଙ୍କର ଗୁଣକୀର୍ତ୍ତନ କଲି, ତୁମ୍ଭେ ମଧ୍ୟ ସେହିମାନଙ୍କ ପ୍ରାୟ ସକଳ ପ୍ରକାର ସଦ୍‌ଗୁଣରାଶିର ଆଧାର ଅଟ ।୧୬। ଅତଏବ କ୍ଷମାଗୁଣ ପ୍ରକାଶପୂର୍ବକ, ଅଧିକ କାଳ ନୁହେଁ, କେବଳ ପଞ୍ଚଦଶ ଦିବସ ପର୍ଯ୍ୟନ୍ତ ଅପେକ୍ଷା କର । ତ୍ରୟୋଦଶ ବର୍ଷ ସମ୍ପୂର୍ଣ୍ଣ ହେଲାରୁ ତୁମ୍ଭେ ପୁନଶ୍ଚ ରାଜମହିଷୀ ହେବ ।୧୭।

 

ଦ୍ରୌପଦୀ କହିଲେ, ହେ ଭୀମ ! ରାଜାଙ୍କୁ ମୁଁ ତିରସ୍କାର କରୁନାହିଁ । ଅପାର ଦୁଃଖ-ସାଗରରେ ଭାସମାନ ହେବାରୁ, ଅସହନୀୟ ପୀଡ଼ା ହେତୁରୁ, ମୋର ନୟନଯୁଗଳରୁ ଲୋତକବାରି ବାହାରୁ ଅଛି । ।୧୮। ହେ ମହାବଳ ! ଭୀମସେନ ! ଅତୀତ ବିଷୟ ସବୁ ଭାବନା କଲେ କିଛି ମାତ୍ର ଫଳ ନାହିଁ, ଅତଏବ ଯେଉଁ ଉପାୟରେ ଉପସ୍ଥିତ ଦୁଃଖରୁ ପରିତ୍ରାଣ ଲାଭ କରିବି, ତାହା ବିଚାର କରିବା ହେଉନ୍ତୁ ।୧୯। ହେ ଭୀମ ! କୈକେୟୀଙ୍କ ରୂପଲାବଣ୍ୟକୁ ମୋର ରୂପମାଧୁରୀ ଜୟ କରିଥିବାରୁ କାଳେ ବିରାଟ ରାଜା ମୋଠାରେ ଅନୁରାଗୀ ହେବେ, ଏହି ଶଙ୍କା କରି ସୁଦେଷ୍ଣା ସର୍ବଦା ଉଦ୍‌ବିଗ୍ନ ଥାଆନ୍ତି ।୨୦। ଅସତ୍ୟଦର୍ଶୀ ଅତି ଦୁରାତ୍ମା କୀଚକ ମଧ୍ୟ ତାହାର ଅଭିପ୍ରାୟ ଜାଣି ସର୍ବଦା ମତେ ସମ୍ଭୋଗ କରିବା ନିମିତ୍ତ ପ୍ରାର୍ଥନା କରୁଥାଏ ।୨୧। ପ୍ରଥମେ ମୁଁ ତାହାଠାରେ କୋପ ପ୍ରକାଶ କରି କିଛିକ୍ଷଣ ପରେ କୋପ ସମ୍ବରଣପୂର୍ବକ ତାହାକୁ କହିଲି, ରେ କାମାନ୍ଧ ! ଅବିବେକ କୀଚକ ! ତୁ ମରଣକୁ ଇଚ୍ଛା ନ କର ।୨୨। ମୁଁ ପାଞ୍ଚଜଣ ଗନ୍ଧର୍ବ ପୁରୁଷଙ୍କର ପ୍ରିୟ ମହିଷୀ, ସେମାନେ ତୋର ଏତାଦୃଶ୍ୟ ସାହସିକ ପଣକୁ ଜାଣି ପାରିଲେ ନିଶ୍ଚୟ ବୀରପଣ ପ୍ରକାଶପୂର୍ବକ ତୋତେ ସଂହାର କରିବେ ।୨୩।

 

ଦୁରାତ୍ମା କୀଚକ ମୋର ଏହିକଥା ଶୁଣି ପ୍ରତ୍ୟୁତ୍ତର କଲା କି, ହେ ଦରହାସି ! ସୈରନ୍ଧ୍ରୀ-! ମୁଁ ଗନ୍ଧର୍ବମାନଙ୍କୁ ଭୟ କରୁନାହିଁ ।୨୪। ଯୁଦ୍ଧରେ ଶତଲକ୍ଷ ଗନ୍ଧର୍ବମାନଙ୍କୁ ମୁଁ ସଂହାର କରିପାରିବି, ଅତଏବ ତୁମ୍ଭେ କିଛି ଭୟ ନ କରି ମୋର ପତ୍ନୀ ହେବାକୁ ସ୍ୱୀକାର କର-।୨୫। ମଦନମଦାନ୍ଧ ଉନ୍ମତ୍ତ କୀଚକ ମତେ ଏହି ପ୍ରକାର କହିବାରୁ ମୁଁ ତାହାକୁ ପୁନଶ୍ଚ କହିଲି, ହେ ପାମର-! କୀଚକ ! ସୁବିଖ୍ୟାତ ମହାଯଶା ସେହି ଗନ୍ଧର୍ବମାନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ତୁ କଦାପି ଯୋଗ୍ୟ ନୋହୁ ।୨୬। ରେ କୀଚକ ! ମୁଁ ଧର୍ମପରାୟଣା ଓ ସତ୍‌କୁଳ ପ୍ରସୂତା; ସେହି ହେତୁରୁ କାହାରି ଅମଙ୍ଗଳ କଦାପି ଇଚ୍ଛା କରେ ନାହିଁ ବୋଲି ତୁ ଆଜିଯାଏ ଜୀବିତ ଅଛୁ-।୨୭।

 

ଦୁରାତ୍ମା କୀଚକ ମୋର ଏହି ପ୍ରକାର କଥା ଶୁଣି ଅତି ଉଚ୍ଚୈଃସ୍ୱରରେ ହସିଉଠିଲା । ଏଥିଉତ୍ତାରୁ ଦିନେ ସୁଦେଷ୍ଣା ଭ୍ରାତାର ପରାମର୍ଶ ଅନୁସାରେ ସ୍ନେହ ପ୍ରକାଶପୂର୍ବକ ମୋତେ ଆହ୍ୱାନ କରି କହିଲେ, ହେ କଲ୍ୟାଣୀ ! ସୈରନ୍ଧ୍ରି ! ତୁମ୍ଭେ କୀଚକ ଗୃହରୁ କିଛି ସୁରା ଆଣ । ଏହି ଆଦେଶ ଦେଇ ମତେ କୀଚକାଳୟକୁ ପଠାଇଲେ ।୨୯।

 

କୀଚକ ମତେ ଦର୍ଶନ କରି ପ୍ରଥମରେ ବିଶେଷ ଚାଟୁ ବଚନ କହିଲା । କିନ୍ତୁ ତାହାର ସେ ବଚନସବୁ ବିଫଳ ହୋଇଯିବାରୁ କୋପାବିଷ୍ଟ ହୋଇ ବଳପୂର୍ବକ ସମ୍ଭୋଗ କରିବାକୁ ଇଚ୍ଛୁକ ହେଲା ।୩୦। ଦୁରାତ୍ମା କୀଚକର ସେହି ମନ୍ଦ ଅଭିପ୍ରାୟ ମୁଁ ଜାଣିପାରି ରାଜାଙ୍କ ଆଶ୍ରୟ ନେବା ଇଚ୍ଛା କରି ସଭାଆଡ଼କୁ ଶୀଘ୍ର ଗମନ କଲି । ସେହି ଦୁଷ୍ଟ ରାଜାଙ୍କ ସମକ୍ଷରେ ମୋତେ ଭୂତଳରେ ପକାଇ ପାଦରେ ଆଘାତ କଲା ।୩୨। ବିରାଟ ରାଜା, କଙ୍କ, ପାତ୍ରମନ୍ତ୍ରୀସମୂହ, ରଥୀସମୂହ, ଗଜାରୋହୀସମୂହ, ପୁରବାସୀମାନେ ଓ ରାଜାଙ୍କର ଅନ୍ୟାନ୍ୟ ପ୍ରିୟ ସଭାସଦମାନେ ସମସ୍ତେ ମୋର ଅବମାନନାକୁ ଦେଖୁଥିଲେ ।୩୩। ସେହି ସମୟରେ ମୁଁ ବିରାଟ ରାଜାଙ୍କୁ ଓ ଯୁଧିଷ୍ଠିରଙ୍କୁ ବାରମ୍ବାର ନିନ୍ଦା କଲି । ତଥାପି ରାଜା କୀଚକକୁ ନିଷେଧ ଅଥବା ଦଣ୍ଡ ପ୍ରଦାନ କଲେ ନାହିଁ ।୩୪। କୀଚକ ବିରାଟ ରାଜାଙ୍କର ସାରଥି ବୋଲି ରାଜା ଓ ରାଣୀ ଏ ଦୁହିଁଙ୍କର ଅତ୍ୟନ୍ତ ପ୍ରିୟ ଓ ବିଶ୍ୱାସର ପାତ୍ର ଅଟେ ।

 

ହେ ମହାଭାଗ ! ସେହି ଧର୍ମଦ୍ରୋହୀ ପାପାସକ୍ତ କୀଚକ ବୀରପୁରୁଷ ବୋଲି ଗର୍ବ କରେ । ସେହି ଅବିବେକ ପରଦାରାସକ୍ତ ଦୁରାତ୍ମା ରାଜାଙ୍କଠାରୁ ବହୁତ ସମ୍ପତ୍ତି ନେଉଥିଲେ ସୁଦ୍ଧା ଅନ୍ୟ ବ୍ୟକ୍ତିମାନଙ୍କଠାରେ ଆକ୍ରୋଶ ରଖି ସେମାନଙ୍କଠାରୁ ବହୁତ ଧନ ହରଣ କରିନିଏ । ସେ ସର୍ବଦା ଅସତ୍ ମାର୍ଗରେ ରହି କଦାପି ଧର୍ମ କରିବାକୁ ଇଚ୍ଛା କରେ ନାହିଁ ।୩୭। ସେ ମୋଠାରେ ଯେପରି ଶତ୍ରୁତା କରିଅଛି, ତହିଁରୁ ସ୍ପଷ୍ଟରୂପେ ଜଣାଯାଏ ଯେ ପାପାତ୍ମା ପାପବୁଦ୍ଧି, ମଦନବାଣର ବଶଗାମୀ, ଅବିନୟୀ ସେ ଦୁରାଶୟ କୀଚକ ମୋତେ ଦେଖିଲାମାତ୍ରେ ପ୍ରହାର କରିବ; ତାହାହେଲେ ମୋର ପ୍ରାଣ ବିସର୍ଜନ କରିବା ବିଷୟରେ ସନ୍ଦେହ ନାହିଁ ।

 

ଆପଣମାନେ ଧର୍ମପାଳନ ବିଷୟରେ ଯତ୍ନ କରୁଅଛନ୍ତି ସତ୍ୟ, କିନ୍ତୁ ମୋର ମୃତ୍ୟୁ ହେଲେ ଆପଣମାନଙ୍କର ଗୁରୁତର ଧର୍ମ ନଷ୍ଟ ହେବ ।୩୯। ଆପଣମାନେ ପ୍ରତିଜ୍ଞା ଓ ଧର୍ମରକ୍ଷା କରିବାକୁ ସମୟ ଅପେକ୍ଷା କଲେ ଭାର୍ଯ୍ୟାଟିକୁ ରକ୍ଷା କରିପାରିବେ ନାହିଁ । ଈଶ୍ୱରଙ୍କର ନିୟମ ଯେ ପୁରୁଷ ଭାର୍ଯ୍ୟାକୁ ରକ୍ଷା କରିବ । ଭାର୍ଯ୍ୟା ରକ୍ଷିତା ହେଲେ ପୁତ୍ରମାନଙ୍କୁ ରକ୍ଷା କରିବ । ।୪୦। ପୁତ୍ର ରକ୍ଷା ହେଲେ ଆତ୍ମାର ରକ୍ଷା ହୁଏ, କାରଣ ଭାର୍ଯ୍ୟାଠାରେ ଆତ୍ମା ପୁତ୍ର ରୂପରେ ଜନ୍ମଗ୍ରହଣ କରେ । ସେହି ହେତୁରୁ ପଣ୍ଡିତମାନେ ଭାର୍ଯ୍ୟାକୁ ଜାୟା ବୋଲି ନିର୍ଦ୍ଦେଶ କରିଅଛନ୍ତି ।୪୧। ପତି ମୋର ଗର୍ଭରେ କି ପ୍ରକାର ପୁତ୍ର ରୂପରେ ଜାତ ହେବେ ଏହି କଥା ବିଚାର କରି ପତ୍ନୀ ମଧ୍ୟ ପତିଙ୍କୁ ରକ୍ଷା କରିବେ । ବ୍ରାହ୍ମଣମାନେ ବର୍ଣ୍ଣମାନଙ୍କର ଧର୍ମ ବିଷୟ ବର୍ଣ୍ଣନ କରୁଥିବା ସମୟରେ ମୁଁ ଶୁଣିଅଛି ଯେ କ୍ଷତ୍ରିୟମାନଙ୍କର ଶତ୍ରୁଦମନ ବ୍ୟତୀତ ଅନ୍ୟପ୍ରକାର କିଛି ମାତ୍ର ପ୍ରଧାନ ଧର୍ମ ନାହିଁ । ସେହି ହେତୁରୁ କହୁଅଛି ଯେ ସମୟକୁ ଅପେକ୍ଷା କରି ରହି ନିର୍ଦୟ କୀଚକକୁ ଦମନ କଲେ ଆପଣମାନଙ୍କର ପ୍ରଧାନ ଧର୍ମର ହାନି ହେବା ବିଷୟରେ କୌଣସି ସନ୍ଦେହ ନାହିଁ ।

 

ହେ ମହାବଳ ! ଭୀମସେନ ! ଧର୍ମରାଜ ଯୁଧିଷ୍ଠିରଙ୍କର ଓ ଆପଣଙ୍କର ସମକ୍ଷରେ ମତେ କୀଚକ ପଦାଘାତ କରିଅଛି । ଅତଏବ ପୂର୍ବେ ଭୟଙ୍କର ଜଟାସୁରଠାରୁ ଯେ ପ୍ରକାର ଆପଣ ମତେ ରକ୍ଷା କରିଥିଲେ ।୪୪।, ଓ ଭ୍ରାତୃମାନଙ୍କ ସହିତ ଯେ ପ୍ରକାର ଜୟଦ୍ରଥକୁ ଜୟ କରିଥିଲେ, ସମ୍ପ୍ରତି ସେହି ପ୍ରକାରରେ ମତେ ଅପମାନ ଦେଇଥିବା କୀଚକକୁ ସଂହାର କରିବା ହେଉନ୍ତୁ । ହେ ଭରତ ! କୀଚକ ରାଜାଙ୍କର ପ୍ରିୟ ବୋଲି ଗର୍ବବିମୋହିତ ହୋଇ ମତେ ଶୋକ ପ୍ରଦାନ କରିଅଛି; ଅତଏବ ତାହାକୁ ପ୍ରସ୍ତର ନିକ୍ଷିପ୍ତ ମୃଣ୍ମୟ କଳଶ ପ୍ରାୟ ଚୂର୍ଣ୍ଣ କରିବା ହେଉନ୍ତୁ । ହେ ଭାରତ ! ଭୀମ-! ମୋର ନାନା ଅନର୍ଥର ମୂଳ କାରଣ କୀଚକ ଯଦି ସୂର୍ଯ୍ୟଦେବଙ୍କର ଉଦୟ ସମୟ ପର୍ଯ୍ୟନ୍ତ ଜୀବିତ ଥିବ, ତେବେ ମୁଁ ନିଶ୍ଚୟ ବିଷପାନ କରିବି । କାରଣ କୀଚକର ଅଧୀନ ହେବାଠାରୁ ଆପଣଙ୍କ ସମକ୍ଷରେ ମରଣ ଲଭିବାର ମଙ୍ଗଳଜନକ ଅଟେ ।୪୧।

 

ବୈଶମ୍ପାୟନ କହିଲେ, ଦ୍ରୁପଦକୁମାରୀ କୃଷ୍ଣା ଏହି ପ୍ରକାର କରୁଣ ସ୍ୱରରେ କହି ଭୀମସେନଙ୍କ ବକ୍ଷସ୍ଥଳରେ ମସ୍ତକ ଦେଇ ଅତିଶୟ କ୍ରନ୍ଦନ କଲେ । ବୃକୋଦର ମଧ୍ୟ ଅତିଶୟ ଦୁଃଖାତୁରା, ସୁମଧ୍ୟମା ଦ୍ରୌପଦୀଙ୍କୁ ଆଲିଙ୍ଗନ କରି ଯୁକ୍ତିଯୁକ୍ତ ନାନା ପ୍ରକାର ଯଥାର୍ଥ ବାକ୍ୟ କହି ଆଶ୍ୱାସନା ଓ ସାନ୍ତ୍ୱନା କରି ତାହାଙ୍କର ନୟନ ଜଳପୂର୍ଣ୍ଣ ବଦନକୁ ପୋଛିଦେଲେ ଓ କ୍ରୋଧରେ ଅଧୀର ହୋଇ ସୃକ୍‌କଦ୍ୱୟକୁ ଲେହନ କରି କୀଚକର ପ୍ରତ୍ୟକ୍ଷରେ ଥିଲା ପ୍ରାୟ ଜାଣି ଦୁଃଖିନୀ ଦ୍ରୌପଦୀଙ୍କୁ ଏହିପରି କହିଲେ ।୫୧।

 

ଅଧ୍ୟାୟ – ୨୨

 

ଭୀମସେନ କହିଲେ– ହେ ଭଦ୍ରେ ! ଭୀରୁ ଦ୍ରୌପଦୀ ! ତୁମ୍ଭ କହିବା ଅନୁସାରେ ଅଦ୍ୟ ଦୁରାତ୍ମା କୀଚକୁ ବଧ କରିବି ।୧। ହେ ଦରହାସି ! ତୁମ୍ଭେ ଶୋକସନ୍ତାପକୁ ଛାଡ଼ି ଆଗାମୀ ସନ୍ଧ୍ୟା ସମୟରେ ତାହାର ନିକଟକୁ ଯାଇ ସଂକେତ କର । ବିରାଟ ରାଜାଙ୍କର ଯେଉଁ ନୃତ୍ୟମନ୍ଦିରରେ କନ୍ୟାମାନେ ଦିବସରେ ନୃତ୍ୟ ଶିକ୍ଷାକରି ରାତ୍ରି ସମୟରେ ନିଜ ଗୃହକୁ ଯାଆନ୍ତି ।୩। ସେହି ଗୃହରେ ଉତ୍ତମ ଶଯ୍ୟାରେ ସୁସଜ୍ଜିତ ଗୋଟିଏ ପର୍ଯ୍ୟଙ୍କ ଅଛି; ସେହି ସ୍ଥାନରେ ମୋର ନିକଟକୁ ଯେପରି କୀଚକ ଆସିବ, ତୁମ୍ଭେ ସେ ବିଷୟରେ ଉଦ୍ୟମ କର । କୀଚକ ସେହି ସ୍ଥାନକୁ ଆସିଲେ ମୁଁ ତାହାକୁ ତାହାର ପୂର୍ବ ପ୍ରେତ ପିତାମହମାନଙ୍କ ସଙ୍ଗରେ ସାକ୍ଷାତ୍‍ କରାଇ ଦେବୀ । କିନ୍ତୁ ତାହା ସହିତ ସଂକେତ କରିବା ସମୟରେ ଯେପରି ଅନ୍ୟ କୌଣସି ବ୍ୟକ୍ତି ତୁମ୍ଭଙ୍କୁ ଦେଖିନପାରିବ, ସେହି ବିଷୟରେ ସାବଧାନ ହେବ ।୫।

 

ବୈଶମ୍ପାୟନ କହିଲେ, ଭୀମ ଓ ଦ୍ରୌପଦୀ ଦୁହେଁ ଏହି ପ୍ରକାର କଥୋପକଥନ କରି ଦୁଃଖିତ ମନରେ ଲୋଚନଜଳବର୍ଷଣପୂର୍ବକ ସେହି ଭୟଙ୍କର ରାତ୍ରିର ଅବସାନ ସମୟକୁ ଅପେକ୍ଷା କରୁଥିଲେ । ସେହି ରାତ୍ରିର ଅବସାନ ହେଲାରୁ ପ୍ରଭାତ ସମୟରେ କୀଚକ ଶଯ୍ୟା ପରିତ୍ୟାଗପୂର୍ବକ ରାଜାଙ୍କ ମନ୍ଦିରକୁ ଯାଇ ଦ୍ରୌପଦୀଙ୍କୁ କହିଲା ।୭। ଦ୍ରୌପଦୀ ! ରାଜାଙ୍କ ସମକ୍ଷରେ ସଭା ମଧ୍ୟରେ ଆମ୍ଭେ ତୁମ୍ଭଙ୍କୁ ଭୂତଳରେ ନିକ୍ଷେପପୂର୍ବକ ପାଦରେ ଆଘାତ କଲୁ । ସେହି ସମୟରେ ତୁମ୍ଭଙ୍କୁ କେହି ରକ୍ଷା କରିପାରିଲେ ନାହିଁ । ବିରାଟ ମତ୍ସ୍ୟ ଦେଶର କେବଳ ନାମରେ ରାଜା, କିନ୍ତୁ ଫଳରେ ଆମ୍ଭେ ସମସ୍ତ ମତ୍ସ୍ୟ ଦେଶର ରାଜା ଓ ସେନାପତି ଅଟୁ ।୯। ହେ ଭୀରୁ ! ସୁଶ୍ରୋଣି ! ଆମ୍ଭଠାରେ ସୁଖରେ ଅନୁରକ୍ତା ହୁଅ । ଆମ୍ଭେ ଜୀବିତ ଥିବାଯାଏ ତୁମ୍ଭର ଦାସ ହେଲୁ । ଆଜିଠାରୁ ତୁମ୍ଭର ସେବା ନିମିତ୍ତ ଅସଂଖ୍ୟ ଦାସଦାସୀ ଓ ଅଶ୍ୱତରୀଯୁକ୍ତ ରଥ ନିଯୁକ୍ତ ହେବେ, ଅଥଚ ତୁମ୍ଭର ସନ୍ତୋଷବର୍ଦ୍ଧନ ନିମିତ୍ତ ପ୍ରତିଦିନ ଶତ ପରିମିତ ସୁବର୍ଣ୍ଣମୁଦ୍ରା ଅର୍ପଣ କରୁଥିବୁ ।୧୧।

 

ଦ୍ରୌପଦୀ କହିଲେ, ହେ କୀଚକ ! ମୁଁ ଜନରବକୁ ଭୟ କରୁଅଛି ଯଶସ୍ୱୀ ଗନ୍ଧର୍ବମାନେ, ତୁମ୍ଭର ଭ୍ରାତା ଓ ଅନ୍ୟାନ୍ୟ ପ୍ରିୟଜନମାନେ କେହି ଯେପରି ଆମ୍ଭ ଦୁହିଁଙ୍କର ପ୍ରଣୟ ହେବା ସମ୍ବାଦକୁ କଦାପି ଜାଣିନପାରିବେ- ଏ ବିଷୟରେ ତୁମ୍ଭେ ଯଦି ପ୍ରତିଜ୍ଞା କରିବ, ତେବେ ମୁଁ ତୁମ୍ଭର ଅଧୀନ ହେବି ।୧୨। କୀଚକ କହିଲା ହେ ଭଦ୍ରେ ! ସୁଶ୍ରୋଣି ! ଆମ୍ଭେ ପ୍ରତିଜ୍ଞା କରି କହୁଅଛୁ, ତୁମ୍ଭ ସହିତ ଆମ୍ଭର ପ୍ରଣୟ ହେବା ବିଷୟକୁ କେହି କଦାପି ଜାଣିପାରିବେ ନାହିଁ । ହେ ରମ୍ଭୋରୁ ! ମଦନମୋହିତ ଆମ୍ଭେ ଏକାକୀ ହୋଇ ତୁମ୍ଭର ନିର୍ଜନ ଗୃହରେ ପ୍ରବେଶପୂର୍ବକ ସଙ୍ଗମ କଲେ ସୂର୍ଯ୍ୟ ସଦୃଶ୍ୟ ତେଜୀୟାନ ଗନ୍ଧର୍ବ ପୁରୁଷମାନେ ମଧ୍ୟ ଜାଣିପାରିବେ ନାହିଁ ।୧୫।

 

ଦ୍ରୌପଦୀ କହିଲେ, ବିରାଟ ରାଜାଙ୍କର ଯେଉଁ ନୃତ୍ୟମନ୍ଦିର ଅଛି, ତହିଁରେ କନ୍ୟାମାନେ ଦିବସରେ ନୃତ୍ୟ କରନ୍ତି, ରାତ୍ରିପ୍ରବେଶ ପୂର୍ବରୁ ସେମାନେ ନିଜ ନିଜ ଗୃହକୁ ଚାଲିଯାଆନ୍ତି । ଗନ୍ଧର୍ବ ପୁରୁଷମାନେ ମଧ୍ୟ ସେ ଗୃହକୁ ଦେଖିନାହାନ୍ତି । ତୁମ୍ଭେ ଅନ୍ଧକାର ସମୟରେ ସେହି ସ୍ଥାନକୁ ଗଲେ ଆମ୍ଭେ ଦୁହେଁ ପରସ୍ପରରେ ସଙ୍ଗମ ସୁଖକୁ ଅନୁଭବ କରିବା, ଏ ବିଷୟରେ କିଛି ସନ୍ଦେହ ନାହିଁ ।୧୭। ବୈଶମ୍ପାୟନ କହିଲେ, ହେ ମହାରାଜ ! ଦ୍ରୂପଦକୁମାରୀ କୃଷ୍ଣା କୀଚକ ସହିତ ଏତାଦୃଶ୍ୟ କଥୋପକଥନ କରି ଦିବସର ଅର୍ଦ୍ଧପରିମିତ ସମୟକୁ ଏକମାସ ତୁଲ୍ୟ ଜାଣିଥିଲେ ।୧୮।

 

ଏହି ପ୍ରକାର କଥୋପକଥନ ଶେଷ ହେଲା ଉତ୍ତାରୁ କୀଚକ ସ୍ୱଗୃହକୁ ଗମନ କରି ଗନ୍ଧମାଲ୍ୟ ଆଭରଣ ପରିଧାନ ବିଷୟରେ ଅତି ଆନନ୍ଦ ସହିତ ଆସକ୍ତ ହେଲା । ସେ ଏତାଦୃଶ୍ୟ ମୂଢ଼ ଯେ ଦ୍ରୌପଦୀଙ୍କୁ ତାହାର ମୃତ୍ୟୁର ମୂଳ କାରଣ ବୋଲି ଜାଣିନପାରିଲା । କାମମୋହିତ କୀଚକ ଶରୀରର ଶୋଭା ସମ୍ପାଦନ କରୁଥିବା ସମୟରେ ନିରନ୍ତର ଆୟତନୟନା ଦ୍ରୌପଦୀଙ୍କୁ ସ୍ମରଣପୂର୍ବକ ମୁହୂର୍ତ୍ତ ପରିମିତ ସମୟକୁ ସୁଦୀର୍ଘ କାଳ ବୋଲି ଜାଣୁଥିଲା ।୨୧। ନିର୍ବାଣ ସମୟରେ ଦୀପର ବର୍ତ୍ତି ପ୍ରଜ୍ଜ୍ୱଳିତ ହେବା ପ୍ରାୟ କାମମୋହିତ କୀଚକର ସେହି ସମୟରେ ଅତିଶୟ ଶୋଭା ପରିବର୍ଦ୍ଧିତ ହୋଇଥିଲା ।୨୨। କାମମୋହିତ କୀଚକ ଦ୍ରୌପଦୀଙ୍କ ସମାଗମ ନିମିତ୍ତ ଏତାଦୃଶ୍ୟ ଚିନ୍ତାରେ ନିମଗ୍ନ ଥିଲା ଯେ କେତେବେଳେ ସୂର୍ଯ୍ୟଦେବ ଅସ୍ତ ହେଲେ, ସେ ତାହା ଜାଣିନପାରିଲା ।୨୩।

 

ଏଥି ଉତ୍ତାରୁ କଲ୍ୟାଣୀ ସୁକେଶୀ ଦ୍ରୌପଦୀ ବିରାଟ ରାଜାଙ୍କ ପାକଶାଳାକୁ ଯାଇ କୁରୁବୀର ଭୀମଙ୍କୁ କହିଲେ, ହେ ମହାଭାଗ ! ପରନ୍ତପ ! ଆପଣଙ୍କ ଆଦେଶ ଅନୁସାରେ କୀଚକ ନୃତ୍ୟମନ୍ଦିରକୁ ଆସିବା ନିମିତ୍ତ ସଙ୍କେତ କଲି । ସେ ଅଦ୍ୟ ରଜନୀରେ ଏକାକୀ ହୋଇ ନିର୍ଜନ ନୃତ୍ୟମନ୍ଦିରକୁ ଆସିବାମାତ୍ରେ ତାହାକୁ ସଂହାର କରିବା ହେଉନ୍ତୁ ।୨୬। ହେ କୁନ୍ତୀନନ୍ଦନ ଭୀମ ! ସେହି ମଦାନ୍ଧ ସୂତପୁତ୍ର କୀଚକ ସର୍ବଦା ଗନ୍ଧର୍ବମାନଙ୍କୁ ଅନାଦର କରୁଥାଏ । ଅତଏବ ଅଦ୍ୟ ରଜନୀରେ ଆପଣ ନୃତ୍ୟମନ୍ଦିରକୁ ଗମନପୂର୍ବକ ତାହାକୁ ସଂହାର କରିବା ହେଉନ୍ତୁ ହେ ପାଣ୍ଡବ ! ଜଳାଶୟରୁ ନାଗକୁ ବାହାର କଲାପରି ଆପଣ କୀଚକକୁ ଏ ଜଗତରୁ ଅନ୍ତର କଲେ ମୋର ଚକ୍ଷୁରୁ ଅଶ୍ରୁପାତ ସ୍ଥଗିତ ହେବ, କୁରୁମାନଙ୍କର ମାନ ବର୍ଦ୍ଧିତ ହେବ, କୁଳର ମର୍ଯ୍ୟାଦା ବଢ଼ିବ ଓ ଆପଣଙ୍କର ମଙ୍ଗଳ ହେବ ।୨୯।

 

ଭୀମସେନ କହିଲେ, ହେ ବରାରୋହେ ! ତୁମ୍ଭେ ଆମ୍ଭଙ୍କୁ ଏହି ଶୁଭ ସମ୍ବାଦଟିକି ଜଣାଇବାରୁ ଆମ୍ଭେ ଜାଣିପାରୁଅଛୁ ଯେ ତୁମ୍ଭେ ଶୁଭବେଳରେ ଆଗମନ କରିଅଛ । ଆମ୍ଭେ ଏହି ପ୍ରିୟ ସମ୍ବାଦ ବ୍ୟତୀତ ଅନ୍ୟପ୍ରକାରେ କିଛି ସହାୟକୁ ଇଚ୍ଛା କରୁନାହୁଁ ।୩୦। ହେ ବରବର୍ଣ୍ଣିନି ! ପୂର୍ବେ ହିଡ଼ିମ୍ବାସୁରକୁ ବଧକଲା ଉତ୍ତାରୁ ଆମ୍ଭେ ଯାଦୃଶ ଆନନ୍ଦ ପ୍ରାପ୍ତ ହୋଇଥିଲୁ, ସମ୍ପ୍ରତି କୀଚକ ସହିତ ଆମ୍ଭର ସମାଗମ ହେବ ବୋଲି ଏହି ଶୁଭ ସମ୍ବାଦ ଶ୍ରବଣ କରି ତାଦୃଶ ଆନନ୍ଦ ଅନୁଭବ କରୁଅଛୁ ।୩୧। ହେ ଦେବୀ ! ଧର୍ମ ଓ ଭ୍ରାତୃମାନଙ୍କ ଶପଥ ସହିତ ମୁଁ ତୁମ୍ଭଙ୍କୁ ସତ୍ୟ କହୁଅଛି, ଦେବରାଜ ଇନ୍ଦ୍ର ବୃତ୍ରାସୁରକୁ ସଂହାର କଲାପ୍ରାୟ କୀଚକକୁ ବିନାଶ କରିବି ।୩୨। ବିଜନ ସ୍ଥାନରେ ଅଥବା ଜନପୂର୍ଣ୍ଣ ସ୍ଥାନରେ ହେଉ, କୀଚକକୁ ନିଶ୍ଚୟ ସଂହାର କରିବି । ମତ୍ସ୍ୟଦେଶୀୟ ଲୋକମାନେ ତାହାର ସହାୟ ହୋଇ ମୋ ସଙ୍ଗରେ ଯୁଦ୍ଧ କଲେ ସୁଦ୍ଧା ସେ ସମସ୍ତଙ୍କୁ ବିନାଶ କରିବି ।୩୩। ତଦନନ୍ତର ଦୁର୍ଯ୍ୟୋଧନକୁ ବଧ କରି ପୃଥିବୀ ଲାଭ କରିବି । କୁନ୍ତୀପୁତ୍ର ଯୁଧିଷ୍ଠିର ଆପଣାର ଇଚ୍ଛା ଅନୁସାରେ ବିରାଟ ରାଜାଙ୍କ ସେବା କରନ୍ତୁ ।୩୪।

 

ଦ୍ରୌପଦୀ କହିଲେ, ହେ ପ୍ରଭୋ ! ମୋ ନିମିତ୍ତ ଆପଣ ଯେଉଁ ସତ୍ୟ କରିଅଛନ୍ତି, ତାହା ଯେପରି ଅନ୍ୟଥା ନ ହୁଏ । ହେ ବୀର ! ଆପଣ ଗୁପ୍ତ ଭାବରେ କୀଚକକୁ ସଂହାର କରିବା ହେଉନ୍ତୁ-।୩୫। ଭୀମସେନ କହିଲେ, ହେ ଭୀରୁ ! ତୁମ୍ଭେ ଯେଉଁପରି କହୁଛ, ମୁଁ ସେହିପରି କରିବି-! ଦୁର୍ଲ୍ଲଭ ପଦାର୍ଥକୁ ସୁଲଭ ବୋଲି ଜ୍ଞାନ କରିଥିବା ଦୁରାତ୍ମା କୀଚକକୁ ଅଦ୍ୟ ଅନ୍ଧକାର ରାତ୍ରିରେ ସଂହାର କରିବି । ହେ ସର୍ବାଙ୍ଗସୁନ୍ଦରୀ ! ହସ୍ତୀପାଦରେ ବିଲ୍ୱଫଳ ଚୂର୍ଣ୍ଣ ହେଲାପ୍ରାୟ ମୋର ପାଦରେ କୀଚକର ମସ୍ତକ ଚୂର୍ଣ୍ଣ ହେବ ।୩୭।

 

ବୈଶମ୍ପାୟନ କହିଲେ, ଏଥିଉତ୍ତାରୁ ଭୀମ ଅନ୍ଧକାରମୟ ରାତ୍ରିରେ ନୃତ୍ୟମନ୍ଦିରକୁ ଯାଇ ସେଠାରେ ସିଂହ ମୃଗ ଅନ୍ୱେଷଣରେ ଲୁଚିଥିବା ପରି ରହି କୀଚକକୁ ଅପେକ୍ଷା କରୁଥିଲେ ।୩୮। କୀଚକ ମଧ୍ୟ ପାଞ୍ଚାଳୀଙ୍କ ସମାଗମ ଆଶା କରି ଇଚ୍ଛାନୁସାରେ ନାନାବିଧ ଅଳଙ୍କାରରେ ଭୂଷିତ ହେଇ ସେହି ସମୟରେ ନୃତ୍ୟମନ୍ଦିରକୁ ଆସିଲା ।୩୯। ଦ୍ରୌପଦୀଙ୍କ ଅପମାନଜନିତ କୋପ କାରଣରୁ ପ୍ରଜ୍ଜ୍ୱଳିତ ଅଗ୍ନିସଦୃଶ ଦେଦୀପ୍ୟମାନ ଅତୁଳିତ ପରାକ୍ରମ ଭୀମ ପୂର୍ବରୁ ଆସି ସେହି ଅନ୍ଧକାରାଚ୍ଛନ୍ନ ନିର୍ଜନ ଗୃହରେ ସୁସଜ୍ଜିତ ପଲ୍ୟଙ୍କରେ କପଟରେ ଶୟନ କରିଥିଲେ । କାମମୋହିତ ଦୁରାଶୟ, ସୂତପୁତ୍ର କୀଚକ ସେହି ଗୃହକୁ ସଂକେତ ସ୍ଥାନ ମନେକରି ତହିଁରେ ପ୍ରବେଶପୂର୍ବକ ପଲ୍ୟଙ୍କ ଉପରେ ଉପସ୍ଥିତ ହୋଇ ଭୀମସେନଙ୍କ ଅଙ୍ଗ ସ୍ପର୍ଶ କରି ହର୍ଷୋତ୍‌ଫୁଲ୍ଲ ଚିତ୍ତରେ ମନ୍ଦ ମନ୍ଦ ହସି କହିଲା ।୪୩।

 

ହେ ସୁନ୍ଦରୀ ! ମୁଁ ତୁମ୍ଭଙ୍କୁ ଅପରିମିତ ନାନାବିଧ ଦୁର୍ଲ୍ଲଭ ଧନପ୍ରାୟ ପ୍ରାପ୍ତ ହେଲି । ତୁମ୍ଭ ନିମିତ୍ତ ମଣିମୟ ହାରମାନଙ୍କରେ ମଣ୍ଡିତ ହୋଇଥିବା ଅସଂଖ୍ୟ ଦାସୀ, ସୁନ୍ଦର ସୁନ୍ଦର ବସ୍ତୁ ଅତି ସୁଲଳିତ ରମଣୀମାନଙ୍କରେ ସୁଶୋଭିତ ବାସଗୃହ ଓ କ୍ରୀଡ଼ାଜନକ, ରତିହିତକାରକ ସାମଗ୍ରୀ ସମୂହରେ ପୂରିତ ଅନ୍ତଃପୁର ଏହା ସବୁ ରଖିକରି ତୁମ୍ଭ ଉଦ୍ଦେଶ୍ୟରେ ହଠାତ୍ ଉପସ୍ଥିତ ହେଲି । ମୋ ସଦୃଶ୍ୟ ସୁବେଶ, ସୁନ୍ଦର ପୁରୁଷ କୌଣସିଠାରେ ନାହାନ୍ତି ବୋଲି ଆମ୍ଭର ଅନ୍ତଃପୁରର ସ୍ତ୍ରୀମାନେ ମତେ ପ୍ରଶଂସା କରନ୍ତି ।୪୬। ଭୀମସେନ କହିଲେ, ତୁମ୍ଭେ ଭାଗ୍ୟବଳରେ ଅତିଶୟ ସୁନ୍ଦର ଓ ଆତ୍ମପ୍ରଶଂସାର ମଧ୍ୟ ଯୋଗ୍ୟ ଅଟ । ସମସ୍ତ ସ୍ତ୍ରୀମାନଙ୍କର ଆନନ୍ଦବର୍ଦ୍ଧକ ହେବା ଅଳ୍ପ ସୁକୃତରେ ଘଟଇ ନାହିଁ । ମୁଁ ମଧ୍ୟ ତୁମ୍ଭ ପ୍ରାୟ ସୁନ୍ଦର ପୁରୁଷ କୌଣସିଠାରେ ଦେଖିନାହିଁ; କିନ୍ତୁ ତୁମ୍ଭେ ସମ୍ପ୍ରତି ମୋର ଅଙ୍ଗ ସ୍ପର୍ଶ କରି ଯାଦୃଶ ସୁଖ ଅନୁଭବ କଲ, ତାଦୃଶ ସୁଖ ଅନ୍ୟକୌଣସିଠାରେ ପାଇନଥିବ-। ଆହା ! ତୁମ୍ଭପ୍ରାୟ ସ୍ପର୍ଶସୁଖ ଅନୁଭବୀ, ରସିକ, କାମଶାସ୍ତ୍ରପଣ୍ଡିତ ଓ ସ୍ତ୍ରୀମାନଙ୍କର ପ୍ରୀତି ବର୍ଦ୍ଧନକାରକ ପୁରୁଷ ମୁଁ କୌଣସିଠାରେ ଦେଖି ନାହିଁ ।୪୮।

 

ବୈଶମ୍ପାୟନ କହିଲେ, ମହାବାହୁ, ଭୀମପରାକ୍ରମ, କୁନ୍ତୀନନ୍ଦନ ଭୀମ, କୀଚକକୁ ଏହି ପ୍ରକାର କହି, ହଠାତ୍ ଦଣ୍ଡାୟମାନ ହୋଇ ହସିକରି ପୁନଶ୍ଚ କହିଲେ ।୪୯।, ଆରେ ଅନିଷ୍ଟକାରକ-! ପର୍ବତସଦୃଶ୍ୟ ସ୍ଥୂଳକାୟ ମହାଗଜଙ୍କୁ ସିଂହ ଆକ୍ରମଣ କଲା ପ୍ରାୟ ମୁଁ ତୋତେ ଏହିକ୍ଷଣି ଆକର୍ଷଣପୂର୍ବକ ପୃଥିବୀରେ ପକାଇବି, ତୋର ଭଉଣୀ ଦେଖିବେ ।୫୦। ତୋର ମୃତ୍ୟୁ ହେଲେ ସୈରନ୍ଧ୍ରୀ ସୁଖରେ ରହିବେ ଓ ସୈରନ୍ଧ୍ରୀର ପତିମାନେ ମଧ୍ୟ ସୁଖରେ କାଳହରଣ କରିବେ-।୫୧। ମହାବଳ ଭୀମ କୀଚକକୁ ଏହି ପ୍ରକାର କହି ହଠାତ୍ ବଳପ୍ରକାଶପୂର୍ବକ ତାହାର ମାଲ୍ୟଯୁକ୍ତ କେଶକୁ ଆକର୍ଷଣ କଲେ । ବଳିଷ୍ଠ କୀଚକ ମଧ୍ୟ ସେହି କ୍ଷଣରେ ଆପଣାର କେଶକୁ ଭୀମଙ୍କ ହସ୍ତରୁ ମୋଚନ କରି ତାହାଙ୍କର ବାହୁଦ୍ୱୟକୁ ଧରିଲା । ଏହିରୂପେ କ୍ରୋଧାବିଷ୍ଟ ହେବାରୁ ସେହି ବୀରସିଂହ ଦୁହିଁଙ୍କର ଅତି ଭୟଙ୍କର ବାହୁଯୁଦ୍ଧ ହେଲା ।୫୩।

 

ବସନ୍ତ କାଳରେ ଗୋଟିଏ ହସ୍ତିନୀ ନିମିତ୍ତ ମଦନୋନ୍ମତ୍ତ ବଳିଷ୍ଠ ହସ୍ତୀଦ୍ୱୟର ଯେଉଁ ପ୍ରାୟ ଯୁଦ୍ଧ ହେଉଥାଏ, ଅଥବା ପୂର୍ବକାଳରେ ତାରାନାମ୍ନୀ ଗୋଟିଏ ସ୍ତ୍ରୀ ନିମିତ୍ତ କପିଶ୍ରେଷ୍ଠ ବାଳୀ ସୁଗ୍ରୀବ ଦୁହିଁଙ୍କର ଯେଉଁ ପ୍ରକାର ଯୁଦ୍ଧ ହୋଇଥିଲା, ସେହି ସମୟରେ ଦ୍ରୌପଦୀଙ୍କ ନିମିତ୍ତ ସୂତକୁଳରତ୍ନ କୀଚକ ଓ ନରଶ୍ରେଷ୍ଠ ଭୀମସେନଙ୍କର ମଧ୍ୟ ସେହି ପ୍ରକାର ଯୁଦ୍ଧର ଆଡ଼ମ୍ବର ଦେଖା ଯାଉଥିଲା । କିଛିକ୍ଷଣ ଉତ୍ତାରୁ ସେହି ଦୁହେଁ ମହାଶୀର୍ଷ ରୋଷବିଷୋଦ୍ଧତ ସର୍ପସଦୃଶ ବାହୁଯୁଦ୍ଧରୁ କ୍ଷାନ୍ତ ହୋଇ ଅତିଶୟ କ୍ରୋଧହେତୁରୁ ନଖଦନ୍ତଯୁଦ୍ଧରେ ପ୍ରବୃତ୍ତ ହେଲେ ।୫୬। ସ୍ଥିରପ୍ରତିଜ୍ଞ ଭୀମସେନ ଅତି ବଳିଷ୍ଠ କୀଚକ ଦ୍ୱାରା ଅଶେଷ ଆଘାତ ପ୍ରାପ୍ତ ହେଲେ ସୁଦ୍ଧା ଯୁଦ୍ଧ ସମୟରେ ଏକପଦମାତ୍ର ବିଚଳିତ ହୋଇନଥିଲେ ।୫୭। ଭୀମକୀଚକ ଯୁଦ୍ଧ ତୁଲ୍ୟରୂପ ମହାବଳ ବୃଷଭଦ୍ୱୟର ଯୁଦ୍ଧସଦୃଶ ମନୋହର ଦିଶୁଥିଲା ।୫୮। ଭୀମ କୀଚକ ଦୁହେଁ ଅତିଶୟ କୋପାବିଷ୍ଟ ଦୁଇଗୋଟି ବ୍ୟାଘ୍ରପ୍ରାୟ ନଖଦନ୍ତ ଯୁଦ୍ଧ କରୁଥିଲେ ।୫୯। ଗୋଟାଏ ମତ୍ତହସ୍ତୀ ଅନ୍ୟଏକ ମତ୍ତହସ୍ତୀ ଉପରେ ପଡ଼ିଲା ପ୍ରାୟ କୀଚକ ଭୀମସେନଙ୍କ ଉପରେ ପଡ଼ି ତାହାଙ୍କୁ ଦୁଇବାହୁରେ ଦୃଢ଼ କରି ଧରିଲା ।୬୦। ଭୀମ ମଧ୍ୟ ତତ୍‌କ୍ଷଣାତ ତାହାକୁ ସେହିପ୍ରକାର ଧରିଲେ, କିନ୍ତୁ ବଳିଷ୍ଠ ଶ୍ରେଷ୍ଠ କୀଚକ ଅତିଶୟ ବଳପ୍ରୟୋଗ କରି ଭୀମଙ୍କୁ ଭୂତଳରେ ପକାଇ ଦେଲା ।୬୧।

 

ସମାନବଳଯୁକ୍ତ ସେହି ଦୁଇଜଣ ବୀରଙ୍କର ପରସ୍ପର ବାହୁଯୁଦ୍ଧ ହେବା ସମୟରେ ବଂଶଦଣ୍ଡ ଫାଟିଲା ପ୍ରାୟ ଭୟଙ୍କର ଶବ୍ଦ ଜାତ ହେଲା ।୬୨। ଏଥି ଉତ୍ତାରୁ ଭୀମ କୀଚକକୁ ଗୃହମଧ୍ୟରେ ପକାଇ ଦେଇ ପ୍ରଚଣ୍ଡ ପ୍ରଭଂଜନ ବୃକ୍ଷକୁ ଦୋହଲାଇ ଦେଲା ପ୍ରାୟ ବଳପ୍ରକାଶପୂର୍ବକ ତାହାର ସର୍ବାଙ୍ଗକୁ କମ୍ପାଇ ଦେଲେ ।୬୩। କୀଚକ ବଳିଷ୍ଠ ଭୀମଙ୍କ ଆଘାତରେ ଅତିଶୟ ବଳହୀନ ହେଲେ ସୁଦ୍ଧା ତାହାଙ୍କୁ ପ୍ରାଣପଣରେ ଆକର୍ଷଣ କରୁଥିଲା ।୬୪। ବୃକୋଦର କ୍ରୋଧ ହେତୁରୁ କିଞ୍ଚିତ୍ ଅସ୍ଥିର ମନରେ ଚଳିତପଦ ହୋଇଥିବା ସମୟରେ ବଳବାନ କୀଚକ ଦୁଇଜାନୁରେ ପ୍ରହାର କରି ତାହାଙ୍କୁ ଭୂତଳରେ ପକାଇ ଦେଲା । ବୃକୋଦର କୀଚକର ଆଘାତରେ ଭୂତଳରେ ପଡ଼ିଗଲାମାତ୍ରେ ତତ୍‌କ୍ଷଣାତ ସାକ୍ଷାତ୍ ଦଣ୍ଡପାଣି ଯମଦେବଙ୍କ ସଦୃଶ ଅତିଶୀଘ୍ର ଦଣ୍ଡାୟମାନ ହେଲେ ।୬୬। ସ୍ୱଭାବରେ ବଳିଷ୍ଠ ପାଣ୍ଡବ ଓ କୀଚକ ଦୁହେଁ ପରସ୍ପର ଜୟକାମନା କରି ଅତିଶୟ ବଳରେ ଉନ୍ମତ୍ତ ହୋଇ ସେହି ନିର୍ଜନ ଗୃହରେ ଅର୍ଦ୍ଧରାତ୍ର ସମୟରେ ଯୁଦ୍ଧ କରୁଥିଲେ ।୬୭।

 

ସେହି ଦୁହିଁଙ୍କର ଅତିଶୟ କ୍ରୋଧ ହେତୁରୁ ଏତାଦୃଶ ତର୍ଜନ ଗର୍ଜନ ଧ୍ୱନି ଜାତ ହେଲା ଯେ ତହିଁରେ ସେହି ଉତ୍କୃଷ୍ଟ ଗୃହଟି ବାରମ୍ବାର କମ୍ପିତ ହେଉଥିଲା ।୬୮। ବୃକୋଦର ମହାବଳଶାଳୀ କୀଚକର ବକ୍ଷସ୍ଥଳରେ ଦୁଇଗୋଟି ଚାପଡ଼ା ମାରିବାରୁ ସେ ଅତିଶୟ କ୍ରୋଧାନ୍ୱିତ ହୋଇ ଆପଣା ସ୍ଥାନରୁ ଏକପଦ ମାତ୍ର ବିଚଳିତ ହେଲାନାହିଁ ।୬୯। ସୂତପୁତ୍ର କୀଚକ ଭୀମସେନଙ୍କ ପ୍ରଦତ୍ତ ଆଘାତରେ ଅସହ୍ୟ ଦୁଃଖ ସହ୍ୟ କରି ମୁହୂର୍ତ୍ତକ ପରେ ଭୂତଳରେ ପଡ଼ିଗଲା ।୭୦। ମହାବଳ ଭୀମସେନ କୀଚକକୁ ମୃତକଳ୍ପ ଦେଖି ଆପଣାର ବକ୍ଷସ୍ଥଳରେ ଧରି ଅତିଶୀଘ୍ର ଦୃଢ଼ତର ଆଘାତ ଦେବାରୁ ସେ ଚୈତନ୍ୟଶୂନ୍ୟ ହେଲା । ବିଜୟୀବର ବୃକୋଦର ପୁନଶ୍ଚ କ୍ରୋଧାବିଷ୍ଟ ହୋଇ ଦୀର୍ଘନିଃଶ୍ୱାସ ପରିତ୍ୟାଗପୂର୍ବକ ତାହାର କେଶକୁ ଅତିଶୟରେ ଆକର୍ଷଣ କରୁଥିବା ସମୟରେ ମାଂସାକାଂକ୍ଷୀ ମହାବଳ ଶାର୍ଦୁଳ ଗୋଟାଏ ବୃହତ୍ ହରିଣକୁ ଧରିଥିଲା ପ୍ରାୟ ଶୋଭା ପାଉଥିଲେ ।୭୩। ପଶୁକୁ ରଜ୍ଜୁରେ ବନ୍ଧନ କଲାପ୍ରାୟ ଭୀମସେନ ପରିଶ୍ରାନ୍ତ କୀଚକକୁ ବାହୁଦ୍ୱୟରେ ବାନ୍ଧି ବହୁତ ସମୟ ପର୍ଯ୍ୟନ୍ତ ଘୂର୍ଣ୍ଣାୟମାନ କଲେ ।

 

ସେହି ସମୟରେ କୀଚକ ଖୁବ୍ ଜୋରରେ ଭଗ୍ନ ଭେରୀର ଧ୍ୱନିପ୍ରାୟ ଏକ ପ୍ରକାର ମହାଶବ୍ଦ କଲା । ତାହାର ଚେତନା ଲୋପ ପାଇଥିଲା ଏବଂ ସେ ଛଟପଟ ହେଉଥିଲା । ବୃକୋଦର ଦ୍ରୌପଦୀଙ୍କ କୋପଶାନ୍ତି ନିମିତ୍ତ ତାହାର କଣ୍ଠକୁ ବାହୁଦ୍ୱୟରେ ବନ୍ଧନ କରି ଦୃଢ଼ରୂପେ ଚିପି ଦେଲେ-। ସେହି ସମୟରେ ତାହାର ସର୍ବାଙ୍ଗ ଭଗ୍ନ ଓ ନୟନଦ୍ୱୟ ମୁଦ୍ରିତ ହୋଇଥିଲା, ତଥାପି ଭୀମସେନ ପଶୁକୁ ମାରିଲା ପ୍ରାୟ ନିଜର ଜାନୁଦ୍ୱାରା ତାହାର କଟି ପ୍ରଦେଶରେ ଓ ହସ୍ତ ଦ୍ୱୟ ଦ୍ୱାରା ତାହାର ବକ୍ଷସ୍ଥଳରେ ବାରମ୍ବାର ଆଘାତ କରୁଥିଲେ ।୭୭। ପାଣ୍ଡୁନନ୍ଦନ ଭୀମସେନ ହତଚେତନ କୀଚକକୁ ଭୂତଳରେ ଗଡ଼ାଇ ଗଡ଼ାଇ କହୁଥିଲେ କି, ଭ୍ରାତାଙ୍କ ଦାରାପ୍ରହାରୀ ଦ୍ରୌପଦୀଙ୍କ ଶତ୍ରୁ ସୂତପୁତ୍ରକୁ ମୁଁ ଅଦ୍ୟ ସଂହାର କରି ଭ୍ରାତାଙ୍କ ନିକଟରେ ଅଋଣୀ ହୋଇ ଶାନ୍ତି ଲାଭ କରିବି ।୭୯। ବୀରଶ୍ରେଷ୍ଠ ପ୍ରଧାନ ପୁରୁଷ ଭୀମ ଏହି ପ୍ରକାର କଥା କହି କୀଚକକୁ ସଂହାର କରି ଛାଡ଼ି ଦେଲାବେଳେ ତାହାଙ୍କର ନୟନ ଦ୍ୱୟ କ୍ରୋଧରେ ଆରକ୍ତବର୍ଣ୍ଣ ଦିଶୁଥିଲା । କୀଚକର ଦେହରୁ ବସ୍ତ୍ର ଓ ଆଭରଣ ବାହାରି ଯାଇଥିଲା । ନେତ୍ରର ଡୋଳା ଉପରକୁ ଦିଶୁଥିଲା ।୮୦।

 

ପୁନଶ୍ଚ ବୀରଶ୍ରେଷ୍ଠ ଭୀମସେନ କ୍ରୋଧରେ ଅଧୀର ହୋଇ ହସ୍ତରେ ହସ୍ତମର୍ଦନ ଓ ଦନ୍ତରେ ଅଧର ଦଂଶନ କରି କୀଚକର ମୃତ ଦେହକୁ ଆକ୍ରମଣ କରି ତାହାର ହସ୍ତ, ପାଦ, ଗ୍ରୀବା ଓ ମସ୍ତକ ଏହି ସବୁକୁ ଶରୀର ମଧ୍ୟରେ ରୁଣ୍ଡୀଭୂତ କରୁଥିବା ସମୟରେ ଗଜାସୁର ନିଧନକାରୀ ପିନାକଧାରୀ ମହାଦେବଙ୍କ ପ୍ରାୟ ଅତି ଭୟଙ୍କର ଦିଶୁଥିଲେ ।୮୨ ମହାବଳ ଭୀମସେନ ବିଶେଷ ମନ୍ଥନ ଦ୍ୱାରା କୀଚକର ସର୍ବାଙ୍ଗକୁ ଗୋଟିଏ ସୁବୃହତ୍ ମାଂସ ପିଣ୍ଡ ପ୍ରାୟ କରି କୃଷ୍ଣାଙ୍କୁ ଦେଖାଇଲେ-।୮୩। ମହାତେଜା ପାଣ୍ଡୁନନ୍ଦନ ଭୀମ ଦ୍ରୌପଦୀଙ୍କୁ କହିଲେ, ହେ ପାଞ୍ଚାଳୀ ! ଆସ ଏହି ନରାଧମ କାମୁକର କିପରି ଅବସ୍ଥା ହେଲାଣି ଦେଖ । ଭୀମପରାକ୍ରମ ମହାରାଜ ଭୀମସେନ ଏହି କଥା କହି ଦୁରାତ୍ମା କୀଚକର ମୃତ ଦେହକୁ ପାଦରେ ଆଘାତ କଲେ ଓ ତାହା ଉତ୍ତାରୁ ବୀର ଅଗ୍ନି ଜାଳି ଆଲୋକରେ ତାହାର ମୃତପିଣ୍ଡକୁ ପାଞ୍ଚାଳୀଙ୍କୁ ଦେଖାଇ ପୁନଶ୍ଚ କହିଲେ (୮୨)

 

ହେ ଭୀରୁ ! ସୁକେଶି ! ସୁଶୀଳେ ! ଏଥି ଉତ୍ତାରୁ ଯେଉଁମାନେ ତୁମ୍ଭଙ୍କୁ ପ୍ରାର୍ଥନା କରିବେ, ସେହିମାନେ ଏହି କୀଚକପ୍ରାୟ ଶୋଭିତ ହୋଇ ଯମାଳୟକୁ ଗମନ କରିବେ ।୮୭। ବୀରବର ବୃକୋଦର କୀଚକକୁ ବଧ କରିବାରୁ ଦ୍ରୌପଦୀଙ୍କର ଆନନ୍ଦ ବିଶେଷ ବର୍ଦ୍ଧିତ ହେଲା । ସେ ମଧ୍ୟ ରୋଷ ପରିତ୍ୟାଗପୂର୍ବକ ଦ୍ରୌପଦୀଙ୍କ ସଙ୍ଗରେ ମିଷ୍ଟବାକ୍ୟ ଆଳାପ କରି ଶୀଘ୍ର ଗତିରେ ପାକଶାଳାରେ ପ୍ରବିଷ୍ଟ ହେଲେ । ରମଣୀଶ୍ରେଷ୍ଠ ଦ୍ରୌପଦୀ କୀଚକକୁ ବିନାଶ କରାଇ ହୃଷ୍ଟଚିତ୍ତରେ ନୃତ୍ୟମନ୍ଦିରର ରକ୍ଷକମାନଙ୍କ ନିକଟକୁ ଯାଇ କହିଲେ, ଆମ୍ଭର ସ୍ୱାମୀ ନର୍ତ୍ତନଗୃହରେ କାମମୋହିତ କୀଚକକୁ ସଂହାର କରିଅଛନ୍ତି, ଯାଅ ଦେଖିବ ।୯୦।

 

ରକ୍ଷକମାନେ ସେହି କଥା ଶ୍ରବଣ କରି ସହସ୍ର ସହସ୍ର ଉଲ୍‌କାପାତ ହେଲାପ୍ରାୟ ଜାଣି ତତ୍‌କ୍ଷଣାତ ତାହାକୁ ଦେଖିବାକୁ ଗଲେ ।୯୧। ସେମାନେ ନର୍ତ୍ତନ ଗୃହରେ ପ୍ରବେଶ କରି ହସ୍ତପାଦବିହୀନ, ରକ୍ତଲିପ୍ତ କୀଚକର ମୃତପିଣ୍ଡକୁ ଦେଖି ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ଓ ଦୁଃଖିତ ହୋଇ ତର୍କବିତର୍କ ଉତ୍‌ଥାପନପୂର୍ବକ କଥୋପକଥନ କଲେ କି ମହାବୀର କୀଚକକୁ କୌଣସି ମନୁଷ୍ୟ କଦାପି ଏ ପ୍ରକାର ସଂହାର କରିନାହିଁ; ଦେଖ, ଏହାର ହସ୍ତ, ପାଦ, ଗ୍ରୀବା ଓ ମସ୍ତକ କେଉଁଠାରେ ଅଛି, କିଛି ଜଣାଯାଉ ନାହିଁ । ଅତଏବ ଏଥିରୁ ସ୍ପଷ୍ଟରୂପେ ଜଣାଯାଉଅଛି ଯେ ଏହାକୁ ନିଶ୍ଚୟ ଗନ୍ଧର୍ବପୁରୁଷ ସଂହାର କରିଅଛନ୍ତି ।୯୪।

 

ଅଧ୍ୟାୟ – ୨୩

 

ବୈଶମ୍ପାୟନ କହିଲେ– ସେହି ସମୟରେ କୀଚକର ବାନ୍ଧବମାନେ ସେଠାରେ ପ୍ରବେଶପୂର୍ବକ ମୃତପିଣ୍ଡର ଚତୁର୍ଦ୍ଦିଗରେ ପରିଧି ଆକାରରେ ଦଣ୍ଡାୟମାନ ହୋଇ କ୍ରନ୍ଦନ କଲେ ।୧। ଜଳରୁ ସ୍ଥଳକୁ ଆସିଥିବା କୂର୍ମପ୍ରାୟ ପିଣ୍ଡୀକୃତ କୀଚକର ମୃତଦେହକୁ ଦେଖି ସମସ୍ତେ ତ୍ରସ୍ତ ହେଲେ ଓ ସେମାନଙ୍କର ସର୍ବାଙ୍ଗ ରୋମାଞ୍ଚିତ ହୋଇଥିଲା ।୨। ଇନ୍ଦ୍ରଙ୍କ ହସ୍ତରେ ମୃତ ବୃତ୍ରାସୁର ପ୍ରାୟ ଭୀମସେନଙ୍କ ହସ୍ତରେ ବିନାଶପ୍ରାପ୍ତ କୀଚକର ଶବକୁ ବିଧିପୂର୍ବକ ସଂସ୍କାର କରିବା ଆଶୟରେ ସୂତପୁତ୍ରମାନେ ତାହାକୁ ବାହାରକୁ ଆଣୁଥିବା ସମୟରେ ନିକଟସ୍ଥିତ ଏକ ସ୍ତମ୍ଭକୁ ଆଶ୍ରୟ କରି ଦଣ୍ଡାୟମାନ ହୋଇଥିବା ସର୍ବାଙ୍ଗସୁନ୍ଦରୀ ଦ୍ରୌପଦୀଙ୍କୁ ଦେଖିଲେ ।୪। କୀଚକର କୁଟୁମ୍ବମାନେ ତାହାଙ୍କୁ ଦେଖିବାମାତ୍ରେ କହିଲେ, ଏହି ଅସତୀ ନିମିତ୍ତ କୀଚକଙ୍କର ମୃତ୍ୟୁ ହେଲା । ଅତଏବ ଏହାକୁ ଶୀଘ୍ର ନାଶ କରିବା ଅଥବା ଏହିଠାରେ ବଧ ନ କଲେ କାମାସକ୍ତ କୀଚକଙ୍କ ସଙ୍ଗେ ଦଗ୍ଧ କରିବା; କାରଣ ଏହାର ମୃତ୍ୟୁ ହେଲେ ମୃତ କୀଚକଙ୍କର ଗୋଟିଏ ପ୍ରଧାନ ପ୍ରିୟ କାର୍ଯ୍ୟ ସାଧିତ ହେବ ।୬। ସେମାନେ ଏହା ସ୍ଥିର କରି ବିରାଟ ରାଜାଙ୍କର ନିକଟରେ ଉପସ୍ଥିତ ହୋଇ କହିଲେ, ମହାରାଜ ! ସୈରନ୍ଧ୍ରୀ ନିମିତ୍ତ କୀଚକଙ୍କର ମୃତ୍ୟୁ ହୋଇଅଛି । ଅତଏବ ତାହାକୁ ଶବ ସହିତ ଦଗ୍ଧ କରିବାକୁ ଆଜ୍ଞା ପ୍ରଦାନ କରିବା ହେଉନ୍ତୁ ।୭।

 

ବିରାଟ ରାଜା ସୂତପୂତ୍ରମାନଙ୍କର ପରାକ୍ରମକୁ ଜାଣିଥିବାରୁ କୀଚକଙ୍କର ମୃତଦେହ ସହିତ ସୈରନ୍ଧ୍ରୀଙ୍କର ଦାହ ବିଷୟରେ ଅନୁମତି ଦେଲେ ।୮। କୀଚକଙ୍କର ଭ୍ରାତୃବର୍ଗମାନେ ରାଜାଙ୍କର ଆଜ୍ଞାପ୍ରାପ୍ତ ହୋଇ କୃଶୋଦରୀ, କମଳନୟନା, ଭୟବିହ୍ୱଳା ଦ୍ରୌପଦୀଙ୍କୁ ଦୃଢ଼ରୂପେ ବାନ୍ଧି ଶବ ଉପରେ ସ୍ଥାପନ କରି ଶ୍ମଶାନ ଅଭିମୁଖରେ ଗମନ କଲେ ।୧୦। ହେ ରାଜନ୍‌ ! ସୂତପୁତ୍ରମାନେ ଅନିନ୍ଦିତା ଦ୍ରୌପଦୀଙ୍କୁ ନେଇ ଯାଉଥିବା ସମୟରେ ସେ ଅନାଥ ରମଣୀ ପ୍ରାୟ ପ୍ରାଣଭୟରେ ଆକୁଳ ହୋଇ କ୍ରନ୍ଦନ କରି କହୁଥିଲେ- ସୂତପୁତ୍ରମାନେ ମତେ ଶ୍ମଶାନକୁ ନେଇଯାଉଅଛନ୍ତି ବୋଲି ଜୟ, ଜୟନ୍ତ, ବିଜୟ, ଜୟସେନ, ଜୟଦ୍‌ବଳ ଏହିମାନେ ଜାଣନ୍ତୁ । ଯେଉଁ ଯଶସ୍ୱୀ ଗନ୍ଧର୍ବ ପୁରୁଷମାନଙ୍କର ଯୁଦ୍ଧ ସମୟରେ ବଜ୍ରଧ୍ୱନିସଦୃଶ ଭୟଙ୍କର ଗୁଣ ଟଙ୍କାର ଶବ୍ଦ ଓ ରଥଚକ୍ରର ଘର୍ଘର ଘୋଷ ଶୁଣା ଯାଉଥାଏ, ସେହି ବୀରମାନେ ଶୁଣନ୍ତୁ ଯେ ସମ୍ପ୍ରତି ମତେ ସୂତପୁତ୍ରମାନେ ଶ୍ମଶାନକୁ ନେଉଅଛନ୍ତି ।

 

ବୈଶମ୍ପାୟନ କହିଲେ, ଭୀମସେନ ଦ୍ରୌପଦୀଙ୍କର ସକରୁଣ ବାକ୍ୟ ଶୁଣି କିଛି ବିଚାର ନ କରି ଶଯ୍ୟାରୁ ଉଠି କହିଲେ, ହେ ଭୀରୁ ! ହେ ସେରନ୍ଧ୍ରୀ ! ମୁଁ ତୁମ୍ଭର କହିବା କଥା ଶୁଣି ସାରିଲିଣି, ଅତଏବ ତୁମ୍ଭେ ସୂତପୁତ୍ରମାନଙ୍କୁ କିଛି ଭୟ କରନା ।୧୬। ବୈଶମ୍ପାୟନ କହିଲେ, ମହାବାହୁ ଭୀମ ଏହି କଥା କହି କୀଚକର କୁଟୁମ୍ବମାନଙ୍କୁ ବଧ କରିବା ଇଚ୍ଛାରେ ଗନ୍ଧର୍ବବେଶ ଧାରଣପୂର୍ବକ ଗମନାଗମନର ଦ୍ୱାର ବ୍ୟତୀତ ଦ୍ୱାର ଶୂନ୍ୟ ସ୍ଥାନରେ ବାହାରକୁ ଯାଇ ଅତିଶୀଘ୍ର ଗୋଟାଏ ପ୍ରାଚୀରରେ ଆରୋହଣ କଲେ ୧୮ ଓ ଅନାୟାସରେ ତାହାକୁ ଲଂଘି କରି ରାଜ ମନ୍ଦିରର ବହିର୍ଭାଗରେ ପଡ଼ିଲେ । ସେଠାରୁ ଯେଉଁ ସ୍ଥାନରେ କୀଚକର କୁଟୁମ୍ବମାନେ ଥିଲେ, ଶ୍ମଶାନଆଡ଼କୁ ଧାବିତ ହେଲେ ତହିଁ ଉତ୍ତାରୁ ଅନ୍ୟ ଏକ ପ୍ରାଚୀର ଲଙ୍ଘନ କରି ନଗର ମଧ୍ୟରୁ ବାହରି ଶୀଘ୍ର ଶୀଘ୍ର ଗମନ କରି ସୂତପୁତମାନଙ୍କର ସମ୍ମୁଖରେ ଚିତାଅଗ୍ନି ନିକଟରେ ଥିବା ଊର୍ଦ୍ଧ୍ୱଶୁଷ୍କ, ଶାଖାପ୍ରଶାଖାପୂର୍ଣ୍ଣ, ଦଶବ୍ୟାମ ବିସ୍ତୃତ ଡାଳ ପରିମିତ ଗୋଟାଏ ଅତି ବୃହତ୍ ବୃକ୍ଷକୁ ମତ୍ତହସ୍ତୀ ସଦୃଶ ଉତ୍ପାଟନପୂର୍ବକ ସ୍କନ୍ଧରେ ଧାରଣ କଲେ ଓ ସେହି ଶାଖାପ୍ରଶାଖାଯୁକ୍ତ ମହାବୃକ୍ଷକୁ ଧରି ସାକ୍ଷାତ୍ ଦଣ୍ଡଧର ଯମଦେବଙ୍କ ତୁଲ୍ୟ କୀଚକର ବଂଶଧରମାନଙ୍କୁ ସଂହାର କରିବା ନିମିତ୍ତ ଅତିଶୀଘ୍ର ଗମନ କଲେ ।୨୨। ସେହି ସମୟରେ ଭୀମସେନଙ୍କ ଅତିଶୀଘ୍ର ଗମନ ପ୍ରଭାବରେ ବଟ, ଅଶ୍ୱତ୍‌ଥ ଓ ପଲାଶ ପ୍ରଭୃତି ବୃକ୍ଷସମୂହ କମ୍ପିତ ହୋଇ ଭୂତଳରେ ନିପତିତ ହେଲେ ।୨୩।

 

କୀଚକର କୁଟୁମ୍ବମାନେ ସିଂହତୁଲ୍ୟ ଆସୁଥିବା କ୍ରୋଧଯୁକ୍ତ ଗନ୍ଧର୍ବଙ୍କୁ ଦେଖି ଭୟ ବିଷାଦରେ ମଗ୍ନ ହୋଇ କଥୋପକଥନ କଲେ କି ଦେଖ, ମହାବଳ ଗନ୍ଧର୍ବ ଗୋଟାଏ ପାଦପକୁ ଉତ୍ପାଟନ କରି ଭୟଙ୍କର ଯମଦେବଙ୍କ ପ୍ରାୟ ଆସୁଅଛି । ଅତଏବ ଯେଉଁ ସୈରନ୍ଧ୍ରୀ ନିମିତ୍ତ ଆମ୍ଭମାନଙ୍କୁ ଏତାଦୃଶ ଭୟ ଉପସ୍ଥିତ ହେଲା, ତାହାକୁ ଶୀଘ୍ର ଛାଡ଼ିଦିଅ ।୨୫। ସେମାନେ ଏହିପ୍ରକାର କଥୋପକଥନ କରୁ କରୁ ଭୀମସେନ ନିକଟବର୍ତ୍ତୀ ହୋଇ ସେହିମାନଙ୍କ ଉପରକୁ ବୃକ୍ଷ ନିକ୍ଷେପଣ କଲେ, କିନ୍ତୁ ସେମାନେ ପଳାଇ ଯାଉଥିଲେ ସୁଦ୍ଧା ବଳିଷ୍ଠଶ୍ରେଷ୍ଠ ଦୁର୍ଦ୍ଧର୍ଷ, ପବନନନ୍ଦନ ଭୀମ ପଶ୍ଚାତ୍ ଧାବିତ ହୋଇ ଇନ୍ଦ୍ରଦେବ ଅସୁରମାନଙ୍କୁ ନାଶକଲା ପ୍ରାୟ ପଞ୍ଚଅଧିକ ଏକଶତ ସୂତମାନଙ୍କୁ ସେହି ବୃକ୍ଷଦ୍ୱାରା ସଂହାର କଲେ । ଏଥିଉତ୍ତାରୁ ମହାବାହୁ ଭୀମ ପାଞ୍ଚାଳୀଙ୍କ ମୁଖରୁ ଲୋତକଜଳ ପୋଛି ଓ ବନ୍ଧନ ଫିଟାଇ ଆଶ୍ୱାସନା ଦେଇ କହିଲେ, ହେ ଭୀରୁ ! ଯେଉଁମାନେ ବିନାଅପରାଧରେ ତୁମ୍ଭଙ୍କୁ କ୍ଳେଶ ଦେବେ, ସେହିମାନେ ଏହିମାନଙ୍କ ପ୍ରାୟ ବିନାଶ ପ୍ରାପ୍ତ ହେବେ । ଅତଏବ ତୁମ୍ଭେ କିଛି ଭୟ କର ନା । ରାଜାଙ୍କ ନଗରକୁ ଯାଅ, ମୁଁ ଅନ୍ୟ ବାଟରେ ବିରାଟଙ୍କର ପାକଶାଳାକୁ ଯିବି ।୩୧।

 

ବୈଶମ୍ପାୟନ କହିଲେ, ହେ ଭାରତ ! ବୃକୋଦର ପଞ୍ଚଅଧିକ ଶତ ପରିମିତ ଯେଉଁ ସୂତପୁତ୍ରମାନଙ୍କୁ ସଂହାର କରିଥିଲେ, ସେମାନେ ଶ୍ମଶାନ ଭୂମିରେ ମହା ଅରଣ୍ୟରେ ଛେଦିତ ବୃକ୍ଷସମୂହ ପ୍ରାୟ ପଡ଼ିଥିଲେ ।୩୨। ହେ ରାଜନ୍‌ ! ପ୍ରଥମରେ ସେନାପତି କୀଚକ, ଦ୍ୱିତୀୟରେ ତାହାଙ୍କ ସୋଦର ଏକଶତ ପାଞ୍ଚଜଣ, ଏରୂପେ ଏକଶତ ଛଅଜଣ ସୂତପୁତ୍ର ହତ ହେବାରୁ ମତ୍ସ୍ୟପୁରବାସୀ ସମସ୍ତ ସ୍ତ୍ରୀ ଓ ପୁରୁଷମାନେ ତାହା ଦେଖି ଅତିଶୟ ଆଶ୍ଚର୍ଯ୍ୟ ଜ୍ଞାନ କରି ସ୍ତମ୍ଭୀଭୂତ ହେଲେ ।୩୪।

 

ଅଧ୍ୟାୟ – ୨୪

 

ବୈଶମ୍ପାୟନ କହିଲେ– ଏଥି ଉତ୍ତାରୁ ନଗରବାସୀ ଲୋକମାନେ ରାଜାଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ, ହେ ମହାରାଜ ! ଗନ୍ଧର୍ବ-ପୁରୁଷ ମହାବଳ ସୂତପୁତ୍ରମାନଙ୍କୁ ସଂହାର କରିଥିବାରୁ ସେହିମାନଙ୍କର ମୃତ ଶରୀରସବୁ ବଜ୍ରପାତରେ ବିଦୀର୍ଣ୍ଣ ହୋଇଥିବା ପର୍ବତରେ ଶୃଙ୍ଗ ପ୍ରାୟ ଭୂତଳରେ ପଡ଼ିଅଛି ଓ ସୈରନ୍ଧ୍ରୀ ବନ୍ଧନରୁ ମୁକ୍ତ ହୋଇ ଆପଣଙ୍କ ଅନ୍ତଃପୁରକୁ ଆସିଅଛନ୍ତି । ଅତଏବ ଆପଣଙ୍କ ନଗରର ସମସ୍ତ ଲୋକେ ବିନାଶ ପ୍ରାପ୍ତ ହେବାର ସମ୍ଭବ, କାରଣ ସୈରନ୍ଧ୍ରୀ ଯେପରି ସୁନ୍ଦରୀ ସ୍ତ୍ରୀ, ଗନ୍ଧର୍ବମାନେ ମଧ୍ୟ ତଦନୁସାରେ ବଳବନ୍ତ ଅଟନ୍ତି । ପୁରୁଷମାନଙ୍କର ମୈଥୁନ କାର୍ଯ୍ୟ ପ୍ରଧାନ ଅଭୀଷ୍ଟ ବିଷୟ ଅଟେ, ଏହି ବିଷୟରେ କୌଣସି ସନ୍ଦେହ ନାହିଁ ।୪। ଅତଏବ ହେ ରାଜନ୍‌ ! ସୈରନ୍ଧ୍ରୀଙ୍କ ଦୋଷରେ ଆପଣଙ୍କ ନଗର ଯେପରି ଧ୍ୱଂସପ୍ରାପ୍ତ ନ ହେବ, ଶୀଘ୍ର ତାହାର ପ୍ରତିବିଧାନ କରିବା ହେଉନ୍ତୁ ।୫।

 

ବାହିନୀପତି ବିରାଟ ରାଜା ସେହି ସମସ୍ତ ଲୋକଙ୍କର ବଚନ ଶ୍ରବଣ କରି କହିଲେ, ତୁମ୍ଭେମାନେ ସୂତପୁତ୍ରମାନଙ୍କର ମୃତପିଣ୍ଡସବୁ ଏକ ସ୍ଥାନରେ ଅଗ୍ନିଜାଳି ଦାହକର ଓ ସେହି ଅଗ୍ନିରେ ସର୍ବପ୍ରକାର ରଜ ଓ ଗନ୍ଧ ଦ୍ରବ୍ୟ ନିକ୍ଷେପ କର ।୭। ଏଥି ଉତ୍ତାରୁ ସେମାନେ ମହିଷୀଙ୍କୁ କହିଲେ, ହେ ସୁଦେଷ୍ଣେ ! ସୈରନ୍ଧ୍ରୀ ଅନ୍ତଃପୁରକୁ ଆସିଲେ ଆପଣ ତାହାଙ୍କୁ କହିବେ, ହେ ବରାନନେ ! ତୁମ୍ଭର ମଙ୍ଗଳ ହେଉ; ତୁମ୍ଭର ଯେଉଁଠାକୁ ଇଚ୍ଛା ହୁଏ, ସେଠାକୁ ଯାଅ; କାରଣ ରାଜା ଗନ୍ଧର୍ବମାନଙ୍କର ପରାଭବକୁ ସହ୍ୟ କରି ପାରିବେ ନାହିଁ । ସେ ବିଶେଷ ଭୟ କରୁଅଛନ୍ତି ।୯। ତୁମ୍ଭେ ଗନ୍ଧର୍ବମାନଙ୍କର ଭାର୍ଯ୍ୟା ବୋଲି ରାଜା ସ୍ୱୟଂ ଏହି କଥା ତୁମ୍ଭଙ୍କୁ କହିବାକୁ ଇଚ୍ଛା କଲେ ନାହିଁ, ଏହି ହେତୁରୁ ମୁଁ କହୁଅଛି ।୧୦।

 

ବୈଶମ୍ପାୟନ କହିଲେ, ସରଳହୃଦୟା ଦ୍ରୌପଦୀ ଭୀମସେନଙ୍କ ପ୍ରତାପରେ ସୂତପୁତ୍ରମାନଙ୍କଠାରୁ ନିର୍ଭୟ ହୋଇ ଜଳରେ ସର୍ବାଙ୍ଗ ଓ ବସ୍ତ୍ରଦ୍ୱୟ ଧୌତ କରି ନଗରଆଡ଼କୁ ଗମନ କଲେ ।୧୨। ହେ ରାଜନ୍‌ ! ନଗରବାସୀ ପୁରୁଷମାନେ ତାହାଙ୍କୁ ଦେଖିବା ମାତ୍ରେ ଗନ୍ଧର୍ବଙ୍କ ଭୟରେ ଚାରିଦିଗକୁ ପଳାଇଗଲେ, କେହି କେହି ଚକ୍ଷୁକୁ ମୁଦ୍ରିତ କରି ରହିଲେ ।୧୩। ହେ ରାଜନ୍‌-! ପାଞ୍ଚାଳୀ ଧୀରେ ଧୀରେ ଗମନ କରି ପାକଶାଳାର ଦ୍ୱାରରେ ମତ୍ତହସ୍ତୀ ସଦୃଶ ଭୀମଙ୍କୁ ଦେଖି ଠାରି କରି କହିଲେ, ଯେଉଁ ଗନ୍ଧର୍ବରାଜ ମତେ ଭୟରୁ ରକ୍ଷା କରିଅଛନ୍ତି, ତାହାଙ୍କୁ ନମସ୍କାର କରୁଅଛି ।୧୫। ଭୀମସେନ କହିଲେ, ପୂର୍ବେ ଏହି ବିରାଟ ନଗରରେ ଯେଉଁ ପୁରୁଷମାନେ ତୁମ୍ଭର ଅଧୀନ ହୋଇ କର୍ମ କରୁଥିଲେ, ସେହିମାନେ ତୁମ୍ଭର ଏହି ବଚନକୁ ଶୁଣି ସୁଖସ୍ୱଚ୍ଛନ୍ଦତା ଲାଭ କରି ରହନ୍ତୁ ।୧୬।

 

ବୈଶମ୍ପାୟନ କହିଲେ, ଏଥି ଉତ୍ତାରୁ ଦ୍ରୌପଦୀ ନୃତ୍ୟମନ୍ଦିରରେ ରାଜକନ୍ୟାମାନଙ୍କୁ ନୃତ୍ୟଶିକ୍ଷା ଦେଉଥିବା ସମୟରେ ମହାବାହୁ ଧନଞ୍ଜୟଙ୍କୁ ଦେଖିଲେ ।୧୭। ରାଜକନ୍ୟାମାନେ ବିନା ଅପରାଧରେ କ୍ଳେଶ ପାଇଥିବା କୃଷ୍ଣାଙ୍କୁ ଦେଖି ଅର୍ଜ୍ଜୁନଙ୍କ ସହିତ ନୃତ୍ୟମନ୍ଦିରରୁ ବାହାରକୁ ଆସି ତାହାଙ୍କୁ ସାକ୍ଷାତ୍‍ କଲେ ।୧୮। କନ୍ୟାମାନେ କହିଲେ, ହେ ସୈରନ୍ଧ୍ରୀ ! ତୁମ୍ଭେ ଭାଗ୍ୟବଳରେ ଶତ୍ରୁମାନଙ୍କ ହସ୍ତରୁ ପ୍ରାଣରକ୍ଷା କରି ଫେରି ଆସିଲ ଓ ଯେଉଁମାନେ ବିନା ଅପରାଧରେ ତୁମ୍ଭଙ୍କୁ କ୍ଳେଶ ଦେବାକୁ ଉଦ୍ୟମ କରୁଥିଲେ, ସେମାନେ ମଧ୍ୟ ତୁମର ଭାଗ୍ୟବଳରେ ମରଣକୁ ପ୍ରାପ୍ତ ହେଲେ-।୧୯। ବୃହନ୍ନଳା କହିଲେ, ହେ ସୈରନ୍ଧ୍ରୀ ! ତୁମ୍ଭେ କି ପ୍ରକାର ଦୁରାତ୍ମା ସୂତପୁତ୍ରମାନଙ୍କ ହସ୍ତରୁ ପ୍ରାଣ ଘେନି ଆସିଲ ଓ କି ପ୍ରକାର ସେହିମାନେ ମୃତ୍ୟୁ ପ୍ରାପ୍ତ ହେଲେ, ତାହା ସବୁ ଆମ୍ଭେ ତୁମ୍ଭ ମୁଖରୁ ଶୁଣିବାକୁ ଇଚ୍ଛା କରୁଅଛୁ ।୨୦।

 

ସୈରନ୍ଧ୍ରୀ କହିଲେ, ହେ ବୃହନ୍ନଳେ ! ସୈରନ୍ଧ୍ରୀର ଦୁଃଖ ବୃତ୍ତାନ୍ତ ଶୁଣିଲେ ତୁମ୍ଭର କି ପ୍ରୟୋଜନ ହେବ ? ତୁମ୍ଭେ ତ ସର୍ବଦା କନ୍ୟାମାନଙ୍କ ଅନ୍ତଃପୁରରେ ସୁଖରେ ଥାଅ । ଦୁଃଖ କି ପ୍ରକାର ପଦାର୍ଥ ତାହା ଜାଣ ନାହିଁ । ତେବେ ସୈରନ୍ଧ୍ରୀ ଯେଉଁ ଦୁଃଖକୁ ସହ୍ୟ କରିଅଛି, ତାହାକୁ ତୁମ୍ଭେ କି ପ୍ରକାରରେ ଅନୁଭବ କରିପାରିବ ? ହେ କଲ୍ୟାଣୀ ! ମୁଁ ଦୁଃଖିତ ଅଛି ବୋଲି ତୁମ୍ଭେ ମତେ ପରିହାସ କଲାପ୍ରାୟ ଜଣାଯାଉଅଛି ।୨୨। ବୃହନ୍ନଳା କହିଲେ, ହେ କଲ୍ୟାଣୀ ! ବାଳେ ! ବୃହନ୍ନଳା ଯେଉଁ ଅସହ୍ୟ ଦୁଃଖ ସହ୍ୟ କରିଅଛି, ତାହା ତୁମ୍ଭେ ଜାଣିନାହଁ ।୨୩। ହେ ସୁଶ୍ରୋଣି ! ତୁମ୍ଭ ସହିତ ମୁଁ ଏକ ସ୍ଥାନରେ ବାସ କରିଅଛି; ତୁମ୍ଭେ ମଧ୍ୟ ଆମ୍ଭମାନଙ୍କ ସଙ୍ଗରେ ଏକ ସ୍ଥାନରେ ଅଛ-। ଅତଏବ ତୁମ୍ଭର ଦୁଃଖ ଦେଖିଲେ, ଆମ୍ଭମାନଙ୍କ ମଧ୍ୟରେ କାହାର ହୃଦୟରେ ଦୁଃଖ ଜାତ ନ ହେବ କି ? ହେ ଭଦ୍ରେ ! କାହାର ମନକଥାକୁ ସମ୍ପୂର୍ଣ୍ଣରୂପେ କେହି କଦାପି ଜାଣିପାରନ୍ତି ନାହିଁ-। ସେହି ହେତୁରୁ ତୁମ୍ଭେ ମୋର ହୃଦୟର ବିଚାରକୁ ବୁଝିପାରିଲ ନାହିଁ ।୨୫।

 

ବୈଶମ୍ପାୟନ କହିଲେ, ଏଥି ଉତ୍ତାରୁ ଦ୍ରୌପଦୀ ରାଜକନ୍ୟାମାନଙ୍କ ସଙ୍ଗରେ ଅନ୍ତଃପୁରକୁ ଯାଇ ସୁଦେଷ୍ଣାଙ୍କ ନିକଟରେ ପ୍ରବେଶ କଲେ ।୨୬। ରାଜ ମହିଷୀ ବିରାଟଙ୍କ ବଚନ ଅନୁସାରେ ଦ୍ରୌପଦୀଙ୍କୁ କହିଲେ, ହେ ସୈରନ୍ଧ୍ରୀ ! ରାଜା ଗନ୍ଧର୍ବମାନଙ୍କର କ୍ଷମତା ଦେଖି ଭୟ କରୁଅଛନ୍ତି । ଅତଏବ ତୁମ୍ଭର ମଙ୍ଗଳ ହେଉ; ତୁମ୍ଭର ଯେଉଁ ସ୍ଥାନକୁ ଯିବାର ଇଚ୍ଛା ହୁଏ, ସେ ସ୍ଥାନକୁ ଶୀଘ୍ର ଯାଅ । ହେ ସୁଭ୍ରୁ ! ତୁମ୍ଭେ ନବଯୌବନା ଓ ଅତ୍ୟନ୍ତ ସୁନ୍ଦରୀ । ପୁରୁଷମାନେ ଅତିଶୟ କ୍ରୋଧୀ, ଅତଏବ ତୁମ୍ଭେ ଏହି ସ୍ଥାନରେ ରହିଲେ ଆମ୍ଭମାନଙ୍କର ମଙ୍ଗଳ ହେବ ନାହିଁ ।୨୮। ସୈରନ୍ଧ୍ରୀ କହିଲେ, ହେ ଭାମିନି ! ଆହୁରି ତ୍ରୟୋଦଶ ଦିବସ ପର୍ଯ୍ୟନ୍ତ ରାଜା ମତେ କ୍ଷମା ଦିଅନ୍ତୁ; ତାହାହେଲେ ଗନ୍ଧର୍ବମାନେ ଚରିତାର୍ଥ ହେବେ ଓ ମତେ ଏହିଠାରୁ ନେବେ, ଏଥିରେ କିଛି ସଂଶୟ ନାହିଁ । ସେମାନେ କୃତକାର୍ଯ୍ୟ ହେଲାରୁ ଆପଣଙ୍କର ପ୍ରିୟକାର୍ଯ୍ୟ ସାଧନ କରିବେ ଓ ରାଜାଙ୍କର ଓ ତାହାଙ୍କ ବାନ୍ଧବମାନଙ୍କର ଯେପରି ମଙ୍ଗଳ ହେବ, ସେ ବିଷୟରେ ବିଶେଷ ଯତ୍ନଶୀଳ ହେବେ; କିଛିମାତ୍ର ସନ୍ଦେହ କରନ୍ତୁ ନାହିଁ ।୩୦।

 

ଅଧ୍ୟାୟ – ୨୫

 

ବୈଶମ୍ପାୟନ କହିଲେ– ଏ ମହାରାଜ ! ଜନ୍ମେଜୟ ! ଦୁରାତ୍ମା କୀଚକ ଓ ତାହାର ଭ୍ରାତୃମାନଙ୍କର ମୃତ୍ୟୁ ହେବାରୁ ନଗରର ସାଧାରଣ ଲୋକମାନେ ଏତାଦୃଶ ବିପତ୍ତିକି ଆଶ୍ଚର୍ଯ୍ୟ ଜ୍ଞାନ କରି ଅତିଶୟ ଦୁଃଖିତ ହେଲେ । ନଗରର ଓ ଅନ୍ୟାନ୍ୟ ଗ୍ରାମସମୂହର ବହୁତ ଲୋକେ ପରସ୍ପର କୁହାକହି ହେଲେ କି, ଦୁର୍ବୁଦ୍ଧି ପାପିଷ୍ଠ କୀଚକ ବୀରପଣର ପ୍ରଭାବରେ ପ୍ରଜାଙ୍କର ପ୍ରିୟପାତ୍ର ହୋଇ ଯେପରି ଅସଂଖ୍ୟ ପରସ୍ତ୍ରୀହରଣ ପ୍ରଭୃତି ନାନା ପ୍ରକାର ପାକକର୍ମ କରିଥିଲା, ତାହାର ଫଳରେ ମହାବଳିଷ୍ଠ ଗନ୍ଧର୍ବ ପୁରୁଷ ତାହାକୁ ସଂହାର କରି ଉଚିତ ଦଣ୍ଡ ଦେଲେ ।୪।

 

ରାଜା ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ଅନ୍ୱେଷଣ କରିବା ନିମିତ୍ତ ଯେଉଁ ଚାରମାନଙ୍କୁ ଆଦେଶ ଦେଇ ନାନାଦେଶ ଭ୍ରମଣ କରିବାକୁ ପଠାଇଥିଲେ, ସେହି ଗୁପ୍ତଚାରମାନେ ଅନେକ ରାଜ୍ୟ, ନଗର ଓ ଗ୍ରାମମାନଙ୍କରେ ଭ୍ରମି ଭ୍ରମି ଓ ଅନେକ ପ୍ରକାର ଅନୁସନ୍ଧାନ କରି ବିଫଳ ହେବାରୁ ହସ୍ତିନାନଗରକୁ ଫେରିଗଲେ ଓ ମହାମତି ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ, କର୍ଣ୍ଣ, ମହାରଥ ତ୍ରିଗର୍ତ୍ତରାଜ ସୁଶର୍ମା ଓ ଭ୍ରାତୃମାନଙ୍କ ସହିତ ରାଜା ଦୁର୍ଯ୍ୟୋଧନ ସଭାରେ ବସିଥିବା ସମୟରେ ତାହାଙ୍କୁ ନମସ୍କାର କରି କହିଲେ ।୮। ଚାରମାନେ ଏହି ପ୍ରକାର କହିଲେ, ହେ ମହାରାଜ ! ଆମ୍ଭେମାନେ ପାଣ୍ଡବମାନଙ୍କର ପାଦଚିହ୍ନକୁ ଚାହିଁ ଚାହିଁ ବିଶେଷ ଯତ୍ନ ସହିତ ନାନାପ୍ରକାର ବୃକ୍ଷଲତାବେଷ୍ଟିତ, ହରିଣ ପ୍ରଭୃତି ପଶୁମାନଙ୍କରେ ପୂର୍ଣ୍ଣ ଅରଣ୍ୟମାନଙ୍କରେ ଭ୍ରମଣପୂର୍ବକ ବହୁତ ପରିଶ୍ରମ ସହ୍ୟକରି ସେମାନଙ୍କୁ ଅନ୍ୱେଷଣ କଲୁ; କିନ୍ତୁ ସେମାନେ କେଉଁଆଡ଼କୁ ଗଲେ, ତାହା କିଛି ଜାଣିପାରିଲୁ ନାହିଁ ।୧୧।

 

ହେ ମହାରାଜ ! ଅରଣ୍ୟ, ମହାଅରଣ୍ୟ, ପର୍ବତର ଶିଖର ପ୍ରଦେଶ ଓ ଅସଂଖ୍ୟ ଲୋକରେ ପରିପୂର୍ଣ୍ଣ ନଗର, ଗ୍ରାମ ଓ ଦେଶ, ପ୍ରଦେଶମାନଙ୍କରେ ସୁଦ୍ଧା ଭ୍ରମି ଭ୍ରମି ଅନ୍ୱେଷଣ କଲୁ, କିନ୍ତୁ ସେହିମାନେ କେଉଁ ସ୍ଥାନକୁ ଯାଇଅଛନ୍ତି ଓ କେଉଁଠାରେ ବାସ କରୁଅଛନ୍ତି, ତାହା କିଛିମାତ୍ର ଜାଣିପାରିଲୁ ନାହିଁ । ଏଥିରୁ ଅନୁମାନ ହେଉଛି ଯେ, ଆପଣଙ୍କ ସୌଭାଗ୍ୟବଳରୁ ସେମାନେ ନାଶପ୍ରାପ୍ତ ହୋଇଥିବେ । ହେ ନରଶ୍ରେଷ୍ଠ ! ମାର୍ଗମଧ୍ୟରେ ଆମ୍ଭେମାନେ ଯାଉଥିବା ସମୟରେ ପାଣ୍ଡବମାନଙ୍କୁ ବହୁତ ଅନ୍ୱେଷଣ କଲୁ, କିନ୍ତୁ ସେମାନେ କେଉଁଆଡ଼କୁ ଗଲେ ଓ କେଉଁଠାରେ ବାସକରି ରହିଅଛନ୍ତି, ତାହା କିଛି ଜାଣି ପାରିଲୁ ନାହିଁ । ମାର୍ଗ ମଧ୍ୟରେ କେତେକ ଜଣ ସୂତମାନଙ୍କ ପଶ୍ଚାତ୍ ପଶ୍ଚାତ୍ ନାନାସ୍ଥାନ ଭ୍ରମି ଭ୍ରମି ଗୁପ୍ତଭାବରେ ପାଣ୍ଡବମାନଙ୍କୁ ଅନ୍ୱେଷଣ କରି କରି ଦ୍ୱାରକାରେ ପହଞ୍ଚିଲୁ । ସେଠାରେ ମଧ୍ୟ ପତିବ୍ରତା ଦ୍ରୌପଦୀଙ୍କୁ କି ପାଣ୍ଡବମାନଙ୍କୁ ଦେଖିଲୁ ନାହିଁ ।୧୬। ଅତଏବ ହେ ଭରତଶ୍ରେଷ୍ଠ ! ଆପଣଙ୍କୁ ନମସ୍କାର ।

 

ମହାତ୍ମା ପାଣ୍ଡବମାନେ କେଉଁଆଡ଼କୁ ଗଲେ ଓ କେଉଁଠାର ରହିଅଛନ୍ତି ଓ କେଉଁଠାରେ କି କାର୍ଯ୍ୟ କରୁଅଚନ୍ତି, ତାହା କିଛି ଜାଣିନପାରିବାରୁ ଅନୁମାନ ହୁଏ ଯେ ସେମାନେ ମୃତ୍ୟୁ ପ୍ରାପ୍ତ ହୋଇଥିବେ । ହେ ମହାରାଜ ! ଏଥି ଉତ୍ତାରୁ ପାଣ୍ଡବମାନଙ୍କୁ ଅନ୍ୱେଷଣ କରିବାକୁ ପୁନଶ୍ଚ କି ଆଜ୍ଞା ହେଉଅଛି ? ତାହା ଜାଣି ପାରିଲେ ସେହି ଅନୁସାରେ କର୍ମ କରିବୁ । ହେ ବୀର ! ଆପଣଙ୍କର ଆଉ ଗୋଟିଏ ଶୁଭସୂଚକ ପ୍ରିୟ ସମ୍ବାଦ ଆମ୍ଭେମାନେ ଜଣାଇବୁ, ତାହା ଶ୍ରବଣ କରିବା ହେଉନ୍ତୁ ।୧୯। ହେ ମହାରାଜ ! ମତ୍ସ୍ୟରାଜାଙ୍କର ସେନାପତି ଯେଉଁ ବୀରଶ୍ରେଷ୍ଠ କୀଚକ ତ୍ରିଗର୍ତ୍ତ ରାଜାଙ୍କର ଅସଂଖ୍ୟ ସୈନ୍ୟମାନଙ୍କୁ ସଂହାର କରିଥିଲା, ତାହାକୁ ଅନ୍ଧକାର ରାତ୍ରିରେ ଗନ୍ଧର୍ବମାନେ ବିନାଶ କରିଅଛନ୍ତି । କୀଚକର ମୃତ୍ୟୁ ଉତ୍ତାରୁ ତାହାର ଭ୍ରାତୃମାନେ ମଧ୍ୟ ଗନ୍ଧର୍ବଙ୍କ ବଳପ୍ରତାପରେ ହତ ହୋଇଅଛନ୍ତି । ହେ କୌରବ୍ୟ ! ଶତ୍ରୁମାନଙ୍କର ପରାଜୟସୂଚକ ଏହି ପ୍ରିୟ ସମ୍ବାଦ ଶୁଣିଲା ଉତ୍ତାରୁ ଆନନ୍ଦିତ ହୋଇ ଯାହା କରିବାର ଉଚିତ ତାହା କରିବା ହେଉନ୍ତୁ ।

 

ଅଧ୍ୟାୟ – ୨୬

 

ବୈଶମ୍ପାୟନ କହିଲେ– ଦୁର୍ଯ୍ୟୋଧନ ରାଜା ଦୂତମାନଙ୍କ କଥା ଶୁଣି କିଛି ସମୟ ସ୍ଥକିତ ହୋଇ ରହିଲେ । ପଶ୍ଚାତ୍ ସଭାସଦ୍‌ମାନଙ୍କୁ କହିଲେ, ଆମ୍ଭେ ଯେଉଁ କାର୍ଯ୍ୟ କରିଥାଇଁ, ତାହା ଶେଷରେ କି ପ୍ରକାର ଦୁଃଖ ଦେବ, ସହଜରେ ଜଣାଯାଉନାହିଁ । ଅତଏବ ପାଣ୍ଡବମାନେ କେଉଁଆଡ଼କୁ ଗଲେ, ତୁମ୍ଭେମାନେ ଭଲରୂପେ ବିବେଚନା କର ।୨। ସେହି ମାନଙ୍କର ଅଜ୍ଞାତବାସର ସମୟ ତ୍ରୟୋଦଶ ବର୍ଷ ମାନଙ୍କର ଅଜ୍ଞାତବାସର ସମୟ ତ୍ରୟୋଦଶ ବର୍ଷ ମଧ୍ୟରୁ ବହୁତ ସମୟ ଗତ ହେଲାଣି, ଅଳ୍ପ ମାତ୍ର ଅବଶିଷ୍ଟ ଅଛି ।୩। ଏହି ବର୍ଷର ଶେଷ ହେଲେ ଯଦି ପାଣ୍ଡବମାନେ ଏଠାକୁ ଆସିବେ, ତେବେ କ୍ରୋଧଯୁକ୍ତ ମତ୍ତହସ୍ତୀ ପ୍ରାୟ ଓ ଅତି ଭୟଙ୍କର ବିଷାକ୍ତ ସର୍ପପ୍ରାୟ ହୋଇ ନିଶ୍ଚୟ କୌରବମାନଙ୍କ ସଙ୍ଗରେ ଯୁଦ୍ଧ କରି ମହା ଅନିଷ୍ଟ ଘଟାଇବେ ।୫। ଅତଏବ କ୍ଳେଶ ସହ୍ୟକହାରୀ, ସମୟଜ୍ଞାତା, କ୍ରୋଧଜୟୀ ପାଣ୍ଡବମାନେ ଯେଉଁ ଉପାୟରେ ପୁନଶ୍ଚ ଅରଣ୍ୟରେ ପ୍ରବେଶ କରିବେ, ସେହି ସମୟରେ ତାହାର ଉପାୟ କରିବାର ଉଚିତ । ସେମାନେ ବାରମ୍ବାର ଅରଣ୍ୟବାସୀ ହେଉଥିଲେ ଆମ୍ଭର ରାଜ୍ୟ ଉପଦ୍ରବଶୂନ୍ୟ, ନିଷ୍କଣ୍ଟକ ଓ ଚିରସ୍ଥାୟୀ ହେବ-।୬।

 

ଦୁର୍ଯ୍ୟୋଧନଙ୍କର ଏହି କଥା ଶୁଣି କର୍ଣ୍ଣ କହିଲେ, ହେ ଭାରତ ! ସୁଚତୁର, ହିତକାରକ, ସମର୍ଥ ଓ ଧୂର୍ତ୍ତ ଅନ୍ୟ ଦୂତମାନେ ଅପରିମିତ ରାଜ୍ୟ ଓ ପ୍ରଦେଶରେ ପରିପୂର୍ଣ୍ଣ ମହାଦେଶମାନଙ୍କୁ ଯାଇ ସେହି ସେହି ସ୍ଥାନମାନଙ୍କର ସଭା, ଋଷିମାନଙ୍କର ମଠ, ରାଜାମାନଙ୍କ ନଗର, କୁଟୁମ୍ବୀମାନଙ୍କ ଗୃହ, ତୀର୍ଥ ଓ ସମସ୍ତ ପ୍ରକାର ଜନପୂର୍ଣ୍ଣ ସ୍ଥାନମାନଙ୍କରେ ଭ୍ରମଣ କରନ୍ତୁ । ଅଥଚ ଦୂତମାନଙ୍କ ବ୍ୟତୀତ ସୁଚତୁର, ଅସୁନ୍ଧାନ ବିଷୟକୁ ଉତ୍ତମରୂପେ ଜାଣିଥିବା ନାନାପ୍ରକାର ସୁବିଜ୍ଞ ଲୋକମାନେ ମଧ୍ୟ ଗୁପ୍ତ ବେଶରେ ନଦୀର ତଟରେ ଥିବା ଲତାବେଷ୍ଟେିତ ଗୃହ, ତୀର୍ଥ, ଗ୍ରାମ, ନଗର, ମଠ, ସୁନ୍ଦର ପର୍ବତ ଓ ଗୁମ୍ଫାମାନଙ୍କରେ ଭ୍ରମଣ କରି ଚତୁରତା ସହିତ ପାଣ୍ଡବମାନଙ୍କୁ ଅନୁସନ୍ଧାନ କରନ୍ତୁ ।୧୨।

 

ଏଥି ଉତ୍ତାରୁ ଦୁର୍ଯ୍ୟୋଧନଙ୍କର ଅନୁଜ, ପାପବୁଦ୍ଧି, ଦୁରାତ୍ମା ଦୁଃଶାସନ ଜ୍ୟେଷ୍ଠ ଭ୍ରାତାଙ୍କୁ କହିଲେ, ହେ ନରେଶ୍ୱର ! କର୍ଣ୍ଣ ଯେ ପ୍ରକାର କହିଲେ, ସେହି ପ୍ରକାର କରିବାର ଉଚିତ ବୋଧ ହେଉଅଛି । ଆମ୍ଭମାନଙ୍କର ବିଶ୍ୱସ୍ତ ଦୂତମାନେ ନିଜ ନିଜର ବେତନ ଓ ପାଥେୟ ନେଇ ପାଣ୍ଡବମାନଙ୍କୁ ଅନୁସନ୍ଧାନ କରନ୍ତୁ ଓ କର୍ଣ୍ଣ ଯେଉଁ ଯେଉଁ ସ୍ଥାନମାନଙ୍କର ନାମ କହିଲେ, ସେହି ସେହି ସ୍ଥାନମାନଙ୍କରେ ଅନ୍ୱେଷଣ କରୁଥାଆନ୍ତୁ । ପୁନଶ୍ଚ ସେମାନଙ୍କ ବ୍ୟତୀତ ଅଉ କେତେକ ଦୂତ ଦେଶମାନଙ୍କରେ ସର୍ବଦା ଭ୍ରମଣ କରି ଅନୁସନ୍ଧାନ କରନ୍ତୁ । ଏତେ ପ୍ରକାର ଯତ୍ନ କଲାରୁ ଯଦି ପାଣ୍ଡବମାନେ କେଉଁଠାରେ ଅଛନ୍ତି ଓ କି କାର୍ଯ୍ୟ କରୁଥିବାର ଜଣା ନ ହେବ, ତେବେ ଅନୁମାନ କରାଯିବ ଯେ ସେହି ଅଭିମାନୀ ପାଣ୍ଡବମାନେ ଅତି ଗୁପ୍ତ ସ୍ଥାନରେ ଥିବେ, କି ସମୁଦ୍ରର ଅପର ପାଶ୍ୱର୍କୁ ଯାଇଥିବେ; ଅଥବା ସେହିମାନଙ୍କୁ ଅତି ଭୟଙ୍କର ସର୍ପମାନେ ମହାଅରଣ୍ୟ ମଧ୍ୟରେ ଗ୍ରାସ କରିଥିବେ କିମ୍ବା ସଂକଟ ପଡ଼ିବାରୁ ତାହା ସହ୍ୟ କରି ନ ପାରି ପ୍ରାଣ ବିସର୍ଜନ କରିଥିବେ । ଅତଏବ ହେ କୁରୁରାଜ ! ଆପଣ ମନକୁ ସ୍ଥିର ଭାବରେ ରଖି ଅତିଶୟ ଉତ୍ସାହ ସହିତ ଯେଉଁ କାର୍ଯ୍ୟ କରିବାକୁ ଉଚିତ ବୋଲି ଜାଣୁଅଛନ୍ତି, ତାହା କରିବା ହେଉନ୍ତୁ ।୧୮।

 

ଅଧ୍ୟାୟ – ୨୭

 

ବୈଶମ୍ପାୟନ କହିଲେ– ଏଥି ଉତ୍ତାରୁ ଯଥାର୍ଥ ମର୍ମଗ୍ରାହୀ, ମହାପରାକ୍ରମଶାଳୀ ଦ୍ରୋଣାଚାର୍ଯ୍ୟ ଦୁର୍ଯ୍ୟୋଧନଙ୍କୁ କହିଲେ, ହେ ରାଜନ୍‌ ! ସମସ୍ତ ପାଣ୍ଡବମାନେ ବୀର୍ଯ୍ୟଶାଳୀ, ବୁଦ୍ଧିମାନ, କୃତବିଦ୍ୟ, ଇନ୍ଦ୍ରିୟଜୟୀ, ଧାର୍ମିକ ଓ କୃତଜ୍ଞ ଅଟନ୍ତି । ଅତଏବ ସେମାନେ କଦାପି କାହାଠାରୁ ପରାଭବ କିମ୍ବା ମୃତ୍ୟୁପ୍ରାପ୍ତ ହୋଇନଥିବେ । ଭୀମ ପ୍ରଭୃତି ଚାରିଜଣ ପାଣ୍ଡବ ଯୁଧିଷ୍ଠିରଙ୍କ ସଦୃଶ ସତ୍ୟପରାୟଣ, ଧର୍ମନିଷ୍ଠ ନୀତିଶାସ୍ତ୍ରବିଶାରଦ ଓ କୃତଜ୍ଞ ଅଟନ୍ତି । ସେମାନେ ଯୁଧିଷ୍ଠିରଙ୍କଠାରେ ପିତୃବତ୍ ଭକ୍ତି କରନ୍ତି ଓ ଯୁଧିଷ୍ଠିର ମଧ୍ୟ ସେହି ଭ୍ରାତୃମାନଙ୍କଠାରେ ଅତିଶୟ ସ୍ନେହଯୁକ୍ତ ଅଟନ୍ତି । ଏଥିରୁ ସ୍ପଷ୍ଟରୂପେ ଜଣାଯାଉଅଛି ଯେ ଅଜାତଶତ୍ରୁ, ଧର୍ମପରାୟଣ ଓ ସମସ୍ତ ଭ୍ରାତୃମାନଙ୍କର ଅନୁଗତ ଯୁଧିଷ୍ଠିର ତାଦୃଶ ବିନୟୀ ମହାତ୍ମା ଭ୍ରାତାମାନଙ୍କ ହିତାନୁଷ୍ଠାନ କରିବା ବିଷୟରେ ସର୍ବଦା ଅନୁରକ୍ତ ଥିବେ । ଅତଏବ ମୁଁ ନିଜ ବୁଦ୍ଧିରେ ବିବେଚନା କରୁଅଛି ଯେ ସେମାନେ କଦାପି ମୃତ୍ୟୁର ଅଧୀନ ହୋଇନାହାନ୍ତି; କେବଳ ଉଦୟ ସମୟକୁ ପ୍ରତୀକ୍ଷା କରୁଅଛନ୍ତି-।୬।

 

ସମ୍ପ୍ରତି ଉତ୍ତମ ବିବେଚନା ସହିତ ଯେଉଁ ସତ୍କାର୍ଯ୍ୟ କରିବାର ଉଚିତ, ତାହା କରିବା ହେଉନ୍ତୁ; କଦାପି ବିଳମ୍ବ କରନ୍ତୁ ନାହିଁ । ପ୍ରଥମରେ ସେମାନଙ୍କର ବାସସ୍ଥାନ ଜଣାଗଲେ ସହଜରେ ସମସ୍ତ କାର୍ଯ୍ୟ ସାଧିତ ହେବ; କିନ୍ତୁ ତପୋନିଷ୍ଠ, ଦୃଢ଼ବ୍ରତ, ନିଷ୍ପାପ ସେହି ବୀର ପୁରୁଷମାନଙ୍କର ଅନୁସନ୍ଧାନ ମିଳିବାର କଦାପି ସହଜସାଧ୍ୟ ନୁହେଁ । ଧର୍ମନନ୍ଦନ ଯୁଧିଷ୍ଠିର ସ୍ୱଭାବରେ ପବିତ୍ରାତ୍ମା, ସତ୍ୟବ୍ରତ, ଶୌଚନିଷ୍ଠ, ନ୍ୟାୟବିଶାରଦ ଓ ଗୁଣବାନ ଅଟନ୍ତି । ପୁନଶ୍ଚ ତପସ୍ୟାର ପ୍ରଭାବରେ ଅପରିମିତ ତେଜୋରାଶିରେ ଦେବୀପ୍ୟମାନ ହୋଇଅଛନ୍ତି । ଏତାଦୃଶ ମହାତ୍ମାଙ୍କୁ କେହି ଦେଖିଲେ ସୁଦ୍ଧା ସେ ମୋହବଶରେ ପରିଚୟ ନ ପାଇବାର ସମ୍ଭବ; ଅତଏବ ବିଶେଷ ବିବେଚନା ସହିତ କାର୍ଯ୍ୟ କରିବା ହେଉନ୍ତୁ । ଯେଉଁମାନେ ଉତ୍ତମରୂପେ ଅନୁସନ୍ଧାନ କରିଜାଣନ୍ତି, ଏହିପରି ସିଦ୍ଧ, ବ୍ରାହ୍ମଣ, ଦୂତ ଓ ଅପରାପରଲୋକମାନେ ପାଣ୍ଡବମାନଙ୍କୁ ଅନୁସନ୍ଧାନ କରିବାକୁ ଯାଉନ୍ତୁ ।୧୦।

 

ଅଧ୍ୟାୟ – ୨୮

 

ବୈଶମ୍ପାୟନ କହିଲେ– ଦ୍ରୋଣାଚାର୍ଯ୍ୟଙ୍କ ବାକ୍ୟ ସମାପ୍ତ ହେଲାରୁ ସର୍ବଶାସ୍ତ୍ରବିଶାରଦ, ଦେଶକାଳଜ୍ଞ, ତତ୍ତ୍ୱଦର୍ଶୀ, ସର୍ବଧର୍ମବେତ୍ତା, ଭାରତମାନଙ୍କର ପିତାମହ ଶାନ୍ତନୁନନ୍ଦନ ଭୀଷ୍ମ କୌରବମାନଙ୍କୁ କହିଲେ, କୁରୁବଂଶୀୟମାନଙ୍କର ହିତ ନିମିତ୍ତ ଦ୍ରୋଣାଚାର୍ଯ୍ୟ ଯୁଧିଷ୍ଠିରଙ୍କର ବିଷୟରେ ଯେଉଁ କଥା କହିଲେ, ତାହା ସଜ୍ଜନମାନଙ୍କର ଆଦରଣୀୟ; କିନ୍ତୁ ଦୁର୍ଜ୍ଜନମାନେ ସେ ବିଷୟର କିଛିମାତ୍ର ମର୍ମ ବୁଝିପାରିବେ ନାହିଁ । ଯାହା ହେଉ, ତତ୍ତ୍ୱଦର୍ଶୀ, ବ୍ରହ୍ମନିଷ୍ଠ ଦ୍ରୋଣ ଯଥାର୍ଥ କଥା କହିଅଛନ୍ତି ।୪। ସମସ୍ତ ପ୍ରକାର ଶୁଭ ଲକ୍ଷଣରେ ଯୁକ୍ତ, ସାଧୁମାନଙ୍କର ନିୟମ ପାଳନକାରୀ, ସର୍ବଶାସ୍ତ୍ରବିଶାରଦ, ସତ୍ୟଧର୍ମପରାୟଣ, ସଦାଚାରୀ, ବୃଦ୍ଧମାନଙ୍କ ମତର ଅନୁକରଣକାରୀ, ସମସ୍ତ ପାଣ୍ଡବମାନେ ମହାପୁରୁଷ, ମହାପରାକ୍ରମଶାଳୀ, ଶୁଚି, କାଳଜ୍ଞ, କେଶବଙ୍କର ଅନୁଗତ ଓ କ୍ଷତ୍ରିୟଧର୍ମନିଷ୍ଠ ଅଟନ୍ତି । ଅତଏବ ମୁଁ ଜାଣୁଅଛି, ସେମାନେ ଧର୍ମବଳରେ ଓ ନିଜ ନିଜର ବାହୁ ପରାକ୍ରମରେ ବିପଦ୍‌ଗ୍ରସ୍ତ ନ ହୋଇ ସାଧୁମାନଙ୍କର ଭାର ବହନପୂର୍ବକ ସ୍ୱୀକୃତ ସମୟକୁ ପାଳନ କରୁଅଛନ୍ତି । କଦାପି ମୃତ୍ୟୁକୁ ପ୍ରାପ୍ତ ହୋଇନାହାନ୍ତି ।୮। ହେ ଭାରତ ! ସେମାନଙ୍କ ବିଷୟକୁ ଜାଣିବା ନିମିତ୍ତ ମୁଁ ନିଜ ବୁଦ୍ଧିରେ ଯେଉଁ କଥା ସ୍ଥିର କରିଅଛି, ତାହା ଶୁଣିବା ହେଉନ୍ତୁ ।

 

ଉତ୍ତମ ନୀତିବିଶାରଦ ବ୍ୟକ୍ତି ଆପଣାର କାର୍ଯ୍ୟ ସାଧନ କରିବା ଅଭିପ୍ରାୟରେ ଯେ ପ୍ରକାର ଉତ୍ତମ ନୀତିକି ବ୍ୟବହାର କରନ୍ତି, ତାହା ଅନ୍ୟ ଲୋକେ ଜାଣିପାରନ୍ତି ନାହିଁ । ତଥାପି ପାଣ୍ଡବମାନଙ୍କ ବିଷୟରେ ଉତ୍ତମରୂପେ ବୁଦ୍ଧିଚାଳନ କରିବାରୁ ଯାହା ଯୁକ୍ତିସଂଗତ ବୋଲି ଜଣାଗଲା, ତାହା କହୁଅଛି । ଆପଣ ତାହା ଶୁଣି କଦାପି ଅନିଷ୍ଟ ଶଙ୍କା କରିବେ ନାହିଁ । ଯୁଧିଷ୍ଠିରଙ୍କର ନୀତିପୂର୍ଣ୍ଣ ବିଚାରକୁ, ମୋ ସଦୃଶ୍ୟ ବ୍ୟକ୍ତିମାନେ କଦାପି ନିନ୍ଦା କରିବେ ନାହିଁ । ସମସ୍ତ ଲୋକେ ତାହାଙ୍କୁ ସୁନୀତି, ପଣ୍ଡିତ ବୋଲି ପ୍ରଶଂସା କରନ୍ତି । ସେ କିଛି ମାତ୍ର ଅନ୍ୟାୟ କାର୍ଯ୍ୟ ଜାଣନ୍ତି ନାହିଁ ।୧୧। ହେ ତାତ ! ବୃଦ୍ଧମାନଙ୍କ ମତର ଅନୁକରଣକାରୀ, ସତ୍ୟଶୀଳ ଓ ଧର୍ମଶୀଳ ଲୋକ ସଭା ମଧ୍ୟରେ ଯାହା କହନ୍ତି, ତାହା ଯଥାର୍ଥ ଅଟେ । ଅତଏବ ମୁଁ ଯଥାର୍ଥ କଥା କହୁଅଛି ଯେ, ଏହି ତ୍ରୟୋଦଶ ବର୍ଷରେ ଯୁଧିଷ୍ଠିର ଯେ ପ୍ରକାର ଅଛନ୍ତି ବୋଲି ଅପର ଲୋକମାନେ କହୁଅଛନ୍ତି, ମୁଁ ତାହା ହୃଦୟରେ ବୁଝିପାରୁନାହିଁ ।

 

ହେ ତାତ ! ଯୁଧିଷ୍ଠିର ଯେଉଁ ନଗରରେ ଅଥବା ଯେଉଁ ଗ୍ରାମରେ ବାସ କରିଥିବେ, ତତ୍ରତ୍ୟ ରାଜାଙ୍କର କୌଣସି ଅମଙ୍ଗଳ ଘଟି ନ ଥିବ । ଯୁଧିଷ୍ଠିର ଯେଉଁ ରାଜ୍ୟରେ ବାସ କରିବେ, ତତ୍ରତ୍ୟ ଲୋକମାନେ ଦାନଶୀଳ, ପ୍ରିୟବାକ୍ୟବାଦୀ, ବିନୟଯୁକ୍ତ, ଲଜ୍ଜାଶୀଳ, ଇନ୍ଦ୍ରିୟଜୟୀ, ସତ୍ୟପରାୟଣ, ସୁସ୍ଥକଳେବର, ସନ୍ତୁଷ୍ଟଚିତ୍ତ, ବିଶୁଦ୍ଧସ୍ୱଭାବ, କର୍ମଦକ୍ଷ ଓ ନିଜ ଧର୍ମରେ ଆସକ୍ତ ହେବେ; କଦାପି ପରର ଗୁଣରେ ଦୋଷାରୋପଣକାରୀ, ପରଶ୍ରୀକାତର, ଅଭିମାନୀ, ଅଥବା ମାତ୍ସର୍ଯ୍ୟଯୁକ୍ତ ହେବେ ନାହିଁ । ।୧୭। ହେ ତାତ ! ଯୁଧିଷ୍ଠିର ଯେଉଁ ସ୍ଥାନରେ ବାସ କରିବେ, ସେହି ସ୍ଥାନରେ ନିରନ୍ତର ବେଦଧ୍ୱନି ଶୁଣାଯିବ, ପୂର୍ଣ୍ଣାହୂତି ଓ ବହୁ ଦକ୍ଷିଣାଯୁକ୍ତ ନାନା ପ୍ରକାର ଯଜ୍ଞର ଅନୁଷ୍ଠାନ କରାଯିବ ।୧୮। ଯଥାସମୟରେ ମେଘସମୂହ ଉପଯୁକ୍ତ ପରିମାଣରେ ଜଳରାଶି ବର୍ଷଣ କରିବେ, ଲୋକମାନେ ଆପଦଶୂନ୍ୟ ହେବେ ଓ ପୃଥିବୀ ପ୍ରଚୁର ପରିମାଣରେ ଶସ୍ୟପୂର୍ଣ୍ଣ ହେବେ ।୧୯। ଧାନ୍ୟମଞ୍ଜରୀସମୂହ ବିଶେଷ ଫଳଭାରରେ ଅବନତ ହେବେ, ନାନାବିଧ ବୃକ୍ଷ ଓ ଲତାମାନଙ୍କର ଫଳସମୂହ ଅତିଶୟ ସ୍ୱାଦୁରସରେ ପୂର୍ଣ୍ଣ ହେବେ, ବିବିଧ ପୁଷ୍ପରାଶି ଅନୁପମ ସୌରଭ ଧାରଣ କରିବେ । ବାକ୍ୟସମସ୍ତ ଶୁଭ ଶବ୍ଦରେ ପୂର୍ଣ୍ଣ ହେବ ଓ ପବନର ସ୍ପର୍ଶ ଅତ୍ୟନ୍ତ ସୁଖମୟ ହେବ । ଲୋକମାନଙ୍କ ମଧ୍ୟରେ ପରସ୍ପର ଶତ୍ରୁତା ରହିବ ନାହିଁ ଓ ସେମାନଙ୍କ ହୃଦୟରେ କଦାପି ଭୟ ପ୍ରବେଶ କରିପାରିବ ନାହିଁ ।୨୧।

 

ହେ ତାତ ! ଯେଉଁ ଦେଶରେ ଯୁଧିଷ୍ଠିର ରାଜା ବାସ କରିବେ, ସେହି ଦେଶ ଅସଂଖ୍ୟ ହୃଷ୍ଟପୁଷ୍ଟ ଓ ସବଳ ଗୋସମୂହରେ ପୂର୍ଣ୍ଣ ହେବ, ସେହି ଦେଶର ଦଧିଦୁଗ୍ଧ ଓ ଘୃତସବୁ ଅତିଶୟ ସ୍ୱାଦୁ ଓ ସ୍ୱାସ୍ଥ୍ୟକର ହେବ, ଯାବତୀୟ ପେୟ ଓ ଭକ୍ଷ୍ୟସାମଗ୍ରୀସବୁ ଅତିଶୟ ସ୍ୱାଦୁ ଓ ହିତକର ହେବ; ରସ, ସ୍ପର୍ଶ, ଗନ୍ଧ ଓ ଶବ୍ଦ ସବୁ ଯାବତୀୟ ଗୁଣମାନଙ୍କୁ ଧାରଣ କରିବ ଓ ସମୁଦାୟ ଦୃଶ୍ୟ ପଦାର୍ଥ ନିର୍ମଳ ହେବ ।୨୪। ହେ ତାତ ! ପାଣ୍ଡବମାନେ ଏହି ତ୍ରୟୋଦଶ ବର୍ଷରେ ଯେଉଁ ଦେଶରେ ଅଛନ୍ତି, ସେହି ଦେଶୀୟ ସମସ୍ତ ପ୍ରକାର ଦ୍ୱିଜମାନେ ନିରନ୍ତର ନିଜ ନିଜ ଧର୍ମକୁ ସେବା କରୁଥିବେ ଓ ସେହି ଧର୍ମମାନେ ମଧ୍ୟ ନିଜ ନିଜ ଗୁଣରେ ଶୋଭା ପାଉଥିବେ । ସେହି ଦେଶର ସମସ୍ତ ଲୋକେ ପରସ୍ପର ସ୍ନେହୀ, ସର୍ବଦା ସନ୍ତୁଷ୍ଟଚିତ୍ତ, ଶୌଚଚାରୀ ଓ ଅପେକ୍ଷାକୃତ ଅଧିକ ପରିମାଣରେ ଦେବତା-ଅତିଥି ପୂଜାରେ ଅନୁରାଗୀ ହୋଇଥିବେ, ଶୁଭର ପ୍ରିୟ ଓ ଅ ଶୁଭର ଦ୍ୱେଷୀ ହୋଇଥିବେ, ନିତ୍ୟ ଯଜ୍ଞ କରୁଥିବେ, ଦାନଶୀଳ ଓ ଧର୍ମପରାୟଣ ହୋଇଥିବେ, ଶୁଭପ୍ରଦାୟକ ବ୍ରତମାନଙ୍କୁ ଅନୁଷ୍ଠାନ କରି ଅକାଳ ମୃତ୍ୟୁ ପୀଡ଼ାରୁ ପରିତ୍ରାଣ ପାଇଥିବେ ।୨୮।

 

ପାଣ୍ଡବ ଯୁଧିଷ୍ଠିର ଏହି ତ୍ରୟୋଦଶ ବର୍ଷରେ ଯେଉଁ ଦେଶରେ ବାସ କରିଅଛନ୍ତି, ସେହି ଦେଶୀୟ ଲୋକମାନେ ମିଥ୍ୟା ବାକ୍ୟକୁ ପରିତ୍ୟାଗ କରିଥିବେ, ଅକ୍ଷୟ ମଙ୍ଗଳଯୁକ୍ତ ହୋଇଥିବେ, ସର୍ବଦା ଶୁଭ କାମନା କରୁଥିବେ, ଶୁଭମତି ଓ ପରର ଉପକାର ରୂପକ ବ୍ରତ ପାଳନ କରିବାକୁ ସର୍ବଦା ଉତ୍ସୁକ ହୋଇଥିବେ । ହେ ତାତ ! ଯାହାଙ୍କଠାରେ ସତ୍ୟ, ଧୃତି, ଦାନ, ପରମ ଶାନ୍ତି, ଅବିଚଳିତ କ୍ଷମା, ହ୍ରୀ, ଶ୍ରୀ, କୀର୍ତ୍ତି, ପରମ ତେଜ, ଅହିଂସା, ସରଳତା, ଦୟା ଓ ମହାନୁଭାବକତା ଅକ୍ଷୟ ଭାବରେ ରହିଅଛି, ସେହି ମହାତ୍ମା ଯୁଧିଷ୍ଠିରଙ୍କୁ ଦ୍ୱିଜମାନେ ଜାଣି ପାରିବାକୁ ସମର୍ଥ ହୋଇପାରିବେ ନାହିଁ, ତାହାଙ୍କୁ ସାଧାରଣ ଲୋକମାନେ ଅନୁସନ୍ଧାନ କରିବାକୁ କେଉଁ ପ୍ରକାରରେ ଅବା କ୍ଷମ ହେବେ ? ଅତଏବ ସେ ପୂର୍ବୋକ୍ତ ଗୁଣଯୁକ୍ତ କୌଣସି ପ୍ରଦେଶରେ ଗୁପ୍ତ ଭାବରେ ଯତ୍ନପୂର୍ବକ ବାସ କରି ଅଛନ୍ତି । ସେହି ପ୍ରକାର ସ୍ଥାନକୁ ଗଲେ ନିଶ୍ଚୟ ତାହାଙ୍କର ଅନୁସନ୍ଧାନ ମିଳିବ-। ତଦ୍‌ଭିନ୍ନ ସ୍ଥାନକୁ ଯିବା ନିମିତ୍ତ ମୋର ଅଭିପ୍ରେତ ନୁହେଁ ।୩୨। ହେ କୌରବ୍ୟ ! ମୋର କହିବା କଥାକୁ ଯଦି ଭଲ ଓ ହିତ ବୋଲି ବିବେଚନ କରୁଅଛ, ତେବେ ଶୀଘ୍ର ତାହାକୁ କାର୍ଯ୍ୟରେ ପରିଣତ କର ।୩୩।

 

ଅଧ୍ୟାୟ – ୨୯

 

ବୈଶମ୍ପାୟନ କହିଲେ– ତାହା ଉତ୍ତାରୁ ଶରଦୂତଙ୍କ ପୁତ୍ର କୃପାଚାର୍ଯ୍ୟ କହିଲେ, ହେ ତାତ-! ବୃଦ୍ଧ, ବିଚକ୍ଷଣ ଭୀଷ୍ମଦେବ ପାଣ୍ଡବମାନଙ୍କ ବିଷୟରେ ଯେଉଁ କଥା କହିଲେ, ତାହା ସର୍ବପ୍ରକାରରେ ଯୁକ୍ତି ସଂଗତ, ଧର୍ମାର୍ଥର ସଙ୍ଗତ, ହେତୁଯୁକ୍ତ ଓ ଯଥାର୍ଥ ଅଟେ, ସନ୍ଦେହ ନାହିଁ-। ସେହି ଅନୁସାରେ କିଛି କହୁଅଛି ଶୁଣ । ସମ୍ପ୍ରତି ସୁଚତୁର ଚାରମାନଙ୍କ ଦ୍ୱାରା ପାଣ୍ଡବମାନଙ୍କର ଗମନ ପଥ ଓ ବାସସ୍ଥାନ ନିଶ୍ଚୟ କରିବାର ଯେ ପ୍ରକାର ଉଚିତ ଅଟେ, ହିତକର ଉତ୍ତମ ରାଜନୀତି ବିଧାନ କରିବାର ମଧ୍ୟ ସେହି ପ୍ରକାର ଆବଶ୍ୟକ ଅଟେ ।୩। ହେ ତାତ ! ସାମାନ୍ୟ ବ୍ୟକ୍ତି ପଛକେ ହେଉ, ସେ ଯଦି ଶତ୍ରୁପଣ କରଇ, ତାହାକୁ ଅବଜ୍ଞା କରି ଛାଡ଼ି ଦେବାର କଦାପି ଉଚିତ ନୁହେଁ-। ଉତ୍କୃଷ୍ଟ ଯୁଦ୍ଧନିପୁଣ, ସର୍ବଶାସ୍ତ୍ରବିଶାରଦ ପାଣ୍ଡବ ଶତ୍ରୁମାନଙ୍କ ବିଷୟରେ ସାବଧାନ ରହିବାର ବିହିତ ବୋଲି କହିବାର ବାହୁଲ୍ୟ ମାତ୍ର ଅଟେ ।୪। ସେହି ମହାତ୍ମା ବୀର ପୁରୁଷମାନେ ସତ୍ୟବ୍ରତ ଓ ତୁମ୍ଭର କପଟଜାଲରେ ଆବଦ୍ଧ ହୋଇଥିବାରୁ ଆଜି ପର୍ଯ୍ୟନ୍ତ ଗୁପ୍ତ ଭାବରେ ରହିଅଛନ୍ତି-। କିନ୍ତୁ ସ୍ୱୀକୃତ ସମୟ ଅତୀତ ହେଲାରୁ ସେହି ଅପରିମିତତେଜସ୍ୱୀ, ମହାପରାକ୍ରମଶାଳୀ, ମହାତ୍ମା ପାଣ୍ଡବମାନେ ଯେ ଅତିଶୟ ଉତ୍ସାହରେ ଏଠାକୁ ଆସିବେ, ଏ ବିଷୟରେ କିଛି ମାତ୍ର ସନ୍ଦେହ ନାହିଁ-। ଅତଏବ ଏହି ସମୟରେ ନିଜ ରାଜ୍ୟରେ ଓ ପର ରାଜ୍ୟରେ କେତେ ସୈନ୍ୟ ଅଛନ୍ତି ତାହା ଜାଣିବାର ଉଚିତ ।୭।

 

ତ୍ରୟୋଦଶ ବର୍ଷ ଅତୀତ ହେଲାରୁ ସେମାନଙ୍କର ଉଦୟକାଳ ପ୍ରବେଶ କରିବ; ଅତଏବ ସେମାନଙ୍କ ସହିତ ସନ୍ଧି କରିବାର ସର୍ବପ୍ରକାରରେ ଶ୍ରେୟଷ୍କର ଅଟେ । ସେହି କାରଣରୁ ପାଣ୍ଡବମାନଙ୍କର ଆସିବା ପୂର୍ବରୁ କୋଷବୃଦ୍ଧି, ସୈନ୍ୟମାନଙ୍କ ସଖ୍ୟାର ବୃଦ୍ଧି ଓ ଉତ୍ତମରୂପେ ରାଜନୀତି ଚଳାଇବାର ବିଧି ସ୍ଥିର କରିବାର ଉଚିତ ।୮। ହେ ବତ୍ସ ! ମିତ୍ରମାନଙ୍କଠାରେ ଓ ଆପଣାର ସୈନ୍ୟଦଳ ମଧ୍ୟରେ ସବଳ ଓ ଅବଳ ସୈନ୍ୟ କେତେ ଅଛନ୍ତି, ତାହା ବିବେଚନା କର ।୯। ହେ ଭାରତ ! ଉତ୍ତମ, ମଧ୍ୟମ ଓ ଅଧମ ସମସ୍ତ ପ୍ରକାର ସୈନ୍ୟମାନେ ସମ୍ପୂର୍ଣ୍ଣରୂପେ ସନ୍ତୁଷ୍ଟ ଅଛନ୍ତି କି ନାହିଁ, ତାହା ଉତ୍ତମରୂପେ ଜାଣିଲେ ପଶ୍ଚାତ୍ ଶତ୍ରୁମାନଙ୍କ ସହିତ ସମ୍ବନ୍ଧ କିମ୍ବା ଯୁଦ୍ଧ କରିବାକୁ ହେବ, ତାହା ସ୍ଥିର କରାଯିବ ।

 

ସାମ, ଦାନ, ଦଣ୍ଡ, ଭେଦ ଓ କରଗ୍ରହଣ ସହିତ ନ୍ୟାୟାନୁସାରେ ଶତ୍ରୁମାନଙ୍କୁ ଆକ୍ରମଣ କରି ଦୁର୍ବଳମାନଙ୍କୁ ବଳରେ, ମିତ୍ରମାନଙ୍କୁ ସାନ୍ତ୍ୱନା ବାକ୍ୟରେ ଓ ସୈନ୍ୟମାନଙ୍କୁ ଆଦର ସହିତ କଥୋପକଥନ ଓ ଆଶ୍ୱାସନାରେ ବଶ କର; କୋଷ ଓ ସୈନ୍ୟ ସଂଖ୍ୟାକୁ ଉତ୍ତମରୂପେ ବଢ଼ାଇ ପାରିଲେ ଅନାୟାସରେ ଅଭୀଷ୍ଟ ସିଦ୍ଧି ହେବ, କିଛିମାତ୍ର ସନ୍ଦେହ ନାହିଁ । ୧୨। ହେ ନରେନ୍ଦ୍ର ! ତୁମ୍ଭେ କୋଷ ଓ ସୈନ୍ୟସଂଖ୍ୟାକୁ ବଢ଼ାଇ ପାରିଲେ ସୈନ୍ୟ ଓ ବାହନବିହୀନ ପାଣ୍ଡବମାନଙ୍କ ସଙ୍ଗରେ କିମ୍ବା ଅନ୍ୟ କୌଣସି ବଳିଷ୍ଠ ଶତ୍ରୁମାନଙ୍କ ସଙ୍ଗରେ ଅନାୟାସରେ ଯୁଦ୍ଧ କରିବାକୁ ସମର୍ଥ ହେବ । ଅତଏବ ସ୍ୱଧର୍ମାନୁସାରେ ଏହି ସମସ୍ତ କ୍ରିୟାମାନଙ୍କୁ ଅନୁଷ୍ଠାନ କରିପାରିଲେ ଚିରକାଳ ପର୍ଯ୍ୟନ୍ତ ସୁଖୀ ହେବ, କିଛି ସନ୍ଦେହ ନାହିଁ ।୧୪।

 

ଅଧ୍ୟାୟ – ୩୦

 

ବୈଶମ୍ପାୟନ କହିଲେ– ତାହା ଉତ୍ତାରୁ ରଥଯୂଥପତି ବଳବାନ ତ୍ରିଗର୍ତ୍ତରାଜ ସୁଶର୍ମା ଅତିଶୟ ବ୍ୟଗ୍ର ହୋଇ ଅବସର ଦେଖି ଏହି କଥା କହିଲେ ।୧।- ହେ ପ୍ରଭୋ !ଜନ୍ମେଜୟ ! ପୂର୍ବେ ତ୍ରିଗର୍ତ୍ତରାଜ ସୁଶର୍ମାଙ୍କୁ ମତ୍ସ୍ୟରାଜାଙ୍କର ଶାଳକମାନେ ବାରମ୍ବାର ପରାଜୟ କରିଥିଲେ, ବିଶେଷରେ ବିରାଟଙ୍କର ସାରଥି ବଳବାନ କୀଚକ ସୁଶର୍ମାଙ୍କୁ ଓ ତାହାଙ୍କ ବନ୍ଧୁମାନଙ୍କୁ ବିଶେଷ କ୍ଳେଶ ଦେଇଥିଲେ । ସେହି ହେତୁରୁ ସୁଶର୍ମା ସମ୍ପ୍ରତି କୀଚକର ମୃତ୍ୟୁ ସମ୍ବାଦ ଶୁଣି କର୍ଣ୍ଣଙ୍କୁ ଚାହିଁ ତଦନନ୍ତର ଦୁର୍ଯ୍ୟୋଧନଙ୍କୁ କହିଲେ ।

 

ମହାରାଜ ! ଯେଉଁ ସେନାପତିର ବାହୁବଳରେ ମତ୍ସ୍ୟରାଜ ଆମ୍ଭ ରାଜ୍ୟରେ ବାରମ୍ବାର ନାନାପ୍ରକାର ଉପଦ୍ରବ କରିଥିଲେ, ସେହି କ୍ରୂରସ୍ୱଭାବ, କ୍ରୋଧାନ୍ଧ, ଅତିଶୟ ଦୁର୍ମତି ପାପାତ୍ମା କୀଚକକୁ ଗନ୍ଧର୍ବମାନେ ସଂହାର କରିଅଛନ୍ତି ।୫। ଅତଏବ ଜଣାଯାଉଅଛି ଯେ ବିରାଟ ରାଜାଙ୍କର ସେହିପରି ଉତ୍କୃଷ୍ଟ ସହାୟ ସାରଥିର ମୃତ୍ୟୁ ହେବାରୁ ସମ୍ପ୍ରତି ସେ ନିରାଶ୍ରୟ, ଦର୍ପହୀନ ଓ ଉତ୍ସାହଶୂନ୍ୟ ହୋଇଥିବେ ! ହେ ନିଷ୍ପାପ ! ଯଦି ଆପଣଙ୍କର ସମୁଦାୟ କୌରବମାନଙ୍କର ଓ ମହାତ୍ମା କର୍ଣ୍ଣଙ୍କର ଅଭିରୁଚି ହେବ, ତେବେ ଏହି ସମୟରେ ମତ୍ସ୍ୟଦେଶକୁ ମୁଁ ଯାତ୍ରା କରିବି ।୭। ଏହି ଘଟଣା ଆମ୍ଭମାନଙ୍କ ପକ୍ଷରେ ମଙ୍ଗଳଜନକ ହୋଇଅଛି । ଏହି ସମୟରେ ଆମ୍ଭେମାନେ ବିରାଟଙ୍କର ପ୍ରଚୁର ଶସ୍ୟସମ୍ପତ୍ତିପୂର୍ଣ୍ଣ ରାଜ୍ୟରେ ଯୁଦ୍ଧ କରି ତାହାଙ୍କର ନାନାପ୍ରକାର ଧନରତ୍ନ ଆଣିବା ଅଥବା ଗ୍ରାମ ଓ ରାଜ୍ୟସବୁକୁ ବିଭାଗ କରି ଆଣିବା; କିମ୍ବା ନଗରବାସୀମାନଙ୍କୁ ବଳପୂର୍ବକ ପୀଡ଼ା ଦେଇ ନାନାପ୍ରକାର ଉତ୍ତମ ଉତ୍ତମ ସହସ୍ର ସହସ୍ର ଗୋଧନମାନଙ୍କୁ ଘେନି ଆସିବା ।୧୦। ହେ ମହାରାଜ ! କୌରବ ଓ ତ୍ରିଗର୍ତ୍ତସୈନ୍ୟ ଏକତ୍ର ମିଳିତ ହୋଇ ମତ୍ସ୍ୟ ଦେଶକୁ ଗଲେ ବିରାଟଙ୍କର ସମୁଦାୟ ଗୋରୁମାନଙ୍କୁ ଅପହରଣ କରି ଆଣି ପାରିବେ ଅଥବା ସନ୍ଧିସ୍ଥାପନ ଦ୍ୱାରା ତାହାଙ୍କର ପୌରୁଷକୁ ସଂକୁଚିତ କରିପାରିବେ, କିମ୍ବା ସମୁଦାୟ ସୈନ୍ୟ ସଂହାର କଲା ଉତ୍ତାରୁ ବିରାଟଙ୍କୁ ଅଧୀନ କରିପାରିବେ ।୧୨। ତାହାଙ୍କୁ ନ୍ୟାୟରେ ବଶ କରିପାରିଲେ ଆମ୍ଭେମାନେ ସୁଖରେ ରହିବୁ । ଆପଣଙ୍କର ମଧ୍ୟ ବଳବୃଦ୍ଧି ହେବ କିଛି ସନ୍ଦେହ ନାହିଁ ।୧୩।

 

ତ୍ରିଗର୍ତ୍ତ ରାଜାଙ୍କର ଏହି କଥା ଶୁଣି କର୍ଣ୍ଣ ଦୁର୍ଯ୍ୟୋଧନଙ୍କୁ କହିଲେ, ହେ ମହାରାଜ ! ସୁଶର୍ମା ଏହି ସମୟରେ ଉପଯୁକ୍ତ କଥା କହିଅଛନ୍ତି; ଏହି ପରାମର୍ଶ ଆମ୍ଭମାନଙ୍କ ପକ୍ଷରେ ବିଶେଷ ଶୁଭଦାୟକ ହେବ । ଅତଏବ ଆପଣଙ୍କର ଅନୁମତି ପ୍ରାପ୍ତ ହେଲେ ଆମ୍ଭେମାନେ ସୈନ୍ୟମାନଙ୍କୁ ବିଭାଗାନୁସାରେ ସଂଗ୍ରହ କରି ଶୀଘ୍ର ଅନୁକୂଳ କରିବୁ । ଅଥବା ଆମ୍ଭ ସମସ୍ତଙ୍କର ପିତାମହ ଏହି କୁରୁବୃଦ୍ଧ ବୁଦ୍ଧିମାନ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଓ ଶରଦୂତଙ୍କ ପୁତ୍ର କୃପାଚାର୍ଯ୍ୟ ଏହିମାନଙ୍କ ମତ ଅନୁସାରେ ଯାତ୍ରାର ବିଧାନ କରିବା ହେଉନ୍ତୁ ।୧୬। ସମ୍ପ୍ରତି ଆମ୍ଭେମାନେ ଉତ୍ତମ ବିଚାରରେ ବିରାଟ ରାଜାଙ୍କୁ ଆୟତ୍ତ କରିବାକୁ ଯାଉଅଛୁ । ନିର୍ଦ୍ଧନ ଓ ବଳପୌରୁଷବିହୀନ ପାଣ୍ଡବମାନଙ୍କ ଅନୁସନ୍ଧାନରେ କିଛି ପ୍ରୟୋଜନ ନାହିଁ ।୧୭। ଜଣାଯାଏ ସେମାନେ ଚିରକାଳ ଅଦୃଶ୍ୟ ଭାବରେ ରହିବା ଅଭିପ୍ରାୟରେ ଦେଶାନ୍ତରକୁ ଯାଇଥିବେ କିମ୍ବା ମୃତ ହୋଇଥିବେ । ଅତଏବ ଆମ୍ଭେମାନେ ଅତି ଶୀଘ୍ର ମତ୍ସ୍ୟ ଦେଶକୁ ଯାଇ ବିରାଟଙ୍କର ବିଶେଷ ଧନରତ୍ନ ଓ ଗୋରୁ ସମୂହ ଅପହରଣ କରିବା ।୧୮।

 

ବୈଶମ୍ପାୟନ କହିଲେ– ଏଥି ଉତ୍ତାରୁ ଦୁର୍ଯ୍ୟୋଧନ ରାଜା ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କ ବାକ୍ୟରେ ଅନୁମତି ଦେଇ ତାହାଙ୍କର ଆଜ୍ଞାକାରୀ ଅନୁଜ ଦୁଃଶାସନଙ୍କୁ କହିଲେ, ତୁମ୍ଭେ ବୃଦ୍ଧମାନଙ୍କ ସହିତ ପରାମର୍ଶ କରି ଶୀଘ୍ର ସୈନ୍ୟ ସଂଗ୍ରହ କର ।୨୦। ଆମ୍ଭେମାନେ କୌରବ ସୈନ୍ୟ ସହିତ ଅତି ଧନଶାଳୀ ବିରାଟ ନଗରକୁ ଯିବୁ । ସମ୍ପ୍ରତି ମହାରଥ ସୁଶର୍ମା ତ୍ରିଗର୍ତ୍ତଦେଶୀୟ ସମସ୍ତ ସୈନ୍ୟ ଓ ବାହନମାନଙ୍କ ସଙ୍ଗରେ ପୂର୍ବରୁ ସେହି ନଗରକୁ ଯାଉନ୍ତୁ ଓ ଶୀଘ୍ର ଗୋପାଳମାନଙ୍କ ନିକଟବର୍ତ୍ତୀ ହୋଇ ବହୁତ ଧନରତ୍ନ ସଂଚୟ କରୁଥାଉନ୍ତୁ । ଆମ୍ଭେମାନେ ସୈନ୍ୟମାନଙ୍କୁ ଦୁଇ ଭାଗରେ ବିଭକ୍ତ କରି ତାହାଙ୍କ ପଶ୍ଚାତ୍ ପଶ୍ଚାତ୍ ସେହି ସ୍ଥାନରେ ଉପସ୍ଥିତ ହୋଇ ସୁନ୍ଦର ଓ ଗୁଣବନ୍ତ ଅପରିମିତ ଗୋଧନସବୁ ଆଣିବା ।୨୪। ବୈଶମ୍ପାୟନ କହିଲେ, ହେ ଜନ୍ମେଜୟ ! କୃଷ୍ଣପକ୍ଷ ସପ୍ତମୀ ତିଥିରେ ଅଗ୍ନି କୋଣ ଅଭିମୁଖରେ ବିରାଟ ନଗରକୁ ସୁଶର୍ମା ଗମନ କରି ଗୋଧନ ସବୁ ସଞ୍ଚୟ କରୁଥିଲେ; ପରଦିନ ଅଷ୍ଟମୀ ତିଥିରେ ସମସ୍ତ କୌରବମାନେ ସମସ୍ତ ସୈନ୍ୟ ଓ ବାହନମାନଙ୍କୁ ସଙ୍ଗରେ ନେଇ ବିରାଟ ନଗରରେ ପ୍ରବେଶପୂର୍ବକ ସହସ୍ର ସହସ୍ର ଗୋଧନମାନଙ୍କୁ ଆକ୍ରମଣ କଲେ ।୨୭।

 

ଅଧ୍ୟାୟ – ୩୧

 

ବୈଶମ୍ପାୟନ କହିଲେ– ହେ ଜନ୍ମେଜୟ ! ଅତି ତେଜସ୍ୱୀ, କପଟ ବେଶଧାରୀ, ମହାତ୍ମା ପାଣ୍ଡବମାନେ ବିରାଟ ରାଜାଙ୍କର ପରିଚାରକ ରୂପରେ ତାହାଙ୍କ ନଗରରେ ରହି ଅଜ୍ଞାତବାସର ସ୍ୱୀକୃତ ସମୟକୁ ହରଣ କଲେ ।୨। କୀଚକର ମୃତ୍ୟୁ ହେବା ଦିନଠାରୁ ପ୍ରବଳ ଶତ୍ରୁହନ୍ତା ବିରାଟ ରାଜା ଯୁଧିଷ୍ଠିରଙ୍କୁ କୀଚକତୁଲ୍ୟ ଜୟକାରକ ବୋଲି ସଂଭାବନା କରିଥିଲେ ।୩। ହେ ଭାରତ ! ତ୍ରୟୋଦଶ ବର୍ଷର ଶେଷ ସମୟରେ ସୁଶର୍ମା ବିରାଟ ନଗରରେ ପ୍ରବେଶ କରି ତାହାଙ୍କର ବହୁତ ଗୋଧନମାନଙ୍କୁ ହରଷ କଲେ ।୪। ତାହା ଉତ୍ତାରୁ ସେହି ଗୋଧନମାନଙ୍କର ରକ୍ଷକ ଅତି ଶୀଘ୍ର ବିରାଟଙ୍କ ନଗରରେ ପ୍ରବେଶ କରି ଅଙ୍ଗଦକୁଣ୍ଡଳଧାରୀ ଯୋଦ୍ଧାସମୂହ, ଉତ୍କୃଷ୍ଟ ମନ୍ତ୍ରୀବର୍ଗ ଓ ନରଶ୍ରେଷ୍ଠ ପାଣ୍ଡବମାନଙ୍କରେ ବେଷ୍ଟିତ ସିଂହାସନରେ ଅବସ୍ଥିତ, ରାଷ୍ଟ୍ରବର୍ଦ୍ଧନକାରୀ ପ୍ରଭାବଶାଳୀ ମତ୍ସ୍ୟରାଜାଙ୍କ ନିକଟକୁ ଯାଇ ନମସ୍କାରପୂର୍ବକ ଜଣାଇଲା- ହେ ମହାରାଜ ! ତ୍ରିଗର୍ତ୍ତ ରାଜାଙ୍କର ସୈନ୍ୟମାନେ ଯୁଦ୍ଧରେ ଆମ୍ଭମାନଙ୍କୁ ଓ ଆମ୍ଭର ବନ୍ଧୁମାନଙ୍କୁ ଜୟ କରି ଓ ପରାଭବ ଦେଇ ଆପଣଙ୍କର ଶତସହସ୍ର ଗୋଧନମାନଙ୍କୁ ଅପହରଣ କଲେ ।୮। ଅତଏବ ଏମାନେ ଦୂରକୁ ଯିବାପୂର୍ବରୁ ଉପାୟ ଅବଲମ୍ବନ କରିବା ହେଉନ୍ତୁ ।

 

ରାଜା ଗୋରକ୍ଷକର କଥା ଶୁଣିଲାମାତ୍ରେ ରଥାରୋହୀ, ଗଜାରୋହୀ, ଅଶ୍ୱାରୋହୀ ଓ ପଦାତିକ ଏହି ଚତୁରଙ୍ଗ ସୈନ୍ୟମାନଙ୍କୁ ସଜ ହେବା ବିଷୟରେ ଆଜ୍ଞା କଲେ । ରାଜାଙ୍କ ଆଦେଶାନୁସାରେ ସମସ୍ତ ରାଜା ଓ ସମସ୍ତ ରାଜପୁତ୍ରମାନେ ଆପଣାର ବିଭାଗାନୁସାରେ ଅତ୍ୟନ୍ତ ଉଜ୍ଜ୍ୱଳ ଓ ଦେବଯୋଗ୍ୟ ବିଚିତ୍ର କବଚମାନଙ୍କୁ ପରିଧାନ କଲେ । ବିରାଟଙ୍କ ପ୍ରିୟ ଭ୍ରାତା ଶତାନୀକ, ବଜ୍ରସମ ଲୋହଗର୍ଭ କାଞ୍ଚନମୟ କବଚ ପରିଧାନ କଲେ । ଶତାନୀକଙ୍କ ଅନୁଜ ମଦିରାକ୍ଷ ସର୍ବପ୍ରକାର ଅସ୍ତ୍ରମାନଙ୍କର ପ୍ରତିଘାତ ସହ, ସୁବର୍ଣ୍ଣ ପତ୍ରରେ ଆଚ୍ଛାଦିତ ଅତି ଦୃଢ଼ କବଚ ଧାରଣ କଲେ । ସ୍ୱୟଂ ମତ୍ସ୍ୟରାଜା ଶତ ଶତ ସୂର୍ଯ୍ୟ ଓ ଚନ୍ଦ୍ର ତୁଲ୍ୟ ଉଜ୍ଜ୍ୱଳ ଚକ୍ଷୁର ଖେଳାସଦୃଶ ଗୋଲାକାର ହୀରକସମୂହରେ ବେଷ୍ଟିତ ଦୃଢ଼ତର ଅଙ୍ଗାବରଣକୁ ପରିଧାନ କଲେ । ସୂର୍ଯ୍ୟଦତ୍ତ ସୂର୍ଯ୍ୟଦେବଙ୍କ ସଦୃଶ୍ୟ ଅତ୍ୟନ୍ତ ଉଜ୍ଜ୍ୱଳ ଓ ଉପର ଭାଗରେ ଶତ ଶତ ପଦ୍ମ ଓ କୁମୁଦମାନଙ୍କ ଆକୃତିରେ ଚିହ୍ନିତ ସୁବର୍ଣ୍ଣପୃଷ୍ଠ କବଚକୁ ଧାରଣ କଲେ । ତହିଁ ଉତ୍ତାରୁ ବିରାଟଙ୍କର ଜ୍ୟେଷ୍ଠ ପୁତ୍ର ଶଙ୍ଖନାମକ ବୀର ଲୋହଗର୍ମ ଲୋଚନର ଡୋଳାତୁଲ୍ୟ ଗୋଲାକାର, ବିଶୁଦ୍ଧ ହୀରକବୃନ୍ଦରେ ପୂର୍ଣ୍ଣ ଅତିଶୟ କଠିନ ଶ୍ୱେତବର୍ଣ୍ଣ କବଚକୁ ପରିଧାନ କଲେ ।

 

ଏହି ପ୍ରକାର ଶତ ଶତ ଦେବରୂପେ ମହାରଥମାନେ ଯୁଦ୍ଧ କରିବା ନିମିତ୍ତ ନିଜ ନିଜ କବଚମାନଙ୍କୁ ପରିଧାନ କରି ସୁନ୍ଦର ଶୁକ୍ଳ ବର୍ଣ୍ଣ ବୃହତ୍ ବୃହତ୍ ରଥମାନଙ୍କରେ ସୁବର୍ଣ୍ଣ କବଚକୁଳରେ ଆଚ୍ଛାଦିତ ଘୋଟକମାନଙ୍କୁ ଯୋଗ କଲେ । ଏଥି ଉତ୍ତାରୁ ବିରାଟ ରଜାଙ୍କର ଚନ୍ଦ୍ର-ସୂର୍ଯ୍ୟଙ୍କ ପ୍ରାୟ ଉଜ୍ଜ୍ୱଳ ସୁବର୍ଣ୍ଣମୟ ଦିବ୍ୟରଥରେ ବିରାଟଙ୍କର ମହାକ୍ଷମତାସୂଚକ ପତାକାମାନ ଉଡ଼ାଇଲେ । ତହିଁ ଉତ୍ତାରୁ ପରାକ୍ରମଶାଳୀ କ୍ଷତ୍ରିୟ ବୀର ପୁରୁଷମାନେ ନିଜ ନିଜ ରଥମାନଙ୍କରେ ସୁବର୍ଣ୍ଣମଣ୍ଡିତ ନାନା ପ୍ରକାର ମନୋହର ପତାକାମାନ ଯୋଗ କରାଇଲେ । ତତ୍ପରେ ବିରାଟ ତାହାଙ୍କ ଅନୁଜ ଶତାନୀକଙ୍କୁ କହିଲେ, ହେ ଶତାନୀକ ! ମତେ ଜଣାଯାଉଅଛି, କଙ୍କ, ବଲ୍ଲବ, ଗୋପାଳ ଓ ଅଶ୍ୱପାଳ ଏମାନେ ସମର୍ଥ ଅଟନ୍ତି; ଅବଶ୍ୟ ଯୁଦ୍ଧ କରିପାରିବେ ସନ୍ଦେହ ନାହିଁ ।୨୧। ଅତଏବ ଏମାନଙ୍କୁ ଧ୍ୱପତାକାଯୁକ୍ତ ରଥ ଓ ନାନା ପ୍ରକାର ଅସ୍ତ୍ରଶସ୍ତ୍ର ଦିଅ । ଆମ୍ଭମାନଙ୍କ ପ୍ରାୟ ଏମାନେ ବିଚିତ୍ର, ଦୃଢ଼ତର ଓ ସୁଖଜନକ କବଚମାନଙ୍କୁ ପରିଧାନ କରନ୍ତୁ । ଏମାନଙ୍କର ବାହୁ ନାଗରାଜପ୍ରାୟ ଭୟଙ୍କର ଓ ନିଜେ ନିଜେ ବୀରପୁରୁଷ ପ୍ରାୟ ଦିଶୁଥିବାରୁ ସମ୍ପୂର୍ଣ୍ଣରୂପେ ଯୁଦ୍ଧ କରିବାକୁ କ୍ଷମ ବୋଲି ଜଣାଯାଉଅଛନ୍ତି ।

 

ଶତାନୀକ ରାଜାଙ୍କ ଆଜ୍ଞାନୁସାରେ ଯୁଧିଷ୍ଠିର, ଭୀମ, ନକୁଳ ଓ ସହଦେବ ଏହିମାନଙ୍କୁ ରଥପ୍ରଦାନ କରିବା ନିମିତ୍ତ ସୂତମାନଙ୍କୁ କହିଲେ । ରାଜଭକ୍ତି ପରାୟଣ ସାରଥିମାନେ ଅତିଶୀଘ୍ର ଆନନ୍ଦିତ ହୋଇ ରାଜାଙ୍କ ନିର୍ଦ୍ଦିଷ୍ଟ ରଥସବୁ ସୁସଜ୍ଜିତ କଲେ । ରିପୁକୁଳ ବିନାଶକାରୀ, ସତ୍ୟପରାକ୍ରମ, ଅତିଶୟ ତେଜସ୍ୱୀ, କପଟ ବେଶଧାରୀ, କୌରବଶ୍ରେଷ୍ଠ, ଯୁଦ୍ଧବିଶାରଦ, ମହାରଥ, ନରୋତ୍ତମ, ପାଣ୍ଡୁନନ୍ଦନ ଚାରି ସହୋଦରମାନେ ନରପତିଙ୍କ ପ୍ରଦତ୍ତ କବଚ ପରିଧାନପୂର୍ବକ ଘୋଟକ ସଂଯୋଜିତ, ସୁବର୍ଣ୍ଣରେ ଆଚ୍ଛାଦିତ ଓ ବିଚିତ୍ର ରଥମାନଙ୍କ ଉପରେ ବସି ଅତିଶୟ ଆହ୍ଲାଦରେ ବିରାଟ ରାଜାଙ୍କର ପଶ୍ଚାତ୍ ପଶ୍ଚାତ୍ ଗଲେ ।୩୦। ଶୋଭନ ଦନ୍ତଯୁକ୍ତ, ଷଷ୍ଠୀବର୍ଷ ବୟସ୍କ, ମେଘକଳାପତୁଲ୍ୟ ମଦଜଳ ବର୍ଷଣଶୀଳ, ଭୟଙ୍କର ମତ୍ତହସ୍ତିମାନେ ଯୁଦ୍ଧବିଶାରଦ, ସୁଶିକ୍ଷିତ ଗଜାରୋହୀ ସୈନ୍ୟମାନଙ୍କୁ ପୃଷ୍ଠରେ ଧାରଣପୂର୍ବକ ପର୍ବତ ଚାଲିଲା ପ୍ରାୟ କ୍ରମେ କ୍ରମେ ରାଜାଙ୍କ ପଛେ ପଛେ ଗଲେ ।୩୨।

 

ଏହି ପ୍ରକାର ଅତି ଆନନ୍ଦ ସହିତ ରାଜାଙ୍କର ପଛେ ପଛେ ଯାଉଥିବା ଯୁଦ୍ଧବିଶାରଦ ସୈନ୍ୟମାନଙ୍କ ମଧ୍ୟରେ ଅଷ୍ଟ ସହସ୍ର ରଥ, ଏକ ସହସ୍ର ମାତଙ୍ଗ ଓ ଷଷ୍ଠ ସହସ୍ର ତୁରଙ୍ଗମ ଥିଲେ । ହେ ଭାରତଶ୍ରେଷ୍ଠ ! ଗଜ, ଅଶ୍ୱ ଓ ରଥରେ ଆରୋହଣ କରିଥିବା ବୀରପୁରୁଷମାନେ ଓ ଦୃଢ଼ତର ଆୟୂଧଧାରୀ ପଦାତିକ ସୈନ୍ୟମାନେ ଗୋଧନମାନଙ୍କର ଗମନମାର୍ଗକୁ ଚାହିଁ ଚାହିଁ ଯାଉଥିବା ସମୟରେ ବିରାଟ ରାଜାଙ୍କର ବିଶେଷ ଶୋଭା ବର୍ଦ୍ଧନ କରୁଥିଲେ ।୩୫।

 

ଅଧ୍ୟାୟ – ୩୨

 

ବୈଶମ୍ପାୟନ କହିଲେ- ମହାବଳ ବିରାଟ ରାଜାଙ୍କ ସୈନ୍ୟମାନେ ନଗରରୁ ବାହାରି ଦଳବଦ୍ଧ ହୋଇ ଛଅ ଦଣ୍ଡ ପରିମିତ ସମୟ ଅବଶିଷ୍ଟ ଥିବା ସମୟରେ ତ୍ରିଗର୍ତ୍ତ ସୈନ୍ୟମାନଙ୍କର ନିକଟରେ ପ୍ରବେଶ କଲେ ।୧। ଗୋଧନହରଣାକାଂକ୍ଷୀ, ଯୁଦ୍ଧବିଶାରଦ, ମହାବଳ ତ୍ରିଗର୍ତ୍ତ ସୈନ୍ୟ ଓ ବିରାଟ ରାଜାଙ୍କ ସୈନ୍ୟମାନେ ପରସ୍ପର ସମ୍ମୁଖୀନ ହୋଇ ଘୋରତର ଗର୍ଜନପୂର୍ବକ ଯୁଦ୍ଧ ଆରମ୍ଭ କଲେ ।୨। ରଣପଣ୍ଡିତ ପ୍ରଧାନ ବୀରମାନଙ୍କୁ ପୃଷ୍ଠରେ ବହିଥିବା ଭୟଙ୍କର ମତ୍ତମାତଙ୍ଗମାନେ ସ୍ୱତୀକ୍ଷ୍‌ଣ ତୋମର ଓ ଅଙ୍କୁଶର ଆଘାତରେ ଶୀଘ୍ର ଗମନ କରି ବିପକ୍ଷ ଦଳର ଅଭିମୁଖରେ ଉପସ୍ଥିତ ହେଲେ । ଦୁଇଦଳର ଅତି ଭୟଙ୍କର ଲୋମହର୍ଷଣକାରୀ ତୁମୁଳ ଯୁଦ୍ଧ ହେଲା ।

 

ହେ ଜନ୍ମେଜୟ ! ସୁରାସୁର ସଦୃଶ ସେହି ଉଭୟ ସୈନ୍ୟଦଳ ମଧ୍ୟରୁ ରଥାରୋହୀ, ଗଜାରୋହୀ, ଅଶ୍ୱାରୋହୀ ଓ ପଦାତିକ ସୈନ୍ୟ ଏତେ ହତ ହେଲେ ଯେ ସୂର୍ଯ୍ୟାସ୍ତ ସମୟ ମଧ୍ୟରେ ସେହିମାନଙ୍କଦ୍ୱାରା ଯମଦେବଙ୍କର ରାଜ୍ୟ ପୂର୍ଣ୍ଣ ହେଲା ।୫। ସୈନ୍ୟମାନେ ପରସ୍ପର ଆକ୍ରମଣ ଓ ଶରାଘାତ କରିବାରୁ ପାଦଧୂଳି ଏତାଦୃଶ ଭୟଙ୍କରରୂପେ ଉଠିଲା ଯେ ତହିଁରେ ଚକ୍ଷୁ ମୁଦ୍ରିତ ହୋଇଗଲା । ପକ୍ଷୀମାନେ ଧୂଳିରାଶିରେ ଅନ୍ଧୀଭୂତ ହୋଇ ଭୂତଳରେ ପଡ଼ିଲେ ଓ ବାଣମାନଙ୍କ ଗମନାଗମନ ହେତୁରୁ ସୂର୍ଯ୍ୟମଣ୍ଡଳ ଅଦୃଶ୍ୟହେଲା ।୭। ଆକାଶମଣ୍ଡଳ ଖାଦ୍ୟୋତବୃନ୍ଦରେ ପୂର୍ଣ୍ଣ ହେଲାପ୍ରାୟ ଜଣାଗଲା, ଦକ୍ଷିଣ ଓ ବାମପାର୍ଶ୍ୱରେ ଶର ବର୍ଷଣ କରୁଥିବା ବୀରଶ୍ରେଷ୍ଠ ଧନୁର୍ଦ୍ଧାରୀମାନଙ୍କର ସୁବର୍ଣ୍ଣମଣ୍ଡିତ କୋଦଣ୍ଡସବୁ ଭଗ୍ନ ହୋଇଗଲା । ରଥୀମାନେ ରଥୀମାନଙ୍କୁ, ପଦାତିକମାନେ ପଦାତିକମାନଙ୍କୁ, ଅଶ୍ୱାରୋହୀମାନେ ଅଶ୍ୱାରୋହୀମାନଙ୍କୁ ଓ ଗଜାରୋହୀମାନେ ଗଜାରୋହୀମାନଙ୍କୁ ଆକ୍ରମଣ କଲେ । ହେ ରାଜନ୍‌ ! ପରିଘତୁଲ୍ୟ ବାହୁବିଶିଷ୍ଟ ମହାବଳ ଯୋଦ୍ଧାମାନେ ଖଡ଼୍‍ଗ, କୁଠାର, ଲୋହମୟ ଯଷ୍ଟି, ଶକ୍ତି, ତୋମର ଓ ଗଦା ପ୍ରଭୃତି ନାନାବିଧ ଶସ୍ତ୍ରମାନ ଧରି ଅତିଶୟ କ୍ରୋଧରେ ପରସ୍ପରକୁ ପରସ୍ପର ଆଘାତ କଲେ ।୧୧। କିନ୍ତୁ କେହି ବିରାଟ ସୈନ୍ୟଙ୍କୁ ସହଜରେ ପରାଜିତ କରିପାରିଲେ ନାହିଁ ।

 

ସେହି ଭୟଙ୍କର ମହାଯୁଦ୍ଧକ୍ଷେତ୍ରରେ କୌଣସିଠାର ବିଚ୍ଛିନ୍ନ ଶାଳବୃକ୍ଷର ସ୍କନ୍ଧତୁଲ୍ୟ କ୍ଷତ୍ରିୟମାନଙ୍କର ଶରୀର ପଡ଼ିଥିଲା । କୌଣସି କୌଣସିଠାରେ ସର୍ପଦେହସଦୃଶ ଦୃଶ୍ୟ ହେଉଥିଲା-। ଏହି ପ୍ରକାର ବିଶେଷ ଶବମାନଙ୍କର ଅଙ୍ଗ ଓ ପ୍ରତ୍ୟଙ୍ଗରେ ପୃଥିବୀ ଆଚ୍ଛାଦିତ ହୋଇ ଏକ ପ୍ରକାର ଶୋଭା ଧରିଥିଲା । ରଥୀମାନେ ରଥୀମାନଙ୍କ ସଙ୍ଗରେ, ପଦାତିକମାନେ ପଦାତିକମାନଙ୍କ ସଙ୍ଗରେ, ଅଶ୍ୱାରୋହୀମାନ ଅଶ୍ୱାରୋହୀମାନଙ୍କ ସଙ୍ଗରେ, ଗଜାରୋହୀମାନେ ଗଜାରୋହୀମାନଙ୍କ ସଙ୍ଗରେ ନିୟମାନୁସାରେ ଯୁଦ୍ଧ କରିବାରୁ ଏତାଦୃଶ ମହାମାରୀ ଉପସ୍ଥିତ ହେଲା ଯେ ପୃଥିବୀର ଧୂଳିସବୁ ରକ୍ତସ୍ରୋତରେ କର୍ଦମ ରୂପରେ ପରିଣତ ହେଲା । ନିରନ୍ତର ଶରରାଶିର ସଞ୍ଚାର ହେବାରୁ ଗୃଧ୍ରପକ୍ଷୀମାନେ ଯୁଦ୍ଧକ୍ଷେତ୍ରର ଭିତରକୁ ଯାଇନପାରି ସେହି ଆକାଶସ୍ଥିତ ଶରରାଶି ଉପରେ ଅସ୍ଥିର ଭାବରେ ବସିଲେ । ମହାବାହୁ ବୀରମାନେ ପରସ୍ପରକୁ ପରସ୍ପର ଆଘାତ କଲେ, କିନ୍ତୁ କେହି ବିରାଟଙ୍କ ସୈନ୍ୟଙ୍କୁ ପରାଜିତ କଲେ ନାହିଁ ।୧୮।

 

ତ୍ରିଗର୍ତ୍ତ ସୈନ୍ୟମାନଙ୍କ ମଧ୍ୟରୁ ଶତାନୀକ ଏକଶତ ଓ ବିଶାଳାକ୍ଷ ଚାରିଶତ ସୈନ୍ୟ ସଂହାର କରି ତାହାଙ୍କ ମହାସୈନ୍ୟ ମଧ୍ୟରେ ପହୁଞ୍ଚିଲେ ।୧୯। ସେହି ଦୁହେଁ ବଳିଷ୍ଠ, ବୃଦ୍ଧିମାନ ଓ ମହାରଥ ଅଟନ୍ତି । ତ୍ରିଗର୍ତ୍ତଙ୍କ ମହାସୈନ୍ୟ ମଧ୍ୟରେ ପ୍ରବେଶ କରି ସେମାନଙ୍କୁ ବାହୁଯୁଦ୍ଧ, କେଶାକେଶି ଯୁଦ୍ଧ ଓ ନଖାନଖି ଯୁଦ୍ଧରେ ମୋହଗ୍ରସ୍ତ କରି ପକାଇଲେ । ଏହି ଦୁହିଁଙ୍କ ପଛେ ପଛେ ସୂର୍ଯ୍ୟଦତ୍ତ ଓ ମଦିରାକ୍ଷ ନାମକ ପ୍ରଧାନ ବୀରଦ୍ୱୟ ସୈନ୍ୟସଂଗ୍ରହପୂର୍ବକ ତ୍ରିଗର୍ତ୍ତଙ୍କ ରଥସମୂହକୁ ଲକ୍ଷ୍ୟ କରି ସେଠାରେ ପହଞ୍ଚିଲେ ।୨୧। ବିରାଟ ରାଜା ତ୍ରିଗର୍ତ୍ତ ରାଜାଙ୍କର ପାଞ୍ଚଶତ ରଥୀ, ପାଞ୍ଚ ମହାରଥୀ ଓ ଆଠଶତ ଅଶ୍ୱାରୋହୀ ସୈନ୍ୟମାନଙ୍କୁ ସଂହାର କରି ନାନା ସ୍ଥାନରେ ଭ୍ରମଣପୂର୍ବକ ପରିଶେଷରେ ତ୍ରିଗର୍ତ୍ତ ରାଜା ସୁଶର୍ମାଙ୍କ ସୁବର୍ଣ୍ଣମୟ ରଥ ନିକଟରେ ପହୁଞ୍ଚିଲେ ।୨୩।

 

ସେଠାରେ ସେହି ମହାବୀର ଦୁହେଁ ପ୍ରଥମରେ ଭୟଙ୍କର ଗର୍ଜନପୂର୍ବକ ଗୋଷ୍ଠସ୍ଥିତ ମହାବୃଷଭ ଦୁହିଁଙ୍କ ପରି ବାକ୍‌ଯୁଦ୍ଧ ଆରମ୍ଭ କଲେ ।୨୪। ତହିଁ ଉତ୍ତାରୁ ନରଶ୍ରେଷ୍ଠ, ଯୁଦ୍ଧବିଶାରଦ, ତ୍ରିଗର୍ତ୍ତ ରାଜା ସୁଶର୍ମା ଦ୍ୱୈରଥ ଯୁଦ୍ଧରେ ମତ୍ସ୍ୟରାଜାଙ୍କ ନିକଟରେ ପ୍ରବେଶ କଲେ ।୨୫। ତହିଁ ଉତ୍ତାରୁ ସେହି କ୍ରୋଧାବିଷ୍ଟ ବୀର ଦୁହେଁ ରଥରେ ବସି ପରସ୍ପର ସମ୍ମୁଖୀନ ହୋଇ ଦୁଇ ମେଘ ଜଳଧାରା ବର୍ଷଣ କଲାପ୍ରାୟ ଶରବୃଷ୍ଟି କଲେ ଓ ଖଡ଼୍‌ଗ, ଶକ୍ତି, ଗଦା ପ୍ରଭୃତି ଅସ୍ତ୍ରଶସ୍ତ୍ରମାନଙ୍କୁ ଧାରଣପୂର୍ବକ ପରସ୍ପର ଯୁଦ୍ଧ କରି କରି ଯୁଦ୍ଧକ୍ଷେତ୍ରରେ ଭ୍ରମଣ କରୁଥିଲେ ।୨୭। ତହିଁ ଉତ୍ତାରୁ ବିରାଟ ରାଜା ସୁଶର୍ମାଙ୍କ ଦଶଗୋଟି ଅଶ୍ୱଙ୍କୁ ପାଞ୍ଚ ପାଞ୍ଚ ବାଣରେ ପ୍ରହାର କଲେ ।୨୮। ଉତ୍କୃଷ୍ଟ ଅସ୍ତ୍ରବିଦ୍ୟାବିଶାରଦ ମହାବୀର ସୁଶର୍ମା ମଧ୍ୟ ବିରାଟ ରାଜାଙ୍କୁ ସୁତୀକ୍ଷଣ ପଞ୍ଚାଶତ୍ ଶରରେ ପ୍ରହାର କଲେ ।୨୯। ହେ ମହାରାଜ ! ଜନ୍ମେଜୟ ! ସେହି ଦୁଇରାଜାଙ୍କର ଏତାଦୃଶ ଭୟଙ୍କର ଯୁଦ୍ଧ ହେଲା ଯେ ଉଭୟ ପକ୍ଷର ସୈନ୍ୟମାନେ ଧୂଳିରେ ଆଚ୍ଛନ୍ନ ହୋଇ କେହି କାହାକୁ ଚିହ୍ନିପାରିଲେ ନାହିଁ ।୩୦।

 

ଅଧ୍ୟାୟ – ୩୩

 

ବୈଶମ୍ପାୟନ କହିଲେ- ହେ ଭାରତ ! ଯୁଦ୍ଧସ୍ଥଳରେ ଧୂଳି ଓ ରାତ୍ରିର ଅନ୍ଧକାର ହେତୁରୁ କିଛି ଦୃଶ୍ୟ ନ ହେବାରୁ ସୈନ୍ୟମାନେ ଚନ୍ଦ୍ରଙ୍କ ଉଦୟକାଳ ପର୍ଯ୍ୟନ୍ତ ବିଶ୍ରାମ କରିଥିଲେ ।୧। ତାହା ଉତ୍ତାରୁ ନିଶାକର ରାତ୍ରିର ଅନ୍ଧକାର ବିନାଶ କରି ରଣକ୍ଷେତ୍ରସ୍ଥିତ କ୍ଷତ୍ରିୟମାନଙ୍କର ଆନନ୍ଦ ବର୍ଦ୍ଧନପୂର୍ବକ ଆକାଶରେ ଉଦିତ ହେଲେ ।୨। ସେହି ସମୟରେ ପୁନଶ୍ଚ ସୈନ୍ୟମାନେ ଭୟଙ୍କର ଯୁଦ୍ଧ କଲେ । କିନ୍ତୁ ଦିଗସବୁ ଧୂଳିରାଶିରେ ଆଚ୍ଛନ୍ନ ହେବାରୁ ପରସ୍ପର ଦେଖାଦେଖି ହୋଇପାରିଲେ ନାହିଁ ।୩। ଏଥି ଉତ୍ତାରୁ ତ୍ରିଗର୍ତ୍ତରାଜ ସୁଶର୍ମା ଆପଣାର କନିଷ୍ଠ ଭ୍ରାତା ସୁଧର୍ମାଙ୍କ ସଙ୍ଗରେ ରଥ ସମୂହରେ ବେଷ୍ଟିତ ବିରାଟ ରାଜାଙ୍କୁ ଆକ୍ରମଣ କରିବା ଇଚ୍ଛାରେ ସ୍ୱ ସ୍ୱ ରଥରୁ ଅବତୀର୍ଣ୍ଣ ହୋଇ, ସହୋଦର ଦୁହେଁ ହସ୍ତରେ ଗଦା ଧରି ଶତ୍ରୁପକ୍ଷର ରଥସମୂହ ପ୍ରତି ଧାବିତ ହେଲେ ।୫। ସେହି ସମୟରେ ଦୁଇପକ୍ଷର ସୈନ୍ୟମାନେ ମଧ୍ୟ ସୁତୀକ୍ଷ୍‌ଣ ଗଦା, ଅସି, ଖଡ଼୍‌ଗ, ପରଶୁ ଓ ପାଶ ପ୍ରଭୃତି ଶସ୍ତ୍ରସବୁ ହସ୍ତରେ ଧରି ସେହି ପ୍ରକାର ପରସ୍ପରକୁ ଆକ୍ରମଣ କଲେ ।୬।

 

ତ୍ରିଗର୍ତ୍ତର ଅଧୀଶ୍ୱର ସୁଶର୍ମା ବିରାଟ ରାଜାଙ୍କର ସୈନ୍ୟମାନଙ୍କୁ ପରାଜିତ କରି ପରିଶେଷରେ ଅତି ବଳିଷ୍ଠ ବିରାଟଙ୍କୁ ଆକ୍ରମଣ କରିବା ନିମିତ୍ତ ଧାବିତ ହେଲେ ।୭। ସେହି ବଳିଷ୍ଠ ସୋଦର ଦୁହେଁ ବିରାଟଙ୍କୁ ଆକ୍ରମଣ କରି ବିଭାଗାନୁସାରେ ତାହାଙ୍କୁ ରଥବାହକ ଦୁଇ ଦୁଇ ଘୋଟକ, ଦୁଇ ଦୁଇ ସାରଥୀ ଓ ସମସ୍ତ ପୃଷ୍ଠରକ୍ଷକ ସୈନ୍ୟମାନଙ୍କୁ ସଂହାର କଲେ । ବିରାଟ ରାଜା ଏହି ପ୍ରକାର ବିରଥ ହେବାରୁ ସେହି ସମୟରେ ତ୍ରିଗର୍ତ୍ତ ରାଜା ସୁଶର୍ମା ତାହାଙ୍କୁ ବିଶେଷ ପ୍ରହାର କରି ସ୍ୱକୀୟ ରଥରେ ବସାଇଲେ ଓ କାମୁକ ପୁରୁଷ ରମଣୀ ପ୍ରାପ୍ତ ହେଲା ପ୍ରାୟ ଆନନ୍ଦିତ ହୋଇ ଶୀଘ୍ର ରଥରେ ଗମନ କଲେ ।୯। ତ୍ରିଗର୍ତ୍ତରାଜ ବିରାଟଙ୍କୁ ବଳପୂର୍ବକ ଧରି ନେଇଥିବାରୁ ଓ ତ୍ରିଗର୍ତ୍ତ ରାଜାଙ୍କ ସୈନ୍ୟମାନେ ବିରାଟଙ୍କ ସୈନ୍ୟମାନଙ୍କୁ ବିଶେଷ ପୀଡ଼ା ଦେବାରୁ ସେମାନେ ଭୟରେ ଚତୁର୍ଦ୍ଦିଗକୁ ପଳାଇ ଗଲେ ।୧୦।

 

କୁନ୍ତୀନନ୍ଦିନୀ ଯୁଧିଷ୍ଠିର ବିରାଟଙ୍କର ଭୟଗ୍ରସ୍ତ ରଣପରାଙ୍ଗମୁଖ ସୈନ୍ୟମାନଙ୍କୁ ଦେଖି ଶତ୍ରୁତାପନ ଭୀମସେନଙ୍କୁ କହିଲେ ।୧୧।, ହେ ମହାବାହୋ ! ଦେଖ ସୁଶର୍ମା ବିରାଟଙ୍କୁ ବଳପୂର୍ବକ ନେଇ ଯାଉଅଛି । ତୁମ୍ଭେ ଶତ୍ରୁ ହସ୍ତରୁ ତାହାଙ୍କୁ ଶୀଘ୍ର ରକ୍ଷାକର । ଆମ୍ଭମାନଙ୍କ ସାକ୍ଷାତରେ ସେ ଶତ୍ରୁର ଅଧୀନ ନୁହନ୍ତୁ ।୧୨। ଦେଖ, ଆମ୍ଭେ ଏତେଦିନ ହେଲା ନିଜ ନିଜ ଅଭୀଷ୍ଟ ଅନ୍ନ ପାନାଦି ଗ୍ରହଣ କରି ଆଦର ସହିତ ତାହାଙ୍କ ଗୃହରେ ବାସ କରିଥାଇଁ । ସମ୍ପ୍ରତି ଶତ୍ରୁ ହସ୍ତରୁ ତାହାଙ୍କୁ ରକ୍ଷା କଲେ ଋଣମୁକ୍ତ ହେବା ।୧୩। ଭୀମସେନ କହିଲେ, ଆପଣଙ୍କ ଆଜ୍ଞାନୁସାରେ ମୁଁ ଅନ୍ୟ କାହାର ସାହାଯ୍ୟ ଅପେକ୍ଷା ନ କରି କେବଳ ନିଜର ବାହୁପରାକ୍ରମରେ ଶତ୍ରୁହସ୍ତରୁ ବିରାଟଙ୍କୁ ପରିତ୍ରାଣ କରୁଅଛି । ଆପଣ, ନକୁଳ ଓ ସହଦେବଙ୍କୁ ସଙ୍ଗରେ ନେଇ ଏକାନ୍ତ ସ୍ଥାନରେ ବସନ୍ତୁ ଓ ଏହି ଯୁଦ୍ଧରେ ମୁଁ କି ପ୍ରକାର ପରାକ୍ରମ ସହିତ ଉତ୍କୃଷ୍ଟ କର୍ମ ନିର୍ବାହ କରିବି, ତାହା ଦେଖିବା ହେଉନ୍ତୁ ।୧୫। ଏହି ମହାବୃକ୍ଷଟି ମୋହର ଗଦାର କାର୍ଯ୍ୟ କରିବ; ଏହାକୁ ଭଗ୍ନ କରି ଅନାୟାସରେ ଦୃଢ଼ତର ଆଘାତ ପ୍ରଦାନପୂର୍ବକ ଶତ୍ରୁମାନଙ୍କୁ ସଂହାର କରିବି ।୧୬।

 

ବୈଶମ୍ପାୟନ କହିଲେ, ଭୀମସେନବୀର ମତ୍ତ ହସ୍ତୀପ୍ରାୟ ସେହି ବୃକ୍ଷକୁ ନିରୀକ୍ଷଣ କରିବାରୁ ଧର୍ମରାଜ ଯୁଧିଷ୍ଠିର ତାହାଙ୍କୁ କହିଲେ ।୧୭।, ଭ୍ରାତା ! ତୁମ୍ଭେ ଏତାଦୃଶ ସାହସିକ କାର୍ଯ୍ୟକୁ କର ନାହିଁ, ଏହି ବୃକ୍ଷ ଥାଉ । ତୁମ୍ଭେ ବୃକ୍ଷରେ ସୈନ୍ୟମାନଙ୍କୁ ସଂହାର କଲେ ଏହି ଅମାନୁଷିକ କାର୍ଯ୍ୟ ଦେଖି ସମସ୍ତେ ତୁମ୍ଭଙ୍କୁ ଭୀମସେନ ବୋଲି ଜାଣିପାରିବେ । ଅତଏବ ମନୁଷ୍ୟର ଉପଯୁକ୍ତ ଧନୁଶର, ଶକ୍ତି, ଖଡ଼୍‌ଗ, ଅଥବା ପରଶୁ, ଇତ୍ୟାଦି କୌଣସି ଅସ୍ତ୍ରଶସ୍ତ୍ର ଧରି ବିରାଟଙ୍କୁ ଶୀଘ୍ର ରକ୍ଷା କର । ମହାବଳ ନକୁଳ ଓ ସହଦେବ ଦୁହେଁ ତୁମ୍ଭର ପାର୍ଶ୍ୱରେ ରହି ସୈନ୍ୟମାନଙ୍କୁ ରକ୍ଷା କରିବେ ।୨୦। ଏହି ପ୍ରକାରରେ ତୁମ୍ଭେମାନେ ସମସ୍ତେ ଏକମେଳ ହୋଇ ବିରାଟଙ୍କୁ ରକ୍ଷା କର ।୨୧। ବୈଶମ୍ପାୟନ କହିଲେ, ଯୁଧିଷ୍ଠିର ରାଜା ଏହିପ୍ରକାର କହିବାରୁ ବଳିଷ୍ଠଶ୍ରେଷ୍ଠ ଅତିଶୀଘ୍ର ଗୋଟିଏ ଉତ୍କୃଷ୍ଟ ଧନୁକୁ ଧରି ନୂତନ ଜଳଧାରା ବର୍ଷଣ କଲାପ୍ରାୟ ଅସଂଖ୍ୟ ଶରରାଶି ବର୍ଷଣ କରି ବିରାଟ ରାଜାଙ୍କୁ କହିଲେ, ହେ ମହାତ୍ମନ୍‌ ! ଆପଣ ସ୍ଥିର ହୁଅନ୍ତୁ ଓ କି ପ୍ରକାର ମୁଁ ଶତ୍ରୁକୁଳକୁ ସଂହାର କରୁଅଛି, ତାହା ଦେଖିବା ହେଉନ୍ତୁ । ଏଥିଉତ୍ତାରୁ ‘ରହ ରହ’ ବୋଲି କହି ସେ ସୁଶର୍ମାଆଡ଼କୁ ଧାବିତ ହେଲେ ।

 

ବୀରବର ସୁଶର୍ମା, ପଛେ ପଛେ ‘ରହ ରହ’ ବୋଲି କହି କାଳାନ୍ତକ ଯମସଦୃଶ ଧାବିତ ହେଉଥିବା ଭୀମସେନଙ୍କୁ ଦେଖି ମହାଭୟଙ୍କର ଯୁଦ୍ଧ ଉପସ୍ଥିତ ହେଲା ବୋଲି ବିଶେଷ ଚିନ୍ତା କଲେ ଓ ଭ୍ରାତୃମାନଙ୍କ ସହିତ ପ୍ରତ୍ୟାବର୍ତ୍ତିତ ହୋଇ କୋଦଣ୍ଡ ଧାରଣପୂର୍ବକ ତାହାଙ୍କ ସଙ୍ଗେ ମହାଯୁଦ୍ଧ ଆରମ୍ଭ କଲେ । ଏଥିଉତ୍ତାରୁ ବୀରକୁଳଚୂଡ଼ାମଣି ମହାବାହୁ ଭୀମସେନ ଅତି ଅଳ୍ପ ସମୟ ମଧ୍ୟରେ ବିରାଟଙ୍କ ନିକଟରେ ସହସ୍ର ସହସ୍ର ଧନୁର୍ଦ୍ଧର ଅଶ୍ୱାରୋହୀ, ଗଜାରୋହୀ, ଅଶ୍ୱ ଓ ଗଜମାନଙ୍କୁ ସଂହାର କରି ମୃତ ବୀରମାନଙ୍କ ଗଦାରେ ଅପରିମିତ ପଦାତିକ ସୈନ୍ୟମାନଙ୍କୁ ଯମାଳୟକୁ ପ୍ରେରଣ କଲେ ।୨୮। ଯୁଦ୍ଧବିଶାରଦ ସୁଶର୍ମା ତାଦୃଶ ଭୟଙ୍କର ଯୁଦ୍ଧରେ ଅସଂଖ୍ୟ ସୈନ୍ୟକ୍ଷୟ ହେବାର ଦେଖି ବିଶେଷ ଚିନ୍ତା କଲେ ଓ କିଛିକ୍ଷଣ ପରେ କର୍ଣ୍ଣପର୍ଯ୍ୟନ୍ତ କୋଦଣ୍ଡ ଆକର୍ଷଣପୂର୍ବକ ବାର ବାର ସୁତୀକ୍ଷ୍‌ଣ ଶରରାଶି ନିକ୍ଷେପ କଲେ ।୩୦।

 

ବୈଶମ୍ପାୟନ କହିଲେ, ଏଥିଉତ୍ତାରୁ ଯୁଧିଷ୍ଠିର, ଭୀମ, ନକୁଳ ଓ ସହଦେବ, ଏହିମାନେ କ୍ରୋଧାବିଷ୍ଟ ହୋଇ ତ୍ରିଗର୍ତ୍ତ ରାଜାଙ୍କ ସଙ୍ଗେ ଯୁଦ୍ଧ କରୁଥିବାର ଦେଖି ସମସ୍ତ ମତ୍ସ୍ୟ ସେନାମାନେ ଅତିଶୟ ସାହସ ଓ ରୋଷସହିତ ପ୍ରତ୍ୟାବର୍ତ୍ତିତ ହୋଇ ତ୍ରିଗର୍ତ୍ତ ରାଜାଙ୍କ ସଙ୍ଗେ ଅତି ଅଦ୍ଭୁତ ଯୁଦ୍ଧ କଲେ ।୩୨। କୁନ୍ତୀପୁତ୍ର ଯୁଧିଷ୍ଠିରଙ୍କ ହସ୍ତରେ ଏକ ସହସ୍ର ସୈନ୍ୟ ଓ ଭୀମସେନଙ୍କ ହସ୍ତରେ ସପ୍ତ ସହସ୍ର ସୈନ୍ୟ ଯମଭୂବନକୁ ପ୍ରେରିତ ହେଲେ ।୩୩। ତାହା ଉତ୍ତାରୁ ଯୁଧିଷ୍ଠିରଙ୍କ ଆଜ୍ଞାରେ ପୁରୁଷଶ୍ରେଷ୍ଠ ନକୁଳ ସପ୍ତଶତ ଓ ପ୍ରତାପଶାଳୀ ସହଦେବ ତିନିଶତ ସୈନ୍ୟଙ୍କର ପ୍ରାଣ ସଂହାର କରିବାରୁ ତ୍ରିଗର୍ତ୍ତରାଜ ସୁଶର୍ମାଙ୍କ ହସ୍ତରୁ ଉଗ୍ର ଆୟୁଧ ଖସିପଡ଼ିଲା ।୩୫। ମହାବଳଶାଳୀ ମହାରଥୀ ଯୁଧିଷ୍ଠିର ତ୍ରିଗର୍ତ୍ତମାନଙ୍କ ମହାସୈନ୍ୟମାନଙ୍କୁ ସଂହାର କରି ପରିଶେଷରେ ସୁଶର୍ମାଙ୍କୁ ଖରତର ଶର ପ୍ରହାର କଲେ । ସୁଶର୍ମା ମଧ୍ୟ ଅତିଶୟ କ୍ରୋଧରେ ଯୁଧିଷ୍ଠିରଙ୍କୁ ନଅଗୋଟି ଓ ତାହାଙ୍କର ଚାରିଗୋଟି ଅଶ୍ୱମାନଙ୍କୁ ଚାରିଗୋଟି ବାଣ ବିନ୍ଧିଲେ ।

 

ହେ ଜନ୍ମେଜୟ ! ଏଥିଉତ୍ତାରୁ ମହାବାହୁ ଭୀମ ସୁଶର୍ମାଙ୍କୁ ଆକ୍ରମଣ କରି ସୁତୀକ୍ଷ୍‌ଣ ଶର ଆଘାତରେ ତାହାଙ୍କର ଘୋଟକମାନଙ୍କୁ ଓ ପୃଷ୍ଠରକ୍ଷକ ସୈନ୍ୟମାନଙ୍କୁ ସଂହାର କରି ଅତିଶୟ କ୍ରୋଧରେ ସୁଶର୍ମାଙ୍କୁ ରଥ ଉପରୁ ଭୂତଳକୁ ପକାଇ ଦେଲେ । ସେହି ସମୟରେ ତ୍ରିଗର୍ତ୍ତ ରାଜାଙ୍କର ପାର୍ଶ୍ୱକ୍ଷକ ବିଖ୍ୟାତ ବୀର ମଦିରାକ୍ଷ ଭୂତଳରୁ ସୁଶର୍ମାଙ୍କୁ ନେଇ ପଳାଇଗଲା । ବିରାଟ ରାଜା ତାହା ଦେଖି ସୁଶର୍ମାଙ୍କ ରଥରୁ ତତ୍‌କ୍ଷଣାତ ଖସିପଡ଼ି ତାହାଙ୍କ ଗଦାକୁ ଧରି ବୃଦ୍ଧ ହେଲେ ସୁଦ୍ଧା ତରୁଣ ଲୋକପ୍ରାୟ ତାହାଙ୍କର ପଶ୍ଚାତ୍ ପଶ୍ଚାତ୍ ଧାବମାନ ହେଲେ ।୪୨। ତ୍ରିଗର୍ତ୍ତ ରାଜା ପଳାଇ ଯିବାରୁ ଭୀମସେନ କହିଲେ, ହେ ରାଜପୁତ୍ର ! ତୁମ୍ଭର ପଳାଇ ଯିବାର କଦାପି ଉଚିତ ନୁହେଁ । ଅତଏବ ରହ ରହ ।୪୩। ତୁମ୍ଭେ ଏହି ପରାକ୍ରମରେ ବଳପୂର୍ବକ ଗୋଧନମାନଙ୍କୁ ଅପହରଣ କରିବାକୁ କାହିଁକି ଇଚ୍ଛା କଲ ଓ ଅନୁଚରମାନଙ୍କୁ ବିନାଶ କରାଇ ଶତ୍ରୁଙ୍କ ସମ୍ମୁଖରେ କାହିଁକି ଏତାଦୃଶ କଷ୍ଟ ସହ୍ୟ କଲ ?୪୪।

 

ରଥଯୁଥପତି ବଳିଷ୍ଠ ସୁଶର୍ମା ଭୀମସେନଙ୍କର ଏତାଦୃଶ ଅସହନୀୟ ବାକ୍ୟ ଶ୍ରବଣ କରି ‘ରହ ରହ’ ବୋଲି କହି ଭୀମସେନଙ୍କ ନିକଟକୁ ଧାବିତ ହେଲେ ।୪୫। ବଳିଷ୍ଠଶ୍ରେଷ୍ଠ ମହାବାହୁ ଭୀମସେନ, ସୁଶର୍ମାଙ୍କର ପ୍ରାଣ ବିନାଶ କରିବା ଇଚ୍ଛାରେ ରଥରୁ ଓହ୍ଲାଇ ସିଂହ କ୍ଷୁଦ୍ର ମୃଗକୁ ଆକ୍ରମଣ କଲାପ୍ରାୟ ଅତିଶୀଘ୍ର ତାହାଙ୍କ ସମ୍ମୁଖକୁ ଯାଇ କେଶକୁ ଆକର୍ଷଣ କରି ଊର୍ଦ୍ଧ୍ୱକୁ ନିକ୍ଷେପ କଲେ ଓ ଭୂତଳରେ ଗଡ଼ାଇ ଗଡ଼ାଇ ବାରମ୍ବାର ମସ୍ତକରେ ପଦାଘାତ କଲେ । ସୁଶର୍ମା କଷ୍ଟରେ ବିଳାପ କରି କରି ବାରମ୍ବାର ମହାପ୍ରହାରକୁ ସହ୍ୟ କରିନପାରି ମୂର୍ଚ୍ଛିତ ହେଲେ ।୪୯। ମୂର୍ଚ୍ଛିତ, ବିରଥ ତ୍ରିଗର୍ତ୍ତରାଜାଙ୍କର ଅବସ୍ଥା ଦେଖି ତାହାଙ୍କର ସୈନ୍ୟମାନେ ଭୟରେ ଆତୁର ହୋଇ ଯୁଦ୍ଧସ୍ଥଳରୁ ପଳାଇଲେ ।୫୦। ବିରାଟଙ୍କର ମହାକ୍ଲେଶନାଶକାରୀ, ଲଜ୍ଜାଭୟଶୀଳ, ସତ୍ୟବ୍ରତ, ମହାତ୍ମା ପାଣ୍ଡୁପୁତ୍ରମାନେ ନିଜ ନିଜ ବାହୁବଳରେ ସୁଶର୍ମାଙ୍କୁ ପରାଜୟ କରି ସମସ୍ତ ଧନ ଓ ଗୋଧନମାନଙ୍କୁ ଫେରାଇ ଆଣି ରାଜାଙ୍କ ନିକଟରେ ଉପସ୍ଥିତ ହେଲେ ।

 

ସେହି ସମୟରେ ଭୀମସେନ ହତବୁଦ୍ଧି ସୁଶର୍ମାଙ୍କୁ ଅବଲୋକନ କରି କହିଲେ, ଏହି ପାପାତ୍ମାର ପ୍ରାଣରକ୍ଷା କରିବାକୁ ମୋର ଇଚ୍ଛା ହେଉନାହିଁ । କିନ୍ତୁ ରାଜା ତ ଦୟାଳୁ, ମୁଁ କି କରି ପାରିବି ? ଏହା କହି ଧୂଳିଧୁସରିତ, ବିଚାରଶୂନ୍ୟ, ସୁଶର୍ମାଙ୍କୁ ବାନ୍ଧି ରଥରେ ବସାଇ ସମର ମଧ୍ୟରେ ଯୁଧିଷ୍ଠିରଙ୍କୁ ଦେଖାଇଲେ । ଦୟାଳୁମଣି ଧର୍ମରାଜ ଯୁଧିଷ୍ଠିର ଯୁଦ୍ଧକ୍ଷେତ୍ରର ଶୋଭାବର୍ଦ୍ଧନକାରୀ ଭୀମଙ୍କୁ ହସି କରି କହିଲେ, ହେ ଭ୍ରାତ ! ଏ ଅଧମ ଲୋକକୁ ଛାଡ଼ିଦିଅ । ଭୀମସେନ ଯୁଧିଷ୍ଠିରଙ୍କର ଏହି ଆଦେଶ ବାକ୍ୟ ଶୁଣି ସୁଶର୍ମାଙ୍କୁ କହିଲେ ।୫୮।, ଆରେ ନରାଧମ ! ଯୁଦ୍ଧ ଜୟ ସମ୍ବନ୍ଧରେ ଗୋଟିଏ ପ୍ରଧାନ ବିଧି ଏହି ଅଛି । ପରାଜିତ ବ୍ୟକ୍ତି, ସମାଜ ଓ ସଭା ମଧ୍ୟରେ ବିଜୟୀ ବ୍ୟକ୍ତିଙ୍କର ଦାସତ୍ୱ କରିବାକୁ ସ୍ୱୀକୃତ ହେଲେ ତାହାର ପ୍ରାଣରକ୍ଷା ହୋଇପାରେ । ଅତଏବ ତୁ ଯଦି କିଛିଦିନ ବଞ୍ଚିବାକୁ ଇଚ୍ଛା କରୁ, ତେବେ ମୋର କଥା ଅନୁସାରେ ସଭା ମଧ୍ୟରେ ବିରାଟ ରାଜାଙ୍କର ଦାସତ୍ୱ ସ୍ୱୀକାର କର । ତାହାହେଲେ ଆମ୍ଭେ ତୋର ପ୍ରାଣରକ୍ଷା କରି ପାରିବା ।

 

ଯୁଧିଷ୍ଠିର ଏହି ବାକ୍ୟ ଶୁଣି ଭୀମସେନଙ୍କୁ ସ୍ନେହ ପ୍ରକାଶ କରି କହିଲେ ।୬୦।, ହେ ଭ୍ରାତ ! ତୁମ୍ଭେ ମୋର ବାକ୍ୟକୁ ଯଦି ପ୍ରମାଣ କରି ମାନ, ତେବେ ଏହି ଦୁରାତ୍ମାକୁ ଛାଡ଼ିଦିଅ । ଏ ବିରାଟ ରାଜାଙ୍କର ଦାସ ହେଲାଣି । ହେ ସୁଶର୍ମନ ! ଆମ୍ଭେ ତୁମ୍ଭଙ୍କୁ ଦାସତ୍ୱଶୃଙ୍ଖଳରୁ ମୁକ୍ତ କରାଇଲୁ-। ତୁମ୍ଭେ ବିରାଟଙ୍କର ଦାସ ନ ହୋଇ ଯାଅ । ଆଜିଠାରୁ ଆଉ ଏତାଦୃଶ ସାହସିକ କାର୍ଯ୍ୟ କଦାପି କରିବ ନାହିଁ ।୬୧।

 

ଅଧ୍ୟାୟ – ୩୪

 

ବୈଶମ୍ପାୟନ କହିଲେ- ଯୁଧିଷ୍ଠିର ଏହିପ୍ରକାର କହିବାରୁ ସୁଶର୍ମା ଲଜ୍ଜାରେ ତଳକୁ ଅନାଇ ରହିଲେ । ତାହା ଉତ୍ତାରୁ ବନ୍ଧନରୁ ମୁକ୍ତ ହୋଇ ବିରାଟ ରାଜାଙ୍କର ସନ୍ନିଧିରେ ପ୍ରବେଶ କରି ତାହାଙ୍କୁ ବହୁତ ପ୍ରକାର ସ୍ତୁତିବାକ୍ୟ କହି ସ୍ୱଗୃହକୁ ପ୍ରସ୍ଥାନ କଲେ ।୧। ଅତୁଳ ଭୁଜବଳଶାଳୀ, ସଂଯମନଶୀଳ, ଲଜ୍ଜାଭୟକାରୀ, ଶତ୍ରୁହନ୍ତା ପାଣ୍ଡବମାନେ ସୁଶର୍ମାଙ୍କୁ ଛାଡ଼ିଦେଇ ସମର ଅଂଗଣ ମଧ୍ୟରେ ପରମସୁଖରେ ସେହି ରାତ୍ରିରେ ରହିଲେ ।୨। ରାତ୍ରି ପ୍ରଭାତ ହେଲାରୁ ବିରାଟ ରାଜା ଅମାନୁଷ ପରାକ୍ରମଶାଳୀ, ମହାରଥ, କୁନ୍ତୀପୁତ୍ରମାନଙ୍କୁ ବହୁତ ଧନ ଓ ସମୁଚିତ ସମ୍ମାନ ଦେଇ ସତ୍କାର କର୍ମ କଲେ ।୩। ବିରାଟ କହିଲେ, ହେ ଗନ୍ଧର୍ବମାନେ ! ତୁମ୍ଭେମାନେ ମୋର ଯାବତୀୟ ଧନରତ୍ନରେ ମୋ ପ୍ରାୟ ଅଧିକାରୀ ହେଲ । ଅଳଙ୍କାରମଣ୍ଡିତ କନ୍ୟା, ନାନାପ୍ରକାର ଧନରତ୍ନ ଓ ଅନ୍ୟାନ୍ୟ ଯେତେପ୍ରକାର ପଦାର୍ଥ ଅଛି, ତାହା ସବୁ ତୁମ୍ଭଙ୍କୁ ସମର୍ପଣ କଲି । ତୁମ୍ଭେମାନେ ଇଚ୍ଛା ଅନୁସାରେ କାର୍ଯ୍ୟକରି ସୁଖରେ ଯାଅ । ହେ ରିପୁଦଳନମାନେ ! ତୁମ୍ଭମାନଙ୍କ ବାହୁବଳରେ ମୁଁ ବିପତ୍ତିରୁ ପରିତ୍ରାଣ ଲାଭ କରି ପ୍ରାଣ ପାଇଲି । ଅତଏବ ତୁମ୍ଭେମାନେ ଆଜିଠାରୁ ଏହି ମତ୍ସ୍ୟ ରାଜ୍ୟର ଅଧୀଶ୍ୱର ହେଲ ।୬।

 

ବୈଶମ୍ପାୟନ କହିଲେ, ଯୁଧିଷ୍ଠିର ପ୍ରଭୃତି ପାଣ୍ଡବମାନେ ମତ୍ସ୍ୟରାଜାଙ୍କର ତାଦୃଶ ବିନୟ ବାକ୍ୟ ଶ୍ରବଣ କରି ପ୍ରତ୍ୟେକେ କୃତାଞ୍ଜଳିପୁଟରେ ଜଣାଇଲେ ।୭।, ମତ୍ସ୍ୟରାଜ ! ଆପଣଙ୍କର ମଧୁର ବାକ୍ୟରେ ଆମ୍ଭେମାନେ ସମସ୍ତେ ଉତ୍ତମରୂପେ ଆନନ୍ଦିତ ହେଲୁ । ଆପଣ ଶତ୍ରୁହସ୍ତରୁ ରକ୍ଷା ପାଇଲାରୁ ଆମ୍ଭେମାନେ ଅତିଶୟ ସନ୍ତୁଷ୍ଟ ଅଛୁ ।୮। ଅନନ୍ତର ରାଜଶ୍ରେଷ୍ଠ ମହାବାହୁ ମତ୍ସ୍ୟରାଜା ବିରାଟ ପୁନଶ୍ଚ ଆହ୍ଲାଦିତ ଯୁଧିଷ୍ଠିରଙ୍କୁ କହିଲେ, ହେ ବ୍ୟାଘ୍ରପଦ୍‌ଗୋତ୍ର କ୍ଷତ୍ରିୟଶ୍ରେଷ୍ଠ ! ଶତ୍ରୁନାଶନ ! ଆପଣଙ୍କୁ ପ୍ରଣାମ କରି ଜଣାଉଅଛି, ଆସିବା ହେଉନ୍ତୁ, ରାଜ୍ୟରେ ଅଭିଷିକ୍ତ ହେବେ । ଆପଣ ଆମ୍ଭମାନଙ୍କର ରାଜା ହେବେ । ଗୋଧନ, ଧନ, ରତ୍ନ, ସୁବର୍ଣ୍ଣ ପ୍ରଭୃତି ପୃଥିବୀର ଦୁର୍ଲ୍ଲଭ ପଦାର୍ଥମାନ ଆପଣଙ୍କୁ ସମର୍ପଣ କରିବି । ଆପଣ ମୋର ସମସ୍ତ ସମ୍ପତ୍ତି ଗ୍ରହଣ କରିବାର ଯୋଗ୍ୟ ପାତ୍ର ଅଟନ୍ତି, କାରଣ କେବଳ ଆପଣଙ୍କ ପ୍ରସାଦରେ ମୁଁ ଆଜି ରାଜ୍ୟଲାଭ କରି ଆପଣଙ୍କୁ ଦେଖୁଅଛି ଓ ଯାହାହେତୁରୁ ମହାଭୟ ଉପସ୍ଥିତ ହୋଇଥିଲା, ଆଜି ସେହି ବୈରୀ ମୋର ଅଧୀନ ହେଲା ।୧୩।

 

ଯୁଧିଷ୍ଠିର କହିଲେ, ହେ ମହୀପତେ ! ଆପଣଙ୍କର ମନୋହର ବାକ୍ୟ ଶୁଣି ମୁଁ ପରମ ସନ୍ତୁଷ୍ଟ ହେଲି । ପ୍ରାର୍ଥନା କରୁଅଛି, ଆପଣ ସମସ୍ତଙ୍କଠାରେ ଏହି ପ୍ରାୟ ସରଳ ଓ ସଦୟ ବ୍ୟବହାର କରି ସୁଖରେ ସମୟ ହରଣ କରନ୍ତୁ । ହେ ନରେନ୍ଦ୍ର ! ସମ୍ପ୍ରତି ଦୂତମାନେ ଆପଣଙ୍କ ନଗରକୁ ଯାଇ ସୁହୃଦ୍ ବ୍ୟକ୍ତିମାନଙ୍କୁ ପ୍ରିୟ ସଂବାଦ ଦେଇ ସବୁଠାରେ ଜୟ ହେବାର ଘୋଷଣା କରନ୍ତୁ । ବିରାଟ ରାଜା ଯୁଧିଷ୍ଠିରଙ୍କ କଥା ଅନୁସାରେ ଦୂତମାନଙ୍କୁ ଆଜ୍ଞା କଲେ, ତୁମ୍ଭେମାନେ ନଗରକୁ ଯାଇ ସମସ୍ତଙ୍କୁ ଆମ୍ଭର ବିଜୟ ସମ୍ବାଦ ଦିଅ । କନ୍ୟାମାନେ ଓ ଗଣିକାମାନେ ସମସ୍ତ ପ୍ରକାର ଅଳଙ୍କାର ପରିଧାନ କରି ଆମ୍ଭ ନଗରକୁ ଆସନ୍ତୁ ଓ ନାନା ପ୍ରକାର ବାଦ୍ୟକରମାନେ ସେମାନଙ୍କ ଆଗରେ ଆସିବାକୁ କହ । ମତ୍ସ୍ୟରାଜାଙ୍କର ଏହି ଆଜ୍ଞା ଶୁଣିଲା ମାତ୍ରେ ଦୂତମାନେ ତାହାକୁ ଶିରୋଧାର୍ଯ୍ୟ କରି ସେହି ରାତ୍ରିରେ ବିରାଟ ନଗରରେ ପ୍ରବେଶ କରି ସୁର୍ଯ୍ୟୋଦୟ ସମୟ ମଧ୍ୟରେ ସବୁଠାରେ ଜୟଘୋଷଣା କଲେ ।୧୮।

 

ଅଧ୍ୟାୟ – ୩୫

 

ବୈଶମ୍ପାୟନ କହିଲେ- ବିରାଟ ରାଜା ତ୍ରିଗର୍ତ୍ତ ରାଜାଙ୍କୁ ପରାଜିତ କରି ଆପଣାର ଗୋଧନମାନଙ୍କୁ ଗ୍ରହଣପୂର୍ବକ ନିଜ ନଗରକୁ ଗମନ କଲାରୁ ଦୁର୍ଯ୍ୟୋଧନ ସ୍ୱୀୟ ଅମାତ୍ୟ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅସ୍ତ୍ରବିଶାରଦ କୃପାଚାର୍ଯ୍ୟ, ଅଶ୍ୱତ୍‌ଥାମା, ଶକୁନି, ଦୁଃଶାସନ, ବିଂବିଶତି, ବିକର୍ଣ୍ଣ, ଚିତ୍ରସେନ, ଦୁର୍ମୁଖ, ଦୁଃଶଳ ଓ ଅନ୍ୟାନ୍ୟ ମହାରଥୀମାନଙ୍କୁ ସଙ୍ଗରେ ଘେନି ନଗରକୁ ଆସିଲେ ଓ ଗୋରକ୍ଷକମାନଙ୍କୁ ବିଶେଷ ପ୍ରହାର କରି ଗୋଧନମାନଙ୍କୁ ବଳାତ୍କାରରେ ଆକ୍ରମଣ କଲେ ।୪। ଅସଂଖ୍ୟ ରଥସମୂହ ଚତୁର୍ଦ୍ଦିଗରେ ବେଢ଼ିଯିବାରୁ କୁରୁସୈନ୍ୟମାନେ ଅନାୟାସରେ ଓ ବିନା ଭୟରେ ଷଷ୍ଠୀ ସହସ୍ର ଗୋଧନମାନଙ୍କୁ ସଂଗ୍ରହ କଲେ ।୫। ମହାରଥମାନେ, ସମସ୍ତ ଗୋପାଳମାନଙ୍କୁ ବିଶେଷ ପ୍ରହାର କରିବାରୁ ସେହିମାନଙ୍କର ଅତିଶୟ ଭୟଙ୍କର ଆର୍ତ୍ତନାଦ ଶୁଭୁଥିଲା ।୬। ଗୋରକ୍ଷମାନଙ୍କର ଅଧ୍ୟକ୍ଷ ଅତିଶୟ ଭୟରେ ବ୍ୟାକୁଳିତ ହୋଇ ଶୀଘ୍ର ରଥରେ ଆରୋହଣ କରି ଆର୍ତ୍ତନାଦ ପ୍ରକାଶପୂର୍ବକ ନଗରକୁ ଗଲା ।୭। ନଗରରେ ପ୍ରବେଶ ହେଲା ଉତ୍ତାରୁ ରଥରୁ ଓହ୍ଲାଇ ସମ୍ବାଦ ଦେବା ନିମିତ୍ତ ରାଜାଙ୍କ ମନ୍ଦିରକୁ ଗଲା ।୮। ଗୋପାଳ ଅଧ୍ୟକ୍ଷ ରାଜାଙ୍କ ମନ୍ଦିରରେ ପ୍ରବେଶ କରି ବିରାଟଙ୍କର ଭୂମିଞ୍ଜୟ ନାମକ ପ୍ରଶଂସିତ ପୁତ୍ରଙ୍କୁ ଦେଖି ତାହାଙ୍କ ନିକଟରେ ରାଜ୍ୟର ଗୋଧନହରଣର ସମସ୍ତ ବୃତ୍ତାନ୍ତ କହିଲା ।୯।

 

ଗୋପାଳ ସରଦାର ଜଣାଇଲା, ହେ ରାଜ୍ୟବର୍ଦ୍ଧନ ରାଜପୁତ୍ର ! କୌରବମାନେ ଆପଣଙ୍କର ଷଷ୍ଠୀସହସ୍ର ଗୋଧନମାନଙ୍କୁ ହରଣ କରି ନେଇ ଯାଉଅଛନ୍ତି; ଅତଏବ ସେମାନଙ୍କୁ ଫେରାଇ ଆଣିବାକୁ ଆପଣ ଶୀଘ୍ର ଶୁଭାଗମନ କରିବା ହେଉନ୍ତୁ ।୧୦। ହେ ରାଜପୁତ୍ର ! ଯଦି ମଙ୍ଗଳ ଲାଭ କରିବାକୁ ଇଚ୍ଛା ଥାଏ, ତେବେ ଶୀଘ୍ର ଯୁଦ୍ଧ ନିମିତ୍ତ ଅନୁକୂଳ କରିବା ହେଉନ୍ତୁ । ମହୀପତି ଆପଣଙ୍କ ହସ୍ତରେ ସମସ୍ତ ରାଜ୍ୟର ଭାର ଅର୍ପଣ କରି ଅଛନ୍ତି ।୧୧। ‘ଆମ୍ଭର ପୁତ୍ର ଅତିଶୟ ପରାକ୍ରମଶାଳୀ, ସମସ୍ତ ଅସ୍ତ୍ର ବିଦ୍ୟାରେ ପଣ୍ଡିତ, କୁଳଧର୍ମରକ୍ଷକ ଓ ସର୍ବ ବିଷୟରେ ଆମ୍ଭର ତୁଲ୍ୟ ।’ ଏହି କଥା ନରପତି ସଭା ମଧ୍ୟରେ ସର୍ବଦା କହି ଆପଣଙ୍କର ପ୍ରଶଂସା କରୁଥାଆନ୍ତି-। ଅତଏବ ସମ୍ପ୍ରତି ତାହାଙ୍କର ସେହି ବଚନ ଯେ ପ୍ରକାର ସତ୍ୟ ବୋଲି ଜଣାଯିବ, ତାହା କରିବା ହେଉନ୍ତୁ ।୧୩। ହେ ପଶୁଧନଶାଳୀଶ୍ରେଷ୍ଠ ! ଆପଣ ଭୟଙ୍କର ଶର-ଅଗ୍ନିଦ୍ୱାରା କୌରବ ସୈନ୍ୟମାନଙ୍କୁ ଭସ୍ମକରି ପଶୁମାନଙ୍କୁ ଫେରାଇ ଆଣିବା ହେଉନ୍ତୁ ।୧୪।

 

ଗୋଟିଏ ଯୂଥପତି ହସ୍ତୀ, ହସ୍ତୀ ଦଳମାନଙ୍କୁ ଦଳି ଦେଲାପ୍ରାୟ ଆପଣ ସୁବର୍ଣ୍ଣମୟ ପୁଙ୍ଖ, ଅତି ନିର୍ମଳ ଗ୍ରନ୍ଥିଶୂନ୍ୟ ଚାପବିମୁକ୍ତ ଶରମାନଙ୍କ ପ୍ରହାର ଦ୍ୱାରା ଶତ୍ରୁଙ୍କର ସୈନ୍ୟମାନଙ୍କୁ ଛିନ୍ନଭିନ୍ନ କରନ୍ତୁ ।୧୫। ଯାହାର ମୌର୍ବୀର ପ୍ରାନ୍ତରେ ଥିବା ପାଶଦ୍ୱୟ ତନ୍ତ୍ରୀର ସାଧନ କୀଳକସ୍ୱରୂପ ବିରାଜମାନ, ଯାହାର ମୌର୍ବୀ ସ୍ୱୟଂ ତନ୍ତ୍ରୀସ୍ୱରୂପ ବିଦ୍ୟମାନ, ଯାହାର ଯଷ୍ଟି ଅଲାବୁଯୁକ୍ତ ଦଣ୍ଡପ୍ରାୟ ଶୋଭିତ ଓ ଯହିଁରୁ ବାହାରୁଥିବା ଶରସବୁ ସ୍ୱର ତୁଲ୍ୟ ଅଟନ୍ତି, ସେହି ମହାସ୍ୱନଯୁକ୍ତ କୋଦଣ୍ଡସ୍ୱରୂପ ବୀଣାକୁ ଆପଣ ସୈନ୍ୟ ମଧ୍ୟରେ ବଜାଇବା ହେଉନ୍ତୁ ।୧୬। ହେ ପ୍ରଭୋ ! ଆପଣଙ୍କ ରଥରେ ରୌପ୍ୟସ୍ୱରୂପ ଶ୍ୱେତବର୍ଣ୍ଣ ଘୋଟକମାନେ ଯୋଜିତ ହେଉନ୍ତୁ ଓ ସୁବର୍ଣ୍ଣ ସିଂହଧ୍ୱଜ ଉଡ୍‌ଡ଼ୀୟମାନ ହେଉ ।୧୭। ଆପଣଙ୍କର ଦୃଢ଼ହସ୍ତବିମୁକ୍ତ ସୁବର୍ଣ୍ଣ ପୁଙ୍ଖ, ସୁତୀକ୍ଷ୍‌ଣ ଶରମାନଙ୍କ ଦ୍ୱାରା ସୂର୍ଯ୍ୟଦେବ ଆଚ୍ଛାଦିତ ହେଉନ୍ତୁ ଓ ରାଜମାର୍ଗ ନିରୁଦ୍ଧ ହେଉ ।୧୮।

 

ଇନ୍ଦ୍ରଦେବ ଅସୁରମାନଙ୍କୁ ପରାଜୟ କଲା ପ୍ରାୟ ଆପଣ କୌରବମାନଙ୍କୁ ସଂହାର କରି ଅତୁଳନୀୟ ଯଶୋଲାଭପୂର୍ବକ ପୁନଶ୍ଚ ରାଜମନ୍ଦିରକୁ ଶୁଭାଗମନ କରିବା ହେଉନ୍ତୁ ।୧୯। ଆପଣ ମତ୍ସ୍ୟ ମହୀପତିଙ୍କର ଯୋଗ୍ୟ ପୁତ୍ର ବୋଲି ସେ ରାଜ୍ୟରକ୍ଷଣର ଭାର ଭବଦୀୟ ହସ୍ତରେ ଅର୍ପଣ କରିଅଛନ୍ତି । ବିଶେଷତଃ ପାଣ୍ଡବମାନଙ୍କର ବିଜୟୀବର ଅର୍ଜ୍ଜୁନଙ୍କ ପ୍ରାୟ ଆପଣ ମତ୍ସ୍ୟଦେଶୀୟ ପ୍ରଜାମାନଙ୍କର ନାନା ପ୍ରକାର ଭୟ ନିବାରଣ କରିବାକୁ ପ୍ରଧାନ ସହାୟ ଅଟନ୍ତି । ଅତଏବ କୃତାଞ୍ଜଳିପୁଟରେ ପ୍ରାର୍ଥନା କରୁଅଛି ଯେ ସେମାନଙ୍କୁ ଉପସ୍ଥିତ ବିପତ୍ତିରୁ ରକ୍ଷା କରିବା ହେଉନ୍ତୁ ।୨୧। ବୈଶମ୍ପାୟନ କହିଲେ, ଭୂମିଞ୍ଜୟ, ଅନ୍ତଃପୁରରେ ସ୍ତ୍ରୀମାନଙ୍କ ମଧ୍ୟରେ ଗୋପାଳ ସରଦାରର କଥା ଶୁଣି ନିଜର ପ୍ରଶଂସାଗର୍ଭକ ଅଭୟସୂଚକ ବାକ୍ୟ କହିଲେ ।୨୨।

 

Unknown

ଅଧ୍ୟାୟ – ୩୬

 

ଯଦି ରଥର ଘୋଟକ ଚଳାଇବା ନିମିତ୍ତ ଜଣେ ସୁଶିକ୍ଷିତ ସାରଥି ମିଳିବ, ତେବେ ଆମ୍ଭେ ଦୃଢ଼ତର କୋଦଣ୍ଡ ଧରି ଯୁଦ୍ଧ କରିବାକୁ ଶୀଘ୍ର ଯିବୁ ।୧। ମାସକରୁ ନ୍ୟୁନ ଅଷ୍ଟାବିଂଶ ଅହୋରାତ୍ର ପର୍ଯ୍ୟନ୍ତ ଯେଉଁ ଭୟଙ୍କର ମହାଯୁଦ୍ଧ ହୋଇଥିଲା, ତହିଁରେ ଆମ୍ଭର ସାରଥି ମୃତ ହୋଇଛି; ସେହି ହେତୁରୁ ଏହି ଉପସ୍ଥିତ ଯୁଦ୍ଧରେ କିଏ ପୁନଶ୍ଚ ସାରଥି ହେବ, ତାହା ସ୍ଥିର ହୋଇନାହିଁ, ଅତଏବ ତୁମ୍ଭେ ଗୋଟିଏ ଉପଯୁକ୍ତ ସାରଥି ଅନ୍ୱେଷଣ କର । ଘୋଟକ ଚଳାଇବା ନିମିତ୍ତ ଉପଯୁକ୍ତ ଗୋଟିଏ ସାରଥି ପାଇଲେ ଆମ୍ଭେ ଏହିକ୍ଷଣି ଯୁଦ୍ଧ ନିମିତ୍ତ ଯାତ୍ରାକରି କୌରବମାନଙ୍କର ସୈନ୍ୟସାଗରରେ ସ୍ନାନପୂର୍ବକ ଶସ୍ତ୍ରର ଅସୀମ ପ୍ରତାପରେ ଇନ୍ଦ୍ରଦେବ ଅସୁରକୁଳକୁ ସଂହାର କଲାପ୍ରାୟ ଦୁର୍ଯ୍ୟୋଧନ, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, କୃପାଚାର୍ଯ୍ୟ, ଅଶ୍ୱତ୍‌ଥାମା ପ୍ରଭୃତି ସମସ୍ତଙ୍କୁ ଓ ଆସିଥିବା ସୈନ୍ୟମାନଙ୍କୁ ପରାଜିତ କରି ଅଳ୍ପ ସମୟ ମଧ୍ୟରେ ଗୋଧନମାନଙ୍କୁ ଫେରାଇ ଆଣିବୁ ।୭। ସେଠାରେ କେହି ବୀରପୁରୁଷ ନ ଥିବା ହେତୁରୁ କୌରବମାନେ ଆମ୍ଭର ସମସ୍ତ ଗୋଧନଙ୍କୁ ନେଇଅଛନ୍ତି । ଆମ୍ଭେ ସେଠାରେ ଥିଲେ ସେମାନେ କଦାପି ଏତାଦୃଶ କାର୍ଯ୍ୟ କରିବାକୁ ସାହସୀ ହୋଇ ନଥାନ୍ତେ ।୮। କୌରବମାନେ ଆମ୍ଭର ଅସୀମ ପରାକ୍ରମକୁ ଦେଖିଲେ ଏହି ବ୍ୟକ୍ତି ସାକ୍ଷାତ୍ ପୃଥାନନ୍ଦନ ଅର୍ଜ୍ଜୁନ ଆସି ଆମ୍ଭମାନଙ୍କୁ ପୀଡ଼ା ଦେଇଅଛି କି ? ଏହିପରି ତର୍କଣା କରିବେ ।୯।

 

ବୈଶମ୍ପାୟନ କହିଲେ, ପ୍ରତିଜ୍ଞାର କାଳ ଅତୀତ ହେବାରୁ ସର୍ବବିଷୟବିଶାରଦ ଅର୍ଜ୍ଜୁନ ରାଜପୁତ୍ରଙ୍କ କଥା ଶୁଣି ନିର୍ଜନ ସ୍ଥାନରେ ସରଳସ୍ୱଭାବ, ଅନଳୋଦ୍ଭବା, ଅନିନ୍ଦିତା, ପ୍ରିୟୋତ୍ତମା, ପତିମାନଙ୍କର ହିତକାରିଣୀ, ଦ୍ରୁପଦକୁମାରୀ, କୃଶାଙ୍ଗୀ, ପାଞ୍ଚାଳୀ ପତ୍ନୀ କୃଷ୍ଣାଙ୍କୁ କହିଲେ, ହେ କଲ୍ୟାଣୀ ! ତୁମ୍ଭେ ମୋ କହିବା ଅନୁସାରେ ଶୀଘ୍ର ରାଜକୁମାରଙ୍କୁ କହ ଯେ ବୃହନ୍ନଳା ପାଣ୍ଡବମାନଙ୍କର ମହାଯୁଦ୍ଧରେ ସାରଥି ହୋଇଥିଲେ; ସେ ସମ୍ପ୍ରତି ଆପଣଙ୍କର ସାରଥି ହେବେ ।୧୩। ବୈଶମ୍ପାୟନ କହିଲେ, ଯଶସ୍ୱିନୀ ଦ୍ରୁପଦନନ୍ଦିନୀ, ବିରାଟପୁତ୍ରଙ୍କର ଆତ୍ମପ୍ରଶଂସା ଶୁଣି ଶୁଣି ସ୍ତ୍ରୀମାନଙ୍କ ମଧ୍ୟରୁ ଯାଇ ତାହାଙ୍କ ନିକଟରେ କିଞ୍ଚିତ୍ ଲଜ୍ଜା ପ୍ରକାଶପୂର୍ବକ ଧୀରେ ଧୀରେ କହିଲେ ।୧୫।

 

ବୃହତ୍ ବାରଣ ସଦୃଶ ବୃହନ୍ନଳା ନାମରେ ଖ୍ୟାତ ଯେଉଁ ସୁନ୍ଦର ଯୁବାପୁରୁଷ ଅଛନ୍ତି, ସେ ମହାତ୍ମା ଅର୍ଜ୍ଜୁନଙ୍କର ସାରଥି ଥିଲେ । ଅର୍ଜ୍ଜୁନଙ୍କଠାରୁ ସେ ଅସ୍ତ୍ରବିଦ୍ୟା ଶିଖିଅଛନ୍ତି, ଯୁଦ୍ଧବିଦ୍ୟାରେ ମଧ୍ୟ ଉତ୍ତମ ପାରଦର୍ଶୀ ଅଟନ୍ତି । ପୂର୍ବେ ପାଣ୍ଡବଙ୍କ ଗୃହରେ ମୁଁ ତାହାଙ୍କୁ ଦେଖିଥିଲି ।୧୭। ଯେଉଁ ସମୟରେ ଅଗ୍ନି ବୃହତ୍ ଖାଣ୍ଡବ ବନକୁ ଦଗ୍ଧ କରିଥିଲେ, ସେହି ସମୟରେ ବୃହନ୍ନଳା ଅର୍ଜ୍ଜୁନଙ୍କ ରଥର ଅଶ୍ୱମାନଙ୍କୁ ଆୟତ୍ତ କରି ରଖିଥିଲେ ।୧୮। ସେ ସାରଥି ହୋଇଥିଲେ ବୋଲି ଅର୍ଜ୍ଜୁନ ସେହି ସମୟରେ ଅସଂଖ୍ୟ ପ୍ରାଣୀମାନଙ୍କୁ ଜୟ କରିଥିଲେ । ମୁଁ ଶୁଣିଅଛି, ବୃହନ୍ନଳାଙ୍କ ସମାନ କେହି ସାରଥି ନାହାନ୍ତି ।୧୯।

 

ରାଜକୁମାର କହିଲେ, ହେ ସୈରନ୍ଧ୍ରୀ ! ସେହି ନପୁଂସକ ଲୋକର କଥା ତୁମ୍ଭେ ଉତ୍ତମରୂପେ ଜାଣିଅଛ ସତ୍ୟ, କିନ୍ତୁ ମୁଁ ନିଜେ ତାହାଙ୍କୁ ମୋର ସାରଥିକାର୍ଯ୍ୟ କରିବା ନିମିତ୍ତ କହିପାରିବି ନାହିଁ ।୨୦। ଦ୍ରୌପଦୀ କହିଲେ, ହେ ବୀର ! ଆପଣଙ୍କର ସାନ ଭଉଣୀ ରାଜକୁମାରୀ ସୁଶ୍ରୋଣୀ ଉତ୍ତରାଙ୍କ କଥା ସେ କଦାପି ଭାଙ୍ଗି ପାରିବେ ନାହିଁ ।୨୧। ବୃହନ୍ନଳା ଯଦି ଆପଣଙ୍କର ସାରଥି ହେବେ, ତେବେ ଆପଣ ସହଜରେ କୌରବମାନଙ୍କୁ ଜୟକରି ଗୋଧନମାନଙ୍କୁ ଫେରାଇ ଆଣିବେ, ଏହି ବିଷୟରେ କିଛିମାତ୍ର ସନ୍ଦେହ ନାହିଁ ।୨୨। ରାଜକୁମାର ସୈରନ୍ଧ୍ରୀଙ୍କ କହିବା ଅନୁସାରେ ତାହାଙ୍କ ସାନଭଉଣୀ ଉତ୍ତରାକୁ କହିଲେ, ହେ ଅନିନ୍ଦିତାଙ୍ଗି ! ତୁମ୍ଭେ ଶୀଘ୍ର ବୃହନ୍ନଳାଙ୍କୁ ମୋର ନିକଟକୁ ଡାକି ଆଣ ।୨୩। ଉତ୍ତରା ସୋଦରଙ୍କ ବଚନ ଅନୁସାରେ କପଟବେଶୀ, ମହାବାହୁ ଅର୍ଜ୍ଜୁନଙ୍କୁ ଆଣିବା ନିମିତ୍ତ ଅତି ଶୀଘ୍ର ନୃତ୍ୟମନ୍ଦିରରେ ପହଞ୍ଚିଲେ ।୨୪।

 

ଅଧ୍ୟାୟ – ୩୭

 

ବୈଶମ୍ପାୟନ କହିଲେ- ସୁବର୍ଣ୍ଣମାଳାଧାରିଣୀ, ଯଶସ୍ୱିନୀ, ଶୁଭାଙ୍ଗୀ, କୃଶାଙ୍ଗୀ, କୃଶକଟୀ, ଅତିଚତୁରା, କୁଟିଳପକ୍ଷ୍ମା, ଲକ୍ଷ୍ମୀଙ୍କ ପ୍ରାୟ ରୂପବତୀ, ମୟୂରପୁଚ୍ଛଭୂଷଣା, ମଣିମୟ କଟୀବନ୍ଧନଶୋଭିତା, ସର୍ବାଙ୍ଗସୁନ୍ଦରୀ, ସେହି ବିରାଟଙ୍କର କନ୍ୟା ଉତ୍ତରା ଜ୍ୟେଷ୍ଠ ଭ୍ରାତାଙ୍କ ଆଜ୍ଞାନୁସାରେ ମେଘ ଦେହରେ ବିଦ୍ୟୁତ୍‌ଲତା ପ୍ରାୟ ଶୀଘ୍ର ନୃତ୍ୟମନ୍ଦିରରେ ପ୍ରବେଶ କଲେ ।୨। କରଭୋରୁ, ସୁଦନ୍ତୀ, ସୁକଟୀ, ସୁଲୋଚନା, ଅନିନ୍ଦିତା, ସଚୀଦେବୀଙ୍କ ପ୍ରାୟ ସୁନ୍ଦରୀ ରମଣୀମଣି ବିରାଟନନ୍ଦିନୀ ଉତ୍ତରା କୁନ୍ତୀନନ୍ଦନ ଅର୍ଜ୍ଜୁନଙ୍କ ନିକଟରେ ପ୍ରବେଶପୂର୍ବକ କଥୋପକଥନ କରୁଥିବା ସମୟରେ ହସ୍ତିନୀ ମହାଗଜର ସମୀପରେ ଥିଲା ପ୍ରାୟ ଅତି ମନୋହର ଦିଶୁଥିଲେ ।୪। ଅର୍ଜ୍ଜୁନ ଶୋଭନୋରୁ, କନକଗୌରୀ ସେହି ରାଜକୁମାରୀଙ୍କୁ ପଚାରିଲେ, ହେ ମୃଗାକ୍ଷି ! ସୁବର୍ଣ୍ଣହାରମଣ୍ଡିତେ । ଭାବିନି ! ତୁମ୍ଭେ କି ନିମିତ୍ତ ଆସିଅଛ ? ତୁମ୍ଭର ମନ ଅସ୍ଥିର ଥିଲା ପ୍ରାୟ କାହିଁକି ଜଣାଯାଉଅଛି ? ହେ ସୁନ୍ଦରୀ ! ଅଙ୍ଗନେ ! ତୁମ୍ଭର ମୁଖପଦ୍ମ କି ହେତୁରୁ ମଳିନ ହୋଇଅଛି-? ଶୀଘ୍ର ମତେ କହ ।୫।

 

ବୈଶମ୍ପାୟନ କହିଲେ, ହେ ଜନ୍ମେଜୟ ! ବିଶାଳାକ୍ଷୀ ନୃପନନ୍ଦିନୀ ସଖୀ ଉତ୍ତରାଙ୍କୁ ଅର୍ଜ୍ଜୁନ ହସି କରି ପଚାରିଲେ, ତୁମ୍ଭେ କି ନିମିତ୍ତ ଆସିଅଛ ? ରାଜନନ୍ଦିନୀ ଉତ୍ତରା ସଖୀମାନଙ୍କ ମଧ୍ୟରେ ଅର୍ଜ୍ଜୁନଙ୍କୁ ବିନୟ ପ୍ରକାଶ କରି କହିଲେ ।୭।, ହେ ବୃହନ୍ନଳେ ! କୌରବମାନେ ଆସି ଆମ୍ଭ ରାଜ୍ୟର ଗୋଧନସବୁ ହରଣ କରି ନେଇଅଛନ୍ତି । ସେହି ହେତୁରୁ ଆମ୍ଭର ଧନୁର୍ଦ୍ଧର ଭାଇ ସେମାନଙ୍କୁ ଜୟ କରିବାକୁ ଯିବେ ।୮। କିନ୍ତୁ ଅଳ୍ପଦିନ ହେଲା ଯୁଦ୍ଧରେ ତାହାଙ୍କର ସାରଥି ମରି ଯାଇଅଛି । ସମ୍ପ୍ରତି ତାହାପରି ସାରଥି କର୍ମ ଚଳାଇବାକୁ ଉପଯୁକ୍ତ ଲୋକ ମିଳୁନାହିଁ ।୯। ହେ ବୃହନ୍ନଳେ ! ସେ ସାରଥି ଅନୁସନ୍ଧାନ କରୁଥିବା ସମୟରେ ତୁମ୍ଭେ ଉତ୍ତମରୂପେ ଘୋଟକ ଚଳାଇ ଜାଣ ବୋଲି ସୈରନ୍ଧୀ ତାହାଙ୍କୁ କହିଲା ।୧୦। ତୁମ୍ଭେ ପାଣ୍ଡବଶ୍ରେଷ୍ଠ ଅର୍ଜ୍ଜୁନଙ୍କର ଅତି ପ୍ରିୟ ସାରଥି ଅଟ । ସେ ପୂର୍ବେ ତୁମ୍ଭର ସାହାଯ୍ୟରେ ଭୂମଣ୍ଡଳକୁ ଜୟ କରିଥିଲେ ।୧୧। କୌରବମାନେ ଆମ୍ଭର ଗୋଧନସବୁ ନେଇ ବହୁ ଦୂରକୁ ଚାଲି ଗଲେଣି, ଅତଏବ ତୁମ୍ଭେ ସାରଥି କାର୍ଯ୍ୟ ଚଳାଇବାକୁ ଅନୁରୋଧ କରୁଅଛୁ । ତୁମ୍ଭେ ଯଦି ତାହା ସ୍ୱୀକାର ନ କରିବ, ତେବେ ଆମ୍ଭେ ନିଶ୍ଚୟ ଜୀବନର ଆଶା ଛାଡ଼ିଦେବୁ ।୧୩।

 

ବଳିଷ୍ଠଶ୍ରେଷ୍ଠ ପରନ୍ତପ ଅର୍ଜ୍ଜୁନ ରାଜକୁମାରୀ ଉତ୍ତରାଙ୍କର ସେହିକଥା ଶୁଣି ତେଜସ୍ୱୀବର ରାଜକୁମାରଙ୍କ ନିକଟକୁ ବାହାରିଲେ । ସେ ମଦାନ୍ଧ ମାତଙ୍ଗପ୍ରାୟ ଶୀଘ୍ର ଶୀଘ୍ର ଗତି କରୁଥିବାରୁ ଉତ୍ତରା ତାହାଙ୍କ ପଶ୍ଚାତ୍ ପାଶ୍ଚାତ୍ ହସ୍ତିନୀ ସଦୃଶ ମନୋହର ଦିଶୁଥିଲେ ।୧୫। ରାଜପୁତ୍ର ଦୂରରୁ ଦେଖି ତାହାଙ୍କୁ କହିଲେ, ହେ ବୃହନ୍ନଳେ ! ମୁଁ ଶୁଣିଲିଣି ତୁମ୍ଭେ ଉତ୍ତମରୂପେ ସାରଥିକର୍ମ ଜାଣ; ପୂର୍ବେ କୁନ୍ତୀପୁତ୍ର ଅର୍ଜ୍ଜୁନ ତୁମ୍ଭ ସାହାଯ୍ୟରେ ଖାଣ୍ଡବ ବନ ଦହନ ହେଉଥିବା ସମୟରେ ଅଗ୍ନିଦେବଙ୍କୁ ସନ୍ତୋଷ କରିଥିଲେ ଓ ଭୂମଣ୍ଡଳକୁ ଜୟ କରିଥିଲେ । ସୈରନ୍ଧ୍ରୀ ପାଣ୍ଡବମାନଙ୍କର ସମସ୍ତ ବିଷୟ ଉତ୍ତମରୂପେ ଜାଣନ୍ତି । ସେହି ହେତୁରୁ ଆମ୍ଭେ ସାରଥି ଅନୁସନ୍ଧାନ କରିବାର ଜାଣି ସେ ତୁମ୍ଭର ପରିଚୟ ଦେଇଅଛନ୍ତି । ସମ୍ପ୍ରତି କୌରବମାନେ ଆମ୍ଭର ଗୋଧନସବୁ ହରଣ କରିନେଇ ଯାଇଥିବାରୁ ଆମ୍ଭେ ତୁମ୍ଭଙ୍କୁ ଅନୁରୋଧ କରୁଅଛୁକି ତୁମ୍ଭେ ଭାରତଶ୍ରେଷ୍ଠ ଅର୍ଜ୍ଜୁନଙ୍କର ପ୍ରିୟ ସାରଥି ହୋଇ ପୃଥିବୀ ଜୟ ବିଷୟରେ ଯେଉଁ ପ୍ରକାର ସାହାଯ୍ୟ କରିଥିଲେ, ସମ୍ପ୍ରତି ଆମ୍ଭର ସାରଥି ହୋଇ ସେହି ପ୍ରକାର ସାହାଯ୍ୟ କର । ତାହା ହେଲେ ଆମ୍ଭେ କୌରବମାନଙ୍କୁ ପରାଜୟ ଦେଇ ଶୀଘ୍ର ଗୋଧନ ସବୁ ଫେରାଇ ଆଣିବୁ ।୧୯।

 

ଏହି କଥା ଶୁଣି ବୃହନ୍ନଳା କହିଲେ, ହେ ରାକୁମାର ! ଯୁଦ୍ଧରେ ସାରଥିପଣ କରିବାକୁ ମୋର କି କ୍ଷମତା ଅଛି ?୨୦। ନାନାପ୍ରକାର ଗୀତ, ନୃତ୍ୟ ଓ ବାଦ୍ୟ ବିଷୟରେ ମୋର କ୍ଷମତା ଅଛି । କେବଳ ତାହା କରିପାରିବି । ଆପଣଙ୍କର ମଙ୍ଗଳ ହେଉ । ସାରଥିପଣରେ ସାହାଯ୍ୟ କରିବାକୁ ମୋର ଶକ୍ତି ନାହିଁ ।୨୧। ରାଜକୁମାର କହିଲେ, ହେ ବୃହନ୍ନଳେ ! ତୁମ୍ଭେ ସମ୍ପ୍ରତି ଆମ୍ଭର ସାରଥିର କର୍ମ କର, କୌରବମାନଙ୍କୁ ଜୟ କଲା ଉତ୍ତାରୁ ପୁନଶ୍ଚ ନର୍ତ୍ତକ ଓ ଗାୟକ ହେବ ।୨୨। ବୈଶମ୍ପାୟନ କହିଲେ, ଅରିଦମନଶୀଳ ଅର୍ଜ୍ଜୁନ ସମୁଦାୟ ବିଷୟ ଜାଣିଥିଲେ ସୁଦ୍ଧା କେବଳ କୌତୁକ କରିବା ନିମିତ୍ତ ଉତ୍ତରାଙ୍କ ସମ୍ମୁଖରେ ଅଜ୍ଞ ଲୋକ ପ୍ରାୟ ନାନାପ୍ରକାର ପରିହାସଜନକ କାର୍ଯ୍ୟ କଲେ ।୨୩। ଅର୍ଜ୍ଜୁନ ସମସ୍ତଙ୍କୁ ହସାଇବା ନିମିତ୍ତ କବଚକୁ ଉପରକୁ ଟେକି ପିନ୍ଧିବାର ଆରମ୍ଭ କଲାରୁ ସମସ୍ତ ରାଜକୁମାରୀମାନେ ତାହା ଦେଖି ବିଶେଷ ହସିଲେ ।୨୪। ରାଜକୁମାର ଅର୍ଜ୍ଜୁନଙ୍କର ହାସ୍ୟଜନକ କାର୍ଯ୍ୟ ଦେଖି ତାହାଙ୍କୁ ଅଜ୍ଞ ବୋଲି ବିଚାରି ସ୍ୱୟଂ ବହୁମୂଲ୍ୟ କବଚ ପିନ୍ଧାଇ ଦେଲେ ।୨୫।, ଓ ଆପେ ସୂର୍ଯ୍ୟସଦୃଶ୍ୟ ଉଜ୍ଜ୍ୱଳ ମହାମୂଲ୍ୟ କବଚ ପରିଧାନ କରି ସିଂହଧ୍ୱଜ ରଥଉପରେ ବସି ରଥ ଚଳାଇବା ନିମିତ୍ତ ତାହାଙ୍କୁ ଆଜ୍ଞା କଲେ ।୨୬।

 

ରାଜକୁମାର ବୃହନ୍ନଳାଙ୍କୁ ସାରଥିକାର୍ଯ୍ୟରେ ନିଯୋଜନକରି ବହୁମୂଲ୍ୟ ଶରାସନ ଓ ଶରସମୂହ ଧରି ଯୁଦ୍ଧ ନିମିତ୍ତ ଯାତ୍ରା କଲେ ।୨୭। ସେହି ସମୟରେ ବୃହନ୍ନଳାଙ୍କର ସଖୀ ଉତ୍ତରା ଓ ଅନ୍ୟାନ୍ୟ ରାଜକନ୍ୟାମାନେ ତାହାଙ୍କୁ କହିଲେ, ହେ ବୃହନ୍ନଳେ ! ତୁମ୍ଭେ ଭୀଷ୍ମ, ଦ୍ରୋଣ ପ୍ରଭୃତି ସମସ୍ତ କୌରବ ସେନାପତିମାନଙ୍କୁ ପରାଭବ ଦେଇ ଆମ୍ଭମାନଙ୍କ ପୁତ୍ତଳିକା ନିମିତ୍ତ ବିଚିତ୍ର ସୂକ୍ଷ୍ମ କୋମଳ ଓ ମନୋହର ବସ୍ତ୍ର ଆଣିବ ।୨୯। ଅର୍ଜ୍ଜୁନ ତାହା ଶୁଣି ହସି କରି ଦୁନ୍ଦୁଭି ଓ ମେଘଧ୍ୱନିପ୍ରାୟ ଗମ୍ଭୀର ସ୍ୱରରେ କହିଲେ, ଯୁଦ୍ଧରେ ରାଜକୁମାର ଯଦି ମହାରଥମାନଙ୍କୁ ପରାଜୟ ଦେବେ, ତେବେ ମୁଁ ତୁମ୍ଭମାନଙ୍କ ଇଚ୍ଛା ଅନୁସାରେ ଉତ୍ତମ ଓ ମନୋହର ବସ୍ତ୍ର ଆଣିପାରିବି ।୩୧। ବୈଶମ୍ପାୟନ କହିଲେ, ବୀରବର ଅର୍ଜ୍ଜୁନ କନ୍ୟାମାନଙ୍କୁ ଏହି ପ୍ରକାର କହି ବହୁତ ଧ୍ୱଜପତାକାପୂର୍ଣ୍ଣ କୁରୁସୈନ୍ୟମାନଙ୍କ ଆଡ଼କୁ ଅଶ୍ୱ ଚଳାଇବା ନିମିତ୍ତ ଉଦ୍ୟମ କରୁଥିବା ସମୟରେ ବ୍ରତଶୀଳ ବ୍ରାହ୍ମଣମାନେ, ପୁରସ୍ତ୍ରୀମାନେ ଓ କନ୍ୟାମାନେ ବୃହନ୍ନଳାଙ୍କ ସହିତ ରାଜକୁମାରଙ୍କୁ ଚାହିଁ ମଙ୍ଗଳ ନିମିତ୍ତ ପ୍ରଦକ୍ଷିଣ କଲେ ଓ ପୁରସ୍ତ୍ରୀମାନେ ଅର୍ଜ୍ଜୁନଙ୍କୁ କହିଲେ, ହେ ବୃହନ୍ନଳେ ! ପୂର୍ବେ ଖାଣ୍ଡବଦାହ ସମୟରେ ଋଷଭଗତି ଅର୍ଜ୍ଜୁନଙ୍କର ଯେଉଁପ୍ରାୟ ମଙ୍ଗଳ ହୋଇଥିଲା, ଆଜି ତୁମ୍ଭ ସାହାଯ୍ୟରେ ରାଜକୁମାର ଉତ୍ତର କୁରୁସୈନ୍ୟମାନଙ୍କୁ ଜିଣି ସେହିପ୍ରାୟ ମଙ୍ଗଳଲାଭ କରନ୍ତୁ ।୩୪।

 

ଅଧ୍ୟାୟ – ୩୮

 

ବୈଶମ୍ପାୟନ କହିଲେ- ବିରାଟପୁତ୍ର ଉତ୍ତର ରାଜଧାନୀରୁ ବାହାରି ସାରଥିଙ୍କୁ କହିଲେ, ଅଦ୍ୟ କୌରବମାନଙ୍କୁ ଜୟ କରି ଗୋଧନମାନଙ୍କୁ ଆଣି ଶୀଘ୍ର ନଗରକୁ ଆସିବା; ଅତଏବ ସେମାନେ ଯେଉଁଠାରେ ଅଛନ୍ତି, ଶୀଘ୍ର ସେହି ଦିଗକୁ ରଥ ଚଳାଅ । ନରଶ୍ରେଷ୍ଠ ଅର୍ଜ୍ଜୁନ ଉତ୍ତରଙ୍କ ଆଦେଶାନୁସାରେ ସୁବର୍ଣ୍ଣମାଳାଧାରୀ, ପବନତୁଲ୍ୟ ବେଗଗାମୀ ଉତ୍କୃଷ୍ଟ ଅଶ୍ୱମାନଙ୍କୁ ଏତାଦୃଶ ବେଗରେ ଚଳାଇଲେ ଯେ ସେମାନେ ଆକାଶରେ ଉଡ଼ୁଥିଲା ପ୍ରାୟ ଜଣାଗଲା ।୩। ଶତ୍ରୁନାଶକାରୀ ମତ୍ସ୍ୟରାଜଙ୍କ ପୁତ୍ର ଓ ଧନଞ୍ଜୟ ଦୁହେଁ କିଛିଦୂର ଗଲାରୁ ବଳିଷ୍ଠ କୁରୁମାନଙ୍କ ସୈନ୍ୟଙ୍କୁ ଦେଖିଲେ ।୪। ତାହା ଉତ୍ତାରୁ ଉଭୟ ପାର୍ଶ୍ୱ ଶ୍ମଶାନକୁ ଚାହିଁ ଚାହିଁ କିଛିଦୂର ଗଲାରୁ ପରିଶେଷରେ ସେମାନଙ୍କ ନିକଟରେ ପହଞ୍ଚିଲେ । ଏକତ୍ର ଦଳବଦ୍ଧ ଅସଂଖ୍ୟ ଧ୍ୱଜପତାକାପୂର୍ଣ୍ଣ କୌରବମାନଙ୍କ ସୈନ୍ୟବୃନ୍ଦଙ୍କୁ ଅତି ବିସ୍ତୀର୍ଣ୍ଣ ମହାସାଗର ପ୍ରାୟ ଓ ଗତିବିଶିଷ୍ଟ ମହାବୃକ୍ଷଯୁକ୍ତ ଦୁର୍ଗମ ମହାରଣ୍ୟ ସଦୃଶ୍ୟ ବୋଧ କଲେ ।୬।

 

ହେ କୌରବଶ୍ରେଷ୍ଠ ! ସେହିଠାରେ ସୈନ୍ୟମାନଙ୍କର ଗମନାଗମନ ହେତୁରୁ ପୃଥିବୀର ଧୂଳିସମୂହ ଆକାଶକୁ ଏ ପ୍ରକାର ଉଠିଲା ଯେ ପ୍ରାଣୀମାନେ କିଛିମାତ୍ର ଦେଖିପାରିଲେ ନାହିଁ ।୭। ଦୁର୍ଯ୍ୟୋଧନ, କର୍ଣ୍ଣ, କୃପାଚାର୍ଯ୍ୟ, ଦ୍ରୋଣ, ଅଶ୍ୱତ୍‌ଥାମା ଓ ଭୀଷ୍ମ ପ୍ରଭୃତି ମହାରଥୀମାନେ ସେହି ସୈନ୍ୟବୃନ୍ଦର ରକ୍ଷକରୂପେ ନିଯୁକ୍ତ ହୋଇଥିବାର ଦେଖିବାରୁ ବିରାଟପୁତ୍ରଙ୍କର କଳେବର ରୋମାଞ୍ଚରେ ପୂର୍ଣ୍ଣ ହେଲା । ସେ ଅତିଶୟ ତ୍ରସ୍ତ ହୋଇ ଅର୍ଜ୍ଜୁନଙ୍କୁ କହିଲେ ।୯।, ହେ ବୃହନ୍ନଳେ ! ଦେଖ କୌରବ ସୈନ୍ୟମାନଙ୍କୁ ଚାହିଁବାରୁ ମୋର ଦେହରେ ଏ ପ୍ରକାର ପୁଲକ ଜନ୍ମିଅଛି । ଅତଏବ ମୁଁ ଏମାନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଉତ୍ସାହିତ ହେଉନାହିଁ । ମତେ ଜଣାଯାଏ ଯେ ଏହିମାନଙ୍କ ସଙ୍ଗରେ ଦେବତାମାନେ ସୁଦ୍ଧା ଯୁଦ୍ଧ କରିବାକୁ ସମର୍ଥ ହୋଇପାରିବେ ନାହିଁ ।

 

ଯେଉଁ ଅସଂଖ୍ୟ ସୈନ୍ୟର ପ୍ରଧାନ ପ୍ରଧାନ ସୁବିଖ୍ୟାତ ବୀର ପୁରୁଷମାନେ ରକ୍ଷକ ଓ ଯେଉଁମାନଙ୍କୁ ଦେଖିବାରୁ ହୃଦୟରେ ମହାଭୟ ଜାତ ହେଉଅଛି, ସେହିମାନଙ୍କ ବିରୁଦ୍ଧରେ ଆମ୍ଭେମାନେ ଅସ୍ତ୍ର ଧରିବାକୁ କି ସମର୍ଥ ହୋଇପାରିବା ? ଯେଉଁ ଭାରତସେନା ନାନା ପ୍ରକାର ଭୟଙ୍କର ଅସ୍ତ୍ରଶସ୍ତ୍ରଧାରୀ ଅଶ୍ୱାରୋହୀ, ଗଜାରୋହୀ, ରଥାରୋହୀ ଓ ପଦାତିକ ସୈନ୍ୟରେ ପୂର୍ଣ୍ଣ ଓ ଯାହାକୁ ଦେଖିବାରୁ ହୃଦୟ ବ୍ୟାକୁଳିତ ହେଉଅଛି, ତାହା ମଧ୍ୟରେ ପଶି ଯୁଦ୍ଧରେ ଶତ୍ରୁମାନଙ୍କୁ କି ଜୟ କରି ପାରିବା ?୧୨। ଯେଉଁ ସେନା ମଧ୍ୟରେ ଅତି ସାଧାରଣ ଯୁଦ୍ଧବିଶାରଦ ବୀରଚୁଡ଼ାମଣି ଦୁର୍ଯ୍ୟୋଧନ, ରାଜା ଭୀଷ୍ମ, ଦ୍ରୋଣ, କର୍ଣ୍ଣ, କୃପାଚାର୍ଯ୍ୟ, ବିବିଂଶତି, ଅଶ୍ୱତ୍‌ଥାମା, ବିକର୍ଣ୍ଣ, ସୋମଦତ୍ତ ଓ ବାହ୍ଲିକ ପ୍ରଭୃତି ମହାରଥମାନେ ଦଳବଦ୍ଧ ହୋଇ ଯୁଦ୍ଧକୁ ପ୍ରତିକ୍ଷା କରୁଅଛନ୍ତି ଓ ଯେଉଁମାନଙ୍କୁ ଦେଖିବା ମାତ୍ରେ ସର୍ବାଙ୍ଗ ରୋମାଞ୍ଚରେ ପୂର୍ଣ୍ଣ ଓ ଅନ୍ତଃକରଣ ଜ୍ଞାନଶୂନ୍ୟ ହୋଇ ଯାଉଅଛି, ସେପରି ସ୍ଥଳରେ ଯୁଦ୍ଧ ନିମିତ୍ତ ଆମ୍ଭେମାନେ କି ସାହସ କରିପାରିବା ?୧୫।

 

ବୈଶମ୍ପାୟନ କହିଲେ, ମନ୍ଦବୁଦ୍ଧି, ମୁର୍ଖ, ବିରାଟଙ୍କ ପୁତ୍ର ଉତ୍ତର, ସକଳ ବିଷୟବିଶାରଦ କପଟବେଶଧାରୀ ଅର୍ଜ୍ଜୁନଙ୍କ ସମୀପରେ ଆପଣାର ମୂଢ଼ତା ପ୍ରକାଶ କରି ଏହା କହି ଅନୁତପ୍ତ ହେଉଥିଲେ ।୧୬। ବିରାଟଙ୍କ ପୁତ୍ର ଉତ୍ତର କହିଲେ, ହେ ବୃହନ୍ନଳେ ! ଆମ୍ଭର ପିତା ତ୍ରିଗର୍ତ୍ତମାନଙ୍କ ସଙ୍ଗରେ ଯୁଦ୍ଧ କରିବା ନିମିତ୍ତ ସମସ୍ତ ସୈନ୍ୟସାମନ୍ତମାନଙ୍କୁ ସଙ୍ଗରେ ନେଇ ସହାୟହୀନ ଗୃହରେ ଆମ୍ଭଙ୍କୁ ରଖି ଯାଇଅଛନ୍ତି । ଏଠାରେ ଆମ୍ଭର ସହାୟ ହେବାକୁ ଜଣେମାତ୍ର କେହି ବୀରପୁରୁଷ ନାହିଁ-। ବିଶେଷରେ ଆମ୍ଭେ ବାଳକ ଓ ଅସ୍ତ୍ରଶସ୍ତ୍ର ବିଦ୍ୟାରେ ଭଲରୂପେ ପରିଶ୍ରମ କରିପାରିନାହୁଁ-। ସେହି ହେତୁରୁ ଏହି ଉତ୍ତମ ଶିକ୍ଷିତ ଅସଂଖ୍ୟ ବୀରମାନଙ୍କ ସଙ୍ଗରେ ଏକାକୀ ହୋଇ କଦାପି ଯୁଦ୍ଧ କରିପାରିବୁ ନାହିଁ । ଅତଏବ ତୁମ୍ଭେ ଶୀଘ୍ର ରଥ ଫେରାଅ ।୧୮।

 

ବୃହନ୍ନଳା କହିଲେ, ହେ ମହାବାହୋ ! ଆପଣ ଯୁଦ୍ଧକ୍ଷେତ୍ରରେ ଶତ୍ରୁମାନଙ୍କ ସଙ୍ଗରେ କିଛି ମାତ୍ର କାର୍ଯ୍ୟ ନ କରି କେବଳ ଭୟର ଅଧୀନ ହୋଇ ଦୁଃଖିତ ଭାବରେ ଶତ୍ରୁମାନଙ୍କର ଆନନ୍ଦ ବଢ଼ାଉ ଅଛନ୍ତି କାହିଁକି ?୧୯। ଯେଉଁଠାରେ କୁରୁସୈନ୍ୟମାନେ ଅଛନ୍ତି, ସେହି ସ୍ଥାନକୁ ଶୀଘ୍ର ରଥ ଚଳାଅ- ପୂର୍ବେ ଆପଣ ମତେ ଏହି ଆଜ୍ଞା କରିବାରୁ ମୁଁ ସେହି ଆଜ୍ଞାନୁସାରେ ଆପଣଙ୍କୁ ଅସଂଖ୍ୟ ଧ୍ୱଜପତାକା ପରିପୂର୍ଣ୍ଣ କୌରବଙ୍କ ସୈନ୍ୟ ମଧ୍ୟକୁ ଆଣିଅଛି । ଗୋଧନମାନଙ୍କୁ ହରଣ କରିବା ବିଷୟରେ ଲୋଭୀ, ଆତତାୟୀ ଏହି କୌରବମାନେ ପୃଥିବୀ ହରଣ କରିବା ନିମିତ୍ତ ଯୁଦ୍ଧ କଲେ ସୁଦ୍ଧା ମୁଁ ଆପଣଙ୍କୁ ସେହିମାନଙ୍କ ମଧ୍ୟକୁ ନେବି ।୨୧। ଆପଣ କୁରୁସୈନ୍ୟମାନଙ୍କୁ ଜୟ କରିବେ ବୋଲି ସ୍ତ୍ରୀ ଓ ପୁରୁଷମାନଙ୍କ ନିକଟରେ ବିଶେଷ ଆତ୍ମପ୍ରଶଂସାପୂର୍ବକ ପୌରୁଷ ପ୍ରକାଶ କରି ପ୍ରତିଜ୍ଞାର ଅଧୀନ ହୋଇ ଆସି ସମ୍ପ୍ରତି କି ହେତୁରୁ ତ୍ରସ୍ତ ହେଉଅଛନ୍ତି ?୨୨। ଆପଣ ଶତ୍ରୁକୁ ଜୟ ନ କରି ଯଦି ଗୃହକୁ ଫେରିଯିବେ, ତାହା ହେଲେ ସମସ୍ତ ସ୍ତ୍ରୀ ପୁରୁଷ ଓ ବୀରମାନେ ଆପଣଙ୍କୁ ବିଶେଷ ନିନ୍ଦା କରିବେ ।୨୩। ମୁଁ ସାରଥି କାର୍ଯ୍ୟ ଭଲରୂପେ ଜାଣଇ ବୋଲି ସୈରନ୍ଧ୍ରୀ ଆପଣଙ୍କ ନିକଟରେ କହିଥିବାରୁ ସମ୍ପ୍ରତି ଶତ୍ରୁମାନଙ୍କୁ ଦଳନ ନ କରି ଗୃହକୁ ଫେରିଯିବା ନିମିତ୍ତ ମୋର କଦାପି ଇଚ୍ଛା ହେଉନାହିଁ ।୨୪। ସୈରନ୍ଧ୍ରୀଙ୍କ ପ୍ରଶଂସା ଓ ଆପଣଙ୍କ ଅନୁରୋଧରେ ମୁଁ ଏହି ସ୍ଥାନକୁ ଆସିଅଛି । ସମସ୍ତ କୌରବମାନଙ୍କ ସଙ୍ଗରେ ନିଶ୍ଚୟ ଯୁଦ୍ଧ କରିବି, ଅତଏବ ଆପଣ କିଛି ସମୟ ଧୈର୍ଯ୍ୟ ଧରି ବସିବା ହେଉନ୍ତୁ ।୨୫।

 

ବିରାଟଙ୍କ ପୁତ୍ର ଉତ୍ତର କହିଲେ, ହେ ବୃହନ୍ନଳେ ! କୌରବ ସୈନ୍ୟମାନେ ଗୋଧନସବୁ ଅପହରଣ କରି ନେଇଯାଉନ୍ତୁ ଅବା ଆମ୍ଭର ଅନ୍ୟପ୍ରକାର ସମସ୍ତ ସମ୍ପତ୍ତି ଅପହରଣ କରନ୍ତୁ, କିମ୍ବା ସମସ୍ତ ସ୍ତ୍ରୀ ଓ ପୁରୁଷମାନେ ଆମ୍ଭଙ୍କୁ କୁତ୍ସିତ ପୁରୁଷ ବୋଲି ନିନ୍ଦା କରନ୍ତୁ, ନଗର ଧନଶୂନ୍ୟ ହେଉ ଅଥବା ଅଯୋଗ୍ୟ ପୁତ୍ର ବୋଲି ପିତା ପ୍ରହାର କରନ୍ତୁ, ଯାହା ହେଉ, ଆମ୍ଭେ କଦାପି ଏମାନଙ୍କ ସଙ୍ଗରେ ଯୁଦ୍ଧ କରିବୁ ନାହିଁ ।୨୭। ବୈଶମ୍ପାୟନ କହିଲେ, ଭୟାଳୁ, ବିରାଟ ରାଜାଙ୍କ ପୁତ୍ର ଉତ୍ତର ଏହି କଥା କହି ଗର୍ବ, ମାନ ଓ ବାଣ କମାଣ ସବୁ ଛାଡ଼ି ରଥରୁ ଡେଇଁପଡ଼ି ଶୀଘ୍ର ପଳାଇଲେ ।୨୮। ସେହି ସମୟରେ ବୃହନ୍ନଳା କହିଲେ, ଭୋ ରାଜପୁତ୍ର ! ପଣ୍ଡିତମାନେ କହନ୍ତି, ଯୁଦ୍ଧସ୍ଥଳରେ ଭୟରେ ପଳାଇ ଯିବାର କଦାପି କ୍ଷତ୍ରିୟମାନଙ୍କର ଧର୍ମ ନୁହେଁ, ବୀର ପୁରୁଷମାନେ ଯୁଦ୍ଧ କରୁ କରୁ ଶତ୍ରୁ ହସ୍ତରେ ମରିଗଲେ ସ୍ୱର୍ଗଭୁବନରେ ଅମର କନ୍ୟାମାନଙ୍କ ସଙ୍ଗରେ ବିହାର କରନ୍ତି ।୨୯।

 

ବୈଶମ୍ପାୟନ କହିଲେ, କୁନ୍ତୀକୁମାର ଅର୍ଜ୍ଜୁନ ଏହି କଥା କହି କହି ରଥରୁ ଓହ୍ଲାଇ ରାଜପୁତ୍ରଙ୍କ ପଛେ ପଛେ ଗୋଡ଼ାଇଲେ । କୌରବ ସୈନ୍ୟମାନେ ତାହାଙ୍କ ଲମ୍ବ ବେଣୀ ଓ ଉତ୍ତମ ରକ୍ତବର୍ଣ୍ଣ ବସ୍ତ୍ର ଚଳୁଥିବାର ଦେଖି ହସିଲେ, କିନ୍ତୁ ପ୍ରଧାନ ପ୍ରଧାନ ସେନାପତିମାନେ ତାହାଙ୍କୁ ଭସ୍ମ ଆଚ୍ଛାଦିତ ଅଗ୍ନିସଦୃଶ ଛଦ୍ମବେଶଧାରୀ କୌଣସି ବୀରପୁରୁଷ ବୋଲି ଜାଣି ପରସ୍ପରରେ କଥୋପକଥନ କଲେ କି ଏହି ବ୍ୟକ୍ତିଟି କିଏ ଓ କାହିଁକି ପଳାତକ ଲୋକର ପଛେ ପଛେ ଧାଉଁଅଛି-? ଏହା ଦେହର କେତେକ ଅଂଶ ସ୍ତ୍ରୀର ଦେହ ପ୍ରାୟ ଓ କେତେକ ଅଂଶ ପୁରୁଷ ଦେହ ପ୍ରାୟ ଦେଖାଯାଉଅଛି । ଆକୃତି ଓ ବେଶକୁ ଚାହିଁଲେ ନପୁଂସକ ପ୍ରାୟ ଜଣାଯାଉଅଛି ସତ୍ୟ, କିନ୍ତୁ ଭଲରୂପେ ନିରେଖି କରି ଚାହିଁଲେ ଅର୍ଜ୍ଜୁନ ବୋଲି ସଂଭବ ହୁଏ । ଏହାର ମସ୍ତକ, ଗ୍ରୀବା ଓ ପରିଘ ସଦୃଶ୍ୟ ଦିଓଟି ବାହୁ ଓ ଚାଲିବାର ଭଙ୍ଗୀରୁ ନିଶ୍ଚୟ ଅର୍ଜ୍ଜୁନ ବୋଲି ଜଣାଯାଉଅଛି, ଅତଏବ ବୋଧହୁଏ ଯେ ଅର୍ଜ୍ଜୁନ କପଟରେ ନପୁଂସକର ବେଶ ନିଶ୍ଚୟ ଧରିଅଛନ୍ତି ।୩୪। ଦେବତାମାନଙ୍କ ମଧ୍ୟରେ ଇନ୍ଦ୍ରଦେବ ସଦୃଶ୍ୟ ଅର୍ଜ୍ଜୁନ ମନୁଷ୍ୟ ମଧ୍ୟରେ ଶ୍ରେଷ୍ଠ, ତାହାଙ୍କ ବିନା ଆମ୍ଭମାନଙ୍କ ନିକଟକୁ ଏକାକୀ ହୋଇ ଆସିବାକୁ ଅନ୍ୟ ଲୋକର କଦାପି ସାହସ ହେବ ନାହିଁ ।୩୫। ବୋଧହୁଏ ବିରାଟଙ୍କ ନଗରରେ କେହି ସୈନ୍ୟ ନ ଥିବାରୁ ତାହାଙ୍କ ପୁତ୍ର ଉତ୍ତର ବାଳକସ୍ୱଭାବ ହେତୁରୁ ଏକାକୀ ହେଲେ ସୁଦ୍ଧା କପଟ ବେଶଧାରୀ ଅର୍ଜ୍ଜୁନଙ୍କୁ ସାରଥି କରି ନଗର ମଧ୍ୟରୁ ସାହସରେ ଆସିଥିଲା, କିନ୍ତୁ ଆମ୍ଭମାନଙ୍କୁ ସେ ଦେଖି ଭୟରେ ପଳାଇ ଯାଉଥିବାରୁ ଅର୍ଜ୍ଜୁନ ତାହାକୁ ଧରିବାକୁ ପଛେ ପଛେ ଗୋଡ଼ାଉଅଛି ।୩୮।

 

ବୈଶମ୍ପାୟନ କହିଲେ, ହେ ଭାରତ ! ସେମାନେ ନପୁଂସକ ବେଶଧାରୀ ଅର୍ଜ୍ଜୁନଙ୍କୁ ଦେଖି ଏହିପ୍ରାୟ ତର୍କ କରୁଥିଲେ ସତ୍ୟ, କିନ୍ତୁ କାହାରି ସନ୍ଦେହ ଦୂର ହେଲା ନାହିଁ । ଧନଞ୍ଜୟ ଉତ୍ତରର ପଛରେ ଶହେ ପାଦ ପର୍ଯ୍ୟନ୍ତ ଗୋଡ଼ାଇ ତାହାର କେଶକୁ ଧଇଲେ ।୪୦। ସେହି ସମୟରେ ବିରାଟଙ୍କ ପୁତ୍ର ଉତ୍ତର ଅତିଶୟ ଦୁଃଖିତ ହୋଇ ବିଳାପ କରି କହିଲେ ।୪୧।, ହେ କଲ୍ୟାଣୀ ! ବୃହନ୍ନଳେ ! ସୁମଧ୍ୟମେ ! ବଞ୍ଚିଥିଲେ ସମ୍ପତ୍ତି ଭୋଗ ହୁଏ, ଏହି କଥାକୁ ବିଚାର କରି ଶୀଘ୍ର ରଥ ଫେରାଅ ।୪୨। ହେ ବୃହନ୍ନଳେ ! ମୁଁ ପ୍ରତିଜ୍ଞା କରୁଅଛି, ଶହେ ଗୋଟି ବିଶୁଦ୍ଧ ସୁବର୍ଣ୍ଣ ମୁଦ୍ରା, ସୁବର୍ଣ୍ଣମଣ୍ଡିତ ଅତି ଉଜ୍ଜ୍ୱଳ ଆଠଗୋଟି ବୈଦୁର୍ଯ୍ୟ ରତ୍ନ, ଶିକ୍ଷିତ ଉତ୍ତମ ଅଶ୍ୱଯୁକ୍ତ ସୁବର୍ଣ୍ଣଦଣ୍ଡଶୋଭିତ ଗୋଟିଏ ରଥ ଓ ଦଶଗୋଟି ମତ୍ତହସ୍ତୀ ତୁମ୍ଭଙ୍କୁ ପୁରସ୍କାର ଦେବୀ; ମତେ ଛାଡ଼-।୪୪।

 

ବୈଶମ୍ପାୟନ କହିଲେ, ପୁରୁଷଶ୍ରେଷ୍ଠ ଅର୍ଜ୍ଜୁନ ଏହି ପ୍ରକାର ବିଳାପ କରୁଥିବା ହତବୁଦ୍ଧି, ଭୟଗ୍ରସ୍ତ ଉତ୍ତରକୁ ହସି ହସି ରଥ ନିକଟକୁ ଆଣି କହିଲେ, ଶତ୍ରୁକର୍ଷଣ ! ଶତ୍ରୁମାନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଯଦି ତୁମ୍ଭର ଇଚ୍ଛା ହେଉନାହିଁ, ତେବେ ତୁମ୍ଭେ ଅଶ୍ୱମାନଙ୍କୁ ଚଳାଅ, ମୁଁ ଶତ୍ରୁମାନଙ୍କୁ ସଂହାର କରିବି ।୪୭। ହେ ରିପୁଦଳନଶୀଳ ! ନରବ୍ୟାଘ୍ର ! ରାଜକୁମାର-ଶ୍ରେଷ୍ଠ ! ଆପଣ କ୍ଷତ୍ରିୟ ଅଟନ୍ତି, ଏତାଦୃଶ ଭୟ ଓ ବିଷାଦସାଗରରେ ମଗ୍ନ ହୁଅନ୍ତୁ ନାହିଁ । କେବଳ ରଥ ଚଳାଇ ପାରିଲେ ମୁଁ ଦୁର୍ଦମ ଅରିଦଳଙ୍କୁ ଦଳନ କରିବି । ତାହାହେଲେ ଆପଣଙ୍କ ଗୋଧନସବୁ ଶତ୍ରୁମାନଙ୍କ ହସ୍ତରୁ ସହଜରେ ରକ୍ଷାପାଇବେ । ବୀରଶ୍ରେଷ୍ଠ ବିଜୟୀବର ପୃଥାନନ୍ଦନ ଅର୍ଜ୍ଜୁନ ଏହି ପ୍ରକାର ଆଶ୍ୱାସନା ବାକ୍ୟ କହି କହି ଭୟବିହ୍ୱଳିତ ହତବୁଦ୍ଧ ବିରାଟଙ୍କ ପୁତ୍ରଙ୍କୁ ବଳପୂର୍ବକ ଧରି ବହୁକଷ୍ଟରେ ରଥରେ ଚଢ଼ାଇଲେ ।୫୧।

 

ଅଧ୍ୟାୟ – ୩୯

 

ବୈଶମ୍ପାୟନ କହିଲେ– ନପୁଂସକ ବେଶଧାରୀ ବୀରଶ୍ରେଷ୍ଠ ଅର୍ଜ୍ଜୁନ ବିରାଟପୁତ୍ରଙ୍କୁ ରଥରେ ବସାଇ ଶମୀବୃକ୍ଷ ଆଡ଼କୁ ନେଉଥିବା ସମୟରେ ଭୀଷ୍ମ ଓ ଦ୍ରୋଣ ପ୍ରଭୃତି କୌରବ ବୀରମାନେ ତାହାଙ୍କୁ ଅର୍ଜ୍ଜୁନ ବୋଲି ଜାଣିପାରି ଅତ୍ୟନ୍ତ ତ୍ରସ୍ତ ହେଲେ ।୨। ଶସ୍ତ୍ରଧାରୀ ବୀରମାନଙ୍କ ମଧ୍ୟରେ ଅଗ୍ରଗଣନୀୟ, କୁରୁବଂଶର ଗୁରୁ, ଭରଦ୍ୱାଜଙ୍କ ପୁତ୍ର ଦ୍ରୋଣାଚାର୍ଯ୍ୟ, ସମସ୍ତ ପ୍ରଧାନ ପ୍ରଧାନ ବୀରଶ୍ରେଷ୍ଠମାନଙ୍କର ଉତ୍ସାହଭଙ୍ଗ ହୋଇଥିବାର ଜାଣି ଓ ବିଶେଷ ରେ ଅମଙ୍ଗଳସୂଚକ ଉତ୍ପାତର ଚିହ୍ନମାନଙ୍କୁ ଦେଖି ସମସ୍ତଙ୍କୁ କହିଲେ ।୩।, ହେ ବୀରମାନେ ! ଦେଖିବା ହେଉନ୍ତୁ, ଅତି ପ୍ରଚଣ୍ଡ, ରୁକ୍ଷ ପବନ ଶର୍କର ବର୍ଷା କରି ଚତୁର୍ଦ୍ଦିଗରେ ବହୁଅଛି, ଅନ୍ଧକାର ସମୂହ ଭସ୍ମର ବର୍ଣ୍ଣକୁ ଧରି ଆକାଶମଣ୍ଡଳରେ ଅଦ୍ଭୁତ ରୂପରେ ଦୃଶ୍ୟ ହେଉଅଛନ୍ତି; ନାନା ପ୍ରକାର ଶସ୍ତ୍ରସବୁ କୋଷ ମଧ୍ୟରୁ ହଠାତ୍ ତଳକୁ ଖସି ପଡ଼ୁଅଛନ୍ତି ।୫। ଅକସ୍ମାତ୍ ଦିଗମାନ ଦଗ୍ଧ ହେବାରୁ ଶୃଗାଳମାନେ ଅଶୁଭସୂଚକ ରାବ କରୁଅଛନ୍ତି । ଅଶ୍ୱମାନଙ୍କର ନୟନରୁ ଲୋତକ ନିର୍ଗତ ହେଉଅଛି । ଧ୍ୱଜପତାକାମାନ ବିନା ବାୟୁରେ ଉଡ଼ୁଅଛନ୍ତି ।୬। ଏହିପ୍ରାୟ ବହୁତ ଅଶୁଭ ଚିହ୍ନ ଦେଖାଯାଉଥିବାରୁ ଜଣାଯାଏ ଯେ ଆଜି କିଛି ଅନିଷ୍ଟ ଘଟଣା ହେବ ।୭। ଅତଏବ ସମସ୍ତେ ଆପଣା ଆପଣାର ଆତ୍ମରକ୍ଷା ଓ ଗୋଧନରକ୍ଷା ବିଷୟରେ ଯତ୍ନ କରିବାକୁ ସାବଧାନ ହୁଅ । ଯୁଦ୍ଧ ପ୍ରତୀକ୍ଷାରେ ସୈନ୍ୟମାନଙ୍କୁ ଏକତ୍ର ଦଳବଦ୍ଧ କରି ରଖାଅ ।୮। ଏହି ଯେଉଁ ବୀର ପୁରୁଷଟି ନପୁଂସକ ରୂପରେ ଆସିଅଛି, ଏ ନିଶ୍ଚୟ ଅସ୍ତ୍ରଧାରୀ ଶ୍ରେଷ୍ଠ ଅର୍ଜ୍ଜୁନ ଅଟେ କିଛି ସନ୍ଦେହ ନାହିଁ ।୯।

 

ଦ୍ରୋଣାଚାର୍ଯ୍ୟ ସମସ୍ତ ବୀରପୁରୁଷମାନଙ୍କୁ ଏହି ପ୍ରକାର କହି ପରିଶେଷରେ ଭୀଷ୍ମଙ୍କୁ କହିଲେ, ହେ ଗାଙ୍ଗେୟ ! ବାନରଧ୍ୱଜ ! ପର୍ବତବୈରୀପୁତ୍ର, ବୃକ୍ଷନାମା, ସ୍ତ୍ରୀବେଶଧାରୀ, ଏହି କିରୀଟୀ ଆମ୍ଭମାନଙ୍କୁ ପରାଭବ ଦେଇ ନିଶ୍ଚୟ ଗୋଧନସବୁ ନେବ; ଅତଏବ ଦୁର୍ଯ୍ୟୋଧନଙ୍କୁ ରକ୍ଷା କର ।୧୦। ହେ କୌରବମାନେ ! ଅର୍ଜ୍ଜୁନ ସ୍ୱଭାବରେତ ଅଲୌକିକ ବଳଶାଳୀ ଅଟେ, ଦ୍ୱିତୀୟରେ ସେ ଇନ୍ଦ୍ରଙ୍କଠାରୁ ଉତ୍ତମ ଶିକ୍ଷା ପାଇଥିବାରୁ ପୃଥିବୀ ମଧ୍ୟରେ ଦ୍ୱିତୀୟ ଇନ୍ଦ୍ରପ୍ରାୟ ବଳବନ୍ତ ହୋଇଅଛି । ସେହି ହେତୁରୁ ସମସ୍ତ ଦେବତା ଓ ଅସୁରମାନଙ୍କ ସଙ୍ଗରେ ଯୁଦ୍ଧ ନ କରି କଦାପି ନିବର୍ତ୍ତିବ ନାହିଁ । ବିଶେଷରେ ବନବାସ ହେତୁୁରୁ ଏଠାକୁ ଅତ୍ୟନ୍ତ କ୍ରୋଧରେ ଆସିଅଛି । ଅତଏବ ଏପରି ସମୟରେ ତାହା ସଙ୍ଗରେ ଯୁଦ୍ଧ କରିବାକୁ ଆମ୍ଭ ସୈନ୍ୟ ମଧ୍ୟରେ କେହି ବୀରପୁରୁଷ ଥିଲା ପ୍ରାୟ ଜଣାଯାଉନାହିଁ ।୧୨। ମୁଁ ଶୁଣିଅଛି, ଅର୍ଜ୍ଜୁନ ହିମାଳୟ ପର୍ବତରେ କିରାତ ବେଶଧାରୀ ଭଗବାନ୍ ଶ୍ରୀ ମହାଦେବଙ୍କୁ ଯୁଦ୍ଧବିଦ୍ୟା ଦେଖାଇ ସନ୍ତୁଷ୍ଟ କରାଇଅଛନ୍ତି । ଅତଏବ ମନୁଷ୍ୟ ମଧ୍ୟରେ କେଉଁ ବ୍ୟକ୍ତି ତାହା ସଙ୍ଗରେ ଯୁଦ୍ଧ କରିବାକୁ ସାହସୀ ହେବ ?୧୩।

 

କର୍ଣ୍ଣ କହିଲେ, ଯେଉଁ ଅର୍ଜ୍ଜୁନ ମୋର କିମ୍ବା ଦୁର୍ଯ୍ୟୋଧନଙ୍କର କଳାକ ପରିମାଣକୁ ସମାନ ନୁହେଁ, ତାହାର ପ୍ରଶଂସାକୁ ଆପଣ କାହିଁକି ବାରମ୍ବାର କହୁଥାଆନ୍ତି ? ଦୁର୍ଯ୍ୟୋଧନ କହିଲେ, ହେ ମାନନୀୟ ! ବିଶାମ୍ପତେ ! ଏହି ନପୁଂସକ ବେଶଧାରୀ ପୁରୁଷ ଯଦି ଅର୍ଜ୍ଜୁନ ଅଟେ, ତେବେ ଆମ୍ଭେମାନେ ଅନାୟାସରେ କୃତକାର୍ଯ୍ୟ ହେବା, କାରଣ ପ୍ରକାଶିତ ହେଲେ ସେମାନେ ପୁନଶ୍ଚ ଦ୍ୱାଦଶ ବର୍ଷ ପର୍ଯ୍ୟନ୍ତ ବନରେ ଭ୍ରମଣ କରିବେ ।୧୫। ଯଦି ଅନ୍ୟ କୌଣସି ବ୍ୟକ୍ତି ନପୁଂସକ ବେଶ ଧରି ଆସିଥିବ, ତାହା ହେଲେ ଅନାୟାସରେ ମୁଁ ସୁତୀକ୍ଷ୍‌ଣ ଶର ଆଘାତରେ ତାକୁ ସଂହାର କରିବି-।୧୬। ବୈଶମ୍ପାୟନ କହିଲେ, ହେ ପରନ୍ତପ ! ଜନ୍ମେଜୟ ! ଧୃତରାଷ୍ଟ୍ରଙ୍କ ପୁତ୍ର ଦୁର୍ଯ୍ୟୋଧନ ଏହି ପ୍ରକାର କହିବାରୁ ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ ଓ ଅଶ୍ୱତ୍‌ଥାମା ତାହାଙ୍କୁ ବିଶେଷ ଧନ୍ୟବାଦ ଦେଲେ-।୧୭।

 

ଅଧ୍ୟାୟ – ୪୦

 

ବୈଶମ୍ପାୟନ କହିଲେ– ଅର୍ଜ୍ଜୁନ ବିରାଟଙ୍କ ପୁତ୍ରଙ୍କୁ ସେହି ଶମୀବୃକ୍ଷ ନିକଟକୁ ନେଇ ତାହାଙ୍କୁ ଅତି ସୁକୁମାର ଓ ଯୁଦ୍ଧ କାର୍ଯ୍ୟ କରିବାକୁ ଅକ୍ଷମ ବୋଲି ଜାଣି କହିଲେ ।୧।, ହେ ଉତ୍ତର ! ଅଶ୍ୱ, ହସ୍ତୀ ଓ ପ୍ରବଳ ପରାକ୍ରାନ୍ତ ବୀରପୁରୁଷମାନଙ୍କୁ ଦମନ କରିବା ନିମିତ୍ତ ତୁମ୍ଭର ଏହି କୋଦଣ୍ଡସବୁ ମୋର ବାହୁବଳକୁ ସହ୍ୟ କରି ପାରିବେ ନାହିଁ । ଅତଏବ ତୁମ୍ଭେ ପତ୍ରପରିପୂର୍ଣ୍ଣ ଏହି ଶମୀବୃକ୍ଷରେ ଆରୋହଣ କରି ଏଥିରେ ଥିବା କୋଦଣ୍ଡ ଓ ବାଣ ପ୍ରଭୃତି ଆଣ । ହେ ଭୂମିଞ୍ଜୟ ! ଯୁଧିଷ୍ଠିର ପ୍ରଭୃତି ପାଣ୍ଡବମାନେ ଏହି ବୃକ୍ଷରେ ଆପଣା ଆପଣାର ଶର, ଶରାସନ, ଧ୍ୱଜ ଓ କବଚସବୁ ରଖିଅଛନ୍ତି । ସବୁଠାରୁ ସୁବିଖ୍ୟାତ ଅର୍ଜ୍ଜୁନଙ୍କର ବଳବାନ ଗାଣ୍ଡୀବ ଧନୁ ମଧ୍ୟ ଅଛି ।୫। ସୁବର୍ଣ୍ଣ ନିର୍ମିତ ସେହି ଗୋଟିକ ଧନୁ ଏତାଦୃଶ ଉତ୍କୃଷ୍ଟ ଯେ ଶତ ସହସ୍ର ଆୟୁଧର କାର୍ଯ୍ୟ କରେ । ସେ ତାଳବୃକ୍ଷ ପ୍ରାୟ ବିଶାଳ, ଅତିଶୟ କଠିନ, ଚିକ୍‌କଣ, ଦେଖିବାକୁ ସୁନ୍ଦର; ବିଶେଷ ଆକର୍ଷଣ ଓ ଗୁରୁତର ଭାରକୁ ସହ୍ୟ କରିପାରେ ଓ ଶତ୍ରୁମାନଙ୍କୁ ସନ୍ତାପ ଦେଇ ରାଜ୍ୟ ବର୍ଦ୍ଧନ କରେ । ବିଶେଷରେ କି କହିବି, ଗାଣ୍ଡୀବଧନୁ ସର୍ବପ୍ରକାର କୋଦଣ୍ଡ ମଧ୍ୟରେ ପ୍ରଧାନ ଅଟେ । ଏଥି ଉତ୍ତାରୁ ଯୁଧିଷ୍ଠିର, ଭୀମ, ନକୁଳ ଓ ସହଦେବଙ୍କର ଶରାସନମାନେ ମଧ୍ୟ ଗାଣ୍ଡୀବ ପ୍ରାୟ ଅତିଶୟ ଦୃଢ଼ ଓ ବଳବନ୍ତ ଅଟନ୍ତି ।୮।

 

ଅଧ୍ୟାୟ – ୪୧

 

ଉତ୍ତର କହିଲେ– ହେ ବୃହନ୍ନଳେ ! ଏହି ବୃକ୍ଷରେ ଗୋଟାଏ ଶବ ବନ୍ଧା ହୋଇଥିବାର ମୁଁ ଶୁଣିଅଛି । ଅତଏବ ଆମ୍ଭେ ରାଜକୁମାର ହୋଇ ତାହାକୁ କେଉଁ ପ୍ରକାର ସ୍ପର୍ଶ କରିବା ? ।୧। ଆମ୍ଭେ କ୍ଷତ୍ରିୟ ଓ ମହାରାଜକୁମାର ଅଟୁ । ବିଶେଷରେ ମନ୍ତ୍ର ଓ ବ୍ରତର ନିୟମ ସବୁ ଜାଣୁ; ଅତଏବ ତାଦୃଶ ଅପବିତ୍ର ପଦାର୍ଥ ସ୍ପର୍ଶ କରିବାକୁ କଦାପି ଇଚ୍ଛା କରିବୁ ନାହିଁ ।୨। ହେ ବୃହନ୍ନଳେ ! ଆମ୍ଭେ ମୃତ ଦେହକୁ ସ୍ପର୍ଶ କଲେ ଶବବାହକ ବ୍ୟାଧ ପ୍ରାୟ ଅଶୁଚି ଓ ଧର୍ମକର୍ମ କରିବାକୁ ଅଯୋଗ୍ୟ ହେବୁ-। ଅତଏବ ଆମ୍ଭଙ୍କୁ ଏହି ବିଷୟରେ ଅନୁରୋଧ କରନାହିଁ ।୩। ବୃହନ୍ନଳା କହିଲେ, ହେ ରାଜେନ୍ଦ୍ର-! ଏହି ବୃକ୍ଷରେ ବନ୍ଧା ହୋଇଥିବା ଶରାସନସବୁ ମୃତ ଦେହପ୍ରାୟ ଦୃଶ୍ୟ ହେଉଅଛି; ଅତଏବ ତୁମ୍ଭେ କିଛି ଶଙ୍କା କରନା ।୪। ହେ ରାଜକୁମାର ! ଆପଣ ଉତ୍କୃଷ୍ଟ ବଂଶରେ ଜାତ । ପୁନଶ୍ଚ ବିରାଟ ରାଜାଙ୍କର ପୁତ୍ର ଅଟ । ଅତଏବ ମୁଁ ଆପଣଙ୍କ ହସ୍ତରେ କଦାପି ନିନ୍ଦିତ କାର୍ଯ୍ୟ କରାଇବି ନାହିଁ-

 

ବୈଶମ୍ପାୟନ କହିଲେ, ଅର୍ଜ୍ଜୁନ ଏହି ପ୍ରକାର କହିବାରୁ ବିରାଟନନ୍ଦନ ତାହାଙ୍କର ଅଧୀନ ହୋଇ ସେହି ସମୟରେ ଶମୀବୃକ୍ଷରେ ଆରୋହଣ କଲେ । ୬। ଶତ୍ରୁକୁଳ ବିନାଶକାରୀ ଅର୍ଜ୍ଜୁନ ରଥ ଉପରେ ବସି ତାହାଙ୍କୁ କହିଲେ, ତୁମ୍ଭେ ବୃକ୍ଷ ଅଗରୁ ଶୀଘ୍ର ଶରାସନମାନଙ୍କୁ ଫିଟାଇ ସେମାନଙ୍କର ଢାଙ୍କୁଣୀସବୁ ବାହାର କର । ରାଜକୁମାର ତାହାଙ୍କ ଆଜ୍ଞାନୁସାରେ ବୀରଶ୍ରେଷ୍ଠ ପାଣ୍ଡବମାନଙ୍କର ମହାମୂଲ୍ୟ ଚାପମାନଙ୍କୁ ବୃକ୍ଷର ମୂଳକୁ ଆଣି ପ୍ରଥମରେ ସେମାନଙ୍କ ଉପରର ଆଚ୍ଛାଦନ ପତ୍ରସବୁ ବାହାର କରିଦେଲେ । ତାହା ଉତ୍ତାରେ ଆବରଣ ସ୍ୱରୂପ କବଚମାନଙ୍କୁ ବାହାର କଲାରୁ ପରିଶେଷରେ ଗାଣ୍ଡୀବ ଓ ଅନ୍ୟ ଚାରିଗୋଟି ଧନୁ ଦେଖିଲେ ।୯। ଗ୍ରହମାନଙ୍କର ଉଦୟକାଳୀନ ପ୍ରଭାରାଶିପ୍ରାୟ ଆବରଣବିମୁକ୍ତ କୋଦଣ୍ଡ ଓ କବଚମାନଙ୍କର ଶୋଭା ଚତୁର୍ଦିଗରେ ପ୍ରକାଶିତ ହେଲା ।୧୦। ଉତ୍ତର ସେହି କମାଣ ଓ କବଚମାନଙ୍କୁ ଦେଖିବାମାତ୍ରେ କିଛି ସମୟ ପର୍ଯ୍ୟନ୍ତ କ୍ରୋଧଯୁକ୍ତ ସର୍ପପ୍ରାୟ ଭୟରେ ଉଦ୍‌ବିଗ୍ନ ହେଲେ ଓ ତାହାଙ୍କର ସର୍ବାଙ୍ଗ ରୋମାଞ୍ଚରେ ପୂରିଗଲା ।୧୧। ହେ ଜନ୍ମେଜୟ ! ଉତ୍ତର ତାହା ଉତ୍ତାରୁ ପ୍ରତ୍ୟେକ ଧନୁକୁ ଧରି ସେହିମାନଙ୍କ ବିଶେଷ ବିବରଣ ଜାଣିବା ଇଚ୍ଛାରେ ଅର୍ଜ୍ଜୁନଙ୍କୁ ପଚାରିଲେ ।୧୨।

 

ଅଧ୍ୟାୟ – ୪୨

 

ଉତ୍ତର କହିଲେ- ହେ ବୃହନ୍ନଳେ ! ଶତସହସ୍ର କୋଟି ସୁବର୍ଣ୍ଣ ବିନ୍ଦୁରେ ମଣ୍ଡିତ ହୋଇଥିବା ଏହି ଉତ୍ତମ କୋଦଣ୍ଡଟି କେଉଁ ଯଶସ୍ୱୀ ବୀରପୁରୁଷଙ୍କର ଅଟେ ?୧। ପୃଷ୍ଠରେ ସୁବର୍ଣ୍ଣଚିତ୍ରରେ ହସ୍ତୀର ରୂପ ଲେଖା ଯାଇଅଛି । ପାର୍ଶ୍ୱ ଓ ମୁଷ୍ଟିବନ୍ଧ ବଡ଼ ସୁନ୍ଦର ଦେଖାଯାଉଅଛି, ଏହି ସୁଦିବ୍ୟ କୋଦଣ୍ଡଟି କାହାର ଅଟେ ?୨। ଏହି ଶରାସନର ପୃଷ୍ଠରେ ଉତ୍କୃଷ୍ଟ ସୁବର୍ଣ୍ଣରେ ନିର୍ମିତ ସାଧବବୋହୁ କୀଟ ରହିଥିବାରୁ ଅତିଶୟ ସୁନ୍ଦର ଦେଖାଯାଉଅଛି । ଏହି ଚାପ ମଧ୍ୟ କେଉଁ ବୀରପୁରୁଷଙ୍କର ଅଟେ ।୩। ଏହାର ପୃଷ୍ଠରେ ଅତିଶୟ ତେଜୀୟାନ ସୁବର୍ଣ୍ଣନିର୍ମିତ ତିନିଗୋଟି ସୂର୍ଯ୍ୟ ଯଥାସ୍ଥାନରେ ରହି ଅପୂର୍ବ ଶୋଭାକୁ ବଢ଼ାଉ ଅଛନ୍ତି । ଏହି ଉତ୍କୃଷ୍ଟ କୋଦଣ୍ଡର କିଏ ଅଧିକାରୀ ? ଅତିଶୟ ଦେବୀପ୍ୟମାନ ଅସଂଖ୍ୟ ମଣିରାଶିରେ ମଣ୍ଡିତ, ସୁବର୍ଣ୍ଣ ଶଲଭପୂର୍ଣ୍ଣ ଏହି ଧନୁଟି କେଉଁ ମହାତ୍ମାଙ୍କର ଶୋଭାକୁ ସମ୍ପାଦନ କରୁଥିଲା ?୫। ଅଗ୍ରଭାଗରେ ରୌପ୍ୟଦ୍ୱାରା ବିଚିତ୍ରିତ, ସର୍ବତ୍ର ଲୋମପୂର୍ଣ୍ଣ, ସୁବର୍ଣ୍ଣ ଶରକୋଷର ମଧ୍ୟସ୍ଥିତ ସହସ୍ର ପରିମିତ ଏହି ବାଣତକ କେଉଁ ବୀରବରଙ୍କର କରକୁ ମଣ୍ଡନ କରିଥିଲା ?୬।

 

ଗୃଧ୍ରପକ୍ଷ ସଂଯୁକ୍ତ, ଶିଳାଘର୍ଷଣ ହେତୁ ଅତିଶୟ ତୀକ୍ଷ୍‌ଣ, ଅସଂଖ୍ୟବାର ଶାଣିତ, ହାରିଦ୍ର ବର୍ଣ୍ଣ, ଲୈାହମୟ ଏହି ବିଶାଳ ଶରମାନେ କେଉଁ ମହାବାହୁଙ୍କ ହସ୍ତର ଶୋଭା ବର୍ଦ୍ଧନ କରୁଥିଲେ ?୭। ପାଞ୍ଚଗୋଟି ଶାର୍ଦ୍ଦୂଳମାନଙ୍କ ରୂପରେ ଚିତ୍ରିତ ବରାହକର୍ଣ୍ଣାକାର ଦଶଗୋଟି ବାଣରେ ପୂର୍ଣ୍ଣ ଏହି କୃଷ୍ଣବର୍ଣ୍ଣ ଶରକୋଷଟି କେଉଁ ବୀରଙ୍କର ?୮। ଅର୍ଦ୍ଧ ଚନ୍ଦ୍ରାକୃତି, ପୃଥୁଳ, ଦୀର୍ଘ, ରକ୍ତଭକ୍ଷକ, ଏହି ସପ୍ତାଧିକ ଶତପରିମିତ ଶରଗୁଡିକ କେଉଁ ବୀରବରଙ୍କର ବ୍ୟବହାର ଉପଯୋଗୀ ହୋଇଥିଲା ?୯। ଉପରର ଅର୍ଦ୍ଧଭାଗ ଶୁକପକ୍ଷୀର ପକ୍ଷ ପ୍ରାୟ ହରିତ ବର୍ଣ୍ଣରେ ଚିତ୍ରିତ, ତଳଭାଗର ଅର୍ଦ୍ଧଅଂଶ ସୁବର୍ଣ୍ଣ ପକ୍ଷସଂଯୁକ୍ତ, ପୀତବର୍ଣ୍ଣରେ ରଞ୍ଜିତ, ଶିଳାରେ ଶାଣିତ, ଲୌହଦଣ୍ଡଯୁକ୍ତ ଏହି ବାଣମାନଙ୍କୁ କେଉଁ ବୀରଶ୍ରେଷ୍ଠ ବ୍ୟବହାର କରୁଥିଲେ ?୧୦। ବ୍ୟାଘ୍ରଚର୍ମରେ କୋଷମଧ୍ୟରେ ରକ୍ଷିତ, ସୁବର୍ଣ୍ଣଜଡ଼ିତ ମୁଷ୍ଟି, ପୃଷ୍ଠଭାଗ ଭେକରୂପରେ ଚିତ୍ରିତ, ଭେକୀର ମୁଖସଦୃଶ ମୁଖଯୁକ୍ତ, ଗୁରୁଭାର ସହନକ୍ଷମ, ଶତ୍ରୁମାନଙ୍କର ଭୟପ୍ରଦ, ବିଶାଳ, ଏହି ଉତ୍ତମ ଖଡ଼୍‍ଗ ଗୋଟିକ କାହାର ଅଟେ ? ନାନାପ୍ରକାର ଚିତ୍ରରେ ଚିତ୍ରିତ କୋଷମଧ୍ୟସ୍ଥିତ, ମନୋହର ଫଳଯୁକ୍ତ, ସ୍ଥୂଳ, କିଙ୍କିଣୀଯୁକ୍ତ, ଅତି ନିର୍ମଳ ଏହି ଖଡ଼୍‍ଗକୁ କେଉଁ ବୀରଶ୍ରେଷ୍ଠ ଧରିଥିଲେ ?

 

ନିଷଧଦେଶସମ୍ଭୂତ, ସୁବର୍ଣ୍ଣ ମୁଷ୍ଟିଯୁକ୍ତ, ଅମୋଘ, ଭାରସହ, ଗୋଚର୍ମ କୋଷମଧ୍ୟସ୍ଥିତ ଏହି ଖଡ଼୍‍ଗକୁ କେଉଁ ବୀରଶ୍ରେଷ୍ଠ ବ୍ୟବହାର କରୁଥିଲେ ? ସୁବର୍ଣ୍ଣ ଜଡ଼ିତ, ଶାଣିତ, ଅତିଦୀର୍ଘ, ଉତ୍ତମାକୃତିଯୁକ୍ତ, ଆକାଶ ସଦୃଶ୍ୟ ଉଜ୍ଜ୍ୱଳ, କୃଷ୍ଣବର୍ଣ୍ଣ ଓ ଛାଗଚର୍ମନିର୍ମିତ କୋଷର ମଧ୍ୟସ୍ଥିତ ଏହି ଖଡ଼୍‍ଗଟିକି କେଉଁ ମହାବୀର ଯୁଦ୍ଧରେ ବ୍ୟବହାର କରୁଥିଲେ ? ଅଗ୍ନିସଦୃଶ୍ୟ ପ୍ରଭାପୂର୍ଣ୍ଣ, ସୁତପ୍ତ ସୁବର୍ଣ୍ଣସମ କୋଷର ମଧ୍ୟସ୍ଥିତ, ଶାଣିତ, ଅତି ଚିକ୍‌କଣ, ଅତି ଉତ୍କୃଷ୍ଟ ଲୌହରେ ନିର୍ମିତ, ଏହି ଗୁରୁଭାର ଖଡ଼୍‍ଗ ଖଣ୍ଡିକ କେଉଁ ମହାବୀରଙ୍କର କରମଣ୍ଡନ ହୋଇଥିଲା ? ଶତ୍ରୁମାନଙ୍କର ପରାଭବଦାୟକ, ଅଙ୍ଗଭେଦନକାରକ, ଯୋଡିଏ ପୁରୁଷଙ୍କ ବଳରେ ମହୀରୁ ଉଠିବାର ଉପଯୁକ୍ତ, ସୁବର୍ଣ୍ଣ ବିନ୍ଦୁରେ ପରିପୂର୍ଣ୍ଣ, ଶତ୍ରୁମାନଙ୍କର ଭୟଦାୟକ, ଗୁରୁଭାର ସହ, ତ୍ରିଂଶଅଙ୍ଗୁଳରୁ ଅଧିକ ଦୀର୍ଘ, ସର୍ପର ଦେହତୁଲ୍ୟ ଦୃଶ୍ୟମାନ ଏହି ଦିବ୍ୟ ନୀଳବର୍ଣ୍ଣ ଖଡ଼୍‍ଗଟି କେଉଁ ବୀରବରଙ୍କର ଅଟେ ?୧୭। ହେ ବୃହନ୍ନଳେ ! ଏହି ସବୁ ପଦାର୍ଥ ଦେଖି ମୋର ମନରେ ବଡ଼ ବିସ୍ମୟ ଜନ୍ମିଅଛି । ଅତଏବ ତୁମ୍ଭେ ଏହିମାନଙ୍କର ବିବରଣ ଉତ୍ତମରୂପେ ମତେ କହ ।୧୮।

 

ଅଧ୍ୟାୟ – ୪୩

 

ବୃହନ୍ନଳା କହିଲେ- ଆପଣ ପ୍ରଥମରେ ସୁବର୍ଣ୍ଣମଣ୍ଡିତ ଶତ୍ରୁମାନଙ୍କ ସୈନ୍ୟସଂହାରକ ଏହି ଧନୁର କଥା ପଚାରିଥିଲେ । ଏହି ଗୋଟିକ ଏକ ଲକ୍ଷ କୋଦଣ୍ଡର ସମାନ, ସମସ୍ତ ଆୟୁଧ ମଧ୍ୟରେ ଶ୍ରେଷ୍ଠ, ନାନା ପ୍ରକାର ବର୍ଣ୍ଣଦ୍ୱାରା ବିଶେଷରୂପେ ଚିତ୍ରିତ, ମସୃଣ, ଅବ୍ରଣ, ରାଜ୍ୟବର୍ଦ୍ଧନକାରୀ ଓ ପୃଥିବୀରେ ବିଖ୍ୟାତ ଅଟେ । ଏହାର ନାମ ଗାଣ୍ଡୀବ । ଦେବ, ଦାନବ ଓ ଗନ୍ଧର୍ବମାନେ ଏହାକୁ ବହୁବର୍ଷ ପର୍ଯ୍ୟନ୍ତ ପୂଜା କରିଥିଲେ । ଅର୍ଜ୍ଜୁନ ଏହାର ଅଧିକାରୀ । ସେ ଏହି କୋଦଣ୍ଡର ସାହାଯ୍ୟରେ ଯୁଦ୍ଧରେ ଦେବତା ଓ ମନୁଷ୍ୟମାନଙ୍କୁ ପରାଭବ ଦେଇଥିଲେ ।୪।

 

ଏହି କୋଦଣ୍ଡ ପ୍ରଥମରେ ସହସ୍ର ବର୍ଷ ପର୍ଯ୍ୟନ୍ତ ବ୍ରହ୍ମାଙ୍କ ହସ୍ତରେ ଥିଲା । ତାହା ଉତ୍ତାରୁ ପାଞ୍ଚଶତ ତିନିବର୍ଷ ପର୍ଯ୍ୟନ୍ତ ପ୍ରଜାପତିଙ୍କ ହସ୍ତରେ, ତାହା ଉତ୍ତାରୁ ପାଞ୍ଚାଅଶୀ ବର୍ଷ ପର୍ଯ୍ୟନ୍ତ ଇନ୍ଦ୍ରଙ୍କ ହସ୍ତରେ, ପାଞ୍ଚଶତ ବର୍ଷ ପର୍ଯ୍ୟନ୍ତ ଚନ୍ଦ୍ରଙ୍କ ହସ୍ତରେ, ଶହେବର୍ଷ ପର୍ଯ୍ୟନ୍ତ ବରୁଣଙ୍କ ହସ୍ତରେ ରହିଥିଲା-। ପଞ୍ଚଷଷ୍ଠୀବର୍ଷ ହେଲା ବରୁଣଙ୍କ ହସ୍ତରୁ ଦେବଦାନବ ପୂଜିତ ଅତି ରମଣୀୟ, ଅତି ବୃହତ୍‌, ମହାବଳବାନ୍‌, ଅତି ଉତ୍କୃଷ୍ଟ ଏହି କୋଦଣ୍ଡଟି ପୃଥାନନ୍ଦନ ଅର୍ଜ୍ଜୁନଙ୍କ ହସ୍ତକୁ ଆସିଅଛି-। ହେ ବିରାଟପୁତ୍ର ! ଅତି ରମଣୀୟ ପାଶ୍ୱର୍ଯୁକ୍ତ, ସୁବର୍ଣ୍ଣମଣ୍ଡିତ, ଏହି ଧନୁଟି ଭୀମସେନଙ୍କର; ସେ ଏହି କୋଦଣ୍ଡର ସାହାଯ୍ୟରେ ସମୁଦାୟ ପୂର୍ବ ଦିଗକୁ ଜୟ କରିଥିଲେ ।୮। ସାଧବ ବଧୂ କୀଟର ଛବିରେ ଚିତ୍ରିତ ଏହି ସୁନ୍ଦର ଓ ଉତ୍କୃଷ୍ଟ କମାଣଟି ଯୁଧିଷ୍ଠିରଙ୍କର; ସୁବର୍ଣ୍ଣ ସୂର୍ଯ୍ୟମାନଙ୍କ ଦ୍ୱାରା ମଣ୍ଡିତ ଅତିଶୟ ପ୍ରଭାପୂର୍ଣ୍ଣ ଏହି କୋଦଣ୍ଡଟି ନକୁଳଙ୍କର ।୧୦। ସୁବର୍ଣ୍ଣର ଶଲଭମାନଙ୍କ ଦ୍ୱାରା ପୂର୍ଣ୍ଣ ଓ ନାନା ପ୍ରକାର ଉତ୍ତମ ଉତ୍ତମ ବର୍ଣ୍ଣସମୂହରେ ଚିତ୍ରିତ ଏହି ଶରାସନ ସହଦେବଙ୍କ କରମଣ୍ଡନ ହୋଇଥିଲା ।୧୧।

 

ହେ ଉତ୍ତର ! ସର୍ବାଙ୍ଗରେ ଲୋମଯୁକ୍ତ, ସର୍ପବିଷସଦୃଶ ଭୟଙ୍କର, କ୍ଷୁରତୁଲ୍ୟ, ଅତି ବେଗଗାମୀ, ତେଜୀୟାନ୍‌, ସହସ୍ରପରିମିତ ଏହି ଶରସବୁ ଅର୍ଜ୍ଜୁନଙ୍କର; ଏହି ଶର ଅକ୍ଷୟ ଅଟନ୍ତି । ଅର୍ଜ୍ଜୁନ ଏହି ଶରମାନଙ୍କ ସାହାଯ୍ୟରେ କୁଢ଼ କୁଢ଼ କରି ଶତ୍ରୁ ସୈନ୍ୟମାନଙ୍କୁ ସଂହାର କଲେ ସୁଦ୍ଧା ଏମାନେ କ୍ଷୟ ହୁଅନ୍ତି ନାହିଁ ।୧୩। ସ୍ଥୂଳ, ଦୀର୍ଘ, ଅତିଶୟ ଶାଣିତ, ଅର୍ଦ୍ଧଚନ୍ଦ୍ରାକୃତି, ଶତ୍ରୁସୈନ୍ୟ ସଂହାରକାରୀ ଏହି ଶରସମୂହ ଭୀମସେନଙ୍କର ।୧୪। ପାଞ୍ଚଗୋଟି ଶାର୍ଦୂଳଙ୍କ ଛବିରେ ଯୁକ୍ତ, ଏହି ଶରକୋଷ ହାରିଦ୍ର ବର୍ଣ୍ଣ, ସୁବର୍ଣ୍ଣପୁଙ୍ଖଯୁକ୍ତ, ଅତି ତୀକ୍ଷ୍‌ଣ ବାଣମାନେ ମଧ୍ୟ ନକୁଳଙ୍କର ।୧୫। ବୁଦ୍ଧିମାନ, ମାଦ୍ରୀନନ୍ଦନ ନକୁଳ ଏହି ତୁଣୀର ସାହାଯ୍ୟରେ ଯୁଦ୍ଧ କରି ସମସ୍ତ ପଶ୍ଚିମ ଦିଗକୁ ଜୟ କରିଥିଲେ ।୧୬। ନାନା ପ୍ରକାର ଚିତ୍ରମାନଙ୍କଦ୍ୱାରା ସୂର୍ଯ୍ୟଦେବଙ୍କପ୍ରାୟ ତେଜୀୟାନ୍‌, ଶତ୍ରୁବୃନ୍ଦର ନାଶକାରୀ ଏହି ଶର ସମୂହ ବୁଦ୍ଧିମାନ ସହଦେବଙ୍କର ଅଟେ ।

 

ଅତି ତୀକ୍ଷ୍‌ଣ, ଶାଣିତ, ଦୀର୍ଘପତ୍ରଯୁକ୍ତ, ସୁବର୍ଣ୍ଣ ପୁଙ୍ଖବିଶିଷ୍ଟ, ତ୍ରିପର୍ବ ସଂଯୁକ୍ତ, ଏହି ବାଣମାନେ ଯୁଧିଷ୍ଠିର ରାଜାଙ୍କର କରମଣ୍ଡନ ଅଟନ୍ତି ।୧୮। ବ୍ୟାଘ୍ରଚର୍ମ କୋଷର ମଧ୍ୟସ୍ଥିତ, ପୃଷ୍ଠରେ ଭେକୀର ଛବିଧାରକ, ଭେକୀର ମୁଖସଦୃଶ୍ୟ ମୁଖବିଶିଷ୍ଟ, ଗୁରୁଭାରସହ, ସୁଦୃଢ଼, ଏହି ବିଶାଳ ଖଡ଼୍‍ଗଟି ଅର୍ଜ୍ଜୁନଙ୍କର । ଶତ୍ରୁମାନଙ୍କର ଭୟଦାୟକ, ଗୁରୁଭାରସହ, ଅତି ବୃହତ୍ ଏହି ମନୋହର ଖଡ଼୍‍ଗ ଭୀମସେନଙ୍କର ଅଟେ । ଚିତ୍ରକୋଷର ମଧ୍ୟସ୍ଥିତ, ସୁବର୍ଣ୍ଣଜଡ଼ିତ ମୁଷ୍ଟିବିଶିଷ୍ଟ, ଅତିଶୟ ଉତ୍କୃଷ୍ଟ, ଏହି ଚିକ୍କଣ ଖଡ଼୍‍ଗ, ଧର୍ମରାଜ ଯୁଧିଷ୍ଠିରଙ୍କର କରମଣ୍ଡନ ଅଟେ ।୨୧। ଛାଗଚର୍ମକୋଷର ମଧ୍ୟସ୍ଥିତ, ବିଚିତ୍ର ଓ ଭୟାନକ, ଯୁଦ୍ଧର ହିତକାରକ, ଗୁରୁଭାରସହ, ଏହି ସୁଦୃଢ଼ ଖଡ଼୍‍ଗ ଗୋଟିକ ନକୁଳଙ୍କର ଅଟେ ।୨୨। ଗୋଚର୍ମକୋଷର ମଧ୍ୟସ୍ଥିତ, ସର୍ବଭାରସହ, ଦୃଢ଼ ଏହି ବିଶାଳ ଖଡ଼୍‍ଗ ସହଦେବଙ୍କର ।୨୩।

 

ଅଧ୍ୟାୟ – ୪୪

 

ଉତ୍ତର କହିଲେ– ଆଳସ୍ୟବିହୀନ, ମହାତ୍ମା ପାଣ୍ଡବମାନଙ୍କର ସୁବର୍ଣ୍ଣମୟ ଏହି ଆୟୁଧସବୁ ଅତି ମନୋହର ହୋଇ ଅଛନ୍ତି ।୧। ଶତ୍ରୁକୁଳ ସଂହାରକ, କୌରବଶ୍ରେଷ୍ଠ, ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ ଓ ସହଦେବ, ଏମାନେ କେଉଁଠାରେ ଅଛନ୍ତି ?୨। ଆମ୍ଭେ ଶୁଣିଅଛୁ, ସେମାନେ ଅକ୍ଷକ୍ରୀଡ଼ାରେ ରାଜ୍ୟଚ୍ୟୁତ ହୋଇ କେଉଁଠାରେ ଅଛନ୍ତି, ତାହା କିଛି ଜଣାଯାଉ ନାହିଁ । ପୁନଶ୍ଚ ଶୁଣୁଅଛୁ, ରମଣୀମଣି ଦ୍ରୁପଦନନ୍ଦିନୀ କୃଷ୍ଣା ମଧ୍ୟ ସେହି ପାଣ୍ଡବମାନଙ୍କ ସଙ୍ଗରେ ବନକୁ ଯାଇଅଛନ୍ତି । ଆହା ! ସେ କେଉଁଠାରେ ରହିଲେ ?୪। ଅର୍ଜ୍ଜୁନ କହିଲେ, ଆମ୍ଭେ ପୃଥାଙ୍କ ପୁତ୍ର ଅର୍ଜ୍ଜୁନ; ଆପଣଙ୍କ ସଭା ମଧ୍ୟରେ ଯାହାଙ୍କୁ କଙ୍କ ବୋଲି ଆହ୍ୱାନ କରିବାକୁ ହେଉଅଛି, ସେ ଯୁଧିଷ୍ଠିର; ଯେ ଆପଣଙ୍କ ପିତାଙ୍କର ସୂପକାର ବଲ୍ଲବ ବୋଲି ଖ୍ୟାତ ହୋଇଅଛନ୍ତି, ସେ ଭୀମସେନ-।୫। ନକୁଳ ଅଶ୍ୱବନ୍ଧନ କରନ୍ତି, ସହଦେବ ଗୋପାଳମାନଙ୍କର ପ୍ରଧାନ ହୋଇଅଛନ୍ତି; ଯାହାଙ୍କ ନିମିତ୍ତ କୀଚକ ହତ ହୋଇଅଛନ୍ତି, ସେହି ସୈରନ୍ଧ୍ରୀ ଦ୍ରୌପଦୀ ଅଟନ୍ତି ।

 

ଉତ୍ତର କହିଲେ, ଆମ୍ଭେ ପୂର୍ବେ ଅର୍ଜ୍ଜୁନଙ୍କର ଯେଉଁ ଦଶଗୋଟି ନାମ ଶୁଣିଅଛୁଁ, ତାହାଯଦି ଆପଣ କହିପାରିବେ, ତାହାହେଲେ ଆମ୍ଭେ ଆପଣଙ୍କର କହିବା କଥାସବୁ ବିଶ୍ୱାସ କରିବା ।୭। ଅର୍ଜ୍ଜୁନ କହିଲେ, ହେ ବିରାଟ କୁମାର ! ଆପଣ ଉତ୍ତମ କଥା କହିଲେ । ଆମ୍ଭେ ଆମ୍ଭର ଦଶଗୋଟି ନାମ କହୁଅଛୁ, ତାହା ଆପଣ ସାବଧାନ ହୋଇ ଶୁଣିବା ହେଉନ୍ତୁ । ଅର୍ଜ୍ଜୁନ, ଫାଲ୍‌ଗୁନ, ଜିଷ୍ଣୁ, କିରୀଟୀ, ଶ୍ୱେତବାହନ, ବିଭତ୍ସୁ, ବିଜୟ, କୃଷ୍ଣ, ସବ୍ୟସାଚୀ ଓ ଧନଞ୍ଜୟ, ଏହି ଦଶଗୋଟି ନାମ ଆମ୍ଭର ଖ୍ୟାତ ।୯। ଉତ୍ତର ପଚାରିଲେ, ଆପଣଙ୍କର ବିଜୟ ନାମର କାରଣ କି ? କି ନିମିତ୍ତ ଶ୍ୱେତବାହନ ନାମ ଧରିଅଛନ୍ତି ? କେଉଁ କାରଣରୁ କିରୀଟୀ ନାମରେ ଖ୍ୟାତ ହେଲେ ଓ କେଉଁ ପ୍ରକାରରେ ସବ୍ୟସାଚ୍ଚୀ ନାମକୁ ପାଇଲେ ?୧୦। କେଉଁ କାରଣରୁ ଆପଣ ଅର୍ଜ୍ଜୁନ, ଫାଲ୍‌ଗୁନ, କୃଷ୍ଣ, ଜିଷ୍ଣୁ, ବିଭତ୍ସୁ ଓ ଧନଞ୍ଜୟ ଏହି ନାମମାନଙ୍କୁ ପାଇଅଛନ୍ତି ? ସେହି ନାମମାନଙ୍କର କାରଣସବୁ ମତେ କହିବା ହେଉନ୍ତୁ ।୧୧। ସେହି ବୀର ଯେଉଁ ଯେଉଁ କାରଣରୁ ଉକ୍ତ ନାମମାନଙ୍କୁ ପାଇଅଛନ୍ତି, ତାହାସବୁ ଆମ୍ଭେ ଶୁଣିଅଛୁଁ । ଅତଏବ ଆପଣ ଯଦି ସେହି କାରଣଗୁଡ଼ିକ କହିପାରିବେ, ତେବେ ଆମ୍ଭର ପ୍ରତୀତି ଜନ୍ମିବ ।୧୨।

 

ଅର୍ଜ୍ଜୁନ କହିଲେ, ମୁଁ ସମସ୍ତ ଜନପଦ ଜୟ କରି କେବଳ ଧନମାତ୍ର ଆଣି ତାହାର ମଧ୍ୟରେ ଅବସ୍ଥିତି କରିବାରୁ ମୋର ଧନଞ୍ଜୟ ନାମ ହୋଇଅଛି ।୧୩। ମୁଁ ଯୁଦ୍ଧକ୍ଷେତ୍ରରେ ପ୍ରବେଶ କଲେ ମଦାନ୍ଧ ବୀରମାନଙ୍କୁ ନିଶ୍ଚୟ ପରାଭବ ଦିଅଇ ବୋଲି ବିଜୟ ନାମକୁ ଧରିଅଛି ।୧୪। ସୁବର୍ଣ୍ଣ କବଚଧାରୀ ଶ୍ୱେତ ଘୋଟକମାନେ ରଥରେ ସଂଯୋଜିତ ହୋଇ ମୋର ଯୁଦ୍ଧକାର୍ଯ୍ୟ କରନ୍ତି, ଅତଏବ ମୁଁ ଶ୍ୱେତବାହନ ନାମରେ ଖ୍ୟାତ ହୋଇଅଛି ।୧୫। ହିମାଳୟ ପର୍ବତର ପୃଷ୍ଠରେ ଉତ୍ତର ଫାଲ୍‌ଗୁନୀ ଓ ପୂର୍ବ ଫାଲ୍‌ଗୁନୀ ଏହି ଦୁଇ ନକ୍ଷତ୍ରଙ୍କର ସନ୍ଧିସମୟରେ ଜାତ ହୋଇଥିବାରୁ ଫାଲ୍‌ଗୁନ ନାମ ଧରିଅଛି । ପୂର୍ବେ ମହାବଳ ଦାନବମାନଙ୍କ ସଙ୍ଗରେ ଯୁଦ୍ଧ କରୁଥିବା ସମୟରେ ଇନ୍ଦ୍ରଦେବ ସନ୍ତୁଷ୍ଟ ହୋଇ ମୋର ମସ୍ତକରେ ସୂର୍ଯ୍ୟଦେବଙ୍କ ସଦୃଶ୍ୟ ଅତି ଉଜ୍ଜ୍ୱଳ କିରୀଟ ପରିଧାନ କରାଇଥିବା ହେତୁରୁ ମୋର କିରୀଟୀ ନାମ ହୋଇଅଛି ।୧୭। ମୁଁ ଯୁଦ୍ଧ କରୁଥିବା ସମୟରେ କଦାପି ବୀଭତ୍ସ ଅର୍ଥାତ୍ ଘୃଣାଜନକ କାର୍ଯ୍ୟ କରଇ ନାହିଁ, ସେହି ନିମିତ୍ତ ବୀଭତ୍ସୁ ନାମକୁ ନର ଓ ଅମରମାନେ ଦେଇଅଛନ୍ତି ।୧୮। ମୋର ଦୁଇହସ୍ତ ଗାଣ୍ଡୀବ ଧନୁକୁ ଆକର୍ଷଣ କରିବା ବିଷୟରେ ସମର୍ଥ, ସେହି କାରଣରୁ ସବ୍ୟ ଅର୍ଥାତ୍ ବାମ ହସ୍ତରେ ଜ୍ୟାକର୍ଷଣ ପ୍ରଭୃତି କାର୍ଯ୍ୟ କରଇ, ସେହି ନିମିତ୍ତ ସବ୍ୟସାଚୀ ନାମରେ ଖ୍ୟାତ ହୋଇଅଛି ।୧୯। ପୃଥିବୀମଣ୍ଡଳରେ ମୋର ବର୍ଣ୍ଣ ଅର୍ଥାତ୍ ଦୀପ୍ତି ଦୁର୍ଲ୍ଲଭ ଓ ସର୍ବଦା ଶୁକ୍ଳ ଅର୍ଥାତ୍ ବିଶୁଦ୍ଧ କର୍ମ କରୁଥାଏ । ଏହି କାରଣରୁ ଅର୍ଜ୍ଜୁନ ନାମକୁ ପାଇଅଛି ।୨୦। ମୁଁ ଦେବରାଜ ଇନ୍ଦ୍ରଙ୍କର ପୁତ୍ର ଓ ରିପୁଦମନକାରୀ, ସେହି କାରଣରୁ ମନୁଷ୍ୟ ମଧ୍ୟରେ କେହି ମତେ ପରାଭବ ଦେବାକୁ ସମର୍ଥ ହୋଇପାରନ୍ତି ନାହିଁ; ଅତଏବ ଦେବତା ଓ ମନୁଷ୍ୟ ସମାଜରେ ଜୟଶୀଳ ହେବାରୁ ଜିଷ୍ଣୁ ନାମରେ ପ୍ରକାଶିତ ହେଲି ।୨୧। ଭାସ୍ୱର ବର୍ଣ୍ଣର ମନୋହରତ୍ୱ ଥିବାରୁ ମୁଁ ବାଲ୍ୟ ସମୟରେ ଦର୍ଶକମାନଙ୍କର ଚିତ୍ତକୁ ଆକର୍ଷଣ କରୁଥିଲି । ଅତଏବ ପିତାସ୍ନେହରେ କୃଷ୍ଣନାମ ପ୍ରଦାନ କରିଅଛନ୍ତି ।୨୨।

 

ବୈଶମ୍ପାୟନ କହିଲେ, ତହିଁ ଉତ୍ତାରୁ ବିରାଟକୁମାର ଅର୍ଜ୍ଜୁନଙ୍କୁ ସ୍ତୁତି କରି କହିଲେ, ହେ ମହାବାହୋ ! ମୋର ଭୂମିଞ୍ଜୟ ଓ ଉତ୍ତର ବୋଲି ଦୁଇଗୋଟି ନାମ ଅଛି ।୨୩। ହେ ଲୋହିତଲୋଚନ ! ନାଗରାଜକରୋପମ ! ମହାବାହୋ ! ଧନଞ୍ଜୟ ! ଆପଣ ଶୁଭାଗମନ କରିଅଛନ୍ତି । ମୁଁ ଭାଗ୍ୟବଳରେ ଅଦ୍ୟ ଆପଣଙ୍କ ପରିଚୟ ପାଇ ପ୍ରାର୍ଥୀ ହେଉଅଛି ଯେ ମୋର ଅଜ୍ଞାନଜନିତ କଥୋପକଥନର ଦୋଷ ସମସ୍ତ ମାର୍ଜ୍ଜନା କରିବା ହେଉନ୍ତୁ । ପୂର୍ବେ ଆପଣ ଯେଉଁ ଯେଉଁ ଅଦ୍‌ଭୁତ ଓ ଅସାଧ୍ୟ କାର୍ଯ୍ୟମାନ କରାଇଅଛନ୍ତି, ତାହା ସବୁ ସ୍ମରଣ କଲାରୁ ଅନ୍ତଃକରଣରୁ ସମସ୍ତ ଭୟ ଦୂର ହୋଇଗଲାଣି । ସମ୍ପ୍ରତି ମୁଁ ଅନିର୍ବଚନୀୟ ଆନନ୍ଦ ଅନୁଭବ କରୁଅଛି ।୨୫।

 

ଅଧ୍ୟାୟ – ୪୫

 

ଉତ୍ତର କହିଲେ– ହେ ବୀର ! ଆପଣ ଏହି ରଥରେ ବସିବା ହେଉନ୍ତୁ, ସମ୍ପ୍ରତି କେଉଁ ସୈନ୍ୟଶ୍ରେଣୀଙ୍କ ମଧ୍ୟରେ ପ୍ରବେଶ କରିବାକୁ ଇଚ୍ଛା ହେଉଅଛି ଓ କେଉଁଆଡ଼କୁ ରଥ ଚଳାଇବାକୁ ହେବ, ତାହା ଆଜ୍ଞା କରିବା ହେଉନ୍ତୁ ।୧। ଅର୍ଜ୍ଜୁନ କହିଲେ, ହେ ଯୁଦ୍ଧବିଶାରଦ ! ପୁରୁଷସିଂହ ! ଆପଣଙ୍କ କଥାରେ ମୁଁ ଆହ୍ଲାଦିତ ହେଲି ! କିଛି ଭୟ କରିବା ହୁଅନ୍ତୁ ନାହିଁ । ମୁଁ ସମସ୍ତ ଶତ୍ରୁମାନଙ୍କୁ ଦଳନ କରୁଅଛି । ହେ ମହାବେହୋ ! ଯୁଦ୍ଧରେ ଶତ୍ରୁମାନଙ୍କୁ ଦଳନ କରିବା ବିଷୟରେ ମୁଁ କି ପ୍ରକାର ଅତି ଭୟଙ୍କର କାର୍ଯ୍ୟରେ ପ୍ରବୃତ୍ତ ହେବି, ତାହା ଆପଣ ସୁସ୍ଥରୂପେ ବସି ଦେଖିବା ହେଉନ୍ତୁ ।୩। ଏହି ଶରକୋଷମାନଙ୍କୁ ଓ ଅତି ଉଜ୍ଜ୍ୱଳ ସୁବର୍ଣ୍ଣମୟ ଏହି ଖଡ଼୍‍ଗକୁ ରଥରେ ରଖିବା ହେଉନ୍ତୁ ।୪।

 

ବୈଶମ୍ପାୟନ କହିଲେ, ଉତ୍ତର ଅର୍ଜ୍ଜୁନଙ୍କର ବାକ୍ୟ ଶ୍ରବଣ କଲାମାତ୍ରେ ଯୁଧିଷ୍ଠିର ପ୍ରଭୃତି ଅନ୍ୟାନ୍ୟ ପାଣ୍ଡବମାନଙ୍କର ଆୟୁଧମାନଙ୍କୁ ସେହି ବୃକ୍ଷରେ ରଖି କେବଳ ଅର୍ଜ୍ଜୁନଙ୍କର ଆୟୁଧମାନଙ୍କୁ ଧରି ଶୀଘ୍ର ଶମୀବୃକ୍ଷରୁ ଓହ୍ଲାଇଲେ ।୫। ଅର୍ଜ୍ଜୁନ କହିଲେ, ଆମ୍ଭେ କୌରବମାନଙ୍କ ସଙ୍ଗରେ ଯୁଦ୍ଧ କରି ଅନାୟାସରେ ଆପଣଙ୍କ ଗୋଧନସବୁ ଜୟ କରିବୁ ।୬। ଆପଣ କିଛି ଭୟ କରନ୍ତୁ ନାହିଁ, ଏହି ରଥ ନଗରତୁଲ୍ୟ ଅଟେ । ଏହାର ଚକ୍ର ପ୍ରଭୃତି ଅଙ୍ଗସମୂହ ନଗରବିନ୍ୟସ୍ତ ଗୃହାବଳୀ ସଦୃଶ୍ୟ, ମଦୀୟ ବାହୁଦ୍ୱୟ ପ୍ରାଚୀରସ୍ଥିତ ତୋରଣ ସ୍ୱରୂପ, ରଥର ନିର୍ଘୋଷ ଦୁନ୍ଦୁଭି ନିନାଦ ସ୍ୱରୂପ ଅଟେ । ପତାକାସମୂହ ମଧ୍ୟ ନଗରର କେତନ ପ୍ରାୟ ସୁଶୋଭିତ, ଅରିବୃନ୍ଦଙ୍କୁ ନାଶ କରିବା ଇଚ୍ଛା ମଧ୍ୟ ଦୁଇ ସ୍ଥାନରେ ସମାନ । ନଗରସ୍ଥିତ ସୈନ୍ୟମାନଙ୍କର ଯେ ପ୍ରକାର ଶରକୋଷ ଥାଏ, ଆମ୍ଭର ମଧ୍ୟ ଏହି ରଥରେ ସେହି ପ୍ରାୟ ତୂଣୀର ଅଛି । ମୁଁ ଗାଣ୍ଡୀବ ଧନୁ ଧରି ରଥରେ ଉପସ୍ଥିତ ଥିଲେ ଶତ୍ରୁମାନଙ୍କୁ ଦଳନ କରିବା ନିମିତ୍ତ କିଛି ମାତ୍ର ସନ୍ଦେହ ନାହିଁ, ଅତଏବ ଆପଣ ହୃଦୟରୁ ଭୟକୁ ଦୂର କରିବା ହେଉନ୍ତୁ ।୯।

 

ଉତ୍ତର କହିଲେ, ମୁଁ କୁରୁମାନଙ୍କୁ କିଛି ଭୟ କରୁନାହିଁ । ସାକ୍ଷାତ୍ କେଶବ କିମ୍ବା ଇନ୍ଦ୍ରଦେବଙ୍କୁ ଯୁଦ୍ଧରେ ଆପଣ ପରାଭବ ଦେଇ ପାରନ୍ତି ବୋଲି ମତେ ଜଣା ଯାଉଅଛି । କିନ୍ତୁ ଆପଣ ସର୍ବାଙ୍ଗସୁନ୍ଦର ଓ ସର୍ବସୁଲକ୍ଷଣଯୁକ୍ତ ହୋଇ କେଉଁ କର୍ମବିପାକରୁ ନପୁଂସକ ହୋଇଅଛନ୍ତି, ଏହି କଥା ଭାବନା କଲାରୁ ହତଜ୍ଞାନ ହେଉଅଛି । ଉତ୍ତମ ବୁଦ୍ଧି ଓ ବିଚାରଶକ୍ତି ନ ଥିବାରୁ ଏହି ସଂଶୟ ହୃଦୟରୁ ବିଦୂରିତ ହେଉନାହିଁ । ଆପଣ ଗନ୍ଧର୍ବରାଜଙ୍କ ପ୍ରାୟ ଆକୃତିସମ୍ପନ୍ନ ହୋଇଥିବାରୁ ମୁଁ ଆପଣଙ୍କୁ ଦେଖି ବିଚାର କରୁଥାଏ, ଏହି ମହାତ୍ମା ଶୂଳପାଣି କିମ୍ବା ବଜ୍ରପାଣି, ନପୁଂସକ ବେଶ ଧରି କୌଣସି କାରଣବଶରୁ ପୃଥିୀରେ ବିଚରଣ କରୁଅଛନ୍ତି । ଅର୍ଜ୍ଜୁନ କହିଲେ, ହେ ମହାବାହୋ ! ରାଜକୁମାର ! ସତ୍ୟ କହୁଅଛି ମୁଁ ନପୁଂସକ ନୁହଁଇ, କେବଳ ଜ୍ୟେଷ୍ଠ ଭ୍ରାତାଙ୍କ ଆଜ୍ଞାନୁସାରେ ପରର ଅଧୀନ ଓ ଧର୍ମପଥାବଲମ୍ବୀ ହୋଇଥିବାରୁ ଏହି ପ୍ରକାର ବ୍ରତ ପାଳନ କରିଥିଲି, ସମ୍ପ୍ରତି ସେହି ବ୍ରତରୁ ନିସ୍ତାର ପାଇଲିଣି ।୧୫।

 

ଉତ୍ତର କହିଲେ, ହେ ନରୋତ୍ତମ ! ପୂର୍ବେ ମୁଁ ଏତାଦୃଶ ସୁଲକ୍ଷଣଯୁକ୍ତ ବ୍ୟକ୍ତି କଦାପି ନପୁଂସକ ହୁଅନ୍ତି ନାହିଁ, ଏହି ତର୍କଣା କରିଥିଲି । ସମ୍ପ୍ରତି ଆପଣ ନିଜର ପରିଚୟ ଦେଇ ବିଶେଷ ଅନୁଗ୍ରହ କରିବା ହେଲେ ।୧୬। ସମ୍ପ୍ରତି ମୋର ସମସ୍ତ ଭୟ ବିଦୂରିତ ହେଲା । ଆପଣଙ୍କ ସାହାଯ୍ୟରେ ଦେବତାମାନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ସକ୍ଷମ ହେଲି । ଏହିକ୍ଷଣି କି କାର୍ଯ୍ୟ କରିବି, ଆଜ୍ଞା ହେଉ ।୧୭। ହେ ପୁରୁଷ ଶ୍ରେଷ୍ଠ ! ମୁଁ ସୁଶିକ୍ଷିତ ଗୁରୁଙ୍କଠାରୁ ସାରଥିପଣକୁ ଶିକ୍ଷା କରିଅଛି । ଅତଏବ ଶତ୍ରୁରଥ ଭଞ୍ଜନକାରକ ଅଶ୍ୱମାନଙ୍କୁ ରଥରେ ଯୋଜନା କରୁଅଛି ।୧୮। ହେ ନରଶ୍ରେଷ୍ଠ ! ସାରଥିପଣ ବିଷୟରେ ବାସୁଦେବଙ୍କର ଦାରୁକ ଓ ଇନ୍ଦ୍ରଦେବଙ୍କର ମାତଳିପ୍ରାୟ ମତେ ସୁଶିକ୍ଷିତ ବୋଲି ଜାଣିବା ହେଉନ୍ତୁ ।୧୯। ଏହି ରଥର ଦକ୍ଷିଣ ପାର୍ଶ୍ୱ ଭାରବାହକ ଏହି ଅଶ୍ୱ ଭଗବାନ ବିଷ୍ଣୁଙ୍କର ସୁଗ୍ରୀବ ଅଶ୍ୱସମ ପ୍ରଶଂସନୀୟ । ଏତାଦୃଶ ବେଗରେ ଏ ଗମନ କରିପାରେ ଯେ ଗମନ ସମୟରେ ଏହାର ପାଦନିକ୍ଷେପକୁ କେହି ଦେଖି ପାରନ୍ତି ନାହିଁ ।୨୦। ଏହି ରଥର ବାମପାର୍ଶ୍ୱ ଭାରବାହୀ ଏହି ରମଣୀୟ ଘୋଟକଟି ବେଗରେ ବିଷ୍ଣୁଙ୍କର ମେଘ ପୁଷ୍ପର ସମାନ ଅଟେ । କାଞ୍ଚନ କବଚ ଶୋଭିତ ଯେଉଁ ଅଶ୍ୱ ବାମପାର୍ଶ୍ୱସ୍ଥ ଘୋଟକର ପଶ୍ଚାତ୍ ଭାଗର ଭାରବହନ କରୁଅଛି, ସେ ବେଗରେ ବିଷ୍ଣୁଙ୍କର ଶୈବ୍ୟ ଅଶ୍ୱ ଅପେକ୍ଷା ଅତିଶୟ ବଳବାନ ଅଟେ ଯେ ଦକ୍ଷିଣ ପାର୍ଶ୍ୱସ୍ଥ ଘୋଟକର ପାଶ୍ଚାତ୍‌ଭାଗର ଭାରକୁ ବହନ କରଇ, ସେ ବଳାହକଠାରୁ ଅଧିକ ବେଗଗାମୀ ଓ ଅଧିକ ପରାକ୍ରମଶାଳୀ ଅଟେ ।୨୩। ଏହି ରଥ ଯୁଦ୍ଧକ୍ଷେତ୍ରରେ ଆପଣଙ୍କୁ ବହିବାକୁ ଉପଯୁକ୍ତ; ଅତଏବ ଆପଣ ମଧ୍ୟ ଏହି ରଥରେ ଆରୋହଣ କରି ରିପୁକୁଳ ଦଳିବାକୁ ଯୋଗ୍ୟପାତ୍ର ।୨୪।

 

ବୈଶମ୍ପାୟନ କହିଲେ, ତହିଁ ଉତ୍ତାରୁ ବଳିଷ୍ଠଶ୍ରେଷ୍ଠ, ମହାବାହୁ ଅର୍ଜ୍ଜୁନ ଦୁଇ ହସ୍ତରୁ ବଳୟମାନ ଓ ଦୁଇକର୍ଣ୍ଣରୁ କୁଣ୍ଡଳଦୁହିଁଙ୍କୁ ବାହାର କଲେ; ତାହା ଉତ୍ତାରୁ କୃଷ୍ଣବର୍ଣ୍ଣ କୁଟିଳ କେଶମାନଙ୍କୁ ଶ୍ୱେତବସ୍ତ୍ରରେ ଆଚ୍ଛାଦନ କରି ସ୍ଥିର ମନରେ ରଥ ଉପରେ ପୂର୍ବ ଅଭିମୁଖରେ ବସି ସମସ୍ତ ଅସ୍ତ୍ରମାନଙ୍କୁ ଧ୍ୟାନ କଲେ ।୨୬। ସମସ୍ତ ଆୟୁଧମାନେ ଆବିର୍ଭୂତ ହୋଇ କୃତାଞ୍ଜଳିପୁଟରେ କହିଲେ, ହେ ମହାବାହୋ ! ମହାନୁଭବ ପାଣ୍ଡୁନନ୍ଦନ ! ଆପଣଙ୍କର କିଙ୍କର ଆମ୍ଭେମାନେ ଉପସ୍ଥିତ ହେଲୁ ।୨୭। ସେହି ସମୟରେ ଅର୍ଜ୍ଜୁନ ସେମାନଙ୍କୁ ପ୍ରଣାମ କରି କହିଲେ, ଆପଣମାନେ ମୋର ହୃଦୟରେ ବିରାଜମାନ ହେଉନ୍ତୁ । ତଦୁତ୍ତାରୁ ଅତିଶୟ ଆନନ୍ଦରେ ଅସ୍ତ୍ରମାନଙ୍କୁ ଧରି ଗାଣ୍ଡୀବ ଧନୁରେ ଗୁଣ ଦେଇ ଟଙ୍କାର ଧ୍ୱନି କଲେ । ସେହି ଟଙ୍କାରଧ୍ୱନି ଦୁଇଗୋଟି ମହାପର୍ବତର ଆଘାତଜନିତ ମହାଧ୍ୱନି ପ୍ରାୟ ଜାତ ହୋଇ ଦଶଦିଗକୁ ବ୍ୟାପିଗଲା । ପବନ ମହାବେଗରେ ପ୍ରବାହିତ ହେଲା, ବାରମ୍ବାର ଉଲ୍‌କାପାତ ହେଲା, ଦିଗମାନେ ଅନ୍ଧକାରରେ ଆଚ୍ଛନ୍ନ ହେଲେ । ପକ୍ଷୀମାନେ ଆକାଶରେ ଭୟରେ ଉଡ୍‌ଡୀୟମାନ ହେଲେ । ମହାବୃକ୍ଷମାନେ ବିଶେଷରେ କମ୍ପିତ ହେଲେ । କୌରବମାନେ ବଜ୍ରନିର୍ଘୋଷ ସଦୃଶ୍ୟ ସେହି ଭୟଙ୍କର ଶବ୍ଦ ଶୁଣି ତାହାକୁ ମହାବାହୁ ଅର୍ଜ୍ଜୁନଙ୍କର ଗାଣ୍ଡୀବ କୋଦଣ୍ଡର ଟଙ୍କାର ଧ୍ୱନି ବୋଲି ଜାଣିଲେ ।୩୨।

 

ଉତ୍ତର କହିଲେ, ହେ ମହାବାହେ ! ପାଣ୍ଡବଶ୍ରେଷ୍ଠ ଅର୍ଜ୍ଜୁନ ! ଆପଣ ସହାୟଶୂନ୍ୟ ହୋଇ ଏହି ସହାୟବନ୍ତ ଅସ୍ତ୍ରଶସ୍ତ୍ରବିଶାରଦ ମହାରଥ କୌରବମାନଙ୍କୁ ଯୁଦ୍ଧରେ କି ପ୍ରକାରରେ ଜୟ କରିବେ, ଏହି ଚିନ୍ତାରେ ଚିନ୍ତିତ ଓ ଭୟଗ୍ରସ୍ତ ହୋଇ ଆପଣଙ୍କ ଅଗ୍ରରେ ରହିଅଛି ।୩୪। ବୈଶମ୍ପାୟନ କହିଲେ, ସେହି ସମୟରେ ଅର୍ଜ୍ଜୁନ ହସିକରି ଗମ୍ଭୀର ସ୍ୱରରେ କହିଲେ, ହେ ବୀର ! ତୁମ୍ଭେ କିଛି ଭୟ କରନାହିଁ । ଘୋଷଯାତ୍ରାରେ ହମାବଳ ଗନ୍ଧର୍ବମାନଙ୍କ ସଙ୍ଗରେ ଯୁଦ୍ଧ କରିଥିବା ସମୟରେ ମୋର କେହି ସହାୟ ଥିଲେ ନାହିଁ ।୩୬। ସୁର ଓ ଅସୁରମାନଙ୍କରେ ପରିପୂର୍ଣ୍ଣ ସୁବିଖ୍ୟାତ ଖାଣ୍ଡବ ଯୁଦ୍ଧରେ ମତେ କେହି ସାହାଯ୍ୟ କରିଥିଲେ ନାହିଁ ।୩୭। ଦେବରାଜ ଇନ୍ଦ୍ରଙ୍କ ନିମିତ୍ତ ପ୍ରବାଳ ପରାକ୍ରାନ୍ତ ନିବାତ କବଚ ଓ ପୌଲୋମ ପ୍ରଭୃତି ମହାଦୈତ୍ୟମାନଙ୍କ ସଙ୍ଗରେ ଯୁଦ୍ଧ କରୁଥିବା ସମୟରେ ମତେ କେହି ସାହାଯ୍ୟ କରିଥିଲେ ନାହିଁ ।୩୮। ପାଞ୍ଚାଳୀଙ୍କ ସ୍ୱଂୟମ୍ବର ସମୟରେ ଅସଂଖ୍ୟ ରାଜାମାନଙ୍କ ସଙ୍ଗରେ ମଧ୍ୟ ମୋର ମହାଯୁଦ୍ଧ ହୋଇଥିଲା । ତେତେବେଳେ କେହି ଜଣେ ମତେ ସାହାଯ୍ୟ କରିଥିଲେ ନାହିଁ ।୩୯। ହେ ବତ୍ସ ! ଶିକ୍ଷାଗୁରୁ ଦ୍ରୋଣାଚାର୍ଯ୍ୟ, କୃପ, ଇନ୍ଦ୍ର, କୁବେର, ବରୁଣ, ଯମ, ଅଗ୍ନି, ମାଧବ ଓ ପିନାକପାଣି ମହାଦେବଙ୍କ ସଙ୍ଗରେ ସୁଦ୍ଧା ଯୁଦ୍ଧ କରିବା ନିମିତ୍ତ ମୁଁ କଦାପି ସହାୟ ଅପେକ୍ଷା କରିବି ନାହିଁ । ଅତଏବ ତୁମ୍ଭେ ଭୟ ଛାଡ଼ି ଶୀଘ୍ର ରଥ ଚଳାଅ ।୪୦।

 

ଅଧ୍ୟାୟ – ୪୬

 

ବୈଶମ୍ପାୟନ କହିଲେ– ପାଣ୍ଡୁପୁତ୍ର ମହାରଥ ଅର୍ଜ୍ଜୁନ ଉତ୍ତରଙ୍କୁ ସାରଥି କର୍ମରେ ନିଯୁକ୍ତ କରି ପ୍ରଥମେ ଶମୀବୃକ୍ଷକୁ ପ୍ରଦକ୍ଷିଣ କଲେ; ତାହା ଉତ୍ତାରୁ ସମୁଦାୟ ଅସ୍ତ୍ରଶସ୍ତ୍ରମାନଙ୍କୁ ଓ ସିଂହଧ୍ୱଜକୁ ରଥ ଉପରୁ ଆଣି ଶମୀବୃକ୍ଷର ମୂଳରେ ରଖି ବିଶ୍ୱକର୍ମାଙ୍କ କୃତ ଆଶ୍ଚର୍ଯ୍ୟମୟ କପିଧ୍ୱଜ ରଥ ଉପରେ ତାହା ସବୁ ମନେ ମନେ ସ୍ଥାପନ କରି ସେହି ସିଂହଧ୍ୱଜକୁ ବାନରଧ୍ୱଜ ବୋଲି ମନେ ମନେ ଚିନ୍ତା କଲେ । ଅଗ୍ନିଦେବଙ୍କ ପ୍ରସାଦକୁ ମଧ୍ୟ ସ୍ମରଣ କଲେ । ଅଗ୍ନିଦେବ ଅର୍ଜ୍ଜୁନଙ୍କର ମନର କଥା ଜାଣି କପିଧ୍ୱଜକୁ ସିଂହଧ୍ୱଜ ଉପରେ ରଖିବା ନିମିତ୍ତ ଭୂତମାନଙ୍କୁ ଆଜ୍ଞା କଲେ । ସେମାନେ ଅଗ୍ନିଦେବଙ୍କ ଆଜ୍ଞାନୁସାରେ କପିଧ୍ୱଜକୁ ଓ ରମଣୀୟ ଆୟୁଧମାନଙ୍କୁ ସେହି ରଥ ଉପରକୁ ପକାଇ ଦେଲେ ।୫।

 

ସେହି ସମୟରେ ରିପୁଦଳନକାରୀ, କୁନ୍ତୀନନ୍ଦନ ଶ୍ୱେତବାହନ ଅର୍ଜ୍ଜୁନ, ସେହି ରଥରେ କପିଧ୍ୱଜକୁ ଦେଖି ପ୍ରଦକ୍ଷିଣ କଲେ । ତାହା ଉତ୍ତାରୁ ଗୋଧା ଓ ଅଙ୍ଗୁଳିତ୍ରାଣ ପରିଧାନପୂର୍ବକ ଉତ୍ତରାଭିମୁଖରେ ଗମନ କରି ଶତ୍ରୁମାନଙ୍କର ଦର୍ପହାରକ ମହାଧ୍ୱନିଯୁକ୍ତ ମହାଶଙ୍ଖକୁ ବଳପ୍ରକାଶପୂର୍ବକ ବଜାଇଲେ । ସେହି ସମୟରେ ରଥର ଚାରିଗୋଟି ଅଶ୍ୱ ପୃଥିବୀରେ ଆଣ୍ଠୁ ମାଡ଼ି ପଡ଼ିଗଲେ ଓ ବିରାଟନନ୍ଦନ ମଧ୍ୟ ଭୟରେ ତ୍ରସ୍ତ ହୋଇ ବସିଲେ ।୯। ତହିଁ ଉତ୍ତାରୁ ଅର୍ଜ୍ଜୁନ ନିଜେ ଲଗାମ ଧରି ଅଶ୍ୱମାନଙ୍କୁ ଉଠାଇ ଉତ୍ତରଙ୍କୁ ଆଲିଙ୍ଗନ କରି ଓ ନାନାପ୍ରକାର ଆଶ୍ୱାସ ଦେଇ କହିଲେ ।୧୧।, ହେ ପୁରୁଷଶ୍ରେଷ୍ଠ ! ରିପୁଦଳନ ରାଜକୁମାର ! ଆପଣ କିଛି ଭୟ କରନ୍ତୁ ନାହିଁ; ବଡ଼ ଆଶ୍ଚର୍ଯ୍ୟ ବିଷୟ, ଆପଣ କ୍ଷତ୍ରିୟ; ଅବଶ୍ୟ କେତେ କେତେ ଶଙ୍ଖନାଦ, କେତେ କେତେ ଭେରୀଶବ୍ଦ ଓ କେତେ କେତେ ଯୁଦ୍ଧରେ ସୈନ୍ୟଦଳ ମଧ୍ୟସ୍ଥିତ ହସ୍ତୀମାନଙ୍କର ବୃଂହଣ ଧ୍ୱନି ଶୁଣିଥିବେ । ଅଦ୍ୟ ଗୋଟାଏ ମାତ୍ର ଶଙ୍ଖର ଧ୍ୱନି ଶୁଣି କି ହେତୁରୁ ସାମାନ୍ୟ ଲୋକପ୍ରାୟ ଏତେଦୂର ଭୟ କରି ବିଷାଦ ସାଗରରେ ମଗ୍ନ ହେଉଅଛ ? ଶତ୍ରୁମାନଙ୍କ ମଧ୍ୟରେ ଏହି ପ୍ରକାର ଅଧୀର ହେବାର କଦାପି ଉଚିତ ନୁହେଁ ।୧୧।

 

ଉତ୍ତର କହିଲେ, ହେ ବୀରବର ! ଆପଣ ସତ୍ୟ କହୁଅଛନ୍ତି; ମୁଁ କେତେବେଳେ ଶଙ୍ଖଧ୍ୱନି, ନାନାପ୍ରକାର ଭେରୀଶବ୍ଦ ଓ ସୈନ୍ୟଦଳସ୍ଥିତ କେତେକେତେ ହସ୍ତୀମାନଙ୍କର ଭୟଙ୍କର ଗର୍ଜନ ଶୁଣିଥିଲି, କିନ୍ତୁ ଏହି ପ୍ରକାର ମହାଶଙ୍ଖର ଭୟଙ୍କର ଶବ୍ଦ କଦାପି ଶୁଣିନାହିଁ; ମଧ୍ୟ ଏତାଦୃଶ କୋଦଣ୍ଡର ଟଙ୍କାରଧ୍ୱନି କଦାପି ଶୁଣା ନ ଥିଲା, ଧ୍ୱଜର ଏତାଦୃଶ ଅଦ୍ଭୁତ ରୂପ ମଧ୍ୟ କେବେ ଦେଖା ନ ଥିଲା । ଏହି ଶଙ୍ଖର ଶବ୍ଦ ଗାଣ୍ଡୀବ କୋଦଣ୍ଡର ଟଙ୍କାରଧ୍ୱନି, ଧ୍ୱଜ ଉପର ବାସ କରୁଥିବା ଭୂତମାନଙ୍କର ଅମାନୁଷ ଶବ୍ଦ ଓ ରଥର ଭୈରବ ଘୋଷରେ ମୋର ଜ୍ଞାନ ହତ ହେଉଅଛି । ଦିଗମାନେ ଅନ୍ଧକାର ହେଲା ପ୍ରାୟ ଜଣାଯାଉଅଛି; ସକଳ ବିଷୟରେ ଭ୍ରମ ଜାତ ହେଉଅଛି, ପତାକାରେ ଆଚ୍ଛନ୍ନ ହୋଇଥିବାରୁ ଦିଗସବୁ ଦିଶୁନାହିଁ । ଗାଣ୍ଡୀବର ଧ୍ୱନିରେ କର୍ଣ୍ଣ ବଧିର ହୋଇଯାଉଅଛି ।୧୯। ମୁହୂର୍ତ୍ତକ ଉତ୍ତାରୁ ଅର୍ଜ୍ଜୁନ ବିରାଟଙ୍କ ପୁତ୍ରଙ୍କୁ କହିଲେ, ହେ ଉତ୍ତର ! ଆପଣ ରଥ ଉପରେ ପାଦଦୁହିଁଙ୍କୁ ଦୃଢ଼ରୂପେ ରଖି ନିର୍ଭୟରେ ବସିବା ହେଉନ୍ତୁ ଓ ବଳପ୍ରକାଶପୂର୍ବକ ଅଶ୍ୱମାନଙ୍କର ମୁଖ ରଜ୍ଜୁ ଆକର୍ଷଣ କରିବା ହେଉନ୍ତୁ । ମୁଁ ପୁନଶ୍ଚ ଶଙ୍ଖ ବଜାଇବି ।୨୦।

 

ବୈଶମ୍ପାୟନ କହିଲେ, ତାହା ଉତ୍ତାରୁ ମହାବାହୁ ଶ୍ୱେତବାହନ ପୁନଶ୍ଚ ଶଙ୍ଖ ବଜାଇବାରୁ ଶତ୍ରୁମାନଙ୍କର ଦୁଃଖଜନକ ଓ ମିତ୍ରମାନଙ୍କର ଆନନ୍ଦବର୍ଦ୍ଧକ ଯେଉଁ ମହାଶବ୍ଦ ଜାତ ହେଲା, ତହିଁରେ ପର୍ବତମାନେ, କନ୍ଦରମାନେ ଓ ଦିଗ ସମସ୍ତ ବିଦୀର୍ଣ୍ଣ ହେଲାପ୍ରାୟ ଜଣାଗଲା । ଉତ୍ତର ମଧ୍ୟ ଶଙ୍କିତ ହୋଇ ଉପଦେଶ ଅନୁସାରେ ରଥ ଉପରେ ବସିଥିଲେ ।୨୧। ଅର୍ଜ୍ଜୁନଙ୍କର ଶଙ୍ଖଶବ୍ଦରେ, ରଥନିର୍ଘୋଷରେ ଓ ଗାଣ୍ଡୀବଶବ୍ଦରେ ପୃଥିବୀ କମ୍ପମାନ ହେଉଥିଲା ।୨୨। ଉତ୍ତର ପୁନଶ୍ଚ ଶଙ୍ଖଶବ୍ଦରେ ମୋହିତ ହେବାରୁ ଧନଞ୍ଜୟ ତାହାଙ୍କୁ ସାନ୍ତ୍ୱନା କଲେ ।୨୩। ଦ୍ରୋଣାଚାର୍ଯ୍ୟ ଦୁର୍ଯ୍ୟୋଧନଙ୍କୁ କହିଲେ, ହେ ବିଶାଂପତେ ! ରଥ ନିର୍ଘୋଷ ଘୋର ଗର୍ଜନ ପ୍ରାୟ ପୃଥିବୀକୁ କମ୍ପାଇ ଦେଉଥିବାରୁ ବୋଧହୁଏ ଏହି ବ୍ୟକ୍ତି ସବ୍ୟସାଚୀ ବ୍ୟତୀତ କଦାପି ଅନ୍ୟ ଲୋକ ନୁହଇ ।୨୪। ଦେଖିବା ହେଉନ୍ତୁ, ଆମ୍ଭମାନଙ୍କର ଅସ୍ତ୍ରଶସ୍ତ୍ର ସବୁ ମଳିନ ଓ ଘୋଟକସମୂହ ପୀନିତ ହେଲାପ୍ରାୟ ଦେଖାଯାଉଅଛନ୍ତି; ଅଗି୍ନ ପ୍ରଜ୍ଜ୍ୱଳିତ ହେଲେ ସୁଦ୍ଧା ତାହାଙ୍କର ଦୀପ୍ତି ଉତ୍ତମରୂପେ ଦେଖାଯାଉନାହିଁ-।୨୫। ହରିଣମାନେ ସୂର୍ଯ୍ୟଦେବଙ୍କୁ ଚାହିଁ ନିରନ୍ତର ଭୟଙ୍କରରାବ କରୁଅଛନ୍ତି ଓ ବାୟସମାନେ ରଥର ଧ୍ୱଜ ଉପରେ ବସିଅଛନ୍ତି । ଏହି ଲକ୍ଷଣସବୁ କଦାପି ମଙ୍ଗଳଜନକ ନୁହଇ-।୨୬।

 

ଆହୁରି ମଧ୍ୟ ଶକୁନ ପକ୍ଷୀମାନେ ଆମ୍ଭମାନଙ୍କର ଦକ୍ଷିଣ ଦିଗରେ ରହି ଭୟ ଉପସ୍ଥିତ ହେବ ବୋଲି ଜଣାଇ ଦେଉଅଛନ୍ତି ।୨୭। ଏହି ଶୃଗାଳମାନେ ସେନା ମଧ୍ୟକୁ ଆସି ବିନା ଆଘାତରେ ଭୟଙ୍କର ରାବ କରି ବାହାରି ଯାଉଥିବାରୁ ବୋଧହୁଏ ଯେ ସେମାନେ ମହାଭୟ ଉପସ୍ଥିତ ହେବ ବୋଲି ଜଣାଉଅଛନ୍ତି ।୨୮। ଆପଣମାନଙ୍କର କଳେବରରେ ବିଶେଷ ପୁଲକ ଦେଖାଯାଉଥିବାରୁ ଜଣାଯାଉଅଛି ଯେ ଏହି ଯୁଦ୍ଧରେ ନିଶ୍ଚୟ ଅସଂଖ୍ୟ କ୍ଷତ୍ରିୟମାନଙ୍କର ମୃତ୍ୟୁ ହେବ ।୨୯। ହେ ମହାରାଜ ! ସୂର୍ଯ୍ୟ ଆମ୍ଭମାନଙ୍କର ନେତ୍ର, ବଚନ ଓ ମନ ସମସ୍ତଙ୍କୁ ନିସ୍ତେଜ ହୋଇ ଅଛନ୍ତି । ମୃଗ ଓ ପକ୍ଷୀମାନେ ଦାରୁଣ ପଣକୁ ଧରିଅଛନ୍ତି । ପ୍ରଚଣ୍ଡ ଉଲ୍‌କାପାତରେ ଆପଣଙ୍କର ସୈନ୍ୟମାନେ ହତଜ୍ଞାନ ହେଉଅଛନ୍ତି । ବାହନମାନେ ଦୁଃଖିତ ହୋଇ ରୋଦନ କରୁଅଛନ୍ତି, ସୈନ୍ୟମାନଙ୍କର ଚତୁଃପାର୍ଶ୍ୱରେ ଗୃଧ୍ରପକ୍ଷୀମାନେ ସଂଚରଣ କରୁଅଛନ୍ତି, କ୍ଷତ୍ରିୟବିନାଶକ ନାନା ପ୍ରକାର ବିଷମ ଉତ୍ପାତମାନ ଦେଖାଯାଉଅଛି ।

 

ଅତଏବ ଜଣାଯାଉଅଛି ଯେ ଅର୍ଜ୍ଜୁନଙ୍କ ଶରରେ ବିପଦଗ୍ରସ୍ତ ସୈନ୍ୟମାନଙ୍କୁ ଦେଖି ଆପଣ ବିଶେଷ ଅନୁତାପ କରିବା ହେବେ । ସମସ୍ତ ବୀରପୁରୁଷମାନଙ୍କର ମୁଖର ମ୍ଳାନି ଓ ଚିତ୍ତର ଗ୍ଳାନି ଦେଖାଯାଉଅଛି । ଅତଏବ ସେମାନେ ପରାଜିତ ହେଲା ପ୍ରାୟ ଜଣାଯାଉଅଛନ୍ତି । ଏହିପରି ସମୟରେ ଗୋଧନମାନଙ୍କୁ ଛାଡ଼ିଦେଇ ଆମ୍ଭେମାନେ ଏକତ୍ର ଦଳବଦ୍ଧ ହୋଇ ରହିବା ।୩୩।

 

ଅଧ୍ୟାୟ – ୪୭

 

ବୈଶମ୍ପାୟନ କହିଲେ– ଏଥି ଉତ୍ତାରୁ ରାଜା ଦୁର୍ଯ୍ୟୋଧନ ଯୁଦ୍ଧ କରିବା ବିଷୟରେ ମହାବଳଶାଳୀ ବୀରଶ୍ରେଷ୍ଠ ଭୀଷ୍ମ, ଦ୍ରୋଣ ଓ କୃପାଚାର୍ଯ୍ୟଙ୍କୁ କହିଲେ (୧), ଆମ୍ଭେ ଓ କର୍ଣ୍ଣ ଦୁହେଁ ପୂର୍ବେ ଆଚାର୍ଯ୍ୟଙ୍କୁ ଯେଉଁ ବିଷୟ କହିଥିଲୁଁ, ସେହି କଥା ଆହୁରି ଥରେ ବିଶେଷରୂପେ କହୁଅଛୁ, ଶୁଣିବା ହେଉନ୍ତୁ ।୨। ଯୁଧିଷ୍ଠିରଙ୍କର ଆମ୍ଭ ସଙ୍ଗରେ ଦ୍ୟୂତକ୍ରୀଡ଼ା ହେଉଥିବା ସମୟରେ ଏହି ପ୍ରକାର ନିୟମ ନିର୍ଦ୍ଧାରିତ ହୋଇଥିଲା ଯେ ସେମାନେ ପରାଜିତ ହେଲେ ଦ୍ୱାଦଶବର୍ଷ ବନବାସ ଓ ଏକବର୍ଷ ଅଜ୍ଞାତ ରୂପରେ ବାସ କରିବେ ।୩। ଆଜି ପର୍ଯ୍ୟନ୍ତ ସେହିମାନଙ୍କର ପଣ ନିରୂପିତ ସମୟ ଅତୀତ ହୋଇନାହିଁ । ତଥାପି ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧ କରିବା ନିମିତ୍ତ ଅର୍ଜ୍ଜୁନ ଆସିଅଛନ୍ତି ।୪। ଯଦି ସେହିମାନଙ୍କର ନିର୍ବାସନର ସମୟ ଅତୀତ ନ ହେଉଣୁ ଅର୍ଜ୍ଜୁନ ଆସିଅଛନ୍ତି, ତେବେ ପାଣ୍ଡବମାନେ ପୁନଶ୍ଚ ଦ୍ୱାଦଶ ବର୍ଷ ବନବାସ କରିବେ ।୫। ଅଜ୍ଞାତବାସର ନିରୂପିତ ସମୟ ଅତୀତ ହୋଇଅଛି କି ସେମାନେ ଲୋଭ ବଶରୁ ଜାଣି ନ ପାରି ଆମ୍ଭମାନଙ୍କ ସମୀପକୁ ଆସିଅଛନ୍ତି, ଏହି ବିଷୟ ଭୀଷ୍ମଦେବ ନିଶ୍ଚୟ କରନ୍ତୁ ।୬।

 

ଅଜ୍ଞାତବାସର ନିରୂପିତ ସମୟ ଶେଷ ହେଲା ଉତ୍ତାରୁ ଆସି ଆମ୍ଭଠାରୁ ସହଜରେ ଅଂଶ ପାଇପାରିବେ କି ନାହିଁ, ଏହି ସଂଶୟ କରି ଯଦି ସେମାନେ ଅନ୍ୟାୟ ଯୁଦ୍ଧରେ ପ୍ରବର୍ତ୍ତି ପରାସ୍ତ ହେବେ, ତେବେ ସେହିମାନଙ୍କର ଅଧିକ କ୍ଷତି ହେବ ।୭। ଧର୍ମଶୀଳ ହେଲେ ସୁଦ୍ଧା ସମସ୍ତେ ସ୍ୱାର୍ଥସାଧନ ନିମିତ୍ତ ମୋହିତ ହୁଅନ୍ତି । ଆମ୍ଭେମାନେ ଗୋଧନ ଗ୍ରହଣ କରିବା ଅଭିପ୍ରାୟରେ ବିରାଟ ରାଜାଙ୍କ ସୈନ୍ୟମାନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ପ୍ରତୀକ୍ଷା କରୁଥାଇ । ଏହି ସମୟରେ ଯଦି ଅର୍ଜ୍ଜୁନ ଆମ୍ଭମାନଙ୍କୁ ଅବଜ୍ଞା କରି ସଂଗ୍ରାମ ନିମିତ୍ତ ଉପସ୍ଥିତ ହେଲେ, ତେବେ ଆମ୍ଭେମାନେ କି ଅପରାଧୀ ହେବା ?୮। ଆମ୍ଭେମାନେ କେବଳ ତ୍ରିଗର୍ତ୍ତମାନଙ୍କ କାର୍ଯ୍ୟର ଅନୁରୋଧରେ ବିରାଟଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଏହି ସ୍ଥାନକୁ ଆସିଥାଇ । ତ୍ରିଗର୍ତ୍ତ ରାଜା ବିରାଟଙ୍କଠାରୁ ନାନା ପ୍ରକାର ଅପକାର ପାଇଥିବାରୁ ଭୟଗ୍ରସ୍ତ ହୋଇ ଆମ୍ଭ ନିକଟରେ ସମସ୍ତ ବିବରଣ ଜଣାଇ ତାହାଙ୍କ ସଙ୍ଗରେ ଯୁଦ୍ଧ କରିବା ନିମିତ୍ତ ସାହାଯ୍ୟ ପ୍ରାର୍ଥୀ ହୋଇଥିଲେ, ଆମ୍ଭେ ମଧ୍ୟ ତାହାଙ୍କୁ ସାହାଯ୍ୟ ଦେବାକୁ ସ୍ୱୀକାର କରିଥିଲୁ । ତାହାଙ୍କ ସଙ୍ଗରେ ଏହି କଥା ସ୍ଥିର ହୋଇଥିଲା ଯେ ସେ ପ୍ରଥମେ ସପ୍ତମୀ ତିଥିର ଅପରାହ୍ଣ ସମୟରେ ବିରାଟଙ୍କର ଗୋଧନମାନଙ୍କୁ ଆକ୍ରମଣ କରିବେ । ତାହା ଉତ୍ତାରୁ ବିରାଟ ସେମାନଙ୍କ ସଙ୍ଗେ ଯୁଦ୍ଧ କରବାକୁ ଗୋଷ୍ଠକୁ ଆସିଲାରୁ ଆମ୍ଭେମାନେ ଅଷ୍ଟମୀ ତିଥିର ସୂର୍ଯ୍ୟ ଉଦୟ ସମୟରେ ପ୍ରବେଶ କରି ଗୋଧନସବୁ ଗ୍ରହଣ କରିବା ।୧୧।

 

ଅତଏବ ଜଣାଯାଏ ଯେ ସେହି ତ୍ରିଗର୍ତ୍ତରାଜା ବିରାଟଙ୍କର ଗୋଧନମାନଙ୍କୁ ଜୟକରି ଆମ୍ଭର ସାକ୍ଷାତ୍‍ ନିମିତ୍ତ ଆସିଅଛନ୍ତି, ଅଥବା ପରାଜିତ ହୋଇ ବିରାଟଙ୍କ ସଙ୍ଗରେ ସନ୍ଧି କରିବା ନିମିତ୍ତ ଆମ୍ଭଙ୍କୁ ମଧ୍ୟସ୍ଥରୂପେ ନେବାକୁ ଆସିଅଛନ୍ତି; ଅଥବା ବିରାଟ ରାଜା ତ୍ରିଗର୍ତ୍ତ ରାଜାଙ୍କୁ ପରାସ୍ତ କରି ଗୃହକୁ ଫେରି ଯାଉ ଯାଉ ଆମ୍ଭଙ୍କୁ ଏଠାରେ ଦେଖି ଯୁଦ୍ଧ କରିବାକୁ ଆସିଅଛନ୍ତି; କିମ୍ବା ତାହାଙ୍କର କୌଣସି ବୀରପୁରୁଷ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଆସି ଅଛନ୍ତି ।୧୪। ଯାହା ହେଉ, ଆମ୍ଭେମାନେ ଯୁଦ୍ଧ କରିବାକୁ ପ୍ରତିଜ୍ଞା ପାଶରେ ଆବଦ୍ଧ । ଏ ବ୍ୟକ୍ତି ବିରାଟ ହେଉ କି ଅର୍ଜ୍ଜୁନ ହେଉ, କଦାପି ଯୁଦ୍ଧରୁ ନିବର୍ତ୍ତିବା ନାହିଁ ।୧୫। ଅତଏବ ଏହି ସମୟରେ ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ, କର୍ଣ୍ଣ, ବିକର୍ଣ୍ଣ ଓ ଅଶ୍ୱତ୍‌ଥାମା ପ୍ରଭୃତି ମହାରଥ ନରଶ୍ରେଷ୍ଠମାନେ କି ନିମିତ୍ତ ରଥ ଉପରେ ଅସ୍ଥିର ମନରେ ବସିଅଛନ୍ତି ? ଏହି ସମୟରେ ଯୁଦ୍ଧବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ମଙ୍ଗଳ ନାହିଁ ।୧୭। ସମ୍ପ୍ରତି ଦେବରାଜ ଇନ୍ଦ୍ର କିମ୍ବା ଯମଦେବ ହେଲେ ସୁଦ୍ଧା ଯୁଦ୍ଧକରି ଆମ୍ଭମାନଙ୍କ ନିକଟରୁ କଦାପି ଗୋଧନମାନଙ୍କୁ ନେଇ ପାରିବେ ନାହିଁ ।୧୮। ଯଦି କେହି ଗୋଧନମାନଙ୍କୁ ଆମ୍ଭ ନିକଟରୁ ଯୁଦ୍ଧ କରି ନେବାକୁ ସମର୍ଥ ହେବ, ତେବେ ଆମ୍ଭମାନଙ୍କ ମଧ୍ୟରୁ କେହି ଜଣେ ସୁଦ୍ଧା ହସ୍ତିନାକୁ ଫେରିଯାଇ ପାରିବ ନାହିଁ । ଯଦି କେହି ପଦାତିକ ସୈନ୍ୟ ଯୁଦ୍ଧ ଭୟରେ ଅରଣ୍ୟକୁ ପଳାଇବ, ତାହାହେଲେ ତାହାକୁ ସୁତୀକ୍ଷ୍‌ଣ ଶର ଭେଦ କରି ବିନାଶ କରିବି । କେବଳ ଅଶ୍ୱମାନଙ୍କ ବିଷୟରେ ସନ୍ଦେହ ।୧୯।

 

ମହାରଥ କର୍ଣ୍ଣ ଦୁର୍ଯ୍ୟୋଧନଙ୍କର ଏହି ପ୍ରକାର ବଚନ ଶୁଣି କହିଲେ, ସୈନ୍ୟମାନେ ସମ୍ପ୍ରତି ଯେପରି ଆଚାର୍ଯ୍ୟଙ୍କ ଆଗରୁ ପଳାଇ ନ ଯିବେ, ସେହି ପ୍ରାୟ ଆଦେଶ କରିବା ହେଉନ୍ତୁ । ପ୍ରଥମରେ ଆଚାର୍ଯ୍ୟ ଭୟଗ୍ରସ୍ତ ହେବାରୁ ପଶ୍ଚ୍ୟାତ୍ ଅନ୍ୟ ସୈନ୍ୟମାନେ ଭୀତ ହୋଇ ପଳାଇବାକୁ ଇଚ୍ଛା କରନ୍ତି । ଯୁଦ୍ଧ କରିବା ନିମିତ୍ତ ଆମ୍ଭମାନଙ୍କର ଅନିଚ୍ଛା ଦେଖିବାକୁ ପାଣ୍ଡବମାନେ ଆଗ୍ରହ କରନ୍ତି ବୋଲି ଆଚାର୍ଯ୍ୟ ମହାଶୟ ଜାଣନ୍ତି । ସେହି ନିମିତ୍ତ ସେ ଆମ୍ଭମାନଙ୍କ ମନରେ ଭୟଜାତ କରାଇ ଦିଅନ୍ତି । ଅର୍ଜ୍ଜୁନଙ୍କଠାରେ ଏହାଙ୍କର ଅଧିକ ପ୍ରୀତି ଅଛି ଏବଂ ସେ ଆସୁଥିବାର ଜାଣି ବାରମ୍ବାର ଆମ୍ଭମାନଙ୍କ ନିକଟରେ ତାହାଙ୍କ ପ୍ରଶଂସାର କଥା କହୁଅଛନ୍ତି । ଅତଏବ ଏପରି ସମୟରେ ସେନାମାନେ ଯେପରି ଯୁଦ୍ଧସ୍ଥଳରୁ ପଳାଇ ନଯିବେ, ତାହାର ବିଧାନ କରିବା ହେଉନ୍ତୁ ।୨୨। ଏଠାରେ ଛମାସ ପର୍ଯ୍ୟନ୍ତ ଯୁଦ୍ଧ କରାଯିବ । ସେ ପର୍ଯ୍ୟନ୍ତ କୌଣସି ସେନା ଭୟରେ ଭଙ୍ଗ ଦେଇ ନ ଯିବା ନିମିତ୍ତ ଦୃଢ଼ ନିୟମ ନିର୍ଦ୍ଧାରିତ ହେଉ ।୨୩।

 

ଅଶ୍ୱମାନେ ସ୍ୱସ୍ଥାନରେ ଥିବା ସମୟରେ କି ଭାର ବହୁଥିବା ସମୟରେ ନିଜ ନିଜ ସ୍ୱଭାବର ଅଧୀନ ହୋଇ ହ୍ରେଷାରବ କରନ୍ତି, ଏଥକୁ ଅର୍ଜ୍ଜୁନଙ୍କ ରଥର ଅଶ୍ୱମାନଙ୍କ ଶବ୍ଦ ଶୁଣିଲା ମାତ୍ରେ ଆଚାର୍ଯ୍ୟ ମହାଶୟ ସେହିମାନଙ୍କର ଓ ଅର୍ଜ୍ଜୁନଙ୍କର ପ୍ରଶଂସା କରି ଭୟଗ୍ରସ୍ତ ହୋଇଯାଆନ୍ତି । ବୋଧହୁଏ ସ୍ୱାର୍ଥପର ପାଣ୍ଡବମାନେ ଏହାଙ୍କୁ ଆପଣଙ୍କ ସମୀପରେ ତାହାଙ୍କର ପକ୍ଷପାତୀ ସ୍ୱରୂପ ରଖିଅଛନ୍ତି । ଆଉ ମଧ୍ୟ ଦ୍ରୋଣଚାର୍ଯ୍ୟଙ୍କ କଥାରୁ ଜଣାଯାଏ ଯେ ସେ ପାଣ୍ଡବମାନଙ୍କର ସମ୍ପୂର୍ଣ୍ଣ ପକ୍ଷପାତୀ ଅଟନ୍ତି ।୨୫।

 

ଏହି ଗୋଟିଏ ସ୍ୱତଃସିଦ୍ଧ କଥା ଅଛି ଯେ ବର୍ଷାକାଳରେ ମେଘ ଉଦିତ ହେଲାମାତ୍ରେ ପବନ ପ୍ରବାହିତ ହୁଏ, ବାରମ୍ବାର ଭୟଙ୍କର ଗର୍ଜନ ଶୁଣାଯାଏ ଓ ଅନିବାରିତରୂପେ ଜଳଧାରା ନିପତିତ ହୁଏ । କି ଆଶ୍ଚର୍ଯ୍ୟ କଥା, ଅଶ୍ୱମାନଙ୍କର ଶବ୍ଦ ଶୁଣିଲା ମାତ୍ରେ ଦ୍ରୋଣାଚାର୍ଯ୍ୟ ଅର୍ଜ୍ଜୁନଙ୍କର ବାରମ୍ବାର ପ୍ରଶଂସା କାହିଁକି କରନ୍ତି ? ଅଶ୍ୱମାନଙ୍କର ଶବ୍ଦରୁ ଅର୍ଜ୍ଜୁନଙ୍କର ପୁରୁଷାର୍ଥ କିପରି ପ୍ରକାଶିତ ହେଉଅଛ ? ଅତଏବ ସ୍ପଷ୍ଟରୂପେ ଜଣାଯାଏ ଯେ ଆଚାର୍ଯ୍ୟ ମହାଶୟଙ୍କର ଅର୍ଜ୍ଜୁନଙ୍କ ନିମିତ୍ତ ମଙ୍ଗଳ କାମନା ବିଶେଷ ଜାଗରୁକ ଅଛି ଓ ଆମ୍ଭମାନଙ୍କଠାରେ ସମ୍ପୂର୍ଣ୍ଣ ଦ୍ୱେଷବ୍ୟତୀତ ଅନ୍ୟ କୌଣସି କାରଣ ଜଣାଯାଉନାହିଁ ।୨୭। ଆଚାର୍ଯ୍ୟ ଦୟାଳୁ, କୃତବିଦ୍ୟ ଓ ନାନାପ୍ରକାର ଉପାୟ ଜାଣନ୍ତି ଏହା ସତ୍ୟ, କିନ୍ତୁ ମହାଭୟ ଉପସ୍ଥିତ ହେଲେ ତାହାଙ୍କଠାରୁ କୌଣସି ପରାମର୍ଶ ନେବା କଦାପି ଉଚିତ ନୁହଁ ।୨୮।

 

ଉପବନ ମଧ୍ୟରେ କି ଅତି ରମଣୀୟ ଅଟ୍ଟାଳିକା ଉପରେ ସଭା ହେଲେ ସେଠାରେ ପଣ୍ଡିତମାନେ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ବାକ୍ୟ ବିନ୍ୟାସ କରିପାରନ୍ତି । ଜନସମାଜର ନାନା ପ୍ରକାର ବିଚିତ୍ର କର୍ମ ଅନୁଷ୍ଠାନ ବିଷୟରେ ଅଭିଚାରାଦି କ୍ରିୟା କରିବାରେ, ଶତ୍ରୁମାନଙ୍କ ଛିଦ୍ର ଅନୁସନ୍ଧାନ ବିଷୟରେ, ମନୁଷ୍ୟମାନଙ୍କ ଚରିତ୍ର କହିବା ବିଷୟରେ, ଅର୍ଥାତ୍ ସ୍ନାନ, ଆଚମନ, ଭୋଜନ ଇତ୍ୟାଦି ନିତ୍ୟକର୍ମମାନଙ୍କୁ କି ପ୍ରକାର ବିଧିରେ କରିବାକୁ ହୁଏ, ତାହା ନିରୂପଣ କରିବା ବିଷୟରେ, ରଥ ଓ ହସ୍ତ୍ରୀ ପ୍ରଭୃତି ବାହନମାନଙ୍କ ଦ୍ୱାରା ଗମନାଗମନ ବିଷୟ ନିରୂପଣ କରିବା ନିମିତ୍ତ, ଖର, ଉଷ୍ଟ୍ର, ଅଜ, ମେଷ ପ୍ରଭୃତିଙ୍କର କାର୍ଯ୍ୟ ବିଜ୍ଞାନ ବିଷୟରେ ସେମାନେ ନିପୁଣ ଅଟନ୍ତି ଓ ଗୃହ ପ୍ରଭୃତିଙ୍କର କାର୍ଯ୍ୟବିଜ୍ଞାନ ବିଷୟରେ ସେମାନେ ନିପୁଣ ଅଟନ୍ତି ଓ ଗୃହ ପ୍ରଭୃତିର ବାହ୍ୟ ଅବୟବ କି ପ୍ରକାର ହେଲେ ଶୁଭ ଫଳ ମିଳଇ, କି ପ୍ରକାର ହେଲେ ଅଶୁଭ ଫଳ ମିଳଇ, ଏହା ପ୍ରକାଶ କରିବା ବିଷୟରେ ଦକ୍ଷ ଅଟନ୍ତି ଓ ଅନ୍ନପାନାଦିର ଦୋଷଗୁଣ ବର୍ଣ୍ଣନ କରିପାରନ୍ତି; କିନ୍ତୁ ଯେଉଁ ପଣ୍ଡିତମାନେ ଯୁଦ୍ଧକ୍ଷେତ୍ରରେ ଶତ୍ରୁର ଗୁଣ ବର୍ଣ୍ଣନ କରିବାକୁ ସୁଖକର ଜ୍ଞାନ କରନ୍ତି, ତାଦୃଶ୍ୟ ପଣ୍ଡିତମାନଙ୍କୁ ପଛରେ ରଖି ବୈରୀ ବିନାଶର ଉପାୟ ସ୍ଥିର କରିବା ଉଚିତ ।୩୩। ଅତଏବ ଆପଣ ଚତୁଃପାର୍ଶ୍ୱରେ ସୈନ୍ୟମାନଙ୍କୁ ଦଳବଦ୍ଧ କରି ରଖାଇ ତାହା ମଧ୍ୟରେ ଗୋଧନମାନଙ୍କର ରକ୍ଷା ନିମିତ୍ତ ରକ୍ଷକ ନିଯୁକ୍ତ କରାଇ ଶତ୍ରୁ ସଙ୍ଗରେ ଯୁଦ୍ଧ କରିବା ନିମିତ୍ତ ଉଦଯୋଗ କରିବା ହେଉନ୍ତୁ ।୩୪।

 

ଅଧ୍ୟାୟ – ୪୮

 

କର୍ଣ୍ଣ କହିଲେ– କି ଆଶ୍ଚର୍ଯ୍ୟ ! ଭୀଷ୍ମ ପ୍ରଭୃତି ସମସ୍ତ ବୀରପୁରୁଷମାନେ କାହିଁକି ଭୟଗ୍ରସ୍ତ ହେଲାପ୍ରାୟ ଜଣାଯାଉଅଛନ୍ତି ଓ କାହିଁକି ଅସ୍ଥିରମନା ହୋଇ ଯୁଦ୍ଧ କରିବା ନିମିତ୍ତ ସାହସ କରୁନାହାନ୍ତି ?୧। ଏହି ଆଗତ ବ୍ୟକ୍ତି ବିରାଟ ହୁଅନ୍ତୁ କି ଅର୍ଜ୍ଜୁନ ହୁଅନ୍ତୁ, ବେଳାଭୂମି ସମୁଦ୍ରକୁ ଅବରୋଧ କଲାପ୍ରାୟ ମୁଁ ଏହାଙ୍କୁ ଏକାକୀ ହୋଇ ନିବାରଣ କରିପାରିବି ।୨।ମୋର ବାଣମାନେ କୋଦଣ୍ଡରୁ ବାହାରିଲେ ଗମନଶୀଳ ସର୍ପପ୍ରାୟ ମଦୀୟ ହସ୍ତରୁ ବିମୁକ୍ତ ସୁବର୍ଣ୍ଣପୁଙ୍ଖଯୁକ୍ତ ଅତି ତୀକ୍ଷ୍‌ଣ ଶରସମୂହ ଅର୍ଜ୍ଜୁନର ସର୍ବାଙ୍ଗକୁ ବେଢ଼ିଯିବେ ।୪। ପୁଙ୍ଖ ସଂଯୁକ୍ତ ଶରମାନଙ୍କର ଦୃଢ଼ତର ଯାହା ସଙ୍ଗରେ ଆଘାତ ହେଲେ ତହିଁରୁ ଜାତ ହେବା ଶବ୍ଦ ଭେରୀଧ୍ୱନିପ୍ରାୟ ସମସ୍ତଙ୍କୁ ଶୁଣାଯିବ ।୫। ତ୍ରୟୋଦଶ ବର୍ଷ ପର୍ଯ୍ୟନ୍ତ ଅର୍ଜ୍ଜୁନ ଯୋଗସାଧନ କରିଥିବାରୁ ତାହାଙ୍କ ହୃଦୟରେ କାରୁଣ୍ୟରସର ସଂଚାର ହୋଇଥିବ ଜଣାଯାଏ । ଏହି ଯୁଦ୍ଧରେ ମୁଁ ତାହାଙ୍କୁ ଶରପ୍ରହାର କଲେ ସେ ମୋଠାରେ ରୁଷ୍ଟ ନ ହୋଇ ସ୍ନେହ ପ୍ରକାଶ କରିବେ ।୬। ଓ ମୁଁ ତାହାଙ୍କୁ ସହସ୍ର ସହସ୍ର ସୁତୀକ୍ଷ୍‌ଣ ଶର ପ୍ରଦାନ କଲେ ସେ ସତ୍‌ପାତ୍ର, ଗୁଣବନ୍ତ ବ୍ରାହ୍ମଣପ୍ରାୟ ତାହା ପ୍ରତିଗ୍ରହ କରିବେ ।୭।

 

ହେ ବୀରବୃନ୍ଦ ! ତ୍ରିଲୋକ ବିଖ୍ୟାତ, ସହାୟ ନିରପେକ୍ଷ, ନରଶ୍ରେଷ୍ଠ ଅର୍ଜ୍ଜୁନଙ୍କ ଅପେକ୍ଷା ମତେ ନିକୃଷ୍ଟ ବୋଲି ଜ୍ଞାନ କରନାହିଁ ।୮ ଖଦ୍ୟୋତବୃନ୍ଦରେ ଆକାଶମଣ୍ଡଳ ପରିପୂର୍ଣ୍ଣ ହେଲାପ୍ରାୟ ମଦୀୟ ବେଗଶାଳୀ ସୁତୀକ୍ଷଣ ସୁବର୍ଣ୍ଣ ଶରସମୂହରେ ଚତୁର୍ଦ୍ଦିଗ ଆଜି କିପରି ଆଚ୍ଛନ୍ନ ହେବ, ତାହା ସମସ୍ତେ ଦେଖିବେ ।୯। ପୂର୍ବେ ଦୁର୍ଯ୍ୟୋଧନଙ୍କ ନିକଟରେ ମୁଁ ବଚନରେ ଅଙ୍ଗୀକାର କରି ଯେଉଁ ଅକ୍ଷୟ ଋଣରେ ଋଣୀ ହୋଇଥିଲି, ଆଜି ଯୁଦ୍ଧରେ ଅର୍ଜ୍ଜୁନଙ୍କୁ ସଂହାର କଲେ ତହିଁରୁ ମୁକ୍ତ ହେବି ।୧୦। ସମସ୍ତ ସୁର ଓ ଅସୁରମାନଙ୍କ ମଧ୍ୟରେ କେହି ସୁଦ୍ଧା ମୋର ଯେଉଁ ସୁତୀକ୍ଷ୍‌ଣ ଶର ପ୍ରହାରକୁ ସହ୍ୟ କରି ପାରନ୍ତି ନାହିଁ, ଆଜି ଇତସ୍ତତଃ ନିର୍ମୁକ୍ତ ପୁଙ୍ଖଯୁକ୍ତ ସେହି ଶରଛନ୍ଦ, ସଲଭ ସମୂହପ୍ରାୟ ଆକାଶମଣ୍ଡଳରେ ଦୃଶ୍ୟ ହେବ ।୧୧। ଇନ୍ଦ୍ରଦେବଙ୍କ ତୁଲ୍ୟ ତେଜୀୟାନ ବଜ୍ରସଦୃଶ୍ୟ ଦୃଢ଼ତର କଳେବରଧାରୀ ଅର୍ଜ୍ଜୁନଙ୍କୁ ଅଦ୍ୟ ଉଲ୍‌କାପାତ ପୀଡ଼ିତ କୁଞ୍ଜର ପ୍ରାୟ ମୁଁ ନିଶ୍ଚୟ ସଂହାର କରିବି ।୧୨।

 

ବିହଙ୍ଗରାଜ ଗରୁଡ଼ ଅନାୟାସରେ ସର୍ପକୁ ଆୟତ୍ତ କଲାପ୍ରାୟ ମୁଁ ଶସ୍ତ୍ରଧାରୀ ପୁରନ୍ଦର ମହାବୀର ମହାବାହୁ ଅର୍ଜ୍ଜୁନଙ୍କୁ ସହଜରେ ରଥରୁ ଆକ୍ରମଣ କରି ଆଣିବି ।୧୩। ପାଣ୍ଡବବଂଶ ହୁତାଶନ ଅର୍ଜ୍ଜୁନ ଯେତେବେଳେ ଅସି, ଶକ୍ତି ଓ ଶର ପ୍ରଭୃତି ଅସ୍ତ୍ରଶସ୍ତ୍ରରୂପକ କାଷ୍ଠରାଶିରେ ପ୍ରଜ୍ଜ୍ୱଳିତ ହୋଇ ଶତ୍ରୁ ସୈନ୍ୟଙ୍କୁ ଭସ୍ମ କରୁଥିବେ, ମୁଁ ସେହି ସମୟରେ ପ୍ରଳୟ କାଳର ମହାମେଘ ପ୍ରାୟ ହୋଇ ଶୀଘ୍ରଗାମୀ ଘୋଟକ ଓ ରଥସମୂହକୁ ପବନ ଓ ବିଦ୍ୟୁତ୍‌ପ୍ରାୟ ସମ୍ମୁଖରେ ରଖି ଜଳଧାରା ସଦୃଶ୍ୟ ଶାଣିତ ଶରରାଶି ବର୍ଷଣପୂର୍ବକ ତାହାଙ୍କୁ ନିର୍ବାଣ କରିବି ।୧୫। ବିଷଧରମାନେ ବଲ୍ଲୀକ ମଧ୍ୟରେ ପ୍ରବେଶ କଲାପ୍ରାୟ ମୋର କୋଦଣ୍ଡ ବହିର୍ଗତ ସର୍ପସଦୃଶ୍ୟ ସାୟକମାନେ ଅର୍ଜ୍ଜୁନଙ୍କ ଶରୀର ମଧ୍ୟରେ ରହିବେ ।୧୬। ଆହେ ବୀରମାନେ ! ଅର୍ଜ୍ଜୁନ ସୁବର୍ଣ୍ଣ ପୁଙ୍ଖଯୁକ୍ତ ସନ୍ନତ ଶାଣଜଳପାୟିତ ଅତିଶୟ ତୀକ୍ଷ୍‌ଣ ଶରସମୂହରେ ଜର୍ଜ୍ଜରିତ ହେବା ସମୟରେ କର୍ଣ୍ଣିକାର ପୁଷ୍ପରାଶିମଣ୍ଡିତ ପର୍ବତ ପ୍ରାୟ ମନୋହର ଦିଶିବେ ।୧୭।

 

ଋଷିଶ୍ରେଷ୍ଠ ପରଶୁରାମଙ୍କ ନିକଟରୁ ମୁଁ ଯେଉଁ ଅସ୍ତ୍ରବିଦ୍ୟା ଶିଖିଅଛି, ତାହାର ପ୍ରତାପରେ ଓ ନିଜର ପରାକ୍ରମରେ ଇନ୍ଦ୍ରଦେବଙ୍କ ସଙ୍ଗରେ ସୁଦ୍ଧାହ ଅନାୟାସରେ ଯୁଦ୍ଧ କରିପାରିବି ।୧୮। ଅର୍ଜ୍ଜୁନଙ୍କ ରଥ ପତାକାର ଅଗ୍ରସ୍ଥିତ ମର୍କଟରାଜ ହନୁମାନ ମୋ ଭଲ୍ଲର ଆଘାତରେ ଅତି ଭୟଙ୍କର ରାବ କରି ଆଜି ନିଶ୍ଚୟ ଭୂତଳରେ ପଡ଼ିବ ଓ ସେହିଠାରେ ଥିବା ଭୂତମାନେ ମଧ୍ୟ ତଦ୍‌ବତ୍ ଘୋରତର ଆର୍ତ୍ତଧ୍ୱନି କରି ଆକାଶମଣ୍ଡଳର ଚତୁର୍ଦ୍ଦିଗକୁ ପଳାଇବେ ।୨୦। ଆଜି ରଥରୁ ଅର୍ଜ୍ଜୁନଙ୍କୁ ମୁଁ ତଳକୁ ଖସାଇଲେ ଦୁର୍ଯ୍ୟୋଧନଙ୍କର ହୃଦୟସ୍ଥିତ ଚିରକାଳର ଶଲ୍ୟ ସମୂଳରେ ଉତ୍ପାଟିତ ହେବ ।୨୧। ଆଜି ପ୍ରଶସିଂତ ଅର୍ଜ୍ଜୁନ, ରଥର ଅଶ୍ୱମାନଙ୍କ ସଙ୍ଗେ ହତ ହୋଇ ରଥରୁ ଖସିଲେ କୌରବମାନେ ତାହାଙ୍କୁ ଦେଖି କୋପଯୁକ୍ତ ମହାସର୍ପପ୍ରାୟ ଦୀର୍ଘନିଃଶ୍ୱାସ ତ୍ୟାଗ କରିବେ ।୨୨। ମୁଁ କହୁଛି, କୌରବ ସୈନ୍ୟମାନେ ଗୋଧନ ସବୁ ନେଇ ଚାଲି ଯାଆନ୍ତୁ । ଅଥବା ଅର୍ଜ୍ଜୁନଙ୍କ ସଙ୍ଗରେ ମୋର କି ପ୍ରାୟ ଯୁଦ୍ଧ ହେବ, ତାହା ଏହିଠାରେ ବସି ଦେଖୁଥାଆନ୍ତୁ ।୨୩।

 

ଅଧ୍ୟାୟ – ୪୯

 

କୃପାଚାର୍ଯ୍ୟ କହିଲେ- ହେ କର୍ଣ୍ଣ ! ପାପବୁଦ୍ଧି ହେତୁରୁ ଆପଣ ସର୍ବଦା ଯୁଦ୍ଧନିମିତ୍ତ ଇଚ୍ଛା କରୁଥାଆନ୍ତି ସିନା ! ସମ୍ପ୍ରତି ଗୋଧନମାନଙ୍କୁ ଅପହରଣ କରିବାକୁ ପ୍ରବୃତ୍ତି ଦେଉଅଛନ୍ତି ସତ୍ୟ, କିନ୍ତୁ ତାହାସବୁ ଅପହରଣ କଲେ ଶେଷରେ କି ଅନିଷ୍ଟ ଫଳ ଫଳିବ, ତାହା ଟିକିଏ ବିଚାର କରୁନାହାନ୍ତି-।୧। ଇତିହାସବିଶାରଦ ପଣ୍ଡିତମାନେ ବିଶେଷ ଚିନ୍ତାରେ ସ୍ଥିର କରିଅଛନ୍ତି ଯେ ଆତ୍ମରକ୍ଷା ଓ ଶତ୍ରୁକୁ ପରାଜୟ ଦେବା ନିମିତ୍ତ ସାମ ପ୍ରଭୃତି ଯେଉଁ ଯେଉଁ ନୀତିମାନ ଅଛି, ତନ୍ମଧ୍ୟରେ ଯୁଦ୍ଧ ଅତି ନିକୃଷ୍ଟ-।୨।

 

ଦେଶ ଓ କାଳ ଦୁହେଁ ଅନୁକୂଳ ଥିବାର ଜାଣି ଯୁଦ୍ଧ କଲେ ନିଶ୍ଚୟ ଜୟଲାଭ ହୁଏ; କିନ୍ତୁ ଅଯୋଗ୍ୟକାଳ କି ନିକୃଷ୍ଟ ଦେଶରେ ଯୁଦ୍ଧ କଲେ କଦାପି ଶୁଭଫଳ ଲାଭର ସମ୍ଭାବନା ଥାଏ ନାହିଁ । ଅତଏବ ଉପଯୁକ୍ତ କାଳ ଓ ଉପଯୁକ୍ତ ଦେଶରେ ପରାକ୍ରମ ପ୍ରକାଶ କଲେ ନିଶ୍ଚୟ ଶୁଭଫଳ ଲାଭ ହୁଅଇ । ସମ୍ପ୍ରତି ଗ୍ରୀଷ୍ମକାଳ ଉପସ୍ଥିତ ହୋଇଅଛି । ଏପରି ସମୟରେ ଯୁଦ୍ଧ କଲେ ଶାନ୍ତି ନିବାରଣ ନିମିତ୍ତ ଜଳର ଅଭାବ ହେଲେ ଶୀଘ୍ର ବାହନମାନଙ୍କର ମୃତ୍ୟୁ ଉପସ୍ଥିତ ହେବା ସମ୍ଭବ; ଏହି ଦେଶ ମଧ୍ୟ ଦୁର୍ଗମ ଗିରିବନରେ ପୂର୍ଣ୍ଣ ଅଟେ; ଅତଏବ କାଳ ଅପେକ୍ଷା ଦେଶ ମଧ୍ୟ ଅତିଶୟ ଭୟଙ୍କର; ଅତଏବ ସମ୍ପ୍ରତି ଯୁଦ୍ଧ କରିବା କଦାପି ଉଚିତ ନୁହଇ ।୩। ଯଦି ରଥର ନିର୍ମାଣକର୍ତ୍ତା କହେ କି, ଏହି ରଥରେ ବସି ଯୁଦ୍ଧ କଲେ ଅନାୟାସରେ ଦେବତାମାନଙ୍କୁ ପରାଜୟ ଦେବାକୁ ହେବ, ପଣ୍ଡିତମାନେ ତାହା ଶୁଣି ତାହାରି ବଚନରେ ଭାର ଦେଇ କୌଣସି ବିଷୟକୁ ଅପେକ୍ଷା ନ କରି ଯେପରି ଅମରମାନଙ୍କ ସଙ୍ଗରେ ଯୁଦ୍ଧ କରନ୍ତି ନାହିଁ, ସେହି ପ୍ରାୟ ସେନାମାନେ କେବଳ ଆପଣଙ୍କ ବଚନ ଅନୁସାରେ ଗୋଧନମାନଙ୍କୁ ଅପହରଣ କରିବାକୁ ଇଚ୍ଛା କରୁନାହାନ୍ତି ।୪।

 

ବିଶେଷ ବିବେଚନା କଲେ ଅର୍ଜ୍ଜୁନଙ୍କ ସାଙ୍ଗରେ ଯୁଦ୍ଧ କରିବା ନିମିତ୍ତ ଆମ୍ଭମାନଙ୍କର କଦାପି ଉଚିତ ନୁହଇ, କାରଣ ସେ ଏକାକୀ ହୋଇ ଅଗ୍ନିଦେବଙ୍କର ତୃପ୍ତି ସାଧନ ଓ ଉତ୍ତର କୁରୁଦେଶ ଆକ୍ରମଣ କରିଥିଲେ ।୫। ଓ ଏକାକୀ ହୋଇ ପାଞ୍ଚବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିଲେ । ଏକାକୀ ହୋଇ ସୁଭଦ୍ରା ଦେବୀଙ୍କୁ ରଥରେ ବସାଇ ଦ୍ୱୈରଥଯୁଦ୍ଧ କରିବା ନିମିତ୍ତ କୃଷ୍ଣଙ୍କୁ ଆହ୍ୱାନ କରିଥିଲେ ।୬। ଏକାକୀ ହୋଇ କିରାତରୂପଧାରୀ ରୁଦ୍ରଦେବଙ୍କୁ ଯୁଦ୍ଧରେ ସନ୍ତୁଷ୍ଟ କରିଥିଲେ । ଏହି ଅରଣ୍ୟ ମଧ୍ୟରେ ଏକାକୀ ହୋଇ ଜୟଦ୍ରଥଙ୍କୁ ପରାଭବ ଦେଇ ଅପହୃତ ପାଞ୍ଚାଳୀଙ୍କୁ ଉଦ୍ଧାର କରିଥିଲେ । ଏକାକୀ ହୋଇ ପାଞ୍ଚବର୍ଷ ପର୍ଯ୍ୟନ୍ତ ଇନ୍ଦ୍ରଙ୍କ ନିକଟରୁ ଅସ୍ତ୍ରବିଦ୍ୟା ଶିକ୍ଷା କରିଥିଲେ । ଏକାକୀ ହୋଇ ଶତ୍ରୁମାନଙ୍କୁ ପରାଜୟ ଦେଇ କୁରୁକୁଳର ଗୌରବ ଓ କୀର୍ତ୍ତିବର୍ଦ୍ଧନ କରିଥିଲେ ।୮। ଏକାକୀ ହୋଇ ଅରିଦମନଶୀଳ ଗନ୍ଧର୍ବରାଜ ଚିତ୍ରସେନଙ୍କୁ ଓ ଅତି ଦୁର୍ଜୟ ତାହାଙ୍କ ସେନାମାନଙ୍କୁ ଯୁଦ୍ଧରେ ବଳପ୍ରକାଶପୂର୍ବକ ଜୟ କରିଥିଲେ ।୯। ଏକାକୀ ହୋଇ ଦେବତାମାନଙ୍କ ଦ୍ୱାରା ଅବଧ୍ୟ ନିବାତ କବଚ, କାଳକଞ୍ଜ ପ୍ରଭୃତି ଦୁର୍ଦ୍ଦାନ୍ତ ଦାନବମାନଙ୍କୁ ଯୁଦ୍ଧରେ ସଂହାର କରିଥିଲେ ।୧୦।

 

ଆହେ କର୍ଣ୍ଣ ! ଅର୍ଜ୍ଜୁନ ଏକାକୀ ହୋଇ ଦିଗ୍‌ବିଜୟ ଯାତ୍ରାରେ ସମସ୍ତ ମହୀପାଳମାନଙ୍କୁ ବଶୀଭୂତ କରିଥିଲା ପ୍ରାୟ ଆପଣ ଏକାକୀ ହୋଇ କୌଣସି ସମୟରେ କୌଣସି ଉତ୍କୃଷ୍ଟ କାର୍ଯ୍ୟସାଧନ କରିଅଛନ୍ତି କି ?୧୧। ଯେଉଁ ମହାତେଜା ଅର୍ଜ୍ଜୁନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ବଜ୍ରପାଣି ଦେବରାଜ ହେଲେ ସୁଦ୍ଧା ଶଂକିତ ହେବେ, ତାହାଙ୍କ ସଙ୍ଗରେ ଆପଣଙ୍କର ଏତାଦୃଶ ବିବେକଶୂନ୍ୟ ସମରକାମନା ଦେଖି ଜଣାଯାଏ ଯେ ଆପଣ କୋପାବିଷ୍ଟ ବିଷମ ଆଶୀବିଷମୁଖରୁ ବିଷଦନ୍ତ ଆଣିବା ନିମିତ୍ତ ତର୍ଜନୀ ଅଙ୍ଗୁଳି ବଢ଼ାଉ ଅଛନ୍ତି; ଅଥବା ଏକାକୀ ହୋଇ ହସ୍ତରେ ଅଙ୍କୁଶ ନ ଧରି ବନଚର ମତ୍ତମାତଙ୍ଗର ପୃଷ୍ଠରେ ବସି ନଗରକୁ ଯିବାକୁ ଉତ୍କଣ୍ଠିତ ହେଉଅଛନ୍ତି; କିମ୍ବା ଘୃତାକ୍ତ ବସ୍ତ୍ର ପରିଧାନ କରି ଘୃତ ଆହୁତିରେ ପ୍ରଜ୍ଜ୍ୱଳିତ କରାଳ ଅନଳ ମଧ୍ୟରେ ଚାଲିବାକୁ ଇଚ୍ଛା କରୁଅଛନ୍ତି ।୧୫। କୌଣସି ବ୍ୟକ୍ତି ଆପଣାର ଗଳାରେ ମହାଶିଳା ବାନ୍ଧି ଦୁଇ ବାହୁର ବଳରେ ସମୁଦ୍ର ତରିବାକୁ ଇଚ୍ଛା କରେ କି ? ତାହା କଲେ ସେ ପୌରୁଷ ପାଇ ପାରଇ କି ?୧୬। ହେ କର୍ଣ୍ଣ-! ନରପତେ ! ଉତ୍ତମରୂପେ ଅସ୍ତ୍ରବିଦ୍ୟା ନ ଜାଣିଥିବା ଯେଉଁ ବ୍ୟକ୍ତି ଉତ୍କଷ୍ଟ ଅସ୍ତ୍ରବିଦ୍ୟାବିଶାରଦ ବୀରଶ୍ରେଷ୍ଠ ମହାବଳ ଅର୍ଜ୍ଜୁନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଇଚ୍ଛୁକ ହୁଏ, ସେ ଅତି ଦୁର୍ବୁଦ୍ଧି ଜନଶ୍ରେଣୀରେ ପରିଗଣିତ ହୁଏ ।୧୭।

 

ଏହି ଅର୍ଜ୍ଜୁନ ଆମ୍ଭମାନଙ୍କ ପ୍ରତାରଣାରେ ତ୍ରୟୋଦଶ ବର୍ଷ ପର୍ଯ୍ୟନ୍ତ ବନ ମଧ୍ୟରେ ବାସ କରିଥିଲେ । ସମ୍ପ୍ରତି ପାଶବିମୁକ୍ତ ସିଂହପ୍ରାୟ ଏହିଠାରେ ଉପସ୍ଥିତ ହୋଇଅଛନ୍ତି, ଅତଏବ ଅନିଷ୍ଟ ନ କରି ନିବର୍ତ୍ତିବେ ବୋଲି କଦାପି ସମ୍ଭାବନା କରାଯାଏ ନାହିଁ ।୨୮। କୂପ ମଧ୍ୟରେ ଅଗ୍ନି ଥିଲା ପ୍ରାୟ ଅର୍ଜ୍ଜୁନ ଏଠାରେ ଗୋପନ ଭାବରେ ଅଛନ୍ତି; ଆମ୍ଭେମାନେ ଜାଣି ନ ପାରି ଏଠାକୁ ଯୁଦ୍ଧ କରିବା ନିମିତ୍ତ ଆସି ସମ୍ପ୍ରତି ମହାଭୟର ଅଧୀନ ହେଲୁ ।୧୯। ଯାହା ହେଉ ସମ୍ପ୍ରତି ସୈନ୍ୟମାନେ କବଚ ଧାରଣ କରି ଦଳବଦ୍ଧ ହୋଇ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଥାଆନ୍ତୁ । ଆମ୍ଭେମାନେ ଯୁଦ୍ଧଦୁର୍ମଦ ପାର୍ଥ ସଙ୍ଗରେ ଯୁଦ୍ଧ କରିବା ।୨୦। ହେ କର୍ଣ୍ଣ ! ଆପଣ ଏକାକୀ ହୋଇ ଅର୍ଜ୍ଜୁନଙ୍କର ସଙ୍ଗରେ ଯୁଦ୍ଧ କରିବେ ବୋଲି ବୃଥା ସାହସ କରନ୍ତୁ ନାହିଁ । ଯଦି ଭୀଷ୍ମ, ଦ୍ରୋଣ, ଦୁର୍ଯ୍ୟୋଧନ, ଅଶ୍ୱତ୍‌ଥାମା, ଆପଣ ଓ ମୁଁ ଏହି ଛଅ ଜଣଯାକ ମିଳିବା, ତାହାହେଲେ ଦେବରାଜ ସଦୃଶ୍ୟ ଅର୍ଜ୍ଜୁନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ କେତେକ ଅଂଶରେ ଉପଯୁକ୍ତ ହେବା; ଅତଏବ ସମ୍ପ୍ରତି ସୈନ୍ୟମାନେ ଦଳବଦ୍ଧ ହୋଇ ଆମ୍ଭମାନଙ୍କର ଚତୁଃପାର୍ଶ୍ୱରେ ସାବଧାନରେ ରହିଥାଆନ୍ତୁ । ସେମାନେ ଭୟରେ ରଣଭଙ୍ଗ ନ ଦେଇ ସ୍ଥିର ହୋଇ ରହି ପାରିଲେ ଇନ୍ଦ୍ରଙ୍କ ସଙ୍ଗରେ ଅସୁରମାନେ ଯୁଦ୍ଧ କଲାପ୍ରାୟ ଆମ୍ଭେମାନେ ଅର୍ଜ୍ଜୁନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ସମର୍ଥ ହେବା ।୨୩।

 

ଅଧ୍ୟାୟ – ୫୦

 

ଅଶ୍ୱତ୍‌ଥାମା କହିଲେ- ଆହେ କର୍ଣ୍ଣ ! ଗୋଧନମାନେ ବିଜିତ ହୋଇ ଅନ୍ୟ ସୀମାକୁ ଗମନ କରି ହସ୍ତିନାପୁରରେ ପହଞ୍ଚି ନାହାନ୍ତି । ଆପଣ ବୃଥାରେ ଆତ୍ମଶ୍ଳାଘା କାହିଁକି କରୁଅଛନ୍ତି ?୧। ବୀରପୁରୁଷମାନେ ନାନାସ୍ଥାନର ଯୁଦ୍ଧରେ ଜୟଲାଭ କରି ବିପୁଳ ଭୂମି ସମ୍ପତ୍ତି ପାଇଲେ ସୁଦ୍ଧା ନିଜର ପୌରୁଷ କଦାପି କହନ୍ତି ନାହିଁ ।୨। ଅଗ୍ନିଦେବ କିଛି ନ କହି ସମସ୍ତ ଦ୍ରବ୍ୟ ଭସ୍ମ କରୁଅଛନ୍ତି । ସୂର୍ଯ୍ୟଦେବ ମୌନ ଅବଲମ୍ବନପୂର୍ବକ ସ୍ୱକୀୟ ପ୍ରଖର କିରଣମାନଙ୍କୁ ବିସ୍ତାର କରୁଅଛନ୍ତି ଓ ପୃଥିବୀଦେବୀ ନୀରବ ହୋଇ ସଚରାଚର ଲୋକମାନଙ୍କୁ ଧରିଅଛନ୍ତି ।୩। ଯେଉଁ ଯେଉଁ କର୍ମଦ୍ୱାରା ଧନ ଉପାର୍ଜନ କରିବାର ଉଚିତ, ଯେଉଁ ଯେଉଁ କର୍ମ କଲେ କୌଣସି ଦୋଷ ହୁଏ ନାହିଁ, ସେହି ସେହି କର୍ମସବୁ ଚତୁର୍ବର୍ଣ୍ଣମାନଙ୍କ ନିମିତ୍ତ ବିଧାତା ବିଧାନ କରି ଅଛନ୍ତି ।୪। ବ୍ରାହ୍ମଣ ବେଦାଧ୍ୟୟନପୂର୍ବକ ଯଜନ ଓ ଯାଜନ କାର୍ଯ୍ୟ କରିବେ, କ୍ଷତ୍ରିୟ ଶରାସନକୁ ଆଶ୍ରୟ କରି ଧନ ଉପାର୍ଜନ ଦ୍ୱାରା କେବଳ ଯଜନ କରିବେ, କଦାପି ଯାଜନକାର୍ଯ୍ୟରେ ପ୍ରବର୍ତ୍ତିବେ ନାହିଁ ।୫। ବୈଶ୍ୟ କୃଷି ଓ ବାଣିଜ୍ୟ ପ୍ରଭୃତିରେ ଅର୍ଥ ଉପାର୍ଜନ କରି ବ୍ରାହ୍ମଣଙ୍କର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ । ଶୂଦ୍ର ବ୍ରାହ୍ମଣ ପ୍ରଭୃତି ବର୍ଣ୍ଣତ୍ରୟର ସର୍ବଦା ଶୁଶ୍ରୂଷା କରିବେ ।

 

ମହାତ୍ମା ପାଣ୍ଡବମାନେ ମଧ୍ୟ ଶାସ୍ତ୍ରବିହିତ ନିଜ ଧର୍ମରେ ରହି ପ୍ରତାରଣାଶୂନ୍ୟ ଉପାୟରେ ଏହି ପୃଥିବୀରେ ଆଧିପତ୍ୟ କରିଅଛନ୍ତି । ତଥାପି ସେମାନେ କଦାପି ଆତ୍ମଶ୍ଳାଘା କରନ୍ତି ନାହିଁ । ଗରୁଜନମାନେ ସେମାନଙ୍କଠାରେ ଶତ୍ରୁତା କଲେ ସୁଦ୍ଧା ପାଣ୍ଡବମାନେ କଦାପି ସେମାନଙ୍କର ନିନ୍ଦା ନ କରି ଅଧିକ ସତ୍କାର କରିବାରେ ଆସକ୍ତ ଥାଆନ୍ତି । କ୍ରୂରସ୍ୱଭାବ ନିର୍ଲ୍ଲଜ୍ଜ ଧୃତରାଷ୍ଟ୍ରପୁତ୍ର ଦୁର୍ଯ୍ୟୋଧନ ମାସଜୀବୀ ବ୍ୟାଧ ସଦୃଶ୍ୟ କପଟ ଉପାୟରେ ରାଜ୍ୟ ଲାଭ କରି ଧନମଦରେ ଅନ୍ଧ ପ୍ରାୟ ହୋଇ ଆତ୍ମପ୍ରଶଂସାରେ ମୋହିତ ହୋଇଅଛନ୍ତି ।୯। ହେ କର୍ଣ୍ଣ ! ଆପଣ ପାଣ୍ଡବମାନଙ୍କର ଧନ ହରଣ କରିଅଛନ୍ତି ସତ୍ୟ, କିନ୍ତୁ କୌଣସି ସମୟରେ ଅର୍ଜ୍ଜୁନଙ୍କ ସଙ୍ଗରେ ଦ୍ୱୈରଥ ଯୁଦ୍ଧ କରି ତାହାଙ୍କୁ ପରାଭବ ଦେଇନାହ; କି କୌଣସି ସମୟରେ ନକୁଳ ଓ ସହଦେବଙ୍କୁ ଯୁଦ୍ଧରେ ପରାଜିତ କରିନାହା ।୧୦।, କିମ୍ବା କୌଣସି ଯୁଦ୍ଧରେ ଧର୍ମରାଜ ଯୁଧିଷ୍ଠିର କି ମହାବାହୁ ମହାବଳ ଭୀମ ଆପଣଙ୍କ ସଙ୍ଗରେ ଯୁଦ୍ଧ କରି ପରାସ୍ତ ହୋଇନାହାନ୍ତି, କି କୌଣସି ସମୟରେ କୌଣସି ଯୁଦ୍ଧରେ ଇନ୍ଦ୍ରପ୍ରସ୍ଥ ନଗର ଆପଣଙ୍କର ହସ୍ତଗତ ହୋଇଥିଲା ନାହିଁ ।୧୧। ମଧ୍ୟ କୌଣସି ଯୁଦ୍ଧରେ ଦ୍ରୌପଦୀଦେବୀ ଆପଣଙ୍କର ହସ୍ତଗତ ହୋଇଥିଲେ ନାହିଁ ।

 

ହେ ଅନିଷ୍ଟକାରକ ! ବିନା ଯୁଦ୍ଧରେ ଦ୍ରୌପଦୀଙ୍କୁ ବିବସ୍ତ୍ର କରି ଥରେ ସଭା ମଧ୍ୟକୁ ଆଣିବା ହୋଇଥିଲେ ।୧୨। ଚନ୍ଦନସାରାର୍ଥୀ ବ୍ୟକ୍ତି ଚନ୍ଦନ ବୃକ୍ଷର ମୂଳ ଛେଦନ କଲାପ୍ରାୟ ଆପଣ ଧନାର୍ଥୀ ହୋଇ ଦ୍ରୌପଦୀଙ୍କୁ ଅପମାନ ଦେଇ ପାଣ୍ଡବମାନଙ୍କର ଆନନ୍ଦ-ତରୁର ମୂଳକୁ ଛେଦନ କରିଥିଲେ; ସେହି ନିନ୍ଦନୀୟ କାର୍ଯ୍ୟ କରୁଥିବା ସମୟରେ ବିଦୂର ଯେଉଁ କଥା କହିଥିଲେ, ତାହା କି ବିସ୍ମରଣ କରିଅଛନ୍ତି ?୧୩। ମନୁଷ୍ୟ ପ୍ରଭୃତିଙ୍କଠାରୁ ଆରମ୍ଭ କରି କୀଟ ପିପୀଲିକା ପର୍ଯ୍ୟନ୍ତ ସମସ୍ତ ପ୍ରାଣୀଙ୍କର ଯଥାଶକ୍ତି କ୍ଷମାଗୁଣ ଅଛି । କିନ୍ତୁ ପାଣ୍ଡୁନନ୍ଦନ ଅର୍ଜ୍ଜୁନ ଦ୍ରୌପଦୀଙ୍କ ଅପମାନ ଦୁଃଖରେ ଏତାଦୃଶ୍ୟ କୋପାବିଷ୍ଟ ଅଛନ୍ତି ଯେ ଦୁର୍ଯ୍ୟୋଧନଙ୍କ ବଂଶସଂହାର ନ କରିବା ପର୍ଯ୍ୟନ୍ତ କଦାପି କ୍ଷମାଗୁଣକୁ ଆଶ୍ରୟ କରିବେ ନାହିଁ । ଆପଣ ଆପଣାକୁ ପଣ୍ଡିତ ବୋଲି ଜାଣି ଏହି ସମ୍ବନ୍ଧରେ ନାନା ପ୍ରକାର କଥା କହିବାକୁ ଇଚ୍ଛା କରୁଥିବେ, କିନ୍ତୁ ଯାହାହେଉ ଶତ୍ରୁକ୍ଷୟକାରୀ ଅର୍ଜ୍ଜୁନ ଆମ୍ଭମାନଙ୍କୁ ବିନାଶ ନ କରି କଦାପି ସ୍ଥିର ହେବେ ନାହିଁ । ଏହି କୁନ୍ତୀପୁତ୍ର ଧନଞ୍ଜୟ ଦେବତା, ଗନ୍ଧର୍ବ, ଅସୁର ଅଥବା ରାକ୍ଷସମାନଙ୍କଠାରୁ ମହାଭୟ ପାଇଲେ ସୁଦ୍ଧା କଦାପି ଯୁଦ୍ଧରୁ କ୍ଷାନ୍ତ ହେବେ ନାହିଁ ।୧୭।

 

ଅର୍ଜ୍ଜୁନ ରଣକ୍ଷେତ୍ରରେ କ୍ରୁଧ ହୋଇଥିବା ସମୟରେ ଯେଉଁ ଯେଉଁମାନେ ତାହାଙ୍କ ସମ୍ମୁଖକୁ ଯିବେ, ସେହିମାନେ ବୈନତେୟଙ୍କ ବେଗରେ ଉତ୍ପାଟିତ ପାଦପରାଶି ପ୍ରାୟ ଭୂତଳରେ ନିପତିତ ହେବେ ।୧୮। ଆପଣଙ୍କ ଅପେକ୍ଷା ଅଧିକ ପରାକ୍ରମଶାଳୀ, ଅସୁରପତିଙ୍କ ସଦୃଶ୍ୟ ଅସ୍ତ୍ରବିଦ୍ୟା ବିଶାରଦ ଧନଞ୍ଜୟ ଯୁଦ୍ଧ କରିବା ବିଷୟରେ ବାସୁଦେବଙ୍କ ତୁଲ୍ୟ ଅଟନ୍ତି ବୋଲି ତାହାଙ୍କୁ ସମସ୍ତେ ପ୍ରଶଂସା କରନ୍ତି ।୧୯। ଦେବଯୋଗ୍ୟ ଅସ୍ତ୍ରମାନଙ୍କୁ ଦେବଯୋଗ୍ୟ ଅସ୍ତ୍ରରେ, ମନୁଷ୍ୟଯୋଗ୍ୟ ଅସ୍ତ୍ରମାନଙ୍କୁ ମନୁଷ୍ୟଯୋଗ୍ୟ ଅସ୍ତ୍ରରେ ଛେଦନ କରି ଯୁଦ୍ଧରେ ଜୟଶୀଳ ହେବାର ସହଜ କଥା ନୁହଇ । ପୃଥିବୀରେ ଏତାଦୃଶ ପ୍ରଶଂସନୀୟ ବୀର ଅର୍ଜ୍ଜୁନଙ୍କ ବ୍ୟତୀତ କେହି ନାହାନ୍ତି । ଧର୍ମଶାସ୍ତ୍ରବିଶାରଦ ପଣ୍ଡିତମାନେ ଜାଣନ୍ତି ଯେ ଶିଷ୍ୟମାନେ ପୁତ୍ରତୁଲ୍ୟ ସ୍ନେହର ପାତ୍ର । ଏହି କାରଣରୁ ଧନଞ୍ଜୟ ଦ୍ରୋଣାଚାର୍ଯ୍ୟଙ୍କର ପ୍ରିୟପାତ୍ର ହୋଇଅଛନ୍ତି ।୨୧।

 

ଆପଣ ଉତ୍ସାହର ଅଧୀନ ହୋଇ ଯେଉଁ ପ୍ରକାରରେ ଦ୍ୟୂତକ୍ରୀଡ଼ା କରିଥିଲେ, ଯେଉଁ ପ୍ରକାରରେ ଇନ୍ଦ୍ରପ୍ରସ୍ଥ ନଗରକୁ ଅଧିକାର କରିଥିଲେ, ଯେଉଁ ପ୍ରକାରରେ ରମଣୀମଣି ଦ୍ରୌପଦୀଙ୍କୁ ସଭାକୁ ଅଣାଇଥିଲେ, ସମ୍ପ୍ରତି ସେହି ପ୍ରକାରରେ ଅର୍ଜ୍ଜୁନଙ୍କ ସଙ୍ଗରେ ଯୁଦ୍ଧ କରିବା ହେଉନ୍ତୁ ।୨୨। ଅଥବା କ୍ଷତ୍ରିୟଧର୍ମପଣ୍ଡିତ, ଦୁଷ୍ଟ ଦ୍ୟୁତକ୍ରୀଡ଼ନକ, ପ୍ରଜ୍ଞାଶୀଳ, ଗାନ୍ଧାର ପ୍ରଦେଶର ରାଜା, ଆପଣଙ୍କ ମାତୁଳ ଶକୁନି ଯୁଦ୍ଧ କରନ୍ତୁ ।୨୩। ଗାଣ୍ଡୀବ କୋଦଣ୍ଡରୁ କଦାପି ପଶାକାଠି ପଡ଼ଇ ନାହିଁ, ଗାଣ୍ଡୀବକୋଦଣ୍ଡରୁ କେବଳ ପ୍ରଜ୍ଜ୍ୱଳିତ ସୁଶାଣିତ ତୀକ୍ଷ୍‌ଣ ତୀକ୍ଷ୍‌ଣ ଅସହ୍ୟ ବାଣସବୁ ଅସଂଖ୍ୟ ପରିମାଣରେ ପଡ଼ୁଥାଏ ।୨୪। ଗାଣ୍ଡୀବକୋଦଣ୍ଡର ଗୃଧ୍ରପକ୍ଷଯୁକ୍ତ ଅତି ତେଜୀୟାନ ବାଣମାନେ ପର୍ବତ ବିଦାରଣ କରିପାରନ୍ତି । ୨୫। ମୃତ୍ୟୁପତି ଯମ, ପବନ ଓ ବାଡ଼ବ ପ୍ରଭୃତି ଅଗ୍ନିଙ୍କ ଆକ୍ରମଣରୁ କିଛି କିଛି ଅବଶେଷ ରହିବାର ସମ୍ଭବ, କିନ୍ତୁ ଅର୍ଜ୍ଜୁନ କୋପାବିଷ୍ଟ ହେଲେ କଦାପି କିଛି ମାତ୍ର ଅବଶିଷ୍ଟ ରହଇ ନାହିଁ ।୨୬। ଆପଣ ଯେଉଁ ଶକୁନିଙ୍କ ସାହାଯ୍ୟରେ ସଭା ମଧ୍ୟରେ ଦ୍ୟୂତକ୍ରୀଡ଼ା କରିଥିଲେ, ସମ୍ପ୍ରତି ତାହାଙ୍କ ମନ୍ତ୍ରଣାବଳରେ ସ୍ଥିର ହୋଇ ଅର୍ଜ୍ଜୁନଙ୍କ ସଙ୍ଗରେ ଯୁଦ୍ଧ କରିବା ହେଉନ୍ତୁ ।୨୭। ଆଚାର୍ଯ୍ୟ ମହାଶୟଙ୍କର ଇଚ୍ଛା ହେଲେ ସେ ବୀରବର ଅର୍ଜ୍ଜୁନଙ୍କ ସଙ୍ଗରେ ଯୁଦ୍ଧ କରନ୍ତୁ, କିନ୍ତୁ ମୁଁ କଦାପି ଯୁଦ୍ଧ କରିବାକୁ ଇଚ୍ଛୁକ ହେବିନାହିଁ । ଯଦି ବିରାଟ ଗୋଧନ ରକ୍ଷା କରିବାକୁ ଗୋଷ୍ଠକୁ ଆସିବେ, ତାହାହେଲେ ତାହାଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛି ।୨୮।

 

ଅଧ୍ୟାୟ – ୫୧

 

ଭୀଷ୍ମ କହିଲେ- ଅଶ୍ୱତ୍‌ଥାମା ଓ କୃପାଚାର୍ଯ୍ୟ ଏହି ଦୁହେଁ ଯେଉଁ ପ୍ରକାର କଥା କହିଲେ, ତାହା ଅତି ଆଦରଣୀୟ ଓ ଯୁକ୍ତିସଙ୍ଗତ ଅଟେ; କିନ୍ତୁ କର୍ଣ୍ଣ କେବଳ କ୍ଷତ୍ରିୟ ଧର୍ମକୁ ଆଶ୍ରୟ କରି ଯୁଦ୍ଧ ବ୍ୟତୀତ ଅନ୍ୟକଥା କିଛି କହୁନାହାନ୍ତି ।୧। ଆଚାର୍ଯ୍ୟ ଉପରେ ପଣ୍ଡିତମାନେ କଦାପି ଦୋଷ, ଆରୋପଣ କରିପାରିବେ ନାହିଁ । ମୁଁ ଦେଶ ଓ କାଳକୁ ଆଲୋଚନା କରି କହୁଅଛି ସମ୍ପ୍ରତି ଯୁଦ୍ଧ କରିବାର ଉଚିତ । ଯେଉଁ ଦୁର୍ଯ୍ୟୋଧନଙ୍କର ସୂର୍ଯ୍ୟଦେବ ସ୍ୱରୂପ ପ୍ରତାପଶାଳୀ ପଞ୍ଚପାଣ୍ଡବମାନେ ମହାଶତ୍ରୁ, ସେ ଏ ପ୍ରକାର ସମୟରେ କି ଯୁଦ୍ଧରୁ କ୍ଷାନ୍ତ ହୋଇ ପାରିବେ ? ୩। ଧର୍ମଶାସ୍ତ୍ରବିଶାରଦ ପଣ୍ଡିତମାନେ ଆପଣାର ପ୍ରୟୋଜନଲାଭ ନିମିତ୍ତ ବିଚାର କରୁଥିବା ସମୟରେ କେବେ କେବେ ଭ୍ରମର ଅଧୀନ ହୋଇ ଥାଆନ୍ତି; ଅତଏବ ହେ ମହାରାଜ ! ମୋ କଥା ବିଶ୍ୱାସଯୋଗ୍ୟ ହେଲେ ଆପଣ ସମ୍ପ୍ରତି ଯୁଦ୍ଧ କରିବା ହେଉନ୍ତୁ ।୪। ହେ ଆଚାର୍ଯ୍ୟପୁତ୍ର ! ଆପଣଙ୍କୁ ନିନ୍ଦାକରି କର୍ଣ୍ଣ ଯେଉଁ କଥା କହିଅଛନ୍ତି, ତାହା ଆପଣ କ୍ଷମା ଦେବା ହେଉନ୍ତୁ । ଉତ୍କୃଷ୍ଟ କାର୍ଯ୍ୟ ଉପସ୍ଥିତ ହୋଇଥିବାରୁ ସେ କେବଳ ଉତ୍ସାହ ବଢ଼ାଇବା ନିମିତ୍ତ ସେ ପ୍ରକାର କଥା କହିଅଛନ୍ତି । ସେହି ବାକ୍ୟମାନଙ୍କରେ ଦ୍ୱେଷ ପୂର୍ଣ୍ଣ ହେଲା ପ୍ରାୟ ଜଣାଯାଏ; କିନ୍ତୁ ତହିଁରେ କିଛିମାତ୍ର ଦ୍ୱେଷ ନାହିଁ ।୫।

 

ସମ୍ପ୍ରତି କୁନ୍ତୀନନ୍ଦନ ଅର୍ଜ୍ଜୁନ ଯୁଦ୍ଧ କରିବାକୁ ଆସିଅଛନ୍ତି; ଏହି ସମୟରେ ଆପଣା ଆପଣା ମଧ୍ୟରେ କଦାପି ବିରୋଧ କରିବାର ଉଚିତ ନୁହେଁ । ଅତଏବ ଆପଣ ଦ୍ରୋଣାଚାର୍ଯ୍ୟ ଓ କୃପାଚାର୍ଯ୍ୟ ସମସ୍ତେ ଏହି ବିଷୟରେ କ୍ଷମା ଦେବା ହେଉନ୍ତୁ । ।୬। ଆପଣମାନଙ୍କର ଅସ୍ତ୍ରବିଦ୍ୟା ସୂର୍ଯ୍ୟଦେବଙ୍କ ପ୍ରଭାପ୍ରାୟ ପ୍ରକାଶିତ, ବ୍ରହ୍ମତ୍ୱ ଓ ବ୍ରହ୍ମାସ୍ତ୍ର ମଧ୍ୟ ଚନ୍ଦ୍ରମାଙ୍କର ସ୍ଥିରତର ଲକ୍ଷ୍ମୀପ୍ରାୟ ସୁଶୋଭିତ । ସମସ୍ତେ ଜାଣନ୍ତି, ଚାରିବେଦ ଓ ଅସ୍ତ୍ରବିଦ୍ୟା ସବୁ ଭିନ୍ନ ଭିନ୍ନ ଆଧାରରେ ରହିଥାଆନ୍ତି, କିନ୍ତୁ ଦ୍ରୋଣାଚାର୍ଯ୍ୟ ଓ ତାହାଙ୍କ ପୁତ୍ର ଏହି ଦୁଇ ବ୍ୟକ୍ତିଙ୍କଠାରେ ଉଲ୍ଲିଖିତ ଉଭୟ ବିଦ୍ୟା ସମ୍ପୂର୍ଣ୍ଣରୂପେ ରହିଅଛନ୍ତି । ଏହି ଉଭୟ ମହାତ୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ପୁରୁଷଙ୍କଠାରେ ଏହି ପ୍ରକାର ଘଟଣା ଘଟିଥିବାର ମୁଁ କଦାପି ଶୁଣି ନାହିଁ ।୯। ବେଦାନ୍ତ, ପୁରାଣ ଓ ଇତିହାସ ଏହି ସମୁଦାୟ ବିଷୟରେ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ପରଶୁରାମଙ୍କ ବ୍ୟତୀତ ଅନ୍ୟ କେହି ଅଧିକ ଶ୍ରେଷ୍ଠ ନାହାନ୍ତି ।୧୦। ଯଥାର୍ଥ ବିଚାର କଲେ ବ୍ରହ୍ମାସ୍ତ୍ର, ବେଦ ବେଦାନ୍ତ, ପୁରାଣ ଓ ଇତିହାସ ଏହି ଏହି ବିଷୟମାନ ଏହି ଉଭୟ ଆଚାର୍ଯ୍ୟଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କଠାରେ ଥିବାର ମୁଁ କଦାପି ଶୁଣିନାହିଁ । ସମ୍ପ୍ରତି ଆତ୍ମବିଦ୍ରୋହ କଦାପି ସଂଗତ ନୁହେ; ଅତଏବ ଆଚାର୍ଯ୍ୟଙ୍କ ପୁତ୍ର କ୍ଷମା ଦିଅନ୍ତୁ ।୧୧। ପଣ୍ଡିତମାନେ କହନ୍ତି, ସୈନ୍ୟମାନଙ୍କର ଭେଦବୁଦ୍ଧି ଅତିଶୟ ଅନିଷ୍ଟକାରକ ଅଟେ । ଅତଏବ ଆମ୍ଭେମାନେ ସମସ୍ତେ ଏକମନ ହୋଇ ଯୁଦ୍ଧ କରିବା ନିମିତ୍ତ ଆସିଥିବା ଇନ୍ଦ୍ରଙ୍କ ପୁତ୍ର ଅର୍ଜ୍ଜୁନଙ୍କ ସଙ୍ଗରେ ସମର କରିବା ।୧୩।

 

ଅଶ୍ୱତ୍‌ଥାମା କହିଲେ, ହେ ପୁରୁଷଶ୍ରେଷ୍ଠ ! ଏହି ପ୍ରକାରରେ କହିବା ଆମ୍ଭମାନଙ୍କର କଦାପି ଉଚିତ ନୁହଇ, କିନ୍ତୁ ଦ୍ୟୂତଖେଳର ଦୋଷ ସହି ନ ପାରି ଆଚାର୍ଯ୍ୟ ମହାଶୟ କୋପାବିଷ୍ଟ ହୋଇ ଅର୍ଜ୍ଜୁନଙ୍କର ଗୁଣବର୍ଣ୍ଣନ କରିଥିଲେ ।୧୪। ପଣ୍ଡିତମାନେ କହନ୍ତି, ଶତ୍ରୁର ଗୁଣ ଓ ଗୁରୁଙ୍କର ଦୋଷ କୀର୍ତ୍ତନ କରିବାର ଉଚିତ । ପୁତ୍ର ଓ ଶିଷ୍ୟମାନଙ୍କୁ ମଧ୍ୟ ସର୍ବଦା ହିତକାରକ ବାକ୍ୟ କହିବା ନିମିତ୍ତ ସତ୍‌ପୁରୁଷମାନେ ବାଧ୍ୟ । ପ୍ରବଳ ଶତ୍ରୁଙ୍କସଙ୍ଗରେ ଦୁର୍ବଳ ବ୍ୟକ୍ତିମାନଙ୍କର ଯୁଦ୍ଧ କରିବାର ଅନୁଚିତ ବୋଲି ଗୁରୁମହାଶୟ ଆପଣମାନଙ୍କୁ ହିତକଥା କହିଅଛନ୍ତି ।୧୫। ଦୁର୍ଯ୍ୟୋଧନ ବିନୟ ପ୍ରକାଶ କରି କହିଲେ, ହେ ଆଚାର୍ଯ୍ୟ ମହାଶୟ ! ଆମ୍ଭର ଅପରାଧ କ୍ଷମା କରିବା ହେଉନ୍ତୁ ! ଆପଣମାନେ ସମସ୍ତେ ଗୁରୁମହାଶୟଙ୍କ କ୍ରୋଧଶାନ୍ତି ନିମିତ୍ତ ସୁବିଚାର ସ୍ଥିର କରିବା ହେଉନ୍ତୁ, କାରଣ ସେ ମହାଶୟଙ୍କର ଭେଦବୁଦ୍ଧି ଓ ରୋଷ ରହିଲେ ଆମ୍ଭର କଦାପି ଜୟ ହେବ ନାହିଁ ।୧୬।

 

ବୈଶମ୍ପାୟନ କହିଲେ, ହେ ଭାରତ ! ତାହା ଉତ୍ତାରୁ ଦୁର୍ଯ୍ୟୋଧନ ଭୀଷ୍ମ, କର୍ଣ୍ଣ ଓ କୃପାଚାର୍ଯ୍ୟଙ୍କୁ ସଙ୍ଗରେ ନେଇ ଦ୍ରୋଣଙ୍କଠାରୁ କ୍ଷମାଭିକ୍ଷା କଲେ । ଦ୍ରୋଣାଚାର୍ଯ୍ୟ କହିଲେ, ଶାନ୍ତନୁଙ୍କ ପୁତ୍ର ଭୀଷ୍ମଦେବ ଯେଉଁ ପ୍ରକାର କଥା କହିଅଛନ୍ତି, ମୁଁ ତହିଁରେ ପ୍ରସନ୍ନ ହୋଇଅଛି । ଏହିକ୍ଷଣି ଯୁଦ୍ଧ ବିଷୟରେ ଆପଣମାନେ ସମୁଚିତ ବିବେଚନା କରିବା ହେଉନ୍ତୁ ।୧୮। ଦୁର୍ଯ୍ୟୋଧନ ରାଜା ଯେଉଁ ପ୍ରକାରରେ ଶତ୍ରୁର ଅଧୀନ ହେବେ ନାହିଁ, ଯେଉଁ ଉପାୟରେ ଅର୍ଜ୍ଜୁନ ସାହସ ବା ମୋହର ଅଧୀନ ହୋଇ ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧରେ ଆକ୍ରମଣ କରିପାରିବେ ନାହିଁ, ସେହି ବିଷୟରେ ଆପଣମାନେ ସମସ୍ତେ ସୁବିଚାର କରିବା ହେଉନ୍ତୁ ।୧୯। ବୋଧହୁଏ ପାଣ୍ଡବମାନଙ୍କର ଅରଣ୍ୟବାସର ସମୟ ଅତୀତ ହୋଇଥିବାରୁ ଅର୍ଜ୍ଜୁନ ପ୍ରକାଶ୍ୟରୂପେ ଯୁଦ୍ଧ କରିବାକୁ ଆସିଅଛନ୍ତି । ସେ ଗୋଧନମାନଙ୍କୁ ଜୟ କରି ନେଲେ ସୁଦ୍ଧା ତହିଁରେ ସନ୍ତୁଷ୍ଟ ହୋଇ ଆମ୍ଭମାନଙ୍କୁ କ୍ଷମାଦେଲା ପ୍ରାୟ ଜଣାଯାଉ ନାହିଁ ।୨୦। ଯାହାହେଉ, ଯେଉଁ ଉପାୟରେ ସେ ଧୃତରାଷ୍ଟ୍ରଙ୍କ କୁମାର ଦୁର୍ଯ୍ୟୋଧନଙ୍କୁ କଦାପି ଆକ୍ରମଣ କରି ପାରିବେ ନାହିଁ ଓ ଯେଉଁ ଉପାୟରେ ଆମ୍ଭର ସୈନ୍ୟମାନେ ପରାଜିତ ହେବେନାହିଁ, ସେହି ବିଷୟରେ ଆପଣମାନେ ସୁବିଚାର କରିବା ହେଉନ୍ତୁ ।୨୧। ହେ ଭୀଷ୍ମଦେବ ! ଏଥି ପୂର୍ବେ ଦୁର୍ଯ୍ୟୋଧନ ମଧ୍ୟ ଏହି ପ୍ରାୟ କହିଥିଲେ, ଅତଏବ ତାହା ସ୍ମରଣ କରି ଆପଣଙ୍କ ବିଚାରରେ ଯେ ପ୍ରାୟ କଲେ ଭଲ ହେବ, ଶୀଘ୍ର କହିବା ହେଉନ୍ତୁ ।୨୨।

 

ଅଧ୍ୟାୟ – ୫୨

 

ଭୀଷ୍ମ କହିଲେ- କାଳଚକ୍ରରେ କଳା, କାଷ୍ଠା, ମୁହୂର୍ତ୍ତ, ଦିବା, ରାତ୍ରି, ପକ୍ଷ, ମାସ, ଋତୁ, ସମ୍ବତ୍ସର, ଗ୍ରହ ଓ ନକ୍ଷତ୍ରସବୁ ଅଛନ୍ତି । ଏହି ପ୍ରକାର କାଳର ବିଭାଗ ଅନୁସାରେ ସର୍ବଦା କାଳଚକ୍ର ଭ୍ରମଣ କରୁଅଛି ।୨। ଗ୍ରହନକ୍ଷତ୍ରମାନଙ୍କର ଗତିର ନିୟମ ଅନୁସାରେ ପ୍ରତି ପାଞ୍ଚବର୍ଷରେ ଦୁଇମାସ ଲେଖାଏଁ ଅଧିମାସ ହେଉଥିବାରୁ ତ୍ରୟୋଦଶ ବର୍ଷରେ ପାଞ୍ଚମାସ ବାର ଦିବସ ଅତିରିକ୍ତ ସମୟ ହେଉଅଛି ।୪। ଆମ୍ଭ ବିବେଚନାରେ ଯଥାର୍ଥ ରୂପରେ ପାଣ୍ଡବମାନଙ୍କର ପ୍ରତିଶ୍ରୁତ ସମୟତକ ଅରଣ୍ୟରେ ଅତୀତ ହୋଇଥିବାର ଜାଣି ପଶ୍ଚ୍ୟାତ୍ ଅର୍ଜ୍ଜୁନ ଏହି ସ୍ଥାନକୁ ଆସିଅଛନ୍ତି, ଏହି ବିଷୟରେ ସନ୍ଦେହ ନାହିଁ । ।୫। ପାଣ୍ଡବମାନେ ସ୍ୱଭାବରେ ସମସ୍ତେ ମହାତ୍ମା ଓ ଧର୍ମପରାୟଣ, ବିଶେଷରେ ଯୁଧିଷ୍ଠିର ଅଗ୍ରଣୀ ହୋଇଥିବାରୁ ସେମାନେ କଦାପି ଧର୍ମଙ୍କ ନିକଟରେ ଅପରାଧ କରନ୍ତି ନାହିଁ ।୬। ହେ କୌରବବୃନ୍ଦ ! କୁନ୍ତୀପୁତ୍ରମାନେ ସମସ୍ତେ ଲୋଭଶୂନ୍ୟ ଓ ସତ୍ୟପରାୟଣ ଅଟନ୍ତି । ବନବାସର ଅସହ୍ୟ କଷ୍ଟସମୂହକୁ ସ୍ୱୀକାର କଲେ ସୁଦ୍ଧା ଅନ୍ୟାୟରେ ରାଜ୍ୟ ନେବାକୁ ଇଚ୍ଛା କଲେ ନାହିଁ ! ଯଦି ସେମାନେ ନିନ୍ଦିତ ଉପାୟରେ ରାଜ୍ୟ ଲାଭ କରିବାକୁ ଇଚ୍ଛା କରିଥାଆନ୍ତେ, ତାହା ହେଲେ ପଶାଖେଳ ସମୟରେ ବାହୁପରାକ୍ରମ ଦେଖାଇ ଭୟଙ୍କର ସମର କରିଥାଆନ୍ତେ ।୮।

 

ପାଣ୍ଡବମାନଙ୍କ ମଧ୍ୟରେ ଅର୍ଜ୍ଜୁନ ସତ୍ୟକୁ ଲଂଘିଲେ- ଏହା ଯେ କହିବ, ସେ ପରାଭବ ପ୍ରାପ୍ତ ହେବ, କାରଣ ପାଣ୍ଡବମାନେ ମରିଯିବେ ପଛକେ, କଦାପି ପ୍ରତିଜ୍ଞାକୁ ଲଙ୍ଘନ କରିବେ ନାହିଁ ।୯। ପାଣ୍ଡବମାନେ ସ୍ୱକୀୟ ପ୍ରାପ୍ୟ ଦ୍ରବ୍ୟକୁ ଯଥା ସମୟରେ ପାଇଲେ କଦାପି ଛାଡ଼ିବେ ନାହିଁ । ଦେବରାଜ ଇନ୍ଦ୍ରଦେବ ହେଲେ ସୁଦ୍ଧା ସେମାନଙ୍କ ସଙ୍ଗରେ ଯୁଦ୍ଧରେ ପ୍ରବୃତ୍ତ ହୋଇ ଜୟଲାଭ କରିପାରିବେ ନାହିଁ ।୧୦। ଫାଲ୍‌ଗୁନ ଆସିବା ବିଷୟରେ ସଂଶୟ ନାହିଁ । ଆପଣମାନେ ସମସ୍ତେ ତାହାଙ୍କ ସଙ୍ଗରେ ଯୁଦ୍ଧ କରି ଗୋଧନମାନଙ୍କୁ ରଖିବାର ଉତ୍ତମ ମଙ୍ଗଳକାରକ ଅନିନ୍ଦନୀୟ ପରାମର୍ଶ ସ୍ଥିର କରିବା ହେଉନ୍ତୁ ।୧୧। ହେ ରାଜେନ୍ଦ୍ର ! କୌରବ ! ଯୁଦ୍ଧ ହେଲେ ଅର୍ଜ୍ଜୁନଙ୍କର ନିଶ୍ଚୟ ଯେ ଜୟ ହେବ, କଦାପି ଏହା କେହି କହିପାରିବେ ନାହିଁ ।୧୨। ଯୁଦ୍ଧ କଲେ ଅବଶ୍ୟ ଗୋଟିଏ ପକ୍ଷର ଜୟ ହେଲେ ଅପର ପକ୍ଷର ପରାଜୟ ହୁଏ; ଏ ବିଷୟ ସମସ୍ତେ ଜାଣନ୍ତି ।୧୩। ହେ ରାଜେନ୍ଦ୍ର ! ଏହିକ୍ଷଣି ଧନଞ୍ଜୟ ପହଞ୍ଚିବେ, ଅତଏବ ଯୁଦ୍ଧର ଉଚିତ ଧର୍ମକର୍ମମାନ କରିବାକୁ ଯତ୍ନଶୀଳ ହେଉନ୍ତୁ ।୧୪। ଦୁର୍ଯ୍ୟୋଧନ କହିଲେ, ହେ ପିତାମହ ! ଆମ୍ଭେ ପାଣ୍ଡବମାନଙ୍କୁ କଦାପି ରାଜ୍ୟ ଦେବା ନାହିଁ, ଅତଏବ ଯୁଦ୍ଧ କରିବା ବିଷୟରେ ଆପଣ ଯଥୋଚିତ ଯତ୍ନ କରିବା ହେଉନ୍ତୁ ।୧୫।

 

ଭୀଷ୍ମ କହିଲେ, ହେ କୁରୁନନ୍ଦନ ! ଆମ୍ଭେ ଆପଣଙ୍କୁ ସକଳ ପ୍ରକାରରେ ହିତ କଥା କହୁଥାଉଁ; ସମ୍ପ୍ରତି ଯୁଦ୍ଧ କରିବା ବିଷୟରେ ଯେଉଁ ଉପଦେଶ ଦେଉଅଛୁ, ତାହା ଆଗ ଶ୍ରବଣ କରିବା ହେଉ । ମନକୁ ଆସିଲେ ପଛେ ସେହି ଅନୁସାରେ ଯୁଦ୍ଧର କାର୍ଯ୍ୟ କରିବା ହେବେ ।୧୬। ଆପଣ ଚତୁର୍ଥାଂଶ ସୈନ୍ୟମାନଙ୍କୁ ସଙ୍ଗରେ ନେଇ ନଗରକୁ ଯାଆନ୍ତୁ । ଅପର ଚତୁର୍ଥାଂଶ ସୈନ୍ୟ ଗୋଧନହରଣ କରି ଆପଣଙ୍କର ପଛେ ପଛେ ଯାଆନ୍ତୁ ।୧୭। ଅବଶିଷ୍ଟ ଅର୍ଦ୍ଧାଂଶ ସୈନ୍ୟମାନଙ୍କୁ ସଙ୍ଗରେ ରଖି ଆମ୍ଭେମାନେ ଅର୍ଜ୍ଜୁନଙ୍କ ସଙ୍ଗରେ ଯୁଦ୍ଧ କରିବୁ । ଦ୍ରୋଣ, କର୍ଣ୍ଣ, ଅଶ୍ୱତ୍‌ଥାମା, କୃପାଚାର୍ଯ୍ୟ ଓ ଆମ୍ଭେ ସମସ୍ତେ ଏକତ୍ର ଯୁଦ୍ଧ କଲେ ଅର୍ଜ୍ଜୁନ, ବିରାଟ, କି ଦେବରାଜ ହେଲେ ସୁଦ୍ଧା ଆମ୍ଭମାନଙ୍କୁ ପରାଜୟ କରିପାରିବେ ନାହିଁ । ବେଳାଭୂମି ସମୁଦ୍ରକୁ ନିବାରଣ କଲାପ୍ରାୟ ଆମ୍ଭେମାନେ ଶତ୍ରୁ ସୈନ୍ୟମାନଙ୍କୁ ଅବରୋଧ କରିବୁ ।୧୯।

 

ବୈଶମ୍ପାୟନ କହିଲେ, ମହାତ୍ମା ଭୀଷ୍ମଙ୍କ ପରାମର୍ଶ ଶ୍ରବଣ କରି ସମସ୍ତେ ଅନୁମତି ଦେଲେ । କୌରବମାନଙ୍କର ରାଜା ଦୁର୍ଯ୍ୟୋଧନ ମଧ୍ୟ ସେହି ଅନୁସାରେ କର୍ମ କଲେ । ୨୦। ଭୀଷ୍ମଦେବଙ୍କ ପରାମର୍ଶ ଅନୁସାରେ ରାଜା ଦୁର୍ଯ୍ୟୋଧନ ଓ ତାହାଙ୍କ ପଛରେ ଗୋଧନମାନଙ୍କ ସଙ୍ଗରେ ଅର୍ଦ୍ଧାଂଶ ସୈନ୍ୟ ବାହାରିଗଲା ଉତ୍ତାରୁ ସେ ଅବଶିଷ୍ଟ ସୈନ୍ୟମାନଙ୍କୁ ଏକତ୍ର ଦଳବଦ୍ଧ କରି ରଖିବାକୁ ଆରମ୍ଭ କଲେ ।୨୧। ଭୀଷ୍ମଦେବ କହିଲେ, ହେ ଆଚାର୍ଯ୍ୟ ମହାଶୟ ! ଆପଣ ମଧ୍ୟସ୍ଥାନରେ ରହିବା ହେଉନ୍ତୁ । ଅଶ୍ୱତ୍‌ଥାମା ବାମପାର୍ଶ୍ୱରେ ରହି ଓ ବୁଦ୍ଧିମାନ କୃପାଚାର୍ଯ୍ୟ ଦକ୍ଷିଣ ପାର୍ଶ୍ୱରେ ରହି ସୈନ୍ୟମାନଙ୍କୁ ରକ୍ଷା କରନ୍ତୁ ।୨୨। ସୂତପୁତ୍ର କର୍ଣ୍ଣ ଉତ୍ତମ କବଚ ପରିଧାନ କରି ଅଗ୍ରଭାଗରେ ରହନ୍ତୁ, ଆମ୍ଭେ ସମସ୍ତ ସୈନ୍ୟମାନଙ୍କର ପଛରେ ରକ୍ଷକ ସଦୃଶ ରହୁଅଛୁ ।୨୩।

 

ଅଧ୍ୟାୟ – ୫୩

 

ବୈଶମ୍ପାୟନ କହିଲେ- ଦୁର୍ଯ୍ୟୋଧନଙ୍କର ମହାରଥମାନେ ସୈନ୍ୟମାନଙ୍କୁ ଦଳବଦ୍ଧ କରୁଥିବା ସମୟରେ ବୀରବର ଅର୍ଜ୍ଜୁନ ରଥ ନିର୍ଘୋଷରେ ଆକାଶମଣ୍ଡଳ ପୂର୍ଣ୍ଣକରି ସେମାନଙ୍କ ନିକଟକୁ ଆସୁଥିଲେ ।୧। ସୈନ୍ୟମାନେ ତାହାଙ୍କ ରଥର ପତାକାର ଅଗ୍ରଭାଗକୁ ଦେଖିଲେ, ରଥଘୋଷ ଓ ଗାଣ୍ଡୀବ କୋଦଣ୍ଡର ଧ୍ୱନି ଶୁଣିଲେ ।୨। ଦ୍ରୋଣାଚାର୍ଯ୍ୟ ଗାଣ୍ଡୀବ ଧନୁର୍ଦ୍ଧାରୀ ଅର୍ଜ୍ଜୁନଙ୍କର ଆସୁଥିବା ଦେଖି ସମସ୍ତଙ୍କୁ ଚାହିଁ କହିଲେ ।୩।, ଦେଖ ଧନଞ୍ଜୟଙ୍କର ରଥର ଅଗ୍ରରେ ପତାକା ଦିଶୁଅଛି, ରଥର ଶବ୍ଦ ଶୁଭୁଅଛି ଓ ପତାକାର ଅଗ୍ରରେ ବସି ବାନର ଭୟଙ୍କର ଧ୍ୱନି କରୁଅଛି ।୪। ରଥୀଶ୍ରେଷ୍ଠ ଅର୍ଜ୍ଜୁନ ଉତ୍କୃଷ୍ଟ ରଥ ଉପରେ ବସି ବଜ୍ରସଦୃଶ ନାଦଯୁକ୍ତ କୋଦଣ୍ଡ ଗାଣ୍ଡୀବକୁ ଆକର୍ଷଣ କରୁଅଛନ୍ତି ।୫। ଯୋଡ଼ାଏ ବାଣ ଆସି ମୋର ପାଦଦ୍ୱୟରେ ଏକାବେଳକେ ପଡ଼ିଲେ ଓ ଅନ୍ୟ ଯୋଡ଼ାଏ ସାୟକ କର୍ଣ୍ଣ ସ୍ପର୍ଶକରି ଶୀଘ୍ର ବାହାରିଗଲେ ।୬। ଜଣାଯାଏ ଯେ ଅର୍ଜ୍ଜୁନ ଅତି ଉତ୍କୃଷ୍ଟ କର୍ମମାନ କରି ବନବାସରୁ ଆସି ଆମ୍ଭଙ୍କୁ ସ୍ତୁତି ସହିତ ମଙ୍ଗଳ ସମ୍ବାଦ ପଚାରୁଅଛନ୍ତି ।୭।

 

ଅତି ରମଣୀୟ କଳେବର, ବନ୍ଧୁପ୍ରିୟ, ବୁଦ୍ଧିମାନ ପାଣ୍ଡୁନନ୍ଦନ ଧନଞ୍ଜୟ ବହୁଦିନ ଉତ୍ତାରୁ ଆମ୍ଭଙ୍କୁ ଦେଖାଦେଲେ ।୮। ଓଃ ! ପତାକାରେ ସୁଶୋଭିତ ଏହି ମହାରଥ ଉପରେ ବସି କବଚ, କିରୀଟ, ଶଙ୍ଖ, ବିସ୍ତୃତ ତୁଣୀର, ଖଡ଼୍‌ଗ ଓ ଶର ଶରାସନ ପ୍ରଭୃତି ଅସ୍ତ୍ରଶସ୍ତ୍ରମାନଙ୍କୁ ଧରିଥିବା ହେତୁରୁ ହୋମପାତ୍ରସମୂହରେ ବେଷ୍ଟିତ ଘୃତଧାରାସିକ୍ତ ଅଗ୍ନିପ୍ରାୟ ଏହାଙ୍କର କି ଆଶ୍ଚର୍ଯ୍ୟ ରୂପ ଦେଖାଯାଉଅଛି !୯। ବୈଶମ୍ପାୟନ କହିଲେ, ଏଥି ଉତ୍ତାରୁ ଅର୍ଜ୍ଜୁନ ଯୁଦ୍ଧକ୍ଷେତ୍ରରେ ଦଳବଦ୍ଧ ହୋଇ ରହିଥିବା କୁରୁସୈନ୍ୟମାନଙ୍କୁ ଚାହିଁ ବିରାଟଙ୍କ ପୁତ୍ରଙ୍କୁ ସେହି ସମୟର ଉପଯୁକ୍ତ କଥା କହିଲେ ।

 

ହେ ସାରଥେ ! ତୁମ୍ଭେ ଅଶ୍ୱମାନଙ୍କର ମୁଖରଶ୍ମିସବୁ ଓଟାରି ଧର । ମୁଁ ଶରବର୍ଷଣପୂର୍ବକ ଏହି ସୈନ୍ୟମାନଙ୍କ ମଧ୍ୟରେ କୁରୁକୁଳାଧମ ଦୁର୍ଯ୍ୟୋଧନ କେଉଁଠାରେ ଅଛନ୍ତି, ତାହାଙ୍କୁ ନିରୀକ୍ଷଣ କରିବି ।୧୦। ସେହି ଅହଂକାରୀ କୁତ୍ସିତ ପୁରୁଷକୁ ଦେଖିଲେ ଅନ୍ୟାନ୍ୟ ସେନାପତିମାନଙ୍କୁ ଛାଡ଼ି କେବଳ ତାହାର ମୁଣ୍ଡ ଉପରେ ପଡ଼ିବି; ତାହାକୁ ପରାଭବ ଦେଲେ ସମସ୍ତେ ନିଜ ନିଜ ଇଚ୍ଛାରେ ମୋର ଅଧୀନ ହେବେ ।୧୧। ଏହିଠାରେ ମହାଧନୁର୍ଦ୍ଧାରୀ ଭୀଷ୍ମ, ଦ୍ରୋଣ, ଅଶ୍ୱତ୍‌ଥାମା, କୃପାଚାର୍ଯ୍ୟ ଓ କର୍ଣ୍ଣ ସମସ୍ତେ ଅଛନ୍ତି ।୧୨। କେବଳ ରାଜା ଦୁର୍ଯ୍ୟୋଧନ ଦେଖା ଯାଉନଥିବାରୁ ଜଣାଯାଏ ଯେ ସେ ଆପଣାର ପ୍ରାଣରକ୍ଷା କରି ଗୋଧନମାନଙ୍କୁ ଘେନି ଦକ୍ଷିଣ ଦିଗକୁ ପଳାଇଗଲେଣି ।୧୩। ଅତଏବ ହେ ବିରାଟନନ୍ଦନ ! ଏହିଠାରେ ଯୁଦ୍ଧ କରିବାର ଅନୁଚିତ । ଯେଉଁ ସ୍ଥାନରେ ଦୁର୍ଯ୍ୟୋଧନ ଅଛନ୍ତି, ସେହି ସ୍ଥାନକୁ ଶୀଘ୍ର ରଥ ଚଳାଅ । ମହାରଥମାନଙ୍କୁ ଛାଡ଼ି କେବଳ ଦୁର୍ଯ୍ୟୋଧନଙ୍କୁ ସଂହାର କରି ଗୋଧନମାନଙ୍କୁ ନେଇ ଯୁଦ୍ଧକ୍ଷେତ୍ରରୁ ଫେରିଯିବି ।୧୪।

 

ବୈଶମ୍ପାୟନ କହିଲେ, ଉତ୍ତର ଅର୍ଜ୍ଜୁନଙ୍କର ଆଦେଶଅନୁସାରେ ଯେଉଁ ସ୍ଥାନକୁ କୌରବ ରାଜା ଦୁର୍ଯ୍ୟୋଧନ ଯାଇଥିଲେ, ସେହି ସ୍ଥାନକୁ ଯତ୍ନ ସହିତ ଅଶ୍ୱମାନଙ୍କୁ ଚଳାଇଲେ ।୧୫। ଅର୍ଜ୍ଜୁନ ମହାରଥମାନଙ୍କୁ ଛାଡ଼ି ସେହିସ୍ଥାନରୁ ବାହାରି ଯିବାକୁ ଦ୍ରୋଣାଚାର୍ଯ୍ୟ ତାହାଙ୍କ ଅଭିପ୍ରାୟ ଜାଣି ସେନାପତିମାନଙ୍କୁ କହିଲେ,।୧୬। ଜଣାଯାଏ, ଦୁର୍ଯ୍ୟୋଧନ ନ ଥିବାରୁ ଧନଞ୍ଜୟ ତାହାଙ୍କୁ ଅନୁସନ୍ଧାନ କରିବା ନିମିତ୍ତ ଶୀଘ୍ର ଏଠାରୁ ବାହାରି ଯାଉଅଛନ୍ତି । ଅତଏବ ଆମ୍ଭେମାନେ ସତ୍ୱର ଏହାଙ୍କ ପାର୍ଷ୍ଣିକି ଧରିବା ।୧୭। ଅର୍ଜ୍ଜୁନ ଅତିଶୟ କୋପାବିଷ୍ଟ ଥିବା ସମୟରେ ତାହାଙ୍କ ସଙ୍ଗରେ ଏକାକୀ ହୋଇ ଯୁଦ୍ଧ କରିବା ନିମିତ୍ତ ଦେବରାଜ ଇନ୍ଦ୍ର, ଦେବକୀନନ୍ଦନ କୃଷ୍ଣ, ଦ୍ରୋଣାଚାର୍ଯ୍ୟ ଓ ଅଶ୍ୱତ୍‌ଥାମାଙ୍କ ବ୍ୟତୀତ ଅନ୍ୟ କୌଣସି ବୀରପୁରୁଷ ସମର୍ଥ ହୋଇପାରିବେ ନାହିଁ ।୧୮। ସମ୍ପ୍ରତି ପାର୍ଥରୂପକ ଜଳରେ ପୁରୁଣା ଜଳରଥସଦୃଶ ଦୁର୍ଯ୍ୟୋଧନ ନିମଗ୍ନ ହେଲେ ଆମ୍ଭମାନଙ୍କର ଗୋଧନ ଅଥବା ବିପୁଳ ସମ୍ପତ୍ତିରେ କି ପ୍ରୟୋଜନ ଅଛି ?୧୯।

 

ତେଣେ ନିଜ ନାମ କୀର୍ତ୍ତନ କରି ଗାଣ୍ଡୀବ ଧନୁର୍ଦ୍ଧାରୀ ଅର୍ଜ୍ଜୁନ ଉଚ୍ଚୈଃସ୍ୱରରେ ଦୁର୍ଯ୍ୟୋଧନଙ୍କ ସୈନ୍ୟ ମଧ୍ୟରେ ପହୁଞ୍ଚି ଏତେ ପରିମାଣରେ ଶରବୃଷ୍ଟି କଲେ ଯେ ସେନାମାନେ ତହିଁରେ ଆଚ୍ଛନ୍ନ ହେଲେ ।୨୦। ସେହି ସମସ୍ତ ଶରସମୂହରେ ଭୂମଣ୍ଡଳ ଓ ଆକାଶମଣ୍ଡଳ ଏ ପ୍ରକାର ଆଚ୍ଛନ୍ନ ହୋଇଗଲା ଯେ ସୈନ୍ୟସମୂହ କେହି କାହାକୁ ଦେଖିପାରିଲେ ନାହିଁ । ସେହି କାରଣରୁ ପଳାଇ ଯିବାକୁ ଇଚ୍ଛା ଥିଲେ ସୁଦ୍ଧା କେହି ପଳାଇବାକୁ ସମର୍ଥ ହେଲେ ନାହିଁ । ସେହି ସମୟରେ ସମସ୍ତେ ଅର୍ଜ୍ଜୁନଙ୍କୁ ବାରମ୍ବାର ପ୍ରଶଂସା କରୁଥିଲେ ।୨୨। ତାହା ଉତ୍ତାରୁ ଅର୍ଜ୍ଜୁନ ଗାଣ୍ଡୀବରେ ଟଙ୍କାରଧ୍ୱନି କରି ପତାକାନିବାସୀ ଭୂତମାନଙ୍କୁ ଭୟଙ୍କର ଗର୍ଜନ କରିବାକୁ ଆଦେଶ ଦେଇ ସ୍ୱୟଂ ଶତ୍ରୁମାନଙ୍କର ଗର୍ବଗଞ୍ଜନ ମହାଶଙ୍ଖକୁ ବଜାଇଲେ ।୨୩। ଶଙ୍ଖଧ୍ୱନିରେ, ରଥ ନିର୍ଘୋଷରେ, ଗାଣ୍ଡୀବନାଦରେ ଓ ଧ୍ୱଜବାସୀ ଭୂତମାନଙ୍କର ଅମାନୁଷ ଶବ୍ଦରେ ପୃଥିବୀ କମ୍ପମାନ ହେଲା ଓ ଗୋଧନସମୂହ ଅତିଶୀଘ୍ର ହମ୍ବାରାବ କରି କରି ଓ ପୁଚ୍ଛକୁ ଉପରକୁ ଟେକି ଦକ୍ଷିଣଦିଗକୁ ପଳାଇଲେ ।୨୫।

 

ଅଧ୍ୟାୟ – ୫୪

 

ବୈଶମ୍ପାୟନ କହିଲେ- ଧନୁର୍ଦ୍ଧରଶ୍ରେଷ୍ଠ ଧନଞ୍ଜୟ ବଳପ୍ରକାଶପୂର୍ବକ ଶତ୍ରୁମାନଙ୍କୁ ଦଳନ କରି ଗୋଧନମାନଙ୍କୁ ଫେରାଇ ପୁନଶ୍ଚ ଯୁଦ୍ଧ କରିବା ନିମିତ୍ତ ଦୁର୍ଯ୍ୟୋଧନଙ୍କ ସମ୍ମୁଖକୁ ଯାଉଥିଲେ ।୧। କୌରବ ସେନାପତିମାନେ ବିରାଟଙ୍କର ନଗର ଅଭିମୁଖରେ ଯାଉଥିବା ଗୋଧନମାନଙ୍କୁ ଦେଖି ଅର୍ଜ୍ଜୁନଙ୍କର ଜୟ ହେଲା ବୋଲି ଜାଣିଲେ ଓ ପୁନଶ୍ଚ ଅର୍ଜ୍ଜୁନ ଦୁର୍ଯ୍ୟୋଧନଙ୍କ ନିକଟକୁ ଯାଉଥିବାର ଦେଖି ହଠାତ୍ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ।୨। ଶତ୍ରୁକ୍ଷୟକାରୀ ସବ୍ୟସାଚୀ ବହୁତ ଧ୍ୱଜପତାକାରେ ସୁଶୋଭିତ କୌରବ ସୈନ୍ୟମାନଙ୍କୁ ଦଳବଦ୍ଧ ହୋଇଥିବାର ଦେଖି ବିରାଟପୁତ୍ରଙ୍କୁ କହିଲେ, ହେ ରାଜକୁମାର ! ଆମ୍ଭେ ରଥୀଶ୍ରେଷ୍ଠମାନଙ୍କ ସମ୍ମୁଖକୁ ଯିବା; ତୁମ୍ଭେ ଶୀଘ୍ର ସୁବର୍ଣ୍ଣରଶ୍ମି ସଂଯୁକ୍ତ ଶ୍ୱେତ ଅଶ୍ୱମାନଙ୍କୁ ଯତ୍ନପୂର୍ବକ ଚଳାଅ ।୪। ହେ ରାଜକୁମାର ! ଆମ୍ଭଙ୍କୁ ସୂତ୍ରପୁତ୍ର କର୍ଣ୍ଣଙ୍କ ନିକଟକୁ ନିଅ; କାରଣ ସେହି ଦୁରାତ୍ମା ଦୁର୍ଯ୍ୟୋଧନଙ୍କ ଆଶ୍ରୟବଳରେ ଗର୍ବ କରି ହସ୍ତୀ ହସ୍ତୀ ସଙ୍ଗରେ ଯୁଦ୍ଧ କରିବାକୁ ଇଚ୍ଛୁକ ହେଲାପ୍ରାୟ ଆମ୍ଭ ସଙ୍ଗରେ ସମର କରିବାକୁ ଅଭିଳାଷୀ ଅଟନ୍ତି ।୫।

 

ବିରାଟନନ୍ଦନ ଉତ୍ତର ସୁବର୍ଣ୍ଣକକ୍ଷଯୁକ୍ତ, ବାୟୁବେଗୀ, ବୃହତ୍ ଆକୃତି ଘୋଟକମାନଙ୍କ ଦ୍ୱାରା ପ୍ରଥମରେ ସୈନ୍ୟମାନଙ୍କୁ ବିଧ୍ୱସ୍ତ କରି ପଶ୍ଚାତ୍ ଅର୍ଜ୍ଜୁନଙ୍କୁ ରଣମଧ୍ୟକୁ ନେଲେ ।୬। ସେହି ସମୟରେ ଚିତ୍ରସେନ, ସଂଗ୍ରାମଜିତ୍‌, ଶତ୍ରୁସହ ଓ ଜୟ ପ୍ରଭୃତି କେତେକ ମହାରଥମାନେ କର୍ଣ୍ଣଙ୍କ ମଙ୍ଗଳକାମନା କରି ବିପାଠ ପ୍ରଭୃତି ନାନା ପ୍ରକାର ଅସ୍ତ୍ରଶସ୍ତ୍ର ଧରି ଅର୍ଜ୍ଜୁନଙ୍କୁ ଆକ୍ରମଣ କରିବାକୁ ଆସିଲେ ।୭। ପ୍ରଖର ଦାବାନଳ ଅରଣ୍ୟକୁ ଦଗ୍ଧ କଲାପ୍ରାୟ ପୁରୁଷଶ୍ରେଷ୍ଠ ଧନଞ୍ଜୟ ମହାଅଗ୍ନିପ୍ରାୟ ହୋଇ କୋଦଣ୍ଡ ରୂପକ ଅଗ୍ନିଶିଖା ଓ ଶରମାନଙ୍କର ବେଗଗତିରୂପକ ତାପରେ କୌରବମାନଙ୍କ ରଥସମୂହକୁ ଦଗ୍ଧ କରୁଥିଲେ ।୮। ଏହି ପ୍ରକାରରେ ଭୟଙ୍କର ଯୁଦ୍ଧ ହେବାରୁ କୁରୁପ୍ରବୀର ବିକର୍ଣ୍ଣ, ରଥରେ ଆରୋହଣ କରି ଭୟଙ୍କର ସ୍ଥୂଳଦଣ୍ଡଯୁକ୍ତ ଶରବୃଷ୍ଟି କରି ଶୀଘ୍ର ବଳିଷ୍ଠଶ୍ରେଷ୍ଠ ଅର୍ଜ୍ଜୁନଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ।୯। ତାହା ଉତ୍ତାରୁ ଅର୍ଜ୍ଜୁନ ବିକର୍ଣ୍ଣଙ୍କର ଦୃଢ଼ତର ଗୁଣଯୁକ୍ତ ସୁବର୍ଣ୍ଣ ଶରାସନକୁ ଓ ରଥର ପତାକାକୁ ଛେଦନ କଲେ । ବିକର୍ଣ୍ଣ ଦୁଃଖିତ ହୋଇ ପଳାଇଲେ ।୧୦।

 

ବିକର୍ଣ୍ଣ ପଳାଇ ଗଲାରୁ ଶତ୍ରୁରୂପ ଅତିଶୟ କୋପାବିଷ୍ଟ ହୋଇ ଅଲୌକିକ ଗୁଣଶାଳୀ ଅରିଦମନଶୀଳ ଅର୍ଜ୍ଜୁନଙ୍କୁ କୂର୍ମନଖ ଅସ୍ତ୍ରରେ ପ୍ରହାର କଲେ ।୧୧। ଅର୍ଜ୍ଜୁନ ସେହିକ୍ଷଣି ରଥୀଶ୍ରେଷ୍ଠ ଶତ୍ରୁନ୍ତପ ନାମକ ରାଜାଙ୍କ ରଥର ସାରଥିକୁ ଦଶଗୋଟି ବାଣରେ ବିନାଶ କରି ତାହାଙ୍କୁ ପାଞ୍ଚଗୋଟି ଶର ବିନ୍ଧିଲେ ।୧୨। ସେହି ପାଞ୍ଚଗୋଟି ଶରରେ ଶତ୍ରୁନ୍ତପ ରାଜାଙ୍କର ମୃତ୍ୟୁ ନ ହେବାରୁ ପୁନଶ୍ଚ ଅର୍ଜ୍ଜୁନ କୋପାବିଷ୍ଟ ହୋଇ ସେହିକ୍ଷଣି ଆଉ ଗୋଟିଏ ମାତ୍ର କବଚବିଦାରଣକାରୀ ହୃଦୟଭେଦୀ ଶର ବିନ୍ଧିଲେ ଯେ ସେ ପର୍ବତର ଅଗ୍ରରୁ ବାୟୁବଳରେ ଉନ୍ମୁଳିତ ବୃକ୍ଷପ୍ରାୟ ରଥ ଉପରୁ ପୃଥିବୀରେ ପଡ଼ିଲେ । ପୁରୁଷୋତ୍ତମ ଅର୍ଜ୍ଜୁନଙ୍କ ଶରସମୂହରେ ପୀଡ଼ିତ ଦୁର୍ଯ୍ୟୋଧନଙ୍କ ସେନାମାନେ ପ୍ରବଳବତାସରେ ମହାଅରଣ୍ୟପ୍ରାୟ କମ୍ପମାନ ହେଲେ ।୧୪। ହିମାଳୟ ପର୍ବତଜାତ ହସ୍ତୀଯୁଥ ଶୋଇଥିଲାପ୍ରାୟ ସୁବର୍ଣ୍ଣଜଡ଼ିତ ଲୌହନିର୍ମିତ କୃଷ୍ଣବର୍ଣ୍ଣ କବଚଧାରୀ ଇନ୍ଦ୍ରଦେବଙ୍କ ସଦୃଶ ପରାକ୍ରମଶାଳୀ ସୁବେଶରେ ଭୂଷିତ ବସୁପ୍ରଦ କୌରବମାନେ ଅର୍ଜ୍ଜୁନଙ୍କ ଶରରେ ପୀଡ଼ିତ ଓ ପରାଜିତ ହୋଇ ଓ କେତେକ ପ୍ରାଣତ୍ୟାଗ କରି ଯୁଦ୍ଧକ୍ଷେତ୍ରରେ ପଡ଼ିଥିଲେ ।

 

ଗାଣ୍ଡୀବ ଧନୁର୍ଦ୍ଧାରୀ ବୀରଚୁଡ଼ାମଣି ଅର୍ଜ୍ଜୁନ ଗ୍ରୀଷ୍ମକାଳର ଶେଷରେ ବିପିନବିଧ୍ୱଂସକାରୀ ଅଗ୍ନିପ୍ରାୟ ଶତ୍ରୁମାନଙ୍କୁ ମର୍ଦ୍ଦନ କରି ଯୁଦ୍ଧଭୂମିର ଚତୁର୍ଦ୍ଦିଗରେ ଗମନ କରୁଥିଲେ । ପୁନଶ୍ଚ ସେହି ବୀରଶ୍ରେଷ୍ଠ ଅର୍ଜ୍ଜୁନ ବସନ୍ତକାଳ ପବନପ୍ରାୟ ହୋଇ ପଦାତିକ ସୈନ୍ୟମାନଙ୍କୁ ଶୁଷ୍କ ପତ୍ରସଦୃଶ୍ୟ ଓ ରଥାରୋହୀ ପ୍ରଭୃତି ମହାବୀରମାନଙ୍କୁ ମେଘସମୂହ ସଦୃଶ୍ୟ ଯୁଦ୍ଧକ୍ଷେତ୍ରର ଚାରିଆଡ଼ରେ ବୁଲାଉଥିଲେ । ଅସାଧାରଣ ଶକ୍ତିଯୁକ୍ତ କୁନ୍ତୀପୁତ୍ର ଅର୍ଜ୍ଜୁନ କର୍ଣ୍ଣଙ୍କ ଭ୍ରାତା ସଂଗ୍ରାମଜିତ୍‌ଙ୍କ ରଥବାହକ ଚାରିଗୋଟି ରକ୍ତବର୍ଣ୍ଣ ଅଶ୍ୱମାନଙ୍କୁ ବିନାଶ କରି ଗୋଟିଏ ମାତ୍ର ଶର ବିନ୍ଧିଲେ ଯେ ତହିଁରେ ସଂଗ୍ରାମଜିତ୍‌ଙ୍କର ମସ୍ତକ ଛିନ୍ନ ହେଲା ।୧୮। ସେହି ସମୟରେ ସିଂହସଦୃଶ୍ୟ ପରାକ୍ରମଶାଳୀ, ସୂର୍ଯ୍ୟଦେବଙ୍କ ପୁତ୍ର କର୍ଣ୍ଣ ଭ୍ରାତୃବିଚ୍ଛେଦ ଦୁଃଖରେ ଅତିଶୟ ଦୁଃଖିତ ହୋଇ ଅତି ଆଗ୍ରହରେ ଗିରିଶୃଙ୍ଗକୁ ଯାଉଥିବା ଗଜରାଜପ୍ରାୟ ଅର୍ଜ୍ଜୁନ ଓ ଉତ୍ତରଙ୍କ ଆଡ଼କୁ ଧାବମାନ ହେଲେ ।୧୯। ଏବଂ ଅର୍ଜ୍ଜୁନଙ୍କୁ, ତାହାଙ୍କ ରଥବାହକ ଚାରିଗୋଟି ଅଶ୍ୱମାନଙ୍କୁ ଓ ଉତ୍ତରଙ୍କୁ ବାରଗୋଟି ଶର ବିନ୍ଧିଲେ ।୨୦।

 

ତହିଁ ଉତ୍ତାରୁ ମହାବୀର ଅର୍ଜ୍ଜୁନ ଚିତ୍ରପକ୍ଷଯୁକ୍ତ ଗରୁଡ଼ଙ୍କ ପ୍ରାୟ ସର୍ପସଦୃଶ କର୍ଣ୍ଣଙ୍କୁ ଶୀଘ୍ର ଆକ୍ରମଣ କଲେ ।୨୧। ସେହି ସମୟରେ କୌରବ ବୀରମାନେ ସମରରୁ ନିବୃତ୍ତ ହୋଇ ଧନୁର୍ଦ୍ଧରଶ୍ରେଷ୍ଠ, ଶତ୍ରୁନାଶକାରୀ, ମହାବଳବନ୍ତ କର୍ଣ୍ଣ ଓ ଅର୍ଜ୍ଜୁନଙ୍କ ଯୁଦ୍ଧକୁ ସ୍ଥିର ହୋଇ ଦେଖୁଥିଲେ ।୨୨। ଶ୍ୱେତବାହନ କ୍ରୋଧାନ୍ୱିତ ହୋଇ ଶୀଘ୍ର ଶୀଘ୍ର କର୍ଣ୍ଣଙ୍କୁ ଏତେ ଶର ବିନ୍ଧିଲେ ଯେ ସେହି ଶରସମୂହରେ ରଥ, ଅଶ୍ୱ ଓ ପତାକା ସହିତ କର୍ଣ୍ଣ ଏକାବେଳକେ ଅଦୃଶ୍ୟ ହେଲେ ।୨୩। କର୍ଣ୍ଣଙ୍କ ରଥ ଶରସମୂହରେ ଆଚ୍ଛନ୍ନ ହେଲା । କୌରବମାନଙ୍କର ଆରୋହୀ ସହିତ ଅଶ୍ୱ, ହସ୍ତୀ ଓ ରଥସମୂହ ବାଣମାନଙ୍କରେ ଆଚ୍ଛାଦିତ ହେଲାରୁ ଭୀଷ୍ମ ପ୍ରଭୃତି ମହାବୀରମାନେ ପ୍ରପୀଡ଼ିତ ହୋଇ ଆର୍ତ୍ତନାଦ କରୁଥିଲେ ।୨୪। ବାଣକୋଦଣ୍ଡଧାରୀ ମହାତ୍ମା କର୍ଣ୍ଣ ମଧ୍ୟ ଅନବରତ ଶରବୃଷ୍ଟି ଦ୍ୱାରା ଅର୍ଜ୍ଜୁନଙ୍କର ବାଣମାନଙ୍କୁ ପ୍ରତିଘାତ କରୁଥିବାରୁ ଅଗ୍ନିକଣାଯୁକ୍ତ ଅଗ୍ନିରାଶିପ୍ରାୟ ମନୋହର ଦିଶୁଥିଲେ-।୨୫। ବୀର କର୍ଣ୍ଣ କୋଦଣ୍ଡ ଟଙ୍କାର କରି ଏତେ ଶରବୃଷ୍ଟି କଲେ ଯେ ତହିଁରେ ଅର୍ଜ୍ଜୁନ ଅଦୃଶ୍ୟ ହୋଇଗଲେ । କୌରବ ସୈନ୍ୟମାନେ ତାହା ଦେଖି ଅତିଶୟ ଆନନ୍ଦରେ ଜୟଧ୍ୱନି ଓ କରତାଳି ସଙ୍ଗେ ଶଙ୍ଖ, ଭେରୀ ଓ ପଟହ ପ୍ରଭୃତି ବାଦ୍ୟମାନଙ୍କୁ ବଜାଇ କର୍ଣ୍ଣଙ୍କୁ ଯୁଦ୍ଧପଣ୍ଡିତ ବୋଲି ବହୁତ ପ୍ରଶଂସା କଲେ ।୨୬।

 

କର୍ଣ୍ଣ ଓ ଅର୍ଜ୍ଜୁନଙ୍କ ଯୁଦ୍ଧ ହେଉଥିବା ସମୟରେ ଅର୍ଜ୍ଜୁନଙ୍କର କପିଧ୍ୱଜ ରଥର ଲାଙ୍ଗୁଳମୟ ପତାକା ଉପରେ କମ୍ପମାନ ହେଉଥିଲା । ଧ୍ୱଜର ଚତୁଃପାର୍ଶ୍ୱରେ ଥିବା ଭୟଙ୍କର ଭୂତମାନେ ଘୋରତର ଗର୍ଜନ କରୁଥିଲେ ଓ ଅର୍ଜ୍ଜୁନଙ୍କ ଗାଣ୍ଡୀବ କୋଦଣ୍ଡର ଭୟଙ୍କର ନିର୍ଘୋଷରେ ଦଶଦିଗ ପୂର୍ଣ୍ଣ ହେଉଥିଲା । କର୍ଣ୍ଣ ଏହିସବୁ ଆଶ୍ଚର୍ଯ୍ୟ ଘଟଣାକୁ ଦେଖି ଅତିଶୟ ଦୁଃଖିତ ଓ ଭୀତ ହୋଇଥିଲେ ।୨୭। ଅର୍ଜ୍ଜୁନ ମଧ୍ୟ ଭୀଷ୍ମ, ଦ୍ରୋଣ ଓ କୃପାଚାର୍ଯ୍ୟଙ୍କୁ ଦେଖି କ୍ରୋଧରେ ସୂର୍ଯ୍ୟପୁତ୍ରଙ୍କୁ ଏତେ ଶର ବିନ୍ଧିଲେ ଯେ ସେହି ସରସମୂହରେ କର୍ଣ୍ଣ ଜଳଧର ସଦୃଶ ହୋଇ ଯେଉଁ ପ୍ରକାରରେ ଶରବୃଷ୍ଟିରେ ଅର୍ଜ୍ଜୁନଙ୍କୁ ପୀଡ଼ାଗ୍ରସ୍ତ କରିଥିଲେ, କିରୀଟମାଳୀ ଅର୍ଜ୍ଜୁନ ମଧ୍ୟ ଶରମାନ ବର୍ଷଣ କରି ସେହି ପ୍ରାୟ କର୍ଣ୍ଣଙ୍କୁ ଆଚ୍ଛାଦନ କରିଥିଲେ ।୨୯। ଏହିପ୍ରାୟ ଯୁଦ୍ଧ ହେବାରୁ ଅତି ଭୟଙ୍କର ଅସ୍ତ୍ରଶସ୍ତ୍ରଧାରୀ ସୁତୀକ୍ଷ୍‌ଣ ସାୟକବର୍ଷଣକାରୀ ବୀରଦୁହେଁ ରଥ ମଧ୍ୟରେ ଦୃଶ୍ୟ ନ ହେବାରୁ ଦର୍ଶକମାନେ ସେହି ଦୁହିଁଙ୍କୁ ମେଘ ଆବରଣରେ ଥିବା ଚନ୍ଦ୍ର ସୂର୍ଯ୍ୟଙ୍କ ସଦୃଶ୍ୟ ବୋଧ କରିଥିଲେ ।୩୦।

 

ଏଥିଉତ୍ତାରୁ କର୍ଣ୍ଣ ଅର୍ଜ୍ଜୁନଙ୍କ ଚାରିଗୋଟି ଅଶ୍ୱମାନଙ୍କୁ ଅସଂଖ୍ୟ ବାଣ ବିନ୍ଧିଲା ପରେ ସାରଥି ଓ ଧ୍ୱଜକୁ ତିନିଗୋଟି ଲେଖାଏଁ ଶର ବିନ୍ଧିଲେ ।୩୧। ସେହି ସମୟରେ ରଣପଣ୍ଡିତ ଗାଣ୍ଡୀବ ଧନୁର୍ଦ୍ଧାରୀ କରୁକୁଳଶ୍ରେଷ୍ଠ ମହାତ୍ମା ଧନଞ୍ଜୟ କର୍ଣ୍ଣଙ୍କ ଶସ୍ତ୍ରବୃଷ୍ଟିରେ ପୀଡ଼ିତ ହେବାରୁ ନିଦ୍ରାତ୍ୟାଗ କରି ଜାଗରୂକ ହେବା ସିଂହପ୍ରାୟ ହୋଇ ଅଲୌକିକ ଶକ୍ତି ପ୍ରକାଶପୂର୍ବକ ଏତେ ପରିମାଣରେ ଶରବୃଷ୍ଟି କଲେ ଯେ ସେହି ଶରମାନଙ୍କରେ ସୂର୍ଯ୍ୟୃଦେବ ନିଜର କିରଣମାଳାରେ ସମୁଦାୟ ସଂସାରକୁ ପୂର୍ଣ୍ଣ କରି ଦେଲାପ୍ରାୟ ଏକାବେଳକେ କର୍ଣ୍ଣଙ୍କ ରଥକୁ ଆଚ୍ଛନ୍ନ କଲେ ।୩୩। କୌଣସି ବଳିଷ୍ଠ ମତ୍ତ ହସ୍ତୀକୁ ଅନ୍ୟ ଗୋଟିଏ ହସ୍ତୀ ପ୍ରହାର କଲେ ସେ ଯେଉଁ ପ୍ରକାରରେ କୋପାବିଷ୍ଟ ହୁଏ, ମହାବାହୁ ଅର୍ଜ୍ଜୁନ ସେହି ପ୍ରାୟ ଅତିଶୟ କ୍ରୋଧାନ୍ୱିତ ହୋଇ ଶରକୋଷରୁ ଶାଣିତ ଭଲ୍ଲମାନଙ୍କୁ ବାହାର କରି ସୂତଙ୍କ ପୁତ୍ର କର୍ଣ୍ଣଙ୍କୁ ବିନ୍ଧି ତାହାଙ୍କର ମସ୍ତକ, ଲଲାଟ, ବାହୁ, ଊରୁ ଓ ଗ୍ରୀବା ପ୍ରଭୃତି ଅଙ୍ଗ ପ୍ରତ୍ୟଙ୍ଗସବୁ କ୍ଷତ କଲେ । କର୍ଣ୍ଣ ଏହି ପ୍ରକାରରେ ଅର୍ଜ୍ଜୁନଙ୍କର ବଜ୍ର ସଦୃଶ୍ୟ ଶରମାନଙ୍କରେ ପୀଡ଼ିତ ହୋଇ ପ୍ରବଳ ଗଜ ଦ୍ୱାରା ପରାଜିତ ଦୁର୍ବଳ ଗଜପ୍ରାୟ ଯୁଦ୍ଧଭୂମିରୁ ପଳାଇଗଲେ ।୩୬।

 

Unknown

ଅଧ୍ୟାୟ – ୫୫

 

ବୈଶମ୍ପାୟନ କହିଲେ- କର୍ଣ୍ଣ ପଳାଇଯିବା ଉତ୍ତାରୁ ଦୁର୍ଯ୍ୟୋଧନ ପ୍ରଭୃତି ମହାରଥମାନେ ଆପଣା ଆପଣାର ସୈନ୍ୟମାନଙ୍କୁ ସଙ୍ଗରେ ଘେନି ଓ ଶରବୃଷ୍ଟି କରି ପାଣ୍ଡବଙ୍କ ନିକଟକୁ ଆସିଲେ-।୧। ରଥଶ୍ରେଷ୍ଠ ଶ୍ୱେତବାହନ, କୁନ୍ତୀନନ୍ଦନ ବୀରତ୍ସୁ, ସମୁଦ୍ରର ବେଗ ନିବାରଣକାରୀ ଉପକୂଳ ଭୂମିପ୍ରାୟ ଅନାୟାସରେ ସେହି ଆକ୍ରମଣକାରୀ ଦଳବଦ୍ଧ ସୈନ୍ୟମାନଙ୍କ ବେଗକୁ ନିବାରଣ କରି ସେହିମାନଙ୍କ ନିକଟକୁ ଧାବମାନ ହୋଇ ହସି ହସି ଉତ୍କୃଷ୍ଟ ଅସ୍ତ୍ର ବୃଷ୍ଟି କଲେ ।୩। ସୂର୍ଯ୍ୟଦେବଙ୍କ କିରଣସମୂହରେ ପୃଥିବୀ ମଣ୍ଡଳ ଆଚ୍ଛାଦିତ ହେଲାପ୍ରାୟ ଅର୍ଜ୍ଜୁନଙ୍କ ଗାଣ୍ଡୀବବିମୁକ୍ତ ଶରମାନଙ୍କ ଦ୍ୱାରା ଦଶଦିଗ ଆଚ୍ଛାଦିତ ହେଲା ।୪। ରଥାରୋହୀ, ଗଜାରୋହୀ, ଅଶ୍ୱାରୋହୀ ଓ ପଦାତିକ ସୈନ୍ୟମାନଙ୍କ ମଧ୍ୟରୁ କୌଣସି ଏକ ଜଣର ସୁଦ୍ଧା ଶରୀର ମଧ୍ୟରେ ଦୁଇ ଅଙ୍ଗୁଳି ପରିମିତ ସ୍ଥାନ ଶରବିଦ୍ଧ ନ ହୋଇ ଅକ୍ଷତ ଭାବରେ ରହିପାରିଲା ନାହିଁ ।୫। ଅଶ୍ୱମାନଙ୍କର ସୁଶିକ୍ଷା, ବିରାଟପୁତ୍ରଙ୍କର ରଥ ଚଳାଇବାର ଚତୁରତା, ଅର୍ଜ୍ଜୁନଙ୍କର ଦିବ୍ୟ ଅସ୍ତ୍ର ବିନ୍ଧିବାର ସମର୍ଥ ପଣିଆ ଓ ଉତ୍କୃଷ୍ଟ ପରାକ୍ରମ ଦେଖି ସମସ୍ତେ ବିଶେଷ ପ୍ରଶଂସା କଲେ ଓ ତାହାଙ୍କୁ ପ୍ରଜାମାନଙ୍କର ଦହନକାରୀ ପ୍ରଳୟକାଳ ଅଗ୍ନିପ୍ରାୟ ଜାଣିଲେ । ଯେଉଁ ପ୍ରକାରରେ ପ୍ରଜ୍ଜ୍ୱଳିତ ଅଗ୍ନିକୁ କେହି ଚାହିଁ ପାରନ୍ତି ନାହିଁ, ସେହିପ୍ରାୟ ମଧ୍ୟ ଶତ୍ରୁମାନେ ବୀରବର ଅର୍ଜ୍ଜୁନଙ୍କ ଆଡ଼କୁ ନୟନ ପକାଇ ପାରିଲେ ନାହିଁ-।୭।

 

ପର୍ବତର ନିକଟସ୍ଥିତ ନୂତନ ଜଳଧର ସୂର୍ଯ୍ୟକିରଣ ସଂଯୋଗରେ ରଞ୍ଜିତ ହେଲାପ୍ରାୟ କୌରବ ବୀରମାନଙ୍କ ଶରୀର ଅର୍ଜ୍ଜୁନଙ୍କ ଶରାଘାତରେ ବିଗଳିତ ରକ୍ତଧାରାମାନଙ୍କରେ ରଞ୍ଜିତ ହେଲା । ଅତଏବ ଅର୍ଜ୍ଜୁନଙ୍କ ସମୀପରେ ଶତ୍ରୁ ସୈନ୍ୟମାନେ ରଞ୍ଜିତ ଜଳଧର ପ୍ରାୟ ଦିଶୁଥିଲେ ।୮। ଅଜ୍ଜୁନଙ୍କ ଶରାଘାତ ହେତୁରୁ ରକ୍ତଜର୍ଜରିତ ସୈନ୍ୟମାନେ ପ୍ରସ୍ଫୁଟିତ ଶୋଭିତ ଅଶୋକ ଅରଣ୍ୟପ୍ରାୟ ଅଥବା ମଳିନ, ଶୁଷ୍କ ଓ ଛିନ୍ନ ଚମ୍ପକମାଳାମାନଙ୍କ ସଦୃଶ ଦିଶୁଥିଲେ । ହେ ଭାରତ ! ସେହି ସମୟରେ ଅସ୍ତ୍ରମାନଙ୍କ ଦ୍ୱାରା ଛିନ୍ନଛତ୍ର ପତାକାସମୂହ ମଧ୍ୟ ଆକାଶରେ ଉଡ଼ୁଥିଲେ, କାରଣ ଆକାଶମଣ୍ଡଳ ବାଣମାନଙ୍କରେ ଆଚ୍ଛନ୍ନ ହୋଇଥିବାରୁ ସେମାନେ ତଳକୁ ଆସିପାରୁ ନ ଥିଲେ ।୧୦। ରଥର ଅଶ୍ୱମାନେ ଭୟଗ୍ରସ୍ତ ହୋଇ ରଥର ଯେଉଁ କାଷ୍ଠଦଣ୍ଡରେ ସେହିମାନେ ବନ୍ଧା ହୋଇଥିଲେ, ତାହାସବୁ ଭାଙ୍ଗି ରଥର ସେହି ଅଂଶକୁ ଧରି ପଳାଇଲେ ।୧୧। ହସ୍ତିମାନେ ଚକ୍ଷୁ, କର୍ଣ୍ଣ, କକ୍ଷ, ଦନ୍ତ ଓ ଅଧର ପ୍ରଭୃତି ମର୍ମସ୍ଥାନମାନଙ୍କରେ ଆଘାତ ପାଇବାରୁ ଅନ୍ୟ ସ୍ଥାନକୁ ଯାଇ ପାରିଲେ ନାହିଁ । ସେହି ଯୁଦ୍ଧକ୍ଷେତ୍ରରେ କୌରବମାନଙ୍କର ପ୍ରଧାନ ପ୍ରଧାନ ମହାଗଜମାନଙ୍କ ମୃତଦେହ ପଡ଼ିଥିବାରୁ ସେହି ସ୍ଥାନ ଜଳଧରମାଳାପୂରିତ ଆକାଶମଣ୍ଡଳ ପ୍ରାୟ ମନୋହର ଦିଶୁଥିଲା-।୧୩।

 

ହେ ମହାରାଜ ! ଶିଖାପୂର୍ଣ୍ଣ ଅଗ୍ନି ଯୁଗର ଅନ୍ତ ସମୟରେ ସ୍ଥାବରଜଙ୍ଗମାତ୍ମକ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ ସମସ୍ତ ସଂସାରକୁ ଦଗ୍ଧ କଲାପ୍ରାୟ ପୃଥାପୁତ୍ର ଅର୍ଜ୍ଜୁନ ଶତ୍ରୁବୃନ୍ଦଙ୍କୁ ସଂହାର କରୁଥିଲେ ।୧୪। ଏଥି ଉତ୍ତାରୁ ରିପୁକଳ ମର୍ଦନକାରୀ ମହାବାହୁ ବିଭତ୍ସୁ ଅସ୍ତ୍ରମାନଙ୍କର ପ୍ରତାପ, ଗାଣ୍ଡୀବର ଭୟଙ୍କର ନିର୍ଘୋଷ, ପତାକାସ୍ଥିତ ଭୂତମାନଙ୍କର ଅମାନୁଷ ଶବ୍ଦ, ବାନରଶ୍ରେଷ୍ଠଙ୍କର ଭୈରବଧ୍ୱନି ଓ ପ୍ରଚଣ୍ଡ ଶଙ୍ଖରବରେ ଦୁର୍ଯ୍ୟୋଧନଙ୍କ ସମସ୍ତ ସୈନ୍ୟମାନଙ୍କୁ ଭୟଗ୍ରସ୍ତ କରାଇଥିଲେ-।୧୬। ଅର୍ଜ୍ଜୁନଙ୍କୁ ଦେଖିବା ମାତ୍ରେ କୌରବ ସୈନ୍ୟମାନେ ଦୁର୍ବଳ ହୋଇଥିଲେ, ତଥାପି ସେ ଦୁର୍ବଦଳନରୂପକ ଗୋଟିଏ ସାହସର ଅଧୀନ ହେବାରୁ ଅଗତ୍ୟା ସେମାନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଉତ୍ସାହିତ ହୋଇ ସୁତୀକ୍ଷ୍‌ଣ ଶରବୃଷ୍ଟି କଲେ । ବ୍ୟାଧ ଭୟରେ ଆକାଶରେ ଉଡ଼ୁଥିବା ରକ୍ତପାୟୀ ପକ୍ଷୀମାନଙ୍କ ପ୍ରାୟ ତାହାଙ୍କ ପ୍ରେରିତ ଶରମାନେ ଆକାଶମଣ୍ଡଳକୁ ଆଚ୍ଛନ୍ନ କଲେ-।୧୮।

 

ହେ ରାଜନ୍‌ ! ପ୍ରଚଣ୍ଡକିରଣମାଳୀ ସୂର୍ଯ୍ୟଦେବଙ୍କର କିରଣସମୂହ କୌଣସି ପାତ୍ର ମଧ୍ୟରେ ସଂକୁଚିତ ହୋଇ ରହିଲା ପ୍ରାୟ ଅର୍ଜ୍ଜୁନଙ୍କର ଅସଂଖ୍ୟ ବାଣସମୂହ ଦିଗମାନଙ୍କରେ ପୂର୍ଣ୍ଣ ହୋଇଥିଲେ ।୧୯। ଦୁର୍ଯ୍ୟୋଧନଙ୍କ ରଥାରୋହୀ ସୈନ୍ୟମାନେ ପ୍ରଥମକ୍ଷଣରେ ଅର୍ଜ୍ଜୁନଙ୍କୁ ଚାହିଁ ଦ୍ୱିତୀୟକ୍ଷଣରେ ଅଶ୍ୱମାନଙ୍କୁ ସଙ୍ଗରେ ନେଇ ଯମାଳୟରେ ପ୍ରବେଶ କରୁଥିଲେ । ଶରମାନେ ଶତ୍ରୁମାନଙ୍କ ଶରୀରଭେଦ କରି ଅତିଶୀଘ୍ର ଫେରି ଆସି ଧନଞ୍ଜୟଙ୍କର ହସ୍ତରେ ଉପସ୍ଥିତ ହେଉଥିଲେ । ତାହାଙ୍କ ରଥଗୋଟିକ ମଧ୍ୟ ସୈନ୍ୟମାନଙ୍କଦ୍ୱାରା ଅବରୁଦ୍ଧ ନ ହୋଇ ଅତିଶୀଘ୍ର ନାନାସ୍ଥାନରେ ଭ୍ରମଣ କରି ଶତ୍ରୁ ସୈନ୍ୟମାନଙ୍କୁ ଦଳି ପକାଉଥିଲା । ଅତଏବ ଶତ୍ରୁ ସୈନ୍ୟ ସାଗରସ୍ଥିତ ଅର୍ଜ୍ଜୁନ ମହାସାଗର ମଧ୍ୟରେ ଅନନ୍ତ ଫଣାଧାରୀ ଶେଷଦେବ କ୍ରୀଡ଼ା କରୁଥିବା ପ୍ରାୟ ଉପମାକୁ ଧରିଥିଲେ ।୨୨। ଅର୍ଜ୍ଜୁନ ନିରନ୍ତର ବାଣବୃଷ୍ଟି କରୁଥିବାରୁ ଗାଣ୍ଡୀବ କୋଦଣ୍ଡରୁ ଯେଉଁ ଧ୍ୱନି ଜାତ ହେଉଥିଲା, ତାହା ପ୍ରାୟ ଅତି ଭୟଙ୍କର ସର୍ବୋତ୍କୃଷ୍ଟ ନିର୍ଘୋଷ କଦାପି କେହି ଶୁଣି ନଥିଲେ ।୨୩। ହସ୍ତୀମାନଙ୍କ ଶରୀରରେ ଅଳ୍ପ ଅଳ୍ପ ଅନ୍ତରରେ ଅସଂଖ୍ୟ ଅସଂଖ୍ୟ ବାଣ ବିଦ୍ଧ ହୋଇଥିବାରୁ ସେମାନେ ସୂର୍ଯ୍ୟଦେବଙ୍କ କିରଣରଞ୍ଜିତ ମେଘମାଳା ପ୍ରାୟ ମନୋହର ଦିଶୁଥିଲେ ।୨୪।

 

ଅର୍ଜ୍ଜୁନ ବାମ ଓ ଦକ୍ଷିଣ ପାର୍ଶ୍ୱରେ ନିରନ୍ତର ବାଣବୃଷ୍ଟି କରୁଥିବାରୁ ଶତ୍ରୁମାନେ କେବଳ କୋଦଣ୍ଡର ଗୋଲାକାରମଣ୍ଡଳ ଆକୃତିକି ଦେଖୁଥିଲେ ।୨୫। ଚକ୍ଷୁରୂପହୀନ ପଦାର୍ଥରେ ନ ପଡ଼ିଲା ପ୍ରାୟ ଗାଣ୍ଡୀବ ଧନୁର୍ଦ୍ଧାରୀ ଅର୍ଜ୍ଜୁନଙ୍କର ଶରସମୂହ କଦାପି ଅଲକ୍ଷ୍ୟ ସ୍ଥାନରେ ପଡ଼ନ୍ତି ନାହିଁ ।୨୬। ଅରଣ୍ର ମଧ୍ୟରେ ସହସ୍ର ହସ୍ତୀ ଏକାବେଳକେ ଚାଲିଲେ ଯେଉଁ ପ୍ରାୟ ଅସଂଖ୍ୟ ବୃକ୍ଷ ନଷ୍ଟ ହୋଇ ମାର୍ଗ ପ୍ରସ୍ତୁତହୁଏ, ଅର୍ଜ୍ଜୁନଙ୍କ ରଥଗତି ହେତୁରୁ ସେହି ପ୍ରକାର ଅପରିମିତ ଶତ୍ରୁ ମର୍ଦ୍ଦିତ ହୋଇ ନାନାସ୍ଥାନରେ ନୂତନ ମାର୍ଗ ପ୍ରସ୍ତୁତ ହେଉଥିଲା ।୨୭। ବୈରୀବୃନ୍ଦ ଅର୍ଜ୍ଜୁନଙ୍କ ଦ୍ୱାରା ହତ ହେଉଥିବା ସମୟରେ ବିଚାର କରୁଥିଲେ କି ଇନ୍ଦ୍ରଦେବ ଆପଣାର ପୁତ୍ରଙ୍କ ଜୟ ଇଚ୍ଛା କରି ଦେବତାମାନଙ୍କୁ ସଙ୍ଗରେ ଆଣି ନିଶ୍ଚୟ ଆମ୍ଭମାନଙ୍କୁ ସଂହାର କରୁଅଛନ୍ତି ।୨୮। କେହି କେହି କହୁଥିଲେ, କାଳଦେବତା ପ୍ରଜାମାନଙ୍କୁ ବିନାଶ କରିବା ଇଚ୍ଛାରେ ଅର୍ଜ୍ଜୁନଙ୍କ ରୂପ ଧରି ଶତ୍ରୁବଂଶଙ୍କୁ ସଂହାର କରୁଅଛନ୍ତି ।୨୯। ଅର୍ଜ୍ଜୁନଙ୍କ ବାଣରେ ଅସଂଖ୍ୟ କୌରବ ସୈନ୍ୟ ହତ ହେଲେ । ଯେଉଁମାନ ହତ ହୋଇନଥିଲେ, ସେହିମାନେ ଅର୍ଜ୍ଜୁନଙ୍କ ପ୍ରଭାବରେ ହତ ହେଲା ପ୍ରାୟ ଅବଶ ହୋଇପଡ଼ିଲେ । ଅର୍ଜ୍ଜୁନଙ୍କ ଯୁଦ୍ଧସଙ୍ଗରେ ତାହାଙ୍କ ଯୁଦ୍ଧ ବ୍ୟତୀତ ଅନ୍ୟକୌଣସି ବୀରପୁରୁଷଙ୍କର ସମର କଦାପି ସମାନ ବୋଲି ଜଣାଯାଉନଥିଲା ।

 

କୃଷକମାନେ ଧାନଗଛ ପ୍ରଭୃତି ଓଷଧିମାନଙ୍କର ମସ୍ତକ କାଟିଲା ପ୍ରାୟ ପାଣ୍ଡବ ବୀରବର ଅର୍ଜ୍ଜୁନ ଶତ୍ରୁମାନଙ୍କର ମସ୍ତକ ଛେଦନ କରୁଥିବାରୁ କୌରବ ସୈନ୍ୟମାନଙ୍କର ସବୁ ପ୍ରକାର ସାହସ ଓ ପରାକ୍ରମ ଦୂର ହୋଇଗଲା ।୩୧। ଅର୍ଜ୍ଜୁନ ପ୍ରବଳ ପ୍ରଭଞ୍ଜନ ପ୍ରାୟ ଅରାତି ରୂପକ ବୃକ୍ଷମାନଙ୍କୁ ଉପାଡ଼ି ପକାଇଲେ ଓ ତାହାଙ୍କ ଅସ୍ତ୍ରଶସ୍ତ୍ର ପ୍ରଭାବରେ ରଣଭୂମିରେ ରକ୍ତନଦୀ ପ୍ରବାହିତ ହେଲା ।୩୨। ରକ୍ତମିଶ୍ରିତ ଧୂଳିସମୂହ ପବନରେ ଉଡ଼ୁଥିବାରୁ ସୂର୍ଯ୍ୟଦେବଙ୍କର କିରଣସମୂହ ମଧ୍ୟ ବିଶେଷ ରକ୍ତବର୍ଣ୍ଣ ଦିଶୁଥିଲା ।୩୩। ଅଳ୍ପ ସମୟ ମଧ୍ୟରେ ସୂର୍ଯ୍ୟଦେବଙ୍କ ସହିତ ଆକାଶମଣ୍ଡଳ ସୁଦ୍ଧା ଏ ପ୍ରକାର ରକ୍ତବର୍ଣ୍ଣ ହେଲା ଯେ ସନ୍ଧ୍ୟାସମୟ ପହଞ୍ଚିଲା ପ୍ରାୟ ଜଣାଗଲା । ସୂର୍ଯ୍ୟଦେବ ଅସ୍ତ ହେଲାରୁ ତାହାଙ୍କର କିରଣ ବିତରଣ କାର୍ଯ୍ୟ ବନ୍ଦ ହେଲା ନାହିଁ ।୩୫। ଦୁର୍ଯ୍ୟୋଧନଙ୍କର ସବୁ ସେନାପତିମାନେ ଯୁଦ୍ଧପଣ୍ଡିତ, ମହାଧନୁର୍ଦ୍ଧର ଓ ପୌରୁଷଯୁକ୍ତ ଅଟନ୍ତି, ତଥାପି ଅଚିନ୍ତ୍ୟସତ୍ତ୍ୱ, ବୀରବର ଅର୍ଜ୍ଜୁନଙ୍କ ସୁଦିବ୍ୟ ଅସ୍ତ୍ରରେ କେହି ଜଣେ ସୁଦ୍ଧା ମୂର୍ଚ୍ଛିତ ନ ହୋଇ ରହିପାରିଲା ନାହିଁ ।୩୫।

 

ରିପୁଦଳନଶୀଳ ସବ୍ୟସାଚୀ ପ୍ରଥମରେ ଦ୍ରୋଣାଚାର୍ଯ୍ୟଙ୍କୁ ତେସ୍ତରି ଗୋଟି ଶର ବିନ୍ଧିଲା ଉତ୍ତାରୁ ଦୁଃସହଙ୍କୁ ଦଶଗୋଟି ବାଣ, ଅଶ୍ୱତ୍‌ଥାମାଙ୍କୁ ଆଠଗୋଟି, ଦୁଃଶାସନଙ୍କୁ ବାରଗୋଟି, ଶରବ୍ଦତଙ୍କ ପୁତ୍ର କୃପାଚାର୍ଯ୍ୟଙ୍କୁ ତିନିଗୋଟି ଶାନ୍ତନୁଙ୍କୁ ପୁତ୍ର ଭୀଷ୍ମଙ୍କୁ ଷାଠିଏ ଓ ରାଜା ଦୁର୍ଯ୍ୟୋଧନଙ୍କୁ ଶହେ ବାଣ ବିନ୍ଧିଲେ । ସର୍ବଶେଷରେ କର୍ଣ୍ଣଙ୍କ କର୍ଣ୍ଣମୂଳରେ ଏକକର୍ଣ୍ଣିକ ଅସ୍ତ୍ର ବିନ୍ଧି ତାହାଙ୍କ ସାରଥି ଓ ଅଶ୍ୱମାନଙ୍କୁ ସଂହାର କଲେ । ସର୍ବଅସ୍ତ୍ରପଣ୍ଡିତ, ସହାୟନିରପେକ୍ଷ, ମହାବୀର କର୍ଣ୍ଣଙ୍କ କର୍ଣ୍ଣମୂଳରେ ଏକକର୍ଣ୍ଣିକ ଅସ୍ତ୍ର ଲାଖି ରହିବାରୁ ଓ ତାହାଙ୍କ ସାରଥି ଓ ଅଶ୍ୱମାନେ ହତ ହେବାରୁ ତାହାଙ୍କର ସୈନ୍ୟମାନେ ସମସ୍ତେ ଯୁଦ୍ଧଭୂମିରୁ ପଳାଇଗଲେ ।୩୮। କର୍ଣ୍ଣଙ୍କ ସୈନ୍ୟମାନେ ପଳାଇ ଯିବାର ଦେଖି ବିରାଟଙ୍କ ପୁତ୍ର ଉତ୍ତର ଅର୍ଜ୍ଜୁନଙ୍କ ଅଭିପ୍ରାୟ ଜାଣି ତାହାଙ୍କୁ କହିଲେ ।୩୯।, ହେ ବୀରବର ! କହିବା ହେଉନ୍ତୁ ଆପଣ ଏହି ସୁନ୍ଦର ରଥରେ ବସି କେଉଁ ସୈନ୍ୟଙ୍କ ଆଡ଼କୁ ଯିବା ହେବେ ? ଆଜ୍ଞା ପାଇଲେ ମୁଁ ସେହି ଦିଗକୁ ରଥ ଚଳାଇବି ।୪୦।

 

ଅର୍ଜ୍ଜୁନ କହିଲେ, ହେ ରାଜକୁମାର ଉତ୍ତର ! ଯହିଁରେ ନୀଳ ପତାକା ଉଡ଼ୁଅଛି, ଯାହାର ଚାରିପାଖରେ ବାଘଚର୍ମ ଘେରାଯାଇଅଛି ଓ ସୁନ୍ଦର ରକ୍ତବର୍ଣ୍ଣ ଅଶ୍ୱ ଯହିଁରେ ଯୋଚା ହୋଇଅଛନ୍ତି, ସେହି ରଥ ମଧ୍ୟରେ ଯେଉଁ ଧନୁର୍ଦ୍ଧର ବୀରପୁରୁଷଙ୍କୁ ଦେଖୁଅଛ, ତାହାଙ୍କ ନାମ କୃପାଚାର୍ଯ୍ୟ । ମତେ ତାହାଙ୍କ ସୈନ୍ୟଆଡ଼କୁ ନିଅ । ସେ ମୋର ଶୀଘ୍ର ଅସ୍ତ୍ର ଦେଖିବେ ।୪୨। ଯାହାଙ୍କ ରଥ ପତାକାରେ ସୁବର୍ଣ୍ଣନିର୍ମିତ କମଣ୍ଡଳୁ ଶୋଭା ପାଉଅଛି, ତାହାଙ୍କ ନାମ ଦ୍ରୋଣଚାର୍ଯ୍ୟ । ସେ ସମସ୍ତ ଅସ୍ତ୍ରଧାରୀ ବୀରପୁରୁଷମାନଙ୍କ ମଧ୍ୟରେ ଶ୍ରେଷ୍ଠ, ମୋର ଓ ସମସ୍ତ ଧନୁର୍ଦ୍ଧାରୀମାନଙ୍କର ମାନନୀୟ; ଅତଏବ ତୁମ୍ଭେ ସୁପ୍ରସନ୍ନ ହୋଇ ତାହାଙ୍କୁ ପ୍ରଦକ୍ଷଣ କର ।୪୪। ସନାତନ ଧର୍ମ ଅନୁସାରେ ମୁଁ ତାଙ୍କୁ ଦର୍ଶନ କରି ନମ୍ରଭାବ ଦେଖାଇବି । ସେ ମହାଶୟ ଯଦି ମତେ ଆଗେ ଅସ୍ତ୍ର ପ୍ରହାର କରିବେ, ତାହା ହେଲେ ମୁଁ ପଛେ ତାହାଙ୍କ ଉପରେ ଅସ୍ତ୍ର ଚଳାଇବି । ଏହି ପ୍ରକାର କଲେ ସେ ମହାଶୟ ଆଉ ମୋଠାରେ କୋପାବିଷ୍ଟ ହେବେ ନାହିଁ ।୪୫।

 

ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ଯାହାଙ୍କ ଧ୍ୱଜଦଣ୍ଡରେ କୋଦଣ୍ଡର ଚିହ୍ନ ଦିଶୁଅଛି, ସେ ଉକ୍ତ ଆଚାର୍ଯ୍ୟଙ୍କର ପୁତ୍ର; ତାହାଙ୍କ ନାମ ଅଶ୍ୱତ୍‌ଥାମା ।୪୬। ସେ ମଧ୍ୟ ଆଚାର୍ଯ୍ୟଙ୍କ ପ୍ରାୟ ମୋର ଓ ସମସ୍ତ ବୀରପୁରୁଷମାନଙ୍କର ମାନନୀୟ, ଅତଏବ ତାହାଙ୍କ ନିକଟକୁ ଯିବାର ଉଚିତ ।୪୭। ଯାହାଙ୍କ ସୁବର୍ଣ୍ଣ ପତାକାରେ ହସ୍ତୀର ଚିହ୍ନ ଦିଶୁଅଛି, ଯେ ସୁବର୍ଣ୍ଣ କବଚ ପରିଧାନ କରି ଉତ୍କୃଷ୍ଟ ସୈନିକ ଦଳର ତୃତୀୟ ଅଂଶରେ ବେଷ୍ଟିତ ହୋଇ ରଥ ଉପରେ ବସିଅଛନ୍ତି, ତାହାଙ୍କ ନାମ ଦୁର୍ଯ୍ୟୋଧନ; ସେ ଧୃତରାଷ୍ଟ ରାଜାଙ୍କର ଶ୍ରେଷ୍ଠପୁତ୍ର ଅଟନ୍ତି ।୪୯। ହେ ବୀର ! ଏହି ଯୁଦ୍ଧପ୍ରିୟ ବଳିଷ୍ଠ ରାଜାଙ୍କ ସମ୍ମୁଖକୁ ଶତ୍ରୁ ରଥଦଳନକାରୀ ଏହି ରଥକୁ ଶୀଘ୍ର ଚଳାଅ ।୫୦। ଏହି ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କ ଶିଷ୍ୟ ମଧ୍ୟରେ ଅସ୍ତ୍ରବିଦ୍ୟାରେ ପ୍ରଧାନ ପଣ୍ଡିତ ବୋଲି ଗର୍ବ କରନ୍ତି । ଅତଏବ ଅଦ୍ୟ ଯୁଦ୍ଧରେ ଏହାଙ୍କୁ ମୁଁ ଉତ୍କୃଷ୍ଟ ଶୀଘ୍ର ଅସ୍ତ୍ର ଦେଖାଇବି ।୫୧।

 

ଯାହାଙ୍କ ପତାକାର ଅଗ୍ରରେ ହସ୍ତୀବନ୍ଧନ ଶୃଙ୍ଖଳାର ଚିହ୍ନ ଦିଶୁଅଛି, ସେ ସୂର୍ଯ୍ୟଦେବଙ୍କ ପୁତ୍ର କର୍ଣ୍ଣ ତୁମ୍ଭର ପୂର୍ବରୁ ପରିଚିତ ଅଟନ୍ତି ।୫୨। ତୁମ୍ଭେ ଏହି ଦୁରାତ୍ମା କର୍ଣ୍ଣଙ୍କ ନିକଟରେ ପହଞ୍ଚିବା ସମୟରେ ସାବଧାନ ଥିବ, କାରଣ ସେ ଆମ୍ଭ ସଙ୍ଗରେ ଯୁଦ୍ଧ କରିବା ନିମିତ୍ତ ସର୍ବଦା ଇଚ୍ଛୁକ ।୫୩। ଯେ ପାଞ୍ଚଗୋଟି ତାରା ଓ ଗୋଟିଏ ସୂର୍ଯ୍ୟଙ୍କ ରୂପର ଚିହ୍ନରେ ଅଙ୍କିତ ହୋଇଥିବା ନୀଳପତାକାଯୁକ୍ତ ରଥ ଉପରେ ବସିଅଛନ୍ତି, ଯାହାଙ୍କ ମସ୍ତକ ଉପରେ ନିର୍ମଳ ପାଣ୍ଡୁରବର୍ଣ୍ଣ ବିଚିତ୍ର ଛତ୍ର ଅଛି, ଯେ ଚନ୍ଦ୍ର ସୂର୍ଯ୍ୟଙ୍କ ପ୍ରାୟ ଉଜ୍ଜ୍ୱଳ ସୁବର୍ଣ୍ଣ କବଚ ଓ ଶିରସ୍ତ୍ରାଣ ପରିଧାନ କରି ପୟୋଧର ସନ୍ନିଧାନସ୍ଥିତ ସୂର୍ଯ୍ୟଦେବଙ୍କ ପ୍ରାୟ ସୈନ୍ୟମାନଙ୍କ ଅଗ୍ରରେ ବସି ମୋର ହୃଦୟରେ ଭୟ ଜନ୍ମାଉଅଛନ୍ତି, ଯେ ପ୍ରସସ୍ଥ ହସ୍ତାବରଣଶୋଭିତ ହସ୍ତରେ ବୃହତ୍ କୋଦଣ୍ଡ ଧରିଅଛନ୍ତି, ସେ ଆମ୍ଭମାନଙ୍କର ପିତାମହ ଶାନ୍ତନୁଙ୍କ ନନ୍ଦନ ଭୀଷ୍ମଦେବ ଅଟନ୍ତି । ଦୁର୍ଯ୍ୟୋଧନ ତାହାଙ୍କୁ ବହୁତ ରାଜସମ୍ପତ୍ତି ଦେଇ ଅଧୀନ କରି ରଖିଅଛନ୍ତି । ୫୮। ପରିଶେଷରେ ଆମ୍ଭେମାନେ ତାହାଙ୍କ ସମୀପକୁ ଯିବା, ସେ ଆମ୍ଭର କିଛି ଅମଙ୍ଗଳ କରିପାରିବେ ନାହିଁ । ଆମ୍ଭେ ଯେତେବେଳେ ଭୀଷ୍ମଦେବଙ୍କ ସଙ୍ଗରେ ଯୁଦ୍ଧ କରିବୁ, ତୁମ୍ଭେ ସେହି ସମୟରେ ଉତ୍ତମରୂପେ ସାବଧାନ ହୋଇ ଅଶ୍ୱମାନଙ୍କୁ ଚଳାଇବ ।୫୯। ହେ ରାଜନ୍‌ ! ଅର୍ଜ୍ଜୁନଙ୍କ ଆଜ୍ଞା ଅନୁସାରେ ବିରାଟଙ୍କ ପୁତ୍ର ଉତ୍ତର କିଛି ମାତ୍ର ବିଳମ୍ବ ନ କରି ଯୁଦ୍ଧପ୍ରିୟ କୃପାଚାର୍ଯ୍ୟଙ୍କ ନିକଟକୁ ରଥ ଚଳାଇଲେ ।୬୦।

 

ଅଧ୍ୟାୟ – ୫୬

 

ବୈଶମ୍ପାୟନ କହିଲେ- ମହାରାଜ ! ଉଗ୍ର ଧନୁର୍ଦ୍ଧାରୀ କୌରବରାଜ ଦୁର୍ଯ୍ୟୋଧନଙ୍କର ଭୟଙ୍କରରୂପୀ ନାନାପ୍ରକାର ବିଚିତ୍ର କବଚଧାରୀ ଅଶ୍ୱାରୋହୀ, ତୋମର ଅଙ୍କୁଶ ଦ୍ୱାରା ଚାଳିତ ଗଜାରୋହୀ, ରଥାରୋହୀ ଓ ପଦାତିକ ସୈନ୍ୟମାନେ କ୍ରମେ କ୍ରମେ ଅଗ୍ରସର ହେଉଥିବା ସମୟରେ ଧୀରସମୀରସଞ୍ଚାଳିତ ବର୍ଷାକାଳର ଜଳଧର ମାଳାପ୍ରାୟ ଦିଶୁଥିଲେ ।୨। ହେ ମହାରାଜ-! ସେହି ସମୟରେ ଦେବରାଜ ଇନ୍ଦ୍ର, ବିଶ୍ୱଗଣ, ମରୁତଗଣ, ଅଶ୍ୱିନୀକୁମାର ଓ ଅନ୍ୟାନ୍ୟ ଅମରମାନଙ୍କୁ ସଙ୍ଗରେ ଘେନି ଯୁଦ୍ଧ ଦେଖିବା ନିମିତ୍ତ ବିମାନାରୋହଣ କରି ଆକାଶ ମାର୍ଗରେ ପହଞ୍ଚିଲେ । ସେହି ସମୟରେ ଆକାଶମଣ୍ଡଳ ଓ ଯୁଦ୍ଧକ୍ଷେତ୍ର ଏହି ଦୁଇ ସ୍ଥାନ ଦେବତା, ଯକ୍ଷ, ଗନ୍ଧର୍ବ, ମହାଉରଗ ପ୍ରଭୃତିରେ ପୂର୍ଣ୍ଣ ହେବାରୁ ମେଘବିମୁକ୍ତ ଗ୍ରହମଣ୍ଡଳ ପରିପୂର୍ଣ୍ଣ ଆକାଶମଣ୍ଡଳ ପ୍ରାୟ ଅତ୍ୟନ୍ତ ମନୋହର ଦିଶୁଥିଲା ।୪।

 

ଦେବତାମାନେ ସୁବର୍ଣ୍ଣ ଓ ମଣିରତ୍ନର କୋଟି କୋଟି ସଂଖ୍ୟକ ସ୍ତମ୍ଭସମୂହରେ ସୁଶୋଭିତ ଭିନ୍ନ ଭିନ୍ନ ବିମାନ ଆରୋହଣ କରି ନାନା ସ୍ଥାନରେ ରହି ଅର୍ଜ୍ଜୁନଙ୍କ ସହିତ ଭୀଷ୍ମଙ୍କ ମହାଯୁଦ୍ଧ ଓ ଦେବଦତ୍ତ ଅସ୍ତ୍ରମାନଙ୍କର ପ୍ରଭା ଦେଖିବାକୁ ଅତିଶୟ ଇଚ୍ଛୁକ ଥିଲେ ।୬। ଇନ୍ଦ୍ରଦେବଙ୍କର ସର୍ବରତ୍ନମଣ୍ଡିତ କାମଚାରୀ ବିମାନ ସର୍ବୋତ୍କୃଷ୍ଟ ଅଟେ । ତହିଁରେ ଅତି ରମଣୀୟ ଇନ୍ଦ୍ରଙ୍କ ସଙ୍ଗରେ ତେତ୍ରିଶ ଦେବତା, ଗନ୍ଧର୍ବଗଣ, ରାକ୍ଷସଗଣ, ଭୁଜଙ୍ଗଗଣ, ପିତୃଗଣ, ମହର୍ଷିଗଣ, ରାଜା ବସୁମନା, ବଳାକ୍ଷ, ସୁପ୍ରତର୍ଦନ, ଅଷ୍ଟକ, ଶିବି, ଯଯାତି, ନହୁଷ, ଗୟ, ମନୁ, ପୁରୁ, ରଘୁ, ଭାନୁ, କୃଶାଶ୍ୱ, ସଗର, ନଳ ଇତ୍ୟାଦି ରାଜବୃନ୍ଦ ମଧ୍ୟ ବସିଥିବାର ଦେଖାଯାଉଥିଲା ।୧୦। ଅଗ୍ନି, ଶିବ, ଚନ୍ଦ୍ର, ଯମ, ବରୁଣ, ପ୍ରଜାପତି, ଧାତା, ବିଧାତା, କୁବେର, ଅଳମ୍ବୁଷ, ଉଗ୍ରସେନ ଓ ଗନ୍ଧର୍ବରାଜ ତୁମ୍ବରୁ ଏହିମାନଙ୍କର ମଧ୍ୟ ବିମାନସମୂହ ଯଥାସ୍ଥାନରେ ଶୋଭା ପାଉଥିଲା ।୧୨। ଏହି ପ୍ରକାରରେ ସମସ୍ତ ଦେବଗଣ, ସିଦ୍ଧଗଣ ଓ ମହର୍ଷିଗଣ ଏକତ୍ରିତ ହୋଇ ଅର୍ଜ୍ଜୁନଙ୍କ ସହିତ କୁରୁମାନଙ୍କର ଯୁଦ୍ଧ ଦେଖିବାକୁ ଆସିଥିଲେ ।୧୩।

 

ହେ ଭାରତ ! ବସନ୍ତ ସମୟର ଆଗମନ କାଳରେ ପୁଷ୍ପପରିପୂର୍ଣ୍ଣ ବୃକ୍ଷମାନଙ୍କ ସୌରଭରେ ଅରଣ୍ୟସମୂହ ଆମୋଦିତ ହେଲାପ୍ରାୟ ସେହି ଯୁଦ୍ଧକ୍ଷେତ୍ର ଦିବ୍ୟମାଳାମାନଙ୍କର ପବିତ୍ର ମନୋହର ସୌରଭରେ ପରିପୂର୍ଣ୍ଣ ହେଲା ।୧୪। ଦେବତାମାନଙ୍କର ରତ୍ନହାର, ଛତ୍ର, ଚାମର ଓ ମାଳା ଏହିସବୁ ଦ୍ରବ୍ୟ ଦୂରକୁ ଦିଶୁଥିଲା ।୧୫। ପୂର୍ବେ ଯେଉଁ ଧୂଳିସମୂହ ସମସ୍ତ ଦିଗକୁ ଆଚ୍ଛନ୍ନ କରିଥିଲା, ତାହା ସବୁ ଦେବତାମାନଙ୍କର କିରଣସମୂହରେ ଉଣା ହୋଇଗଲା, ପବନ ଅତି ମନୋହର ଗନ୍ଧ ବହି ବୀରମାନଙ୍କୁ ସନ୍ତୁଷ୍ଟ କରାଇଲା ।୧୬। ହେ ମହାରାଜ ! ସୁରଶ୍ରେଷ୍ଠମାନଙ୍କର ବିବିଧ ରତ୍ନମଣ୍ଡିତ, ନାନାପ୍ରକାର ବିଚିତ୍ର ରଥସମୂହ ସ୍ଥିତ ଓ ଗତାଗତ ହେଉଥିବାରୁ ଆକାଶ ମଣ୍ଡଳରେ ମନୋହର ଚିତ୍ର ଲେଖା ହେଲାପ୍ରାୟ ଜଣାଯାଉଥିଲା । କମଳଉତ୍ପଳମାଲ୍ୟଧାରୀ ଇନ୍ଦ୍ରଦେବ ସୁରଗଣଙ୍କ ସଙ୍ଗରେ ବିମାନରେ ବସି ଯୁଦ୍ଧଭୂମିରେ ନିଜ ପୁତ୍ର ଅର୍ଜ୍ଜୁନଙ୍କୁ ସହସ୍ର ଲୋଚନରେ ଦେଖୁଥିଲେ ସୁଦ୍ଧା ତୃପ୍ତିଲାଭ କରିପାରିଲେ ନାହିଁ ।୧୯।

 

ଅଧ୍ୟାୟ – ୫୭

 

ବୈଶମ୍ପାୟନ କହିଲେ- କୁରୁନନ୍ଦନ ଧନଞ୍ଜୟ କୁରୁସୈନ୍ୟମାନଙ୍କୁ ଦଳବଦ୍ଧ ହୋଇଥିବାର ଦେଖି ଉତ୍ତରଙ୍କୁ ଡାକି କରି କହିଲେ, ହେ ରାଜକୁମାର ଉତ୍ତର ! ଯାହାଙ୍କ ପତାକାରେ ସୁବର୍ଣ୍ଣର ବେଦୀ ଦିଶୁଅଛି, ତାହାଙ୍କ ଦକ୍ଷିଣପାର୍ଶ୍ୱ ମାର୍ଗରେ କୃପାଚାର୍ଯ୍ୟଙ୍କ ନିକଟକୁ ରଥ ଚଳାଅ ।୨। ବୈଶମ୍ପାୟନ କହିଲେ, ବିରାଟକୁମାର ଉତ୍ତର ଅର୍ଜ୍ଜୁନଙ୍କ ଆଦେଶ ଅନୁସାରେ ଶୀଘ୍ର ରଜତ ସଦୃଶ ଶୁଭ୍ର ସୁବର୍ଣ୍ଣମାଳାମଣ୍ଡିତ ଅଶ୍ୱମାନଙ୍କୁ ଚଳାଇଲେ ।୩। ଘୋଟକମାନେ ଶୀଘ୍ର ଚାଲିବା ନିମିତ୍ତ ଉତ୍ତର ଛାଟଣୀ ପ୍ରହାର କରିବାରୁ ଚନ୍ଦ୍ର ସଦୃଶ ଶୁଭ୍ରବର୍ଣ୍ଣ ଅଶ୍ୱମାନେ କୋପାବିଷ୍ଟ ହୋଇ ଦଉଡ଼ିଲେ-।୪। ଅଶ୍ୱବିଦ୍ୟାବିଶାରଦ ବଳିଷ୍ଠଶ୍ରେଷ୍ଠ ବିରାଟପୁତ୍ର ଉତ୍ତର କୁରୁସେନାମାନଙ୍କ ନିକଟକୁ ଯାଇ ପୁନଶ୍ଚ ସେହି ପବନସଦୃଶ୍ୟ ବେଗଗାମୀ ବାହନମାନଙ୍କୁ ଫେରାଇଲେ ।୫। ବାହନବିଦ୍ୟାବିଶାରଦ ଉତ୍ତର ଅନାୟାସରେ ବାମ ଓ ଦକ୍ଷିଣ ପାର୍ଶ୍ୱରେ ରଥ ଚଳାଉଥିବାର ଦେଖି କୌରବମାନେ ମୋହିତ ହେଲେ ।୬। ପରିଶେଷରେ ସେ ଦକ୍ଷିଣ ପାର୍ଶ୍ୱରେ ଯାଇ କୃପାଚାର୍ଯ୍ୟଙ୍କ ରଥ ନିକଟରେ ପହଞ୍ଚି ନିର୍ଭୟରେ ତାହାଙ୍କ ସମ୍ମୁଖରେ ରଥକୁ ରଖିଲେ ।୭।

 

ସେହି ସମୟରେ ଅର୍ଜ୍ଜୁନ ଉଚ୍ଚୈଃସ୍ୱରରେ ନିଜର ନାମ କୀର୍ତ୍ତନ କରି ବଳପ୍ରକାଶପୂର୍ବକ ଦେବଦତ୍ତ ଶଙ୍ଖକୁ ବଜାଇଲେ ।୮। ବଳିଷ୍ଠଶ୍ରେଷ୍ଠ ଅର୍ଜ୍ଜୁନ ଯୁଦ୍ଧକ୍ଷେତ୍ରରେ ଶଙ୍ଖ ବଜାଇବାରୁ ପର୍ବତ ଫାଟିଗଲା ପ୍ରାୟ ଅତିଶୟ ଭୟଙ୍କର ଶବ୍ଦ ଶୁଭିଲା ।୯। ଅର୍ଜ୍ଜୁନଙ୍କ ବଜାଇବା ଦ୍ୱାରା ଶଙ୍ଖ ଗୋଟିକ ଶହେ ଖଣ୍ଡ ହୋଇ ଫାଟିନ ଯିବାରୁ କୁରୁସୈନ୍ୟମାନେ ଆଶ୍ଚର୍ଯ୍ୟ ଜ୍ଞାନ କରି ତାହାକୁ ବିଶେଷ ପ୍ରଶଂସା କଲେ ।୧୦। ସେହି ଭୟଙ୍କର ଶବ୍ଦ ପର୍ବତ ଶିଖରରେ ଇନ୍ଦ୍ରଙ୍କ ହସ୍ତରୁ ବଜ୍ର ପଡ଼ିଲା ପ୍ରାୟ ପ୍ରାଣୀମାନଙ୍କ ହୃଦୟରେ ମହାଭୟ ଜାତ କରାଇ ସ୍ୱର୍ଗଲୋକ ପର୍ଯ୍ୟନ୍ତ ବ୍ୟାପିଗଲା ।୧୧। ସେହି ସମୟରେ ପରମ ଦୁର୍ଜୟ, ବଳଗର୍ବପୂର୍ଣ୍ଣ, ଅପରିମିତ ପରାକ୍ରମଶାଳୀ, ରଥୀଶ୍ରେଷ୍ଠ ଶରବ୍ଦତଙ୍କ ପୁତ୍ର ମହାବୀର କୃପାଚାର୍ଯ୍ୟ ସେହି ଶଙ୍ଖର ଶବ୍ଦ ସହିନପାରି ଅର୍ଜ୍ଜୁନଙ୍କ ଉପରେ କୋପ ପ୍ରକାଶ କରି ଯୁଦ୍ଧ କରିବା ଇଚ୍ଛାରେ ଅତିଶୀଘ୍ର ନିଜର ଶଙ୍ଖକୁ ବଜାଇଲେ । ସେହି ଶଙ୍ଖର ନିନାଦରେ ତିନିଭୁବନ କମ୍ପମାନ ହେଲା । ତାହା ଉତ୍ତାରୁ କୃପାଚାର୍ଯ୍ୟ କୋଦଣ୍ଡ ଧରି ବାରମ୍ବାର ଟଣଟଣ ଶବ୍ଦ କଲେ ।୧୪। ସୂର୍ଯ୍ୟଦେବଙ୍କ ସଦୃଶ୍ୟ ତେଜୀୟାନ୍‌, ମହାପରାକ୍ରମଶାଳୀ, ସେହି ବୀରପୁରୁଷ ଦୁହେଁ ଯୁଦ୍ଧର ଉଚିତ ସାହସକୁ ଧରି ଶରତ କାଳର ଦୁଇଗୋଟି ମେଘପ୍ରାୟ ମନୋହର ଦିଶୁଥିଲେ ।୧୫।

 

ତା’ ଉତ୍ତାରୁ କୃପାଚାର୍ଯ୍ୟ ବୈରୀବଳଗଞ୍ଜନ ଶ୍ୱେତବାହନଙ୍କୁ ଦଶଗୋଟି ଅତିଶୟ ତୀକ୍ଷ୍‌ଣ ମର୍ମଭେଦୀ ଶର ବିନ୍ଧିଲେ ।୧୬। ଅର୍ଜ୍ଜୁନ ମଧ୍ୟ ସୁବିଖ୍ୟାତ ଗାଣ୍ଡୀବ କୋଦଣ୍ଡକୁ ଆକର୍ଷଣ କରି ତାହାଙ୍କୁ ଏକାବେଳେକେ ଅସଂଖ୍ୟ ମର୍ମଭେଦୀ ଶର ବିନ୍ଧିଲେ ।୧୭। ଅର୍ଜ୍ଜୁନଙ୍କର ସେହି ରକ୍ତପାୟୀ ବାଣ କୃପାଚାର୍ଯ୍ୟଙ୍କ ଶରୀରରେ ବାଜିବା ପୂର୍ବରୁ ସେ ଶାଣିତ ଶର ବିନ୍ଧି ସମସ୍ତଙ୍କୁ ସହସ୍ର ଖଣ୍ଡରେ କାଟି ପକାଉଥିଲେ ।୧୮। ପରାକ୍ରମଶାଳୀ, ଅତିଶୟ ବୁଦ୍ଧିମାନ ମହାରଥ ଅର୍ଜ୍ଜୁନ କ୍ରୋଧରେ ଅଧୀର ହୋଇ ଅସ୍ତ୍ରଦକ୍ଷତା ପ୍ରକାଶପୂର୍ବକ ବାଣସମୂହରେ ସମସ୍ତ ଦିଗମାନଙ୍କୁ ଆଚ୍ଛନ୍ନ କରି ଏକାବେଳେକେ ଆକାଶମଣ୍ଡଳକୁ ଗୋଟିଏ ଛାୟାରେ ରଖିଲା ପ୍ରାୟ କରି ପରିଶେଷରେ ଅସଂଖ୍ୟ ଶରସମୂହରେ କୃପାଚାର୍ଯ୍ୟଙ୍କ ଶରୀରକୁ ଢାଙ୍କି ଦେଲେ । କୃପାଚାର୍ଯ୍ୟ ଅର୍ଜ୍ଜୁନଙ୍କର ଅଗ୍ନିଶିଖା ସଦୃଶ୍ୟ ସୁତୀକ୍ଷ୍‌ଣ ବାଣସମୂହରେ ନିତାନ୍ତ ପୀଡ଼ାଗ୍ରସ୍ତ ହୋଇ ଅତିଶୟ କ୍ରୋଧରେ ଅଳ୍ପ ସମୟ ମଧ୍ୟରେ ମହାତେଜସ୍ୱୀ ମହାତ୍ମା ଅର୍ଜ୍ଜୁନଙ୍କୁ ଶତ ସହସ୍ର ବାଣ ବିନ୍ଧି ଅତିଶୟ ଭୟଙ୍କର ନାଦ କଲେ ।୨୧।

 

ତାହା ଉତ୍ତାରୁ ମହାବୀର ଅର୍ଜ୍ଜୁନ ଅତି ଶୀଘ୍ର କୋଦଣ୍ଡକୁ ଧରି ସୁବର୍ଣ୍ଣ ପର୍ବାଗ୍ର, ସଂନତପର୍ବ, ଅତିଶାଣିତ, ଚାରିଗୋଟି ଉତ୍କୃଷ୍ଟ ବାଣ ଦ୍ୱାରା ତାହାଙ୍କ ଚାରି ଅଶ୍ୱକୁ ବିନ୍ଧିଲେ । ସେହି ଘୋଟକମାନେ ଅର୍ଜ୍ଜୁନଙ୍କର ପ୍ରଜ୍ଜ୍ୱଳିତ ଅଗ୍ନିସଦୃଶ ବାଣମାନଙ୍କର ଆଘାତରେ ଅତିଶୀଘ୍ର ଉପରକୁ କୁଦି ଉଠିଲେ । ଏତିକିବେଳେ କୃପାଚାର୍ଯ୍ୟ ନିଜର ବସିବା ସ୍ଥାନରୁ ଖସି ପଡ଼ିଲେ ।୨୩। ଶତ୍ରୁ ନିର୍ମୂଳକାରୀ କୁରୁନନ୍ଦନ ଅର୍ଜ୍ଜୁନ ଆଚାର୍ଯ୍ୟଙ୍କର ଖସି ପଡ଼ିବାର ଦେଖି ତାହାଙ୍କର ଗୌରବ ରଖିବା ନିମିତ୍ତ ଆଉ ଶର ସନ୍ଧାନ କଲେ ନାହିଁ । କିନ୍ତୁ କୃପାଚାର୍ଯ୍ୟ ଉଠି ଆପଣାର ପୂର୍ବ ବସିବା ସ୍ଥାନରେ ବସି ଅର୍ଜ୍ଜୁନଙ୍କୁ କଙ୍କପତ୍ରମଣ୍ଡିତ ଦଶବାଣ ବିନ୍ଧିଲେ ।୨୫। ସେହି ସମୟରେ ଅର୍ଜ୍ଜୁନ ମଧ୍ୟ ଗୋଟିଏ ଅତିଶୟ ତୀକ୍ଷ୍‌ଣ ଭଲ୍ଲ ଅସ୍ତ୍ର ବିନ୍ଧି ତାହାଙ୍କର କୋଦଣ୍ଡକୁ ଖଣ୍ଡ ଖଣ୍ଡ କଲେ ।୨୬। ତାହା ଉତ୍ତାରୁ କେତେଗୁଡ଼ିଏ ମର୍ମଭେଦୀ ଶର ବିନ୍ଧି ତହିଁରେ ତାହାଙ୍କ ଶରୀରକୁ କିଛିମାତ୍ର ବାଧା ନ ଦେଇ କେବଳ କବଚକୁ ଛିଣ୍ଡାଇ ପକାଇଲେ ।୨୭।

 

ସେହି ସମୟରେ ଆଚାର୍ଯ୍ୟଙ୍କ ଦେହ କାତିଛଡ଼ା ସର୍ପର ଦେହପ୍ରାୟ ମନୋହର ଦିଶୁଥିଲା ।୨୮। ଅର୍ଜ୍ଜୁନଙ୍କ ବାଣରେ ତାହାଙ୍କର ଦୋଦଣ୍ଡ ଭଗ୍ନ ହୋଇଥିବାରୁ ସେ ଆଉ ଗୋଟିଏ ଶରାସନ ଆଣି ତହିଁରେ ଗୁଣ ଦେବାର ଦେଖି ଲୋକେ ଆଶ୍ଚର୍ଯ୍ୟ ମଣିଥିଲେ ।୨୯। ଆଚାର୍ଯ୍ୟ ପୁନଶ୍ଚ ଶରାସନ ଧରିଥିବାରୁ ଅର୍ଜ୍ଜୁନ ଶୀଘ୍ର ସନତପର୍ବ ଶରଦ୍ୱାରା ସେହି ଧନୁକୁ ଖଣ୍ଡ ଖଣ୍ଡ କରି ପକାଇଲେ । ଆଚାର୍ଯ୍ୟ ଏହିପ୍ରାୟ ଯେତେଖଣ୍ଡ ଶରାସନ ଧରିଥିଲେ, ତାହାସବୁ ଶତ୍ରୁନିର୍ମୂଳକାରୀ ଅର୍ଜ୍ଜୁନ ଶରଦ୍ୱାରା ଖଣ୍ଡ ଖଣ୍ଡ କରୁଥିଲେ ।୩୦। ବାରମ୍ବାର ବହୁତ କୋଦଣ୍ଡ ଖଣ୍ଡ ଖଣ୍ଡ ହୋଇଯିବାରୁ ଅତିଶୟ ପ୍ରତାପଶାଳୀ କୃପାଚାର୍ଯ୍ୟ ବଜ୍ରସଦୃଶ ଏକ ଉତ୍କୃଷ୍ଟ ଶକ୍ତି ଅର୍ଜ୍ଜୁନଙ୍କ ଉପରକୁ ପକାଇଲେ ।୩।୧। ସୁବର୍ଣ୍ଣମଣ୍ଡିତ ସେହି ଶକ୍ତି ଉଲ୍‌କାପ୍ରାୟ ଅର୍ଜ୍ଜୁନଙ୍କ ଆଡ଼କୁ ଯାଉଥିବାର ଦେଖି ସେ ଦଶଗୋଟି ଶର ବିନ୍ଧି ତାହାକୁ ଦଶଖଣ୍ଡ କଲେ ।୩୩। ଶକ୍ତିର ଶକ୍ତି ହତ ହେବାରୁ କୃପାଚାର୍ଯ୍ୟ ପୁନଶ୍ଚ ଅର୍ଜ୍ଜୁନଙ୍କୁ ଏକାବେଳକେ ଦଶଟି ଉତ୍କୃଷ୍ଟ ଶାଣିତ ଭଲ୍ଲ ଅସ୍ତ୍ର ବିନ୍ଧିଲେ ।୩୪।

 

ମହାତେଜା ଅର୍ଜ୍ଜୁନ ଅତିଶୟ କ୍ରୋଧାନ୍ୱିତ ହୋଇ ଅଗ୍ନିଶିଖାସଦୃଶ୍ୟ, ଶିଳାରେ ଉତ୍କୃଷ୍ଟରୂପେ ଶାଣିତ, ତେରଗୋଟି ସାୟକ କୃପଙ୍କ ଉପରକୁ ନିକ୍ଷେପ କଲେ ।୩୫। ତହିଁ ଉତ୍ତାରୁ ଗୋଟିଏ ବାଣରେ ରଥର ଯୁଗକାଷ୍ଠକୁ, ଚାରିବାଣରେ ଚାରି ଅଶ୍ୱମାନଙ୍କୁ, ଛଅବାଣରେ ସାରଥିର ମୁଣ୍ଡକୁ, ତିନିବାଣରେ ତିନି ବେଣୁକୁ, ଦୁଇ ବାଣରେ ଚକ୍ରକୁ ଓ ବାରବାଣରେ ରଥର ପତାକାକୁ ଛେଦନ କଲେ ।୩୭। ତାହା ଉତ୍ତାରୁ ଇନ୍ଦ୍ରଙ୍କ ସଦୃଶ ଅର୍ଜ୍ଜୁନ ହସି ହସି କୃପାଚାର୍ଯ୍ୟଙ୍କ ବକ୍ଷସ୍ଥଳକୁ ତେରବାଣ ବିନ୍ଧିଲେ ।୩୮। କୃପାଚାର୍ଯ୍ୟଙ୍କର ସାରଥି ଓ ଅଶ୍ୱମାନେ ହତ ହେଲେ । କୋଦଣ୍ଡ ସବୁ ଖଣ୍ଡ ଖଣ୍ଡ ହେଲା, ତଥାପି ସେ ଅତିଶୟ ସାହସରେ ହସ୍ତରେ ଗୋଟିଏ ଗଦା ଧରି ରଥ ଉପରୁ ଡେଇଁପଡ଼ି ସେହି ଗଦାକୁ ଅର୍ଜ୍ଜୁନଙ୍କ ଉପରକୁ ପକାଇଲେ ।୩୯। କିନ୍ତୁ କୃପାଚାର୍ଯ୍ୟଙ୍କର ସେହି ପରିଷ୍କୃତ ବୃହତ୍ ଗଦାଟି କୃପଙ୍କ ହସ୍ତରୁ ଅର୍ଜ୍ଜୁନଙ୍କ ହସ୍ତକୁ ଆସୁ ଆସୁ ବାଟ ମଧ୍ୟରେ ଅର୍ଜ୍ଜୁନଙ୍କ ବାଣଦ୍ୱାରା ଆଚାର୍ଯ୍ୟଙ୍କ ଆଡ଼କୁ ଚାଲିଗଲା ।୪୦। ସେହି ସମୟରେ ଦୁର୍ଯ୍ୟୋଧନଙ୍କର ମହାବୀରମାନେ କୃପଙ୍କୁ ରକ୍ଷା କରିବା ଲାଗି ଦଳବଦ୍ଧ ହୋଇ ଅର୍ଜ୍ଜୁନଙ୍କର ଚତୁର୍ଦିଗରେ ଶରବୃଷ୍ଟି କଲେ ।୪୧। ବିରାଟଙ୍କ ପୁତ୍ର ତାହା ଦେଖି ବାମାବର୍ତ୍ତରେ ରଥକୁ ଯମକ ନାମକ ମଣ୍ଡଳାକାରରେ ବାରମ୍ବାର ଘୂରଇବାରୁ ଶତ୍ରୁମାନେ ଅପମାନିତ, ଲଜ୍ଜିତ ଓ ପରାସ୍ତ ହେଲେ ।୪୨।

 

ତାହା ଉତ୍ତାରୁ ନରଶ୍ରେଷ୍ଠମାନେ ମହାବୀର ଅର୍ଜ୍ଜୁନଙ୍କ ନିକଟରୁ ରଥଚ୍ୟୁତ କୃପାଚାର୍ଯ୍ୟଙ୍କୁ ନେଇ ଅତିଶୀଘ୍ର ପଳାଇଲେ ।

 

ଅଧ୍ୟାୟ – ୫୮

 

ବୈଶମ୍ପାୟନ କହିଲେ- କୁପାଚାର୍ଯ୍ୟ ପଳାଇଯିବା ଉତ୍ତାରୁ ଦୁର୍ଦ୍ଧର୍ଷ ଦ୍ରୋଣାଚାର୍ଯ୍ୟ, ରକ୍ତବର୍ଣ୍ଣ ଅଶ୍ୱଯୁକ୍ତ ରଥରେ ବସି ବାଣ କୋଦଣ୍ଡ ଧରି ଶ୍ୱେତବାହନଙ୍କ ସମ୍ମୁଖକୁ ଶୀଘ୍ର ଆସିଲେ ।୧। ବିଜୟୀର ଅର୍ଜ୍ଜୁନ ନିକଟକୁ ଆସୁଥିବା ସୁବର୍ଣ୍ଣ ରଥାରୋହୀ ଦ୍ରୋଣାଚାର୍ଯ୍ୟଙ୍କୁ ଚାହିଁ ଉତ୍ତରଙ୍କୁ କହିଲେ ।୨।, ହେ ରଥବାହକ ! ତୁମ୍ଭର ମଙ୍ଗଳ ହେଉ ! ଯାହାଙ୍କ ରଥର ପତାକା ସୁବର୍ଣ୍ଣ ବେଦୀର ବର୍ଣ୍ଣରେ ରୁଚିର ହେଉଅଛି, ଅତିଶୟ ସୁନ୍ଦର ବେଗଗାମୀ, ତାମ୍ରମୁଖ, ସୁଶିକ୍ଷିତ, ଚିକ୍‌କଣ ପ୍ରବାଳସଦୃଶ୍ୟ ଲୋହିତ ବୃହତ୍ ଅଶ୍ୱମାନେ ଯାହାଙ୍କ ରଥରେ ଯୋଚା ହୋଇଅଛନ୍ତି, ସେହି ଦ୍ରୋଣାଚାର୍ଯ୍ୟଙ୍କ ସୈନ୍ୟ ମଧ୍ୟକୁ ଶୀଘ୍ର ରଥ ଚଳାଅ ।୪। ହେ ଉତ୍ତର ! ବଳରୂପସମନ୍ୱିତ, ଅତି ତେଜୀୟାନ, ମହାପ୍ରତାପଶାଳୀ ଯେଉଁ ମହାତ୍ମାଙ୍କର ବାହୁବିଶାଳ, ଯେ ଶୁକ୍ରାଚାର୍ଯ୍ୟଙ୍କ ପରି ବୁଦ୍ଧିମାନ, ଯେ ବୃହସ୍ପତିଙ୍କ ପରି ନ୍ୟାୟପରାୟଣ, ଯାହାଙ୍କଠାରେ ଚାରିବେଦ, ବ୍ରହ୍ମଚର୍ଯ୍ୟ, ଧନୁର୍ବେଦ ପ୍ରୟୋଗ ଓ ସଂହାର ସହିତ ନାନାପ୍ରକାର ଦିବ୍ୟ ଅସ୍ତ୍ର ଶସ୍ତ୍ରମାନ ଓ ସତ୍ୟ ସରଳତା, କ୍ଷମା, ଅକ୍ରୁରତା, ଦମ ପ୍ରଭୃତି ଉତ୍କୃଷ୍ଟ ଗୁଣମାନ ସର୍ବଦା ରହିଥିବାରୁ ଯେ ଲୋକ ମଧ୍ୟରେ ସୁଖ୍ୟାତି ଲଭିଅଛନ୍ତି, ସେହି ଭରଦ୍ୱାଜଙ୍କ ପୁତ୍ର ମହାବୀର ଦ୍ରୋଣାଚାର୍ଯ୍ୟଙ୍କ ସଙ୍ଗରେ ମୁଁ ଯୁଦ୍ଧ କରିବାକୁ ଇଚ୍ଛାକ କରୁଅଛି; ଅତଏବ ତୁମ୍ଭେ ତାହାଙ୍କ ନିକଟକୁ ଶୀଘ୍ର ରଥ ଚାଳନ କର ।୯।

 

ବୈଶମ୍ପାୟନ କହିଲେ, କୁନ୍ତୀପୁତ୍ର ଅର୍ଜ୍ଜୁନଙ୍କ କହିବା ଅନୁସାରେ ବିରାଟରାଜାଙ୍କ କୁମର ଉତ୍ତର ସୁବର୍ଣ୍ଣମାଳାମଣ୍ଡିତ ଅଶ୍ୱମାନଙ୍କୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଚଳାଇଲେ ।୧୦। ଦ୍ରୋଣାଚାର୍ଯ୍ୟ ବୀରବର ଅର୍ଜ୍ଜୁନଙ୍କୁ ଦେଖି ଗୋଟାଏ ମତ୍ତ ହସ୍ତୀ ଅନ୍ୟ ଏକ ମତ୍ତ ହସ୍ତୀ ସଙ୍ଗରେ ଯୁଦ୍ଧ କରିବା ନିମିତ୍ତ ଯାଉଥିଲା ପ୍ରାୟ ତାହାଙ୍କ ସମ୍ମୁଖକୁ ଧାବମାନ ହେଲେ ।୧୧। ଓ ବଳପ୍ରକାଶ କରି ଶଙ୍ଖ ବଜାଇଲେ ଯେ ତାହାର ଧ୍ୱନି ଶହେଗୋଟି ଭେରୀବାଦ୍ୟର ନିନାଦ ପ୍ରାୟ ଜଣାଗଲା । ସୈନ୍ୟମାନେ ତାହା ଶୁଣି ସମୁଦ୍ର ଉଛୁଳିଲା ପ୍ରାୟ ଚଞ୍ଚଳ ଓ ଚକିତ ହେଲେ ।୧୨। ଦ୍ରୋଣାଚାର୍ଯ୍ୟଙ୍କର ରକ୍ତବର୍ଣ୍ଣ ଘୋଟକମାନେ ଅର୍ଜ୍ଜୁନଙ୍କର ହଂସସଦୃଶ୍ୟ ଧବଳ, ମନସମାନ ବେଗଗାମୀ, ଉତ୍ତମ ଘୋଟକମାନଙ୍କର ନିକଟକୁ ଆସିବାରୁ ଲୋକମାନେ ବିସ୍ମୟାବିଷ୍ଟ ହେଲେ ।୧୩। କୃତବିଦ୍ୟ, ମନସ୍ୱୀ, ଦୁର୍ଦ୍ଧର୍ଷ, ପ୍ରବଳ ପରାକ୍ରମଶାଳୀ, ଦୁର୍ଜ୍ଜୟ ଗୁରୁଶିଷ୍ୟ, ଦ୍ରୋଣ ଅର୍ଜ୍ଜୁନ ଦୁହେଁ ଯେତେବେଳେ ରଥ ଉପରେ ଥାଉ ପରସ୍ପର ଆଲିଙ୍ଗନର ସୁଖକୁ ଅନୁଭବ କରୁଥିଲେ, ସେହି ସମୟରେ ଦୁର୍ଯ୍ୟୋଧନଙ୍କ ସେନାମାନେ ଗୁରୁ ଶିଷ୍ୟଙ୍କର ମିତ୍ରତା ସଂଭାବନା କରି ଶଙ୍କା କଲେ ଯେ ଦ୍ରୋଣାଚାର୍ଯ୍ୟ ଅର୍ଜ୍ଜୁନଙ୍କ ସଙ୍ଗରେ ମିଳି ନିଶ୍ଚୟ ଆମ୍ଭମାନଙ୍କୁ ସଂହାର କରିବେ ।୧୫।

 

ତାହା ଉତ୍ତାରୁ ରିପୁନିର୍ମୂଳକାରୀ, ମହାବଳଶାଳୀ, ମହାବାହୁ, ମହାରଥ ଅର୍ଜ୍ଜୁନ, ରଥରେ ବସି ଦ୍ରୋଣଙ୍କ ରଥ ନିକଟକୁ ଆସି ହସି ହସି ତାହାଙ୍କୁ ନମସ୍କାର କରି ଅତି ମଧୁର ବଚନରେ ବିନୟପୂର୍ବକ କହିଲେ ।୧୭। ହେ ଯୁଦ୍ଧଦୁର୍ଜ୍ଜୟ ! ଆମ୍ଭେମାନେ ଅରଣ୍ୟରେ ବାସ କରିଥିଲୁ, ସମ୍ପ୍ରତି ଶତ୍ରୁମାନଙ୍କର ଅପକାର କାରବାକୁ ଇଚ୍ଛୁକ ଅଛୁ । ସେହି ନିମିତ୍ତ ଆମ୍ଭମାନଙ୍କଠାରେ ଆପଣଙ୍କର କ୍ରୋଧ କରିବାର ଉଚିତ ନୁହଇ ।୧୮। ହେ ନିଷ୍ପାପ ! ମୁଁ ବିଚାର କରିଅଛି ଯେ ଆପଣ ମତେ ପ୍ରଥମରେ ପ୍ରହାର କଲେ ମୁଁ ପଛେ ଆପଣଙ୍କୁ ପ୍ରହାର କରିବି । ଅତଏବ ଅନୁଗ୍ରହ ପ୍ରକାଶପୂର୍ବକ ମତେ ଆଗେ ପ୍ରହାର କରିବା ହେଉନ୍ତୁ ।୧୯। ତାହା ଉତ୍ତାରୁ ଦ୍ରୋଣ ଅର୍ଜ୍ଜୁନଙ୍କୁ କୋଡ଼ିଏ ଅଧିକ ଶର ବିନ୍ଧିଲେ; କିନ୍ତୁ ତାହା ସବୁ ଅର୍ଜ୍ଜୁନଙ୍କ ନିକଟକୁ ଆସୁ ଆସୁ ଦୂରରୁ ତାହାଙ୍କ ଅବ୍ୟର୍ଥ ବାଣମାନଙ୍କରେ ଖଣ୍ଡ ଖଣ୍ଡ ହୋଇଗଲେ ।୨୦। ତାହା ଉତ୍ତାରୁ ବଳିଷ୍ଠ ଶ୍ରେଷ୍ଠ ଆଚାର୍ଯ୍ୟ ଅର୍ଜ୍ଜୁନଙ୍କୁ କୋପାବିଷ୍ଟ କରାଇବା ନିମିତ୍ତ ସହସ୍ର ପରିମିତ ଶର ବିନ୍ଧି ଅର୍ଜ୍ଜୁନଙ୍କ ରଥକୁ ଆଚ୍ଛାଦିତ କଲେ ଓ ଶିଳାଶାଳ ଓ କଙ୍କପତ୍ରଯୁକ୍ତ ବାଣସମୂହରେ ଅଶ୍ୱମାନଙ୍କର ଦେହକୁ ପୂର୍ଣ୍ଣ କଲେ ।୨୨।

 

ଦ୍ରୋଣ ଓ ଅର୍ଜ୍ଜୁନ ଦୁହିଙ୍କର ଏହି ପ୍ରକାରରେ ଯୁଦ୍ଧ ହେବାରୁ ସେହି ଦୁହେଁ ସମାନରୂପେ ଅଗ୍ନିଶିଖା ସଦୃଶ୍ୟ ଶର ବୃଷ୍ଟି କରୁଥିଲେ ।୨୩। ସେହି ଦୁହିଁଙ୍କର ଅଶ୍ୱମାନେ ପର୍ବତ ସଦୃଶ୍ୟ ବେଗଗାମୀ; ସେହି ଦୁହେଁ ମଧ୍ୟ ଅତି ତେଜସ୍ୱୀ; ଅତିଶୟ ସୁଦିବ୍ୟ ଅସ୍ତ୍ରବିଶାରଦ ଓ ଖ୍ୟାତକର୍ମା ଥିଲେ; ସେହି ହେତୁରୁ ସମାନରୂପେ ଶରବୃଷ୍ଟି କରୁଥିବାରୁ ରାଜାମାନେ ତାହା ଦେଖି ମୋହିତ ହେଉଥିଲେ ।୨୪। ସମସ୍ତ ବୀରପୁରୁଷମାନେ ଚକିତ ହୋଇ ଶୀଘ୍ର ଶୀଘ୍ର ବାଣବୃଷ୍ଟି କରୁଥିବା ଦ୍ରୋଣ ଅର୍ଜ୍ଜୁନ ଦୁହିଁଙ୍କୁ ଧନ୍ୟ ଧନ୍ୟ ବୋଲି ବିଶେଷ ପ୍ରଶଂସା କରୁଥିଲେ ।୨୫। ସମସ୍ତେ ଏହି କଥା କହୁଥିଲେ, ଦ୍ରୋଣଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଅର୍ଜ୍ଜୁନଙ୍କ ବ୍ୟତୀତ କାହାର ସାହସ ହୁଅନ୍ତା ନାହିଁ । ଓଃ ! କ୍ଷତ୍ରିୟ ଧର୍ମ କେଡ଼େ ଭୟଙ୍କର ଅଟେ; ଏହି ଧର୍ମର ପ୍ରଭାବରେ ଶିଷ୍ୟ ଗୁରୁଙ୍କୁ ଅସ୍ତ୍ର ବିନ୍ଧିବାକୁ ଟିକିଏ ମାତ୍ର ଭୟ କରୁ ନାହାନ୍ତି ।୨୬।

 

ସେହି ମହାବାହୁ ବୀରଦୁହେଁ ପରସ୍ପର ନିକଟରେ ରହି ଶରବର୍ଷଣ ଦ୍ୱାରା ଆଚ୍ଛାଦିତ ହେଲେ ସୁଦ୍ଧା କାହାରି ପରାଜୟ ହୋଇନଥିଲା ।୨୭। ତାହା ଉତ୍ତାରୁ ମହାବାହୁ ମହାବୀର ଦ୍ରୋଣ, କ୍ରୋଧରେ ସୁବର୍ଣ୍ଣପୁଷ୍ପ କୋଦଣ୍ଡରେ ଗୁଣ ଦେଇ ନୂତନ ଜଳଧର ପର୍ବତ ଉପରେ ଜଳଧାରାସମୂହ ବୃଷ୍ଟି କଲାପ୍ରାୟ ଅର୍ଜ୍ଜୁନଙ୍କ ଉପରେ ଅତି ବେଗଗାମୀ, ଅତି ତୀକ୍ଷ୍‌ଣ ବାଣସମୂହ ବର୍ଷଣ କଲେ ଓ ଅତ୍ୟନ୍ତ ଉଜ୍ଜ୍ୱଳ, ଶାଣିତ ସାୟକମାନଙ୍କରେ ତାହାଙ୍କର ରଥକୁ ଏ ପ୍ରକାର ଆଚ୍ଛନ୍ନ କଲେ ଯେ, ସେହି ରଥ ଭିତରେ ସୂର୍ଯ୍ୟଙ୍କ କିରଣ ପଡ଼ିଲା ନାହିଁ ।୩୦। ବୀରବର ଧନଞ୍ଜୟ ମଧ୍ୟ ଅତି ଆହ୍ଲାଦିତ ହୋଇ ଶୀଘ୍ର ଶତ୍ରୁମର୍ଦନକ୍ଷମ, ଉତ୍ତମ, ଭାରସହିଷ୍ଣୁ, ଦିବ୍ୟଗାଣ୍ଡୀବ କୋଦଣ୍ଡଧାରୀ ସୁବର୍ଣ୍ଣଖଚିତ ବିଚିତ୍ର ବାଣସମୂହ ବର୍ଷଣ କରିବାରୁ ଭରଦ୍ୱାଜଙ୍କ ଶରାସନବିମୁକ୍ତ ଶରସମୂହ ଖଣ୍ଡ ଖଣ୍ଡ ହେଲା । ତାହା ଦେଖି ବୀରସମୂହ ଚମତ୍କାର ମଣିଲେ ।୩୨। ଅର୍ଜ୍ଜୁନ ରଥରେ ବସି ଚାରି ଦିଗରେ ଭ୍ରମଣ କରି ସର୍ବଦା ବାଣବୃଷ୍ଟି କରୁଥିଲେ ।୩୩। ସେହି ସମୟରେ ଅର୍ଜ୍ଜୁନଙ୍କ ବାଣସମୂହରେ ଆକାଶମଣ୍ଡଳ ଏ ପ୍ରକାର ପ୍ରଗାଢ଼ ଅନ୍ଧକାରରେ ଆଚ୍ଛନ୍ନ ହେଲା ଯେ ଦ୍ରୋଣାଚାର୍ଯ୍ୟ କୁହୁଡ଼ି ଭିତରେ ରହିଲା ପ୍ରାୟ ଆଉ ଦିଶିଲେ ନାହିଁ ।୩୪।

 

ଗ୍ରୀଷ୍ମକାଳରେ ପର୍ବତରେ ଅଗ୍ନି ପ୍ରଜ୍ଜ୍ୱଳିତ ହେଉଥିଲେ ସେ ଯେ ପ୍ରକାର ଦିଶୁଥାଏ, ଦ୍ରୋଣାଚାର୍ଯ୍ୟ ଅର୍ଜ୍ଜୁନଙ୍କ ବାଣସମୂହରେ ଆଚ୍ଛାଦିତ ହୋଇ ସେହିପ୍ରାୟ ଦିଶୁଥିଲେ ।୩୫। ରଣଭୂମିମଣ୍ଡନ ଦ୍ରୋଣଙ୍କ ରଥ ଅର୍ଜ୍ଜୁନଙ୍କ ବାଣସମୂହରେ ଆଚ୍ଛନ୍ନ ହେବାରୁ ମେଘ ନିର୍ଘୋଷ ସଦୃଶ୍ୟ ଭୟଙ୍କର ଗର୍ଜନକାରକ ଅଗ୍ନିଚକ୍ରର ଆକୃତି ବିଶିଷ୍ଟ, ଉତ୍କୃଷ୍ଟ ଆୟୁଧ କୋଦଣ୍ଡକୁ ଟଂକାରିତ ଓ ଆକର୍ଷଣ କରି ଦ୍ରୋଣ ନିରନ୍ତର ବାଣସୃଷ୍ଟି ବିଷୟରେ ଏତାଦୃଶ ଆସକ୍ତ ହେଲେ ଯେ ତାହାଙ୍କ ବାଣସମୂହର ଆଘାତରେ ଅର୍ଜ୍ଜୁନଙ୍କ ବାଣସମୂହ ଖଣ୍ଡ ଖଣ୍ଡ ହେଲା ଓ ସେହି କାଳରେ ଦଗ୍ଧ ବାଂଶର ଗଣ୍ଠି ଫାଟିଲାପ୍ରାୟ ଅତି ଭୟଙ୍କର ଶବ୍ଦ ଶୁଭୁଥିଲା !୩୮। ଅତି ବୁଦ୍ଧିମାନ ଦ୍ରୋଣାଚାର୍ଯ୍ୟଙ୍କର ସୁବର୍ଣ୍ଣପୁଙ୍ଖଯୁକ୍ତ ବାଣମାନଙ୍କରେ ସମସ୍ତ ଦିଗ ଓ ଆକାଶମଣ୍ଡଳ ଆଚ୍ଛନ୍ନ ହେଲା ।୩୯। ସେହି ସମୟରେ ଆକାଶମଣ୍ଡଳରେ କେବଳ ଆକାଶଗାମୀ, ସଂନତପର୍ବ, ସୁବର୍ଣ୍ଣପୁଙ୍ଖଯୁକ୍ତ ବାଣମାନେ ଦୁଶୁଥିଲେ ।୪୦।

 

ଦ୍ରୋଣାଚାର୍ଯ୍ୟଙ୍କ ଶରାସନରୁ ବାଣସମୂହ ବାହାରି ଅକ୍ଷୟ ରୂପରେ ଆକାଶମଣ୍ଡଳରେ ଚାଲୁଥିବାରୁ ସେସବୁ ଗୋଟିଏ ମାତ୍ର ସୁଦୀର୍ଘ ବାଣପ୍ରାୟ ଦିଶୁଥିଲେ ।୪୧। ଏହି ପ୍ରକାରରେ ଦ୍ରୋଣଅର୍ଜ୍ଜୁନଙ୍କର ସୁବର୍ଣ୍ଣମୟ ସାୟକସମୂହ ନିରନ୍ତର ଚାଲୁଥିବାରୁ ଆକାଶମଣ୍ଡଳ ଉଲ୍‌କାମାଳାରେ ପରିପୂର୍ଣ୍ଣ ହେଲାପ୍ରାୟ ଜଣାଯାଉଥିଲା ।୪୨। ସେହି ମହାବାହୁ ବୀର ଦୁହିଁଙ୍କର କଂକପକ୍ଷଯୁକ୍ତ ବାଣମାନେ ଶରତ୍‌କାଳରେ ଆକାଶମାର୍ଗରେ ଉଡ଼ି ଯାଉଥିବା ହଂସମାଳାପ୍ରାୟ ମନୋହର ଦିଶୁଥିଲେ ।୪୩। ବୃତ୍ରାସୁର ସଙ୍ଗରେ ଇନ୍ଦ୍ରଦେବଙ୍କ ଯୁଦ୍ଧ ହେଲାପ୍ରାୟ ଦ୍ରୋଣ ଅର୍ଜ୍ଜୁନ ଦୁହିଁଙ୍କର ମହାଭୟଙ୍କର ସମର ହେଉଥିଲା ।୪୪। ଯୋଡ଼ାଏ ହସ୍ତୀ କ୍ରୋଧଯୁକ୍ତ ହୋଇ ଦନ୍ତ ଅଗ୍ରରେ ପରସ୍ପରକୁ ଆଘାତ କଲାପ୍ରାୟ ଦ୍ରୋଣ ଅର୍ଜ୍ଜୁନ ଦୁହେଁ ସୁତୀକ୍ଷ୍‌ଣ ଶରସମୂହରେ ପରସ୍ପରକୁ ଦୃଢ଼ତର ଆଘାତ କରୁଥିଲେ ।୪୫।

 

ରଣଭୂମିମଣ୍ଡନ ଦ୍ରୋଣ ଅର୍ଜ୍ଜୁନ ଦୁହେଁ ପରସ୍ପର ଦିବ୍ୟଶରମାନଙ୍କୁ ବିନ୍ଧି ଅତି ସାହସରେ ଧର୍ମଯୁଦ୍ଧ କରୁଥିଲେ । ୪୬। ଆଚାର୍ଯ୍ୟଶ୍ରେଷ୍ଠ ଦ୍ରୋଣ ଯେତେ ଯେତେ ଶିଳାଶାଣିତ ବାଣସମୂହ ବିନ୍ଧୁଥିଲେ, ମହାବୀର ବିଜୟୀବର ଅର୍ଜ୍ଜୁନ ଶାଣିତ ସୁତୀକ୍ଷ୍‌ଣ ଶରମାନଙ୍କଦ୍ୱାରା ତାହା ସବୁ ଅତି ଶୀଘ୍ର ନିବାରଣ କରୁଥିବାରୁ ଦର୍ଶକମାନେ ଚକିତ ହେଉଥିଲେ ଓ ଆକାଶମଣ୍ଡଳ ନିରନ୍ତର ବାଣସମୂହରେ ପୂର୍ଣ୍ଣ ହୋଇଥିଲା ।୪୮। ନରଶ୍ରେଷ୍ଠ ଦ୍ରୋଣ ଅର୍ଜ୍ଜୁନ ଦୁହିଁଙ୍କ ଯୁଦ୍ଧ ଅତି ପୂର୍ବକାଳର ଦେବାସୁର ଯୁଦ୍ଧ ପ୍ରାୟ ଅତ୍ୟନ୍ତ ଭୟଙ୍କର ହୋଇଥିଲା । ଶସ୍ତ୍ରଧାରୀଶ୍ରେଷ୍ଠ ଆଚାର୍ଯ୍ୟମୁଖ୍ୟ ଦ୍ରୋଣ ତାହାଙ୍କ ବଧକାମନାକାରୀ ମହାତେଜା ନରଶାର୍ଦ୍ଦୁଳ ଅର୍ଜ୍ଜୁନଙ୍କ ସାଙ୍ଗରେ ଶିଷ୍ୟବାତ୍ସଲ୍ୟ ପ୍ରକାଶପୂର୍ବକ ତାହାଙ୍କ ସୁଦିବ୍ୟ ଶରମାନଙ୍କୁ ସଂନତପର୍ବ ଅସ୍ତ୍ରମାନଙ୍କଦ୍ୱାରା ନିବାରଣ କରି ଖେଳୁଥିବା ପ୍ରାୟ ଉପମାକୁ ଧରିଥିଲେ ।୫୧। ଦ୍ରୋଣାଚାର୍ଯ୍ୟ, ଇନ୍ଦ୍ର, ବାୟବ୍ୟ ଓ ଆଗ୍ନେୟ ଅସ୍ତ୍ରମାନଙ୍କୁ ପୁନଃ ପୁନଃ ବିନ୍ଧିବାମାତ୍ରେ ପାଣ୍ଡବଶ୍ରେଷ୍ଠ ଅର୍ଜ୍ଜୁନ ତାହାସବୁ ନିଜ ଅସ୍ତ୍ରମାନଙ୍କରେ ନିବାରଣ କରୁଥିଲେ ।୫୨।

 

ସେହି ଦୁଇ ମହାନ୍ ବୀର ସୁତୀକ୍ଷ୍‌ଣ ବାଣମାନଙ୍କୁ ଏପରି ବୃଷ୍ଟି କଲେ ଯେ ଆକାଶ ଅନ୍ଧକାରରେ ଆଚ୍ଛନ୍ନ ହୋଇଗଲା ।୫୩। ଅର୍ଜ୍ଜୁନଙ୍କ ବାଣସବୁ ଯେତେବେଳେ ଦେହଧାରୀମାନଙ୍କ ଉପରେ ପଡ଼ୁଥିଲା, ସେତେବେଳେ ପର୍ବତ ଉପରେ ପତିତ ବଜ୍ରପ୍ରାୟ ଭୟଙ୍କର ଶବ୍ଦ ଶୁଣାଯାଉଥିଲା ।୫୪। ହେ ଜନ୍ମେଜୟ ! ସେତେବେଳେ ଗଜାରୋହୀ, ରଥୀ ଓ ଅଶ୍ୱାରୋହୀ ସୈନ୍ୟମାନେ ରକ୍ତରଞ୍ଜିତ ହୋଇ ପୁଷ୍ପିତ ପଲାଶ ବୃକ୍ଷପ୍ରାୟ ଦେଖାଯାଉଥିଲେ ।୫୫। ଦ୍ରୋଣାଚାର୍ଯ୍ୟ ଓ ଅର୍ଜ୍ଜୁନଙ୍କ ମଧ୍ୟରେ ହୋଇଥିବା ଏହି ସମରରେ ପାର୍ଥଙ୍କ ବାଣରେ ବିଦ୍ଧ ହୋଇ ଅସଂଖ୍ୟ ଯୋଦ୍ଧା ନିହତ ହେଲେ । ଅନେକଙ୍କର କେୟୁରଭୂଷିତ ବାହୁମାନ କଟିଯାଇ ଭୂତଳରେ ପତିତ ହେଲା । ବିଚିତ୍ର ବେଶଭୂଷାଧାରୀ ବୀରମାନେ ଧରାଶାୟୀ ହେଲେ । ସୁବର୍ଣ୍ଣଘଟିତ ବିଚିତ୍ର କବଚ ଓ ଧ୍ୱଜାସବୁ ଇତସ୍ତତଃ ବିକ୍ଷିପ୍ତ ହୋଇ ପଡ଼ିଲା । ଏହିସବୁ କାରଣରୁ ସେହି ସେନାମାନେ ଭୟରେ ଅଚେତନ ପରି ହୋଇ ଯାଇଥିଲେ ।୫୭।

 

ସେହି ବୀର ଦୁହିଁଙ୍କର ଧନୁଦ୍ୱୟ ଭାର ସହିବାକୁ ସମର୍ଥ ଥିଲା । ସେମାନେ ସେହି ଧନୁକୁ କମ୍ପିତ କରି ସୁତୀକ୍ଷ୍‌ଣ ବାଣଦ୍ୱାରା ପରସ୍ପରକୁ ବିଦ୍ଧ ଓ ଆଚ୍ଛାଦିତ କରି ଦେଉଥିଲେ ।୫୮। ହେ ଭାରତଶ୍ରେଷ୍ଠ ଜନ୍ମେଜୟ ! ତଦନନ୍ତର ଦ୍ରୋଣ ଓ କୁନ୍ତୀପୁତ୍ରଙ୍କ ମଧ୍ୟରେ ବଳି ଓ ଇନ୍ଦ୍ରଙ୍କ ଯୁଦ୍ଧ ପ୍ରାୟ ତୁମୁଳ ସଂଗ୍ରାମ ହେଲା ।୫୯। ସେହି ସମୟରେ ଜୀବନକୁ ପଣ ରଖି ସେହି ବୀରଦ୍ୱୟ ଧନୁକୁ ଆକର୍ଣ୍ଣ ଆକର୍ଷଣ କରି ଘୋରତର ଆନତ ବାଣଦ୍ୱାରା ପରସ୍ପରକୁ ବିଦୀର୍ଣ୍ଣ କଲେ ।୬୦। ଏହି ସମୟରେ ଦ୍ରୋଣାଚାର୍ଯ୍ୟଙ୍କ ପ୍ରଶଂସା କରୁଥିବା ଦେବତାମାନଙ୍କର ଏହି ଧ୍ୱନି ଆକାଶରୁ ଶୁଣାଗଲା- ‘ଅହୋ ! ଦ୍ରୋଣାଚାର୍ଯ୍ୟ ଅର୍ଜ୍ଜୁନଙ୍କ ସଙ୍ଗରେ ଯୁଦ୍ଧରେ ବ୍ୟାପୁତ ରହି ବଡ଼ ଦୁଷ୍କର କାର୍ଯ୍ୟ କରିଅଛନ୍ତି । ଧନଞ୍ଜୟ ଶତ୍ରୁମର୍ଦ୍ଦନକାରୀ, ମହାପରାକ୍ରମୀ, ଦୃଢ଼ମୁଷ୍ଟି, ଦୁର୍ଦ୍ଧର୍ଷ ଏବଂ ଦୈତ୍ୟ ଓ ଦେବତାମାନଙ୍କୁ ପରାଜୟ କରିବାକୁ ସମର୍ଥ ଅଟନ୍ତି ।’

 

ସେହି ଯୁଦ୍ଧକ୍ଷେତ୍ରରେ ଅର୍ଜ୍ଜୁନଙ୍କର ଭ୍ରାନ୍ତିଶୂନ୍ୟ ଅସ୍ତ୍ରଚାଳନା, ହସ୍ତର ଶୀଘ୍ରତା ଏବଂ ଦୂରକୁ ବାଣ ମାରିବାର କୌଶଳ ଦେଖି ଦ୍ରୋଣଙ୍କ ମନରେ ମଧ୍ୟ ବିସ୍ମୟ ଜାତ ହେଲା ।୬୩। ହେ ଜନ୍ମେଜୟ ! ତତ୍ପରେ କୁନ୍ତୀପୁତ୍ର ଗାଣ୍ଡୀବ ଧନୁକୁ ଉଚ୍ଚକୁ ଉଠାଇ କୋପାବିଷ୍ଟ ଚିତ୍ତରେ ଶର ବିନ୍ଧିବାକୁ ଆରମ୍ଭ କଲେ ।୬୪। ଶଲଭଦଳପରି ତାଙ୍କର ବାଣବୃଷ୍ଟି ଦେଖି ସୈନିକମାନେ ଚକିତ ହୋଇ ସାଧୁ-ସାଧୁ କହିବାକୁ ଲାଗିଲେ ।୬୫।

 

ଅର୍ଜ୍ଜୁନ ଏ ପ୍ରକାର ପ୍ରଗାଢ଼ ଭାବରେ ବାଣସମୂହ ବର୍ଷଣ କଲେ ଯେ ତାହା ମଧ୍ୟରେ ପବନ ଯାଇ ପାରୁନଥିଲା । ସେ କେତେବେଳେ ଶର ଧରନ୍ତି ଓ କେତେବେଳେ ବିନ୍ଧନ୍ତି, ତାହା କେହି ଜାଣିପାରୁନଥିଲେ ।୬୭। ଦୁହିଁଙ୍କର ଘୋରତର ଅସ୍ତ୍ରଯୁଦ୍ଧ ହେବାରୁ ଅର୍ଜ୍ଜୁନ ଅତି ଶୀଘ୍ର ଏତାଦୃଶ ବାଣ ବୃଷ୍ଟି କଲେ ଯେ ତହିଁରେ ଦ୍ରୋଣାଚାର୍ଯ୍ୟଙ୍କ ଉପରେ ଏକାବେଳକେ ସଂନତପର୍ବ ଏକଲକ୍ଷ ବାଣ ପଡ଼ିଲା ।୬୮। ହେ ଭାରତଶ୍ରେଷ୍ଠ ! ଦ୍ରୋଣ, ଗାଣ୍ଡୀବ ଧନୁର୍ଦ୍ଧାରୀ ଅର୍ଜ୍ଜୁନଙ୍କ ବାଣସମୂହରେ ଆଚ୍ଛାଦିତ ହେବାରୁ କୌରବ ସୈନ୍ୟମାନେ ହାହାକାର ଧ୍ୱନି କଲେ ।୭୦। ଇନ୍ଦ୍ର, ଗନ୍ଧର୍ବ ଓ ଅପ୍‌ସରା ପ୍ରଭୃତି ଯେତେ ଦର୍ଶକ ସେଠାରେ ଥିଲେ, ସମସ୍ତେ ପାଣ୍ଡବମାନଙ୍କର ଅସ୍ତ୍ରବୃଷ୍ଟିକୁ ବାରମ୍ବାର ପ୍ରଶଂସା କରୁଥିଲେ ।୭୧। ତାହା ଉତ୍ତାରୁ ରଥଯୁଥପତି ଆଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍‌ଥାମା ରଥମାନଙ୍କୁ ସଙ୍ଗରେ ଘେନି ହଠାତ୍ ଅର୍ଜ୍ଜୁନଙ୍କ ନିକଟରେ ପ୍ରବେଶ କରି ତାହାଙ୍କୁ ନିବାରଣ କଲେ ।୭୨।

 

ଅଶ୍ୱତ୍‌ଥାମା ଅର୍ଜ୍ଜୁନଙ୍କ ଯୁଦ୍ଧଚାତୁରୀ ଦେଖି ମନେ ମନେ ତାହାଙ୍କୁ ବିଶେଷ ପ୍ରଶଂସା କରୁଥିଲେ; କିନ୍ତୁ ନିଜ ପିତୃଙ୍କ ପରାଜୟ ହେତୁରୁ ତାହାଙ୍କଠାରେ ଅତିଶୟ କୋପାବିଷ୍ଟ ମଧ୍ୟ ହୋଇଥିଲେ ।୭୩। ସେ ଅର୍ଜ୍ଜୁନଙ୍କୁ କ୍ରୋଧରେ ଆକ୍ରମଣ କରି ବର୍ଷାକାଳର ବୃଷ୍ଟିକାରୀ ମେଘପ୍ରାୟ ଜଳଧାରା ସଦୃଶ୍ୟ ସହସ୍ର ସହସ୍ର ବାଣମାନଙ୍କୁ ବୃଷ୍ଟିକଲେ । ସେହି ସମୟରେ ମହାବାହୁ ଅର୍ଜ୍ଜୁନ ଅଶ୍ୱତ୍‌ଥାମାଙ୍କ ଅଶ୍ୱମାନଙ୍କୁ ଫେରାଇ ଆଣି ଦ୍ରୋଣାଚାର୍ଯ୍ୟଙ୍କ ପଳାଇଯିବା ନିମିତ୍ତ ଅବସର ଦେଲେ-।୭୫। ଅର୍ଜ୍ଜୁନଙ୍କ ବାଣସମୂହର ଆଘାତରେ ଦ୍ରୋଣାଚାର୍ଯ୍ୟଙ୍କ କବଚ ଛିନ୍ନ ହୋଇଥିବାରୁ ଅଙ୍ଗପ୍ରତ୍ୟଙ୍ଗରୁ ରକ୍ତଧାରା ବାହାରୁଥିଲା ଓ ରଥର ଧ୍ୱଜ ମଧ୍ୟ ଛିଡ଼ି ଯାଇଥିବାରୁ ସେ ଯୁଦ୍ଧଭୂମିରୁ ପଳାଇ ଯିବାକୁ କେବଳ ସମୟ ଖୋଜୁଥିଲେ । ସେହି ସମୟରେ ସେ ଅବସର ପାଇବାରୁ ବେଗଗାମୀ ଯାନରେ ବସି ଶୀଘ୍ର ପଳାଇଲେ ।୭୬।

 

ଅଧ୍ୟାୟ – ୫୯

 

ବୈଶମ୍ପାୟନ କହିଲେ- ହେ ମହାରାଜ ! ଯୁଦ୍ଧଭୂମିରେ ଅଶ୍ୱତ୍‌ଥାମା ଅର୍ଜ୍ଜୁନଙ୍କୁ ଆକ୍ରମଣ କରିବାରୁ ସେ ମଧ୍ୟ ବୃଷ୍ଟିକାରକ ନୂତନ ମେଘସଦୃଶ୍ୟ ମହାଶରସମୂହ ବର୍ଷଣ କରି ଗରୁଡ଼ ସର୍ପକୁ ଧରିଲାପ୍ରାୟ ଅଶ୍ୱତ୍‌ଥାମାଙ୍କୁ ଆକ୍ରମଣ କଲେ ।୧। ସେହି ଦୁହିଁଙ୍କର ଯୁଦ୍ଧ ଦେବାସୁର ଯୁଦ୍ଧପ୍ରାୟ ମନୋହର ହୋଇଥିଲା ଓ ସେହି ଦୁହେଁ ପରସ୍ପର ବାଣସମୂହରେ ଆଚ୍ଛାଦିତ ହୋଇଥିବାରୁ ବୃତ୍ରାସୁର ସୁନାସୀର ଛବିକି ଧରିଥିଲେ ।୨। ହେ ପରନଗରବିଜୟୀ ! ସେହି ବୀରଦୁହିଁଙ୍କର ଶରସମୂହରେ ଆକାଶମଣ୍ଡଳ ଓ ସମସ୍ତ ଦିଗ ଆଚ୍ଛନ୍ନ ହେବାରୁ ଆଦୌ ପବନର ସଞ୍ଚାର ହେଲାନାହିଁ କି ସୂର୍ଯ୍ୟଦେବଙ୍କର କିରଣ ପଡ଼ିଲା ନାହିଁ । କେବଳ ବାଣମାନଙ୍କ ଆଘାତରେ ବାଉଁଶସମୂହ ପୋଡ଼ିହୋଇ ଗଲାବେଳେ ସେମାନଙ୍କ ଗଣ୍ଠି ଫୁଟିଲାପ୍ରାୟ ଚଟ୍ ଚଟ୍ ଶବ୍ଦ ଶୁଭୁଥିଲା-।୪। କିଛି ସମୟ ଉତ୍ତାରୁ ଅଶ୍ୱତ୍‌ଥାମାଙ୍କ ବଳବନ୍ତ ଅଶ୍ୱମାନେ ଅର୍ଜ୍ଜୁନଙ୍କ ଶରସମୂହର ଆଘାତରେ ନିର୍ଜୀବ ହେଲାପ୍ରାୟ ମୋହିତ ହେଲେ ।

 

ହେ ମହାରାଜ ଧନଞ୍ଜୟ ! ଅଶ୍ୱତ୍‌ଥାମାଙ୍କ ଅଶ୍ୱମାନଙ୍କୁ ମୋହିତ କରି ତାହାଙ୍କ ନିମିତ୍ତ ଶରସନ୍ଧାନ କଲା ସମୟରେ ଦ୍ରୋଣକୁମର କ୍ଷୁର ଅସ୍ତ୍ରଦ୍ୱାରା ତାହାଙ୍କ ଗାଣ୍ଡୀବ କୋଦଣ୍ଡର ଗୁଣକୁ କାଟି ପକାଇଲେ । ସେହି ସମୟରେ ଦେବତାମାନେ ତାହାଙ୍କର ଅତିମାନୁଷ କାର୍ଯ୍ୟ ଦେଖି ବିଶେଷ ପ୍ରଶଂସା କଲେ ଓ ଦ୍ରୋଣ, ଭୀଷ୍ମ, କର୍ଣ୍ଣ, କୃପାଚାର୍ଯ୍ୟ ପ୍ରଭୃତି ମହାବୀରମାନେ ମଧ୍ୟ ଚକିତ ହୋଇ ‘ଧନ୍ୟ ଅଶ୍ୱତ୍‌ଥାମା, ଧନ୍ୟ ଅଶ୍ୱତ୍‌ଥାମା’ ବୋଲି ବାରମ୍ବାର କହୁଥିଲେ ।୭। ତାହା ଉତ୍ତାରୁ ବୀରବର ଅଶ୍ୱତ୍‌ଥାମା ସ୍ୱକୀୟ କୋଦଣ୍ଡ ଆକର୍ଷଣ କରି କଙ୍କପତ୍ରଯୁକ୍ତ ସୂତୀକ୍ଷ୍‌ଣ ବାଣମାନଙ୍କରେ ମହାବାହୁ ଅର୍ଜ୍ଜୁନଙ୍କର ବକ୍ଷସ୍ଥଳକୁ ଆଘାତ କଲେ ।୮। ତାହା ଉତ୍ତାରୁ ମହାବାହୁ ଅର୍ଜ୍ଜୁନ ଉଚ୍ଚସ୍ୱରରେ ହସି ଗାଣ୍ଡୀବ କୋଦଣ୍ଡରେ ନୂତନ ମୌର୍ବୀ ଗୁଣ ଲଗାଇଲେ ।୯। ଓ ଅର୍ଦ୍ଧଚନ୍ଦ୍ର ଆକାରରେ ରଥକୁ ପ୍ରଦକ୍ଷିଣ କରି ଗୋଟାଏ ହସ୍ତୀଯୁଥପତି ଅନ୍ୟ ଏକ ପ୍ରମତ୍ତ ହସ୍ତୀଯୁଥପତିର ନିକଟକୁ ଗଲାପ୍ରାୟ ଦ୍ରୋଣପୁତ୍ର ଅଶ୍ୱତ୍‌ଥାମାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ।୧୦।

 

ତାହା ଉତ୍ତାରୁ ସେହି ଉତ୍କୃଷ୍ଟ ବୀର ଦୁହେଁ ଏତାଦୃଶ ଭୟଙ୍କର ଯୁଦ୍ଧ କଲେ ଯେ ତାହା ଦେଖି ଦର୍ଶକମାନଙ୍କର ସର୍ବାଙ୍ଗ ପୁଲକମାଳାରେ ପୂର୍ଣ୍ଣ ହେଲା ।୧୧। ମହାପରାକ୍ରମଶାଳୀ ସେହି ବୀରବର ଦୁହେଁ ଦୁଇଗୋଟି ଯୂଥପତିଙ୍କପ୍ରାୟ ମହାଯୁଦ୍ଧ କରୁଥିବାରୁ ସମସ୍ତ କୌରବ ସେନାମାନେ ଦେଖି ଚକିତ ହେଉଥିଲେ ।୧୨। ପୁରୁଷୋତ୍ତମ ବୀରବର ଅର୍ଜ୍ଜୁନ ଓ ଅଶ୍ୱତ୍‌ଥାମା ଦୁହେଁ ପରସ୍ପରଙ୍କ ଉପରକୁ ମହାବିଷଧର ସଦୃଶ୍ୟ ଭୟଙ୍କର ଆକାରଧାରୀ ଓ ପ୍ରଜ୍ଜ୍ୱଳିତ ଅଗ୍ନିଶିଖାର ଉପମିତ ଶାଣିତ ବାଣସମୂହ ବୃଷ୍ଟି କଲେ ।୧୩। ମହାବୀର ମହାତ୍ମା ପାଣ୍ଡବ ଅର୍ଜ୍ଜୁନଙ୍କର ଦୁଇଗୋଟି ଶର କୋଷରେ ଥାଏ ଯେ ତାହା କଦାପି ଶୂନ୍ୟ ହୁଏ ନାହିଁ, ସର୍ବଦା ପୂର୍ଣ୍ଣ ଥାଏ; ସେହିକାରଣରୁ ସେ ଅଚଳପ୍ରାୟ ଅଟଳ ରହି ଯୁଦ୍ଧ କରୁଥିଲେ ।୪। ଅଶ୍ୱତ୍‌ଥାମାଙ୍କ ତୂଣୀରରୁ ସର୍ବଦା ବାଣ ବାହାରୁଥିବାରୁ ତାହା ଶୀଘ୍ର ବାଣଶୂନ୍ୟ ହେଲା; ଅତଏବ ଅର୍ଜ୍ଜୁନ ଅନାୟାସାରେ ଅଶ୍ୱତ୍‌ଥାମାଙ୍କୁ ପରାଜୟ ଦେଲେ ।୧୫।

 

ତାହାପରେ କର୍ଣ୍ଣ ରାଜା ଅତିଶୟ କ୍ରୋଧରେ ଅଧୀର ହୋଇ ଉତ୍କୃଷ୍ଟ ଶରାସନ ଆକର୍ଷଣପୂର୍ବକ ଅର୍ଜ୍ଜୁନଙ୍କ ଉପରକୁ ବାଣବୃଷ୍ଟି କରିବାରୁ ସୈନ୍ୟମାନଙ୍କ ମଧ୍ୟରେ ବଡ଼ ହାହାକାର ଶବ୍ଦ ଜନ୍ମିଲା ।୧୬। ସେହି ସମୟରେ କୁରୁପୁଙ୍ଗବ ଅର୍ଜ୍ଜୁନ ଚତୁର୍ଦ୍ଦିଗକୁ ଚାହିଁ କୋଦଣ୍ଡ ଆକର୍ଷଣକାରୀ କର୍ଣ୍ଣଙ୍କୁ ଦେଖି ଅତିଶୟ କୋପାବିଷ୍ଟ ହେଲେ ।୧୭। ଓ ତାହାଙ୍କୁ ସଂହାର କରିବା ଇଚ୍ଛାରେ ଦୁଇ ଚକ୍ଷୁକୁ ଚକ୍ରଆକାରରେ ବୁଲାଇଲେ ।୧୮। ସେହି ସମୟରେ ଅର୍ଜ୍ଜୁନଙ୍କୁ ଯୁଦ୍ଧବିଷୟରେ ବିମୁଖ ହେବାର ଜାଣି କୌରବ ସୈନ୍ୟମାନେ ଶୀଘ୍ର ଅଶ୍ୱତ୍‌ଥାମାଙ୍କ ବହୁସଂଖ୍ୟକ ଶରମାନଙ୍କୁ ନେଲେ ।୧୯। ଶତ୍ରୁକୁଳଦଳନକାରୀ, ମହାବାହୁ ଧନଞ୍ଜୟ ଦ୍ରୋଣଙ୍କ ପୁତ୍ର ଅଶ୍ୱତ୍‌ଥାମାଙ୍କୁ ଛାଡ଼ି ଶୀଘ୍ର କର୍ଣ୍ଣଙ୍କୁ ଆକ୍ରମଣ କଲେ ।୨୦। କୁନ୍ତୀ ନନ୍ଦନ ଅର୍ଜ୍ଜୁନ ଦ୍ୱୈରଥ ଯୁଦ୍ଧ ଇଚ୍ଛାରେ କର୍ଣ୍ଣଙ୍କୁ ଆକ୍ରମଣି କରି କଠିନ ବାକ୍ୟ କହୁଥିବା ସମୟରେ ତାହାଙ୍କର ନେତ୍ରଦ୍ୱୟ କ୍ରୋଧରେ ରକ୍ତବର୍ଣ୍ଣ ଦିଶୁଥିଲା ।୨୧।

 

ଅଧ୍ୟାୟ – ୬୦

 

ଅର୍ଜ୍ଜୁନ କହିଲେ- ଆହେ କର୍ଣ୍ଣ ! ତୁମ୍ଭେ ସଭାମଧ୍ୟରେ ଗର୍ବପ୍ରକାଶ କରି କହିଥିଲ, ଯୁଦ୍ଧବିଷୟରେ ଆମ୍ଭସଦୃଶ୍ୟ ଅନ୍ୟ କେହି ବୀରପୁରୁଷ ନାହିଁ, ଅତଏବ ଅଦ୍ୟ ଆମ୍ଭେ ତୁମ୍ଭଙ୍କୁ ସେହି ବିଷୟରେ ପରୀକ୍ଷା କରିବା ।୧। ଆହେ କର୍ଣ୍ଣ ! ତୁମ୍ଭେ ଅଦ୍ୟ ଆମ୍ଭ ସଙ୍ଗରେ ମହାଯୁଦ୍ଧ କଲେ ଆପଣାକୁ ନିଶ୍ଚୟ ଦୁର୍ବଳ ବୋଲି ଜାଣି କଦାପି ଅନ୍ୟ ଲୋକକୁ ଅବମାନନା ଦେବ ନାହିଁ ।୨। ତୁମ୍ଭେ ଏକାବେଳକେ ଧର୍ମଭୟ ଛାଡ଼ି ପୂର୍ବେ ଆମ୍ଭମାନଙ୍କୁ କେବଳ କଠୋର ବାକ୍ୟ କହୁଥିଲ । ବର୍ତ୍ତମାନ ମଧ୍ୟ ଅତି ଦୁଃସାଧ୍ୟ ଧର୍ମଛଡ଼ା କାର୍ଯ୍ୟ କରିବାକୁ ସାହସୀ ହୋଇଅଛ ।୩। ହେ ରାଧେୟ ! ତୁମ୍ଭେ ଆମ୍ଭଙ୍କୁ ଯେଉଁ ପ୍ରକାରରେ ଅନାଦର ବାକ୍ୟ କହୁଥିଲ, ଅଦ୍ୟ କୌରବ ସୈନ୍ୟ ମଧ୍ୟରେ ସେହି ପ୍ରକାର କଥା କହ ।୪। ସଭା ମଧ୍ୟରେ ଦୁରାତ୍ମା ଦୁର୍ଯ୍ୟୋଧନ ପାଞ୍ଚାଳୀଙ୍କୁ ଯେଉଁ ଦୁଃଖ ଦେଇଥିଲେ, ତୁମ୍ଭେ ପୂର୍ବେ ତାହା ଦେଖିଥିଲ; ତାହା ଦେଖିଥିବାର ସମ୍ପୂର୍ଣ୍ଣ ଫଳ ଆଜି ପାଅ ।୫। ହେ କର୍ଣ୍ଣ ! ସେହି ସମୟରେ ଆମ୍ଭେ ଧର୍ମରଜ୍ଜୁରେ ଆବଦ୍ଧ ଥିଲୁ ବୋଲି କ୍ରୋଧ-ଅଗ୍ନିକି ନିବାରଣ କରିଥିଲୁ । ଅଦ୍ୟ ଯୁଦ୍ଧ ମଧ୍ୟରେ ସେହି କ୍ରୋଧଅଗ୍ନି କିପ୍ରାୟ ପ୍ରଜ୍ଜ୍ୱଳିତ ହେବ, ତାହା ଦେଖ ।୬। ହେ ଦୁର୍ବୋଧ ! ଆମ୍ଭେ ଦ୍ୱାଦଶ ବର୍ଷ ପର୍ଯ୍ୟନ୍ତ ବନବାସରେ ରହି ଯେଉଁ ଅସହ୍ୟ କଷ୍ଟ ସହିଅଛୁ, ସମ୍ପ୍ରତି ତାହାର ପ୍ରତିଫଳ ତୁମ୍ଭଙ୍କୁ ଦେବା ।୭। ଆହେ କର୍ଣ୍ଣ ! ଆମ୍ଭ ସଙ୍ଗରେ ଯୁଦ୍ଧ କରିବାକୁ ଆସ । ଆମ୍ଭ ଦୁହିଁଙ୍କର କି ପ୍ରକାର ଯୁଦ୍ଧ ହେବ କୁରୁସୈନ୍ୟମାନେ ଦେଖନ୍ତୁ ।୮।

 

କର୍ଣ୍ଣ କହିଲେ, ଆହେ ପାର୍ଥ ! ତୁମ୍ଭେ ବାକ୍ୟରେ ଆଡ଼ମ୍ବର ଅନୁସାରେ କାର୍ଯ୍ୟରେ ଫଳ ଦେଖାଇ ପାରନାହିଁ ବୋଲି ପୃଥିବୀର ସମସ୍ତ ଲୋକେ ଜାଣନ୍ତି; ଯାହା ହେଉ ବର୍ତ୍ତମାନ ତୁମ୍ଭେ କହିବା ଅନୁସାରେ କାର୍ଯ୍ୟ କର ।୯। ଆହେ ଅର୍ଜ୍ଜୁନ ! ବର୍ତ୍ତମାନ ତୁମ୍ଭର ପରାକ୍ରମ ଦେଖି ଆମ୍ଭେ ଜାଣିପାରୁଅଛୁ ଯେ ପୂର୍ବେ ତୁମ୍ଭେ ଦୁର୍ବଳ ଥିବାରୁ ଆମ୍ଭ ପ୍ରଦତ୍ତ ଅପମାନ ଓ କଠୋର ବଚନ ସହ୍ୟ କରିଥିଲ ।୧୦। ପୂର୍ବେ ଯେଉଁ ଧର୍ମ ରଜ୍ଜୁରେ ଆବଦ୍ଧ ଥିଲ, ବର୍ତ୍ତମାନ ସେହି ଧର୍ମରଜ୍ଜୁରେ ଆବଦ୍ଧ ଅଛ ବୋଲି କାହିଁକି ବିଚାରି ପାରୁନାହଁ ?୧୧। ତୁମ୍ଭେ ପ୍ରତିଜ୍ଞା ଅନୁସାରେ ବନବାସରେ ରହି ଅସହ୍ୟ କଷ୍ଟ ପାଇଥିବାରୁ ସମ୍ପ୍ରତି ସେହି କ୍ରୋଧରେ ଆମ୍ଭ ସଙ୍ଗରେ ଯୁଦ୍ଧ କରିବାକୁ ଆସିଅଛ ।୧୨। ହେ ପାର୍ଥ ! ତୁମ୍ଭ ନିମିତ୍ତ ସ୍ୱୟଂ ଇନ୍ଦ୍ରଦେବ ଯୁଦ୍ଧ କଲେ ସୁଦ୍ଧା ଆମ୍ଭଙ୍କୁ କିଛିମାତ୍ର ପୀଡ଼ା ଜଣା ହେବନାହିଁ ।୧୩। ତୁମ୍ଭେ ଆମ୍ଭ ସଙ୍ଗରେ ଯୁଦ୍ଧ କରିବ ବୋଲି ବହୁତ ଦିନରୁ ଇଚ୍ଛା କରିଥିଲ । ଅଦ୍ୟ ଅବିଳମ୍ବରେ ଯୁଦ୍ଧ କଲେ ନିଶ୍ଚୟ ଆମ୍ଭର ପରାକ୍ରମକୁ ଜାଣି ପାରିବ ।୧୪।

 

ଅର୍ଜ୍ଜୁନ କହିଲେ, ଆହେ କର୍ଣ୍ଣ ! ଆମ୍ଭସଙ୍ଗରେ ଯୁଦ୍ଧକରି ତୁମ୍ଭ କନିଷ୍ଠ ଭ୍ରାତାଙ୍କ ମୃତ୍ୟୁ ହେଲା । ତୁମ୍ଭେ ମଧ୍ୟ ଆମ୍ଭର ପରାକ୍ରମ ସହ୍ୟ କରି ନ ପାରି ପଳାଇ ଆସି ଜୀବନରେ ଅଛ । ବଡ଼ ଆଶ୍ଚର୍ଯ୍ୟ କଥା, ଯୁଦ୍ଧଭୂମିରୁ ପଳାଇ ଆସି ଲଜ୍ଜା ଭୟରେ ନମରି ଏପରି ଆତ୍ମପ୍ରଶଂସା କରିବାର କଦାପି ଉଚିତ ନୁହଇ । ଅତଏବ ଜଣାଯାଏ ଯେ ତୁମ୍ଭେ ଗୋଟିଏ ନିର୍ଲ୍ଲଜ୍ଜ ଲୋକ ଅଟ ।୧୬। ବୈଶମ୍ପାୟନ କହିଲେ, ବିଜୟୀବର ବିଭତ୍ସୁ କର୍ଣ୍ଣଙ୍କୁ ଏହି ପ୍ରକାର କଥା କହି କବଚଭେଦୀ ଶର ବିନ୍ଧି ତାହାଙ୍କ ଆଡ଼କୁ ଧାବମାନ ହେଲେ ।୧୭ ମହାରଥ କର୍ଣ୍ଣ ମଧ୍ୟ ଅର୍ଜ୍ଜୁନଙ୍କ ବାଣରେ ପୀଡ଼ିତ ହୋଇ ବର୍ଷାକାଳର ଜଳଧରପ୍ରାୟ ଅଗ୍ନିଶିଖା ସଦୃଶ ବାଣମାନଙ୍କୁ ବୃଷ୍ଟିକରୁଥିଲେ ।୧୮। କର୍ଣ୍ଣଙ୍କର ଅତି ଭୟଙ୍କର ବାଣସମୂହ ଅର୍ଜ୍ଜୁନଙ୍କ ଚତୁର୍ଦ୍ଦିଗରେ ପଡ଼ିବାରୁ ସେ କ୍ରୋଧାବିଷ୍ଟ ହୋଇ ଶୀଘ୍ର ସଂନତପର୍ବ ଶାଣିତଅଗ୍ର ଶରମାନଙ୍କରେ କର୍ଣ୍ଣଙ୍କ ଅଶ୍ୱମାନଙ୍କୁ ବିନ୍ଧି ଦୁଇ ହସ୍ତର ଆବରଣ ଓ ତୂଣୀର ବନ୍ଧନସୂତ୍ରକୁ ଛେଦନ କଲେ ।୨୦। କର୍ଣ୍ଣ ସେହିକ୍ଷଣି ନିଜ ଦେହର ବାହାରରେ ଥିବା କ୍ଷୁଦ୍ର ଶରକୋଷରୁ ଶରସବୁ ବାହାର କରି ଅର୍ଜ୍ଜୁନଙ୍କ ହସ୍ତକୁ ବିନ୍ଧିଲାମାତ୍ରେ ତାହାଙ୍କ ମୁଠା ହୁଗୁଳା ହୋଇଗଲା ।୨୧।

 

ତାହା ଉତ୍ତାରୁ ମହାବାହୁ ଅର୍ଜ୍ଜୁନ କର୍ଣ୍ଣଙ୍କ କୋଦଣ୍ଡ କାଟି ପକାଇଲାରୁ ସେ ତାହାଙ୍କୁ ଶକ୍ତି ଫିଙ୍ଗିଲେ, କିନ୍ତୁ ତାହା ଅର୍ଜ୍ଜୁନଙ୍କ ବାଣଅଗ୍ନିରେ ଭସ୍ମ ହୋଇଗଲା ।୨୨। ତାହା ଉତ୍ତାରୁ ମହାବାହୁ ଅର୍ଜ୍ଜୁନ ଗାଣ୍ଡୀବ କୋଦଣ୍ଡରେ ଶର ସନ୍ଧାନ କରି କର୍ଣ୍ଣଙ୍କ ପାଶ୍ୱର୍ସ୍ଥିତ ପଦାତିକ ସୈନ୍ୟମାନଙ୍କୁ ପୀଡ଼ାଗ୍ରସ୍ତ କରାଇ ଯମାଳୟକୁ ପଠାଇଦେଲେ ।୨୩। ତଦନନ୍ତର ଅର୍ଜ୍ଜୁନ ଅମୋଘ ସୁତୀକ୍ଷ୍‌ଣ ଶରମାନଙ୍କୁ କର୍ଣ୍ଣ ପର୍ଯ୍ୟନ୍ତ ଓଟାରି ଆଣି ଏପ୍ରକାର ବିନ୍ଧିଲେ ଯେ ସେହି ଶରସମୂହରେ କର୍ଣ୍ଣଙ୍କ ଅଶ୍ୱମାନେ ହତ ହୋଇ ମହୀରେ ପଡ଼ିଲେ ।୨୪। ଏଥି ଉତ୍ତାରୁ ବୀରମଣି ଅର୍ଜ୍ଜୁନ କର୍ଣ୍ଣଙ୍କ ବକ୍ଷସ୍ଥଳରେ ଅତି ତେଜୀୟାନ୍ ଅତି ତୀକ୍ଷ୍‌ଣ ପ୍ରଜ୍ଜ୍ୱଳିତ ବାଣ ଗୋଟାଏ ଆଘାତ କଲେ ।୨୫। ସେହି ଅବ୍ୟର୍ଥ ବାଣ କବଚକୁ ଫଟାଇ ଶରୀର ଭିତରକୁ ପଶିଯିବାରୁ କର୍ଣ୍ଣ ମୂର୍ଚ୍ଛିତ ହୋଇ ପଡ଼ିଲେ ।୨୬। କିଛି ସମୟ ଉତ୍ତାରୁ ସେ ଚେତନା ପାଇ ପ୍ରଗାଢ଼ ପୀଡ଼ା ସହ୍ୟ କରିନପାରି ଅତିଶୀଘ୍ର ରଣଭୂମି ଛାଡ଼ି ଉତ୍ତର ଦିଗକୁ ମୁହଁ କରି ପଳାଇଲେ । ତାହା ଦେଖି ଅର୍ଜ୍ଜୁନ ଉତ୍ତର ଦୁହେଁ ତାହାଙ୍କୁ ବହୁତ ତିରସ୍କାର କଲେ ।୨୭।

 

ଅଧ୍ୟାୟ – ୬୧

 

ବୈଶମ୍ପାୟନ କହିଲେ- ଅର୍ଜ୍ଜୁନ କର୍ଣ୍ଣଙ୍କୁ ପରାଜୟ କରି ବିରାଟଙ୍କ ପୁତ୍ର ଉତ୍ତରଙ୍କୁ କହିଲେ, ହେ ରଥବାହକ ! ଚାହଁ, ଯେଉଁ ରଥର ପତାକାରେ ସୁବର୍ଣ୍ଣମୟ ତାଳବୃକ୍ଷ ଶୋଭା ପାଉଅଛି, ଯହିଁରେ ଆମ୍ଭମାନଙ୍କର ପିତାମହ ଅମରସଦୃଶ ଶାନ୍ତନୁଙ୍କ ପୁତ୍ର ଭୀଷ୍ମଦେବ ଆମ୍ଭ ସଙ୍ଗରେ ଯୁଦ୍ଧ କରିବା ନିମିତ୍ତ ବସିଅଛନ୍ତି, ତାହା ନିକଟକୁ ଶୀଘ୍ର ରଥ ଚଳାଅ ।୨। ବହୁତ ଶର ଆଘାତରେ ପୀଡ଼ିତ ଉତ୍ତର ଅଶ୍ୱ, ଗଜ ଓ ରଥପରିପୂର୍ଣ୍ଣ ସୈନ୍ୟଙ୍କୁ ଚାହିଁ ଭୟକରି ଅର୍ଜ୍ଜୁନଙ୍କୁ କହିଲେ, ହେ ବୀରବର ! ମୋର ପ୍ରାଣମାନଙ୍କୁ ବଡ଼ ବାଧା ହେଲାଣି ଓ ମୋର ମନ ବିହ୍ୱଳିତ ହେଉଅଛି; ଏହି ହେତୁରୁ ମୁଁ ଆଉ ଅଶ୍ୱମାନଙ୍କୁ ଚଳାଇ ପାରିବି ନାହିଁ ।୪। ଆପଣ ଓ କୌରବ ସେନାମାନେ ଯେଉଁ ସୁଦିବ୍ୟ ଅସ୍ତ୍ରସମୂହ ବ୍ୟବହାର କରୁଅଛନ୍ତି, ତାହା ପ୍ରଭାବରେ ଦିଗସବୁ ଦ୍ରବୀଭୂତ ହେଉଅଛନ୍ତି ।୫। ରକ୍ତମାଂସ, ମସ୍ତକରସ ପ୍ରଭୃତିର ଦୁର୍ଗନ୍ଧରେ ମୁଁ ମୁର୍ଚ୍ଛିତ ହେଲା ପ୍ରାୟ ଜଣାଯାଉଅଛି । ଯୁଦ୍ଧକ୍ଷେତ୍ରରେ ଏତେ ସୈନ୍ୟ ମୁଁ କଦାପି ଦେଖି ନ ଥିଲି, ଏହି ହେତୁରୁ ସମ୍ପ୍ରତି ମୋର ଅନ୍ତଃକରଣ ଅତିଶୟ ଭୟଗ୍ରସ୍ତ ଓ ବିଚଳିତ ହେଉଅଛି । ଗଦା ପଡ଼ୁଥିବା ଶବ୍ଦରେ, ଶଙ୍ଖଧ୍ୱନିରେ, ବୀରମାନଙ୍କର ସିଂହନାଦରେ ହସ୍ତୀମାନଙ୍କର ବୃଂହିତଧ୍ୱନିରେ ଓ ବଜ୍ରସଦୃଶ ଗାଣ୍ଡୀବନାଦରେ ମୁଁ ଏ ପ୍ରକାର ମୋହିତ ହୋଇ ଯାଉଅଛି ଯେ ମୋର କିଛି ମାତ୍ର ସ୍ମରଣ ଶକ୍ତି କି ଶ୍ରବଣ ଶକ୍ତି ରହିପାରୁନାହିଁ ।୮।

 

ହେ ବୀର ! ଆପଣ ନିରନ୍ତର ଆଲାତଚକ୍ରସଦୃଶ୍ୟ ଗାଣ୍ଡୀବ କୋଦଣ୍ଡକୁ ଆକର୍ଷଣ କରୁଥିବାର ଦେଖି ମୋର ନେତ୍ର ମୁଦ୍ରିତ ଓ ଅନ୍ତଃକରଣ ଫାଟିଯାଉଅଛି ।୯। ଯେତେବେଳେ ଆପଣ ପିନାକପାଣି ରୁଦ୍ରଦେବଙ୍କ ସଦୃଶ୍ୟ ହୋଇ ଅତି ଭୟଙ୍କର ବାଣବୃଷ୍ଟି କରନ୍ତି, ମୁଁ ସେହି ସମୟରେ ଆପଣଙ୍କୁ ଚାହିଁ ଅତିଶୟ ଭୟଗ୍ରସ୍ତ ହୁଏ ।୧୦। ଆପଣ କେତେବେଳେ ବାଣସବୁକୁ ଧରନ୍ତି, କେତେବେଳେ ସନ୍ଧାନ କରନ୍ତି ଓ କେତେବେଳେ ଛାଡ଼ନ୍ତି, ତାହା ମୁଁ ଦେଖୁଥିଲେ ସୁଦ୍ଧା ନ ଦେଖିଲା ପ୍ରାୟ ଅଚେତନ ହୋଇ ରହିଥାଏ ।୧୧। ଆଉ କି ଅଧିକ କଥା କହିବି, ମତେ ଭୂମଣ୍ଡଳ ଭ୍ରମୁଥିଲା ପ୍ରାୟ ଜଣାଯାଉଅଛି । ମୁଁ ବସିବାଠାରୁ ଉଠିବାକୁ ବଳ ପାଉନାହିଁ । ସେହି କାରଣରୁ ଅଶ୍ୱମାନଙ୍କର ମୁଖରଜ୍ଜୁ ଓ କୋରଡ଼ା ଧରିବାକୁ ମୋର ଟିକିଏ ମାତ୍ର ଶକ୍ତି ନାହିଁ ।୧୨।

 

ଅର୍ଜ୍ଜୁନ କହିଲେ, ହେ ନରୋତ୍ତମ ! ତୁମ୍ଭେ ଭୟ କରନା; ବୁଦ୍ଧିକି ସ୍ଥିର କର, ତୁମ୍ଭେ ମଧ୍ୟ ଯୁଦ୍ଧକ୍ଷେତ୍ରରେ କେତେ ଆଶ୍ଚର୍ଯ୍ୟ କର୍ମ କରିଅଛ ।୧୩। ସୁବିଖ୍ୟାତ ମତ୍ସ୍ୟରାଜାଙ୍କ ବଂଶରେ ଜନ୍ମଗ୍ରହଣ କରି ଓ ରାଜପୁତ୍ର ହୋଇ ଶତ୍ରୁଦମନ କରିବା ବିଷୟରେ ଏତାଦୃଶ କାତର ହେବା ତୁମ୍ଭର କଦାପି ଉଚିତ ନୁହେଁ ।୧୪। ହେ ପରନ୍ତପ ! ରାଜକୁମାର ! ଆମ୍ଭେ ପୁନଶ୍ଚ ଯୁଦ୍ଧନିମିତ୍ତ ଆଗ୍ରହ କରୁଅଛୁ; ଅଥଏବ ତୁମ୍ଭେ ଉତ୍ତମ ଧୈର୍ଯ୍ୟ ଧରି ରଥ ଉପରେ ବସି ଆମ୍ଭ କହିବା ସ୍ଥାନକୁ ରଥ ଚଳାଅ ।୧୫। ବୈଶମ୍ପାୟନ କହିଲେ, ବୀରବର ମହାବାହୁ ଅର୍ଜ୍ଜୁନ ବିରାଟଙ୍କ ପୁତ୍ର ଉତ୍ତରଙ୍କୁ ଏହିପ୍ରାୟ ବୋଧହେଲା ଉତ୍ତାରୁ ପୁନଶ୍ଚ କହିଲେ କି ଆମ୍ଭ ପିତାମହ ଭୀଷ୍ମଦେବଙ୍କ ସୈନ୍ୟଙ୍କ ଆଗକୁ ପ୍ରଥମରେ ରଥ ଚଳାଅ; ଆମ୍ଭେ ଆଗ ତାହାଙ୍କର ମୌର୍ବୀ ଗୁଣ ସହିତ ଶରାସନକୁ କାଟି ପରେ ଯେତେବେଳେ ଦିବ୍ୟ ଅସ୍ତ୍ରମାନଙ୍କୁ ବିନ୍ଧିବୁ, ସେହି ସମୟରେ ସେହି ବାଣମାନଙ୍କ ତେଜରେ ଆକାଶମଣ୍ଡଳ ବିଜୁଳି ଆଲୋକରେ ପୂର୍ଣ୍ଣ ହେଲାପ୍ରାୟ ଦିଶିବ ।

 

ଅଦ୍ୟ ମୁଁ ସୁବର୍ଣ୍ଣଶ୍ରେଷ୍ଠ ଗାଣ୍ଡୀବ କୋଦଣ୍ଡ ଧରି ଶରବୃଷ୍ଟି କଲେ କୌରବ ସୈନ୍ୟମାନେ ତାହା ଦେଖି ଚକିତ ହୋଇ ତର୍କଣା କରୁଥିବେ ଯେ, ଏ ଦକ୍ଷିଣ କି ବାମ ହସ୍ତରେ ଶର ବିନ୍ଧୁଛନ୍ତି ? ଅଦ୍ୟ ମୁଁ ‘ପରଲୋକ ପ୍ରବାହିନୀ’ ନାମରେ ଗୋଟିଏ ପ୍ରକାର ରକ୍ତ ନଦୀର ସ୍ରୋତ ଚଳାଇବି ଯେ ରହିଁରେ ରଥସମୂହ ଜଳଭଉଁରୀପ୍ରାୟ ଓ ହସ୍ତୀଯୁଥ କୁମ୍ଭୀର ସଦୃଶ୍ୟ ଶୋଭା ପାଉଥିବେ ।୨୦। ପାଣି, ପାଦ, ପୃଷ୍ଠ, ମସ୍ତକ ଓ ବାହୁ ରୂପକ ଶାଖା ପ୍ରଶାଖାମାନଙ୍କରେ ଘନୀଭୂତ ଏହି କୌରବମାନଙ୍କର ସୈନ୍ୟସ୍ୱରୂପ ଅରଣ୍ୟକୁ ସଂନ୍ନତପର୍ବ ଶରମାନଙ୍କ ଦ୍ୱାରା ଛେଦନ କରିବି ।୨୧। ମୁଁ ଏକାକୀ ହୋଇ ଯେତେବେଳେ କୋଦଣ୍ଡ ଧରି ସମସ୍ତ କୌରବ ସୈନ୍ୟଙ୍କୁ ଜୟ କରୁଥିବି, ସେହି ସମୟରେ ଅରଣ୍ୟ ମଧ୍ୟରେ ଅଗ୍ନିପ୍ରାୟ ମୋର ବାଣମାନେ ସବୁଆଡ଼େ ଚାଲୁଥିବେ; କେହି କଦାପି ମୋର ବାଣମାନଙ୍କର ପଥରୋଧ କରି ପାରିବେ ନାହିଁ ।୨୨।

 

ଅଦ୍ୟ ମୋର ଅସ୍ତ୍ରମାନଙ୍କ ଆଘାତରେ ଏହି କୁରୁସୈନ୍ୟମାନେ କେବଳ ଚକ୍ରପ୍ରାୟ ବୁଲିବେ । ମୋର ଶରସନ୍ଧାନ କରିବା ବିଷୟରେ କିପ୍ରାୟ ଆଶ୍ଚର୍ଯ୍ୟ ଶିକ୍ଷାର ନିପୁଣତା ଜନ୍ମିଅଛି, ତାହା ତୁମ୍ଭଙ୍କୁ ଉତ୍ତମରୂପେ ଦେଖାଇବି ।୨୩। ସମଯୁଦ୍ଧରେ ହେଉ କି ବିଷମଯୁଦ୍ଧରେ ହେଉ, ସବୁବେଳେ ତୁମ୍ଭେ କିଛି ସନ୍ଦେହ ନ କରି ନିର୍ଭୟ ହୋଇ ବସ । ମୁଁ ଶର ବିନ୍ଧିଲେ ସ୍ୱର୍ଗବ୍ୟାପୀ ସୁମେରୁ ପର୍ବତ ସୁଦ୍ଧା ଫାଟିଯାଇପାରେ ।୨୪। ପୂର୍ବେ ଇନ୍ଦ୍ରଙ୍କ ଆଦେଶରେ ମୁଁ ସହସ୍ର ସହସ୍ର ପୌଲୋମ ଓ ଶତ ଶତ ପରିମିତ କାଳଖଞ୍ଜମାନଙ୍କୁ ସଂହାର କରିଥିଲି ।୨୫। ମୁଁ ଇନ୍ଦ୍ରଙ୍କଠାରୁ କୋଦଣ୍ଡକୁ ମୁଷ୍ଟି ମଧ୍ୟରେ ଦୃଢ଼ରୂପେ ଧରିବାର ଶିକ୍ଷା କରିଥିଲି । ବ୍ରହ୍ମାଙ୍କ ଉପଦେଶରେ ଶୀଘ୍ର ଶୀଘ୍ର ବାଣମାନଙ୍କୁ ବିନ୍ଧୁଅଛି । ପ୍ରଜାପତିଙ୍କ ଶିକ୍ଷା ଅନୁସାରେ ସଂକଟ ସ୍ଥାନରେ ନାନାପ୍ରକାର ତୁମୁଳ ସଂକଟଯୁଦ୍ଧ କରି ପାରଇ ।୨୬। ମୁଁ ସମୁଦ୍ରର ଅପରପାର୍ଶ୍ୱରେ ହିରଣ୍ୟପୁରବାସୀ ଷାଠିଏ ସହସ୍ର ମହାଧନୁର୍ଦ୍ଧାରୀ ମହାରଥୀମାନଙ୍କୁ ଜୟ କରିଥିଲି ।୨୭।

 

ଅଦ୍ୟ ମଦୀୟ ବାଣ ଆଘାତରେ କୌରବ ସୈନ୍ୟମାନେ ପ୍ରବଳ ବାୟୁବେଗରେ ତୁଳାରାଶିପ୍ରାୟ ଉଡ଼ିବେ ।୨୮। ଯେଉଁ କୌରବ ସୈନ୍ୟରୂପକ ବନରେ ଧ୍ୱଜସମୂହ ବୃକ୍ଷପ୍ରାୟ, ପଦାତିକମାନେ ତୃଣପ୍ରାୟ ଓ ରଥୀସମୂହ ସିଂହ ସଦୃଶ୍ୟ ଶୋଭିତ ହୋଇଅଛନ୍ତି, ସେହି ମହାବନ ମଦୀୟ ବାଣବହ୍ନିରେ ଅଦ୍ୟ ଦଗ୍ଧ ହେବ ।୨୯। ବଜ୍ରଧର ଇନ୍ଦ୍ରଦେବ ଅସୁରମାନଙ୍କୁ ସଂହାର କଲାପ୍ରାୟ ମୁଁ ଏକାକୀ ହୋଇ ଅତି ବଳବାନ ଯୁଦ୍ଧପ୍ରିୟ ମହାରଥ ସମସ୍ତ କୁରୁସୈନ୍ୟଙ୍କୁ ସଂନତପର୍ବ ଶରସମୂହରେ ସଂହାର କରି ରଥ ଉପରୁ ତଳକୁ ଖସାଇ ପକାଇବି ।୩୦। ମୁଁ ରୁଦ୍ରଙ୍କଠାରୁ ରୌଦ୍ର ଅସ୍ତ୍ର, ବରୁଣଙ୍କଠାରୁ ବାୟବ୍ୟାସ୍ତ୍ର ଓ ଇନ୍ଦ୍ରଙ୍କଠାରୁ ବଜ୍ର ପ୍ରଭୃତି ସମସ୍ତ ଅସ୍ତ୍ରଶସ୍ତ୍ର ପାଇଅଛି ।୩୧। ଯଦି ଏହି ଭୟଙ୍କର କୌରବବନକୁ କୌଣସି ନରସିଂହ ରକ୍ଷା କରିବାକୁ ସହାୟ ହେବ, ତଥାପି ମୁଁ ଅଳ୍ପକ୍ଷଣ ମଧ୍ୟରେ ତାକୁ ନିର୍ମୂଳ କରିବି । ଅତଏବ ହେ ବିରାଟନନ୍ଦନ ! ତୁମ୍ଭେ କିଛିମାତ୍ର ସନ୍ଦେହ ନ କରି ନିର୍ଭୟ ହୁଅ ।୩୨।

 

ବୈଶମ୍ପାୟନ କହିଲେ, ଅର୍ଜ୍ଜୁନ ଉତ୍ତରଙ୍କୁ ଏହି ପ୍ରକାର ଆଶ୍ୱାସନା ଦେବାରୁ ସେ ଭୀଷ୍ମଦେବଙ୍କର ଭୟଙ୍କର ରଥସୈନ୍ୟଙ୍କ ଆଡ଼କୁ ରଥ ଚଳାଇଲେ ।୩୩। କୌରବମାନଙ୍କୁ ଦମନ କରିବା ନିମିତ୍ତ ରଣଭୂମିରେ ଉପସ୍ଥିତ ମହାବାହୁ ଅର୍ଜ୍ଜୁନଙ୍କୁ କ୍ରୁରକର୍ମା ଗଙ୍ଗାଙ୍କ ପୁତ୍ର ଭୀଷ୍ମଦେବ ନିବାରଣ କଲେ ।୩୪। ଅର୍ଜ୍ଜୁନ ମଧ୍ୟ ତାହାଙ୍କ ସମ୍ମୁଖକୁ ଯାଇ ସୁବର୍ଣ୍ଣଜଡ଼ିତ ଶରସମୁହରେ ତଦୀୟ ରଥର ଧ୍ୱଜମାନଙ୍କୁ କାଟି ପକାଇଲେ । ସେହିକ୍ଷଣି ସେହି ପତାକାମାନେ ଉପୁଡ଼ି ଯାଇ ତଳକୁ ଖସି ପଡ଼ିଲେ ।୩୫। ବଳିଷ୍ଠଶ୍ରେଷ୍ଠ ମନସ୍ୱୀ ବିଚିତ୍ରମାଳାମଣ୍ଡିତ ଦୁଃଶାସନ, ଦୁଃସହ, ବିକର୍ଣ୍ଣ ଓ ବିବିଂଶତି ଏହି ଚାରି ଭାଇମାନେ ତାହା ଦେଖି ଭୟଙ୍କର ଧନୁର୍ଦ୍ଧାରୀ ଅର୍ଜ୍ଜୁନଙ୍କୁ ଆକ୍ରମଣ କଲେ ।୩୭। ଦୁଃଶାସନ ବୀର ଗୋଟାଏ ଭଲ୍ଲ ଅସ୍ତ୍ରରେ ବିରାଟପୁତ୍ର ଉତ୍ତରଙ୍କୁ, ଆଉ ଏକ ଅସ୍ତ୍ରରେ ଅର୍ଜ୍ଜୁନଙ୍କ ବକ୍ଷସ୍ଥଳକୁ ପ୍ରହାର କଲେ ।୩୮। ଅର୍ଜ୍ଜୁନ ସେହିକ୍ଷଣି ତାହାଙ୍କ ସମ୍ମୁଖକୁ ଯାଇ ଗୃଧ୍ରପକ୍ଷଯୁକ୍ତ ଅତିଶୟ ତୀକ୍ଷ୍‌ଣ ବାଣ ବିନ୍ଧି ଦୁଃଶାସନଙ୍କର ସୁବର୍ଣ୍ଣମଣ୍ଡିତ କୋଦଣ୍ଡକୁ ଖଣ୍ଡ ଖଣ୍ଡ କରି ଅନ୍ୟ ପାଞ୍ଚଗୋଟି ବାଣରେ ତାହାଙ୍କ ବକ୍ଷସ୍ଥଳକୁ ପ୍ରହାର କଲେ ।୩୯। ତାହା ଉତ୍ତାରୁ ଦୁଃଶାସନ ଶରପୀଡ଼ାରେ ଅତିଶୟ ପୀଡ଼ିତ ହୋଇ ଯୁଦ୍ଧଭୂମିରୁ ପଳାଇଗଲେ ।୪୦।

 

ତାହା ଉତ୍ତାରୁ ଧୃତରାଷ୍ଟ୍ରଙ୍କର ବିକର୍ଣ୍ଣ ନାମକ ଅନ୍ୟ ଏକ ପୁତ୍ର ରିପୁଦଳନକାରୀ ଅର୍ଜ୍ଜୁନଙ୍କୁ ଗୃଧ୍ରପକ୍ଷଯୁକ୍ତ ଶାଣିତ ବାଣମାନଙ୍କରେ ପ୍ରହାର କଲେ ।୪୧। କୁନ୍ତୀପୁତ୍ର ଅର୍ଜ୍ଜୁନ ମଧ୍ୟ ବିକର୍ଣ୍ଣର ଲଲାଟକୁ ସଂନତପର୍ବ ଶରରେ ପ୍ରହାର କରିବାରୁ ସେ ସେହିକ୍ଷଣି ରଥରୁ ଖସିପଡ଼ିଲେ ।୪୨। ତାହା ଉତ୍ତାରୁ ଦୁଃସହ ଓ ବିବିଂଶତି ଦୁହେଁ ଭ୍ରାତାଙ୍କର ପ୍ରାଣରକ୍ଷା କରିବା ନିମିତ୍ତ ଅର୍ଜ୍ଜୁନଙ୍କୁ ଆକ୍ରମଣପୂର୍ବକ ଶାଣିତ ଶରମାନଙ୍କରେ ପ୍ରହାର କଲେ ।୪୩। ଅର୍ଜ୍ଜୁନ ସେହି ଦୁଇଭାଇଙ୍କୁ ଗୃଧ୍ରପକ୍ଷଯୁକ୍ତ ଶାଣିତ ଦୁଇଗୋଟି ଶର ବିଦ୍ଧ, ତତ୍‌ପରେ ଅଶ୍ୱମାନଙ୍କୁ ସଂହାର କଲେ ।୪୪। ସେହି ଦୁଇ ଭାଇଙ୍କର ଅଶ୍ୱମାନେ ମରିଯିବାରୁ ଓ ସେମାନଙ୍କ ବାଣ ପୀଡ଼ାରେ ପୀଡ଼ିତ ହେବାରୁ ତାହାଙ୍କ ପଶ୍ଚାତ୍‌ପାର୍ଶ୍ୱରେ ଥିବା ସୈନିକମାନେ ଅନ୍ୟ ରଥରେ ସେ ଦୁହିଁଙ୍କୁ ବସାଇ ପଳାଇଗଲେ ।୪୫। ସେହି ସମୟରେ ଅବ୍ୟର୍ଥଲକ୍ଷ୍ୟ କିରୀଟୀମାଳୀ ବିଜୟୀବର କୁନ୍ତୀନନ୍ଦନ ମହାବଳ ଅର୍ଜ୍ଜୁନ ସବୁଦିଗର ସୈନ୍ୟମାନଙ୍କୁ ଆକ୍ରମଣ କଲେ ।୪୬।

 

ଅଧ୍ୟାୟ – ୬୨

 

ବୈଶମ୍ପାୟନ କହିଲେ-ହେ ଭାରତ ! ଏଥି ଉତ୍ତାରୁ ଦୁର୍ଯ୍ୟୋଧନଙ୍କର ସମସ୍ତ ମହାରଥମାନେ ଏକତ୍ରିତ ହୋଇ ଅର୍ଜ୍ଜୁନଙ୍କୁ ବାଣ ପ୍ରହାର କଲେ ।୧। ଅର୍ଜ୍ଜୁନ ମଧ୍ୟ ସେହିମାନଙ୍କୁ ଏତେ ବାଣ ବିନ୍ଧିଲେ ଯେ ମହାରଥମାନେ କୁହୁଡ଼ିରେ ଆଚ୍ଛନ୍ନ ପର୍ବତମାଳା ପ୍ରାୟ ଦିଶୁଥିଲେ ।୨। ସେହି ସମୟରେ ହସ୍ତୀମାନଙ୍କର ବୃଂହିତରବ, ଅଶ୍ୱମାନଙ୍କର ହ୍ରେଷାରବ ଓ ଶଙ୍ଖଭେରୀ ପ୍ରଭୃତିଙ୍କର ଭୈରବରବ ଏକତ୍ର ମିଳିତ ହେବାରୁ ସେହି ସ୍ଥାନ ଅତିଶୟ ଭୟର ଆଧାର ହୋଇଥିଲା ।୩। ଅର୍ଜ୍ଜୁନଙ୍କର ହସ୍ତବିମୁକ୍ତ ସହସ୍ର ସହସ୍ର ଶାଣିତ ଶରମାନେ ମନୁଷ୍ୟ, ଅଶ୍ୱ ପ୍ରଭୃତିଙ୍କର ଲୌହନିର୍ମିତ କବଚ ଓ ଶରୀର ଭେଦ କରି ଫେରି ଆସୁଥିଲେ ।୩। ଶରତ୍କାଳର ମଧ୍ୟାହ୍ଣ ସମୟରେ ଅଂଶୁମାଳୀ ସୂର୍ଯ୍ୟଦେବ ନିଜର କିରଣମାନଙ୍କୁ ବିଞ୍ଚି ଦେଲାପ୍ରାୟ ପାଣ୍ଡୁନନ୍ଦନ ଅର୍ଜ୍ଜୁନ ପ୍ରଖର ବାଣସମୂହକୁ ବର୍ଷଣ କରୁଥିଲେ ।୫। ଅଶ୍ୱାରୋହୀ ଅଶ୍ୱପୃଷ୍ଠରୁ, ଗଜାରୋହୀମାନେ ଗଜପୃଷ୍ଠରୁ ଓହ୍ଲାଇ ପଦାତିକମାନଙ୍କ ସଙ୍ଗରେ ମିଶି ଚାରିଆଡ଼େ ଧାବମାନ ହେଉଥିଲେ ।୬।

 

ବୀରମାନଙ୍କ ଲୌହ, ତାମ୍ର ଓ ରଜତନିର୍ମିତ କବଚସମୂହ ଅର୍ଜ୍ଜୁନଙ୍କ ବାଣ ଆଘାତରେ ଛିଡ଼ିଯିବାରୁ ବଡ଼ ଭୟଙ୍କର ଧ୍ୱନି ଶୁଭୁଥିଲା ।୭। ଅର୍ଜ୍ଜୁନଙ୍କ ବାଣ ପ୍ରହାରର ପୀଡ଼ାରେ ଗଜ, ଗଜାରୋହୀ, ଅଶ୍ୱ ଓ ଅଶ୍ୱାରୋହୀ ପ୍ରଭୃତି ସୈନିକମାନଙ୍କର ମୃତ୍ୟୁ ହେବାରୁ ସେହିମାନଙ୍କ ମୃତ ଦେହରେ ଯୁଦ୍ଧଭୂମି ଆଚ୍ଛନ୍ନ ହେଲା ।୮। ସେହି ସମୟରେ ଧନୁର୍ଦ୍ଧାରୀ ଅର୍ଜ୍ଜୁନ ରଥାରୋହୀମାନଙ୍କୁ ଯୁଦ୍ଧଭୂମିରେ ଶଯ୍ୟାସଦୃଶ୍ୟ ପକାଇ ସେମାନଙ୍କ ଉପରେ ଆନନ୍ଦରେ ନୃତ୍ୟ କରୁଥିଲାପ୍ରାୟ ଜଣାଯାଉଥିଲା ।୯। ସମସ୍ତ ସୈନ୍ୟମାନେ ଗାଣ୍ଡୀବ ଓ କୋଦଣ୍ଡର ବଜ୍ରସଦୃଶ ନିର୍ଘୋଷ ଶୁଣି ଅତିଶୟ ଭୟଗ୍ରସ୍ତ ହୋଇ ଯୁଦ୍ଧକ୍ଷେତ୍ରରୁ ପଳାଇଗଲେ ।୧୦। ଯୁଦ୍ଧଭୂମିରେ କୁଣ୍ଡଳ ଓ ଉଷ୍ଣୀଶଧାରୀ ମସ୍ତକସମୂହ ଓ ସୁବର୍ଣ୍ଣହାରମାନ ପଡ଼ିଥିଲେ ।୧୧। କୌଣସିଠାରେ ବାଣଜର୍ଜରିତ କଳେବରସମୂହ, କୌଣସି କୌଣସିଠାରେ କେୟୁରକଟକମଣ୍ଡିତ, କାର୍ମୁକଯୁକ୍ତ ବାହୁସମୂହ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗସବୁ ପଡ଼ିଥିବାରୁ ଯୁଦ୍ଧଭୂମି ଏକପ୍ରକାର ମନୋହର ଦିଶୁଥିଲା ।୧୨।

 

ହେ ଭାରତଶ୍ରେଷ୍ଠ ! ଶାଣିତ ବାଣମାନଙ୍କଦ୍ୱାରା କଟା ହୋଇ ପଡ଼ିଥିବା ମୁଣ୍ଡସମୂହ ଆକାଶମଣ୍ଡଳର ପଥର ବୃଷ୍ଟିପ୍ରାୟ ଦିଶୁଥିଲେ ।୧୩। ମହାବୀର ପାଣ୍ଡୁପୁତ୍ର ଅର୍ଜ୍ଜୁନ ତେରବର୍ଷ ପର୍ଯ୍ୟନ୍ତ ଅବରୁଦ୍ଧ ଥିବା ହେତୁରୁ ବନବାସରେ ଅଂଗୀକୃତ ନିର୍ଦ୍ଧାରିତ କାଳତକ କଟାଇ ଆପଣା ଇଚ୍ଛାରେ ଆସି ନିଜର ରୌଦ୍ରରୂପ ଦେଖାଇ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କ ଉପରେ ଅତି ଭୟଙ୍କର କ୍ରୋଧାଗ୍ନି ଜାଳୁଥିଲେ ।୧୪। ସୈନ୍ୟକ୍ଷୟକାରୀ ଅର୍ଜ୍ଜୁନଙ୍କ ମହାପରାକ୍ରମକୁ ଦେଖି ସମସ୍ତ ବୀରମାନେ ଦୁର୍ଯ୍ୟୋଧନଙ୍କ ସାକ୍ଷାତରେ ଶାନ୍ତଭାବକୁ ଆଶ୍ରୟ କରି ଯୁଦ୍ଧରୁ ନିବତ୍ତିଲେ ।୧୫। ହେ ଭାରତ ! ବିଜୟୀବର ଅର୍ଜ୍ଜୁନ ସମସ୍ତ ସୈନ୍ୟମାନଙ୍କୁ ଦ୍ରବୀଭୂତ ଓ ଭୟଗ୍ରସ୍ତ କରାଇ ଯୁଦ୍ଧକ୍ଷେତ୍ରରେ ଭ୍ରମୁଥିଲେ ।୧୬।

 

ମହାବୀର ଅର୍ଜ୍ଜୁନଙ୍କ ବାହୁପ୍ରତାପରେ ଯୁଦ୍ଧଭୂମିରେ ଯେଉଁ ଅତି ଭୟଙ୍କର ଦୁସ୍ତରଶୋଣିତା ନାମରେ ଗୋଟିଏ ନଦୀ ବହୁଥିଲା, ତାହାର ରକ୍ତ ଜଳପ୍ରାୟ, କେଶସମୂହ ଶୈବାଳପ୍ରାୟ, ମାଂସଖଣ୍ଡ ମିଶ୍ରିତ ରକ୍ତ ସବୁ କର୍ଦମପ୍ରାୟ, ହସ୍ତୀମାନେ କୁମ୍ଭୀର, ମହାହସ୍ତୀମାନେ ଜଳହସ୍ତୀସଦୃଶ୍ୟ, ତୀକ୍ଷ୍‌ଣ ଶସ୍ତ୍ରସବୁ ମହାଗ୍ରାହସଦୃଶ୍ୟ, କବଚ ଓ ଉଷ୍ଣୀକ୍ଷାନ୍ଦ ଫେଣରାଶି ପ୍ରାୟ, ଶର ଓ ଶରାସନସମୂହ ଭେଳା ପ୍ରାୟ, ରଥସମୂହ ଜଳ ରଥ ପ୍ରାୟ, ବଡ଼ ବଡ଼ ରଥମାନ ମହାଦ୍ୱୀପ ପ୍ରାୟ, ଶଙ୍ଖନାଦ ଓ ଦୁନ୍ଦୁଭିଧ୍ୱନି ନଦୀର କଳକଳଧ୍ୱନିସ୍ୱରୂପ, ମୁକ୍ତାହାରସବୁ ଲହରୀରାଶି ସ୍ୱରୂପ, ନାନାପ୍ରକାର ବିଚିତ୍ର ଅଳଙ୍କାରମାନ ବୁଦ୍‌ବୁଦ ପ୍ରାୟ, ଅସଂଖ୍ୟ ଶରକୋଷ ସବୁ ଜଳଭଉଁରୀ ପ୍ରାୟ ଶୋଭା ପାଉଥିଲେ ଓ ସେଠାରେ ମାଂସପ୍ରିୟ ଶୃଗାଳ ପ୍ରଭୃତି ଶ୍ୱାପଦମାନେ ଅତିଶୟ ଭୟଙ୍କର ଗର୍ଜନ କରୁଥିଲେ । ସେ ନଦୀ ପ୍ରଳୟ ସମୟରେ କାଳଦେବଙ୍କ କୃତ ମହାନଦୀସଦୃଶ୍ୟ ଭୟଙ୍କର ହୋଇଥିଲା । ଆଉ ଅଧିକ କି କହିବା, ସେ କେତେବେଳେ ଗାଣ୍ଡୀବ କୋଦଣ୍ଡକୁ ଆକର୍ଷଣ କରନ୍ତି, କେତେବେଳେ ଶରକୋଷ ମଧ୍ୟରୁ ଶର ଆଣି ତାହା ସନ୍ଧାନ କରି ଲକ୍ଷ୍ୟସ୍ଥାନକୁ ଛାଡ଼ି ଦିଅନ୍ତି, ତାହା ସୈନ୍ୟମାନଙ୍କ ମଧ୍ୟରୁ କେହି ଜଣେ ସୁଦ୍ଧା ଦେଖିନଥିଲା ।

 

ଅଧ୍ୟାୟ – ୬୩

 

ବୈଶମ୍ପାୟନ କହିଲେ- ତାହା ଉତ୍ତାରୁ ଦୁର୍ଯ୍ୟୋଧନ, କର୍ଣ୍ଣ, ଦୁଃଶାସନ, ବିବିଂଶତି, ଦ୍ରୋଣ, ଅଶ୍ୱତ୍‌ଥାମା ଓ କୃପାଚାର୍ଯ୍ୟ ଏହିମାନେ ପୁନଶ୍ଚ ଧନଞ୍ଜୟଙ୍କୁ ମାରିବା ଇଚ୍ଛାରେ ଆସି ଦୃଢ଼ ଓ ବଳିଷ୍ଠ କୋଦଣ୍ଡମାନଙ୍କୁ ଟଙ୍କାରିତ କଲେ ।୨। ହେ ମହାରାଜ ! କପିଧ୍ୱଜ ଅର୍ଜ୍ଜୁନ ପତାକାରାଜି ମଣ୍ଡିତ, ସୂର୍ଯ୍ୟଦେବଙ୍କ ସଦୃଶ୍ୟ ଅତି ଉଜ୍ଜ୍ୱଳ ରଥରେ ବସି ସେମାନଙ୍କ ନିକଟକୁ ଶୀଘ୍ର ଗଲେ ।୩। ସେହି ସମୟରେ କର୍ଣ୍ଣ, କୃପାଚାର୍ଯ୍ୟ ଓ ମହାରଥ ଦ୍ରୋଣାଚାର୍ଯ୍ୟ ଏହିମାନେ ମହାବୀର ଅର୍ଜ୍ଜୁନଙ୍କୁ ବିନାଶ କରିବା ନିମିତ୍ତ ବର୍ଷାକାଳର ବୃଷ୍ଟିଶୀଳ ମେଘସମୂହ ସଦୃଶ୍ୟ ତାହାଙ୍କୁ ଅପରିମିତ ସୁତୀକ୍ଷ୍‌ଣ ବାଣସମୂହରେ ଆଘାତ କଲେ ।୫। ସେମାନେ ନିକଟସ୍ଥିତ ଅର୍ଜ୍ଜୁନଙ୍କୁ ଯୁଦ୍ଧଭୂମିରେ ଥକା କରିଦେଇ ଯତ୍ନରେ ଏତେ ଦିବ୍ୟଅସ୍ତ୍ର ବିନ୍ଧିଲେ ଯେ ତାହାଙ୍କ ଦେହରେ ଦୁଇ ଅଙ୍ଗୁଳି ପରିମିତ ସ୍ଥାନ ଖାଲି ହୋଇ ରହିପାରିଲା ନାହିଁ । କିନ୍ତୁ ମହାବୀର ଅର୍ଜ୍ଜୁନ ହସି ହସି ଗାଣ୍ଡୀବ କୋଦଣ୍ଡରେ ସୂର୍ଯ୍ୟଦେବଙ୍କ ସଦୃଶ୍ୟ ତେଜୀୟାନ ଐନ୍ଦ୍ର ଅସ୍ତ୍ର ସନ୍ଧାନ କଲେ ।

 

ସେହି ଅସ୍ତ୍ରରୁ ସୂର୍ଯ୍ୟଙ୍କ କିରଣ ପ୍ରାୟ କିରଣବୃନ୍ଦ ବାହାରୁ ଥିବାରୁ କୁରୁନନ୍ଦନ ଅର୍ଜ୍ଜୁନ ସେହି ବାଣରେ କୁରୁ ସୈନ୍ୟମାନଙ୍କୁ ଆଚ୍ଛାଦନ କଲେ ।୯। ଗାଣ୍ଡୀବ କୋଦଣ୍ଡରେ ଐନ୍ଦ୍ରଅସ୍ତ୍ର ସନ୍ଧାନ କରୁଥିବାରୁ ତାହା ପର୍ବତରେ ଅଗ୍ନି ଜଳୁଥିଲା ପ୍ରାୟ ଓ ମେଘମାଳାରେ ବିଜୁଳି ଝଟକିଲା ପ୍ରାୟ ମନୋହର ଦିଶୁଥିଲା । ବର୍ଷା ହେଉଥିବା ସମୟରେ ମେଘ ଦେହର ବିଜୁଳି ଯେ ପ୍ରକାର ଆକାଶମଣ୍ଡଳ, ପୃଥିବୀ ଓ ସମସ୍ତ ଦିଗମାନଙ୍କୁ ଆଲୋକପୂର୍ଣ୍ଣ କରେ, ଗାଣ୍ଡୀବ କୋଦଣ୍ଡରୁ ଐନ୍ଦ୍ର ଅସ୍ତ୍ର ବାହାରି ସେହିପ୍ରାୟ ଆକାଶମଣ୍ଡଳ, ପୃଥିବୀ ଓ ଦିଗମାନଙ୍କୁ ଆଲୋକମୟ କରୁଥିଲା; ହେ ଭାରତ ! ସମସ୍ତ ରଥୀମାନେ ଭୟଗ୍ରସ୍ତ ଓ ଏ ପ୍ରକାର ମୋହିତ ହେଲେ ଯେ ସେମାନଙ୍କର ପରାପର ଜ୍ଞାନ ରହିଲା ନାହିଁ । ସେହି କାରଣରୁ ସମସ୍ତେ ଶାନ୍ତ ସ୍ୱଭାବକୁ ଆଶ୍ରୟ କରି ଯୁଦ୍ଧରୁ ନିବୃତ୍ତ ହେଲେ ।୧୩। ହେ ଭାରତ ! ସମସ୍ତ ସୈନ୍ୟମାନେ ଯୁଦ୍ଧରୁ ବିମୁଖ ହୋଇ ପ୍ରାଣରକ୍ଷାର ଆଶା ଛାଡ଼ି ଚତୁର୍ଦ୍ଦିଗକୁ ପଳାଇଲେ ।

 

ଅଧ୍ୟାୟ – ୬୪

 

ବୈଶମ୍ପାୟନ କହିଲେ- ତାହା ଉତ୍ତାରୁ ସୁଦୁର୍ଦ୍ଧର୍ଷ ପ୍ରତାପଶାଳୀ, ଶାନ୍ତନୁନନ୍ଦନ ଭୀଷ୍ମଦେବ ସୈନ୍ୟମାନଙ୍କର ମୃତ୍ୟୁ ସହ୍ୟ କରିନପାରି ସୁବର୍ଣ୍ଣମଣ୍ଡିତ ଉତ୍କୃଷ୍ଟ କାର୍ମୁକ ଓ ତୀକ୍ଷ୍‌ଣାଗ୍ର ମର୍ମଭେଦୀ ଶରମାନଙ୍କୁ ଧରି ଅର୍ଜ୍ଜୁନଙ୍କୁ ଆକ୍ରମଣ କଲେ । ନରବ୍ୟାଘ୍ର ଭୀଷ୍ମଦେବଙ୍କ ମସ୍ତକ ଉପରେ ଧରା ହୋଇଥିବା ପଣ୍ଡୁବର୍ଣ୍ଣ ଛତ୍ର ଉଦୟଗିରିର ମସ୍ତକରେ ସୂର୍ଯ୍ୟଦେବଙ୍କ ପ୍ରାୟ ମନୋହର ଦିଶୁଥିଲା ।୩। ଗଙ୍ଗାଙ୍କ ପୁତ୍ର ଦୁର୍ଯ୍ୟୋଧନଙ୍କୁ ଆନନ୍ଦିତ କରାଇବା ନିମିତ୍ତ ଶଙ୍ଖ ବଜାଇ ବଜାଇ ଦକ୍ଷିଣ ପାର୍ଶ୍ୱରେ ଉପସ୍ଥିତ ହୋଇ ଅର୍ଜ୍ଜୁନଙ୍କୁ ଆକ୍ରମଣ କଲେ ।୪। ଧରଣୀଧର ଜଳଧରକୁ ମସ୍ତକରେ ଧାରଣ କଲାପ୍ରାୟ ବୈରୀଦଳଗଞ୍ଜନ ଅର୍ଜ୍ଜୁନ ଅତି ଆହ୍ଲାଦରେ ଭୀଷ୍ମଙ୍କୁ ଆଦର ସହିତ ପ୍ରଣାମଦ୍ୱାରା ସତ୍କାରପୂର୍ବକ ଶିରୋଧାର୍ଯ୍ୟ କଲେ ।୫। ତାହା ଉତ୍ତାରୁ ବଳିଷ୍ଠ ଶ୍ରେଷ୍ଠ ଭୀଷ୍ମଦେବ ଧନଞ୍ଜୟଙ୍କ ରଥ ପତାକାରେ ଗର୍ଜନକାରୀ ସର୍ପସଦୃଶ୍ୟ ଅତି ଶୀଘ୍ରଗାମୀ ଆଠଗୋଟା ବାଣ ପ୍ରହାର କଲେ ।୬। ଏହି ତେଜୀୟାନ୍ ବାଣସବୁ ଶ୍ୱେତବାହନଙ୍କ ପତାକା ଉପରେ ପଡ଼ି ସେହିଠାରେ ଥିବା ବାନରଶ୍ରେଷ୍ଠ ହନୁମାନ ଓ ଭୂତମାନଙ୍କୁ ଆଘାତ କଲେ ।୭।

 

ପାଣ୍ଡୁନନ୍ଦନ ଅର୍ଜ୍ଜୁନ ମଧ୍ୟ ସେହି ସମୟରେ ଅତି ତୀକ୍ଷ୍‌ଣ ବୃହତ୍ ଭଲ୍ଲ ଅସ୍ତ୍ରରେ ଭୀଷ୍ମଦେବଙ୍କର ଛତ୍ରକୁ କାଟି ଦେବାରୁ ତାହା ପୃଥିବୀରେ ପଡ଼ିଗଲା ।୮। ପୁନଶ୍ଚ କେତେଗୁଡ଼ିଏ ବାଣରେ ତାହାଙ୍କର ଧ୍ୱଜ, ଅଶ୍ୱ, ପାଷ୍ଣିରକ୍ଷକ ଓ ସାରଥିକୁ ପ୍ରହାର କଲେ ।୯। ଭୀଷ୍ମଦେବ ତାହାଙ୍କୁ ପାଣ୍ଡବ ବୋଲି ଜାଣିଥିଲେ, ତଥାପି ଅତିଶୟ କ୍ରୋଧଯୁକ୍ତ ହୋଇ ଦିବ୍ୟ ଅସ୍ତ୍ରରେ ପ୍ରହାର କଲେ ।୧୦। ପର୍ବତ ମହାମେଘକୁ ମସ୍ତକରେ ଧରିଥିଲା ପ୍ରାୟ ଅତି ବୁଦ୍ଧିମାନ ଅର୍ଜ୍ଜୁନ ଭୀଷ୍ମଦେବଙ୍କୁ ମାନ୍ୟାଶରେ ଶିରୋଧାର୍ଯ୍ୟପୂର୍ବକ ଦିବ୍ୟ ଅସ୍ତ୍ରମାନଙ୍କ ଦ୍ୱାରା ପ୍ରହାର କଲେ । ବଳିରାଜା ଇନ୍ଦ୍ରଦେବଙ୍କ ସଙ୍ଗେ ଯୁଦ୍ଧ କଲାପ୍ରାୟ ଭୀଷ୍ମଦେବ ଅର୍ଜ୍ଜୁନଙ୍କ ସଙ୍ଗରେ ମହାରଣ କରୁଥିଲେ । ଭୀଷ୍ମ ଅର୍ଜ୍ଜୁନଙ୍କ ଯୁଦ୍ଧ ଦେଖି ଦର୍ଶକମାନେ ବିସ୍ମୟରେ ପୁଲକିତ ହେଉଥିଲେ । କୁରୁବଂଶୀୟମାନେ ଓ ତାହାଙ୍କର ସମସ୍ତ ସୈନ୍ୟମାନେ ଦେଖୁଥିଲେ ଯେ ଭୀଷ୍ମ ଅର୍ଜ୍ଜୁନଙ୍କ ଯୁଦ୍ଧରେ ଭଲ୍ଲ ଅସ୍ତ୍ରମାନେ ପରସ୍ପର ଆଘାତପ୍ରାପ୍ତ ହୋଇ ବର୍ଷାକାଳର ଖଦ୍ୟୋତସମୂହପ୍ରାୟ ଆକାଶମଣ୍ଡଳରେ ଶୋଭିତ ହେଉଥିଲେ ।୧୩।

 

ହେ ରାଜନ୍‌ ! ଅର୍ଜ୍ଜୁନଙ୍କର ବାମ ଦକ୍ଷିଣ ଦୁଇ ହସ୍ତରେ ସମାନ ପରିମାଣରେ ବାଣସବୁ ସନ୍ଧା ହେଉଥିବାରୁ ଗାଣ୍ଡୀବ କୋଦଣ୍ଡଟି ସାକ୍ଷାତ୍ ଅଗ୍ନିଚକ୍ରପ୍ରାୟ ଭ୍ରମୁଥିଲା ।୧୪। ପୟୋଧର ଜଳଧାରାମାନଙ୍କରେ ପର୍ବତକୁ ଆଚ୍ଛାଦନ କଲାପ୍ରାୟ ଅର୍ଜ୍ଜୁନ ଅସଂଖ୍ୟ ଶାଣିତ ଶରମାନଙ୍କରେ ଭୀଷ୍ମଦେବଙ୍କୁ ଆଚ୍ଛନ୍ନ କଲେ ।୧୫। ବେଳାଭୂମି ଅତି ଉଚ୍ଚ ତରଙ୍ଗମାନଙ୍କୁ ବିନାଶପୂର୍ବକ ସମୁଦ୍ରର ଗତି ବନ୍ଦ କଲାପ୍ରାୟ ଭୀଷ୍ମଦେବ ଅର୍ଜ୍ଜୁନଙ୍କ ଶରମାନଙ୍କୁ ନିଜର ଶାଣିତ ବାଣମାନଙ୍କ ଦ୍ୱାରା ଖଣ୍ଡ ଖଣ୍ଡ କରି ତାହାଙ୍କୁ ନିବାରଣ କଲେ ।୧୬। ଅର୍ଜ୍ଜୁନ ଭୀଷ୍ମଦେବଙ୍କୁ ଯେତେ ଶର ବିନ୍ଧୁଥିଲେ, ତାହାସବୁ ଭୀଷ୍ମଦେବଙ୍କ ଶର ଆଘାତରେ ଖଣ୍ଡ ଖଣ୍ଡ ହୋଇ ଫେରିଯାଇ ଅର୍ଜ୍ଜୁନଙ୍କ ରଥ ଉପରେ ପଡ଼ୁଥିଲେ ।୧୭। ସେହି ସମୟରେ ଅର୍ଜ୍ଜୁନଙ୍କ ରଥରୁ ଶଲଭସମୂହ ବାହାରି ଭୀଷ୍ମଦେବଙ୍କ ଉପରକୁ ଧାବମାନ ହେଲେ । କିନ୍ତୁ ଭୀଷ୍ମଦେବ ଅତି ଶୀଘ୍ର ଅସଂଖ୍ୟ ଶାଣିତ ବାଣମାନଙ୍କ ଦ୍ୱାରା ତାହା ସବୁ ଖଣ୍ଡ ଖଣ୍ଡ କରି ପକାଇଲେ ।୧୮। ସେହି ସମୟରେ କୌରବମାନେ ‘ଧନ୍ୟ ଭୀଷ୍ମ, ଧନ୍ୟ ଭୀଷ୍ମ’ ବୋଲି ବାରମ୍ବାର ପ୍ରଶଂସା କରୁଥିଲେ । ପୁନଶ୍ଚ କହୁଥିଲେ, ଭୀଷ୍ମଦେବ ବୃଦ୍ଧ ହୋଇ ତରୁଣଶ୍ରେଷ୍ଠ ଅର୍ଜ୍ଜୁନଙ୍କ ସଙ୍ଗରେ ଯୁଦ୍ଧରେ ପ୍ରବର୍ତ୍ତି ଅତିଶୟ ଦୁରୂହ କାର୍ଯ୍ୟ କଲେ ।

 

ବୀରଶ୍ରେଷ୍ଠ ରଣପଣ୍ଡିତ ଅର୍ଜ୍ଜୁନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଶାନ୍ତନୁପୁତ୍ର ଭୀଷ୍ମ, ଦେବକୀନନ୍ଦନ କୃଷ୍ଣ ଓ ଭରଦ୍ୱାଜଙ୍କ ପୁତ୍ର ଦ୍ରୋଣାଚାର୍ଯ୍ୟଙ୍କ ବିନା ଅନ୍ୟ କୌଣସି ବୀରପୁରୁଷର କଦାପି ସାହସ ହେବ ନାହିଁ ।୨୧। ମହାବଳସମ୍ପନ୍ନ ଭାରତଶ୍ରେଷ୍ଠ ମହାତ୍ମା ଭୀଷ୍ମ ଅର୍ଜ୍ଜୁନ ଦୁହେଁ ଅସ୍ତ୍ରମାନଙ୍କଦ୍ୱାରା ଅସ୍ତ୍ରକର୍ତ୍ତନ କରି ଖେଳୁଥିଲା ପ୍ରାୟ ଜଣାଯାଉଥିବାରୁ ଦର୍ଶକମାନେ ସେହି ଦୁହିଁଙ୍କ ଯୁଦ୍ଧକୁ ଦେଖି ମୋହିତ ହେଉଥିଲେ ।୨୨। ମହାବୀର ଦୁହେଁ ପ୍ରାଜାପତ୍ୟ, ଐନ୍ଦ୍ର, ଆଗ୍ନେୟ, ଯାମ୍ୟ, ରୌଦ୍ର, କୌବେର ବାରୁଣ, ବାୟବ୍ୟ ପ୍ରଭୃତି ଅତି ଦାରୁଣ ଦିବ୍ୟ ଅସ୍ତ୍ରମାନ ବୃଷ୍ଟିକରି ଯୁଦ୍ଧ ଭୂମିରେ ବିହରୁଥିଲେ । ଦେବତାମାନେ ଆକାଶମଣ୍ଡଳରେ ଥାଇ ଏହି ବୀର ଦୁହିଁଙ୍କ ଯୁଦ୍ଧ ଦେଖି ବିସ୍ମିତ ହୋଇ ‘ଧନ୍ୟ ଧନଞ୍ଜୟ ! ଧନ୍ୟ ଭୀଷ୍ମ !’ ‘ମନୁଷ୍ୟ ମଧ୍ୟରେ ଭୀଷ୍ମ ଅର୍ଜ୍ଜୁନଙ୍କ ପ୍ରାୟ କୌଣସି ସମୟରେ କେହି କଦାପି ଏତାଦୃଶ ମହାଅସ୍ତ୍ରମାନ ବୃଷ୍ଟି କରିବାର ଦେଖା ନ ଥିଲା’- ଏହି କଥା କହି ଦୁହିଁଙ୍କୁ ଧନ୍ୟବାଦ ଦେଉଥିଲେ ।୨୫। ବୈଶମ୍ପାୟନ କହିଲେ, ସର୍ବଅସ୍ତ୍ର ପଣ୍ଡିତ ଭୀଷ୍ମ ଓ ଅର୍ଜ୍ଜୁନ ଦୁହେଁ ଏହି ପ୍ରକାରରେ କିଛି ସମୟ ପର୍ଯ୍ୟନ୍ତ ଅସ୍ତ୍ରଯୁଦ୍ଧ କଲା ଉତ୍ତାରୁ ପରିଶେଷରେ ବାଣଯୁଦ୍ଧରେ ପ୍ରବୃତ୍ତ ହେଲେ ।୨୬।

 

ଅର୍ଜ୍ଜୁନ ଭୀଷ୍ମଙ୍କ ନିକଟକୁ ଯାଇ କ୍ଷୁରଧାର ବାଣରେ ତାହାଙ୍କର ସୁବର୍ଣ୍ଣମଣ୍ଡିତ କୋଦଣ୍ଡକୁ ଛେଦନ କଲେ ।୨୭। ବଳିଷ୍ଠଶ୍ରେଷ୍ଠ ମହାରଥ ଭୀଷ୍ମ ମଧ୍ୟ ନିମେଷକ ମଧ୍ୟରେ ଅନ୍ୟ ଗୋଟାଏ କାର୍ମୁକ ଧରି ତହିଁରେ ଗୁଣ ଚଢ଼ାଇ ଅତିଶୟ ରୋଷରେ ଅର୍ଜ୍ଜୁନଙ୍କ ଉପରକୁ ଶୀଘ୍ର ଶରବୃଷ୍ଟି କଲେ ।୨୮। ମହାତେଜା ଅର୍ଜ୍ଜୁନ ଭୀଷ୍ମଦେବଙ୍କୁ ଅସଂଖ୍ୟ ତୀକ୍ଷ୍‌ଣ ବାଣସମୂହରେ ଯେଉଁପ୍ରାୟ ପ୍ରହାର କରୁଥିଲେ, ମହାବାହୁ ଭୀଷ୍ମଦେବ ମଧ୍ୟ ସେହି ସମୟରେ ଅତିଶୟ ତୀକ୍ଷ୍‌ଣ ଶରମାନଙ୍କରେ ସେହି ପ୍ରକାର ପ୍ରହାର କରୁଥିଲେ । କିଛିସମୟ ପର୍ଯ୍ୟନ୍ତ ଏହିପ୍ରାୟ ଦୁଇ ମହାରଥଙ୍କର ପରସ୍ପର ମହାଯୁଦ୍ଧ ହେଲା ।୨୯। ହେ ମହାରାଜ ! ମହାତ୍ମା ଭୀଷ୍ମ ଅର୍ଜ୍ଜୁନ ଦୁହେଁ ଦିବ୍ୟ ଅସ୍ତ୍ରରେ ପଣ୍ଡିତ; ସେହି କାରଣରୁ ଦୁହେଁ ପରସ୍ପର ପ୍ରତି ସମାନ ରୂପରେ ଶରବୃଷ୍ଟି କରୁଥିବାରୁ କାହାର ଜୟ, କାହାର ପରାଜୟ, କିଛିମାତ୍ର ଜଣାଗଲା ନାହିଁ । କିରୀଟମାଳୀ କୁନ୍ତୀନନ୍ଦନ ଅର୍ଜ୍ଜୁନ ବାଣସମୂହରେ ଦିଗମାନଙ୍କୁ ଯେଉଁ ପ୍ରକାରରେ ଆଚ୍ଛନ୍ନ କରୁଥିଲେ, ଶାନ୍ତନୁକୁମାର ବୀରବର ଭୀଷ୍ମଦେବ ମଧ୍ୟ ସେହିପ୍ରାୟ ଆଚ୍ଛନ୍ନ କରୁଥିଲେ । କେତେବେଳେ ଭୀଷ୍ମଦେବ ପାଣ୍ଡବଙ୍କ ଉପରେ ଅଧିକ ବୀରପଣ ପ୍ରକାଶ କରୁଥିଲେ । କେତେବେଳେ କିରୀଟମାଳୀ କୁନ୍ତୀସୂତ ଅର୍ଜ୍ଜୁନ ମଧ୍ୟ ଭୀଷ୍ମଦେବ ନିଜର ଅଲୌକିକ ଶକ୍ତି ଦେଖାଉଥିଲେ । ସେହି ମହାଯୁଦ୍ଧରେ ବୀରବର ଦୁହିଁଙ୍କର ଏହି ପ୍ରକାରରେ ଅଦ୍ଭୁତ ପରାକ୍ରମ ଦେଖି ସମସ୍ତ ସୈନ୍ୟମାନେ ଚକିତ ହେଉଥିଲେ ।୩୨।

 

ହେ ମହାରାଜ ! ଭୀଷ୍ମଦେବଙ୍କ ରଥରକ୍ଷକ ବୀରମାନେ ଅର୍ଜ୍ଜୁନଙ୍କ ପ୍ରଖର ବାଣ ଆଘାତରେ ମହାକ୍ଲେଶ ଅନୁଭବ କରି ତାହାଙ୍କ ରଥର ଚତୁଃପାର୍ଶ୍ୱରେ ମହାନିଦ୍ରାରେ ଶାୟିତ ହେଲେ ।୩୩। ତାହା ଉତ୍ତାରୁ ଅର୍ଜ୍ଜୁନଙ୍କର ଅତିଶୟ ନିର୍ମଳ ସୁବର୍ଣ୍ଣପୁଙ୍ଖମଣ୍ଡିତ ଶରସମୂହ ଶତ୍ରୁକୁଳଙ୍କୁ ନିର୍ମୁଳ କରିବା ଇଚ୍ଛାରେ ତାହାଙ୍କ ରଥରୁ ବାହାରି ଆକାଶମାର୍ଗରେ ଯାଉଥିବା ସମୟରେ ହଂସମାଳା ପ୍ରାୟ ଅତି ମନୋହର ଦିଶୁଥିଲେ ।୩୫। ପୁରନ୍ଦର ପ୍ରଭୃତି ଯେଉଁ ସମସ୍ତ ଅମରମାନେ ଆକାଶମଣ୍ଡଳରେ ରହି ମହାବାହୁ ଅର୍ଜ୍ଜୁନଙ୍କ ବିଚିତ୍ର ଶରବୃଷ୍ଟିକି ଦେଖୁଥିଲେ, ସେହିମାନଙ୍କ ମଧ୍ୟରୁ ଗନ୍ଧର୍ବ ଅଧିପତି ପ୍ରତାପଶାଳୀ ଚିତ୍ରସେନ ଅର୍ଜ୍ଜୁନଙ୍କ ଶରସନ୍ଧାନ ଦେଖି ଅତିଶୟ ସନ୍ତୁଷ୍ଟ ହୋଇ ଇନ୍ଦ୍ରଦେବଙ୍କୁ କହିଲେ ।୩୭।, ହେ ଦେବରାଜ ! ଅର୍ଜ୍ଜୁନଙ୍କର ଦିବ୍ୟଅସ୍ତ୍ର ସନ୍ଧାନ କରିବା ବିଷୟରେ କି ଆଶ୍ଚର୍ଯ୍ୟ ଶକ୍ତି ଅଛି, ଦେଖିବା ହେଉନ୍ତୁ । ତାହାଙ୍କ ହସ୍ତର ଶରମାନେ କି ପ୍ରାୟ ଲଗାଲଗି ହୋଇ ଅତିବେଗରେ ଯାଉଅଛନ୍ତି ! ମନୁଷ୍ୟମାନେ ଦିବ୍ୟ ଅସ୍ତ୍ରମାନଙ୍କୁ ଏହିପ୍ରାୟ କଦାପି ସନ୍ଧାନ କରି ଜାଣନ୍ତି ନାହିଁ । ସେହିମାନଙ୍କଠାରେ ମଧ୍ୟ ଏତାଦୃଶ୍ୟ ଦିବ୍ୟଅସ୍ତ୍ର ସବୁ ଥାଏ ନାହିଁ ।

 

କୁନ୍ତୀକୁମାର ଅର୍ଜ୍ଜୁନ ଦେବତାମାନଙ୍କର ପୁରାତନ ଅମୋଘ ମହାଅସ୍ତ୍ରମାନଙ୍କୁ କି ଆଶ୍ଚର୍ଯ୍ୟ ରୂପରେ ବ୍ୟବହାର କରୁଅଛନ୍ତି ! ଅର୍ଜ୍ଜୁନ କେତେବେଳେ ଗାଣ୍ଡୀବ କୋଦଣ୍ଡକୁ ଆକର୍ଷଣ କରୁଅଛନ୍ତି, କେତେବେଳେ ଶରକୋଷ ମଧ୍ୟରୁ ବାଣମାନଙ୍କୁ ଆଣୁଅଛନ୍ତି, କେତେବେଳେ ସେମାନଙ୍କୁ କୋଦଣ୍ଡରେ ସନ୍ଧାନ କରୁଅଛନ୍ତି ଓ କେତେବେଳେ ଛାଡ଼ି ଦେଉଅଛନ୍ତି, ତାହା କିଛି ଜଣାଯାଉ ନାହିଁ ।୪୦। ସୈନ୍ୟମାନେ ମଧ୍ୟାହ୍ଣ ସମୟର ସୂର୍ଯ୍ୟଦେବଙ୍କ ସ୍ୱରୂପ ଅର୍ଜ୍ଜୁନଙ୍କୁ ଚାହିଁ ପାରୁନାହାନ୍ତି ।୪୧। ଓ ଅତି ତେଜସ୍ୱୀ ଶାନ୍ତନୁଙ୍କ ପୁତ୍ର ଭୀଷ୍ମଦେବଙ୍କୁ ମଧ୍ୟ ଅବଲୋକନ କରିବାକୁ କାହାର ଶକ୍ତି ହେଉନାହିଁ ।୪୨। ପୃଥିବୀ ମଧ୍ୟରେ ଭୀଷ୍ମ ଅର୍ଜ୍ଜୁନ ଦୁହେଁ ଯୁଦ୍ଧ କର୍ମ କରିବାରେ ସମାନ ଭାବରେ ଯେଉଁପ୍ରାୟ ସମର୍ଥ ଓ ଚତୁର ବୋଲି ଖ୍ୟାତ ହୋଇଅଛନ୍ତି, ପ୍ରବଳ ପରାକ୍ରମ ବିଷୟରେ ମଧ୍ୟ ସେହି ଅନୁସାରେ ସମାନ ଅଟନ୍ତି । ଏହି ଦୁହେଁ ଅସ୍ତ୍ରଶସ୍ତ୍ର ଚଳାଇବା ବିଷୟରେ ଯେଉଁ ପ୍ରକାର ସମାନ ଜୟଲାଭ କରିବା ବିଷୟରେ ମଧ୍ୟ ସେହି ଅନୁସାରେ ସମାନ ଅଟନ୍ତି । ଏମାନଙ୍କର ଅସ୍ତ୍ରଶସ୍ତ୍ର ଚଳାଇବାର ଚାତୁରୀରୁ ଜଣାଯାଏ ଯେ ଏହାଙ୍କ ସମାନ ପୃଥିବୀ ମଧ୍ୟରେ ଅନ୍ୟ କୌଣସି ଲୋକ ନାହିଁ ।୪୩। ହେ ଭାରତ ! ଗନ୍ଧର୍ବରାଜ ଚିତ୍ରସେନ ଦେବରାଜଙ୍କୁ ଭୀଷ୍ମ ଅର୍ଜ୍ଜୁନଙ୍କର ଏହି ପ୍ରକାର ଯୁଦ୍ଧର ସମ୍ବାଦ କହିବାରୁ ଇନ୍ଦ୍ରଦେବ ସେହି ଦୁହିଁଙ୍କ ମସ୍ତକ ଉପରେ ପୁଷ୍ପବୃଷ୍ଟି କରି ବାରମ୍ବାର ଧନ୍ୟବାଦ ଦେଉଥିଲେ ।୪୪।

 

କିରୀଟଶାଳୀ ଅର୍ଜ୍ଜୁନ କୋଦଣ୍ଡରେ ଶର ସନ୍ଧାନପୂର୍ବକ ଭୀଷ୍ମଦେବଙ୍କୁ ପ୍ରହାର କରିବା ନିମିତ୍ତ ଉଦ୍‌ଯୋଗ କରୁଥିବାବେଳେ ଗଙ୍ଗାପୁତ୍ର ଭୀଷ୍ମ ତାହାଙ୍କ ବାମ ପାର୍ଶ୍ୱରେ ଶର ବିନ୍ଧିଲେ ।୪୫। ସେହି ସମୟରେ ବୀଭତ୍ସୁ ହସି ହସି ଗୃଧପକ୍ଷଯୁକ୍ତ, ସୁତୀକ୍ଷ୍‌ଣ ବାଣଦ୍ୱାରା ଆଦିତ୍ୟ ସଦୃଶ୍ୟ ତେଜସ୍ୱୀ ଭୀଷ୍ମଦେବଙ୍କ କୋଦଣ୍ଡକୁ ଖଣ୍ଡ ଖଣ୍ଡ କରିଦେଲେ ।୪୬। ତାହା ଉତ୍ତାରୁ ଭୀଷ୍ମଦେବ ଯତ୍ନ ସହିତ ବଳପ୍ରକାଶ କରୁଥିବା ସମୟରେ କୁନ୍ତୀପୁତ୍ର ଧନଞ୍ଜୟ ତାହାଙ୍କ ବକ୍ଷସ୍ଥଳରେ ପୁନଶ୍ଚ ଦଶଗୋଟି ବାଣ ବିନ୍ଧିଲେ ।୪୭। ଯୁଦ୍ଧଦୁର୍ଦ୍ଧର୍ଷ ମହାବାହୁ ଭୀଷ୍ମଦେବ ସେହି ବାଣମାନଙ୍କ ଆଘାତରେ ଅତିଶୟ ପୀଡ଼ାଗ୍ରସ୍ତ ହୋଇ ରଥର ଯୁଗନ୍ଧର ନାମକ କାଷ୍ଠଖଣ୍ଡକୁ ଧରି ବହୁତ ସମୟ ପର୍ଯ୍ୟନ୍ତ ହତଜ୍ଞାନ ହୋଇ ରହିଲେ ।୪୮। ସେହି ସମୟରେ ତାହାଙ୍କ ରଥର ଅଶ୍ୱଚାଳକ ସାରଥି ପୂର୍ବର ଉପଦେଶ ବାକ୍ୟ ସ୍ମରଣ କରି କେବଳ ପ୍ରାଣରକ୍ଷା ନିମିତ୍ତ ସେହିଠାରୁ ତାହାଙ୍କୁ ନେଇ ପଳାଇଗଲା ।୪୯।

 

ଅଧ୍ୟାୟ – ୬୫

 

ବୈଶମ୍ପାୟନ କହିଲେ- ଭୀଷ୍ମ ଯୁଦ୍ଧସ୍ଥାନରୁ ପଳାଇଲା ଉତ୍ତାରୁ ଧୃତରାଷ୍ଟ୍ରଙ୍କ ପୁତ୍ର ମହାତ୍ମା ଦୁର୍ଯ୍ୟୋଧନ ପତାକା ଉଡ଼ାଇ ଗର୍ଜନ କରି କରି ଅର୍ଜ୍ଜୁନଙ୍କ ନିକଟକୁ ଆସିଲେ ।୧। ଓ ମହାପରାକ୍ରମଶାଳୀ ଶତ୍ରୁସୈନ୍ୟବିହାରୀ ମହାଧନୁର୍ଦ୍ଧାରୀ ଅର୍ଜ୍ଜୁନଙ୍କ ଲଲାଟ ମଧ୍ୟରେ ଗୋଟାଏ ଭଲ୍ଲଅସ୍ତ୍ର ଦୃଢ଼ରୂପରେ ଆଘାତ କଲେ ।୨। ହେ ରାଜନ ! ସୁବର୍ଣ୍ଣଅଗ୍ର, ସୁଶାଣିତ ସେହି ଏକପର୍ବବିଶିଷ୍ଟ ଭଲ୍ଲବାଣଟି ଅର୍ଜ୍ଜୁନଙ୍କ ଲଲାଟ ମଧ୍ୟରେ ପଡ଼ିବାରୁ ଉତ୍କୃଷ୍ଟକର୍ମା ଅର୍ଜ୍ଜୁନ ଏକଶୃଙ୍ଗଧାରୀ ପର୍ବତ ସମାନ ଶୋଭା ପାଉଥିଲେ ।୩। ଅର୍ଜ୍ଜୁନଙ୍କ ଲଲାଟସ୍ଥଳ ଭଲ୍ଲଅସ୍ତ୍ରରେ ବିଦାରିତ ହୋଇଥିବାରୁ ତହିଁରୁ ନିରନ୍ତର ଉଷ୍ଣରକ୍ତ ବାହାରୁଥିଲା । ସୁବର୍ଣ୍ଣ ପୁଙ୍ଖରେ ଶୋଭିତ ସେହି ଭଲ୍ଲ ଅସ୍ତ୍ରଟି ସେହି ସ୍ଥାନରେ ରହିଥିବାରୁ ଅତିଶୟ ଉଜ୍ଜ୍ୱଳ ଦିଶୁଥିଲା ।୪। ରଣବିଜୟୀ ବୀରମଣି ଅର୍ଜ୍ଜୁନ ଦୁର୍ଯ୍ୟୋଧନଙ୍କ ଭଲ୍ଲ ଅସ୍ତ୍ରରେ ଆଘାତ ପାଇ ଅତିଶୟ କ୍ରୋଧରେ ବିଷଅଗ୍ନି ସଦୃଶ୍ୟ ମହାବାଣମାନଙ୍କୁ ବିନ୍ଧିଲେ ।୫। ଅଜମୀଢ଼ ବଂଶୀୟ ମହାତେଜା ପୁରୁଷଶ୍ରେଷ୍ଠ ଦୁର୍ଯ୍ୟୋଧନ ଓ ଅର୍ଜ୍ଜୁନ ଦୁହେଁ ପରସ୍ପର ଯୁଦ୍ଧରେ ବୀରପଣ ଦେଖାଇ ସମାନ ଭାବରେ ଅସ୍ତ୍ରଘାତ କରୁଥିଲେ । ସେହି ସମୟରେ ଦୁର୍ଯ୍ୟୋଧନଙ୍କ ଭ୍ରାତା ବିକର୍ଣ୍ଣ ହସ୍ତୀ ପାର୍ଷ୍ଣିରକ୍ଷକ ଚାରିଗୋଟି ରଥୀମାନଙ୍କୁ ସଙ୍ଗରେ ଘେନି ପର୍ବତ ସମାନ ଉଚ୍ଚ ଏକ ମତ୍ତହସ୍ତୀ ଉପରେ ବସି ପୁନଶ୍ଚ ଅର୍ଜ୍ଜୁନଙ୍କ ସମ୍ମୁଖକୁ ଧାବମାନ ହେଲେ ।୬।

 

ଧନଞ୍ଜୟ ଶୀଘ୍ରଗାମୀ ମତ୍ତହସ୍ତୀକୁ ଦେଖି ଲୌହନିର୍ମିତ ଏକ ଦୃଢ଼ତର ଫଳକକୁ କର୍ଣ୍ଣ ପର୍ଯ୍ୟନ୍ତ ଆକର୍ଷଣ କରି ତାହାର କୁମ୍ଭସ୍ଥଳକୁ ବିନ୍ଧିଲେ ।୭। ଇନ୍ଦ୍ରଙ୍କର ହସ୍ତର ବଜ୍ର ପର୍ବତ ଶୃଙ୍ଗକୁ ଫଟାଇ ଦେଲାପ୍ରାୟ ଅର୍ଜ୍ଜୁନଙ୍କର ଗୃଧ୍ରପକ୍ଷମଣ୍ଡିତ ମହାବାଣ ପର୍ବତସମାନ ଗଜରାଜର ମସ୍ତକକୁ ବିଦାରଣ କରି ତାହା ମଧ୍ୟରେ ପଶିଗଲା ।୮। ମତ୍ତମାତଙ୍ଗଟି ବାଣର ଆଘାତରେ ଅତିଶୟ ପୀଡ଼ାଗ୍ରସ୍ତ ଓ ଅବଶ ହୋଇ ବଜ୍ରାଘାତ ପ୍ରାପ୍ତ ପର୍ବତ ଶୃଙ୍ଗପ୍ରାୟ ଥର ଥର ହୋଇ ଭୂମିରେ ପଡ଼ିଗଲା ।୯। ମତ୍ତଗଜଟି ମହୀରେ ପଡ଼ିଲାରୁ ବିକର୍ଣ୍ଣ ଅତିଶୟ ଭୟଗ୍ରସ୍ତ ହୋଇ ଶୀଘ୍ର ତାହାର ପିଠିରୁ ଓହ୍ଲାଇ ଶହେ ଆଠପାଦ ଚାଲିଗଲା ଉତ୍ତାରୁ ବିବିଂଶତିଙ୍କ ରଥରେ ବସିଲେ ।୧୦। ଧନଞ୍ଜୟ ଯେଉଁ ବଜ୍ରସଦୃଶ୍ୟ ବାଣରେ କୃଷ୍ଣ ସଦୃଶ୍ୟ ହସ୍ତୀବରକୁ ବିନାଶ କରିଥିଲେ, ତାଦୃଶ୍ୟ ଆଉ ଗୋଟିଏ ବାଣରେ ଦୁର୍ଯ୍ୟୋଧନଙ୍କ ବକ୍ଷସ୍ଥଳକୁ ପ୍ରହାର କଲେ ।୧୧। ଗଜରାଜର ମୃତ୍ୟୁ ଉତ୍ତାରୁ କୁରୁରାଜ ଦୁର୍ଯ୍ୟୋଧନ ପ୍ରଖର ବାଣରେ ଆହତ ହେବାରୁ ଓ ବିକର୍ଣ୍ଣ ପାର୍ଷ୍ଣିରକ୍ଷକମାନଙ୍କ ସଙ୍ଗରେ ପରାଜିତ ହେବାରୁ ଅନ୍ୟାନ୍ୟ ସେନାପତିମାନେ ଗାଣ୍ଡୀବ କୋଦଣ୍ଡର ବାଣାଘାତରେ ମରିଥିବା ହସ୍ତୀକୁ ଦେଖି ଯୋଦ୍ଧାମାନେ ପଳାଇଯିବାର ଶୁଣି ବୀରବର ଦୁର୍ଯ୍ୟୋଧନ ଯୁଦ୍ଧ ସ୍ଥାନରୁ ରଥକୁ ଲେଉଟାଇ ଅର୍ଜ୍ଜୁନ ନ ଥିବା ସ୍ଥାନକୁ ପଳାଇଲେ ।୧୩। ଭୟଙ୍କର ରୂପ ଧାରଣ କରି ଦୁର୍ଯ୍ୟୋଧନ ଅର୍ଜ୍ଜୁନଙ୍କ ବାଣାଘାତରେ ରକ୍ତବାନ୍ତି କରି ପରାଜୟ ଦୁଃଖରେ ଅତିଶୟ ଦୁଃଖିତ ହୋଇ ପଳାଇ ଯିବାରୁ ତାହାଙ୍କୁ ଦେଖି ଯୁଦ୍ଧପ୍ରିୟ ବୈରୀଗଞ୍ଜନ ଅର୍ଜ୍ଜୁନ ବାରମ୍ବାର ବାହୁ ଶବ୍ଦ କରି କହିଲେ ।୧୪।

 

ଅର୍ଜ୍ଜୁନ କହିଲେ, ଆହେ ଦୁର୍ଯ୍ୟୋଧନ ! ତୁମ୍ଭେ ବିପୁଳ କୀର୍ତ୍ତି ଓ ଅକ୍ଷୟ ଯଶକୁ ଛାଡ଼ି କାହିଁ ପାଇଁ ଯୁଦ୍ଧରୁ ପଳାଇ ଯାଉଅଛ ? ବର୍ତ୍ତମାନ ତ ତୁମ୍ଭେ ରାଜ୍ୟଚ୍ୟୁତ ହୋଇନାହଁ, ତେବେ ତୁମ୍ଭ ଆଗରେ ଜୟବାଦ୍ୟ କାହିଁକି ବାଜୁନାହିଁ ?୧୫। ଆହେ ଧୃତରାଷ୍ଟ୍ରପୁତ୍ର ଦୁର୍ଯ୍ୟୋଧାନ ! ମୁଁ ପୃଥାଦେବୀଙ୍କର ତୃତୀୟ ପୁତ୍ର ଅର୍ଜ୍ଜୁନ, ଯୁଧିଷ୍ଠିର ଦେବଙ୍କ ଆଜ୍ଞାନୁସାରେ ଯୁଦ୍ଧକ୍ଷେତ୍ରକୁ ଆସିଅଛି; ତୁମ୍ଭେ ଦ୍ୟୁତକ୍ରୀଡ଼ା ସମୟରେ ଯେଉଁ ଅଧର୍ମ କରିଅଛ, ତାହା ସବୁ ସ୍ମରଣ କରି ଫେରିଆସ ଓ ମୋର ସଙ୍ଗରେ ସମ୍ମୁଖ ଯୁଦ୍ଧ କର ।୧୬। ପୃଥିବୀ ମଧ୍ୟରେ ଖ୍ୟାତ ହୋଇଥିବା ତୁମ୍ଭର ଦୁର୍ଯ୍ୟୋଧନ ନାମଟି ଆଜି ବ୍ୟର୍ଥ ହେଲା; ତୁମ୍ଭେ ଯଦି ବର୍ତ୍ତମାନ ଯୁଦ୍ଧକ୍ଷେତ୍ରରୁ ପଳାଇ ଯାଉଅଛ, ତେବେ ନିଜର ନାମ ଦୁର୍ଯ୍ୟୋଧନ ବୋଲି କଦାପି କାହା ଆଗରେ କହିବ ନାହିଁ । ଆଜିଠାରୁ ତୁମ୍ଭର ଦୁର୍ଯ୍ୟୋଧନପଣ ଦୂର ହେଲା ।୧୭। ହେ ଦୁର୍ଯ୍ୟୋଧନ ! ତୁମ୍ଭର ଆଗରେ କି ପଛରେ କେହି ରକ୍ଷକ ନାହିଁ; ଏପରି ସମୟରେ ପଳାଇଯିବାର ଉଚିତ, ସଂସାରରେ ପ୍ରାଣ ଅପେକ୍ଷା ଅଧିକ କିଛି ପ୍ରିୟ ପଦାର୍ଥ ନାହିଁ, ଅତଏବ ତାହା ରକ୍ଷା କରିବା ନିମିତ୍ତ ପାଣ୍ଡବଙ୍କ ଯୁଦ୍ଧକ୍ଷେତ୍ରରୁ ଶୀଘ୍ର ପଳାଅ, ଶୀଘ୍ର ପଳାଅ ।୧୮।

 

ଅଧ୍ୟାୟ – ୬୬

 

ବୈଶମ୍ପାୟନ କହିଲେ-ମହାତ୍ମା ଧନଞ୍ଜୟ ଯୁଦ୍ଧଭୂମିରେ ଏହି ପ୍ରକାର ତିରସ୍କାର ବଚନ କହି ଦୁର୍ଯ୍ୟୋଧନଙ୍କୁ ଆହ୍ୱାନ କଲାରୁ ସେ ସେହି ବଚନଅଙ୍କୁଶର ଆଘାତରେ ଅଙ୍କୁଶାଘାତ ପ୍ରାପ୍ତ ମତ୍ତମାତଙ୍ଗ ପ୍ରାୟ ହୋଇ ଆଉ ପଳାଇ ନ ଯାଇ ନିବର୍ତ୍ତିଲେ ।୧। ବଳିଷ୍ଠଶ୍ରେଷ୍ଠ ଦୁର୍ଯ୍ୟୋଧନ ବୀରବର ଅର୍ଜ୍ଜୁନଙ୍କ ବାକ୍ୟ ଶୁଣି ପାଦଦଳିତ ବିଷଧର୍ପରାୟ ଅତିଶୟ କ୍ରୋଧଯୁକ୍ତ ହୋଇ ରଥାରୋହଣପୂର୍ବକ ତାହାଙ୍କ ସମ୍ମୁଖକୁ ଆସିଲେ ।୨। ସୁବର୍ଣ୍ଣହାରମଣ୍ଡିତ କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ଦେହରେ ବାଣ ଚିହ୍ନ ଦେଖି ତାହାଙ୍କୁ ନିଷେଧ କରି ତାହାଙ୍କ ଉତ୍ତର ପାର୍ଶ୍ୱରେ ଯାଇ ଅର୍ଜ୍ଜୁନଙ୍କୁ ଆକ୍ରମଣ କଲେ ।୩। ଶାନ୍ତନୁତନୟ ମହାବାହୁ ଭୀଷ୍ମ ସୁବର୍ଣ୍ଣ ପକ୍ଷଯୁକ୍ତ ପିଙ୍ଗଳ ବର୍ଣ୍ଣ ଅଶ୍ୱମାନଙ୍କଦ୍ୱାରା ଶୋଭିତ ରଥରେ ବସି ଶରାସନରେ ଗୁଣ ଚଢାଇ ଦୁର୍ଯ୍ୟୋଧନଙ୍କ ପଛରେ ରହି ତାହାଙ୍କୁ ଅର୍ଜ୍ଜୁନଙ୍କ ଶରାଘାତରୁ ରକ୍ଷା କରୁଥିଲେ ।୪। ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ବିବିଂଶତି ଓ ଦୁଃଶାସନ ପ୍ରଭୃତି ମହାବୀରମାନେ ମଧ୍ୟ ନିଜ ନିଜ ଶରାସନରେ ଶରସନ୍ଧାନ କରି ଦୁର୍ଯ୍ୟୋଧନଙ୍କୁ ରକ୍ଷାକରିବା ନିମିତ୍ତ ସେଠାରେ ପହଞ୍ଚିଲେ ।୫। ପ୍ରବଳ ପ୍ରତାପଶୀଳ ଅର୍ଜ୍ଜୁନ ସେହି ସମସ୍ତ ସୈନ୍ୟମାନଙ୍କୁ ମହାସମୁଦ୍ର ମାଡ଼ି ଆସୁଥିବା ପ୍ରାୟ ଦେଖି ସୁର୍ଯ୍ୟୋଦେବ ସମ୍ମୁଖସ୍ଥିତ ମେଘକୁ ତାପଦେଲା ପ୍ରାୟ ବିଶେଷ ତାପ ଦେଉଥିଲେ ।୬।

 

ସମସ୍ତ ଯୋଦ୍ଧାମାନେ ଦିବ୍ୟଅସ୍ତ୍ର ଧରି ଚତୁର୍ଦ୍ଦିଗରେ ବେଢ଼ି ଜଳଧର ପର୍ବତ ଉପରେ ଜଳଧାରମାନଙ୍କୁ ବୃଷ୍ଟିକଲା ପ୍ରାୟ ନିରନ୍ତର ବାଣବୃଷ୍ଟି କଲେ ।୭। ଶତ୍ରୁଜୟୀ, ମହାବଳ ଗାଣ୍ଡୀବ ଧନୁର୍ଦ୍ଧର ଧନଞ୍ଜୟ ସେହି କୌରବ ବୀରମାନଙ୍କର ଅସ୍ତ୍ରସମୂହକୁ ଅସ୍ତ୍ରରେ ଖଣ୍ଡଖଣ୍ଡ କରି ଅମୋଘ ନାମକ ଏକ ପ୍ରକାର ଐନ୍ଦ୍ର ଅସ୍ତ୍ର ଓ ନାନାପ୍ରକାର ସୁଶାଣିତ ସୁପୃଙ୍ଖ ଶରବୃନ୍ଦରେ ସମସ୍ତ ଦିଗମାନଙ୍କୁ ଆଚ୍ଛନ୍ନ କଲେ । ତାହା ଉତ୍ତାରୁ ଗାଣ୍ଡୀବଘୋଷ ଓ ଶଙ୍ଖଧ୍ୱନିରେ ଆକାଶମଣ୍ଡଳ, ଭୂମଣ୍ଡଳ ଓ ଦିଗବିଦିଗ ସବୁ ଏପ୍ରକାର ପରିପୂର୍ଣ୍ଣ ହେଲା ଯେ ତାହା ଶୁଣି ସମସ୍ତ ପ୍ରାଣୀମାନେ ଅତିଶୟ ଭୟଗ୍ରସ୍ତ ହେଲେ ।୧୦। ଅର୍ଜ୍ଜୁନଙ୍କ ଶଙ୍ଖଧ୍ୱନି ଶୁଣି ଦୁର୍ଯ୍ୟୋଧନଙ୍କର ସମସ୍ତ ମହାରଥୀମାନେ ଧନୁଶର ଛାଡ଼ି ହତଜ୍ଞାନ ହେଲେ ।୧୧। କୁରୁ ସୈନ୍ୟମାନେ ହତଜ୍ଞାନ ହେଲାରୁ ଧନଞ୍ଜୟ ଉତ୍ତରାଙ୍କ ବାକ୍ୟ ସ୍ମରଣ କରି ମତ୍ସ୍ୟପୁତ୍ରଙ୍କୁ କହିଲେ, ହେ ବୀରବର ! ବର୍ତ୍ତମାନ କୌରବମାନେ ଅଜ୍ଞାନ ହୋଇ ପଡ଼ିଅଛନ୍ତି, ଏହି ସମୟରେ ତୁମ୍ଭେ ସେହିମାନଙ୍କ ଭିତରକୁ ଯାଇ ଦ୍ରୋଣାଚାର୍ଯ୍ୟ ଓ କୃପାଚାର୍ଯ୍ୟଙ୍କର ଦୁଇଗୋଟି ଶୁକ୍ଳବସ୍ତ୍ର, କର୍ଣ୍ଣଙ୍କ ମନୋହର ପୀତ ବସ୍ତ୍ର, ଅଶ୍ୱତ୍‌ଥାମା ଓ ଦୁର୍ଯ୍ୟୋଧନଙ୍କର ନୀଳ ବସ୍ତ୍ର ଯୋଡ଼ିକ ଶୀଘ୍ର ଆଣ ।୧୩। ମତେ ଜଣାଯାଉଅଛି, ଭୀଷ୍ମ ହତଜ୍ଞାନ ହୋଇନାହାନ୍ତି; କାରଣ ସେ ସମ୍ମୋହନ ଅସ୍ତ୍ରର ପ୍ରତିକାର ଜାଣନ୍ତି, ସଚେତନ ବ୍ୟକ୍ତିମାନେ ସର୍ବପ୍ରକାର ସାବଧାନ ଥାଆନ୍ତି, ଅତଏବ ତୁମ୍ଭେ ତାହାଙ୍କ ଅଶ୍ୱମାନଙ୍କୁ ବାମ ପାର୍ଶ୍ୱରେ ରଖି ଭିତରକୁ ଯାଅ ।୧୪।

 

ଏଥି ଉତ୍ତାରୁ ମହାତ୍ମା ଉତ୍ତର ଅଶ୍ୱମାନଙ୍କର ମୁଖର ରଜ୍ଜୁକୁ ଛାଡ଼ି ରଥରୁ ଓହ୍ଲାଇ ମହାବୀରମାନଙ୍କ ଦେହରୁ ବସ୍ତ୍ରସବୁ ଆଣି ଶୀଘ୍ର ଆପଣାର ରଥ ଉପରକୁ ଗଲେ ।୧୫। ଓ ଅର୍ଜ୍ଜୁନଙ୍କ ଆଜ୍ଞା ଅନୁସାରେ ଉତ୍ତମ ଗୁଣରତ୍ନମଣ୍ଡିତ, ସୁବର୍ଣ୍ଣ କକ୍ଷରେ ଶୋଭିତ ଶୁକ୍ଳ ଅଶ୍ୱ ଚାରିଗୋଟିଙ୍କୁ ଏପ୍ରକାର ଚଳାଇଲେ ଯେ, ସେମାନେ ପବନ ସହିତ ସମାନ ହେଲା ପରି ହୋଇ ଧାଇଁ ଅଳ୍ପ ସମୟ ମଧ୍ୟରେ ପତାକାଧାରୀ ପଦାତିକ ସୈନ୍ୟମାନଙ୍କୁ ବଳିଗଲେ ।୧୬। ସେହି ସମୟରେ ବୀରବର ଭୀଷ୍ମ ପୁରୁଷଶ୍ରେଷ୍ଠ ଅର୍ଜ୍ଜୁନଙ୍କୁ ଦେଖି ଶୀଘ୍ର ତାହାଙ୍କ ଉପରକୁ ଶରବୃଷ୍ଟି କଲେ; ଭୟଙ୍କର ଧନୁର୍ଦ୍ଧାରୀ ଅର୍ଜ୍ଜୁନ ମଧ୍ୟ ଭୀଷ୍ମଙ୍କର ଚାରିଗୋଟି ଅଶ୍ୱଙ୍କୁ ହତ କରି ଦଶଗୋଟି ଶରରେ ତାହାଙ୍କ ପାଶ୍ୱର୍ଦେଶକୁ ଆଘାତ କଲେ; ତାହା ଉତ୍ତାରୁ ତାହାଙ୍କ ରଥ ବାହକକୁ କେତେଗୋଟି ଶର ବିନ୍ଧି ସୂର୍ଯ୍ୟଦେବ ଜଳଧରମାନଙ୍କୁ ବିଦାରଣ କରି ଦେଖାଦେଲାପ୍ରାୟ ସମସ୍ତ ମହାରଥମାନଙ୍କୁ ପରାଜୟ କରି ବସିଲେ ।୧୮।

 

କୁରୁସୈନ୍ୟମାନେ ଚେତନା ପାଇଲାରୁ ଧୃତରାଷ୍ଟ୍ରଙ୍କ ପୁତ୍ର ଦୁର୍ଯ୍ୟୋଧନ ମଧ୍ୟ ସେହି ସମୟରେ ନିଦ୍ରାରୁ ଉଠିଲାପ୍ରାୟ ହୋଇ ଉଠି ଦେବରାଜ ଇନ୍ଦ୍ରଙ୍କ ସଦୃଶ୍ୟ ସବ୍ୟସାଚୀଙ୍କୁ ଚାହିଁ ତାହାଙ୍କ ସୈନ୍ୟମାନଙ୍କୁ କହିଲେ ।୧୯।, ଆପଣମାନେ ଅର୍ଜ୍ଜୁନଙ୍କୁ କାହିଁକି ଛାଡ଼ି ଦେଉଅଛନ୍ତି ? ଏ ଯେପରି ରଣଭୂମିରୁ ଯାଇ ନ ପାରିବେ, ସେହି ଅନୁସାରେ ଆପଣଙ୍କର ପରାକ୍ରମ ପ୍ରକାଶ କରିବା ହେଉନ୍ତୁ । ମହାବାହୁ ଭୀଷ୍ମଦେବ ତାହା ଶୁଣି ହସିକରି କହିଲେ, ହେ ଦୁର୍ଯ୍ୟୋଧନ ! ଏତେବେଳଯାଏ ତୁମ୍ଭର ବୁଦ୍ଧି ଓ ବଳ କେଉଁ ଆଡ଼କୁ ଯାଇଥିଲା ? ତୁମ୍ଭେମାନେ ଯେତେବେଳେ ହତଜ୍ଞାନ ହୋଇ ଶର ଶରାସନ ପ୍ରଭୃତି ଛାଡ଼ିଥିଲ, ସେହି ସମୟରେ ଅର୍ଜ୍ଜୁନ କିଛି ଅନ୍ୟାୟ କାର୍ଯ୍ୟ କରି ନାହାନ୍ତି । ତାହାଙ୍କର ଅନ୍ତଃକରଣ ତୁମ୍ଭ ଅନ୍ତଃକରଣପ୍ରାୟ କଦାପି ପାପକର୍ମ କରିବାକୁ ରତ ହୁଏନାହିଁ ।୨୧। ସେ ତ୍ରୈଲୋକ୍ୟ ଅଧିକାର ବିଷୟରେ ସୁଦ୍ଧା କଦାପି ଧର୍ମପଥକୁ ଛାଡ଼ିବେ ନାହିଁ । ସେହି କାରଣରୁ ତୁମ୍ଭେମାନେ ଏହି ଯୁଦ୍ଧରେ ହତ ହୋଇନାହଁ । ହେ କରୁଶ୍ରେଷ୍ଠ ! ଦୁର୍ଯ୍ୟୋଧନ ! ସମ୍ପ୍ରତି ତୁମ୍ଭେମାନେ ଅତି ଶୀଘ୍ର ନିଜ ଦେଶକୁ ଯାଅ । ଅର୍ଜ୍ଜୁନ ମଧ୍ୟ ଜନଅର୍ଜିତ ଗୋଧନମାନଙ୍କୁ ନେଇ ଆନନ୍ଦିତ ହୁଅନ୍ତୁ । ପ୍ରାଣୀମାନେ ସମସ୍ତେ ଆପଣା ଆପଣାର ହିତ ଇଚ୍ଛା କରନ୍ତି; ଅତଏବ ତୁମ୍ଭେମାନେ ମୋହର ଅଧୀନ ହୋଇ ବୃଥାରେ ତାହାଙ୍କର ସ୍ୱାର୍ଥ ବିନାଶ କରିବାକୁ ସାହସୀ ହୁଅ ନାହିଁ ।୨୨।

 

ବୈଶମ୍ପାୟନ କହିଲେ, ରାଜା ଦୁର୍ଯ୍ୟୋଧନ ପିତାମହଙ୍କର ହିତ ବାକ୍ୟକୁ ଶୁଣି ଯୁଦ୍ଧକାର୍ଯ୍ୟରୁ ନିବୃତ୍ତ ହୋଇ ଦୀର୍ଘନିଃଶ୍ୱାସ ପକାଇ ତୁନି ହେଲେ ।୨୩। ସମସ୍ତ କୌରବ ସୈନ୍ୟମାନେ ଭୀଷ୍ମଦେବଙ୍କ କହିବା କଥାକୁ ହିତକାରକ ବୋଲି ଜାଣି ଧନଞ୍ଜୟଙ୍କର ପ୍ରଜ୍ଜ୍ୱଳିତ କ୍ରୋଧଅଗ୍ନିକି ନିଭାଇ ତହିଁରୁ ଦୁର୍ଯ୍ୟୋଧନଙ୍କୁ ରକ୍ଷା କରିବା ନିମିତ୍ତ ଗୋଧନସବୁ ଅର୍ଜ୍ଜୁନଙ୍କୁ ସମର୍ପଣ କରି ସ୍ୱଦେଶକୁ ଯିବାର ସ୍ଥିର କଲେ ।୨୪। ପୃଥାଙ୍କ ପୁତ୍ର ଧନଞ୍ଜୟ କୁରୁମାନଙ୍କର ସ୍ୱଦେଶଗମନ ସମ୍ବାଦ ଶ୍ରବଣ କରି ମୁହୂର୍ତ୍ତ ପରିମିତ ସମୟ ପର୍ଯ୍ୟନ୍ତ ମୌନଭାବ ଧରି ଆନନ୍ଦିତ ହୋଇ ସେମାନଙ୍କୁ ବାରମ୍ବାର ପ୍ରଦକ୍ଷିଣ ଓ ସମୁଚିତ ପୂଜା କଲେ ।୨୫। ବୃଦ୍ଧ ପିତାମହ ଭୀଷ୍ମଦେବ, ଗୁରୁ ଦ୍ରୋଣ, ଅଶ୍ୱତ୍‌ଥାମା, କୃପାଚାର୍ଯ୍ୟ ଏମାନଙ୍କୁ ମସ୍ତକ ନୁଆଇଁ ନମସ୍କାର କଲେ । ବାହ୍ଲୀକ, ସୋମଦତ୍ତ ପ୍ରଭୃତି କୁରୁବୀରମାନଙ୍କ ପାଦମୂଳକୁ ବିଚିତ୍ର ଶରସମୂହ ନିକ୍ଷେପ କଲା ଉତ୍ତାରୁ ଦୁର୍ଯ୍ୟୋଧନଙ୍କର ରତ୍ନଖଚିତ ମୁକୁଟକୁ ଗୋଟିଏ ବାଣରେ ଛେଦନ କଲେ ।

 

ଏଥି ଉତ୍ତାରୁ ଅନ୍ୟ ବୀରମାନଙ୍କୁ ଯଥୋଚିତ ସମ୍ମାନ ଦେଇ ଗାଣ୍ଡୀବ କୋଦଣ୍ଡର ନିର୍ଘୋଷରେ ତିନି ଭୁବନକୁ ପୂର୍ଣ୍ଣ କଲେ ।୨୭। ତତ୍ପରେ ଦେବଦତ୍ତ ଶଙ୍ଖକୁ ଉଚ୍ଚ ସ୍ୱରରେ ବଜାଇ ସୁବର୍ଣ୍ଣମାଳାମଣ୍ଡିତ ଜୟସୂଚକ ପତାକାମାନଙ୍କୁ ଉଡ଼ାଇ ଶତ୍ରୁମାନଙ୍କର ହୃଦୟକୁ ବିଦାରଣ କରି ଯୁଦ୍ଧକ୍ଷେତ୍ରରେ ଜୟଲାଭର ସୁଖକୁ ଅନୁଭବ କଲେ ।୨୮। କୁରୁସୈନ୍ୟମାନେ ପରାଜିତ ହୋଇ ନିଜ ରାଜ୍ୟକୁ ଫେରି ଯାଉଥିବାର ଦେଖି ଆହ୍ଲାଦିତ ହୋଇ ବିରାଟଙ୍କ ପୁତ୍ରଙ୍କୁ କହିଲେ, ହେ ଉତ୍ତର-! କୁରୁସୈନ୍ୟମାନେ ପରାଜୟ ସ୍ୱୀକାରପୂର୍ବକ ଆପଣାର ରାଜ୍ୟକୁ ଫେରି ଯାଉଅଛନ୍ତି । ଏବେ ତୁମ୍ଭେ ଗୋଧନମାନଙ୍କୁ ନେଇ ଆନନ୍ଦିତ ମନରେ ନିଜ ନଗରକୁ ରଥ ଚଳାଅ-।୨୯। ଆକାଶମାର୍ଗସ୍ଥିତ ସମସ୍ତ ଅମରମାନେ ଅର୍ଜ୍ଜୁନଙ୍କ ସହିତ କୌରବମାନଙ୍କର ଅଦ୍ଭୁତ ସମର ଦେଖି ପୁଲକିତ ହୋଇ ଅର୍ଜ୍ଜୁନଙ୍କର ଉତ୍କୃଷ୍ଟ ଅଲୌକିକ ଯୁଦ୍ଧଚ ତୁରୀକି ସ୍ମରଣ କରି ନିଜ ସଦନକୁ ଗଲେ-

 

ଅଧ୍ୟାୟ – ୬୭

 

ବୈଶମ୍ପାୟନ କହିଲେ- ସୁନ୍ଦରନୟନ ଅର୍ଜ୍ଜୁନ କୁରୁ ସୈନ୍ୟମାନଙ୍କୁ ଜିଣି ବିରାଟଙ୍କ ଗୋଧନମାନଙ୍କୁ ଫେରାଇ ଆନନ୍ଦିତ ହେଲେ । ଧୃତରାଷ୍ଟ୍ରଙ୍କ ସୈନ୍ୟମାନେ ପରାଜିତ ହୋଇ ଦୁଃଖିତ ମନରେ ନିଜ ରାଜ୍ୟକୁ ବାହାରିଯିବାର କିଛିକ୍ଷଣ ଉତ୍ତାରୁ ତାହାଙ୍କର ମୁକୁଳିତକେଶ, କ୍ଷୁଧାପିପାସାରେ ବ୍ୟସ୍ତ, ବିକଳଚିତ୍ତ, ଭୟଗ୍ରସ୍ତ, ବିଦେଶରୁ ଆଗତ କେତେକ ପୂର୍ବ ପଳାତକ ସୈନ୍ୟମାନେ ଦୁର୍ଗମ ଅରଣ୍ୟରୁ ବାହାରି ଅର୍ଜ୍ଜୁନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି କୃତାଞ୍ଜଳିପୁଟରେ ଜଣାଇଲେ, ମହାରାଜ ! ଆମ୍ଭେମାନେ ଆପଣଙ୍କର କେଉଁ କାର୍ଯ୍ୟ କରିବୁ, ଆଜ୍ଞା ହେଉ ।୪। ଅର୍ଜ୍ଜୁନ କହିଲେ ତୁମ୍ଭମାନଙ୍କର ମଙ୍ଗଳ ହେଉ । ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଆଶ୍ୱାସନା ଦେଇ କହୁଅଛୁ, ତୁମ୍ଭେମାନେ କିଛି ମାତ୍ର ଭୟ ନ କରି ଆନନ୍ଦରେ ନିଜ ନିଜ ବାସକୁ ଯାଅ । ଆମ୍ଭେ ଆର୍ତ୍ତ ବ୍ୟକ୍ତିମାନଙ୍କୁ କଦାପି ଆଘାତ ଦେବାକୁ ଇଚ୍ଛା କରୁନାହୁଁ ।୫। ବୈଶମ୍ପାୟନ କହିଲେ ଅର୍ଜ୍ଜୁନ, ଶରଣାଗତମାନଙ୍କୁ ଅଭୟବାକ୍ୟ କହି ଆଶ୍ୱାସନା ଦେବାରୁ ସେମାନେ ଆୟୁଃ, କୀର୍ତ୍ତି ଓ ଯଶଃପ୍ରଦାୟକ ଆଶୀର୍ବାଦଦ୍ୱାରା ତାହାଙ୍କୁ ଅଭିନନ୍ଦନ କଲେ ।୬।

 

ତାହା ଉତ୍ତାରୁ ଅର୍ଜ୍ଜୁନ ଯୁଦ୍ଧରୁ ନିବର୍ତ୍ତି ଶତ୍ରୁମାନଙ୍କୁ ଛାଡ଼ି ମତ୍ତହସ୍ତୀ ପ୍ରାୟ ବିରାଟଙ୍କ ନଗର ଆଡ଼କୁ ଯିବାରୁ କୌରବମାନେ ତାହାଙ୍କୁ ଆକ୍ରମଣ କରିବାକୁ ସମର୍ଥ ହେଲେ ନାହିଁ ।୭। ପ୍ରବଳ ପବନ ମେଘମାନଙ୍କ ଫଟାଇ ଦେଲାପ୍ରାୟ ଶତ୍ରୁଦଳଗଞ୍ଜନ ଅର୍ଜ୍ଜୁନ କୌରବ ସୈନ୍ୟମାନଙ୍କୁ ପରାଜୟ ଦେଇ ବିରାଟ, ରାଜାଙ୍କ ପୁତ୍ରଙ୍କୁ ବାରମ୍ବାର ବିନୟ ପ୍ରକାଶ କରି କହିଲେ ।୮। ହେ ବତ୍ସ ! ନଗରରେ ପ୍ରବେଶ କଲାରୁ ପାଣ୍ଡବମାନେ ରାଜାଙ୍କ ନିକଟରେ ଅଛନ୍ତି ବୋଲି କଦାପି ଆପଣ କାହାର ଆଗରେ କହିବା ହେବେ ନାହିଁ । କାରଣ ବିରାଟରାଜା ସେମାନଙ୍କୁ ପରିଚୟ କଲେ ଭୟବ୍ୟସ୍ତ ହୋଇ ପ୍ରାଣ ଛାଡ଼ିଦେବେ । ଆପଣ ଯୁଦ୍ଧରେ କୁରୁ ସୈନ୍ୟମାନଙ୍କୁ ପରାଭବ ଦେଇ ଗୋଧନମାନଙ୍କୁ ଉଦ୍ଧାର କରିଅଛନ୍ତି ବୋଲି କହିବେ, ତାହାହେଲେ ରାଜା ଆପଣଙ୍କ ଉପରେ ଅତିଶୟ ଆହ୍ଲାଦିତ ହେବେ ।୧୦। ଉତ୍ତର କହିଲେ, ହେ ଶ୍ୱେତବାହନ ! ଆପଣ ଯେଉଁ ଅସାଧ୍ୟ କର୍ମକୁ ସାଧ୍ୟ କରିଅଛନ୍ତି, ତାହା ମୋର ଶକ୍ତିରେ ହୋଇଅଛି ବୋଲି କଦାପି କେହି ସମ୍ଭବ କରିବେ ନାହିଁ । ଅତଏବ ଆପଣ ଯେଉଁ ଦିନ ଅନୁମତି ଦେବେ, ସେହିଦିନ ସମୁଦାୟ ଯୁଦ୍ଧର ବିବରଣ ପିତାଙ୍କ ନିକଟରେ ଜଣାଇ ଉତ୍ତମରୂପେ ଆପଣଙ୍କର ପରିଚୟ ଦେବୀ ।୧୧।

 

ବୈଶମ୍ପାୟନ କହିଲେ, ବାଣକ୍ଷତଶରୀର ଅର୍ଜ୍ଜୁନ ଶତ୍ରୁସେନାମାନଙ୍କୁ ପରାଭବ ଦେଇ ବଳପ୍ରକାଶପୂର୍ବକ ସେମାନଙ୍କଠାରୁ ଗୋଧନମାନଙ୍କୁ ଆଣି ଶ୍ମଶାନମାର୍ଗରେ ଆସି ପୁନଶ୍ଚ ଶମୀବୃକ୍ଷ ନିକଟରେ ଉପସ୍ଥିତ ହେଲେ ।୧୨। ସେହି ସ୍ଥାନରେ ବିଶ୍ୱକର୍ମା ଅଗ୍ନିସଦୃଶ ମହାକପି ହନୁମାନ ଭୁତମାନଙ୍କ ସଙ୍ଗରେ ଆକାଶକୁ ଉଡ଼ିଗଲେ । ସେହି ସମୟରେ ବାନରଧ୍ୱଜ ଅନ୍ତର୍ହିତ ହେଲାରୁ ଉତ୍ତରଙ୍କ ରଥରେ ବିରାଟ ରାଜାଙ୍କର ସିଂହଧ୍ୱଜ ଉଡ଼ିଲା ।୧୩। ବିରାଟଙ୍କର ପୁତ୍ର ଉତ୍ତର ଯୁଦ୍ଧମଣ୍ଡନ ଗାଣ୍ଡୀବ, କୋଦଣ୍ଡ ଓ ଶରକୋଷମାନଙ୍କୁ ପୂର୍ବପ୍ରାୟ ଶମୀବୃକ୍ଷରେ ରଖି ମହାତ୍ମା ଅର୍ଜ୍ଜୁନଙ୍କୁ ସାରଥିପଣରେ ନିଯୁକ୍ତ କରି ଆହ୍ଲାଦିତ ହୋଇ ନିଜ ନଗରକୁ ଗଲେ ।୧୪। ରିପୁକୁଳନିର୍ମୁଳକାରୀ ମହାତ୍ମା ଅର୍ଜ୍ଜୁନ ଶତ୍ରୁମାନଙ୍କୁ ପରାଭବ ଦେଇ ଉତ୍କୃଷ୍ଟ କର୍ମସାଧନ କଲା ଉତ୍ତାରୁ ପୂର୍ବପ୍ରାୟ ବେଣୀ ବାନ୍ଧି ବୃହନ୍ନଳା ରୂପ ଧରି ଉତ୍ତରଙ୍କ ସାରଥି ହୋଇ ସାନନ୍ଦ ମନରେ ପୁନଶ୍ଚ ଅଶ୍ୱମାନଙ୍କୁ ଧରି ବିରାଟଙ୍କ ନଗରରେ ପହଞ୍ଚିଲେ ।୧୫।

 

ବୈଶମ୍ପାୟନ କହିଲେ, ଅର୍ଜ୍ଜୁନଙ୍କ ଭୁଜବଳରେ କୌରବମାନେ ବଶୀଭୂତ ହୋଇ ଦୁଃଖିତ ମନରେ ହସ୍ତିନା ନଗରକୁ ଗଲାରୁ ପଥ ମଧ୍ୟରେ ଅର୍ଜ୍ଜୁନ ବିରାଟଙ୍କ ପୁତ୍ରଙ୍କୁ କହିଲେ ।୧୭।, ହେ ମହାବାହୋ ! ରାଜକୁମାର ! ଏହିଠାରେ ଗୋପାଳମାନେ ସମସ୍ତ ଗୋଧନମାନଙ୍କୁ ଦେଖି ନିଅନ୍ତୁ । ଅଶ୍ୱମାନେ ମଧ୍ୟ କ୍ଲାନ୍ତ ହୋଇଅଛନ୍ତି; ସେହିମାନେ ଏହିଠାରେ ସ୍ନାନ ଓ ଜଳପାନ କରି କିଛି ସମୟ ଆଶ୍ୱାସିତ ହୁଅନ୍ତୁ । ଆମ୍ଭେ ଅପରାହ୍ଣ ସମୟରେ ବିରାଟ ନଗରକୁ ଯିବା । ବର୍ତ୍ତମାନ ଆପଣ ଗୋପାଳମାନଙ୍କୁ ଅଦେଶ କରନ୍ତୁ ଯେ ସେମାନେ ଏଠାରୁ ଶୀଘ୍ର ଯାଇ ନଗରରେ ପହଞ୍ଚି ଆପଣଙ୍କର ଜୟହେଲା ବୋଲି ପ୍ରିୟଘୋଷଣା ଦିଅନ୍ତୁ ।୨୦। ବୈଶମ୍ପାୟନ କହିଲେ, ଉତ୍ତର ଅର୍ଜ୍ଜୁନଙ୍କ ଆଜ୍ଞା ଅନୁସାରେ ଦୂତମାନଙ୍କୁ କହିଲେ, ତୁମ୍ଭେମାନେ ଆଗେ ଶୀଘ୍ର ନଗରକୁ ଯାଇ ‘ମହାରାଜାଙ୍କର ଜୟ ହେଲା, ଶତ୍ରୁମାନେ ଗୋଧନ ଛାଡ଼ି ପଳାଇଗଲେ’ ଏହି କଥା ସମସ୍ତଙ୍କ ଆଗରେ କହ ।୨୧। ଶତ୍ରୁମାନଙ୍କର ପରାଜୟ ହେବାରୁ ଅତିଶୟ ଆନନ୍ଦିତ ଅର୍ଜ୍ଜୁନ ଓ ଉତ୍ତର ଦୁହେଁ ଏହିପ୍ରକାର ବିଚାର କରି ଶମୀବୃକ୍ଷ ମୂଳକୁ ଯାଇ ସେହିଠାରେ ରଖିଥିବା ପୂର୍ବ ଅଳଙ୍କାରମାନଙ୍କୁ ପୁନଶ୍ଚ ପରିଧାନ କଲେ ।୨୨। ବିରାଟଙ୍କ ପୁତ୍ର ଉତ୍ତର ଶତ୍ରୁସେନାମାନଙ୍କୁ ପରାଜୟ କରି ସେମାନଙ୍କଠାରୁ ସମସ୍ତ ଗୋଧନମାନଙ୍କୁ ଆଣିଥିଲା ପ୍ରାୟ ଅତ୍ୟନ୍ତ ଆନନ୍ଦିତ ହୋଇ ବୃହନ୍ନଳାଙ୍କୁ ସାରଥି କରି ନିଜ ନଗରରେ ପହଞ୍ଚିଲେ ।୨୩।

 

ଅଧ୍ୟାୟ – ୬୮

 

ବୈଶମ୍ପାୟନ କହିଲେ- ହେ ମହାରାଜ ! ବାହିନୀପତି ମତ୍ସ୍ୟଦେଶର ରାଜା ବିରାଟ ତ୍ରିଗର୍ତ୍ତମାନଙ୍କୁ ପରାଜୟ କରି ବହୁତ ଧନସମ୍ପତ୍ତି ଓ ଗୋଧନମାନଙ୍କୁ ଆଣି ଚାରି ପାଣ୍ଡବଙ୍କୁ ସଙ୍ଗରେ ଘେନି ନିଜ ନଗରରେ ପ୍ରବେଶ କରିବା ସମୟରେ ଅତିଶୟ ଶୋଭାର ଆଧାର ହୋଇଥିଲେ ।୨। ଏଥି ଉତ୍ତାରୁ ପ୍ରିୟଜନର ଆନନ୍ଦବର୍ଦ୍ଧନକାରୀ ବିରାଟ ପାଣ୍ଡବମାନଙ୍କ ସଙ୍ଗରେ ଆସନରେ ବସିଥିବା ସମୟରେ ତାହାଙ୍କର ପାତ୍ରମନ୍ତ୍ରୀମାନେ, ବ୍ରାହ୍ମଣ ଓ ପଣ୍ଡିତମାନେ, ସମସ୍ତେ ତାହାଙ୍କର ନିକଟରେ ଉପସ୍ଥିତ ହୋଇ ରାଜାଙ୍କୁ ଓ ସୈନ୍ୟମାନଙ୍କୁ ବିଶେଷ ବିଶେଷ ପ୍ରଶଂସା ବାକ୍ୟରେ ପୂଜା କଲେ । ରାଜା ଓ ସୈନ୍ୟମାନେ ମଧ୍ୟ ସେହିମାନଙ୍କୁ ମିଷ୍ଟାଳାପରେ ଆନନ୍ଦିତ କରି ବିଦାୟ ଦେଲେ ।୪। ତାହା ଉତ୍ତାରୁ ରାଜା ବିରାଟ ଅନ୍ତଃପୁରକୁ ଯାଇ ଉତ୍ତର କାହାନ୍ତି ବୋଲି ପଚାରିବାରୁ ସେଠାରେ ସମସ୍ତ ସ୍ତ୍ରୀ ଓ ବାଳିକାମାନେ କହିଲେ, ମହାରାଜ ! କୌରବମାନେ ଆପଣଙ୍କର ଗୋଧନମାନଙ୍କୁ ହରଣ କରି ନେଇ ଯାଇଥିବାରୁ ରାଜକୁମାର ଅତିଶୟ କ୍ରୋଧଯୁକ୍ତ ହୋଇ କେବଳ ବୃହନ୍ନଳାଙ୍କୁ ସଙ୍ଗରେ ଘେନି ଭୀଷ୍ମ, ଦ୍ରୋଣ, କର୍ଣ୍ଣ, କୃପାଚାର୍ଯ୍ୟ, ଅଶ୍ୱତ୍‌ଥାମା ଓ ଦୁର୍ଯ୍ୟୋଧନ ଏହି ଛଅ ମହାରଥମାନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ଯାଇଅଛନ୍ତି ।୮।

 

ବୈଶମ୍ପାୟନ କହିଲେ, ଯୁଦ୍ଧପ୍ରିୟ ଉତ୍ତର ବୃହନ୍ନଳାଙ୍କୁ ସଙ୍ଗରେ ଘେନି ଗୋଟିଏ ରଥରେ ଯୁଦ୍ଧ କରିବାକୁ ଯାଇଅଛନ୍ତି ବୋଲି ଶୁଣି ବିରାଟ ରାଜା ବିଶେଷ ସନ୍ତାପ କରି ସମସ୍ତ ପ୍ରଧାନ କର୍ମଚାରୀମାନଙ୍କୁ କହିଲେ, କୌରବମାନେ ଓ ଅନ୍ୟାନ୍ୟ ରାଜାମାନେ ତ୍ରିଗର୍ତ୍ତଙ୍କ ପରାଜୟ ବାର୍ତ୍ତା ଶୁଣି କଦାପି ଧୈର୍ଯ୍ୟ ଧରି ପାରି ନ ଥିବେ ।୧୦। ଅତଏବ ଆମ୍ଭର ଯେଉଁ ବୀର ପୁରୁଷମାନେ ତ୍ରିଗର୍ତ୍ତଙ୍କ ଯୁଦ୍ଧରେ ଆଘାତ ନ ପାଇ ଆସିଅଛନ୍ତି, ସେହିମାନେ ଅସଂଖ୍ୟ ସୈନ୍ୟମାନଙ୍କୁ ସଙ୍ଗରେ ନେଇ ଉତ୍ତରଙ୍କୁ ସାହାଯ୍ୟ ଦେବା ନିମିତ୍ତ ଯାଆନ୍ତୁ ।୧୧। ରାଜା ଏହା କହି ପୁତ୍ରଙ୍କୁ ସାହାଯ୍ୟ ଦେବା ନିମିତ୍ତ ରଥାରୋହୀ, ଗଜାରୋହୀ, ଅଶ୍ୱାରୋହୀ ଓ ବିଚିତ୍ର ଅସ୍ତ୍ରଶସ୍ତ୍ର ମଣ୍ଡିତ ପୁରୁଷଶ୍ରେଷ୍ଠ ପଦାତିକ ସୈନ୍ୟମାନଙ୍କୁ କହିଲେ, ତୁମ୍ଭେମାନେ ଶୀଘ୍ରଯାଇ କୁମାରଙ୍କ ବୃତ୍ତାନ୍ତ ଆମ୍ଭଙ୍କୁ ଜଣାଅ । ନପୁଂସକ ବୃହନ୍ନଳା ସଙ୍ଗରେ ଯାଇଥିବାରୁ ଉତ୍ତର ଜୀବିତ ଥିବାପ୍ରାୟ ଜଣାଯାଉନାହିଁ ।୧୪।

 

ବୈଶମ୍ପାୟନ କହିଲେ, ଧର୍ମରାଜ ଯୁଧିଷ୍ଠିର ଅତି ସନ୍ତାପକାରୀ ବିରାଟ ରାଜାଙ୍କୁ ଅଳ୍ପ ହସିକରି କହିଲେ, ହେ ରାଜନ୍‌ ! ଉତ୍ତରଙ୍କ ରଥରେ ବୃହନ୍ନଳା ସାରଥି ହୋଇଥିଲେ ଶତ୍ରୁମାନେ କଦାପି ଗୋଧନମାନଙ୍କୁ ନେଇ ପାରିବେ ନାହିଁ ।୧୫। ବୃହନ୍ନଳା ସାରଥିପଣ କଲେ ଆପଣଙ୍କ ପୁତ୍ର ଉତ୍ତର ଅନ୍ୟାନ୍ୟ ରାଜାମାନଙ୍କ ସହିତ ଦୁର୍ଯ୍ୟୋଧନଙ୍କୁ କି, ଦେବତା, ଯକ୍ଷ, ସିଦ୍ଧ ଓ ଅସୁରମାନଙ୍କୁ ଅନାୟାସରେ ଜୟ କରିପାରିବେ ।୧୬। ବୈଶମ୍ପାୟନ କହିଲେ, ସେହି ସମୟ ମଧ୍ୟରେ ଉତ୍ତରଙ୍କ ନିକଟରୁ ଆସିଥିବା ଦୂତମାନେ ନଗରରେ ପହଞ୍ଚି ରାଜକୁମାରଙ୍କର ଜୟ ବିବରଣ ସବୁ ଘୋଷଣା କଲେ ।୧୭। ରାଜମନ୍ତ୍ରୀ ଦୂତମାନଙ୍କ ମୁଖରୁ ବିଜୟ ବିବରଣ ସବୁ ଶୁଣି ରାଜାଙ୍କ ନିକଟରେ ଜଣାଇଲେ- ମହାରାଜ ! ରିପୁଦଳନ ମହାତ୍ମନ୍‌ ! କୁରୁସୈନ୍ୟମାନେ ଯୁଦ୍ଧରେ ପରାଜିତ ହୋଇ ପଳାଇଗଲେ । ଉତ୍ତର ସେମାନଙ୍କୁ ପରାସ୍ତ କରି ସମସ୍ତ ଗୋଧନମାନଙ୍କୁ ଆଣି ସାରଥିଙ୍କ ସଙ୍ଗରେ କୁଶଳରେ ଅଛନ୍ତି ।୧୯।

 

ଯୁଧିଷ୍ଠିର କହିଲେ, ମହାରାଜ ! କୌରବମାନେ ସମସ୍ତ ଗୋଧନମାନଙ୍କୁ ଛାଡ଼ି ପଳାଇଗଲେ, ଏହା ବଡ଼ ଭାଗ୍ୟର ବିଷୟ । କିନ୍ତୁ ଆପଣଙ୍କର ପୁତ୍ର କୌରବମାନଙ୍କୁ ପରାଭବ ଦେଇଥିବାର ମଧ୍ୟ ଅତି ଆଶ୍ଚର୍ଯ୍ୟ କଥା ନୁହଇ, କାରଣ ବୃହନ୍ନଳା ଯାହାର ସାରଥି ହୁଅନ୍ତି, ତାହାର ଜୟ ବିଷୟରେ କିଛିମାତ୍ର ସନ୍ଦେହ ରହେ ନାହିଁ ।୨୦। ବୈଶମ୍ପାୟନ କହିଲେ, ବିରାଟ ରାଜା ଅତି ପ୍ରତାପଶାଳୀ ନିଜ ପୁତ୍ରଙ୍କର ବିଜୟସମ୍ବାଦ ଶୁଣି ଆନନ୍ଦରେ ପୁଲକିତ ହୋଇ ଦୂତମାନଙ୍କୁ ପୁରସ୍କାରରୂପେ ବହୁତ ବସ୍ତ୍ର ଅଳଂକାର ଦେଇ ମନ୍ତ୍ରୀଙ୍କୁ କହିଲେ ।୨୨।, ନାନା ପ୍ରକାର ପୁଷ୍ପମାଳା ଓ ପତାକାବୃନ୍ଦରେ ରାଜମାର୍ଗସବୁ ମଣ୍ଡି ଦେବତାମାନଙ୍କୁ ପୂଜା କରାଅ ।୨୩। ଆମ୍ଭ ପୁତ୍ରଙ୍କୁ ପାଛୋଟି କରି ଆଣିବା ନିମିତ୍ତ ସୁବେଶିତ ଗଣିକାମାନେ, କୁମାରମାନେ, ବୀରଶ୍ରେଷ୍ଠମାନେ ଓ ନାନା ପ୍ରକାର ବାଦ୍ୟ ବାଦକମାନେ ଯାଆନ୍ତୁ ।୨୪। ଘଣ୍ଟବାଦନକାରୀ ବ୍ୟକ୍ତି ଶୀଘ୍ର ମତ୍ତ ବାରଣ ଉପରେ ଚଢି ଚର୍ତୁଷ୍ପଥ ଅର୍ଥାତ୍ ଛକସ୍ଥାନମାନଙ୍କରେ ଆମ୍ଭର ଜୟ ହେଲା ବୋଲି ଘୋଷଣା ଦିଅନ୍ତୁ ।୨୫। ଉତ୍ତରା ମଧ୍ୟ ନୃତ୍ୟର ବସ୍ତ୍ର ଅଳଙ୍କାର ସବୁ ପିନ୍ଧି କୁମାରୀମାନଙ୍କୁ ସଙ୍ଗରେ ନେଇ ଆମ୍ଭ ପୁତ୍ରଙ୍କୁ ପାଛୋଟି ଆଣିବା ନିମିତ୍ତ ଯାଆନ୍ତୁ ।୨୬।

 

ବୀରବର ବିରାଟ ରାଜାଙ୍କର ଏହି ପ୍ରକାର ଆଦେଶ ଶୁଣି ଭେରୀ, ତୁରୀ, ଶଙ୍ଖ, ପଣବ, ନାନ୍ଦୀ ଓ ପଟହ ଆଦି ବାଦ୍ୟବାଦକମାନେ ନାନା ପ୍ରକାର ବିଜୟବାଦ୍ୟମାନ ବଜାଇଲେ; ତାହା ଉତ୍ତାରୁ ସୂତ ଓ ମାଗଧମାନଙ୍କ ସଙ୍ଗରେ ସୁନ୍ଦରୀ ସ୍ତ୍ରୀମାନେ ଉତ୍କୃଷ୍ଟ ବେଶରେ ସଜ ହୋଇ ଶୁଭସୂଚକ ଦଧି, ଦୁର୍ବା ପ୍ରଭୃତି ଦ୍ରବ୍ୟମାନଙ୍କୁ ହସ୍ତରେ ଧରି ଉତ୍ତରଙ୍କୁ ପାଛୋଟି ଆଣିବା ନିମିତ୍ତ ନଗର ମଧ୍ୟରୁ ବାହାରିଲେ ।୨୮। ବୈଶମ୍ପାୟନ କହିଲେ, ମହାରାଜ ! ବିରାଟ ନିଜ ପୁତ୍ରଙ୍କୁ ଆଣିବା ନିମିତ୍ତ ସେନା, ନାନା ଅଳଙ୍କାରମଣ୍ଡିତ ଗଣିକା ଓ କନ୍ୟାମାନଙ୍କୁ ପଠାଇ ଅତିଶୟ ଆନନ୍ଦରେ କହିଲେ ।୨୯।, ହେ ସୈରନ୍ଧ୍ରି ! ଅକ୍ଷ ଆଣ ! ହେ କଙ୍କ ! ଆସ ଦ୍ୟୁତଖେଳ ଖେଳିବା । ପାଣ୍ଡବଜ୍ୟେଷ୍ଠ ଯୁଧିଷ୍ଠିର ଅତିଶୟ ଆନନ୍ଦିତ ବିରାଟ ରାଜାଙ୍କର ଏହି କଥା ଶୁଣି କହିଲେ ।୩୦।, ମହାରାଜ ! ସୁପଣ୍ଡିତମାନଙ୍କଠାରୁ ଶୁଣିଅଛି, ଅତି ଆନନ୍ଦିତ ବ୍ୟକ୍ତିଙ୍କ ସଙ୍ଗରେ ଦ୍ୟୁତ ଖେଳ ଖେଳିବାର ଉଚିତ ନୁହେଁ; ଏହି କାରଣରୁ ଅଦ୍ୟ ଆପଣଙ୍କ ସଙ୍ଗରେ ମୁଁ ଦ୍ୟୁତ ଖେଳ ଖେଳିବାକୁ ଇଚ୍ଛା କରୁନାହିଁ । ଯାହାହେଉ ମହାରାଜାଙ୍କର ପ୍ରିୟକାର୍ଯ୍ୟ କରିବାର ଉଚିତ ବିବେଚନା କରି ଜଣାଉଅଛି ଯେ ଯଦି ବର୍ତ୍ତମାନ ଖେଳିବାକୁ ଅତିଶୟ ଆଗ୍ରହ ଅଛି, ତେବେ ଆରମ୍ଭ କରିବା ହେଉନ୍ତୁ ।୩୧। ବିରାଟ କହିଲେ, ଅଦ୍ୟ ଯାଦୃଶ୍ୟ ଆନନ୍ଦିତ ଅଛୁ, ଦ୍ୟୁତକ୍ରୀଡ଼ା ବିନା ଆମ୍ଭର ପୃଥିବୀ, ସୁବର୍ଣ୍ଣ, ସ୍ତ୍ରୀ ଅଥବା ଅନ୍ୟପ୍ରକାର କିଛିମାତ୍ର ସମ୍ପତ୍ତି ରହି ପାରିବ ନାହିଁ ।୩୨।

 

କଙ୍କ କହିଲେ, ହେ ମାନଦାୟକ ! ରାଜେନ୍ଦ୍ର ! ନାନା ପ୍ରକାର ଦୋଷର ଆଧାର ଦ୍ୟୁତକ୍ରୀଡ଼ାରେ ଆପଣଙ୍କର କି ପ୍ରୟୋଜନ ଅଛି ? ଦ୍ୟୁତକ୍ରୀଡ଼ାରେ ନାନାପ୍ରକାର ଅନିଷ୍ଟ ଘଟିବାର ସମ୍ଭବ; ସେହି ହେତୁରୁ ତାହା ଛାଡ଼ିଦେବା ହେଉନ୍ତୁ ।୩୩। ଆପଣ ପାଣ୍ଡୁପୁତ୍ର ଯୁଧିଷ୍ଠିରଙ୍କୁ ଦେଖିଥିବେ, ଅଥବା ତାହାଙ୍କର କଥା ଶୁଣିଥିବେ; ସେ ଦ୍ୟୁତକ୍ରୀଡ଼ାରେ ଆସକ୍ତ ହୋଇ ବିଶେଷ ସମ୍ପତ୍ତିପୂର୍ଣ୍ଣ ବିଶାଳ ରାଜ୍ୟ ଓ ଦେବତାମାନଙ୍କ ସଦୃଶ୍ୟ ଭାଇମାନଙ୍କୁ ହରାଇଥିଲେ; ସେହି ହେତୁରୁ ଦ୍ୟୁତଖେଳ ଖେଳିବାକୁ ମୋର ଇଚ୍ଛା ହେଉନାହିଁ; କିନ୍ତୁ ଆପଣଙ୍କ ଇଚ୍ଛା ଅନୁସାରେ ଚଳିବାକୁ ହେଲେ ଅଗତ୍ୟା ଖେଳିବାକୁ ହେବ ।୩୫। ବୈଶମ୍ପାୟନ କହିଲେ, ଏଥି ଉତ୍ତାରୁ ଦ୍ୟୁତଖେଳ ଆରମ୍ଭ ହେବାରୁ ବିରାଟ ପାଣ୍ଡବଙ୍କୁ କହିଲେ, ଆମ୍ଭ ପୁତ୍ର କୌରବମାନଙ୍କୁ ଜୟ କରିଅଛନ୍ତି, ଏହା ବଡ଼ ଆନନ୍ଦର ବିଷୟ ।୩୬। ଧର୍ମପୁତ୍ର ଯୁଧିଷ୍ଠିର ବିରାଟଙ୍କୁ କହିଲେ, ଯାହାର ବୃହନ୍ନଳା ସାରଥି, ତାହାର ଯୁଦ୍ଧରେ କି ଜୟ ନୁହନ୍ତା ?୩୭।

 

ବିରାଟରାଜା ଯୁଧିଷ୍ଠିରଙ୍କର କଥା ଶୁଣି ଅତିଶୟ କୋପଯୁକ୍ତ ହୋଇ ଯୁଧିଷ୍ଠିରଙ୍କୁ କହିଲେ, ଆହେ ଦ୍ୱିଜାଧମ ! କେଉଁ କଥା କହିବାର ଉଚିତ, କେଉଁ କଥା କହିବା ଅନୁଚିତ, ତାହା ତୁମ୍ଭେ ଜାଣ ନାହିଁ । ଆମ୍ଭ ପୁତ୍ରଙ୍କ ସଙ୍ଗରେ ଗୋଟାଏ ନପୁଂସକର ପ୍ରଶଂସା ବାରମ୍ବାର କହି ଆମ୍ଭଙ୍କୁ କେବଳ ଅବମାନନା କରୁଅଛ । ଭୀଷ୍ମ, ଦ୍ରୋଣ ପ୍ରଭୃତି ମହାବୀରମାନଙ୍କ ସଙ୍ଗରେ ନପୁଂସକ ବ୍ୟକ୍ତି କି ଯୁଦ୍ଧ କରିପାରନ୍ତା ?୩୯। ହେ ବ୍ରହ୍ମନ୍‌ ! କେବଳ ସଖା ବୋଲି ତୁମ୍ଭର ଏହି ଅପରାଧକୁ କ୍ଷମା ଦେଲୁ; ଯଦି କିଛିଦିନ ଜୀବିତ ରହିବାକୁ ଇଚ୍ଛା ଅଛି, ତାହାହେଲେ ଆଉ କଦାପି ଏହିପ୍ରକାର କଥା କହିବ ନାହିଁ ।୪୦। ଯୁଧିଷ୍ଠିର କହିଲେ, ଦ୍ରୋଣ, ଭୀଷ୍ମ, ଅଶ୍ୱତ୍‌ଥାମା, କର୍ଣ୍ଣ, କୃପାଚାର୍ଯ୍ୟ, ଦୁର୍ଯ୍ୟୋଧନ ଓ ଅନ୍ୟାନ୍ୟ ରାଜଶ୍ରେଷ୍ଠମାନଙ୍କ ସଙ୍ଗରେ, କି ମରୁତ୍‌ଗଣବେଷ୍ଟିତ ଇନ୍ଦ୍ରଦେବଙ୍କ ସଙ୍ଗରେ ଏକାକୀ ହୋଇ ଯୁଦ୍ଧ କରିବାକୁ ବୃହନ୍ନଳାଙ୍କ ବ୍ୟତୀତ କଦାପି କେହି ସମର୍ଥ ହୋଇ ପାରିବେ ନାହିଁ ।୪୨। ଯାହାଙ୍କ ବାହୁବଳରେ ସମାନ କୌଣସି ଲୋକ ନାହିଁ ଓ କଦାପି ହେବନାହିଁ, ଯୁଦ୍ଧ ଆସନ୍ନ ଦେଖିଲେ ଯାହାଙ୍କ ହୃଦୟରେ ଅତ୍ୟନ୍ତ ହର୍ଷ ଜାତ ହୁଏ ।୪୩।, ଯେଉଁ ବ୍ୟକ୍ତି ଏକତ୍ର ଅବସ୍ଥିତ ସୁର, ଅସୁର ଓ ମହୋରଗମାନଙ୍କୁ ଅନାୟାସରେ ପରାଜୟ କରିବାକୁ ସମର୍ଥ, ତାହାଙ୍କ ସାହାଯ୍ୟରେ ରାଜକୁମାର କି ଶତ୍ରୁମାନଙ୍କୁ ଜୟ ନ କରନ୍ତେ ?୪୪।

 

ବିରାଟ କହିଲେ, ଆମ୍ଭେ ତୁମ୍ଭଙ୍କୁ ବାରମ୍ବାର ନିଷେଧ କଲୁଁ, ତଥାପି ତୁମେ ନପୁଂସକର ପ୍ରଶଂସା ଛାଡ଼ି ପାରିଲ ନାହିଁ । ଜଣେ ସୃଷ୍ଟିକର୍ତ୍ତା ନ ଥିଲେ କେହି କଦାପି ଧର୍ମ ଆଚରଣ କରନ୍ତା ନାହିଁ ।୪୫। ବୈଶମ୍ପାୟନ କହିଲେ, ତାହା ଉତ୍ତାରୁ ବିରାଟରାଜା ଅତିଶୟ କୋପାବିଷ୍ଟ ହୋଇ ‘ତୁମ୍ଭେ ଆଉ କଦାପି ଏ ପ୍ରକାର କଥା କହିବ ନାହିଁ’ ଏହିପ୍ରାୟ ତିରସ୍କାର କରି ଗୋଟାଏ ଅକ୍ଷଦ୍ୱାରା ଯୁଧିଷ୍ଠିରଙ୍କ ମୁଖରେ ଦୃଢ଼ ରୂପରେ ଆଘାତ କଲେ ।୪୬। ବିଶେଷ ଆଘାତ ହୋଇଥିବାରୁ ତାହାଙ୍କ ନାସିକାରୁ ରକ୍ତଧାର ବହିର୍ଗତ ହେଲା । ଧର୍ମପରାୟଣ ଯୁଧିଷ୍ଠିର ତାହାକୁ ପୃଥିବୀରେ ପଡ଼ିବା ପୂର୍ବରୁ ଦୁଇ ହସ୍ତରେ ଧରିଲେ ।୪୭। ଓ ନିକଟରେ ଥିବା ପତିବ୍ରତା ଦ୍ରୌପଦୀଙ୍କୁ ଚାହିଁଲେ । ସେ ମଧ୍ୟ ସ୍ୱାମୀଙ୍କ ଅଭିପ୍ରାୟ ଜାଣି ଅତିଶୀଘ୍ର ଜଳପୂର୍ଣ୍ଣ ଗୋଟାଏ ସୁବର୍ଣ୍ଣପାତ୍ର ଆଣି ଯୁଧିଷ୍ଠିରଙ୍କର ନାସା ନିକଟରେ ଦେଖାଇ ରକ୍ତଧାରମାନଙ୍କୁ ଧରିଲେ ।୪୯। ସେହି ସମୟରେ ଈଶ୍ୱରଙ୍କ ଇଚ୍ଛାରେ ଉତ୍ତର ଅତି ଆନନ୍ଦରେ ସ୍ୱଚ୍ଛନ୍ଦତାପୂର୍ବକ ପହଞ୍ଚି ନାନାପ୍ରକାର ଗନ୍ଧମାଲ୍ୟାଦି ଦ୍ୱାରା ମଣ୍ଡିତ ହୋଇ ପୁରବାସୀ ଓ ନାନା ଜନପଦବାସୀ ସ୍ତ୍ରୀପୁରୁଷମାନଙ୍କ ଦ୍ୱାରା ଉତ୍ତମରୂପେ ସମ୍ମାନ ଲାଭ କରି ସିଂହଦ୍ୱାରରେ ଉପସ୍ଥିତ ହୋଇ ଦ୍ୱାରପାଳ ଦ୍ୱାରା ପିତାଙ୍କ ନିକଟକୁ ସମ୍ବାଦ ପଠାଇଲେ ।୫୧। ଦ୍ୱାରୀ ସେହି ସମୟରେ ଅତି ଶୀଘ୍ର ସଭାମଣ୍ଡପରେ ପହଞ୍ଚି ରାଜାଙ୍କ ଛାମୁରେ ଜଣାଇଲା, ମହାରାଜ ! ରାଜକୁମାର ଉତ୍ତର ବୃହନ୍ନଳାଙ୍କ ସଙ୍ଗରେ ସିଂହଦ୍ୱାରରେ ଉପସ୍ଥିତ ହୋଇଛନ୍ତି ।୫୨।

 

ମତ୍ସ୍ୟରାଜ ବିରାଟ ତାହା ଶୁଣି ଅତିଶୟ ଆହ୍ଲାଦିତ ହୋଇ ଦ୍ୱାରପାଳକୁ କହିଲେ, ତୁମ୍ଭେ ଆମ୍ଭ ନିକଟକୁ ସେ ଦୁହିଁଙ୍କୁ ଶୀଘ୍ର ଆଣ, ଆମ୍ଭେ ସେହି ଦୁହିଁଙ୍କୁ ଶୀଘ୍ର ଦେଖିବାକୁ ଅପେକ୍ଷା କରି ବସିଅଛୁ ।୫୩। ସେହି ସମୟରେ ଯୁଧିଷ୍ଠିର ଦ୍ୱାରପାଳର କର୍ଣ୍ଣମୂଳରେ ଅତି ଧୀର ସ୍ୱରରେ କହିଲେ, ତୁମ୍ଭେ ଏହିକ୍ଷଣି କେବଳ ଉତ୍ତରଙ୍କୁ ଆଣ; ସମ୍ପ୍ରତି ବୃହନ୍ନଳା ଏଠାକୁ ଆସିବେ ନାହିଁ । କାରଣ ସେ ପ୍ରତିଜ୍ଞା କରିଅଛନ୍ତି ଯେ ଯେଉଁ ବ୍ୟକ୍ତି ବିନାଯୁଦ୍ଧରେ ଆମ୍ଭ ଦେହରେ ବ୍ରଣ କି ରକ୍ତ ଦେଖାଇବ, ସେ ପ୍ରାଣ ଧରି ରହିପାରିବ ନାହିଁ ।୫୫। ଅତଏବ ସମ୍ପ୍ରତି ଆମ୍ଭ ନାସାରୁ ରକ୍ତ ବାହାରୁଥିବାର ଦେଖିଲେ ସେହି ବୀରଶ୍ରେଷ୍ଠ ଅତିଶୟ କୋପଯୁକ୍ତ ହୋଇ ଅମାତ୍ୟ ଓ ସୈନ୍ୟବାହିନୀଙ୍କ ସହିତ ବିରାଟଙ୍କୁ ସଂହାର କରିବେ ।୫୬।

 

ବୈଶମ୍ପାୟନ କହିଲେ, ତାହା ଉତ୍ତାରୁ ରାଜକୁମାର ଭୂମିଞ୍ଜୟ ପହଞ୍ଚି ପିତାଙ୍କ ପାଦତଳରେ ନମସ୍କାର କରି ଯୁଧିଷ୍ଠିରଙ୍କୁ ଚାହିଁ ଦେଖିଲେ ।୫୭। ସେ ଭୂମିରେ ଅସ୍ଥିର ମନରେ ବସିଥିଲେ । ତାହାଙ୍କର ନାସାରୁ ରକ୍ତଧାରା ବାହାରୁଥିଲା । ସୈରନ୍ଧ୍ରୀ ତାହାଙ୍କୁ ସେବା କରୁଥିଲେ ।୫୮। ତାହା ଉତ୍ତାରୁ ଉତ୍ତର ଚକିତ ହୋଇ ଶୀଘ୍ର ପିତାଙ୍କୁ ପଚାରିଲେ, ମହାରାଜ ! କିଏ ଏହାଙ୍କୁ ଆଘାତ କଲା ? ଏତାଦୃଶ୍ୟ ପାପକର୍ମ କରିବାକୁ କାହାର ଇଚ୍ଛା ହେଲା ?୫୯।

 

ବିରାଟ କହିଲେ, ଆମ୍ଭେ ତୁମ୍ଭ ବୀରପଣର ପ୍ରଶଂସା କରୁଥିବା ସମୟରେ କଙ୍କ ବାରମ୍ବାର ବୃହନ୍ନଳାର ପ୍ରଶଂସା କଲାରୁ ଆମ୍ଭେ କ୍ରୋଧଯୁକ୍ତ ହୋଇ ଏହାଙ୍କୁ ଏତାଦୃଶ ଆଘାତ ଦେଇଅଛୁ ।୬୦। ଉତ୍ତର କହିଲେ, ହେ ରାଜନ୍‌ ! ଆପଣ ଅନ୍ୟାୟ କାର୍ଯ୍ୟ କରିଅଛନ୍ତି । ସମ୍ପ୍ରତି ଏହାଙ୍କୁ ଶୀଘ୍ର ପ୍ରସନ୍ନ କରାଇବା ହେଉନ୍ତୁ; ନୋହିଲେ ବ୍ରହ୍ମ ଅଭିଶାପ ଅନଳରେ ଆପଣ ସବଂଶରେ ଭସ୍ମୀଭୂତ ହେବେ ।୬୧। ବୈଶମ୍ପାୟନ କହିଲେ, ରାଷ୍ଟ୍ରବର୍ଦ୍ଧନ ବିରାଟ ପୁତ୍ରଙ୍କ ବାକ୍ୟ ଶୁଣି ଭସ୍ମଆଚ୍ଛାଦିତ ଅଗ୍ନିସଦୃଶ୍ୟ ଯୁଧିଷ୍ଠିରଙ୍କୁ କ୍ଷମା ପ୍ରାର୍ଥନା କଲେ ।୬୨। ବିରାଟ ଯୁଧିଷ୍ଠିରଙ୍କୁ କ୍ଷମା ପ୍ରାର୍ଥନା କଲାରୁ ସେ କହିଲେ, ହେ ମହାରାଜ ! ଏହି ବିଷୟରେ ମୁଁ ଆପଣଙ୍କୁ ଏହା ପୂର୍ବରୁ କ୍ଷମା ଦେଇଅଛି । ସମ୍ପ୍ରତି ମୋର ହୃଦୟରେ କ୍ରୋଧ ନାହିଁ ।୬୩। ହେ ମହାବାହୋ ! ଯଦି ଆମ୍ଭ ନାସିକାର ରକ୍ତ ଭୂମିରେ ପଡ଼ିଥାଆନ୍ତା, ତାହାହେଲେ ଆପଣଙ୍କ ରାଜ୍ୟ ବିନାଶପ୍ରାପ୍ତ ହୋଇଥାଆନ୍ତା-।୬୪। ହେ ମହାରାଜ ! ଆପଣ ବିନା ଅପରାଧରେ ମତେ ପ୍ରହାର କରିଅଛନ୍ତି ସତ୍ୟ, କିନ୍ତୁ ସେ ନିମିତ୍ତ ଆପଣଙ୍କୁ ମୁଁ ଦୋଷୀ ବୋଲି କହୁନାହିଁ; କାରଣ ବଳବାନ ପ୍ରଭୁଙ୍କ ହେତୁରୁ ଏତାଦୃଶ ଭୟଙ୍କର କାର୍ଯ୍ୟ ହେବାର କଦାପି ଅସମ୍ଭବ ନୁହଇ ।୬୫। ବୈଶମ୍ପାୟନ କହିଲେ, ଯୁଧିଷ୍ଠିରଙ୍କର ରକ୍ତପାତ ଶାନ୍ତ ହେଲାରୁ ବୃହନ୍ନଳା ସଭାରେ ପ୍ରବେଶ କରି ବିରାଟ ଓ କଙ୍କଙ୍କୁ ନମସ୍କାର କରି ତାହାଙ୍କ ସମୀପରେ ଛିଡ଼ାହେଲେ ।୬୬।

 

ବିରାଟ କୁରୁରାଜ ଯୁଧିଷ୍ଠିରଙ୍କୁ ପ୍ରସନ୍ନ କରାଇଲା ଉତ୍ତାରୁ ଯୁଦ୍ଧଭୂମିରୁ ପ୍ରତ୍ୟାଗତ ଉତ୍ତରଙ୍କୁ ଚାହିଁ ସବ୍ୟସାଚୀଙ୍କୁ ଶୁଣାଇ ବହୁତ ପ୍ରଶଂସା କରି କହିଲେ, ହେ ସୁଦେଷ୍ଣାଙ୍କର ଆନନ୍ଦବର୍ଦ୍ଧନ କାରକ ଉତ୍ତର ! ଆମ୍ଭେ ତୁମ୍ଭ ହେତୁରୁ ପୁତ୍ରବନ୍ତ ହେଲୁ, ଆମ୍ଭର ତୁମ୍ଭ ସଦୃଶ୍ୟ ପୁତ୍ର କେହି ନାହିଁ କି କଦାପି ହେବେ ନାହିଁ ।୬୮। ହେ ବତ୍ସ ! ଯେ ଏକାବେଳକେ ଲକ୍ଷ ସହସ୍ର ବାଣ ବିନ୍ଧିବାକୁ ଇଚ୍ଛା କଲେ ଗୋଟିଏ ବାଣ ବ୍ୟର୍ଥ ହୁଏ ନାହିଁ, ସେହି ମହାପରାକ୍ରମଶାଳୀ କର୍ଣ୍ଣଙ୍କ ସଙ୍ଗରେ ତୁମ୍ଭେ କି ପ୍ରକାରରେ ଯୁଦ୍ଧ କଲ ?୬୯। ହେ ତାତ ! ମନୁଷ୍ୟ ମଧ୍ୟରେ ଯାହାଙ୍କ ସଦୃଶ୍ୟ କୌଣସି ବୀରପୁରୁଷ ନାହିଁ, ସେହି ଭୀଷ୍ମଦେବଙ୍କ ସଙ୍ଗରେ ତୁମ୍ଭେ କିପ୍ରାୟ ଯୁଦ୍ଧ କଲ ?୭୦। ହେ ତାତ ! ଯେ କୁରୁବଂଶ, ବୃଷ୍ଣିବଂଶ ଓ ଅନ୍ୟାନ୍ୟ କ୍ଷତ୍ରିୟବଂଶର ଶିକ୍ଷାଗୁରୁ ଓ ସମସ୍ତ ଶସ୍ତ୍ରଧାରୀ ବୀରପୁରୁଷମାନଙ୍କ ମଧ୍ୟରେ ଶ୍ରେଷ୍ଠ, ସେହି ଦ୍ରୋଣାଚାର୍ଯ୍ୟଙ୍କ ସଙ୍ଗରେ ତୁମ୍ଭେ କି ପ୍ରାୟ ଯୁଦ୍ଧ କଲ ?୭୧। ଦ୍ରୋଣପୁତ୍ର ଅଶ୍ୱତ୍‌ଥାମା ସମସ୍ତ ବୀରମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଅଟନ୍ତି । ତୁମ୍ଭେ ତାହାଙ୍କ ସଙ୍ଗରେ କେଉଁ ପ୍ରାୟ ଯୁଦ୍ଧ କଲ ?୭୨। ହେ ବତ୍ସ ! ଶତ୍ରୁମାନେ ଯେଉଁ ବ୍ୟକ୍ତିଙ୍କୁ ଯୁଦ୍ଧକ୍ଷେତ୍ରରେ ଥରେମାତ୍ର ଦେଖିଲେ ସର୍ବ ସମ୍ପତ୍ତି ହରାଇଥିବା ବାଣିଜ୍ୟକାରୀ ପ୍ରାୟ ମହାବିଷାଦଗ୍ରସ୍ତ ହୁଅନ୍ତି, ସେହି କୃପାଚାର୍ଯ୍ୟଙ୍କ ସଙ୍ଗରେ ତୁମ୍ଭେ କେଉଁପ୍ରାୟ ଯୁଦ୍ଧ କରିଥିଲ ?୭୩। ହେ ନନ୍ଦନ ! ଯେଉଁ ରାଜକୁମାର ଉତ୍କୃଷ୍ଟ ବାଣସମୂହ ବିନ୍ଧି ପର୍ବତ ଫଟାଇ ପାରନ୍ତି, ସେହି ମହାବୀର ଦୁର୍ଯ୍ୟୋଧନଙ୍କ ସଙ୍ଗରେ ତୁମ୍ଭର କିପ୍ରାୟ ଯୁଦ୍ଧ ହେଲା ?୭୪। ଓଃ ! ଶତ୍ରୁମାନେ ପରାସ୍ତ ହେବାରୁ ସୁଖରୂପକ ପବନରେ ମୋର ଅତି ସଂତପ୍ତ ହୃଦୟ ଶୀତଳ ହେଲା ।୭୫। ତୁମ୍ଭେ ସେହି ସମସ୍ତ ବୀରମାନଙ୍କୁ ପରାଭବ ଦେଇ ସେମାନଙ୍କ ହସ୍ତରୁ ଗୋଧନମାନଙ୍କୁ ଆଣିଥିବାରୁ ମୁଁ ଜାଣିପାରୁଅଛି ଯେ ମହାବଳଶାଳୀ ଶାର୍ଦୁଳମାନଙ୍କ ମୁଖରୁ ସେମାନଙ୍କର ଖାଦ୍ୟ ଆମିଷଦ୍ରବ୍ୟ ଛଡ଼ାଇ ଆଣିଅଛ ।୭୬।

 

ଅଧ୍ୟାୟ – ୬୯

 

ଉତ୍ତର କହିଲେ, ହେ ତାତ ! ମୁଁ ସେହି ଶତ୍ରୁମାନଙ୍କୁ ପରାଭବ ଦେଇ ଗୋଧନମାନଙ୍କୁ ଆଣିନାହିଁ । ଜଣେ ଦେବପୁତ୍ର ସେହିସବୁ କର୍ମ ନିର୍ବାହ କରିଅଛନ୍ତି ।୧। ମୁଁ ଯୁଦ୍ଧଭୂମିରେ ମହାବୀରମାନଙ୍କୁ ଦେଖି ଭୟରେ ଦ୍ରବୀଭୂତ ହୋଇ ରଥରୁ ଓହ୍ଲାଇ ପଳାଇ ଆସୁଥିଲି, କିନ୍ତୁ ବଜ୍ରସଦୃଶ୍ୟ କବଚଧାରୀ ଅତି ବଳିଷ୍ଠ ସେହି ଦେବପୁତ୍ର ମତେ ଫେରାଇ ନେଇ ରଥରେ ବସାଇ ସ୍ୱୟଂ ଶତ୍ରୁମାନଙ୍କ ସଙ୍ଗରେ ଯୁଦ୍ଧ କଲେ ।୨। ହେ ତାତ ! ସେହି କେବଳ କୌରବମାନଙ୍କୁ ପରାଭବ ଦେଇ ଗୋଧନସବୁ ଆଣିଅଛନ୍ତି । ଯୁଦ୍ଧଭୂମିରେ ସେହି ସମସ୍ତ ମହାବୀରମାନଙ୍କ ସଙ୍ଗରେ ମହାଯୁଦ୍ଧ କରିଥିଲେ । ମୁଁ କାହାରି ସଙ୍ଗରେ ଯୁଦ୍ଧ କରିନଥିଲି ।୩। ସେହି ମହାବଳ ଦେବକୁମାର ଭୀଷ୍ମ, ଦ୍ରୋଣ, କର୍ଣ୍ଣ, କୃପାଚାର୍ଯ୍ୟ, ଅଶ୍ୱତ୍‌ଥାମା ଓ ଦୁର୍ଯ୍ୟୋଧନ ପ୍ରଭୃତି ମହାବୀରମାନଙ୍କୁ ମହାବାଣ ଆଘାତରେ ପରାଭବ ଦେଇଥିଲେ । ଯେତେବେଳେ ଦୁର୍ଯ୍ୟୋଧନ ଓ ବିକର୍ଣ୍ଣ ଭୟଗ୍ରସ୍ତ ହୋଇ ଯୂଥପତି ହସ୍ତୀ ସଦୃଶ୍ୟ ପଳାଇ ଯାଉଥିଲେ, ସେହି ସମୟରେ ଉକ୍ତ ଦେବକୁମାର ଦୁର୍ଯ୍ୟୋଧନଙ୍କୁ କହିଲେ ।୫।, ହେ କୌରବନନ୍ଦନ ! ହେ ରାଜନ ! ତୁମ୍ଭର ହସ୍ତିନାପୁରରେ ମଧ୍ୟ ପରିତ୍ରାଣ ହୋଇପାରିବ ନାହିଁ । ତୁମ୍ଭେ ଯଦି କିଛିଦିନ ଜୀବିତ ହେବାକୁ ଇଚ୍ଛା କରୁଅଛ, ତାହେଲେ ପ୍ରତିଦିନ ନାନା ଦେଶରେ ଭ୍ରମଣ କର ।୬। ହେ ରାଜନ୍‌ ! ତୁମ୍ଭେ ପଳାଇଗଲେ ସୁଦ୍ଧା କଦାପି ରକ୍ଷାପାଇ ପାରିବ ନାହିଁ । ଯୁଦ୍ଧକର; ଯୁଦ୍ଧରେ ଜୟଲାଭ କଲେ ପୃଥିବୀ ଭୋଗ କରିବ, ନଚେତ ମରିଗଲେ ସ୍ୱର୍ଗଗାମୀ ହେବ ।୭।

 

ନରଶ୍ରେଷ୍ଠ ଦୁର୍ଯ୍ୟୋଧନ ଦେବପୁତ୍ରଙ୍କର ସେହି ପ୍ରକାର କଥା ଶୁଣି ପଳାଇ ନ ଯାଇ ନାଗ ସର୍ପ ସଦୃଶ୍ୟ ଦୀର୍ଘ ନିଃଶ୍ୱାସ ପକାଇ ସଚିବମାନଙ୍କ ସଙ୍ଗରେ ରଥରେ ବସି ବଜ୍ର ସମାନ ବାଣସମୂହ ଆଘାତ କଲେ ।୮। ହେ ରାଜନ୍‌ ! ଦୁର୍ଯ୍ୟୋଧନଙ୍କର ବାଣବୃଷ୍ଟି ଦେଖି ମୋର ସର୍ବାଙ୍ଗ ରୋମାଞ୍ଚରେ ପୂର୍ଣ୍ଣ ହେଲା ଓ ହୃଦୟରେ କମ୍ପ ଜାତ ହେଲା; କିନ୍ତୁ ସିଂହପରାକ୍ରମ ଦେବକୁମାର କେଶରୀ ସଦୃଶ୍ୟ ଅତି ବଳିଷ୍ଠ କୁରୁସୈନ୍ୟମାନଙ୍କୁ ବାଣଅଗ୍ନିରେ ଭସ୍ମ କରୁଥିଲେ; ପରିଶେଷରେ ସେମାନେ ଅଚେତନ ଅବସ୍ଥାରେ ପଡ଼ିଥିବା ସମୟରେ ସେ ହସି ହସି ସେହିମାନଙ୍କ ଦେହରୁ ବସ୍ତ୍ରସବୁ ଅପହରଣ କଲେ ।୧୦। ଗୋଟିଏ ମତ୍ତ ଶାର୍ଦୂଳ ଅସଂଖ୍ୟ ବଚନର ମୃଗମାନଙ୍କୁ ବିନାଶ କଲାପ୍ରାୟ ସେହି ପୁରୁଷ ଏକାକୀ ହୋଇ ଛଅଜଣ ମହାରଥମାନଙ୍କୁ ଅନାୟାସରେ ପରାଭବ ଦେଲେ ।୧୧। ବିରାଟ କହିଲେ, କୁରୁମାନଙ୍କର ହସ୍ତଗତ ଗୋଧନମାନଙ୍କୁ ଯେ ଜୟ କରି ଆଣି ଅଛନ୍ତି, ସେହି ଉତ୍କୃଷ୍ଟ ପରାକ୍ରମଶାଳୀ ମହାବାହୁ ଦେବପୁତ୍ର କେଉଁଠାରେ ରହିଲେ ?୧୨। ଯାହାଙ୍କ ପ୍ରସାଦରେ ତୁମ୍ଭେ ଶତ୍ରୁମାନଙ୍କ ହସ୍ତରୁ ରକ୍ଷା ପାଇଅଛ, ଯାହାଙ୍କ ପ୍ରସାଦରେ ଶତ୍ରୁମାନେ ଗୋଧନମାନଙ୍କୁ ଛାଡ଼ି ଯୁଦ୍ଧକ୍ଷେତ୍ରରୁ ପଳାଇଗଲେ, ସେହି ମହାବଳ ଦେବପୁତ୍ରଙ୍କୁ ଆମ୍ଭେ ଦର୍ଶନ ଓ ଅର୍ଚ୍ଚନା କରିବାକୁ ଅତିଶୟ ଇଚ୍ଛୁକ ଅଛୁ ।୧୩।

 

ଉତ୍ତର କହିଲେ, ପ୍ରତାପଶାଳୀ ସେହି ଦେବକୁମାର ସେହିଠାରେ ଅଛନ୍ତି; ଜଣାଯାଏ ଦୁଇ ତିନିଦିନ ମଧ୍ୟରେ ସେ ଏହି ସ୍ଥାନକୁ ଆସିବେ ଅର୍ଜ୍ଜୁନଙ୍କର ପରିଚୟ ଦେବାରୁ ବାହିନୀପତି ବିରାଟ କପଟବେଶଧାରୀ ଧନଞ୍ଜୟଙ୍କୁ ଚିହ୍ନିପାରିଲେ ନାହିଁ ।୧୫। ତାହା ଉତ୍ତାରୁ ଅର୍ଜ୍ଜୁନ ମହାତ୍ମା ବିରାଟଙ୍କ ଆଜ୍ଞାରେ ଜୟଲବ୍ଧ ସୂକ୍ଷ୍ମ ବସ୍ତ୍ରସବୁ ରାଜକୁମାରୀ ଉତ୍ତରାଙ୍କୁ ଦେଲେ ।୧୬। ଭାମିନୀ ଉତ୍ତରା ଅତିଶୟ ଆନନ୍ଦିତା ହୋଇ ତାହାଙ୍କ ନିକଟରୁ ସେହି ବହୁମୂଲ୍ୟ ନାନାପ୍ରକାର ସୂକ୍ଷ୍ମ ବସ୍ତ୍ରମାନଙ୍କୁ ନେଲେ ।୧୭। ହେ ଜନ୍ମେଜୟ ! ତାହା ଉତ୍ତାରୁ ଭାରତଶ୍ରେଷ୍ଠ ଅର୍ଜ୍ଜୁନ, ବିରାଟଙ୍କ ପୁତ୍ର ଉତ୍ତରଙ୍କ ସଙ୍ଗରେ ଗୋପନରେ ବିଚାର କରି ଯାହା ସବୁ କରିବାର ଉଚିତ, ତାହା ସ୍ଥିର କରି ଯୁଧିଷ୍ଠିରଙ୍କ ନିକଟରେ ଜଣାଇଲେ ଓ ଶେଷରେ ସମସ୍ତେ ଏକତ୍ର ମିଳି ଉତ୍ତରଙ୍କ ସଙ୍ଗରେ ଅତି ଆନନ୍ଦରେ ସେହି ଅନୁସାରେ କାର୍ଯ୍ୟ କଲେ ।୧୯।

 

ଅଧ୍ୟାୟ – ୭୦

 

ବୈଶମ୍ପାୟନ କହିଲେ, ଅଗ୍ନି ସଦୃଶ୍ୟ ପ୍ରତାପଶାଳୀ ମହାରଥ ପଞ୍ଚପାଣ୍ଡବମାନେ ତାହାର ତୃତୀୟ ଦିବସରେ ପ୍ରତିଜ୍ଞାରୁ ଉତ୍ତୀର୍ଣ୍ଣ ହୋଇଥିବାର ଜାଣି ସ୍ନାନଶେଷରେ ଶୁକ୍ଳବସ୍ତ୍ର ପରିଧାନ କରି ନାନାପ୍ରକାର ଅଳଙ୍କାରମାନଙ୍କରେ ମଣ୍ଡିତ ହୋଇ ମତ୍ତ ମାତଙ୍ଗମାନଙ୍କ ପ୍ରାୟ ଧୀରେ ଧୀରେ ଯାଇ ସଭାମଣ୍ଡପରେ ପହଞ୍ଚିଲେ ଓ ଧର୍ମରାଜ ଯୁଧିଷ୍ଠିରଙ୍କୁ ଆଗରେ ରଖି ବେଦୀମଧ୍ୟରେ ଯାଗ ଅଗ୍ନି ସମୂହ ପ୍ରାୟ ସିଂହାସନରେ ବସିଲେ ।୩। ପାଣ୍ଡବମାନେ ସେହି ପ୍ରାୟ ବସିଥିବା ସମୟରେ ବିରାଟ ରାଜା ରାଜକାର୍ଯ୍ୟ ବିଚାର କରିବା ନିମିତ୍ତ ସଭାଗୃହକୁ ଆସିଲେ ।୪। ଓ ପାଣ୍ଡବମାନଙ୍କର ପ୍ରଜ୍ଜ୍ୱ୍ୱଳିତ ଅଗ୍ନି ସଦୃଶ୍ୟ ଅତ୍ୟନ୍ତ ଉଜ୍ଜ୍ୱଳ ଶୋଭା ଦେଖି କିଛି ସମୟ ପର୍ଯ୍ୟନ୍ତ ମନରେ କଣ ଭାବି ପରିଶେଷରେ ଅତିଶୟ କୋପାବିଷ୍ଟ ହେଲେ ।୫।ତାହା ଉତ୍ତାରୁ ବିରାଟ ରାଜା ମରୁତ୍‌ଗଣ ବେଷ୍ଟିତ ଦେବରାଜ ଇନ୍ଦ୍ରଙ୍କ ପ୍ରାୟ ବସିଥିବା କଙ୍କଙ୍କୁ କହିଲେ, ତୁମ୍ଭେ ଅକ୍ଷକ୍ରୀଡ଼ାକାରୀ ଆମ୍ଭର ସଭାସ୍ତାବକ ହୋଇ ବର୍ତ୍ତମାନ କେଉଁ ସାହସରେ ରାଜପରିଚ୍ଛଦ ଓ ରାଜଭୂଷଣରେ ଭୂଷିତ ହୋଇ ରାଜାସନରେ ବସିଅଛ ?୭।

 

ବୈଶମ୍ପାୟନ କହିଲେ, ହେ ମହାରାଜ ! ଅର୍ଜ୍ଜୁନ ବିରାଟଙ୍କ କଥା ଶୁଣି ତାହାଙ୍କୁ ପରିହାସ କରିବା ଇଚ୍ଛାରେ ହସି ହସି କହିଲେ ।୮।, ହେ ରାଜନ୍‌ ! ଏହି ମହାତ୍ମା ଇନ୍ଦ୍ରଙ୍କ ଅର୍ଦ୍ଧଆସନରେ ବସିବାର ଉପଯୁକ୍ତ; ଏ ବ୍ରହ୍ମନିଷ୍ଠ, ନାନା ଶାସ୍ତ୍ରରେ ନିପୁଣ, ଦାନଶୀଳ, ଯଜ୍ଞଶୀଳ ଓ ଦୃଢ଼ସଂକଳ୍ପ ଅଟନ୍ତି ।୯। ଏହି ମହାତ୍ମା ଶୌର୍ଯ୍ୟ ଓ ବୁଦ୍ଧିଶକ୍ତି ବିଷୟରେ ସମସ୍ତଙ୍କର ଅଗ୍ରଗଣନୀୟ, ତପସ୍ୟାର ପ୍ରଧାନ ଆଶ୍ରୟସ୍ଥଳ ଓ ମୂର୍ତ୍ତିମାନ ଧର୍ମଦେବଙ୍କ ପ୍ରାୟ ଦେଦୀପ୍ୟମାନ ଅଟନ୍ତି ।୧୦। ସଚରାଚର ତ୍ରିଭୁବନ ମଧ୍ୟରେ ଏହାଙ୍କ ସମାନ ଅନ୍ୟ କେହି ଅସ୍ତ୍ରବିଦ୍ୟା ଜାଣନ୍ତି ନାହିଁ ଓ କୌଣସି କାଳରେ ସୁଦ୍ଧା ଜାଣିବେ ନାହିଁ ।୧୧। ଅସ୍ତ୍ରବିଦ୍ୟା ବିଷୟରେ ସୁର, ଅସୁର, ଯକ୍ଷ, ରାକ୍ଷସ, ନର, କିନ୍ନର, ଗନ୍ଧର୍ବ ଅଥବା ମହୋରଗମାନେ କେହି ସୁଦ୍ଧା ଏହାଙ୍କର ସମାନ ହୋଇ ପାରିବେ ନାହିଁ ।୧୨। ଏହି ପାଣ୍ଡବ ମହାରଥୀ ରାଜର୍ଷି ମହର୍ଷିମାନଙ୍କ ପ୍ରାୟ ଦୀର୍ଘଦର୍ଶୀ, ଅତିଶୟ ତେଜସ୍ୱୀ, ନଗରବାସୀ ଓ ଜନପଦବାସୀ ମାନଙ୍କର ପ୍ରିୟ ପାତ୍ର ଅଟନ୍ତି । ଏହି ମହାତ୍ମା ଯଜ୍ୱା, ଧର୍ମପରାୟଣ, ବଳବାନ, ଧୈର୍ଯ୍ୟବାନ, କାର୍ଯ୍ୟଦକ୍ଷ, ସତ୍ୟବାଦୀ ଓ ଜିତେନ୍ଦ୍ରିୟ ଅଟନ୍ତି; ଏହି ମହାତ୍ମା ଐଶ୍ୱର୍ଯ୍ୟ ବିଷୟରେ ଇନ୍ଦ୍ରଦେବଙ୍କ ସଦୃଶ୍ୟ, ସଞ୍ଚୟ କରିବା ବିଷୟରେ କୁବେରଦେବଙ୍କ ସମାନ ବୋଲି ସମୁଦାୟ ଜଗତରେ ସୁଖ୍ୟାତି ଲଭିଅଛନ୍ତି ।୧୪।

 

ମହାତେଜା ମନୁ ଯେଉଁ ପ୍ରକାରରେ ଲୋକମାନଙ୍କୁ ରକ୍ଷା କରୁଥିଲେ, ଏହି ମହାତ୍ମା ମହାତେଜା ମଧ୍ୟ ସେହିପ୍ରାୟ ପ୍ରଜାମାନଙ୍କ ଉପରେ ଅନୁଗ୍ରହ କରନ୍ତି ।୧୫। ଏହି ମହାତ୍ମା କୁନ୍ତୀପୁତ୍ର ଯୁଧିଷ୍ଠିର କୁରୁବଂଶରେ ଶ୍ରେଷ୍ଠ ଅଟନ୍ତି । ସ୍ୱର୍ଗ ଭୁବନରେ ସୂର୍ଯ୍ୟଦେବଙ୍କ ପ୍ରଭାପ୍ରାୟ ଏହାଙ୍କର କୀର୍ତ୍ତି ପୃଥିବୀ ମଧ୍ୟରେ ବିରାଜିତ ହୋଇଅଛି ।୧୬। ଉଦିତ ସୂର୍ଯ୍ୟ ଦେବଙ୍କର କିରଣସମୂହ ତାହାଙ୍କ ତେଜମାନଙ୍କୁ ଅନୁସରି ଥିଲା ପ୍ରାୟ ଏହି ମହାତ୍ମାମାନଙ୍କର କୀର୍ତ୍ତିର କିରଣମାନେ ଦଶଦିଗମାନଙ୍କରେ ସଂଚାର କରୁଅଛନ୍ତି ।୧୭। ହେ ରାଜନ୍‌ ! ଏହି ମହାତ୍ମା କୁରୁମଣ୍ଡଳରେ ବାସ କରୁଥିବା ସମୟରେ ଶୀଘ୍ରଗାମୀ ଦଶ ସହସ୍ର ହସ୍ତୀ ଓ ଉତ୍ତମ ଅଶ୍ୱଯୁକ୍ତ ସୁବର୍ଣ୍ଣହାର ମଣ୍ଡିତ ତିରିଶ ସହସ୍ର ରଥ ଏହାଙ୍କର ପଛେ ପଛେ ଚାଲୁଥିଲେ ।୧୯।

 

ଋଷିସମୂହ ଇନ୍ଦ୍ରଦେବଙ୍କୁ ଆରାଧନା କଲାପ୍ରାୟ ରତ୍ନଖଚିତ କୁଣ୍ଡଳମଣ୍ଡିତ ଆଠଶତ ସୂତମାନେ ମାଗଧମାନଙ୍କ ସଙ୍ଗରେ ଏହି ମହାତ୍ମାଙ୍କ ଛାମୁରେ ନିରନ୍ତର ସ୍ତୁତିପାଠ କରୁଥିଲେ । ଅମରମାନେ କୁବେରଦେବଙ୍କୁ ଆରାଧନା କଲାପ୍ରାୟ କୌରବମାନେ ଓ ଅନ୍ୟାନ୍ୟ ଭୂପତିସମୂହ କିଙ୍କର ସଦୃଶ୍ୟ ଏହି ମହାତ୍ମାଙ୍କ ସର୍ବଦା ପୂଜା କରୁଥିଲେ ।୨୧। ସ୍ୱାଧୀନ ରାଜାମାନେ ବୈଶ୍ୟମାନଙ୍କ ପ୍ରାୟ ବଶୀଭୂତ ହୋଇ ଏହି ମହାରାଜାଙ୍କୁ କର ପ୍ରଦାନ କରୁଥିଲେ ।୨୨। ଅଠାଅଶୀ ସହସ୍ର ପରିମିତ ସ୍ନାତକ ବ୍ରାହ୍ମଣମାନେ ଏହି ସଚ୍ଚରିତ୍ର, ନିୟମନିଷ୍ଠ ରାଜାଙ୍କୁ ଆଶ୍ରୟ କରି ଜୀବିକା ନିର୍ବାହ ବିଷୟରେ ନିଶ୍ଚିନ୍ତ ଥିଲେ ।୨୩। ଏହି ମହାତ୍ମା ପ୍ରଜାପାଳନର ଉପଯୁକ୍ତ ଧର୍ମ ଅନୁସାରେ ଅନ୍ଧ, ପଙ୍ଗୁ, ବୃଦ୍ଧ ଓ ଅନାଥ ଲୋକମାନଙ୍କୁ ପ୍ରତିପାଳନ କରୁଥିଲେ ।୨୪। ଏହି ମହାତ୍ମା ଧର୍ମପ୍ରିୟ, ଇନ୍ଦ୍ରିୟଜୟୀ, କ୍ରୋଧ-ଶୂନ୍ୟ, ସତ୍ୟବାଦୀ, ପ୍ରସନ୍ନଚିତ୍ତ, ନିୟମାଚାରୀ ଓ ବ୍ରାହ୍ମଣ୍ୟ ଅଟନ୍ତି ।୨୫। ଏହାଙ୍କ ଶ୍ରୀପ୍ରତାପରେ ଧୃତରାଷ୍ଟ୍ରଙ୍କର ଦୁର୍ଯ୍ୟୋଧନ ପ୍ରଭୃତି ପୁତ୍ରମାନେ ଓ କର୍ଣ୍ଣ ଶକୁନି ପ୍ରଭୃତି ମହାବୀର ସମୂହ ନିରନ୍ତର ସନ୍ତାପିତ ହେଉଥିଲେ ।୨୬। ହେ ନରେଶ୍ୱର ! ଏହାଙ୍କର ଗୁଣମାନଙ୍କୁ କେହି କଦାପି କହିପାରିବେ ନାହିଁ । ପୃଥିବୀ ମଧ୍ୟରେ ଏହାଙ୍କ ସଦୃଶ୍ୟ ଧର୍ମପରାୟଣ ଓ ଅକ୍ରୂର ସ୍ୱଭାବ ରାଜା ନାହାନ୍ତି ।୨୭। ହେ ମହାରାଜ ! ଏତାଦୃଶ ଅଶେଷ ରଜାଗୁଣମଣ୍ଡିତ ନୃପଶ୍ରେଷ୍ଠ ପାଣ୍ଡୁନନ୍ଦନ ରାଜା ଯୁଧିଷ୍ଠିର କି ନିମିତ୍ତ ରାଜଆସନରେ ବସିବାକୁ ଯୋଗ୍ୟ ନୁହନ୍ତି ?୨୮।

 

ଅଧ୍ୟାୟ – ୭୧

 

ବିରାଟ କହିଲେ– ଏ ଯଦି କୁରୁବଂଶସଂଭବ କୁନ୍ତୀଦେବୀଙ୍କ ପୁତ୍ର ଯୁଧିଷ୍ଠିର, ତାହାହେଲେ ଏହାଙ୍କ ସହୋଦରମାନଙ୍କ ମଧ୍ୟରେ ଅର୍ଜ୍ଜୁନ କିଏ ? ଭୀମ କିଏ/ ନକୁଳ କିଏ/ ସହଦେବ କିଏ ଓ ଯଶସ୍ୱିନୀ ଦ୍ରୁପଦ ନନ୍ଦିନୀ କିଏ ? ପାଣ୍ଡବମାନେ ଦ୍ୟୂତକ୍ରୀଡ଼ାରେ ପରାସ୍ତ ହେବା ଦିନରୁ କେଉଁଠାରେ ରହିଲେ ତାହାତ କେହି ଜାଣନ୍ତି ନାହିଁ ।୨। ଅର୍ଜ୍ଜୁନ କହିଲେ, ହେ ମହାରାଜ ! ଏହି ବ୍ୟକ୍ତି ଭୀମପରାକ୍ରମ ମହାବାହୁ ଭୀମ; ବଲ୍ଲବ ନାମରେ ଖ୍ୟାତ ହୋଇ ଏହି ମହାତ୍ମା ଆପଣଙ୍କର ସୂପକାର କାର୍ଯ୍ୟରେ ନିଯୁକ୍ତ ଥିଲେ ।୩। ଏହି ବୀର ଗନ୍ଧମାର୍ଦନ ପର୍ବତରେ କ୍ରୋଧବଶ ଯକ୍ଷମାନଙ୍କୁ ବିନାଶ କରି କୃଷ୍ଣାଙ୍କ ନିମିତ୍ତ ଉତ୍ତମ ସୌଗନ୍ଧିକ ଦ୍ରବ୍ୟମାନଙ୍କୁ ଆଣିଥିଲେ ।୪। ଯେଉଁ ବୀର ଦୁରାତ୍ମା କୀଚକ ପ୍ରଭୃତିଙ୍କୁ ଓ ଆପଣଙ୍କର ଅନ୍ତଃପୁରର ବ୍ୟାଘ୍ର, ଭଲ୍ଲୁକ ଓ ବରାହମାନଙ୍କୁ ବିନାଶ କରିଥିଲେ, ସେ ଏହି ଗନ୍ଧର୍ବ ଅଟନ୍ତି ।୫।

 

ହେ ପରନ୍ତପ ! ଏହି ବୀରବରଙ୍କ ନାମ ନକୁଳ; ଏ ଆପଣଙ୍କର ଅଶ୍ୱପାଳକ ହୋଇ ରହିଥିଲେ । ଏହାଙ୍କ ନାମ ସହଦେବ; ଏ ଆପଣଙ୍କର ଗୋପାଳକ କାଯ୍ୟରେ ନିଯୁକ୍ତ ଥିଲେ । ନଟବରବେଶଧାରୀ, ରୂପବାନ, ଯଶସ୍ୱୀ, ଭାରତକୁଳମଣ୍ଡନ ମାଦ୍ରୀଦେବୀଙ୍କର ଏହି ମହାବୀର ପୁତ୍ର ଦୁହେଁ ସହସ୍ରପରିମିତ ମହାରଥୀମାନଙ୍କର ସମାନ ଅଟନ୍ତି ।୭। ହେ ରାଜନ୍‌ ! ଯାହାଙ୍କ ହେତୁରୁ କୀଚକଙ୍କ ବଂଶଧରମାନେ ହତ ହେଲେ, ସେହି ସୁମଧ୍ୟମା, ପଦ୍ମପତ୍ରନୟନା, ମନ୍ଦହାସୀ ସୈରନ୍ଧ୍ରୀଙ୍କୁ ଦ୍ରୁପଦ ରାଜାଙ୍କ ଦୁହିତା ବୋଲି ଚିହ୍ନିବା ହେଉନ୍ତୁ ।୧୮। ହେ ମହାରାଜ ! ମୋର ନାମ ଅଜ୍ଜୁନ, ମୁଁ ଭୀମସେନଙ୍କର ଅନୁଜ, ନକୁଳ ସହଦେବଙ୍କର ଅଗ୍ରଜ, ପୃଥାଦେବୀଙ୍କର ତୃତୀୟ ପୁତ୍ର; ଏହି ବିଷୟସବୁ ଆପଣ ଶୁଣିବା ହୋଇଥିବେ ।୯। ହେ ମହାରାଜ ! ପୁତ୍ରକନ୍ୟାମାନେ ଗର୍ଭବାସରେ ଥିଲାପ୍ରାୟ ଆମ୍ଭେମାନେ ଆପଣଙ୍କ ଗୃହରେ ରହି ପରମ ସୁଖରେ ଅଜ୍ଞାତବାସର ସମୟତକ ହରଣ କଲୁ ।୧୦।

 

ବୈଶମ୍ପାୟନ କହିଲେ, ଅର୍ଜ୍ଜୁନ ମହାବୀର ପାଞ୍ଚପାଣ୍ଡବମାନଙ୍କର ପରିଚୟ ଦେଉଥବା ସମୟରେ ଉତ୍ତର ଅର୍ଜ୍ଜୁନଙ୍କ ପରାକ୍ରମକୁ ବିଶେଷରୂପେ ବର୍ଣ୍ଣନା କରି ପୁନଶ୍ଚ ସେହି ପୃଥାଦେବୀଙ୍କ କୁମାରମାନଙ୍କୁ ଦେଖାଉଥିଲେ ।୧୨। ଉତ୍ତର କହିଲେ, ଏହି ମହାତ୍ମା ଯୁଧିଷ୍ଠିର କୁରୁବଂଶର ରାଜା; ଏ ଗୋଟିଏ ମହାସିଂହପ୍ରାୟ ଦିଶୁଅଛନ୍ତି । ଏହାଙ୍କର ଗୌରବର୍ଣ୍ଣ ଶରୀର ବିଶୁଦ୍ଧ ସୁବର୍ଣ୍ଣପ୍ରାୟ ଦେଦୀପ୍ୟମାନ, ନାସିକା ପ୍ରଚଣ୍ଡ, ନୟନଦ୍ୱୟ ଦୀର୍ଘ, ସ୍ଥୂଳ ଓ ଆୟତ, ମୁଖମଣ୍ଡଳ ତାମ୍ରବର୍ଣ୍ଣ ଓ ମନୋହର ହୋଇଅଛି ।୧୩। ପୁନଶ୍ଚ ଦେଖିବାକୁ ହୁଅନ୍ତୁ, ଏହି ମହାତ୍ମା ଭୀମସେନ; ଏ ଚାଲିବା ଗୁଣରେ ମତ୍ତ ଗଜରାଜକୁ ଓ ଗୌରବର୍ଣ୍ଣ ଦେହରେ ତପ୍ତ ସୁବର୍ଣ୍ଣକୁ ଜଣିଅଛନ୍ତି । ଏହାଙ୍କର ନାସା ପ୍ରଚଣ୍ଡ, ବାହୁ ଅତି ଦୀର୍ଘ ଅଟେ ।୧୪। ଭୀମସେନଙ୍କ ପାର୍ଶ୍ୱରେ କରୀଯୂଥପତିପ୍ରାୟ ମହାଧନୁର୍ଦ୍ଧର ବୀରବର ଅର୍ଜ୍ଜୁନ ବସିଅଛନ୍ତି; ଏହାଙ୍କ ସ୍କନ୍ଧ ସିଂହ ସ୍କନ୍ଧପ୍ରାୟ ଉନ୍ନତ; ଏହି ମହାତ୍ମା ମତ୍ତଗଜପ୍ରାୟ ଗମନ କରନ୍ତି; ଏହାଙ୍କ ନେତ୍ରଯୁଗଳ ପଦ୍ମସଦୃଶ୍ୟ ଓ ଶରୀର ନୂତନ ଜଳଧରପ୍ରାୟ ଶ୍ୟାମଳବର୍ଣ୍ଣ ଅଟେ ।୧୫।

 

ପୁଣି ଦେଖିବା ହେଉନ୍ତୁ, ଯୁଧିଷ୍ଠିରଙ୍କ ନିକଟରେ ବିଷ୍ଣୁ ଓ ଇନ୍ଦ୍ରଦେବଙ୍କ ପ୍ରାୟ ଯେଉଁ ପୁରୁଷୋତ୍ତମ ଦୁହେଁ ବସିଅଛନ୍ତି, ସେ ନକୁଳ ସହଦେବ ଅଟନ୍ତି; ମନୁଷ୍ୟମାନଙ୍କ ମଧ୍ୟରେ ଏହି ଦୁହିଁଙ୍କ ପ୍ରାୟ ରୂପବାନ, ଗୁଣବାନ, ବଳବାନ ଓ ସୁଶୀଳ ବ୍ୟକ୍ତି ଅନ୍ୟ କୌଣସିଠାରେ ନାହାନ୍ତି ।୧୬। ମସ୍ତକରେ ସୁବର୍ଣ୍ଣମୟ ଅଳଙ୍କାରମାନଙ୍କୁ ଧାରଣ କରି ଏହି ଦୁହିଁଙ୍କ ପାର୍ଶ୍ୱରେ ଦ୍ରୁପଦକୁମାରୀ କୃଷ୍ଣା ବସିଅଛନ୍ତି; ଏହାଙ୍କ କାନ୍ତି ନୀଳୋତ୍ପଳ ସଦୃଶ୍ୟ ଅଟେ ଏହି ରୂପବତୀ ସ୍ତ୍ରୀ ସତୀ ଗୌରୀ ଓ ମୂର୍ତ୍ତିମତୀ ଲକ୍ଷ୍ମୀଦେବଙ୍କ ପ୍ରାୟ ଓ ନଗରର ଅଧିଷ୍ଠାତ୍ରୀ ଦେବୀଙ୍କ ପ୍ରାୟ ଦେଦୀପ୍ୟମାନ ହୋଇ ଦିଶୁଅଛନ୍ତି ।୧୭।

 

ବୈଶମ୍ପାୟନ କହିଲେ, ଉତ୍ତର ରାଜାଙ୍କର ସମୀପରେ ଏହିପ୍ରକାର ପାଣ୍ଡବମାନଙ୍କ ପରିଚୟ ଦେଲା ଉତ୍ତାରୁ ଅର୍ଜ୍ଜୁନଙ୍କର ପରାକ୍ରମ ବର୍ଣ୍ଣନା କଲେ ।୧୮। ଉତ୍ତର କହିଲେ, ଇନ୍ଦ୍ରଦେବଙ୍କ ସଦୃଶ୍ୟ ଏହି ମହାତ୍ମା ଅର୍ଜ୍ଜୁନ ମୃଗସମୂହ ସଂହାରକାରୀ ସିଂହପ୍ରାୟ ଶତ୍ରୁମାନଙ୍କୁ ବାଣଦ୍ୱାରା ଆଘାତ କରି ପୁଲକିତ ହୋଇ ମହାରଥମାନଙ୍କ ସଙ୍ଗେ ବିହାର କରୁଥିଲେ ।୧୯। ସୁବର୍ଣ୍ଣକକ୍ଷମଣ୍ଡିତ ଗୋଟିଏ ବୃହତ୍ ହସ୍ତୀ ଏହି ମହାତ୍ମାଙ୍କ ଗୋଟାଏ ବାଣରେ ଆହତ ହେବାରୁ ଦୁଇ ଦନ୍ତରେ ପୃଥିବୀକୁ ବିଦାରଣ କରି ଯୁଦ୍ଧକ୍ଷେତ୍ରରେ ପଡ଼ିଗଲା ।୨୦। ଏହି ମହାତ୍ମାଙ୍କର ବାହୁ ପରାକ୍ରମରେ କୌରବମାନେ ପଳାଇ ଯିବାରୁ ଗୋଧନଗୁଡ଼ିକ ଆମ୍ଭର ହସ୍ତଗତ ହୋଇଛନ୍ତି । ଏହି ମହାତ୍ମାଙ୍କର ଶଙ୍ଖନାଦରେ ଏତେବେଳଯାଏ ମୋର କର୍ଣ୍ଣଦ୍ୱୟ ମଧ୍ୟ ବଧିର ଭାବକୁ ଧରିଅଛନ୍ତି ।୨୧।

 

ବୈଶମ୍ପାୟନ କହିଲେ, ପ୍ରତାପଶାଳୀ ବିରାଟ କୁମାରଙ୍କ ବାକ୍ୟ ଶୁଣି ତାହାଙ୍କୁ କହିଲେ, ହେ ବତ୍ସ ! ଆମ୍ଭେ ଯୁଧିଷ୍ଠିରଙ୍କ ସଙ୍ଗେ ଅପରାଧ କରିଅଛୁ, ଏତେବେଳେ ତାଙ୍କୁ ପ୍ରସନ୍ନ କରାଇବା ଉଚିତ; ଅତଏବ ତୁମ୍ଭେ ଯଦି ସ୍ୱୀକାର କରିବ, ତାହା ହେଲେ ଆମ୍ଭେ ଅର୍ଜ୍ଜୁନଙ୍କ ବିବାହ ନିମିତ୍ତ ଉତ୍ତରାଙ୍କୁ ସମର୍ପଣ କରିବୁ ।୨୩। ଉତ୍ତର କହିଲେ, ହେ ତାତ ! ଏହି ମହାଆର୍ଯ୍ୟ ପାଣ୍ଡବମାନେ ସମସ୍ତେ କ୍ଷମତାଶାଳୀ, ପୂଜନୀୟ, ମାନନୀୟ ଓ ପ୍ରଶଂସନୀୟ ଅଟନ୍ତି । ଏଣୁକରି ମୁଁ ନିବେଦନ କରୁଅଛି ଯେ ଆପଣ ଏହି ମହାତ୍ମାମାନଙ୍କୁ ଯଥୋଚିତ ପୂଜା କରିବା ହୁଅନ୍ତୁ ।୨୪। ବିରାଟ କହିଲେ, ଆମ୍ଭର ପରାଜୟ ସମୟରେ ମହାବାହୁ ଭୀମସେନ ଯୁଦ୍ଧକ୍ଷେତ୍ରରୁ ଶତ୍ରୁମାନଙ୍କ ହସ୍ତରୁ ଆମ୍ଭଙ୍କୁ ରକ୍ଷାକରି ସେମାନଙ୍କୁ ପରାଜୟ ଦେଇ ଗୋଧନ ସବୁ ଆଣିଛନ୍ତି ।୨୫। ଏହି ମହାତ୍ମାମାନଙ୍କର ବାହୁପରାକ୍ରମରେ ଯୁଦ୍ଧଭୂମିରେ ଆମ୍ଭର ଜୟଲାଭ ହୋଇଛି; ଅତଏବ ଆମ୍ଭେ ସମସ୍ତ ଅମାତ୍ୟଙ୍କ ସଙ୍ଗରେ ପାଣ୍ଡବଶ୍ରେଷ୍ଠ ଯୁଧିଷ୍ଠିରଙ୍କୁ ଓ ତାହାଙ୍କ ଅନୁଜମାନଙ୍କୁ ବିଧିପୂର୍ବକ ପୂଜା କରିବା ।୨୬। ଆମ୍ଭେ ଅପରିଚିତୟ ଦୋଷରୁ ଯାହା କହିଲୁ, ଧର୍ମପରାୟଣ ପାଣ୍ଡବରାଜ ଯୁଧିଷ୍ଠିର ତାହାସବୁ କ୍ଷମା କରିବେ ।୨୭। ବୈଶମ୍ପାୟନ କହିଲେ, ତାହା ଉତ୍ତାରୁ ମହାତ୍ମା ବିରାଟ ରାଜା ଅତିଶୟ ଆନନ୍ଦିତ ହୋଇ ଯୁଧିଷ୍ଠିରଙ୍କର ସାଙ୍ଗରେ ଶିଷ୍ଟାଚାର ଅନୁସାରେ ବାକ୍ୟାଳାପ କରି ତାହାଙ୍କୁ ଦଣ୍ଡ, କୋଷ ଓ ନଗର ସହିତ ସମୁଦାୟ ରାଜ୍ୟ ସମର୍ପଣ କଲେ ।୨୮। ତାହା ଉତ୍ତାରୁ ପ୍ରତାପଶାଳୀ ବିରାଟ ସମସ୍ତ ପାଣ୍ଡବମାନଙ୍କୁ ବିଶେଷ ରୂପରେ ଅର୍ଜ୍ଜୁନଙ୍କୁ ଯଥୋଚିତ ସମାଦର କରି ‘ଆଜି ଆମ୍ଭର ପରମ ଭାଗ୍ୟ, ଆଜି ଆମର ପରମ ଭାଗ୍ୟ’ ଏହି ପ୍ରକାର ବାରମ୍ବାର କହୁଥିଲେ ।୨୯।

 

ବାହିନୀପତି ବିରାଟ ରାଜା, ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ ଓ ସହଦେବଙ୍କୁ ସ୍ନେହରେ ବାରମ୍ବାର ଆଲିଙ୍ଗନ ଦେଉଥିଲେ ଓ ସେହିମାନଙ୍କର ମସ୍ତକ ଆଘ୍ରାଣ କରୁଥିଲେ, ସେହି ସମୟରେ ପାଣ୍ଡବମାନଙ୍କ ବିନା ଅନ୍ୟ କୌଣସି ପଦାର୍ଥକୁ ଚାହିଁବା ନିମିତ୍ତ ବିରାଟଙ୍କର ଟିକିଏ ମାତ୍ର ଇଚ୍ଛା ହେଉନଥିଲା । ପରିଶେଷରେ ସେ ଅତିଶୟ ଆହ୍ଲାଦିତ ହୋଇ ଯୁଧିଷ୍ଠିରଙ୍କୁ କହିଲେ ।୩୧।, ଆପଣମାନେ ଦୁରାତ୍ମାମାନଙ୍କର କଷ୍ଟସାଧ୍ୟ ନିୟମମାନଙ୍କୁ ପାଳନ କରି ଅରଣ୍ୟ ମଧ୍ୟରୁ ଯେ କୁଶଳରେ ଆସିଅଛନ୍ତି, ଏହା ପରମ ଭାଗ୍ୟର ବିଷୟ ଅଟେ ।୩୨। ହେ ପାଣ୍ଡବମାନେ ! ଆମ୍ଭେ ପୃଥାନନ୍ଦନ ଯୁଧିଷ୍ଠିରଙ୍କୁ ଏହି ରାଜ୍ୟ ଅର୍ପଣ କରିଅଛୁଁ; ପୁନଶ୍ଚ ଯାହାକିଛି କହିବୁଁ, ତାହା ଅର୍ଜ୍ଜୁନ ବିନାଶଙ୍କାରେ ସମାଧାନ କରନ୍ତୁ ।୩୩। ପୁରୁଷ ଶ୍ରେଷ୍ଠ ଅର୍ଜ୍ଜୁନ ଆମ୍ଭର କନ୍ୟା ଉତ୍ତରାଙ୍କୁ ପ୍ରତିଗ୍ରହ କରନ୍ତୁ; ସେ ତାହାଙ୍କର ଉପଯୁକ୍ତ ପତି ବୋଲି ଆମ୍ଭେ ବିବେଚନା କରୁଅଛୁ ।୩୪। ବିରାଟ ଏହିପ୍ରକାର କଥା କହିବାରୁ ଧର୍ମରାଜ ଯୁଧିଷ୍ଠିର ପୃଥାଦେବୀଙ୍କ କୁମାର ଧନଞ୍ଜୟଙ୍କୁ ଚାହିଁଲେ । ଅର୍ଜ୍ଜୁନ ମଧ୍ୟ ଯୁଧିଷ୍ଠିରଙ୍କ ଭାବଭଙ୍ଗିରୁ ମନର କଥା ଜାଣି ପାରି ମତ୍ସ୍ୟରାଜାଙ୍କୁ କହିଲେ ।୩୫।, ହେ ମହାରାଜ ! ମୁଁ ଆପଣଙ୍କର କୁମାରୀ ଉତ୍ତରାଙ୍କୁ ପୁତ୍ରବଧୁ ରୂପରେ ପ୍ରତିଗ୍ରହ କରିବି; ଭାରତ ଓ ମତ୍ସ୍ୟବଂଶଙ୍କ ମଧ୍ୟରେ ଏହିପ୍ରକାର ସମ୍ବନ୍ଧ ଉତ୍ତମ ଓ ଉପଯୁକ୍ତ ଅଟେ ।୩୬।

 

ଅଧ୍ୟାୟ – ୭୨

 

ବିରାଟ କହିଲେ- ହେ ପାଣ୍ଡବଶ୍ରେଷ୍ଠ ଅର୍ଜ୍ଜୁନ ! ଆପଣ କି ନିମିତ୍ତ ଆମ୍ଭ ପ୍ରଦତ୍ତ ଉତ୍ତରାଙ୍କୁ ପତ୍ନୀରୂପରେ ପ୍ରତିଗ୍ରହ କରିବାକୁ ଅସ୍ୱୀକୃତ ହେଉଅଛନ୍ତି ?୧। ଅର୍ଜ୍ଜୁନ କହିଲେ, ହେ ରାଜନ୍‌ ! ମୁଁ ଆପଣଙ୍କର ଅନ୍ତଃପୁର ମଧ୍ୟରେ ରହି ରାଜକୁମାରୀଙ୍କୁ ସବୁବେଳେ ଦେଖୁଥିଲି; ସେ ମଧ୍ୟ ସକଳ ବିଷୟରେ ମୋଠାରେ ପିତୃବତ୍ ବିଶ୍ୱାସ କରିଥିଲେ ।୨। ମୁଁ ନୃତ୍ୟ ଗୀତରେ ଶିକ୍ଷକ ବୋଲି ଆପଣଙ୍କ କନ୍ୟାଙ୍କର ପ୍ରୀତିପାତ୍ର ଓ ମାନନୀୟ ହୋଇଥିଲି; ସେହି କାରଣରୁ ସେ ମତେ ଗୁରୁପ୍ରାୟ ନିରନ୍ତର ମାନ୍ୟ କରୁଥିଲେ ।୩। ହେ ରାଜନ ! ମୁଁ ସେହି ପ୍ରାପ୍ତବୟସ୍କା କନ୍ୟାଙ୍କ ସଙ୍ଗରେ ଏକ ବର୍ଷ କାଳ ରହିଥିଲି; ସେହି ହେତୁରୁ ଆପଣଙ୍କର ଅଥବା ଅନ୍ୟ ଲୋକମାନଙ୍କ ହୃଦୟରେ ସବୁପ୍ରକାର ଅଭିଶଙ୍କା ଜନ୍ମିବାର ସମ୍ଭବ; ଅତଏବ ହେ ମନୁରାଜାଧିପ ! ଆପଣଙ୍କର ଦୁହିତାଙ୍କୁ ମୁଁ ପୁତ୍ରଙ୍କ ନିମିତ୍ତ ବରଣ କଲେ ସେ ଆଶଙ୍କା ଦୂରୀଭୂତ ହେବ; ମୁଁ ମଧ୍ୟ ପବିତ୍ର, ଜିତେନ୍ଦ୍ରିୟ ଓ ଦାନ୍ତ ବୋଲ ପ୍ରଶଂସା ପାଇବି ।୫। ଆତ୍ମା ଓ ଆତ୍ମଜ ମଧ୍ୟରେ ଯେଉଁପ୍ରାୟ କୌଣସି ଭେଦ ନାହିଁ, କନ୍ୟା ଓ ପୁତ୍ରବଧୂ ମଧ୍ୟରେ ସେହିପ୍ରାୟ କିଛିମାତ୍ର ପ୍ରଭେଦ ନାହିଁ । ସେହି ହେତୁରୁ ଆପଣଙ୍କର କନ୍ୟା ଆମ୍ଭର ପୁତ୍ରବଧୂ ହେଲେ ଆମ୍ଭଠାରେ କିଛିମାତ୍ର ଆଶଙ୍କା ରହି ପାରିବ ନାହିଁ ।୬।

 

ହେ ରିପୁଦଳନ ମହାରାଜ ! ମୁଁ ଲୋକମାନଙ୍କ ଅପବାଦକୁ ବଡ଼ ଭୟ କରଇ । ଆପଣଙ୍କ କନ୍ୟାଙ୍କୁ ମୁଁ ପତ୍ନୀରୂପରେ ପ୍ରତିଗ୍ରହ କଲେ ଲୋକମାନଙ୍କ ହୃଦୟରେ ବିଚାର ହେବ ଯେ ଏହି ଦୁହିଁଙ୍କର ପୂର୍ବରୁ ପ୍ରଣୟ ଥିଲା । ଅତଏବ ଏହି ଭୟରେ ଉତ୍ତରାଙ୍କୁ ପୁତ୍ରବଧୁ ରୂପରେ ପ୍ରତିଗ୍ରହ କରୁଅଛି ।୭। ହେ ମହାରାଜ ! ବିଶାଂପତେ ! ମୋର ପୁତ୍ର ଅଭିମନ୍ୟୁ ଚକ୍ରପାଣି ବାସୁଦେବଙ୍କର ଭାଗିନେୟ; ଦେଖିବାକୁ ଦେବକୁମାରଙ୍କ ପ୍ରାୟ ସୁନ୍ଦର ଓ ସର୍ବପ୍ରକାର ଅସ୍ତ୍ରବିଦ୍ୟାମାନଙ୍କରେ ମଧ୍ୟ ପରମ ପଣ୍ଡିତ; ଅତଏବ ସେ ଆପଣଙ୍କର ଜାମାତା ଦେବାକୁ ଉପଯୁକ୍ତ, ରାଜକୁମାରୀଙ୍କର ମଧ୍ୟ ଅନୁରୂପ ପାତ୍ର ଅଟନ୍ତି ।୯।

 

ବିରାଟ କହିଲେ, ହେ କୁନ୍ତୀପୁତ୍ର ଧନଞ୍ଜୟ ! ଆପଣଙ୍କର ହୃଦୟ ସର୍ବଦା ଜ୍ଞାନରୂପ ଆଲୋକରେ ଆଲୋକିତ ଅଟେ ଓ ଆପଣ ଧର୍ମପରାୟଣ ଅଟନ୍ତି; ଅତଏବ ଭବଦୀୟ ଉତ୍ତମ ବିବେଚନାରେ ଯେଉଁ କାର୍ଯ୍ୟ ଉଚିତ ବୋଲି ଜଣାଯାଉଅଛି ତାହା ଶୀଘ୍ର କରିବା ହେଉନ୍ତୁ । ଆପଣ ସମ୍ବନ୍ଧୀ ହେଲେ ଆମ୍ଭର ସର୍ବପ୍ରକାର ମନୋରଥ ସିଦ୍ଧ ହେବ ।୧୧। ବୈଶମ୍ପାୟନ କହିଲେ, ରାଜଶ୍ରେଷ୍ଠ ବିରାଟ ଏହି ପ୍ରକାର କଥା କହିଲା ଉତ୍ତାରୁ କୁନ୍ତୀ ଦେବୀଙ୍କ ପୁତ୍ର ଯୁଧିଷ୍ଠିର, ଅର୍ଜ୍ଜୁନ ଓ ମତ୍ସ୍ୟରାଜାଙ୍କ ମନକଥା ଜାଣିପାରି ବିବାହ ସମ୍ବନ୍ଧ ବିଷୟରେ ସମ୍ମତି ପ୍ରଦାନ କଲେ ।୧୨। ତାହା ଉତ୍ତାରୁ ବିରାଟ ରାଜା ଓ ଯୁଧିଷ୍ଠିର ଦୁହେଁ ନିଜ ନିଜ ମିତ୍ର ଓ ବସୁଦେବଙ୍କୁ ଆଣିବା ନିମିତ୍ତ ସେମାନଙ୍କ ନିକଟକୁ ଦୂତ ପଠାଇଲେ ।୧୩।

 

ତାହା ଉତ୍ତାରୁ ତ୍ରୟୋଦଶ ବର୍ଷ ଅତୀତ ହୋଇଥିବାରୁ ପାଣ୍ଡବମାନେ ପ୍ରକାଶ୍ୟ ରୂପରେ ବିରାଟଙ୍କର ଉପପ୍ଳବ୍ୟ ନଗରରେ ରହି ଅର୍ଜ୍ଜୁନ ଦ୍ୱାରାବତୀ ନଗରୀରୁ ଅଭିମନ୍ୟୁଙ୍କୁ ଓ ସମସ୍ତ ଯାଦବମାନଙ୍କ ସହିତ ଶ୍ରୀକୃଷ୍ଣଙ୍କୁ ଅଣାଇଲେ ।୧୫। କାଶୀରାଜ ଓ ଶୈବ୍ୟ ଏହି ଦୁଇ ରାଜା ଯୁଧିଷ୍ଠିରଙ୍କର ପ୍ରିୟ କାର୍ଯ୍ୟ କରିବା ନିମିତ୍ତ ଦୁଇ ଅକ୍ଷୌହିଣୀ ସୈନ୍ୟମାନଙ୍କୁ ସଙ୍ଗରେ ଆଣି ବିରାଟଙ୍କ ନଗରରେ ପହଞ୍ଚିଲେ ।୧୬। ବଳିଷ୍ଠଶ୍ରେଷ୍ଠ ଦ୍ରୁପଦରାଜା, ଅପରାଜିତ ଶିଖଣ୍ଡୀ, ସମସ୍ତ ଶସ୍ତ୍ରଧାରୀ ସିଂହ, ଦୁର୍ଦ୍ଧର୍ଷ ଧୃଷ୍ଟଦ୍ୟୁମ୍ନ ଓ ଦ୍ରୌପଦୀଙ୍କର ପାଞ୍ଚଗୋଟି ବୀରପୁତ୍ର ଏହିମାନେ ଏକ ଅକ୍ଷୌହିଣୀ ସୈନ୍ୟ ମାନଙ୍କୁ ସଙ୍ଗରେ ଘେନି ବିରାଟଙ୍କ ନଗରରେ ପହଞ୍ଚିଲେ । ଏହିମାନେ ସମସ୍ତେ ଅକ୍ଷୌହିଣୀପାଳ, ବହୁଳ ଦକ୍ଷିଣାଯୁକ୍ତ, ଯଜ୍ଞର ପ୍ରିୟ, ବେଦ ଅଧ୍ୟୟନଶୀଳ, ଶୂର ଓ ଅପରାଜିତ ଅଟନ୍ତି ଓ ଯୁଦ୍ଧକ୍ଷେତ୍ରରେ ମରଣକୁ ଭୟ କରନ୍ତି ନାହିଁ ।୧୮। ଧାର୍ମିକଶ୍ରେଷ୍ଠ ମତ୍ସ୍ୟରାଜା ବିରାଟ ସେହିମାନଙ୍କୁ ଓ ସେମାନଙ୍କର ଭୃତ୍ୟ, ବଳ ଓ ବାହନମାନଙ୍କୁ ବିଧିଅନୁସାରେ ସତ୍କାର କଲେ-।୧୯।

 

ଅଭିମନ୍ୟୁଙ୍କ ନିମିତ୍ତ ଉତ୍ତରାଙ୍କୁ ସମ୍ପ୍ରଦାନ କରିବାର କଥା ସ୍ଥିର ହୋଇଥିବାରୁ ତାହାଙ୍କର ଆନନ୍ଦର ସୀମା ରହୁନଥିଲା । ନାନା ସ୍ଥାନରୁ ରାଜାମାନେ ଆସିଲା ଉତ୍ତାରୁ ବସୁଦେବଙ୍କ ନନ୍ଦନ ବନମାଳାବିଭୂଷିତ କୃଷ୍ଣ, ବଳଦେବ, ହୁଦୀକଙ୍କ ପୁତ୍ର କୃତବର୍ମା, ସତ୍ୟକଙ୍କ କୁମାର ଯୁଯୁଧାନ, ଅନାଧୃଷ୍ଟି, ଅତ୍ରୁର, ଶାମ୍ବ ଓ ନିଶଠ ପ୍ରବୃତି ରିପୁଦମନ ବୀରମାନେ ଅଭିମନ୍ୟୁ ଓ ତାହାଙ୍କ ଜନନୀ ସୁଭଦ୍ରା ଦେବୀଙ୍କୁ ସଙ୍ଗରେ ଘେନି ଆସିଥିଲେ । ଏକ ବର୍ଷ ପର୍ଯ୍ୟନ୍ତ ଦ୍ୱାରକାରେ ବାସ କରି ରହିଥିବା ଇନ୍ଦ୍ରସେନ ପ୍ରଭୃତି ସାରଥିମାନେ ସେହିମାନଙ୍କୁ ସୁସଜ୍ଜିତ ରଥସମୂହରେ ବସାଇ ଆଣିଥିଲେ ।୨୩। ବୃଷ୍ଣିବଂଶୀୟ, ଭୋଜବଂଶୀୟ, ଅନ୍ଧବଂଶୀୟ, ଅପରିମିତ ପରମ ତେଜସ୍ୱୀ ବୀରମାନେ ଦଶସହସ୍ର ହସ୍ତୀ, ଦଶସହସ୍ର ରଥ, ଏକ ଅର୍ବୁଦ ଅଶ୍ୱ ଓ ନଖର୍ବସଂଖ୍ୟକ ପଦାତିକମାନଙ୍କୁ ସଙ୍ଗରେ ଆଣି ବୃଷ୍ଣିବଂଶ ପ୍ରଦୀପକ, ବସୁଦେବଙ୍କ କୁମାର ଜନାର୍ଦ୍ଦନ ପହଞ୍ଚିଲେ ।୨୫।

 

କୃଷ୍ଣ, ମହାତ୍ମା ପାଣ୍ଡବ ସ୍ତ୍ରୀମାନଙ୍କ ନିମିତ୍ତ ରତ୍ନ ଓ ବସ୍ତ୍ର ପ୍ରଭୃତି ନାନାପ୍ରକାର ପଦାର୍ଥସମୂହ ପୃଥକ୍ ପୃଥକ୍ କରି ଉପଢ଼ୌକନରୂପେ ଦେଲେ । ତାହା ଉତ୍ତାରୁ ପାଣ୍ଡବଙ୍କ ମଧ୍ୟରେ ବିବାହ ଉତ୍ସବ ଦେଦୀପ୍ୟମାନ ହୋଇ ବଢିଲା ।୨୬। ପାର୍ଥଙ୍କ ସମୃଧି ବିରାଟ ରାଜାଙ୍କ ଗୃହରେ ବିବାହ ଉତ୍ସବ ଲାଗିଥିବାରୁ ଶଙ୍ଖ, ଭେରୀ, ପଣବ, ଆନକ, ଗୋମୁଖ ପ୍ରଭୃତି ନାନାପ୍ରକାର ବାଦ୍ୟସବୁ ବାଜୁଥିଲେ ।୨୭। ନାନାପ୍ରକାର ମୃଗ ଓ ଅସଂଖ୍ୟ ଅସଂଖ୍ୟ ପବିତ୍ର ପଶୁସମୂହ ହତ ହେଉଥିଲେ । ନାନାପ୍ରକାର ଦ୍ରବ୍ୟମାନଙ୍କର ସାରସ୍ୱରୂପ ମଦ୍ୟ ଓ ବୃକ୍ଷମାନଙ୍କର ରସମୟ ମଦ୍ୟ ପ୍ରଭୃତି ଅନେକ ପ୍ରକାର ପାନୀୟସବୁ ଅଣା ହୋଇଥିଲା ।୨୮। ନୃତ୍ୟଗୀତବିଶାରଦ ନଟ, ବୈତାଳିକ, ସୂତ, ମାଗଧ ପ୍ରଭୃତି ସ୍ତୁତିପାଠକମାନେ ନୃପତିବୃନ୍ଦଙ୍କର ଗୁଣରାଶି କୀର୍ତ୍ତନ କରୁଥିଲେ-।୨୯।

 

ବିବାହର ନିର୍ଦ୍ଧାରିତ ସମୟ ପହଞ୍ଚିଲାରୁ ନାନାପ୍ରକାର ଅଳଙ୍କାର ସମୂହରେ ମଣ୍ଡିତ, ସର୍ବାଙ୍ଗସୁନ୍ଦରୀ, ବିରାଟ ରାଜାଙ୍କର ପ୍ରଧାନ ପ୍ରଧାନ ରମଣୀସମୂହ ରାଜମହିଷୀସୁଦେଷ୍ଣାଙ୍କ ସଙ୍ଗରେ ଇନ୍ଦ୍ରଦେବଙ୍କ ଦୁହିତାସଦୃଶ୍ୟ ସୁବେଶିତ ଉତ୍ତରାକନ୍ୟାଙ୍କୁ ଆଗରେ ଚଳାଇ ବିବାହଭୂମିରେ ପହଞ୍ଚିଲେ । ଏକତ୍ର ରୁଣ୍ଡୀଭୂତ ସ୍ତ୍ରୀମାନଙ୍କ ମଧ୍ୟରେ ଦ୍ରୁପଦରାଜକୁମାରୀ କୃଷ୍ଣା ରୂପ, ଯଶ ଓ ଅଙ୍ଗଶୋଭାରେ ସମସ୍ତ ସ୍ତ୍ରୀମାନଙ୍କୁ ପରାଜୟ କରୁଥିଲେ ।୩୭। ଇନ୍ଦ୍ରଦେବଙ୍କ ସଦୃଶ୍ୟ ରୂପଧାରୀ ଅର୍ଜ୍ଜୁନ ଅନବଦ୍ୟାଙ୍ଗୀ ବିରାଟକୁମାରୀଙ୍କୁ ପୁତ୍ରଙ୍କ ନିମିତ୍ତ ପରିଗ୍ରହଣ କରି ସେହି ବିବାହଭୂମିରେ ବସିଲେ । କୁନ୍ତୀପୁତ୍ର ମହାରାଜ ଯୁଧିଷ୍ଠିର ଉତ୍ତରାଙ୍କୁ ପୁତ୍ରବଧୂ ରୂପରେ ପରିଗ୍ରହ କରି ଜନାର୍ଦ୍ଦନଙ୍କ ସାକ୍ଷାତରେ ମହାତ୍ମା ଅଭିମନ୍ୟୁଙ୍କୁ ବିବାହ କରାଇଲେ ।୩୫। ମତ୍ସ୍ୟଦେଶର ରାଜା ବିରାଟ ପ୍ରଜ୍ଜ୍ୱଳିତ ଅଗ୍ନିରେ ବିଧିଅନୁସାରେ ହୋମ ଓ ବ୍ରାହ୍ମଣମାନଙ୍କୁ ପୂଜାକରି ଜାମାତାଙ୍କୁ ପ୍ରୀତିପ୍ରଦର୍ଶନପୂର୍ବକ ପବନସମାନ ବେଗଗାମୀ ସାତସହସ୍ର ଅଶ୍ୱ, ଦୁଇଶତ ହସ୍ତୀ, ଅସଂଖ୍ୟ ଧନ, ରାଜ୍ୟ, ସୈନ୍ୟ, ଭଣ୍ଡାର ପ୍ରଭୃତି ସର୍ବପ୍ରକାର ସମ୍ପତ୍ତି ଓ ଆପଣାର ଆତ୍ମାକୁ ମଧ୍ୟ ପ୍ରଦାନ କଲେ ।୩୭।

 

ଏହିପ୍ରକାରରେ ବିବାହ କର୍ମ ସମାପ୍ତ ହେଲାରୁ ଧର୍ମନନ୍ଦନ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କ ଆନୀତ ସମସ୍ତ ଧନ, ସହସ୍ର ଧେନୁ, ବିବିଧ ବସ୍ତ୍ର, ରତ୍ନ, ବାହନ, ଶୟନ, ଭୂଷଣ, ମନୋହର ସୁମିଷ୍ଟ ଖାଦ୍ୟ ସାମଗ୍ରୀ ଓ ନାନାପ୍ରକାର ପାନୀୟ ଦ୍ରବ୍ୟ ବ୍ରାହ୍ମଣମାନଙ୍କୁ ଦେଲେ । ହେ ଭାରତଶ୍ରେଷ୍ଠ ! ଜନ୍ମେଜୟ ! ସେହି ବିବାହ ମହୋତ୍ସବ ସମୟରେ ବିରାଟ ରାଜାଙ୍କ ନଗର ଅସଂଖ୍ୟ ଜନସମୂହରେ ପରିପୂର୍ଣ୍ଣ ହୋଇଯାଇଥିଲା ।

Image